Unknown

 

 

 

 

 

 

 

 

 

୧୬୪ତମ ସଂଖ୍ୟା କୋଣାର୍କ ୨୦୧୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଉପଦେଷ୍ଟା

ଡକ୍ଟର ରାମଚନ୍ଦ୍ର ବେହେରା

 

ସମ୍ପାଦକ ମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

 

ସୂଚୀ

ସମ୍ପାଦକୀୟ

୧.

ମୁଁ କି ହୋଇଥିବି ରାଧାମୋହନ ?

 

ପବିତ୍ର ମୋହନ ନାୟକ

୨.

କବି ରାଧାମୋହନ ଗଡ଼ନାୟକଙ୍କ

କାବ୍ୟ ଚେତନା

 

ହରିହର ମିଶ୍ର

୩.

ପାଠକୀୟ ସମଭାଗିତା, ଚାରଣକବିତ୍ୱ

ବନାମ ଗଡ଼ନାୟକଙ୍କ ଗାଥାକବିତା

 

ସନ୍ତୋଷ ତ୍ରିପାଠୀ

୪.

ମାଟିର ମୁଗ୍ଧ ଚିତ୍ରକର :

କବି ରାଧାମୋହନ ଗଡ଼ନାୟକ

 

ତୀର୍ଥାନନ୍ଦ ମିଶ୍ର

୫.

ପୁରାଣ ସଂପ୍ରୀତି : କବି ରାଧାମୋହନ

 

ପ୍ରମୋଦ କୁମାର ବେହେରା

୬.

ଗଡ଼ନାୟକଙ୍କ କବିତାରେ ପ୍ରଣୟଚେତନା

 

ନାରାୟଣ ପଣ୍ଡା

୭.

ଗୀତିକବି ରାଧାମୋହନ ଗଡ଼ନାୟକ

 

ଶ୍ରୀଚରଣ ମହାନ୍ତି

ମାନବବାଦୀ କାବ୍ୟଶିଳ୍ପୀ

ରାଧାମୋହନ ଗଡ଼ନାୟକ

 

ଭଗବାନ ପଟେଲ

୯.

ବିଭାବନ ସାମର୍ଥ୍ୟର କବି ରାଧାମୋହନ

 

ଜ୍ଞାନରଞ୍ଜନ ପଣ୍ଡା

୧୦.

ବିନ୍ଦୁଏ ଲୁହରୁ ବହ୍ନିମାନବିପ୍ଳବ ପର୍ଯ୍ୟନ୍ତ :

ଗଡ଼ନାୟକଙ୍କ ଉତ୍କଳିକା

 

ଦିଲୀପ କୁମାର ସ୍ଵାଇଁ

୧୧.

ଶାମୁକାର ସ୍ୱପ୍ନରେ ସାମ୍ୟବାଦ

 

ଇତି ସାମନ୍ତ

୧୨.

ରବୀନ୍ଦ୍ରନାଥ ଓ ରାଧାମୋହନ

 

କୁମୁଦ ଚନ୍ଦ୍ର ଦାଶ

୧୩.

ସ୍ମରଣୀୟ ସାନ୍ନିଧ୍ୟ

 

ରବୀନ୍ଦ୍ର କୁମାର ପ୍ରହରାଜ

୧୪.

ଶବ୍ଦଶିଳ୍ପୀ କବି ରାଧାମୋହନ ଗଡ଼ନାୟକ

 

ଅଜୟ କୁମାର ମିଶ୍ର

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସମ୍ପାଦକୀୟ

ଯଶସ୍ଵୀ କବି ରାଧାମୋହନ ଗଡ଼ନାୟକଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ବିପୁଳ । ରାଧାମୋହନ ଉଚ୍ଚକୋଟୀର ସର୍ଜନଶୀଳ କାବ୍ୟ ପ୍ରତିଭାର ଅଧିକାରୀ । ରାଧାମୋହନଙ୍କ କୃତିରେ ମାଟିର ମଣିଷ ହିଁ ପ୍ରାଧାନ୍ୟ ବିସ୍ତାର କରିଛି । ତାଙ୍କ କାବ୍ୟ କବିତାରେ ନୂତନ ସ୍ଵର ଝଙ୍କୃତ । ସହଜ, ସରଳ, ଭାଷାରେ କବି ହୃଦୟର ଆବେଗ ସ୍ଵତଃସ୍ଫୁର୍ତ୍ତ ଭାଷାରେ ପ୍ରତିଫଳିତ ହୋଇ କବିତା ହୋଇଯାଇଛି । ଗଡ଼ନାୟକଙ୍କ କାବ୍ୟ କବିତାରେ ରୋମାଣ୍ଟିକ୍‌ ଭାବାବେଗ ଯେପରି ଉପଲବ୍ଧ ସେହିପରି ଉତ୍କଳୀୟ ସଂସ୍କୃତି ପ୍ରତିଫଳିତ । ଇତିହାସ, ପରମ୍ପରା କଥା ରାଧାମୋହନ କବିତାରେ କହୁ କହୁ ସେ ସାଧାରଣ ମଣିଷର ସୁଖ, ଦୁଃଖ, ଯନ୍ତ୍ରଣା, ପ୍ରେମ ପ୍ରଣୟ, ଆନନ୍ଦକୁ କାବ୍ୟିକ ରୂପ ପ୍ରଦାନ କରିଛନ୍ତି । କବିଙ୍କୁ ସ୍ମରଣୀୟ କରି ରଖିଛି ତାଙ୍କ ଗୀତିମୟ ଲାଳିତ୍ୟ ରଚନା ଓ ଛନ୍ଦର ଅପୂର୍ବ ପ୍ରୟୋଗ । ଗୀତିକବିତା ଓ ଗାଥା କବିତା ସୃଷ୍ଟି କରିବାରେ ରାଧାମୋହନ ସିଦ୍ଧି ଅର୍ଜନ କରିଛନ୍ତି । ଜାତୀୟବାଦୀ କବି ରାଧାମୋହନଙ୍କ କାବ୍ୟକବିତା ମାନବିକ ସ୍ଵାଭିମାନ ଓ ନିର୍ଭୀକ ପଣିଆର ବାସ୍ତବ ଇସ୍ତାହାର । ସତରେ ସେ ଥିଲେ ଶବ୍ଦ ଓ ଭାବର ଯାଦୁକର । ଗଡ଼ନାୟକ କୋମଳ ଅଥଚ ପ୍ରଭାବଶାଳୀ ଶବ୍ଦ ବ୍ୟବହାର କରି କବିତାକୁ ଲାଳିତ୍ୟମୟ କରିଯାଇଛନ୍ତି । କବିଙ୍କ ଉକ୍ତି ଭିତରେ କାବ୍ୟଭାବନା ପ୍ରକଟିତ-

 

‘‘କବି ହେବା ପାଇଁ ବାସନା ମୋର

ଦିବସ ରାତିରେ ଦିବସ ରାତି

ମୁଗ୍ଧ କିଶୋର ଅଳିଟି ପରି

ଅନ୍ତର ତଳେ ଆବେଗଧରି

ଉଠଇ ମାତିରେ ଉଠଇ ମାତି ।’’

 

ରାଧାମୋହନଙ୍କ ସାରସ୍ଵତ କୃତିରେ ଓଡ଼ିଆ ସାହିତ୍ୟ ସୁଶୋଭିତ । ବିପ୍ଳବୀ ରାଧାନାଥ କାବ୍ୟ ନାୟିକା, ଉତ୍କଳିକା, ସ୍ମରଣିକା, ମୌସୁମୀ, ପଶୁପକ୍ଷୀର କାବ୍ୟ, ଧୂସର ଭୂମିକା, ଶାମୁକାର ସ୍ୱପ, ସୂର୍ଯ୍ୟ ଓ ଅନ୍ଧକାର, ଦୀପଶିଖା, କୈଶୋରିକା, ବନରାଜି ନୀଳା, ହିମାଚଳ, ଗାନ୍ଧିଗାଥା, ପ୍ରଭୃତି କାବ୍ୟ-କବିତା, କାଳିଦାସ କାବ୍ୟନାଟିକା, ମେଘଦୂତ, କୁମାର ସମ୍ଭବ, ସୋରାବ ଓ ରୋସ୍ତମ ଅନୁବାଦ, କୁନ୍ତଳାକୁମାରୀ ସଂପାଦନା ଗ୍ରନ୍ଥ ପ୍ରଭୃତି ରାଧାମୋହନଙ୍କ ସାରସ୍ଵତ ନିଷ୍ଠାର ସୂଚନା ମାତ୍ର ।

 

ସବୁଜ ଯୁଗର ସମକାଳୀନ କବି ରାଧାମୋହନ ଗଡ଼ନାୟକ ଥିଲେ ସବୁଜ ଯୁଗର ବ୍ୟତିକ୍ରମ । ମାଟି ଓ ମଣିଷଠାରୁ ଦୂରେଇ ଯିବାକୁ ସ୍ୱପ୍ନ ସେ ଦେଖି ନାହାନ୍ତି । ବରଂ ଏଇ ଧରଣୀର, ଏଇ ପାଣି ପବନର, ଏଇ ମଣିଷର କଥା କହିବା ପାଇଁ ସେ କବିତା ଲେଖିଛନ୍ତି । କବି ରାଧାମୋହନ ଉତ୍କଳୀୟ, ଭାରତୀୟ ଚେତନାର ଯଥାର୍ଥ ବାର୍ତ୍ତାବହ । ଜାତୀୟ ଚେତନାରେ ସେ ଅନୁପ୍ରାଣିତ । ଭାରତ ତଥା ଓଡ଼ିଶା ମାଟିର ଅମର ସନ୍ତାନମାନଙ୍କୁ ନେଇ ସେ ସେଥିପାଇଁ ଲେଖିଛନ୍ତି ବୀର ରାଣୀ ଶୁକଦେଇ, ବଢ଼େଇ ପିଲା, ବାଇମୁଣ୍ଡି, ଚାଖି ଖୁଣ୍ଟିଆ, ଉଦ୍ଦାମ ସିଂହ, ଜୟଗାନ୍ଧୀ, ସେନାନୀ ସୁବାସ ପ୍ରଭୃତି ରାଶି ରାଶି କବିତା । ଏହି ସବୁ ରଚନାରେ ଜନ୍ମଭୂମି ଓ ଦେଶଭକ୍ତଙ୍କ ପାଇଁ କବିଙ୍କ ବ୍ୟାକୁଳତା ମର୍ମସ୍ପର୍ଶୀ । ଗାଥା କବିତା ଧାରାକୁ ବିସ୍ତାରିତ କରି ଜନପ୍ରିୟତା ସୃଷ୍ଟି କରିବାରେ ତାଙ୍କ ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ । ରାଧାମୋହନ ଜଣେ ବିପ୍ଳବୀ । ସମାଜରେ ପରିବର୍ତ୍ତନ ପାଇଁ ତାଙ୍କ ଦୃଷ୍ଟି ଦର୍ଶନରେ ରହିଛି ନୂତନତା ‘‘ଶ୍ରୀୟା ଚାଣ୍ଡାଳୁଣୀ, ଏକଲବ୍ୟ, ଶମ୍ଭୁକ, ଶ୍ରମଣା ପ୍ରଭୃତି ଚରିତ୍ରମାନେ ସାମାଜିକ ପରିବର୍ତ୍ତନ ପାଇଁ କବିଙ୍କର ଚରିତ୍ର ହୋଇଯାଇଛନ୍ତି । କବିଙ୍କ ଉକ୍ତି ଭିତରେ ଏହି ସତ୍ୟ ସୂଚିତ । ‘‘ଜୀବନରେ ଘଟନାର ଘଟା ଆସିଛି ବହୁତ । ଆନନ୍ଦରେ ହସିଚି, ଦୁଃଖ ଦୈନ୍ୟରେ କାନ୍ଦିଚି, ଅଭାବର ତୀବ୍ର କଶାଘାତ ସହିଚି, ହୃଦୟ ଦେଇ ହୃଦୟ ପାଇଚି, ପ୍ରଣୟ ଦେଇ ପ୍ରତିଦାନ ପାଇଛି-କମି ପ୍ରତାରଣା ମଧ୍ୟ ପାଇନାହିଁ ବଞ୍ଚିତ ଲାଞ୍ଛିତ ଅବହେଳିତ ଅପାଙ୍‌କ୍ତେୟ ମଣିଷ ପାଇଁ ଚିନ୍ତା କରିଚି, ଅଶ୍ରୁ ଦେଇଚି, ବିପ୍ଳବରେ ଯୋଗଦେଇଛି । କିନ୍ତୁ ତା ଭିତରେ ଦୁଇଟି ବିଭାବ ମୋ ଆଖିରେ ବଡ଼ । ଗୋଟିଏ ପ୍ରେମରେ ବିପ୍ଳବ ଆରଟି ବିପ୍ଳବରେ ପ୍ରେମ, ଏହାରି ଅନୁପ୍ରାଣତାରେ ମୁଁ ଲେଖିଚି ମୋର କାବ୍ୟ କବିତା ବିଭୋର ହୋଇ । ତଥାପି ମୁଁ ସଚେତ ରହିଚି’’ । (ମୁଁ କାହିଁକି ଲେଖେ)

 

ରାଧାମୋହନ ପ୍ରକୃତିର କବି । ପ୍ରକୃତି ହିଁ ଅପରୂପ ଲାଭ କରିଛି କବିତା ପୂର୍ଣ୍ଣିମା, ସ୍ପର୍ଶ, ଅୟିପୃଥ୍ଵୀ, କନିଅର ଫୁଲ, ମାଟି ପ୍ରଭୃତିରେ । ପ୍ରକୃତିକୁ ସେ ଜୀବନ୍ତ କରି ଗଢ଼ିତୋଳିଛନ୍ତି । ପ୍ରକୃତିର ସୁରକ୍ଷା ପାଇଁ ତାଙ୍କର ଆବେଦନ ମାର୍ମିକ । ସେ ପୁଣି ପ୍ରେମ ଓ ପ୍ରଣୟର ସାର୍ଥକ ରୂପକାର । ପୃଥ୍ୱୀରାଜ ପ୍ରତି ସଂଯୁକ୍ତା, ପିଙ୍ଗଳାର ଅଭିସାର, ବିବିଖାନୁନ୍‌ ଓ ଶିଳ୍ପୀ ବସନ୍ତ ସଖୀ ପ୍ରଭୃତି କବିତାରେ ପ୍ରେମର ଯଥାର୍ଥ ରୂପାୟନ ଘଟିଛି । କବି ଗଡ଼ନାୟକ ରହସ୍ୟବାଦର ସଫଳ ପ୍ରୟୋଗ କରିଛନ୍ତି ତାଙ୍କ କବିତାରେ । ମାନବେତରଙ୍କ ପ୍ରତି ସମ୍ବେଦନା ପ୍ରକଟିତ ହୋଇଛି ତାଙ୍କ ସୃଷ୍ଟି ସଂପଦରେ । ଅନୁବାଦକ ଭାବରେ ମଧ୍ୟ ରାଧାମୋହନ ସୁପରିଚିତ । ସମ୍ପାଦନା କ୍ଷେତ୍ରରେ ତାଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । ‘ଏକଚକ୍ର’ ନାମକ ମାସିକ ସାହିତ୍ୟ ପତ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପାତ୍ର ‘କୋଣାର୍କ’ ସମ୍ପାଦନା କରି ସ୍ଵକୀୟ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ସାରସ୍ଵତ ସଂଗଠନରେ ରାଧାମୋହନଙ୍କ ପଦକ୍ଷେପ ଥିଲା ଅନନ୍ୟ । ଓଡ଼ିଶାର ପ୍ରାଚୀନତମ ସାରସ୍ଵତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ପଦ ସେ ମଣ୍ଡନ କରିଥିଲେ ।

 

ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ ସାରସ୍ଵତ ସୃଷ୍ଟିର ଆବେଦନରେ ଓଡ଼ିଆ ପାଠକ ସମାଜ ଚମତ୍କୃତ ହୋଇଛି । ତାଙ୍କ ଦୀର୍ଘ ସାରସ୍ଵତଯାତ୍ରାରେ ଓଡ଼ିଆ ସାହିତ୍ୟ ବିଭିନ୍ନ ଦିଗରୁ ଉପକୃତ ହୋଇଛି । ସମସାମୟିକ କବିମାନଙ୍କ ଭିତରେ ରାଧାମୋହନ ନିଜସ୍ଵ ପ୍ରତିଭା ପାଇଁ ବାରି ହୋଇପଡ଼ିଛି । ସେ ଥିଲେ ଅଗଣିତ ଓଡ଼ିଆଙ୍କର ପ୍ରିୟକବି । ନିଜ ରଚିତ କାବ୍ୟ/କବିତାକୁ ଓଡ଼ିଆ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମାତ୍ରାଛନ୍ଦର ସୁନ୍ଦର ବ୍ୟବହାର, ମଧୁର ଶବ୍ଦାବଳୀର ପ୍ରୟୋଗ, ରୁଚିପୂର୍ଣ୍ଣ କଥାବସ୍ତୁ ନିର୍ବାଚନ କରି ରାଧାମୋହନ ଅବିସ୍ମରଣୀୟ ହୋଇଛନ୍ତି ।

 

ଦୁଇ

 

ବରେଣ୍ୟ କବି ରାଧାମୋହନ ଗଡ଼ନାୟକ ଥିଲେ ‘କୋଣାର୍କ’ର ସୁଯୋଗ୍ୟ ସମ୍ପାଦକ । ତାଙ୍କ ସଂପାଦନାରେ ପ୍ରକାଶିତ ହୋଇଛି ‘କୋଣାର୍କ’ର କେତୋଟି ମୂଲ୍ୟବାନ ସଂଖ୍ୟା । ରାଧାମୋହନ ‘କୋଣାର୍କ’ ପତ୍ରିକାକୁ ଦେଇଥିଲେ ନୂତନ ଦିଗ୍‌ଦର୍ଶନ । ‘କୋଣାର୍କ’ର ବିଭିନ୍ନ ସଂଖ୍ୟାରେ ସମ୍ପାଦକୀୟରେ ଯୁକ୍ତିନିଷ୍ଠତା, ଭାବପ୍ରକାଶରେ ସରସ ଆବେଗ, ସରଳ ଭାଷା ଶୈଳୀ ଲକ୍ଷ୍ୟ କରାଯାଏ ।

 

‘କୋଣାର୍କ’ର ୧୬୪ତମ ସଂଖ୍ୟା ଏହି ପ୍ରତିଭାଧର ସାରସ୍ଵତ ସାଧକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମ୍ପାଦନା କରାଯାଇଛି । ଏହି ସଂଖ୍ୟାରେ ରାଧାମୋହନଙ୍କ ସାରସ୍ଵତ ସୃଷ୍ଟି ସଂପଦର ମୂଲ୍ୟାୟନ କରାଯିବା ସହ କାବ୍ୟ/କବିତାର ସମୀକ୍ଷା କରାଯାଇଛି ।

 

ତାଙ୍କ ପ୍ରିୟ ପତ୍ରିକା ‘କୋଣାର୍କ’ ମାଧ୍ୟମରେ ରାଧାମୋହନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ଏହା ଏକ ଅପୂର୍ବ ସୁଯୋଗ ।

 

ଧୂଳିମାଟିର ସନ୍ତାନ କବି ରାଧାମୋହନ ଗଡ଼ନାୟକଙ୍କୁ ସଶ୍ରଦ୍ଧ ପ୍ରଣାମ, ପ୍ରଣାମ ।

 

 

ସମ୍ପାଦକ ମଣ୍ଡଳୀ ପକ୍ଷରୁ

ବିଜୟା ନନ୍ଦ ସିଂହ

 

***

 

ମୁଁ କି ହୋଇଥିବି ରାଧାମୋହନ ?

ପବିତ୍ର ମୋହନ ନାୟକ

 

ମୁଁ ଯେ ସମର ପଥର ଯାତ୍ରୀ ମୋର ହାତେ ଅଛି ଖର ଶାୟକ

ମୁଁ କି ହୋଇଥିବି ରାଧାମୋହନ ଆଉ ହେବି ନାହିଁ ଗଡ଼ନାୟକ ?

 

କବି ରାଧାମୋହନ ଗଡ଼ନାୟକଙ୍କ କାବ୍ୟଜୀବନ ଏ ପ୍ରଶ୍ନର ଏକ ଉଦାତ୍ତ ଉତ୍ତର । ତାଙ୍କ କବିତାରେ ଆମେ ଯୁଗପତ୍‌ ଦୁଇଟି ସ୍ଵର ଶୁଣିବାକୁ ପାଉଁ । ଗୋଟିଏରେ ମଳୟ ମଦିରା, ଅନ୍ୟଟିରେ ନିଦାଘର ନିର୍ମମ ଉଷ୍ଣତା । ଗୋଟିଏରେ ମାଳତୀ ଫୁଲ, ଜୋଛନା, ଚୋରା ଚଇତାଳି, ପତିତ, ଦଳିତ, ମଥିତ ପ୍ରତି ଆତ୍ମୀୟତା, ଅନ୍ୟଟିରେ ରକ୍ତବିପ୍ଳବର, ବହ୍ନିର ଲେଲିହାନ ଶିଖା । ଗୋଟିଏରେ ପ୍ରକୃତିଚ ଚାରୁଚିତ୍ରପଟ, ସରଳ ଗ୍ରାମ୍ୟ ଜୀବନର ମଧୁର ସ୍ମୃତି, ବିଲବନ ପ୍ରାନ୍ତରର ସ୍ନିଗ୍ଧ ମୁଗ୍ଧ ରୂପ, ଅନ୍ୟଟିରେ ହତାଶା ଓ ହଳାହଳ, ଅଭିମାନ ଓ ଅଭିଯାନ, ସଂଘର୍ଷ ଓ ସଂଗ୍ରାମର ରେରେକାର ।

 

ରାଜପ୍ରାସାଦର ଐଶ୍ଵର୍ଯ୍ୟ ଭିତରେ ବି ଗଡ଼ନାୟକଙ୍କ ଗଜପତି ବାଉଁଶ ବଇଁଶୀ ଧରି କୈଶୋରର ସଜଳ ସ୍ମୃତିକୁ ମୁଗ୍ଧ ମଧୁର ଗାନରେ ସାଇତି ରଖିଛନ୍ତି । ରୂପହୀନ ହେଲେ ବି ତା’ ହୃଦୟରେ ଯୌବନର ଜୁଆର ଉଠିଛି । ମଳୟ ତା ରକ୍ତରେ ନିଆଁ ଜାଳିଛି : ‘ମୋ ଦେହେ ନାହିଁ ସିନା ରୂପର ମାଦକତା ଅଛି ତ ଭରା ଯଉବନ ବୁକୁର ତଳେ ତଳେ ସପନ କଳପନା ଉଠଇ ଜାଗି ଘନଘନ’ (କାବ୍ୟ ନାୟିକା) । ଇତର ପ୍ରତି ଏ ସମ୍ବେଦନଶୀଳତା ତାଙ୍କ କବିତାକୁ ଦେଇଛି ଏକ ସରଳ, ନୈର୍ବ୍ୟକ୍ତିକ ସାର୍ବଜନୀନ ଆବେଦନ । ତାଙ୍କ ଉଦ୍ୟାନରେ ମଧୁସୂଦନଙ୍କ ଶତଦଳ ନାହିଁ ଯେ ଆତ୍ମାର ଅନୁଚିନ୍ତା ଆଣିଦେବ, କୁନ୍ତଳା କୁମାରୀଙ୍କ ଶେଫାଳି ନାହିଁ ଯେ ମନକୁ ମୃତ୍ୟୁଚେତନାରେ ଆଚ୍ଛନ୍ନ କରିଦେବ । ଏଇଠି ଫୁଟେ ଘାସଫୁଲ, ପଦଦଳିତ, ବିମଥିତ ଘାସଫୁଲ ଯେ କେବେ ଶୁଣିନି ମିଳିନ୍ଦର ମଧୁର ଗୁଞ୍ଜନ, ଯେ କେବେ ଦେବତାର ମଥାରେ ଅଥବା ନବବଧୂର କୃଷ୍ଣକବରୀରେ ଶୋଭା ପାଇନି । ତଥାପି ଲକ୍ଷପାଦର ଧୂଳି ବୋଳି ହୋଇ କୃତକୃତ୍ୟ ହୋଇଛି । କନିଅର ଶୀତ ସକାଳର ଶିଶିର ବିନ୍ଦୁରେ ହସି ଉଠିଛି, ୱାର୍ଡ଼ସ୍‌ୱାର୍ଥଙ୍କ ଡେଜି ଭଳି । ହେରିକ୍‌ଙ୍କ ଡେଫୋଡିଲ୍‌ସ୍‌ ଭଳି : ‘‘ହେମ ଗୌର ତନୁଟି ଢଳଢଳ/ଉଷା ଶିଶିର ସ୍ନାହାନେ ଛଳଛଳ/ଖରା ବଇଶାଖ ତାପେ ସିଝି ସିଝି/ଝରଝର ବରଷାରେ ଭିଜି ଭିଜି/ଭରା ମାଘମାସ ଶୀତେ ଥରିଥରି/ସିଏ ସବୁଦିନେ ଉଭା ସେହିପରି ।’’ ତଥାପି କବି ହୃଦୟରେ ଅଲିଭା ଛାପଟିଏ ଛାଡ଼ିଯାଇଛି । ଶୃଙ୍ଖଳିତ ଉଦ୍ୟାନ ଶିରୀର କୃତ୍ରିମତା ଏଇଠି କାବ୍ୟର ମର୍ଯ୍ୟାଦା ପାଇନି । ପାଇଛି ଅଯତ୍ନବର୍ଦ୍ଧିତ ବନଫୁଲର ବିକ୍ଷିପ୍ତ ବିଶୃଙ୍ଖଳା-। ଏଇଠି ଜଳଦର ମନ୍ଦ୍ରନାଦରେ ଆକାଶ ଦୁଲୁକି ଉଠିଛି । ମରୁତର ଛନ୍ଦରେ, ଛଇଳ ଚପଳ ନଈର କୁଳୁ କୁଳୁ ସଙ୍ଗୀତରେ, ତାଳବନତଳ ଗୋଷ୍ଠବିହାରୀ ଧେନୁପଲର ହମ୍ବା ରାବରେ, ଗୋପାଳ ପୁଅର ଧୀରମୂର୍ଚ୍ଛିତ ବେଣୁସ୍ଵନରେ, କୁହୁକେକୀ କଳକାକଳି ଭରା କାନନ ବୀଥିକାରେ, ପର୍ଣ୍ଣେ ପର୍ଣ୍ଣେ ସ୍ଵର୍ଣ୍ଣ ବର୍ଣ୍ଣେ ଅରୁଣ କିରଣର ଆଭାରେ, ଜଳବର୍ଷିତ ହଳକର୍ଷିତ ମାଟିର ସୁରଭିରେ, ପଲ୍ଲବର ମର୍ମରେ ପଲ୍ଲୀଜୀବନ ସଙ୍ଗୀତମୟ, ମଧୁମୟ ହୋଇଉଠିଛି । କବି ତେଣୁ ବିପଥଗାମୀ ମାଟିର ମଣିଷକୁ ଆହ୍ୱାନ କରିଛି ଭିଟାମାଟିକୁ ଫେରି ଆସିବାକୁ : ‘‘ଯନ୍ତ୍ର ତୋତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ/ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ/ମଥା ତୋଳି ସେହି ଯନ୍ତ୍ରମାନବ ରୁଦ୍ର ଦାନବ ପରି/ଛିଡ଼ା ହୋଇଅଛି ଚାରିପାଶେ ତାର ଲୁହାର ଫଉଜ ଧରି/ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ/ନିଃଶ୍ୱାସ ଧୂମ ଉଚ୍ଛ୍ୱାସ ତାର ଛାଡ଼ଇ ମୌନ ନଭେ/ଦେଖି ପାରୁନୁ କି ତୁ ରେ/ଚିହ୍ନି ପାରୁନୁ ବହ୍ନିଶିଖା ଯେ ଜଳୁଛି ତାହାରି ମୂଳେ !’’ (କାବ୍ୟନାୟିକା)

 

କିନ୍ତୁ ଗଡ଼ନାୟକ କେବଳ ରାଧାମୋହନ ନ ଥିଲେ । କଳ୍ପନାର କୁଞ୍ଜବନରେ ବସି ଏ କବି ସ୍ଵପ୍ନର ପ୍ରଣୟର, ଉଚ୍ଛଳ ଯୌବନର କବିତା ଲେଖି ନ ଥିଲେ । ସେ ଥିଲେ ଧୂସର ପଥର ଯାତ୍ରୀ । ତାଙ୍କ କବିତା ଥିଲା ସ୍ଵପ୍ନ ଓ ବାସ୍ତବତାର ଛାୟାଚନ୍ଦ୍ରିକା । ଗାନ୍ଧିବାଦ, ମାକ୍ସୀୟ ଓ ଫ୍ରଏଡ଼ୀୟ ଅନୁଚିନ୍ତା, ପ୍ରଗତିଶୀଳ ସାହିତ୍ୟର ଧରା ଓ ଧାରା ତାଙ୍କୁ ପ୍ରଭାବିତ କରିଥିଲା । ଭୁବନାନନ୍ଦ ଦାସ, ରାମକୃଷ୍ଣ ପତି, ରାମପ୍ରସାଦ ସିଂ, ସଚ୍ଚିରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ରଙ୍କ ସାମ୍ୟବାଦୀ ସ୍ଵର ତାଙ୍କ କବିତାରେ ଝଙ୍କାର ତୋଳିଥିଲା । ‘‘ବନରାଜିନୀଳା’ର କବି ଯେ ବାଘସିଂହ ବଂଶର ଦାୟାଦ ତାହା ଭୁଲି ନ ଥିଲେ । ସେ ଯେ ବାଣଚାଳନାରୁ ବାଣୀ ଉପାସନା କରିଥିଲେ ଭୁଲି ନ ଥିଲେ । ତେଣୁ ଆମେ ତାଙ୍କ କବିତାରେ ଜୀବନର ଗଭୀରତା ଓ ବ୍ୟାପକତାର ସ୍ପର୍ଶ ପାଉଁ ।

 

ଗଡ଼ନାୟକଙ୍କ କବିତାରେ ପ୍ରକୃତିର ଚାରୁ ଚିତ୍ର କେବଳ ନାହିଁ, ବିଲବନ ପ୍ରାନ୍ତର କୁସୁମ ଜୋଛନାଭରା ଗ୍ରାମ୍ୟ ଜୀବନର ମଧୁର ସ୍ମୃତି କେବଳ ନାହିଁ । ଦୈନ୍ୟନିପୀଡ଼ିତ ଜୀବନର ବିକ୍ଷୁବ୍ଧ, ବିଦଗ୍ଧ ଚିତ୍ର ଅଛି । ତେଣୁ ସେ ପଣ୍ଡିତ ଦାଶରଥି ମିଶ୍ର, ପଣ୍ଡିତ ଗୋପୀନାଥ ନନ୍ଦ, ପଣ୍ଡିତ ଚନ୍ଦ୍ରଶେଖର ନନ୍ଦ, ବିଚ୍ଛନ୍ଦ ପଟ୍ଟନାୟକ, ଜ୍ଞାନୀନ୍ଦ୍ର ବର୍ମା, ଗୋପାଳ କାନୁନ୍‌ଗୋ, ହରିକୃଷ୍ଣ ପ୍ରଧାନ ଅଥବା ଜାନକୀବଲ୍ଲଭ ମହାନ୍ତିଙ୍କ ଭଳି ମେଘଦୂତମ୍‌ର ଅନୁବାଦ କେବଳ କରି ନାହାଁନ୍ତି, ମେଥ୍ୟୁ ଆର୍‌ନଲ୍‌ଡ଼ଙ୍କ ବେଦନାମଥିତ କରୁଣ କାହାଣୀ ସୋରାବ୍‌ ଓ ରୁସ୍ତମ୍‌ର ଭାବାନୁବାଦ ବି କରିଛନ୍ତି । ଗଡ଼ନାୟକଙ୍କ କବିତାରେ ଆକାଶ ଅଛି । ବତାସ ବି ଅଛି । ସମର ଭିତରେ ଜୀବନ ଅଛି, ପୁଣି ଜୀବନ ଭିତରେ ରଣଦୁନ୍ଦୁଭି ବାଜି ଉଠିଛି । ତାଙ୍କ ବିପ୍ଳବରେ ପ୍ରଣୟ ଅଛି, ପ୍ରଣୟରେ ବିପ୍ଳବର ବହି ବି ଜଳିଉଠିଛି । ମାନସିଂଙ୍କ ବ୍ୟକ୍ତିଗତ ରୋମାଣ୍ଟିକ୍‌ ଚେତନା ସବୁଜଗୋଷ୍ଠୀର ସ୍ଵପ୍ନସଞ୍ଚାରୀ ମାନସିକତାରୁ କବି ଦୂରତ୍ୱ ରକ୍ଷା କରିଛନ୍ତି । ସ୍ଵପ୍ନ ତାଙ୍କୁ ପଥହରା କରିନି, ବାସ୍ତବତାକୁ ସଞ୍ଜୀବିତ କରିଛି । ‘‘ୟାରବାଡ଼ା କାରାବାସେ’’ର ରବୀନ୍ଦ୍ରଙ୍କ କଳ୍ପନାବିଳାସ ଓ ଗାନ୍ଧିଙ୍କ ରୁକ୍ଷ ବାସ୍ତବତାର ମିଳନ ଭୂମି ତାଙ୍କ କବିତା । ବାସ୍ତବତାର ଅନୁରଣନରେ ତାଙ୍କ କଳାତ୍ମକତା ଶିଳ୍ପସଙ୍ଗତ ହୋଇଛି । ପପିହାର ଜୀବନ ରକ୍ତରେ ତାଙ୍କ କବିତ୍ୱର ଧୂସର ଗୋଲାପ ନାଲି ଟୁକୁଟୁକୁ ହୋଇଯାଇଛି । (ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଅଜୟ କୁମାର ମିଶ୍ର ତାଙ୍କ ପିଏଚ୍‌.ଡି. ସନ୍ଦର୍ଭରେ ଓସ୍କାର ୱାଇଲ୍‌ଡ଼ଙ୍କ ‘‘ନାଇଟିଙ୍ଗେଲ୍‌ ଆଣ୍ଡ ଦ ରୋଜ୍‌’’ ଗଳ୍ପକୁ ‘‘ରୋଜ୍‌ ଆଣ୍ଡ ଦ ନାଇଟିଙ୍ଗେଲ୍‌’’ କବିତା ବୋଲି ଲେଖିଛନ୍ତି ।) ତାଙ୍କ ହେମନ୍ତ କୁମାର କାଠଯୋଡ଼ିର କ୍ଷିପ୍ର ସ୍ରୋତରୁ ପିଲାଟିକୁ ରକ୍ଷା କରିଛି ସତ, କିନ୍ତୁ ନିଜେ ଭାସିଯାଇଛି ମୃତ୍ୟୁ ଭିତରକୁ ଡେଇଁପଡ଼ି ମୃତ୍ୟୁକୁ ଜୟ କରିଛି । ବାରଶ ବଢ଼େଇର ଦାୟ ପାଇଁ ବିଶୁ ମହାରଣା ପୁଅକୁ ମରଣ ମୁହିଁକୁ ଠେଲିଦେଇଛି । କେଉଁଠି ଭାଇ ଭାଇ ପାଇଁ ପୂର୍ଣ୍ଣଗର୍ଭା ବେଗବତୀରେ ଝାମ୍ପ ଦେଇଛି ତ ଆଉ କେଉଁଠି ଦାରୋଗ୍ରାର ଲାଠି ପାଇ ବି ମଦନ ଜେନା ତାକୁ ସୁଅରୁ ଟାଣିଆଣିଛି । ଜୀବନ୍ୟାସ ଦେଇଛି । କେଉଁଠି ଗୋପବନ୍ଧୁ ଶହ ଶହ ବନ୍ୟା ବିପନ୍ନ ଜୀବନକୁ ହାତ ବଢ଼ାଇ ଉଦ୍ଧାର କରିଛନ୍ତି ତ ଏଆଡ଼େ ନିଜ ପୁଅକୁ ହରାଇଛନ୍ତି : ‘‘ଗୃହର ଜୀବନ ପରିଧିରେ ରଚି ସମ୍ମୋହ କାରାପୁରୀ/ବାହାରେ ଅଛି ଯେ ବିପୁଳ ଜୀବନ ମୁଁ ତ ନ ପାରିବି ଭୁଲି/ଏକର ସକାଶେ ଅନେକର ଡାକ ମୁଁ ତ ନ ପାରିବି ଏଡ଼ି/ଛନ୍ଦ ନା ଏବେ ଚରଣେ ମୋହର ଅନ୍ଧ ମମତା ବେଡ଼ି/ଦିଅ ଛାଡ଼ିଦିଅ ମୋତେ/ଚାଲିଯାଏ ଆଜି ଚାଲିଯାଏ ମୁହିଁ ବିଶ୍ୱଜୀବନ ପଥେ ।’’ କେଉଁଠି ବୁଭୁକ୍ଷୁ ସନାତନ ଖୁଦଗଣ୍ଡାକ ମା’ ପାଇଁ ନେଉ ନେଉ ଭୋକଜ୍ୱାଳାରେ ଟଳିପଡ଼ିଛି ତ ଆଉ କେଉଁଠି କୋଟନିସ୍‌ ଜାପାନର ନିର୍ମମ ବୋମାମାଡ଼ରେ ଆହତ ଚୀନା ସୈନିକର ସେବା କରୁକରୁ ଶୋଇ ଯାଇଛି । କବିଙ୍କ ଭାଷାରେ, ‘‘କିଏ ସେ କହୁଛି ମରିଗଲା ବୋଲି, ମୁଁ କହୁଛି ସେ ତ ମରି ନାହିଁ ।’

 

ଗଡ଼ନାୟକଙ୍କ କବିତାରେ ନାରୀ ଅବଳା ନୁହଁ । ଅସୂର୍ଯ୍ୟଂପଶ୍ୟା ନୁହଁ । ଯଦିଓ ବେଳେବେଳେ ନାରୀର କୋମଳ ହୃଦୟ ତା ଭାବନାକୁ ଆଚ୍ଛନ୍ନ କରିଦେଇଛି । କୃଷ୍ଣ ବିରହରେ ଗୋପବାଳା ନୀରବରେ ଲୁହ ଝରାଇଛି : ‘‘ଫୁଟ ନାହିଁ ଆଉ କାନ୍ତ କଳିକା ମଉଳି ପଡ଼ ଗୋ ଖରେ/ହସ ନାହିଁ ଆଉ ସୁଷମ କୁସୁମ ଝରିପଡ଼ି ଭୂମି ପରେ କୁହୁ ଗୀତ ଆଉ ଗାଅ ନାହିଁ ପିକ ଉଡ଼ିଯାଅ ଏଥୁ ଦୂରେ/ ଗୋପଭୂଷଣ ତ ରହିଲେଣି ଯାଇ ସୁଦୂର ମଥୁରାପୁରେ ।’’ ରବୀନ୍ଦ୍ର ଓ ମଧୁସୂଦନଙ୍କ ପତିତା ଭଳି ବୈକୁଣ୍ଠ ପଟ୍ଟନାୟକଙ୍କ ଅମ୍ବାପଲ୍ଲୀ ଭଳି ଏଇଠି ସହସ୍ରଶଯ୍ୟାର ନାୟିକା ପିଙ୍ଗଳା ତା ମହାର୍ହ ମୁକ୍ତାମାଳା ଫିଙ୍ଗିଦେଇ ସନ୍ନ୍ୟାସିନୀ ସାଜିଛି : ‘‘ନ ଆସିବ ଆଉ ରସିକ ନାଗର ନ ଆସିବ ମୋର ପୁରେ/ବାରବଧୂ ମୁହିଁ ପିଙ୍ଗଳା ଆଜି ଚାଲିଯାଉଅଛି ଦୂରେ ଫୁଲଶେଯ ଆଉ ଶେଯାଇବି ନାହିଁ ନିତି ରାତିସାରା ବସି/କେଳି-ଦୀପ ଆଉ ଜାଳିବି ନାହିଁ ମୁଁ ଶୂନ୍ୟ ସୁଆଗେ ରସି/ X X ଲୋଡ଼ା ନାହିଁ ମୋର ଧନସଂପଦ ମଣିକାଞ୍ଚନମାଳା/ଲୋଡ଼ା ନାହିଁ ମୋର ବିଳାସ- କୁଂଜ ଏ ଚାରୁ ଚିତ୍ରଶାଳା ।’’ ପତିତା ପିଙ୍ଗଳାର ଏ ବିଦାୟକାଳୀନ ନିବେଦନ ଏତେ ମର୍ମସ୍ପର୍ଶୀ ହୋଇଛି ଯେ ତା ବୈରାଗ୍ୟର ସଂକଳ୍ପ ସୁଦ୍ଧା ଫିକା ପଡ଼ିଯାଇଛି । ଆତ୍ମ-ଗ୍ଳାନି ଆଗରେ ଆତ୍ମ- ଜ୍ଞାନ ହାରମାନିଛି-। ସନ୍ନ୍ୟାସିନୀର କଠୋର ବ୍ରତାଚାର ଆଗରେ ଜୀବନ ଯୌବନ କେତେ ରଙ୍ଗୀନ୍‌ ଦିଶିଛି ସତେ ! ଦେହ ଦେହାତୀତକୁ ଧିକ୍କାର କରିଛି । ଗୈରବ ଜୀବନର ନିଷ୍ଠୁର ବାସ୍ତବତା ଉପରେ ପ୍ରଣୟବିଳାସ ବିଜୟ ଘୋଷଣା କରିଛି ।

 

ତଥାପି ଗଡ଼ନାୟକଙ୍କ ନାୟିକା ବିଳାସିନୀ ନୁହଁ । ତା ହୋଇଥିଲେ ରଣପୁର ଯୁବରାଣୀ ଅଭିସାର ଛାଡ଼ି ଅଭିଯାନ ଚଳାଇ ନ ଥାନ୍ତା । ନବବଧୂର ଅଲକ୍ତକର ରକ୍ତରାଗ ମହଳଣ ନ ପଡ଼ୁଣୁ ନବାବ ଫଉଜର ସାମ୍ନା କରି ନ ଥାନ୍ତା । ଜନ୍ମଭୂମିର ଆହ୍ୱାନରେ ସେ କେବଳ ଅଶ୍ୱଚାଳନା କରିନାହିଁ, ଅସିଚାଳନା ବି କରିଛି : ‘‘ଅଶ୍ୱବାହନେ ବସି/ଦୃପ୍ତ ସାହସେ ଶତ୍ରୁ ଗହନେ ସଞ୍ଚାଳି ପାରେ ଅସି’’ (ଉତ୍କଳିକା) । ତଥାପି ନାରୀ ହୃଦୟକୁ ନାୟିକା ସ୍ତବ୍ଧ କରି ପାରିନି । ଦ୍ରୌପଦୀ ପଞ୍ଚପୁତ୍ରର ମୃତ୍ୟୁରେ ମର୍ମାହତ ହୋଇଛନ୍ତି ସତ, କିନ୍ତୁ ଘାତକ ଅଶ୍ଵତ୍ଥାମାକୁ କ୍ଷମା କରିଦେଇଛନ୍ତି । ଆଉ ଏକ ଜନନୀ ଯେମିତି ପୁତ୍ର ବିରହରେ ବାହୁନି ନ ଉଠୁ । ବାଙ୍କୀ ରାଣୀ ଶୁକଦେଈ ସ୍ଵାମୀଙ୍କ ମୃତ୍ୟୁରେ ଶୋକାକୁଳା ହେଇଛନ୍ତି ସତ କିନ୍ତୁ ଯୁଦ୍ଧବିଜିତ ଖୋର୍ଦ୍ଧାରାଜାଙ୍କୁ ମୁକ୍ତ କରିଦେଇଛନ୍ତି । ଆଉ ଏକ ପତିପ୍ରେମ ସୋହାଗିନୀ ଯେମିତି ବୈଧବ୍ୟର ଯନ୍ତ୍ରଣା ନ ଭୋଗୁ । ଯୁଦ୍ଧ ପଳାତକ ଏକମାତ୍ର ପୁତ୍ରକୁ ବିଦୂଳା ଧିକ୍କାର କରିଛନ୍ତି । ପୁଅ ମରିଯାଉ କିନ୍ତୁ ଜନ୍ମଭୂମିର ମର୍ଯ୍ୟାଦା କ୍ଷୁବ୍ଧ ନ ହେଉ । ଏଇଠି ଜନନୀଠାରୁ ଗରୀୟସୀ ହୋଇଉଠିଛି ଜନ୍ମଭୂମି । ଆଉ କେଉଁଠି ପ୍ରଣୟ ଉପହାସ କରିଛି ମୃତ୍ୟୁକୁ । ବିବି ଖାନୁନ୍‌ ଶିଳ୍ପୀର ଯାଚଜ୍ଞା ପୂରଣ କରିଛି ତୈମୁର୍‌ ଲଙ୍ଗର ନିଷ୍କରୁଣ ଖଡ୍ଗର ଛାଇତଳେ । ଶିଳ୍ପୀକୁ ପଚାରିଛି, ତୁମେ କ’ଣ ଚାହିଁ ? ଆଉ ଶିଳ୍ପୀ କହିଛି : ‘‘ଦେଇ କି ପାରିବ ଗୋ ମନ ତଳେ ଯାହା ଜାଗୁଛି ? ଗୁଲାବ୍‌ ଗାଲେ ତବ ଗୁଲାଲ୍‌ ଚୁମାଟିଏ ମାଗୁଛି (ଧୂସର ଭୂମିକା)

 

ଗଡ଼ନାୟକଙ୍କ ଦ୍ରୌପଦୀ, ଶୁକଦେଈ ବା ବିବି ଖାନୁନ୍‌ ପୁରାଣ ବା ଇତିହାସର ଚରିତ୍ର ନୁହନ୍ତି । ସେମାନେ ସମଗ୍ର ନାରୀଜାତିର ବିଧୂରିତ ପ୍ରତିନିଧି । ବିଭୀଷଣ ଲଙ୍କାର ନୁହଁ, ଆମ ସମାଜର । ନାରୀ ନିର୍ଯାତନା ବିରୋଧରେ ଏକ ଅବଦମିତ ସ୍ଵର । ବିବେକର ସୂକ୍ଷ୍ମ ମାନବାୟିତ ରୂପ । ବିମୁଗ୍ଧ ଯଯାତି ଉଦ୍ଦାମ ଯୌବନର ଏକ ସାମୟିକ ଅନୁଚିନ୍ତା । ଦୂତିକା ଲଳିତା କୃଷ୍ଣ ଓ ଗୋପାଙ୍ଗନାଙ୍କ ମଧ୍ୟବର୍ତ୍ତିନୀ ସଂଯୋଗକାରିଣୀ ନୁହଁ । ଆତ୍ମୋତ୍ସର୍ଗର ଏକ ମୂର୍ତ୍ତ ବିଗ୍ରହ । ଶବରୀ ଶ୍ରମଣା ଅଥବା ଶ୍ରୀୟାଚାଣ୍ଡାଳୁଣୀ ଏଇଠି ଅସ୍ପୃଶ୍ୟ ରମଣୀଟିଏ ନୁହଁ । ଶତାବ୍ଦୀର ଜାତି ବିଭେଦ, ବିଦ୍ୱେଷ ବିରୋଧରେ ଏକ ବଳିଷ୍ଠ ପ୍ରତିବାଦର ସ୍ଵର । ଅହଲ୍ୟା ଏଇଠି ଗୌତମପତ୍ନୀ ନୁହନ୍ତି, ପବିତ୍ର ପାତିବ୍ରତ୍ୟର ପ୍ରମୂର୍ତ୍ତ ପ୍ରତୀକ । ଉର୍ମିଳା ଏଇଠି ଲକ୍ଷ୍ମଣଙ୍କ ସହଧର୍ମିଣୀ ନୁହନ୍ତି, ସେ ତ୍ୟାଗର, ତିତିକ୍ଷାର, ତପସ୍ୟାର ପାବନୀ ମୂର୍ତ୍ତିଟିଏ । ବିବି ଖାନୁନ ତୈମୁର ଲଙ୍ଗର ପ୍ରେୟସୀ ନୁହଁ, ପ୍ରେମର, ପ୍ରଣୟର ମୃତ୍ୟୁବିଜୟୀ ସ୍ଫୁଲିଙ୍ଗଟିଏ ।

 

ଖାଲି ଏତିକି ନୁହିଁ । ଗଡ଼ନାୟକଙ୍କ କବିତା ଜାତୀୟ ବୀରମାନଙ୍କ ଜୀବନର ଇସ୍ତାହାର । ଏଇଠି କେବଳ ଗାନ୍ଧି, ସୁଭାଷ ବୋଷ ନାହାନ୍ତି । ଅଛନ୍ତି ଉଦ୍ଦାମ ସିଂ, ମାତଙ୍ଗିନୀ ଦେବୀ, ଚାଖିଖୁଣ୍ଟିଆ । ଚାଖିଖୁଣ୍ଟିଆ ସୁଦୂର ଝାନ୍ସିରେ ମୁକ୍ତିମଶାଲ ଜାଳି ଯେତେବେଳେ ଫେରିଛି, ଓଡ଼ିଆ ଝିଅ ସ୍ଵାଗତିକା ଗାଇଛି : ନଈରେ ବାଳିଆ ଚହଟିଲା/କଜଳ ସିନ୍ଦୁର ନାଆଲୋ ରାଣ୍ଡ ପୁଣି ଚାଖିଆ ଲେଉଟିଲା/ଅନୁଗୋଳର ଶେଷ ରାଜା ସ୍ଵାଧୀନଚେତା, ସ୍ୱାଭିମାନୀ ସୋମନାଥ ଜଗଦ୍ଦେବ କୃଷ୍ଣଚକ୍ରଗଡ଼ରେ ବିଦ୍ରୋହର ଝଣ୍ଡା ଉଡ଼ାଇଛନ୍ତି । ବ୍ରିଟିଶ୍‌ ହାତରେ ପ୍ରାଣ ଦେଇଛନ୍ତି । କବି ମନରେ ଗଭୀର ଆଘାତ ଲାଗିଛି । ବିପ୍ଳବ ପାଇଁ ଆହ୍ୱାନ କରିଛି । କବି ଶେଲୀ ପଶ୍ଚିମା ପବନକୁ ବିପ୍ଳବର ଅସ୍ତ୍ର କରିଛନ୍ତି । ରବୀନ୍ଦ୍ର ‘ପୁରାତନ,କ୍ଳାନ୍ତ ବରଷେର ସର୍ବଶେଷ୍‌ ଗାନ’ ଗାଇଛନ୍ତି । ନୂତନର ଆଗମନୀ ତୋଳିଛନ୍ତି । ପଦ୍ମଚରଣ ଓ ବୈକୁଣ୍ଠ ‘‘ବୈଶାଖ’’ କବିତାରେ, ମାନସିଂ ‘‘ଦକ୍ଷିଣା ପ୍ରତି’’ରେ ବିପ୍ଳବର ଶଙ୍ଖ ଫୁଙ୍କିଛନ୍ତି । ଆଉ ଗଡ଼ନାୟକଙ୍କ ପୃଥିବୀରେ ମୌସୁମୀ ଆସିଛି ବିଦ୍ରୋହର ସ୍ଵରଝଙ୍କାର ସାଜି । ତୃଷ୍ଣାକାତର ଚାତକର କରୁଣ ବିଳାପ, ରୌଦ୍ର ଦଗ୍ଧ, ରସହୀନ ବିଦୀର୍ଣ୍ଣ ବସୁଧାର ହାହାକାର ଭିତରେ ମୌସୁମୀ ଆସିଛି ଧୂଳି ଉଡ଼ାଇ, ଗଛପତ୍ର ଦୋହଲାଇ ଦେଇ, ଜନଜୀବନକୁ ଅସ୍ତବ୍ୟସ୍ତ କରି ମୌସୁମୀ ଆସିଛି । ଝଂଜା ହୋଇ ବହିଯାଇଛି । ମହିଷମର୍ଦ୍ଦିନୀ, ସଂହାରିଣୀ ଦୁର୍ଗା ସାଜିଛି ଗଡ଼ନାୟକଙ୍କ କବିତା ଭଳି : ହେ ମୋର କବିତା, ଦୁର୍ଗା ରୂପେ ଅସ୍ତ୍ର ଘେନି ଜାଗିଉଠ ପ୍ରଳୟଦର୍ପିତା ! ଆଜାଦ୍‌ହିନ୍ଦ୍‌ ଫଉଜକୁ ଉଦ୍ଦାତ୍ତ କଣ୍ଠରେ ଆହ୍ଵାନ କରିଛି : ‘‘ଜୟ ହିନ୍ଦ୍‌, ଜୟ ହିନ୍ଦ୍‌/ସିନ୍ଧୁ ସେପାରୁ ସେନାନୀ ସୁଭାଷ ଡାକେ ଆଜାଦ୍‌ ଫଉଜ ମୃତ୍ୟୁ କବଚ ପିନ୍ଧୁ/ଜୟ ହିନ୍ଦ୍‌, ଜୟ ହିନ୍ଦ୍‌’’ (ମୌସୁମୀ) । କମାଣ ଫୁଟିଛି ‘‘ଗୁଡ଼ୁମ୍‌ ଗୁଡ଼ୁମ୍‌ ଫୁଟିଲା କମାଣ ଉଠିଲା ଅମିତ କଣ୍ଠସ୍ଵର/ଅସି ଝନ୍‌ଝନ୍‌ ଧନୁ ଟଙ୍କାର ସନ୍‌ ସନ୍‌ ସନ୍‌ ଚାଲିଲା ଶର ।’’ ଗୋଦାବରୀଶଙ୍କ ‘‘ଉଠ କଙ୍କାଳ’’ର ପ୍ରତିଧ୍ଵନି ତୋଳି କବି କହିଛି : ‘‘ରୁଦ୍ର ତାଳରେ ମହାକାଳ ଏ ଯେ ନାଚି ଉଠେ ଚାରିପାଖେ/ମୃତ୍ୟୁର କୋଳୁ ଜାଗ ମୁର୍ଦ୍ଦାର ଗଡ଼ନାୟକ ମୁଁ ଡାକେ ।’’

 

ଭାରତ ସ୍ଵାଧୀନ ହୋଇଛି । ପରାଧୀନତାର ଅନ୍ଧକାର କାଟି ସ୍ଵାଧୀନତାର ସୂର୍ଯ୍ୟ ଉଇଁଛି । ଲାଲ କିଲ୍ଲା ଉପରେ ତ୍ରିରଙ୍ଗା ପତାକା ଉଡ଼ିଛି । କିନ୍ତୁ କବିର ସ୍ଵପ୍ନ ମଉଳି ଯାଇଛି । ସ୍ୱାଧୀନତାର ମୋହଭଙ୍ଗ ଘଟିଛି । ଜଙ୍ଗଲରୁ ବାଘ ହଟିଛି କିନ୍ତୁ ମନ ଭିତରେ ବସା ବାନ୍ଧିଛି । ତେଣୁ ହୁସିଆର୍‌ : ‘‘ସାରଥି ହେ ମୋର, ସାରଥି‌ ହେ ମୋର ଚଳାଅ ରଥ/ଦେଖି ନାହିଁ ଏ ଯେ ବିଷମ ସମୟ, ବିଷମ ପଥ ।’’ ଯେଉଁଠି ପ୍ରଣୟ ବଦଳରେ ପ୍ରବଞ୍ଚନା, ତ୍ୟାଗ ବଦଳରେ ଭୋଗ, କଳା ବଦଳରେ କଳଙ୍କ ଆସ୍ଥାନ ଜମାଇଛି, ସେଇଠି ସ୍ୱାଧୀନତା ସଂଗ୍ରାମ ନିଷ୍ଫଳ ହୋଇଛି । ଗୁଳିରେ, ଗୋଳାରେ, ଫାଶିଖୁଣ୍ଟରେ କଳାରାତ୍ରିର ଅନ୍ଧକାର କାଟି ମୁକ୍ତିସୂର୍ଯ୍ୟଙ୍କୁ ଯେ ଡାକି ଆଣିଥିଲା, ସେ ଆଜି ଉହ୍ୟ ହୋଇଯାଇଛି । ସେ ତାମ୍ରସନନ୍ଦ ଗ୍ରହଣ କରିବ ନାହିଁ : ‘‘ହାତ ବଢ଼ାଇଲା ବେଳକୁ ତଥାପି ପଛକୁ ଘୂଞ୍ଚି ଆସୁଛି ମନ/କି ହେବ ଆମର ସ୍ମୃତି ସନ୍ତକ କି ହେବ ତୁମର ଦାନ ଓ ଧନ । ଆଉ ଏକ ସଂଗ୍ରାମ ଦରକାର । ଏ ତୋଷାମଦ ଓ ତୋଷାରଫ ହଟାଇବା ପାଇଁ । ଏ କ୍ଷତ ଓ କ୍ଷତିର ଭରଣା ପାଇଁ : ‘‘ଧରା ତଳେ ଆଜି ସରଗ ନାହିଁରେ ସରଗ ନାହିଁ । ନରକର ଜ୍ୱାଳା ଦିଗଦିଗନ୍ତ ଦେଉଛି ଦାହି/ସେଇ ପଥ ଧରି ସେଇ ପଥ ଧରି ଚାଲରେ ଚାଲ ଲାଲକିଲ୍ଲାରୁ ମୁକ୍ତି ଆଣିବା ଛାତି ରକ୍ତରେ ଲାଲ ।’’ ବିଦ୍ରୋହୀ କବି ସ୍ରଷ୍ଟା ଆଗରେ ଅଭିଯୋଗ ବାଢ଼ିଛି : ‘‘ଭଗବାନ, ଭଗବାନ/କେଉଁ ଦେଶେ ବସି ଦେଖିଅଛ ଆଜି ସୃଷ୍ଟିର ଆଗମନ ।’’ ନପୁଂସକ, ସୁସୁପ୍ତ ଜନତାକୁ ଆହ୍ଵାନ କରିଛି । ହାତୀ ରଣ ସିଂ ପରା ଛିନ୍ନ ପତାକା ଉଡ଼ାଇଥିଲା ! ଚୈତକ ପରା ରାଣାପ୍ରତାପଙ୍କୁ ପଥ ବଢ଼ାଇଥିଲା ! ଆଉ ତୁ : ଅର୍ଜୁନ ତୁ କାହିଁକି ସାଜିଛୁ ବୃହନ୍ନଳା ?

 

ଏଭଳି ଜଣେ ବିଦଗ୍ଧ କବି ପୁଣି ଜୀବନ ଆରମ୍ଭ କରିଥିଲେ ନକଲ୍‌ନବିସ୍‌ ହୋଇ : କବି କରୁଥାଏ କପିର କରମ ‘କ’ ଠି ଲେଖଇ ‘ବ’ । ମୁକ୍ତ ବିହଙ୍ଗ ସେ । କେତେଦିନ ଧରି ରେକର୍ଡ଼ ରୁମ୍‌ର ଚାରିକାନ୍ଥ ଭିତରେ ପଡ଼ିଥିବ ? କବି ସେ, କପିଷ୍ଟ ନୁହିଁ । କବି ହେବା ପାଇଁ ତା ମନ ବ୍ୟାକୁଳ ହୋଇଉଠିଛି । କବି ହେବା ପାଇଁ ବାସନା ଭାରି ରେ ବାସନା ଭାରି ! ତେଣୁ ବୁଲୁଛି ଡୁଡୁମାରୁ ଖଣ୍ଡାଧାର, ପ୍ରଧାନପାଟରୁ ଦେଉଳ ଝର । ଶୀତଳତା ଭିତରେ ଉଷ୍ଣତାର ଠାବ କରିଛି । ଦେଉଳ ଝର ଉଷ୍ପ ପ୍ରସ୍ରବଣ ଭଳି ତା ଦେହ ଜଳୁଛି : ‘‘ସେଇଥିପାଇଁ/ସମବେଦନାର କବିତା ଆଜି ମୁଁ ଉଠୁଛି ଗାଇ ।’’ ସମବେଦନାର କବିତା ଗାଇଛି (୧୯୫୦) ସ୍ମରଣିକାରେ, (୧୯୧୩) କୈଶୋରିକାରେ, (୧୯୪୫) ଉତ୍କଳିକାରେ, ସୂର୍ଯ୍ୟ ଓ ଅନ୍ଧକାରରେ, (୧୯୪୯) କାବ୍ୟନାୟିକାରେ, (୧୯୪୭) ନବଜାତକରେ, ମୌସୁମୀ (୧୯୫୧), (୧୯୬୦) ଧୂସର ଭୂମିକାରେ ଆଉ ଶତ ଶତ ଗାଥା କବିତା ଓ କଥା କବିତାରେ ।

 

ଆଧୁନିକ କବିତାର ବୌଦ୍ଧିକତା ହୁଏତ ତାଙ୍କଠି ନ ମିଳିପାରେ କିନ୍ତୁ କବିତାର ସୁବିସ୍ତୃତ କାନ୍‌ଭାସ୍‌ ଉପରେ ଜୀବନର ଯେଉଁ ସୁବିଶାଳ ଚିତ୍ର କବି ଆଙ୍କିଛନ୍ତି ତାହା ସାଧାରଣ ମଣିଷ ସ୍ତରରୁ ଲମ୍ବିଯାଇଛି ଅତି ମାନବୀୟ ସ୍ତରକୁ । ସ୍ମୃତିର ଫଳକରୁ ସ୍ଵାଧୀନତାର ସନନ୍ଦ ପର୍ଯ୍ୟନ୍ତ । ଜଟାୟୁରୁ ଚିତ୍ରଗ୍ରୀବ ପର୍ଯ୍ୟନ୍ତ । ଏ କବି ସଂସ୍କୃତ ପଢ଼ିଥିଲେ । ଇଂରାଜି ରୋମାଣ୍ଟିକ୍‌ କବିତା ପଢ଼ିଥିଲେ । ବଂଗଳା ସାହିତ୍ୟ ପଢ଼ିଥିଲେ । ଓଡ଼ିଆ କାବ୍ୟକବିତାର ତର୍ଜମା କରିଥିଲେ । ଇତିହାସ ଓ ମିଥ୍‌ ଅନୁଶୀଳ କରିଥିଲେ । ନ ହେଲେ ତାଙ୍କ କବିତାରେ ଜୀବନର ଏତେ ବ୍ୟାପକତା ଓ ଗଭୀରତା ନ ଥାନ୍ତା । ଗଡ଼ନାୟକଙ୍କ କବିତା ପ୍ରଣୟର ଓ ପ୍ରଳୟର କବିତା । ସ୍ଵପ୍ନର ଓ ସଂଗ୍ରାମର କବିତା । ତାଙ୍କ ସ୍ଵପ୍ନ ବାସ୍ତବତାର ଅନୁସଂଗ ଲାଭ କରି ନିଜସ୍ଵ କେନ୍ଦ୍ରର ବିଶାଳ ପରିଧିରୁ ନିଷ୍କ୍ରମଣର ପଥ ଖୋଜିଛି । କିନ୍ତୁ କକ୍ଷଚ୍ୟୁତ ହୋଇନି । ଏହି ପ୍ରସଙ୍ଗରେ ତାଙ୍କ ସଂଳାପଧର୍ମୀ ‘‘ମାଟି’’ କବିତା ମନକୁ ଆସେ । ଏ ମାଟି ପୃଥିବୀ । ଜନ୍ମଭୂମି । ଏ ମାଟି ରବୀନ୍ଦ୍ରଙ୍କ ‘‘ପୃଥିବୀ’’, ମଧୁସୂଦନଙ୍କ ‘‘ପୃଥିବୀ ପ୍ରତି’’, ବୈକୁଣ୍ଠଙ୍କ ‘‘ମାଟି’’ ଓ ମାନସିଂଙ୍କ ‘‘ଧରଣୀ ବାସ’’ ଆତ୍ମପ୍ରକାଶ କରିଛି । କିନ୍ତୁ ଗଡ଼ନାୟକଙ୍କ ମାଟିର ପୃଷ୍ଠଭୂମି ଭିନ୍ନ । ଏ ମାଟି ସାଂଖ୍ୟଦର୍ଶନର । ଏ କ୍ଷୁଦ୍ରର କବିତାର ପରିସର ଭିତରକୁ ନାଟକୀୟ ଭଙ୍ଗୀରେ ପଞ୍ଚଭୂତ ଆସିଛନ୍ତି- କ୍ଷିତି, ଅପ୍‌, ତେଜ, ମରୁତ ଓ ବ୍ୟୋମ । ସ୍ରଷ୍ଟା ଆଗରେ ଯାଚଜ୍ଞା କରିଛନ୍ତି । ବ୍ୟୋମ ସବା ଉପରେ ରହିବ । ତେଜର ପ୍ରତୀକ ସୂର୍ଯ୍ୟଚନ୍ଦ୍ର ସ୍ଵଚ୍ଛନ୍ଦରେ ବ୍ୟୋମରେ ବିଚରଣ କରିବେ । ଦିବସ ଓ ରାତ୍ରିର ଅଧିବାସ ରଚନା କରିବା ଅଧିକାର ପାଇବେ । ମେଘ ରୂପରେ ଜଳ ଜ୍ୟୋତିକୁ ନିଷ୍ପଭ୍ର କରିଦେଇପାରିବ । କିନ୍ତୁ ମାଟି ସବା ତଳେ ତା ଆସନ ବାଛିନେଇଛି । ନମ୍ରତାରେ, ସହନଶୀଳତାରେ, ଉଦାରତାରେ ମଙ୍ଗଳମୟତାରେ ମାଟି ସମସ୍ତଙ୍କୁ ଟପିଯାଇଛି । ନିମ୍ନତମ ସ୍ଥାନ ହୋଇଯାଇଛି ଶ୍ରେଷ୍ଠତମ । ଗଗନର ଉନ୍ନତ ଶିର ଭୂମି ସ୍ପର୍ଶ କରିଛି । ମରୁତ ବ୍ୟଜନ କରିଛି । ସୂର୍ଯ୍ୟଚନ୍ଦ୍ର ଆଲୋକ ଦେଇଛନ୍ତି । ବାରିଦ ଜଳବୃଷ୍ଟି କରିଛି । ମାଟି ମାତୃଜାତିର ମର୍ଯାଦା ପାଇଛି । ବୈଦିକ ମାଟିର ମୃଣ୍ମୟୀ ମାତୃତ୍ୱ ।

 

ବିଶିଷ୍ଟ ଇଂରାଜିକବି ଓ ସମାଲୋଚକ ଏଲିଅଟ୍‌ ‘‘ଦ ଆଇଡ଼ିଏଲିଜ୍‌ମ୍‌ ଅବ୍‌ ଜୁଲିଏନ ବେଣ୍ଡା’’ ପ୍ରବନ୍ଧରେ ଲେଖିଥିଲେ, କବିତା ନିଚ୍ଛକ ଅନୁଭବର ପରିପ୍ରକାଶ ନୁହଁ । ଅନୁଭବକୁ ଠିକଣା ଭାବରେ ଆୟତ୍ତ ଓ ପରିଚାଳିତ କରିପାରିବା କୌଶଳ ଓ କଳାର ପରିଣାମ । ଏ କଳା ଓ କୌଶଳର ନିଖୁଣ, ନିପୁଣ ବିନ୍ଧାଣି ଥିଲେ କବି ରାଧାମୋହନ ଗଡ଼ନାୟକ । ତାଙ୍କ ଭାଷାରେ :

 

ଧୂଆଁରେ ଆଜି ମୁଁ ଅକାଳ କୁହୁଡ଼ି ରଚି

ତାହାରି ଭିତରେ ବାସର ପାରୁଚି ରଚି

ପରାଶର ସମ ଜୀବନ ସାଧନା ଜାଣି

ଯୋଜନଗନ୍ଧା ଓଷ୍ଠ ମୁଁ ଚୁମୁଅଛି ।

 

 

ପ୍ଲଟ୍‌ ନଂ. ୨୨, ଚନ୍ଦ୍ରଶେଖରପୁର

ଭୁବନେଶ୍ୱର- ୧୬

 

***

 

କବି ରାଧାମୋହନ ଗଡ଼ନାୟକଙ୍କ କାବ୍ୟ ଚେତନା

ହରିହର ମିଶ୍ର

 

ଓଡ଼ିଆ କବିତା ଜଗତରେ କବି ରାଧାମୋହନ ଗଡ଼ନାୟକ ଛନ୍ଦ ଧୁରନ୍ଧର, ଗାଥା କବିତାର ଅପ୍ରତିଦ୍ୱନ୍ଦ୍ୱୀ କବିଭାବେ ସୁପ୍ରତିଷ୍ଠିତ । ଭକ୍ତକବି ମଧୁସୂଦନ ରାଓ କୌଣସି କାବ୍ୟ ଓ ଖଣ୍ଡକାବ୍ୟ ନ ଲେଖି ପାଶ୍ଚାତ୍ୟ କ୍ଷୁଦ୍ର କବିତାର ଆଙ୍ଗିକରେ ସନେଟ୍‌, ବାଲାଡ଼୍‌, ଏଲିଜୀ ସହିତ ବହୁ ଗୀତିକବିତାର ସ୍ରଷ୍ଟା । ପ୍ରାଚ୍ୟ ଚିନ୍ତାଧାରା ଓ ପାଶ୍ଚାତ୍ୟ ଆଙ୍ଗିକର ସମନ୍ଵୟ କରି ସେ ଯଥାର୍ଥରେ ଆଧୁନିକ କବିତାର ସ୍ରଷ୍ଟା । ଏହି ପାଶ୍ଚାତ୍ୟ ଆଙ୍ଗିକରେ କଥାକୁ ଗୀତରେ ଛନ୍ଦୋବଦ୍ଧ କରି ନାଟ୍ୟସତ୍ତାରେ ରୂପାନ୍ତରିତ କରିବାରେ ଗଡ଼ନାୟକ ଯଥାର୍ଥରେ ତାଙ୍କ କବିତା, କଥା ଓ ନାଟକୀୟ ରୀତିର ସୁସମନ୍ଵୟ କରିଛନ୍ତି । ଏହି ଅଭିନବ ରୀତି ତାଙ୍କୁ ତାଙ୍କର ପୂର୍ବବର୍ତ୍ତୀ କବି ଗାଥାକାର ଗୋଦାବରୀଶ ମିଶ୍ରଙ୍କଠାରୁ ଭିନ୍ନ କରିଦିଏ । ସତ୍ୟବାଦୀୟ ଜାତୀୟ ଚେତନାକୁ ଓଡ଼ିଆ ଲୋକଛନ୍ଦରେ ଏବଂ ପ୍ରାଣ ପ୍ରାଚୁର୍ଯ୍ୟରେ ରସାଣିତ କରିବାରେ ‘‘ଆଲେଖିକା’ର କବି ଗୋଦାବରୀଶ ଥିଲେ ଅଦ୍ୱିତୀୟ । ନାଟକ ସେ ଲେଖିଥିଲେ ପୁରୁଷୋତ୍ତମ ଦେବ ଓ ମୁକୁନ୍ଦଦେବ ପୃଥକ ଭାବରେ-। ଗଡ଼ନାୟକ କାବ୍ୟନାଟିକା ସହିତ ଗାଥାକବିତାର ସମିଶ୍ରଣ କରି କାଳିଦାସ, ଶ୍ରୀ ଜୟଦେବ, ରବୀନ୍ଦ୍ରନାଥ, ସେକ୍ସପିୟର, ଏର୍‌ନୋଲ୍‌ଡ଼, ଜର୍ଜ ଅରଡେଲ୍‌ ଆଦି ବହୁ ସ୍ରଷ୍ଟାଙ୍କୁ କୁକ୍ଷୀଗତ କରି ନିଜସ୍ଵ ପ୍ରଖର ପ୍ରତିଭାରେ ନୂତନତା ସୃଷ୍ଟି କରିଛନ୍ତି । କାରାଭାନ୍ନ ପତ୍ରିକା ଯଥାର୍ଥରେ ଲେଖିଥିଲା । ‘‘He is the poet of soil.’’ ମାଟି ଓ ମାଟିର ମଣିଷ କବିତା ଲେଖି ସେ କେବଳ ଘରେ ଘରେ ପରିଚିତ ହୋଇନାହାନ୍ତି ବରଂ ତାଙ୍କର ମାଟିର ମମତା ଦ୍ୱିଗୁଣିତ ହୋଇଛି, ଯେତେବେଳେ କବି ଗଡ଼ନାୟକ ବିସ୍ଥାପିତ ହୋଇଛନ୍ତି, ତାଙ୍କର ଜନ୍ମସ୍ଥାନ କଲଣ୍ଡାପାଳ ଗ୍ରାମରୁ । ବନ୍ୟାର ବ୍ୟୁତ୍ପାତରୁ ରକ୍ଷା ପାଇବାକୁ ସେ ତାଙ୍କର ଗ୍ରାମବାସୀନ୍ଦାଙ୍କ ସହିତ ପ୍ରାୟ ମାଇଲିଏ ଦୂରକୁ ଉଠିଆସି ଲିଂଗରା ଓ ବଉଳୀ ନଦୀଦ୍ୱୟର ଅନତି ଦୂରରେ ନୂଆ ବସ୍ତିଟିଏ ଗଢ଼ି ନୂଆଘରେ ଆସି ରହିଛନ୍ତି । ଗୃହାଭିମୁଖୀ ବ୍ୟାକୁଳତା ତାଙ୍କୁ ଏପରି ଅସ୍ଥିର କରିଛି ଯେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ତାଙ୍କ କବିତା ବହି ‘ସୂର୍ଯ୍ୟ ଓ ଅନ୍ଧକାର’ର ପ୍ରଥମ କବିତା ‘ବିଦାୟ ହେ ମାଟି’ରେ ତାଙ୍କର ଅନ୍ତର୍ଦାହ ମର୍ମସ୍ପର୍ଶୀ ଭାବେ ପ୍ରକଟିତ ।

 

‘‘ସାତପୁରୁଷର ମାଟି

ଆଗୋ ମୋର ଜନ୍ମମାଟି

ଆଗୋ ମୋର ସ୍ନିଗ୍‌ଧ ବାସ୍ତୁଭୂଇଁ

ଏକାନ୍ତ ଉଦ୍‌ବାସ୍ତୁ ମୁହିଁ

ଛାଡ଼ି ଚାଲି ଯାଉଅଛି ଆଜି ।’’

 

ଅମ୍ରିତାକ୍ଷର ଓ ମିତ୍ରାକ୍ଷରର ମିଶ୍ରଣରେ ତାଙ୍କ ଉତ୍ତର ଜୀବନରେ ସେ ମୁକ୍ତଛନ୍ଦର କବିତା ମଧ୍ୟ ଲେଖିବାକୁ ଆସ୍ପୃହା ରଖିଛନ୍ତି । ଏଠି ତାଙ୍କର ସମସ୍ତ କାବ୍ୟଚେତନା ଭଗ୍ନାଂଶରେ ଏକତ୍ରିତ ହୋଇ ଚେତନାର ସମନ୍ଵୟ ମଧ୍ୟ ଘଟାଇଛି । ପୂର୍ବର ନୈରାଶ୍ୟକୁ ଭୁଲି ନୂତନ ଜୀବନକୁ ଗ୍ରହଣ ସେ କରିଛନ୍ତି ଅକୁଣ୍ଠିତ ଭାବରେ :
 

ଜାଗ ମୋର ଜନ୍ମମାଟି, ଜାଗ ମୋର

ନୂତନ ବାସ୍ତୁରେ

ପ୍ରାଚୀନ ମୋ ଯଶୋବନ୍ତ କୂଳେ

ପୁରୁଷ ପୁରୁଷ ଧରି ଢାଳୁଥିଲୁ ତୁହି,

ମଳୟର ଯେଉଁ ମଧୁସୃଷ୍ଟି

ମୌସୁମୀର ଯେଉଁ ଝଡ଼ ବୃଷ୍ଟି

ଯେଉଁ ବାଣୀ ଯେଉଁ ଆଶୀର୍ବାଦ

ଢାଳୁ ଥାଆ ଢାଳୁ ଥାଆ

ବିଚ୍ୟୁତୁ ମୁଁ ପାଏ ତାହା,

ଯୁଗଯୁଗାନ୍ତର ପାଉ ପ୍ରାଣର

ମୋ ଅଚ୍ୟୁତ ଦାୟାଦ ।

 

ଆଗାମୀ ପିଢ଼ିର ପାଇଁ ଯେଉଁ ମୁକ୍ତଛନ୍ଦର ବହୁବିଧ ସମନ୍ୱିତ ଧାରା ଯୁଗର ଦାବି, ସେଥିପ୍ରତି ସେ ‘‘ସଚେତନ ହେଲେ ବହୁ ପଛରେ । ଏପରିକି କବି ମାୟାଧର ମାନସିଂ ‘ଯଦୁମଣିର ଗାଥା’ ରଚନା କରିଛନ୍ତି ଏହି ମୁକ୍ତଛନ୍ଦରେ ଓ ଅକବିତା ବି ଲେଖି ମୁକ୍ତଛନ୍ଦକୁ ବିଦ୍ରୁପ କରିଛନ୍ତି । ପାଣ୍ଠୁଲିପିରୁ ୧୯୬୨ ଓ ଅନ୍ୟାନ୍ୟ କବିତାରେ ଯେଉଁ ନୂତନ ଆଙ୍ଗିକ ନୂତନ ଯୁଗସ୍ରଷ୍ଟା କବି ସଚ୍ଚିଦାନନ୍ଦ ରାଉତରାୟ ସୃଷ୍ଟି କଲେ, ଗଡ଼ନାୟକ ସେଥିରେ ଲମ୍ଫ ଦେଇବି ମୁକ୍ତା କି ଶାମୁକା କଣ ପାଇଛନ୍ତି, ସନ୍ଦେହରେ ପଡ଼ିଛନ୍ତି ।

 

ମୁକ୍ତାଯଦି ପାଇବି ମୁଁ ।

ବିଜୟ ସେ ମୋର

ମୁକ୍ତା ଯଦି ପାଇବିନି

ବିଜୟ ସେ ମୋର ।

(ଡୁବିବି ଏଥର)

 

ସଚ୍ଚିରାଉତରାୟ କବି ଗଡ଼ନାୟକଙ୍କ ଛନ୍ଦର ଅପାରଗତା ଓ ପାରଦର୍ଶିତା ଉଭୟ ବୁଝି ପାରିଛନ୍ତି । ତାଙ୍କର କଟାକ୍ଷ ଥିଲା, ‘‘ଗଡ଼ନାୟକଙ୍କ ଛନ୍ଦ ଏତେ ନିର୍ଭୁଲ ଯେ ତାଙ୍କୁ ଗାଣିତିକଙ୍କ ଭିତରେ ସାହିତ୍ୟିକ ଓ ସାହିତ୍ୟିକଙ୍କ ଭିତରେ ଗାଣିତିକ ବୋଲି କହିବାକୁ ଇଚ୍ଛା ହୁଏ ।’’

 

କବି ଗଡ଼ନାୟକ ନିଜ ସାମର୍ଥ୍ୟର ସୀମାପ୍ରତି କିନ୍ତୁ ସଚେତନ ଥିଲେ । ସେ ୧୯୬୧ରୁ ୨୦୦୦ ଭିତରେ ଆଧୁନିକ କବିତାର ପ୍ରୟୋଗ ବିଧିକୁ ଅନୁସରଣ ନ କରି ଚେଷ୍ଟାକରି ଫେରିଯାଇଥିଲେ ତାଙ୍କର ପୂର୍ବର ସାମ୍ରାଜ୍ୟକୁ କିନ୍ତୁ ପ୍ରବହମାନ ନଦୀର ପାଣି ସେତେବେଳକୁ ବଦଳି ଯାଇଥାଏ ।

 

ଗଡ଼ନାୟକ ଶୈଳୀ ସଚେତନ କବି ଆଦୌ ନ ଥିଲେ । ଯୁଗର ପ୍ରଭାବରେ ରବୀନ୍ଦ୍ରୋତ୍ତର କାଳରେ, ସବୁଜ ପରବର୍ତ୍ତୀ ଓଡ଼ିଆ କବିତାରେ ଯେଉଁ ଉଦ୍ଦୀପନା ପାଠକ ଭିତରେ ଥିଲା ସେ ଉଦ୍ଦୀପନା ଉଦ୍ରେକ କରିବାରେ ତାଙ୍କର ଛାଂଦସିକତା ଅନନ୍ୟ ଥିଲା । ବରଂ ପାଶ୍ଚାତ୍ୟ ଚିନ୍ତାଧାରାକୁ ସେ ନିଜ ବିଚାରବିମର୍ଷର କଷଟିରେ କଷି ପାଠକମାନଙ୍କ ପାଖରେ ପ୍ରଗତିଶୀଳ ଚେତନାର ନୂଆ ଫର୍ଦ୍ଦ ଫିଟାଇ ଦେଲେ । ୧୯୫୪ ରେ ପ୍ରକାଶିତ ‘ଦୁଇଟି ତାହାର ଡେଣା’ କବିତାକୁ ଏହାର ନମୁନା ଭାବେ ଗ୍ରହଣ କରାଯାଇପାରେ ।

 

‘‘ନୁଆ ଦୁନିଆର ବୁକେ

ଡେଣା ମେଲାଇଛି ଉଦ୍‌ବେଗେ ଉତ୍‌ସକେ

ମାର୍କସ ଫ୍ରଏଡ଼୍‌

ଦୁଇଟି ତାହାର ଡେଣା

ଉପରେ ଉପରେ ଆଘାତ ହାଣୁଛି

ଝଡ଼ଝନ୍‌ଜାର ସେନା ।

 

ଏ ଝଡ଼ଝନ୍‌ଜାର ସେନା ସଚ୍ଚି ରାଉତରାୟଙ୍କ ‘ଝଡ଼’ କବିତାଠାରୁ ଆହୁରି ସକ୍ରିୟ । ଶକୁନ୍ତଳାର ଜନ୍ମ ଶକୁନର ଡେଣା ତଳେ ସିନା ସେ କିନ୍ତୁ କବି ଦୃଷ୍ଟିରେ ପ୍ରେମରେ ସଂପୂର୍ଣ୍ଣା ନାରୀଶକ୍ତି ତାର ଅସହାୟତା ସେଥିରେ ନାହିଁ, ଅଛି ସେଠୁ ଉତ୍ତରଣର ପରମ୍ପରା । ଏ ବିକାଶ-ଚେତନା ଭାରତୀୟ ଅଧ୍ୟାତ୍ମଚେତନାର ନୈସର୍ଗିକ ପରମ୍ପରା । ତେଣୁ ଭୂଲୁଣ୍ଠିତା ଶିଶୁକନ୍ୟା ଆମ ପରମ୍ପରାରେ ମହିମାମୟୀ ନାରୀତ୍ୱର ପ୍ରେମମୟୀ ପ୍ରତିଭୂ । ଶ୍ରମଜୀବି ଭିତରେ ଫ୍ରଏଡ଼୍‌ର ବିକୃତ ଯୌନଚେତନା ନ ଥାଏ । ସେ କର୍ମରେ ନିମହିତ ରହି ସକଳ ବିକୃତିକୁ ପାସୋରିଯାଏ । ଗାନ୍ଧି ଓ ଗୋପବନ୍ଧୁଙ୍କ ଆଦର୍ଶରେ, ସେ ବୈଦେଶିକ ଆଟୋପ ଓ ଔପନିବେଶିକ ଚାପରୁ ନିଜକୁ ମୁକ୍ତ କରି ତାଙ୍କ ପ୍ରଗତିଶୀଳ ଚେତନାକୁ ତତ୍‌କାଳର ମୁକ୍ତି ସଂଗ୍ରାମର ଚେତନା ସହିତ ସାମିଲ କରାଇଛନ୍ତି । ୧୯୫୧ରେ ପ୍ରକାଶିତ ‘ମୌସୁମୀ’ରେ ଏହି ନବ ହିଲ୍ଲୋଳ ପ୍ରବାହିତ ହୋଇ ଆସିଲା । ଉର୍ମି ଓ ମୌସୁମୀର ଯୁଗଳ ଅନୁରାଗର ମୋହଭଙ୍ଗ କବି କରାଇଛନ୍ତି ସମସାମୟିକ ଜୀବନଦ୍ୱନ୍ଦ୍ୱକୁ ଦୃଷ୍ଟିରେ ରଖି । ଉର୍ମିର ପରିବର୍ତ୍ତନ ହୋଇଛି ଓ ପୌରୁଷର ନଟସତ୍ତା ମୌସୁମୀ ପ୍ରେମର ମୋହବନ୍ଧନ କାଟି ଆଗକୁ ଚାଲିଛି । ମୌସୁମୀ ଏକ ଆଲୁଳାୟିତ କେଶ ଓ ବିପର୍ଯ୍ୟସ୍ତ ଝରାପତ୍ରର ପୋଷାକ ପିନ୍ଧିଅବା ଆବିର୍ଭୂତ । କିନ୍ତୁ ନବ ପ୍ରଗତିବାଦର ଆହ୍ୱାନରେ ତାର ପ୍ରାଣସଂଗିନୀ, କର୍ମ ସଂଗିନୀରେ ବଦଳିବାକୁ ଆଗ୍ରହ ପ୍ରକାଶ କରିଛି । ମୋହମୁକ୍ତି ଘଟିଛି ଉଭୟଙ୍କର ।

 

ମୁଁ କହିଲି ‘‘ଥାଅ ଚାଲିଲି ଏବେ’

ସେ କହି ଉଠିଲା- ‘‘ମୁଁ ଯିବି ତେବେ’’

ମୁହିଁ କି କେବଳ ଜୀବନରେ ତୁମ ନିର୍ମମୟୀ ?

ହୋଇପାରିବିନି କର୍ମସହୀ

ହେ ମୋର ପ୍ରିୟ ସଂଗେ ନିଅ ।’’

 

ବାଶ୍‌ ଏହାପରେ କବିଙ୍କର ପ୍ରବେଶ ଏକ ନବଚେତନାର ସୂତ୍ରଧର ଭାବରେ । ସଂଳାପ ଚରମ ଶୀର୍ଷରେ ପହଞ୍ଚି ଯୁଗଳବନ୍ଦୀରୁ କୋରସ୍‌ରେ ପରିଣତ ହେବାକୁ ଉନ୍‌ମୁଖ-

 

‘‘ଦିଓଟି ଜୀବନ ମିଶିଯାଇ

ଆଜି ମିଶ୍ରରାଗେ

ଧାଇଁ ଆସିଅଛି ମୌସୁମୀ ମୁହିଁ

ଧରଣୀ ଭାଗେ

ନମ୍ର ନୁହଇ, କମ୍ର ନୁହଇ ନୁହଇ ଧୀରେ

ଉଗ୍ର ମୁଁ ଆଜି

ବ୍ୟଗ୍ର ମୁଁ ଆଜି ଅଗ୍ରସର ।

xxx ପୀଡ଼ିତ ପ୍ରାଣର ମଂଗଳ ଲାଗି

ଜୀବନ ଦେଇ

ଦୁର୍ଦ୍ଦିନ ମୁହିଁ

ସୃଷ୍ଟିର ତଳେ ଦୁର୍ଦ୍ଦିନ ମୁହିଁ

ଆଣୁଛି ଏଇ ।’’

 

ଏ ଉଗ୍ରତା, ବ୍ୟଗ୍ରତା, ଅଧୀରତା ପୀଡ଼ିତ, ଦଳିତ ବ୍ୟକ୍ତିମାନଙ୍କର ସମୁହ କଲ୍ୟାଣ ପାଇଁ ଅଭିପ୍ରେତ । ତେଣୁ ଡଃ କୁଞ୍ଜବିହାରୀ ଦାଶଙ୍କ ଏକ କବିତାର ଜବାବ୍‌ ଦେଇ କବିଙ୍କ ସ୍ଵନାମର ସଂଜ୍ଞା ନିର୍ଦ୍ଧାରିତ ହୋଇଛି ।

 

ମୁଁ ଯେ ସମର ପଥର ଯାତ୍ରୀ

ମୋର କରେ ଶୋହେ ଖର ଶାୟକ

ମୁଁ କି ହୋଇଥିବି ରାଧାମୋହନ

ମୁଁ କି ହେବି ନାହିଁ ଗଡ଼ନାୟକ ।

 

ରାଧାମୋହନ ହେବା ଓ ଗଡ଼ନାୟକ ହେବା ଉଭୟ ପଥ ଅତ୍ୟନ୍ତ ସଂକୁଳ । ‘‘ସଂକୁଳ ପଥ ଏ ରାଜନ, ଭୟେ ଭାଜନ୍ତି ଯୋଗୀଜନ’’ ଏପରି ଆଧିଭୌତିକ ସଂକୁଳ ପଥ ଏ ନୁହେଁ । ଏଥିରେ ଅଛି ଭାଗବତୀୟ ଆଦର୍ଶ । କିନ୍ତୁ କବି ଗଡ଼ନାୟକ ‘ଅପଥଗାମୀ’ ହୋଇ ଉଗ୍ରରୂପରେ ଲକ୍ଷ୍ୟ ହାସଲ ପାଇ, ଅର୍ଥାତ୍‌ ମାନବିକ ମୁକ୍ତିକୁ ସଫଳୀକୃତ କରିବା ପାଇଁ ବ୍ୟଗ୍ର । ସେଥିପାଇଁ ପ୍ରଗତିଶୀଳ ଯୋଜନା ଓ ସଂଘବଦ୍ଧ ଶୃଙ୍ଖଳାକୁ ବି ଏଡ଼ିଦେବାକୁ ସେ ପ୍ରସ୍ତୁତ । ଅର୍ଥାତ୍‌ କବି ମନମୋହନ ମିଶ୍ରଙ୍କ ଆଗାମୀ କାଳ ପାଇଁ ଯେଉଁ ପ୍ରଗତିଶୀଳ ଚିନ୍ତା-

 

‘‘ମୁଁ ଏକ ସ୍ୱପ୍ନର କର୍ମବିଧି

ମୁଁ ଏକ ବେଗବାନ ଜାତିର ପ୍ରତିନିଧି ।’’

 

ଏପରି ଯୋଜନା କରି ସେ କବିତା ଲେଖି ନାହାଁନ୍ତି ଆବେଗ ପ୍ରବଣ କବି ଗଡ଼ନାୟକ । ଏ ଆବେଗ ପ୍ରବଣତା କବିଙ୍କର ନୁହେଁ, ଜଣେ ସାଧାରଣ ମଣିଷର ଦିନଚର୍ଯାରେ ଥାଏ । କବିତାଟି ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କୁ ସ୍ମରଣ କରାଇଦିଏ । ଶାନ୍ତିକୁ ଶିଖାରେ ପ୍ରଜ୍ୱଳିତ କରିବାରେ ଅନ୍ଧାର ଓ ଆଲୁଅ ଭିତରେ: ସମତା ରକ୍ଷା କରିବାରେ ସୂର୍ଯ୍ୟ ଅନ୍ଧକାରର କବି ଅପଥରେ ଯିବାକୁ ଶ୍ରେୟସ୍କର ମନେ କରିବା ସ୍ଵାଭାବିକ ।

 

ଅପଥେ ଯିବି ମୁଁ ଅପଥେ ମୁଁ ଯିବି

କର ପଛେ ମତେ ତିରସ୍କାର

ନେପଥ୍ୟେ ଅଛି ଯେତେ ଯାହା ସବୁ,

କରିବି ମୁଁ ତାର ଆବିଷ୍କାର

ମଥା ପାତି ନେବି ମାନ ଅପମାନ

ବୁକୁ ପାତି ନେବି ଝନ୍‌ଜା ତୋଫାନ,

ସମୟ ଆସିବ ଯେଉଁଦିନ ତମେ

ଯାଚିଦେବ ମତେ ପୁରସ୍କାର । ( ଅପଥଗାମୀ)

 

(୧) କାଳିଦାସ (୧୯୪୦), (୨) ସୋରାବ ଓ ରୁସ୍ତମ (୧୯୬୮), (୩) ମେଘଦୂତ (୧୯୫୪), (୪) ବନରାଜିନୀଳା ( ୧ ୯୬୮), (୫) କାବ୍ୟନାୟିକା (୧୯୪୫), (୬) ଉତ୍କଳିକା (୧୯୪୫), (୭) ସ୍ମରଣିକା (୧୯୫୦), (୮) ନବଜାତକ (୧୯୪୭) (୯) କୈଶୋରିକା (୧୯୫୩) (୧୦) ମୌସୁମୀ (୧୯୫୧) (୧୧) ଦୁଇଟି ତାହାର ଡେଣା (୧୯୫୪), (୧୨) ଦୀପଶିଖା (୧୯୫୬), (୧୩) ଧୂସର ଭୂମିକା (୧୯୬୦), (୧୪) ଶାମୁକାର ସ୍ଵପ୍ନ (୧୯୬୧), (୧୫) ପଶୁପକ୍ଷୀର କାବ୍ୟ (୧୯୫୯) (୧୬) ସୂର୍ଯ୍ୟ ଅନ୍ଧକାର (୧୯୭୪), (୧୭) ଗାନ୍ଧୀଗାଥା (୧୯୭୮), (୧୮) ଅବାଚୀର ତାରା (୧୯୮୨), ( ୧୯) ହୀରାଖଣ୍ଡର ଗାଥା (୧୯୮୬), (୨୦) କୁମାର ସମ୍ଭବ (୧୯୬୮) ଏ ସବୁ ଗଡ଼ନାୟଵଙ୍କ ସଂଚୟନ । ଡଃ କୁମୁଦ ଚନ୍ଦ୍ର ଦାଶ ଏହା ମଧ୍ୟ ପ୍ରକାଶ କରନ୍ତି ଯେ ତାଙ୍କର ଅନେକଗୁଡ଼ିଏ ପ୍ରକାଶିତ ଗ୍ରନ୍ଥ ରହିଛି (୧) ମାଳିନୀ ନଦୀର ଢେଉ (୨) ମହାଯାତ୍ରାର ଶେଷସର୍ଗ (୩) ପାଣ୍ଡୁ (୪) କୁହୁଡ଼ିର ଇତିକଥା (୫) ଖଦଡ଼ ଓ ଅନ୍ୟାନ୍ୟ କବିତା (୬) କିଏ ଆମ ସରିସା (୭) ଆମର ଗୀତ (୮) ବାଇଆର ଗୀତି (୯) ନୂତନା ଦ୍ରୋପଦୀ (୧୦) ଆଉ ଜଣେ (୧୧) ଅନୁଗୁଳୁ ଗାଥା (୧୨) ଗୀତଗୋବିନ୍ଦ (୧୩) ଓମାର ରୁବାୟତ (୧୪) ଦେଶ ବିଦେଶର ପ୍ରେମ କବିତା (୧୫) ସେକ୍ସପିୟର୍‌ଙ୍କ ସନେଟ୍‌ ।

 

ମୁଁ ବ୍ୟକ୍ତିଗତ ଭାବେ ଜାଣେ ସେକ୍ସପିୟରଙ୍କ ସନେଟ୍‌ଗୁଡ଼ିକ ଅନୁବାଦ କରିବା ପାଇଁ ଗଡ଼ନାୟକଙ୍କର କବି ଗୁରୁପ୍ରସାଦ ମହାନ୍ତିଙ୍କ ସହାୟତା ଲୋଡ଼ା ହୋଇଥିଲା । T.S. Eliotଙ୍କ ‘The Western Land’ ଅନୁବାଦ କରିବା ପାଇଁ ଏକ ପ୍ରକାର ଆହ୍ୱାନ ଦେଇଥିଲେ ଗଡ଼ନାୟକ । ଯାହାପରେ ଗୁରୁବାବୁ ‘କାଳପୁରୁଷ’ କୁ ଅନୁସୃଜନ କରି ଓଡ଼ିଆ କବିତାକୁ ଗୋଟାଏ ନୂଆମୋଡ଼ ଦେଲେ । ନୂଆମୋଡ଼ ଦେଲେ ଏଇଥିପାଇଁ ଯେ ଓଡ଼ିଆ କବିତା ସମସାମୟିକ ବିଶ୍ଵଚେତନା ସହିତ ସମାନ୍ତରାଳ ଭାବେ ଗତି କରୁ । ଗଡ଼ନାୟକଙ୍କ ପାଇଁ ଗୁରୁପ୍ରସାଦ ‘କାଳପୁରୁଷ’ (ନିର୍ମୂଳି) ସୃଷ୍ଟି କରିଥିବା କଥା ନିଜେ କବି ଗୁରୁପ୍ରସାଦ ସ୍ଵୀକାର କରିଛନ୍ତି ।

 

ଗୀତରେ କଥାକୁ ନାଟକୀୟ ଭାବେ ଉପସ୍ଥାପନା କଲାଭଳି କଥନିକା, ଚରିତ୍ରକୁ ସଂଳାପଯୁକ୍ତ, ଛନ୍ଦରେ ପ୍ରକାଶ କରୁଥିଲେ ଗଡ଼ନାୟକ । ଶ୍ରୀୟା, ବାଲ୍ମୀକି, ଶ୍ରମଣା, ଗୃହକ ଶବର, ଏକଲବ୍ୟ, ଶଂଭୁକ, ଭୀମଭୋଇ, ରଇଦାସ, ରାମୀ ଓ ଚଣ୍ଡୀଦାସ, ଯସ୍‌ମା ମାଟିଆଣୀ କଥା ଗୁଜୁରାଟର ଲୋକକଥା ଉପରେ ଆଧାରିତ ଓ ଦୁଗ୍‌ଧ ଓ ରକ୍ତ ଶିଖ୍‌ଗୁରୁ ନାନକଙ୍କ ଏକ ଅନୁଭୂତି ଉପରେ ଆଧାରିତ । ଏସବୁ କଥନିକା ପଛରେ ଦଳିତ ଓ ଶୁଦ୍ର କହି ଅଥବା ଗିରିଜନ, ହରିଜନ କହି ଉଚ୍ଚବର୍ଣ୍ଣ ଲୋକ ଯେଉଁମାନଙ୍କୁ ଅପାଙ୍‌କ୍ତେୟ ମନେ କରିଥିଲେ- ସେମାନଙ୍କ ପ୍ରତି କବିଙ୍କର ସମ୍ବେଦନଶୀଳ ଦୃଷ୍ଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଯୁଗପୋଯୋଗୀ । ପ୍ରାକୃତିକ ପରିବେଶ, ପଶୁପକ୍ଷୀଙ୍କ ପ୍ରତି ତତୋଧିକ ନ୍ୟାୟ ପ୍ରଦାନ ପାଠକକୁ ଚମତ୍କୃତ କରେ । ପଶୁ, ପକ୍ଷୀଙ୍କର କୃତିତ୍ୱ ମଣିଷ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରେ, ଏ ସଂଭାବନା ତତ୍‌କାଳୀନ କବିମାନଙ୍କ ପାଖରେ ନ ଥିଲା କହିଲେ ଚଳେ । ସମସ୍ତ ସ୍ଥାବର ଜଂଗମ ବିଶ୍ୱଚରାଚରକୁ ମାନବୀୟ ଗୁଣରେ ଜୀବନ୍ତ ଭାବେ ରୂପଦେବାର ନାଟକୀୟତା ପାଠକ ଆଖିରେ ଚମକ ସୃଷ୍ଟିକରେ ।

 

ପଶୁପକ୍ଷୀର କାବ୍ୟ ଏକ ବିରଳ କାବ୍ୟ ସଂଚୟନ ।

 

ମାନିଷାଦ ପ୍ରତିଷ୍ଠା ତ୍ୱମଗମଃ

ଶାଶ୍ୱତିସମାଃ

ଯତ୍ର କ୍ରୌଞ୍ଚ ମିଥୁନାଦେଙ୍କ

ମବଧି କାମମୋହିତଃ

 

କବିଙ୍କ ପ୍ରଥମ କବିତା ଆଦିକବି ବାଲ୍ମୀକିଙ୍କର ପ୍ରାଣରେ ସୃଷ୍ଟି କରିଥିଲା ଅଦ୍‌ଭୂତ ବ୍ୟଥା । ସେହି ବିଚ୍ଛେଦରେ ପତି ପତ୍ନୀଙ୍କ ବିରହ ସୃଷ୍ଟି ହେଲା ରାମାୟଣରେ ସତେ ଅବା । କୌଞ୍ଚିର ବିଳାପ ଅଥୟ କରିଥିଲା ବନଭୂମି ଓ ଆଦିକବି ପ୍ରଣୟର ପ୍ରତିଷ୍ଠାକୁ ବ୍ୟାହତ କରୁଥିବା ବ୍ୟାଧର ପ୍ରତିଷ୍ଠା ଯେ ଯୁଗଯୁଗ ପାଇଁ ଅସମ୍ଭବ, ଏହି ଅଭିଶାପ କବି ଋଷି ବାଲ୍ମୀକି ଦେଇଛନ୍ତି-

 

ନିର୍ମମ ଆରେ ଘୃଣ୍ୟ

ମୈତ୍ରୀ କରୁଣା ଶୂନ୍ୟ

ନିର୍ଯଶ ତୁହି ନିଖିଳ ବିଶ୍ୱଭୁବନେ

 

ଏ ନିଷାଦ ପ୍ରବୃତ୍ତିରୁ ଉତ୍ତରଣ ନ ହେଲେ ଜୀବନ ଓ ଯୌବନ ସୃଜନରହିତ ହେବ । ନାରୀ ଅପହରଣର ପ୍ରତିବାଦ କରି ଜଟାୟୁର ଯୁଦ୍ଧ ଓ ଆତ୍ମୋସର୍ଗ ରାମାୟଣରେ ଅଟକି ଯାଇ ନ ପାରେ, ପକ୍ଷୀ ଜୀବନର ସାହସିକ ଆଦର୍ଶ । ପକ୍ଷୀଙ୍କ ଭଳି ପଶୁ ଅର୍ଥାତ ଶ୍ଵାନକୁ ନେଇ ସାରମେୟ ଓ ଲାଇକା ଦୁଇଟି ମିଥ୍‌ ପ୍ରୟୋଗ ଅଛି କାବ୍ୟନୈତିକତାକୁ ଉତ୍‌କୀର୍ଣ୍ଣ କରି କାଳବକ୍ଷରେ । ଧନାଢ଼୍ୟ ହେବାର ଅଭିଶାପ ଓ ଭିକ୍ଷାଶୀର କ୍ରୋଧ ଦୁଇଟି ପ୍ରବୃତ୍ତି ପ୍ରତି କବିଙ୍କର ବିଚାର ଓ ସମଦୃଷ୍ଟିପନ୍ନତା ବାସ୍ତବିକ୍‌ ତାଙ୍କ କବିତାର ସୂକ୍ଷ୍ମ ନିୟାମକ । ଶକୁନ ପକ୍ଷତଳେ ଶକୁନ୍ତଳାର ଜନ୍ମ ଓ ପରବର୍ତ୍ତୀ ଜୀବନକୁ ଦୃଷ୍ଟି ପକେଇଲେ ଆମେ ବୁଝିବା ‘ମୃତ୍ୟୁ ଭିତରେ ପ୍ରେମ ପ୍ରତିପାଳିତ ହୁଏ ଓ ନଶ୍ଵରତା ଭିତରେ ଚିରନ୍ତନତାର ପ୍ରକାଶ ଘଟେ । ଶୈଶବର ଅସହାୟତା- ଜୀବନର ସଂଘର୍ଷ ଓ କାଳୋତ୍ତୀର୍ଣ୍ଣ ହେବାର ମାନବିକତାବୋଧ ସବୁ ସେ ଶାଗୁଣାର ଡେଣା ତଳେ ସତେ ଯେପରି ଲୁକ୍କାୟିତ । ‘ଚନ୍ଦ୍ରଦେହେ ଶଶାର ଛବି’ ଆମ ପ୍ରଚଳିତ ଲୋକକଥା ନୁହେଁ । କବି ଅମରନାଥର ଏକ କିମ୍ବଦନ୍ତୀ ଉପରେ ନିର୍ଭର କରି ସେ ବୃକ୍ଷ, ଶୃଗାଳ, କଟାସ ଓ ଶଖା ଚାରୋଟି ଚରିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେଉଁମାନେ ଈଶ୍ଵରଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି । କିନ୍ତୁ ଶଶୀର ଅଂଗୁଳିଛାପ ଚନ୍ଦ୍ରରେ ରହିଯାଇଛି । Donald a making ଙ୍କର Burmese wonder Tales, ବୌଦ୍ଧଜାତକ ମିଶାଇ କବି ଏହାକୁ ନିଜ କଳ୍ପନାରେ ଗଢ଼ିଛନ୍ତି । ଗୋଲାପ ଓ ବୁଲ୍‌ବୁଲ୍‌ Oscar ଙ୍କ Rose and Nightlangel । ଗଳ୍ପରୁ ଗୃହୀତ ଅବଶ୍ୟ ଚନ୍ଦ୍ରରେ ଶାର ଚିତ୍ରଲେଖ ‘ଲାଇକା’ ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରରେ ପହଞ୍ଚିଲା ପରେ ତାର ମୂଲ୍ୟହରାଇପାରେ । କିନ୍ତୁ ଗୋଟିଏ ଚାଇନା ଗଳ୍ପ ‘ମରୁର ଇଗଲ’ ଏକ ଅପୂର୍ବ ପରିକଳ୍ପନା । କଳ୍ପନା ଯେ ସିଂଧୁରୁ ବିନ୍ଦୁ ବିନ୍ଦୁ ଜଳ ସଂଗ୍ରହ, କରି ଇଗଲ ଗୋଟାଏ ଓଏସିସ୍‌ ସୃଷ୍ଟି କରିଛି, ଏଥିପାଇଁ ସେ ଚାରିଦିଗକୁ ଯାଇଛି । କେଉଁଠି ଆତିଥ୍ୟ ଗ୍ରହଣ କରିନାହିଁ ନିଜ ଲକ୍ଷ୍ୟ ସାଧନାରେ ଓ ନିଜ ଜନ୍ମ ମରୁଭୂଇଁକୁ ଉଦ୍ୟାନଟିଏ ପ୍ରଦାନ କରିଛି । ଫେରିଆସିଛି ମରୁଭୂଇଁକୁ କିନ୍ତୁ ପ୍ରାଚୁର୍ଯ୍ୟର ମୋହରେ ସ୍ଵଧର୍ମ ଛାଡ଼ି ପରଧର୍ମ ବା ପରାଶ୍ରିତ ହୋଇନାହିଁ । ମଗର, ମେଘ, ଫଳ, ତୃଣ, ଶସ୍ୟ ସମସ୍ତେ ଜୀବନ୍ତ ହୋଇ ଉଠନ୍ତି । ଯାହା ମଣିଷ ପାଖରେ ଦେଖା ଯାଉ ନାହିଁ ତାକୁ ପଶୁପକ୍ଷୀମାନେ ନିଷ୍ଠାର ସହ କର୍ତ୍ତବ୍ୟରେ ବ୍ରତୀ ହୋଇ ଲକ୍ଷ୍ୟସାଧନ କରିବାକୁ ସମର୍ଥ ହୁଅନ୍ତି । ପଞ୍ଚତନ୍ତ୍ର ଚିତ୍ରଗ୍ରୀବ, ଭାଗବତର କପୋତ କପୋତୀ, ଏକତା ଓ ସହାବସ୍ଥାନରେ ଗାର୍ହସ୍ଥ୍ୟର ଧର୍ମପାଳନ କରନ୍ତି । ଚିତ୍ରଗ୍ରୀବ ଓ ମୂଷିକ ଭିତରେ ଥିବା ମିତ୍ରତା କପୋତରାଜ ଓ ତାର ପକ୍ଷୀକୁଳଙ୍କର ନିରାପତ୍ତାରେ ସହାୟକ ହୋଇଛି । ରଣସିଂ ହାତୀର ବିଶ୍ୱସ୍ତତା, ଚୈତକ ଘୋଟକର ବଶମ୍ବଦତା, ହଂସର ଦୌତ୍ୟରେ ନୈଷଧ ଓ ଦ୍ୱିତୀୟ ଭାଗରେ ଶ୍ରୀକୃଷ୍ଣଙ୍କ ଚାଚେରି ଲୀଳା ଭଳି କଥାକଳ୍ପ ଯୋଡ଼ିଛନ୍ତି । ପଶୁରାଜ ଗଳ୍ପ ଗୀତି କ୍ରୀତଦାସ ଓ ସିଂହର ସଂପର୍କ ଯୋଗୁ ଧନୀ କୁବେର ଉଭୟଙ୍କୁ ମୁକ୍ତ କରିଛି । ରୋମାନ ଆଂଦୋକ୍ଳିସ୍‌ ଓ ସିଂହ କଥାରୁ ଗ୍ରହଣ କରିଛନ୍ତି ଏ ଗାଥା ।

 

ବହୁଶାସ୍ତ୍ର ଦର୍ଶିତା ଥିବା ସତ୍ତ୍ଵେ କବି ଗଡ଼ନାୟକ ବୌଦ୍ଧିକତାର ପୀଡ଼ନରେ କବିତାର ଲାଳିତ୍ୟକୁ କ୍ଷୁର୍ଣ୍ଣ କରିନାହାଁନ୍ତି । କବି ବେଳେବେଳେ ଚାରଣଗୀତି ସୃଷ୍ଟି କରିଛନ୍ତି ଗୋଟିଏ ଚିନ୍ତା ଓ ଚେତନାରୁ ଆଉ ଗୋଟିଏ ଶିବିରର ଚିନ୍ତାଚେତନାକୁ ଗତି କରି । କେଉଁଠି ସେ ବଂଦୀ ନୁହିଁନ୍ତି । ଛନ୍ଦରେ ମୁକ୍ତ ଚେତନାକୁ ବାନ୍ଧିରଖିବା କବି ଗଡ଼ନାୟକଙ୍କ ଅନନ୍ୟତା ଓ ନିଜସ୍ଵ ପ୍ରତିଭା । କଥାଶ୍ରୟୀ ହେବାରେ ପ୍ରକୃତି, ପୁରୁଷ, ଯୁଗପୁରୁଷ, ଐତିହାସିକ ବ୍ୟକ୍ତିତ୍ଵ ନଗଣ୍ୟ ସାଧାରଣ ବ୍ୟକ୍ତି ପ୍ରତ୍ୟେକ ପାଠକର ହୃଦମଞ୍ଚରେ- ଅଭିନୟ କର ଗୋଟିଏ ଗୋଟିଏ ଆଦର୍ଶର ବାର୍ତ୍ତା ପ୍ରଦାନ କରନ୍ତି ।

 

ଅନ୍ଧ ଭୀମଭୋଇ ମହିମାଗୋସେଇଁଙ୍କଠାରୁ ଦିବ୍ୟଚକ୍ଷୁ -ଲାଭ କରି ଅଲେଖ ପ୍ରଭୁଙ୍କର ଅତୁଳ ଆଲୋକ ଦେଖିଲା ପରି ଅପଥରେ ଅନ୍ଧଭାବେ ଆଗେଇଯାଇ ଜୀବନ ବିଦ୍ୟାଳୟର ପଟ୍ଟଶିଷ୍ୟ ରାଧାମୋହନ ବାସ୍ତବିକ ଗଡ଼ନାୟକ ହୋଇ ପାଠକମାନଙ୍କ ଚିତ୍ତ ବିନୋଦନ କରି ସମ୍ମାହିତ କରିଛନ୍ତି ରାଶି ରାଶି କବିତାରେ । କେତେକ ଅନ୍ତରଙ୍ଗ କବିତା ଲେଖି କବି ଓ କବିଙ୍କ ଭିତରେ ସୁସଂପର୍କ ପ୍ରତିଷ୍ଠା କରିବାରେ ଗଡ଼ନାୟକ ଓଡ଼ିଆ ସାହିତ୍ୟକୁ ଯଥାର୍ଥରେ ନେତୃତ୍ୱ ଦେଇଛନ୍ତି । ମାୟାଧର ମାନସିଂହଙ୍କ ପତ୍ନୀ ହେମଲତାଙ୍କ ପ୍ରତି ସେ ଯାହା ଲେଖନ୍ତି ତାଙ୍କର ବନ୍ଧୁଙ୍କ ପ୍ରତି ଆନ୍ତରିକତା ଆମେ ଦେଖିବାକୁ ପାଉ । ସେହିଭଳି ଡଃ କୁଞ୍ଜବିହାରୀ ଦାଶଙ୍କ ପତ୍ନୀ ପ୍ରେମଲତାଙ୍କ ଭିତରେ ସେ ଡଃ ଦାଶଙ୍କ ବଂଧୁତ୍ୱକୁ ଉପଲବ୍‌ଧି କରନ୍ତି । ଏଭଳି ସାହିତ୍ୟିକ ସଂପର୍କ ରଖିବାରେ ଓ ସାହିତ୍ୟକୁ ଜନମଞ୍ଚରେ ପ୍ରଚାର କରିବାରେ ସେ ଯଥାର୍ଥରେ ଓ ନିଜ ଅଲକ୍ଷିତରେ ଜଣେ ଚାରଣ ତ ଚର୍ଯାର ସଂଥ ଭଳି ଘୂରି ବୁଲିଛନ୍ତି । ତଥାପି ସେ ସତର୍କ କରେଇ ଦିଅନ୍ତି- ।

 

କବିତା ହୁଏନି ବନ୍ଧୁ, ପଦସଂଗେ ଯୋଡ଼ିଦେଲେ ପଦ

କବିତା ହୁଏନି ବଂଧୁ, ସୁରଧରି ବୋଲିଦେଲେ ଛନ୍ଦ ।

(କବିତା ହୁଏନି ବନ୍ଧୁ)

 

ମାର୍କଣ୍ଡେଶ୍ୱର ସାହି, ଷଷ୍ଠଭାଗ, ପୁରୀ-୭୫୨୦୦୧

***

 

ପାଠକୀୟ ସମଭାଗିତା, ଚାରଣକବିତ୍ଵ ବନାମ

Unknown

ଗଡ଼ନାୟକଙ୍କ ଗାଥାକବିତା

ସନ୍ତୋଷ ତ୍ରିପାଠୀ

(ଏକ)

 

‘ଆଧୁନିକ ଓଡ଼ିଆ କବିତାଗଡ଼ର ମହାନାୟକ ହିଁ ରାଧାମୋହନ ଗଡ଼ନାୟକ - ଏପରି ଗୋଟେ ଶ୍ରଦ୍ଧାଳୁ ପ୍ରତ୍ୟୟ ପ୍ରତିଷ୍ଠା ପାଇବା ପଛରେ ଯେତେବେଳେ ଆଧାର ସକାରଣ ଉପସ୍ଥିତ ରହିଛି ତାହା ମଧ୍ୟରୁ ଛାମୁଆଧାରଟି ହେଉଛି - ‘ପାଠକୀୟ ସମଭାଗିତା ।’ ରାଧାମୋହନଙ୍କ କବିତାର ରୂପାତ୍ମକ ରମଣୀୟତାର ଆକର୍ଷଣ, ଶ୍ରୁତିପ୍ରିୟତାର ସ୍ପନ୍ଦନମୁଖର ଆବେଦନ, ଭାବ ସଂଘଟନାର ରୂପକାତ୍ମକ ତାତ୍ପର୍ଯ୍ୟ ଓ ରସାଭି ବ୍ୟକ୍ତିର ଚିତ୍ର - ସୌନ୍ଦର୍ଯ୍ୟାତ୍ମକ ଚମତ୍କରଣ ସହିତ ପାଠକସମାଜ ଆପଣାକୁ ସମଭାଗୀ, ସମଭୋଗୀ, ସମବାୟୀ ଓ ସମବୋଧୀ କରିଦେବାର ବ୍ୟାସକ୍ତ ବ୍ୟାମୋହ ପ୍ରସଙ୍ଗଟି ହିଁ ସମଭାଗିତା । କବିତାକୁ ପଢ଼ି, କବିତା ଭିତରେ ବିଳସିତ କବିସତ୍ତାଙ୍କୁ ଖୋଜି ତହିଁରେ ଆପଣାକୁ ଆସଙ୍ଗ କରିଦେଇ ଅତିଶୟ ଆସକ୍ତିରେ କବିତାମତେ ସଂପୂର୍ଣ୍ଣ ବିହ୍ଵଳିତ ହୋଇଯିବାର ବ୍ୟାସକ୍ତ ବ୍ୟାମୋହର ପାଠକଟିଏ ସମକାଳରେ ରାଧାମୋହନଙ୍କ କବିତ୍ୱ ହିଁ ଗଢ଼ିପାରିଛି ।

 

ଜଣେ କି ପଣେ ନୁହିଁନ୍ତି, ଢେଙ୍କାନାଳିଆ କି ଉପକୂଳିଆ ନୁହିଁନ୍ତି, ଶିଷ୍ଟାୟତୀ ମହତ୍ତର ବୁଦ୍ଧିଜୀବୀ କି ଅଶିଷ୍ଟବର୍ଗୀ କ୍ଷୁଦ୍ରତର ଦେଶିଆ ନୁହିଁନ୍ତି, ଅଥବା ଯୋଗାଡ଼ଯନ୍ତ୍ରିଆ କି ଗୋଷ୍ଠୀଗଢ଼ୁଆ ସୁବିଧାବାଦୀ ସଂକୀର୍ତ୍ତନିଆ ନୁହିଁନ୍ତି, ବରଂ ଭେଦବିଚାରରହିତ ଐତିହ୍ୟବିଶ୍ଵସ୍ତ ଏକ ବୃହତ୍ତର ନିରୁତା ଭାବ- ଆସଙ୍ଗଲିପ୍‌ସୁ ପାଠକଶ୍ରେଣୀ ପ୍ରଲୁବ୍ଧମନା ହୋଇ ରାଧାମୋହନଙ୍କ ନବନ୍ୟାୟିକ ଦୃଷ୍ଟିଭଙ୍ଗୀ ଓ କଥନବୃତ୍ତି ମଣ୍ଡିତ କବିତାଗଡ଼ ସହିତ ବିଗତ ନ’ଦଶନ୍ଧି ଧରି ମିଶି ଆସିଛନ୍ତି ଓ ତାହାର ଭାବକରଣ ଐଶ୍ଵର୍ଯ୍ୟ ପ୍ରତି ସମଦୃଷ୍ଟିକ ହୋଇପାରିଛନ୍ତି । ବିମୁଗ୍ଧ ପାଠକେ ଊଣାଅଧିକେ ଗୋଟିଏ ନିଷ୍କର୍ଷରେ ପହଞ୍ଚି ପାରିଛନ୍ତି- ‘‘ଗଡ଼ନାୟକଙ୍କ କବିତାଗଡ଼ ନିର୍ମାଣରେ ବ୍ୟବହୃତ କାରିଗରୀ କଳ୍ପନାର କରଣିଟି ପବିତ୍ର- ସୁନ୍ଦର- କଲ୍ୟାଣ- ଇତିହ- ଉଦାତ୍ତ ଆଦି ପାଞ୍ଚୋଟି ଭାବ ଦ୍ଵାରା ଧାରାଳ ହୋଇଛି ଏବଂ ଗଡ଼ର ପ୍ରତ୍ୟେକ ଅଂଶ ଭାରତୀୟ ପ୍ରାଣରସ, ଇତିହାସରସ, ସାଂସ୍କୃତିକ ବାସନା, ପୁରାଣ ବିକଳ୍ପନା ଓ ସାମାଜିକ ଅବଚେତନକୁ ଅବଲମ୍ବନ କରିଛି ଓ ସମୟ ବିବର୍ତ୍ତନ ଅନୁଯାୟୀ ବିନିର୍ମାଣ କରିଛି ।

 

ସିଧାସଳଖ କହିଲେ ଭଲ କବିତାର ନିୟତି କବି ଓ ପାଠକର ପାରସ୍ପରିକ ତର୍କ, ଦ୍ୱନ୍ଦ୍ୱ, ଆସକ୍ତି ଓ ତଦ୍‌ଜନିତ ବୁଝାମଣା ଉପରେ ଆଶ୍ରିତ । ଏବଂବିଧ ବୁଝାମଣା ହିଁ ଗଡ଼ନାୟକଙ୍କର କବିତା ପାଠକ ସହିତ ଓ ପାଠକ ଗଡ଼ନାୟକଙ୍କ କବିତା ସହିତ କରି ଆସିଛନ୍ତି ।

 

ପ୍ରାୟତଃ କବି- କବିତା- ପାଠକ ମଧ୍ୟରେ ଘଟୁଥିବା ବୁଝାମଣାଟି କବିର ନୂଆ ପ୍ରକାରେ କହିବାର ଢଙ୍ଗକୁ, କବିତାରେ କଥିତ ଓ ଉପସ୍ଥାପିତ ହୋଇଥିବା ଭାବକୁ ଏବଂ କବିତା ପ୍ରତିପାଦନ କରୁଥିବା ପ୍ରତ୍ୟାହେଶ ସହିତ ଦୋଷଗୁଣରେ ଆସକ୍ତ ହୋଇଯାଇଥିବା ପାଠକର ପଠନଜନିତ ପ୍ରତ୍ୟୟନକୁ ଯୋଡ଼ିଯାଡ଼ି ସାଧିତ ହୋଇଥାଏ । ଭାରତୀୟ କାବ୍ୟଶାସ୍ତ୍ରୀ ଅଭିନବ ଗୁପ୍ତେ କି ରାଜଶେଖର ପଣ୍ଡିତେ ହୁଅନ୍ତୁ ଅଥବା ପାଶ୍ଚାତ୍ୟ ନବ୍ୟ- ଆଧୁନିକବାଦୀ ଏମ୍‌. ଏଚ୍‌. ଆବ୍ରାଂସ୍‌ କି ନର୍ମାନ୍‌ ହଲାଣ୍ଡ ହୁଅନ୍ତୁ- ପ୍ରତ୍ୟେକ ଊଣାଅଧିକେ ଏକପ୍ରକାରେ ଏକମତ ହୁଅନ୍ତି ଯେ ଗୋଟିଏ କବିତାର ଶାଶ୍ୱତସିଦ୍ଧି ଓ ପଠନଯୋଗ୍ୟତା କବି-କବିତା- ପାଠକ ତ୍ରିବିନ୍ଦୁର ତ୍ରୈଭୁଜୀୟ ଯୋଡ଼ାଣ ପ୍ରକ୍ରିୟାରେ ସଂସାଧିତ ସମଭାଗିତାକୁ ହିଁ ଆଶ୍ରୟ କରିଥାଏ । ଏହିକଥାକୁ ବିଶିଷ୍ଟ ପ୍ରତିବିନ୍ୟାସବାଦୀ ଜାକ୍‌ ଦେରିଦା ଓ ରୋଲାଣ୍ଡବାର୍ଥଙ୍କ ଭଳି ବହୁପକ୍ଷଦର୍ଶୀ ଚିନ୍ତାନାୟକ ଆହୁରି ବିସ୍ତାରିତ ଓ ବହୁପ୍ରସ୍ଥୀୟ କରି ଦେଇଛନ୍ତି । କୌଣସି କବିତା କବିର ଭାବକୁ ନେଇ ଏକ ନିର୍ଦ୍ଦିଷ୍ଟ ଓ ନିଶ୍ଚିତ କେନ୍ଦ୍ରୀୟ ଅର୍ଥ ମଧ୍ୟରେ ସୀମାବଦ୍ଧ ନ ଥାଏ । କବିତାକୁ କବିର ଜୀବନ, ଇତିହାସ, ବ୍ୟକ୍ତିତ୍ୱ ସହିତ ଯୋଡ଼ିଦେବା ଅର୍ଥ ତାହାକୁ ଏକ ସୀମିତ ପରିସର ଭିତରେ ସଂକୁଚିତ ଓ ଆବଦ୍ଧ କରିଦେବା । ପ୍ରତ୍ୟେକ କବିତାର ବିଶେଷତ୍ୱ ଏକପାକ୍ଷିକ ନୁହେଁ ବହୁପାକ୍ଷିକ ଏପରି ଧାରଣା ଏକ ସର୍ବୋଚ୍ଚ ମୁକ୍ତ ପଠନକୁ ଅପେକ୍ଷା ରଖେ । ସର୍ବୋଚ୍ଚ ଓ ମୁକ୍ତପଠନ ଦ୍ଵାରା କବିତାର ସଭାଟି ନିର୍ଦ୍ଦିଷ୍ଟ ଅର୍ଥ କେନ୍ଦ୍ରରୁ ବିଚ୍ୟୁତ ହୋଇ ବିବିଧ ବ୍ୟାଖ୍ୟାର ସଂଭାବନାକୁ ସମର୍ଥନ କରେ । ପାଠକଠୁଁ ପାଠକ.... ପାଠକ... ଦେଇ ଦେଶ-କାଳ- ପାତ୍ର ଓ ବୋଧନ ସାମର୍ଥ୍ୟ ଅନୁସାରେ କବିତାର ପ୍ରତିପାଦ୍ୟ ଭାବାର୍ଥ ବଦଳିଯାଏ ଓ ଆବେଦନ ଅଲଗା ଅଲଗା ହୋଇଯାଏ । କବିତା କବିର କବିତ୍ୱକୁ ଅତୀତ ବୋଲି ଘୋଷଣା କରେ ଓ ପାଠକର ବର୍ତ୍ତମାନଙ୍କୁ ସାଙ୍ଗରେ ଧରି ପାଠକର ଇଚ୍ଛାଶକ୍ତି ଓ ବୋଧଶକ୍ତି ଅନୁରୂପ ହୋଇ ଉଭା ହୁଏ । କବି ଦ୍ୱାରା ଲିଖିତ ଓ କବିଠୁଁ ବିଚ୍ୟୁତ କବିତାଟି ‘ପାଠକ ସମଭାପୀ ଓ ସମଭୋଗୀ କବିତା’ରେ ପରିଣତ ହୋଇଯାଏ । ଏକାରଣରୁ ସକାଳର କଅଁଳ ଖରାକୁ ପିଠିକରି ତାପପୁଆ ପାଠକଟି ନିର୍ଦ୍ଦିଷ୍ଟ କବିତାଟିକୁ ପଢ଼ି ଯେଉଁ ପ୍ରକାରେ ଭାବବୋଧ କରିଥାଏ ଅପରାହ୍ନର ସୂର୍ଯ୍ୟକୁ ମୁହିଁ କରି କବିତାଟିକୁ ପଢ଼ିଲା ପରେ ଅନୁରୂପ ଭାବତାତ୍‌ପର୍ଯ୍ୟକୁ ଖୋଜି ନିରାଶ ହେବାର ସଂଭାବନାଙ୍କୁ ଏଡ଼ାଇ ଦିଆଯାଇ ନ ପାରେ । ପୁନଶ୍ଚ ବୁଦ୍ଧିବାଦୀ ବହୁଶାସ୍ତ୍ରଦର୍ଶୀ ପାଠକୀୟତା ସହିତ ଯୋଡ଼ି ହୋଇଗଲେ ଯେ କୌଣସି କବିତାର ଲିଖନ- ପଠନ- ଅର୍ଥକରଣ ପ୍ରକ୍ରିୟା ଭିତରେ ବିଗତ ଦିନର ଅନ୍ୟାନ୍ୟ ରଚନା ଓ ରଚକମାନଙ୍କ ଭାବନିଷ୍ପତ୍ତି ସଂଶ୍ଳିଷ୍ଟ ହୋଇଯାଏ ଏବଂ କବି ଉତ୍ପାଦିତ ଅର୍ଥ ପାଠକ ଉପଭୋକ୍ତା ନିମନ୍ତେ ଭିନ୍ନରୁଚିର ହୋଇଉଠେ । ଏ ଦିଗରୁ ରାଧାମୋହନଙ୍କ କବିତା ଏହି ନଅଦଶନ୍ଧି ଭିତରେ ରାଧାମୋହନୀୟ ଉତ୍ପାଦନର କବିତା ନ ହୋଇ ପାଠକମାନଙ୍କ ମତ, ଢଙ୍ଗ, ବିଶ୍ଵାସ ଓ ପ୍ରତିକ୍ରିୟା ଅନୁସାରେ ପାଠକ ସମବାୟୀ କବିତା ହୋଇଯାଇଛି ।

 

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ କବି ଓ କବିର କବିତା ଯେଯାଏ ପାଠକ ସହିତ ସମଯୋଚିତ ହୋଇ ନାହାଁନ୍ତି ସେ ଯାଏ କବିତାଟିର ବ୍ୟାପ୍ତି ଓ ଦୀପ୍ତିଜନିତ ପ୍ରସାର ସଂଭବ ହୋଇ ନ ଥାଏ । ଏହି ପ୍ରସାର ସଂଭାବନାର କାର୍ଯ୍ୟଟି ଏକ ସମନ୍ୟାତ୍ମକ ଯୋଚନ ବା ଯୋଡ଼ାଣର ପ୍ରକ୍ରିୟା-। ଏହି ଯୋଚନ ପ୍ରିକ୍ରିୟାରେ ପ୍ରଥମେ ପାଠକ କବିର ବଖାଣଭଙ୍ଗୀଟି ଦ୍ୱାରା ପ୍ରଭାବିତ ହୁଏ ଓ ମିଶେ । ଦ୍ୱିତୀୟରେ ସେ କବିତାର ସର୍ବାଙ୍ଗ ବ୍ୟାପୀ ବିଳସିତ କ୍ଷୁଦ୍ରକ୍ଷୁଦ୍ର ଭାବାଣୁ ସହିତ ସଂଯୁକ୍ତ ହୁଏ ଏବଂ ପ୍ରତ୍ୟେକ ଭାବାଂଶର ଏକକ ଅର୍ଥ ସହିତ ପ୍ରତ୍ୟେକ ଭାବାଂଶକୁ ମିଳିତ କରାଇ ଏକ ସାମଗ୍ରିକ/ସମ୍ୟକ୍‌ ଅର୍ଥ ନିଷ୍‌ପାଦନ କରେ । ତୃତୀୟରେ କବିତା କୈନ୍ଦ୍ରିକ କବିତର ଭ୍ରାବନା ପାଠକର ଭାବନାରେ ରୂପାନ୍ତରିତ ହୁଏ ଓ ପାଠକର ସକଳ ପ୍ରକାରର ବିଶ୍ଵାସ ଓ ଅନୁଭୂତି କ୍ଷେତ୍ରକୁ ସଂଚରିଯାଏ । ଏହା ଫଳରେ କବିତାର ରସାନୁଭବ ଡୋରଟିକୁ ଛିଣ୍ଡେଇ ଦେଇ ଅଥବା କୋହଳ କରିଦେଇ ପାଠକ ସଶ୍ରଦ୍ଧ କବିତାଟିଏ ଜନ୍ମନିଏ । ଏହି କବିତାର ଅର୍ଥ ନିଷ୍ପତ୍ତିକୁ ମାଧ୍ୟମ କରି କବିସତ୍ତା ସହିତ ପାଠକର ସମଭାଗିତା ଘଟେ । ସଂକ୍ଷେପରେ ବହୁପାକ୍ଷିକ ଅର୍ଥଦ୍ୟୋତନାରେ ପାଠକ ପ୍ରତିକ୍ରିୟା ଓ ଆଦୃତି ସହିତ ସଂପୃକ୍ତ ହୋଇଯିବା ହିଁ କବିତାର ସଫଳତା, ଶାଶ୍ୱତତା ଓ ପ୍ରଭାବଶାଳିତା । ଏ ଦିଗରୁ ରାଧାମୋହନଙ୍କ କବିତା, କବିଦର୍ଶନ କବି କ୍ରୀଡ଼ନଶୀଳତା ପଠନ ଓ ପାଠକୀୟ ପ୍ରାସଙ୍ଗିକତାକୁ ଆଧାର କରିଛି । ତାଙ୍କ ସମକାଳର କବିମାନେ ନିର୍ଦ୍ଦିଷ୍ଟ ଧାରାର କବି ଭାବରେ କ୍ରମଶଃ ପଛକୁ ଘୁଞ୍ଚିଯାଉଥିବାବେଳେ ତାଙ୍କ କବିତା ଓ ପାଠକ ଭିତରେ ଭାବ ଦେଣନେଣର ପ୍ରକାର୍ଯ୍ୟ ଦୃଷ୍ଟାନ୍ତମୂଳକ ହୋଇଚାଲିଛି ଏବଂ ରାଧାମୋହନୀୟ କାବ୍ୟାନୁଭୂତି ପାଠକ ଦ୍ୱାରା ବିନିର୍ମିତ ହୋଇଚାଲିଛି ।

 

ପୁନଶ୍ଚ କବି-କବିତା-ପାଠକ, ପ୍ରତ୍ୟେକଙ୍କର ସ୍ୱାଧୀନ ଅସ୍ତିତ୍ୱ ରଖିଛି । (କ) କବି ହେବା ଓ ସର୍ଜନଶୀଳକ୍ରୀଡ଼ାରେ ବ୍ୟାପୃତ ହୋଇ ଅନ୍ତର୍ସ୍ପନ୍ଦନକୁ କବିତା ରୂପ ଦେବା ବା କବିର କବିତା ହେବା, (ଖ) କବିର ଭାବନା ପରିଧକୁ ଡେଇଁ ସ୍ଵୟଂ ସ୍ଵତନ୍ତ୍ର ସ୍ଵରର କବିତା ହେବା ଏବଂ (ଗ) ପାଠକକୁ ସହରଚକ ଭାବରେ ମାନି ପାଠକ ଆଦୃତିସିଦ୍ଧ କବିତା ହେବା-ତିନୋଟି ଭିନ୍ନ କଥା । ତିନୋଟି ମଧ୍ୟରୁ ଶେଷପ୍ରକାରଟି ହେବା ଦ୍ୱାରା କବିତା କାଳୋତ୍ତୀର୍ଣ୍ଣ ଦୃଷ୍ଟାନ୍ତଯୋଗ୍ୟା ହୋଇପାରିଥାଏ । କବିତାଟି କବି ଯେମିତି ଭାବିଛି ସେମିତି ହୋଇଛି, ତାହା ପାଠକକୁ ତା ବିଶ୍ୱାସାନୁରୂପ ରମଣୀୟ ଭାବାବେଦନ ଯୋଗାଇପାରିଛି- ଏହାକୁ ମାନିଥିବା କବିତା ଏକ ପାକସିଦ୍ଧ ପାଠକାଦୃତ କବିତା ଏବଂ ଏ ଧରଣର କବିତା ସମବାୟୀ ପଦ୍ଧତିରେ କବି ଓ ପାଠକର ସମବୋଧୀ ବୁଝାମଣା ଉପରେ ଉଭା ହୋଇଥାଏ ।

 

ପଠନ ପ୍ରକ୍ରିୟା ଦ୍ଵାରା କବିତାଟିକୁ ବାସ୍ତବାୟିତ କରାଯାଏ । କବିତାକୁ ମାଧ୍ୟମ କରି କବିତାର ସ୍ଵରକୁ କଳନା କରି ବେଳେବେଳେ କବିଙ୍କୁ ବି ପଢ଼ି ହୋଇଯାଏ । କବିତାରୁ କବିଙ୍କୁ ଦେଖିଦେଖି ଅନେକ ସମୟରେ ପାଠକ ନିଜକୁ, ନିଜ ସମକାଳକୁ, ନିଜ ସଂସ୍କୃତିକୁ ଓ ନିଜର ଚାରିପାଖର ବିଚିତ୍ରଗୁଡ଼ିକୁ ବି ଦେଖିଦିଏ । ଏ ରୂପେ ସମଭାଗିତାର ବୁଝାମଣାକୁ ନେଇ କବିତାର ପଠନ ପ୍ରକ୍ରିୟା ନିର୍ଦ୍ଧାରିତ ହୁଏ । ପଢ଼ୁପଢ଼ୁ କବିତା ନିର୍ମାଣ ନିମିତ୍ତ କବିଦ୍ଵାର ଅନୁସୃତ ବଖାଣ ଢଙ୍ଗଟି ସହିତ ପାଠକ ଇନ୍ଦ୍ରିୟାଗ୍ରହୀ ଆବେଗରେ ମିଶେ । ମାତ୍ର ମିଶିବା ପରେ ସେ ଯଦି ଭାବିବାରେ ସଫଳ ହୁଏ ଯେ କବି ଠିକ୍‌ ମୋ’ ପରି ଓ ମୋତେ ବୁଝାଇବା ପରି ବଖାଣିଛନ୍ତି ଅଥବା କବିଙ୍କ ପରିବେଷଣ ଚାତୁରୀଟି ଯଦି ପାଠକଙ୍କୁ ନୂଆପ୍ରକାରେ ଲାଗିଲା ଓ ଅନାନୁଭୂତିପୂର୍ବ ଆକର୍ଷଣରେ ମୁଗ୍ଧ କରିଦେଲା ତେବେ କବିତାକୁ ମଧ୍ୟସ୍ଥ କରି କବି ଓ ପାଠକ ମଧ୍ୟରେ ପ୍ରଥମେ ପଠନ ପ୍ରକ୍ରିୟା ଭିତ୍ତିରେ ‘ଦାତାଗ୍ରହୀତା/ଉତ୍ପାଦକ ଉପଭୋକ୍ତା’ର ବୁଝାମଣାଟି ଗଢ଼ିଉଠେ । କବିତାରେ କବି ଯେମିତି ଜୀବନ-ଜଗତ- ବିବର୍ତ୍ତନ ପ୍ରସଙ୍ଗକୁ ଭୋଗିଥିବାର ଚିତ୍ରିଥାନ୍ତି ତାହା କବିତା ପଢ଼ିବା ମଧ୍ୟରେ ଅବିକଳ ମୋ/ଆମ ଭୋଗିବା ଭଳି ହୋଇଛି ବୋଲି ପାଠକୀୟ ଉପଲବ୍‌ଧଟିଏ ସିଦ୍ଧ ହେବା ଦ୍ଵାରା କବି- ପାଠକ ମଧ୍ୟରେ ଦ୍ୱିତୀୟ ପ୍ରକାରର ‘ଭାବ-ସଦୁକ୍‌- ବୁଝାମଣା’ଟି ସଂଘଟିତ ହୁଏ । ଏହି ବୁଝାମଣାଟି କବି ଓ ପାଠକର ଭାବାନୁଭୂତିର ପାରସ୍ପରିକ ସମାନ୍ତରାଳ ଆନୁରୂପ୍ୟକୁ ମାନିଥାଏ । ଶେଷରେ ସ୍ଵୟଂ କବିତାଟି ଯାହା ନିଜକୁ ନେଇ ପ୍ରତିପାଦନ କରୁଛି, ଯେପରି ଯେଉଁ ମର୍ମରେ କରୁଛି ତାହା କବିତାମନସ୍କ ପାଠକର ସମକାଳ ଓ ପରିପାର୍ଶ୍ୱକୁ ଜାବୁଡ଼ି ଧରିଛି ଏ ଧରଣର ଭାବନା ଓ ପ୍ରତିକ୍ରିୟାରେ ପାଠକ ତଟସ୍ଥ ହେବା ପରେ କବି ସର୍ଜିତ କବିତାଟି ପାକସିଦ୍ଧ ପାଠକାସ୍ଵାଦିତ କବିତାରେ ପରିଣତ ହୋଇଯାଏ । ଏ କ୍ଷେତ୍ରରେ କବି-କବିତା- ପାଠକ ମଧ୍ୟରେ ତୃତୀୟ ପ୍ରକାରର ‘ସୌହାର୍ଦ୍ଦ୍ୟପୂର୍ଣ୍ଣ ସମଭାଗିତାର ବୁଝାମଣା’ଟି ସଂପନ୍ନ ହୋଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ କବି ସହିତ କାରୟିତ୍ରୀ ପ୍ରତିଭାଶକ୍ତିଟିଏ ଛାଇଆଳି ହୋଇ ରହିଥାଏ । ସୁଯୋଗ ପାଇବା ମାତ୍ରେ ତାହାକୁ ହାତଛଡ଼ା ନକରି ଏ ନିର୍ମିତ୍ସୁ ପ୍ରତିଭା ରମଣୀୟାର୍ଥକ ଶବ୍ଦ ଯୋଜନା (ଶବ୍ଦର ଭାବୋଚିତ ନିର୍ବାଚନ +ସନ୍ନିଧିକର ବସାଣ + ଚାତୁର୍ଯ୍ୟୋକ୍ତି ମୂଳକ ଅର୍ଥ ନିଷ୍ପତି + ସଚିତ୍ର ପ୍ରକ୍ଷେପଣ) ମାଧ୍ୟମରେ ଭାବକରଣ ଓ ଭାବ ବିତରଣର ଖେଳ ଖେଳେ । ଏହି ଖେଳର ଫଳପ୍ରସୂ ପରିଣାମଟି କବିତାର ରୂପନିଏ । କବିତା ରୂପସୀ ସହିତ ପାଠକ ନିଜ ବୁଦ୍ଧି ଖଟାଇ ବାଟ ଚାଲେ । ନିଜ ଇଚ୍ଛାଶକ୍ତି ଓ ଆସକ୍ତ ମାନସିକତାକୁ ନେଇ କବିତାର ଅନ୍ତଃସୌନ୍ଦର୍ଯ୍ୟ ସହିତ ସଂପର୍କ ଯୋଡ଼େ । ଏହି ବ୍ୟବସ୍ଥା ଦ୍ଵାରା କବି ବିକଳ୍ପିତ ଭାବକରଣ ସାଙ୍ଗରେ ପାଠକର ବିଭାବନଶୀଳ ସତ୍ତାଟି ସହକଳ୍ପକ ଭାବରେ ସମଗୋତ୍ରୀ ହୋଇଯାଏ । ଅନ୍ତିମପର୍ଯ୍ୟାୟରେ ସମଭାଗିତାର ଯେଉଁ ମଞ୍ଚପିଣ୍ଡିଟି ପଠନପ୍ରବଣତା ନାଁରେ ଗଢ଼ିଉଠେ ତାହା ଉପରେ ସବୁପ୍ରକାର କ୍ରିୟା ପ୍ରତକ୍ରିୟା-ଯୁକ୍ତି-ତର୍କ- ବିରୋଧାଭାସୀଖେଳ- ବୈପରୀତ୍ୟର ଅର୍ଥନିଷ୍ପତ୍ତି ଉର୍ଦ୍ଧ୍ୱରେ ପାଠକର ଶ୍ରଦ୍ଧା ଓ ପାଠକୀୟ ଆଦୃତିଭାଜନା କବିତା ହିଁ କେବଳ ଦୃଷ୍ଟାନ୍ତଧର୍ମୀ ହୋଇ ଛିଡ଼ା ହୋଇଥାଏ ।

 

ଏ ଦିଗରୁ ବିଚାରିବସିଲେ ଗୀତିକବିତା ହେଉ କି ଗାଥାକବିତା ହେଉ, ରୂପକାତ୍ମକ କବିତା ହେଉ କି ସମ୍ବୋଧଧର୍ମୀ ପ୍ରତିକବିତା ହେଉ..... ରାଧାମୋହନଙ୍କ ଯେଉଁ ଯେଉଁ କବିତା ‘ପାଠକ-ପାକସିଦ୍ଧ କବିତା’ ହୋଇପାରିଛି ସେଗୁଡ଼ିକ ନିଶ୍ଚିତରୂପେ କବିଙ୍କ କାରୟିତ୍ରୀ ପ୍ରତିଭା ଗଠିତ ଭାବାର୍ଥକରଣର କେନ୍ଦ୍ରରୁ ଅପସରି ଯାଇ ବହୁଛିଦ୍ରଯୁକ୍ତ ବିଘଟନୀଧର୍ମର ହୋଇ ପାଠକରୁ ପାଠକ କ୍ରମେ ବହୁଭାବପ୍ରସବିନୀ ସୃଷ୍ଟି ହୋଇପାରିଛନ୍ତି । ସେସବୁ କବିତାରେ ମାଟି, ଅପଥଗାମୀ, ବିଜୟିନୀ, ଘାସଫୁଲ, ପିଙ୍ଗଳାର ଅଭିସାର, ଲଳିତା, ଉର୍ମିଳା, ବିସର୍ଜତ, ସ୍ମରଣିକା, ସୈନିକନାରୀ, ମୌସୁମୀ, ମନ୍ଦିର ଓ ସମାଧି, ବଳାକା, ଅୟିପୃଥ୍ଵୀ, କଳଙ୍କିତ ମୁଁ କଳାକାର, ସତ୍ୟ ଓ ଶକ୍ତି, ଶ୍ରମଣାର ଅତିଥିଚର୍ଚ୍ଚା, ଯସ୍‌ମା, ନାରୀର ତ୍ରିବେଣୀ, ଆଗେଇଚାଲ, ନିଜର, କରକା, ପଥିକ ବାହୁଡ଼ା, ହସ ଓ କାନ୍ଦ, କବିର ଗୀତ, ଜୀବନ ସଂଗୀତ, କୋକିଳପ୍ରତି, ଶର ଓ ଗୀତ, ମେଲାଣି.... ଏମିତି ଅନେକ ପାଠକଚର୍ଚ୍ଚିତ କାଳୋତ୍ତୀର୍ଣ୍ଣ କବିତା ସ୍ମରଣକୁ ଅଣାଯାଇପାରେ) ଗଡ଼ନାୟକଙ୍କ କବିତ୍ୱ ଓ ପାଠକର ପଠନ- ଆସଙ୍ଗଲିପ୍‌ସା ଭିତରେ ଅଚ୍ଛିଦ୍ର ଓ ଅଖଣ୍ଡ ସହବନ୍ଧନ ସମଭାଗିତା ସୂତ୍ରରେ ଗଢ଼ି ହୋଇଯାଇଛି । ଭାବନିର୍ମିତିର ମୂଳସତ୍ତାଟିକୁ କେଉଁଠି କବି ବାହାରୁ ଆଣିଛନ୍ତି, କାହାଭଳି ଯୋଡ଼ିଛନ୍ତି । କାହା ପ୍ରେରଣାରେ ତିଆରିଛନ୍ତି ଓ କିପ୍ରକାର ବିଭାବନ ବୈଚିତ୍ର୍ୟରେ ରୂପାନ୍ତରିତ କରି ଦେଇଛନ୍ତି- ଏ ପ୍ରକାର ନାନା ପ୍ରସଙ୍ଗ ପାଠକ ପାଇଁ ଅସାର ଓ ଅଭିଲା ହୋଇ ଯାଇଛି । ପାଠକର ଆବୃତ୍ତିରେ ଓ ଦୃଷ୍ଟାନ୍ତୀକରଣ ସାମର୍ଥ୍ୟ ଭିତରେ ଗଡ଼ନାୟକଙ୍କ କବିତା ସତେଜା ହୋଇରହିଛନ୍ତି । ସେମାନେ ପାଠକର ସାଂସ୍କୃତିକ ବାସନା ଓ ଜୀବନବୋଧର ସହଜାତ ପ୍ରତିକ୍ରିୟାଶୀଳ ବିଶ୍ଵାସ ସହିତ ଯୁଗନ୍ନଦ୍ଧ ହୋଇ ଅକ୍ଷୟ ଅମଳିନ ସୌନ୍ଦର୍ଯ୍ୟ ବିତରିବିତରି ଚାଲିଛନ୍ତି । ଏ କାରଣରୁ ତାଙ୍କ କବିତା ବିଗତା ନୁହନ୍ତି, ବରଂ ବେଶ୍‌ ସାର୍ବକାଳିକ ସଚଳା ।

 

(ଦୁଇ)

 

ଏବେ ପାଠକପ୍ରିୟ ‘ଭଲକବିତା’ ଓ ଏ ପ୍ରକାର କବିତାବୃତ୍ତ ନିର୍ମାଣରେ ସଫଳ ହୋଇଥିବା ରାଧାମୋହନଙ୍କ ‘ଚାରଣ କବିତ୍ୱ’ ବିଷୟକୁ ବିଚାରକୁ ନେବା । ଭଲ କବିତା ଲେଖିବା ପାଇଁ କବିଙ୍କୁ ଯେଉଁଯେଉଁ ଉପାୟ ଓ ଫନ୍ଦିର ସାହାଯ୍ୟ ନେବାକୁ ପଡ଼ିଥାଏ ତହିଁରୁ ଗୋଟିଏ ପ୍ରକାର ହେଉଛି - ବହୁଦର୍ଶୀ ସହିତ ବହୁପାଠୀ ହେବା । ସୃକ୍ଷ୍ମସୂତ୍ରରେ ବହୁପାଠୀ କବି କୌଣସି ନା କୌଣସି ଦିଗରୁ ପାଠକଙ୍କ ଅନୁଭବ ସହିତ ନିଜର କାବ୍ୟାନୁଭବକୁ ମିଶାଇ ଦେଇଥାନ୍ତି । ପାଠକ ସହିତ ଯୋଡ଼ି ହୋଇଯିବା ଅର୍ଥ ଦ୍ୱାରା କବିତାର ଆଦର ପାଇଁ ବାଟ ଖୋଲିଦେବା । ଥରେ କବିତାର ଆସ୍ତିବାଚକ, ନାସ୍ତିବାଚକ ଅଥବା ନେତିବାଚକ ସ୍ତର ସହିତ ପାଠକ ମିଶିଯିବା ମାତ୍ରେ ସେ ନିର୍ମିତି ବା ରଚନା ଉପାଦାନର ସହ-ଅଂଶୀଦାର ହୋଇଯାଏ । ଭଲ କବିତା ଉଭୟ ଶ୍ରୁତିପ୍ରିୟତା ଓ ଭାବବିକଳ୍ପର ଚିତ୍ରାୟିତ ଚମତ୍କାରିତାରେ ପାଠକ ହୃଦୟର କବିତା ହୋଇଯାଏ । ଭଲ କବିତାର ପଙ୍‌କ୍ତିରେ ସବୁକାଳର ପାଠକର ଅନୁଭବ, ସ୍ମୃତି ଓ ସଂକଳ୍ପମୟ ବାସନାକୁ ଉଦ୍ଦୀପ୍ତ କରିଦେବା ଭଳି ଉପାଦାନ ଥାଏ । ଭଲ କବିତାର ସମ୍ମୋହନଶୀଳ ଭାବବୃତ୍ତ ଓ ପ୍ରତିପାଦ୍ୟ ବକ୍ତବ୍ୟ ମଧ୍ୟରେ କବି ଖେଳିଥିବା ଶବ୍ଦାର୍ଥଖେଳ ସହ ପାଠକର ଉପଲବ୍ଧି ଓ ବାସ୍ତବତା ସମଭାଗୀ ହୋଇଯାଇଥାଏ । ଫଳତଃ କବିତାରେ ସ୍ରୋତାୟିତ ହୋଇଥବା ଭାବଟି ଯେତିକି କବିର ଓ କବିଙ୍କୁ ନେଇ ହୋଇଥାଏ ସେହିପରିମାଣରେ ପାଠକର ସହ ସର୍ଜନ-ସାମର୍ଥ୍ୟର ହୋଇଥାଏ । ରାଧାମୋହନଙ୍କ କବିତାର ପ୍ରାଣରସ ଓ ଆବେଦନାତ୍ମକ ସୌନ୍ଦର୍ଯ୍ୟ ଏ ଦିଗରୁ ଯେତିକି କବିସତ୍ତାର ସେହିପରିମାଣରେ ପାଠକୀୟ ଅନୁଭୂତି ଓ ପ୍ରତିକ୍ରିୟାର ହୋଇପାରିଛି ।

 

ଭୀମଭୋଇ- ରାଧାନାଥଙ୍କଠାରୁ ଏଯାବତ୍‌ ଆମର ଖୁବ୍‌ କବିତା ଲେଖିଯାଇଥିଲେ ବି ରାଧାମୋହନଙ୍କପରି ଭଲ କବିତା କମ୍‌ ଲେଖାଯାଇଛି । ରାଧାମୋହନଙ୍କ ଭଲକବିତା ବନ୍ଧୁର ବିଶ୍ୱାସ, ଗୁରୁର ଉପଦେଶ, ପ୍ରେୟସୀର ଅଭିସାର, ପଡ଼ୋଶୀର ସଦ୍‌ଭାବନା, ପୁରୁଷର ସାମର୍ଥ୍ୟ, ଶତ୍ରୁର ଆସ୍ପର୍ଦ୍ଧା, ପତ୍ନୀର କୋମଳତା, ଭଗ୍ନୀର ଆଶ୍ଵାସନା, ଭାଇର ଭରସା, ଜନନୀର ସମଦର୍ଶିତା ଓ ଜନକର ଆଦର, ବୀରର ଉଦ୍‌ବୋଧନଶୀଳ ପାରିଲାପଣିଆ ଓ ସନ୍ନ୍ୟାସୀର ନିର୍ଲୋଭ ପ୍ରେରଣାମନ୍ତ୍ର ପରି ଆମ-ପାଠକୀୟତା ସହିତ ସହଚର ହୋଇ ଚାଲିଛନ୍ତି । ଅନୁକୂଳର ହେଉ ବା ପ୍ରତିକୂଳର ହେଉ ପ୍ରତିଟି ଅବସ୍ଥାରେ ତାଙ୍କ ଭଲ କବିତାର ଛନ୍ଦମୁଖର ଧାଡ଼ିମାନେ ବହିଥାକରୁ - ବହିପୃଷ୍ଠାରୁ ମନର ସ୍ମୃତିଚୌହଦୀକୁ ଓହ୍ଲାଇ ଆସି ଦୃଷ୍ଟାନ୍ତଧର୍ମୀ ପୋଷାକ ପିନ୍ଧି ସାମ୍ନାରେ ଛିଡ଼ା ହୋଇଯାଇଛନ୍ତି ଓ ଯାଉଛନ୍ତି । ସେମାନେ ଭଲମନ୍ଦରେ, ପ୍ରେରଣା ଦିଅନ୍ତି, ଉଦ୍‌ବୋଧନ ଦିଅନ୍ତି, ବାର୍ତ୍ତାଳାପ କରନ୍ତି, ପ୍ରବୋଧନା ଦିଅନ୍ତି ଓ ସମୟକୁ ଭୋଗିବାକୁ ମାନ୍ତ୍ରିକ ଶନ୍ତି ଯୋଗାଇ ଦିଅନ୍ତି । ଏଠାରେ ଗୋଟିଏ କଥା ପରିଷ୍କାର କରି ଦିଆଯାଇପାରେ ଯେ କବିତା ବା କବିତାର ଧାଡ଼ିମାନେ ଦୃଷ୍ଟାନ୍ତଧର୍ମରେ ଛିଡ଼ା ହେବେ ବୋଲି କବି ରାଧାମୋହନ ଜାଣିଶୁଣି ସଚେତନ ସେମାନଙ୍କୁ ସେହିସେହି ପ୍ରୋତ୍ସାହନ ଧର୍ମର କରି ଗଢ଼ିନାହାନ୍ତି । ଐତିହ୍ୟ- ପୁରାଣ- ସଂସ୍କୃତି - ସମକାଳିନତାର ଦୁର୍ଲ୍ଲଭ ଘଟଣା ଓ ମହିମାମୟ ଜୀବନଧାରୀଙ୍କ ଚର୍ଯ୍ୟା ସହିତ ନିବିଡ଼ ସୂତ୍ରରେ ଅନୁବନ୍ଧିତ ହୋଇ ସେ ଯେଉଁ ବଳିଷ୍ଠ ଅନୁଭୂତି ଲାଭ କରିଛନ୍ତି ତାହାକୁ ଚିତ୍ରମୂର୍ତ୍ତି ଦେବାର ଅପୂର୍ବ ଉନ୍ମାଦନା ଓ ବିଭାବନଶୀଳ ସର୍ଜନ ପ୍ରବଣତାରୁ ଏ ପ୍ରକାର କବିତାର ମହତ୍ତମ ଦୃଷ୍ଟାନ୍ତଧର୍ମା ପଙ୍‌କ୍ତିମାନେ ସାକାର ପ୍ରତିମାବତ୍‌ ଛିଡ଼ା ହୋଇଯାଇଛନ୍ତି ।

 

ରାଧାମୋହନଙ୍କ ଭଲକବିତା କେବଳ ତାଙ୍କ ସମକାଳର କାବ୍ୟସ୍ଵର, କାବ୍ୟାଦର୍ଶ ଓ କବିତା ନିର୍ମାଣର ନିର୍ଦ୍ଦିଷ୍ଟ ଭାବକୁଣ୍ଡ ଭିତରେ ସୀମାବଦ୍ଧ ହୋଇ ରହିନି । ବରଂ ଇତିହାସ, ପୁରାଣ, କିମ୍ୱଦନ୍ତୀ, ସମୟର ଚାହିଦା ଓ ତାତ୍‌କାଳିକ ଦାବୀକୁ ନେଇ ସାଂସ୍କୃତିକ ଉପବନଟିଏ ନିର୍ମାଣ କରିଛି । ଓଡ଼ିଶାର ପାଠକଙ୍କ ପାଇଁ ତାଙ୍କ କବିତା ବ୍ୟକ୍ତି-ଘଟଣା-ଅବସ୍ଥା କାଳକୁ ଟପି ସାର୍ବିକ ଓ ସାର୍ବକାଳିକ ହୋଇପାରିଛି । ଓଡ଼ିଶା ବାହାରର ଅଣଓଡ଼ିଆ ପାଠକଙ୍କ ପାଖରେ ବିଶ୍ଵସ୍ତ ଅନୁବାଦ ଆକାରରେ ଯଦି ପହଞ୍ଚାଇ ଦିଆ ଯାଇପାରେ ତେବେ ରାଧାମୋହନଙ୍କ କବିତାର ନାନ୍ଦନିକ ସତ୍ତା ଭିତରେ ସେହି ପାଠକମାନେ ନିଜ-ମାନବୀୟ-ଆଚାରଗୁଡ଼ିକୁ ବି ଦେଖିପାରିବେ !

 

ଗୋଟିଏ ଭାଗ୍ୟବାନ ଜାତିର ସୌଭାଗ୍ୟ ସେତିକିବେଳେ ଦେଦୀପ୍ୟମାନ ହୋଇଉଠେ ଯେତେବେଳେ ତା’ର ତିନିକାଳର ଗତିବେଗ, ଆଭିମୁଖ୍ୟ ଓ ମୂଲ୍ୟବୋଧକୁ ନେଇ ସମକାଳର କବି ପାଠକ ମଧ୍ୟରେ ଯୁକ୍ତି-ତର୍କ- ହଁନାଁର ବିବାଦ ଘଟେ ଏବଂ ଉଭୟଙ୍କ ମଧ୍ୟରେ ମାନବୀୟ ଉଚ୍ଚାଭିଳାଷଗୁଡ଼ିକର ପ୍ରସାର ପାଇଁ କବିତାକୁ ଜନପ୍ରିୟ ଓ ଭାବବାହୀ ମାଧ୍ୟମ ରୂପେ ମାନିନେବାକୁ ସନ୍ଧିପତ୍ର ସ୍ଵାକ୍ଷରିତ ହୁଏ । ଓଡ଼ିଆ-ଜାତୀୟ- ସ୍ଵାଭିମାନୀ ଓ ଅସ୍ମିତା ପିପାପୁ ପାଠକଙ୍କ ନିକଟରେ ରାଧାମୋହନଙ୍କ କବିତା ଏ ପ୍ରକାର ସନ୍ଧିପତ୍ର ସ୍ଵାକ୍ଷର କରିପାରିଛି ଏବଂ ଗଡ଼ନାୟକଙ୍କ କବିତାଗଡ଼ ଓଡ଼ିଆ ସାହିତ୍ୟର କ୍ରମବିକାଶରେ ନୂତନ ସୌଭାଗ୍ୟର ନମୁନା ହୋଇପାରିଛି । ତାଙ୍କ କବିତା ପ୍ରଯତ୍ନମନା ପ୍ରବୁଦ୍ଧ ଶବ୍ଦନିର୍ମାଣ ନ ହୋଇ ଆବେଗ, ବେପଥି, ରମଣୀୟତା, ନାଟକୀୟତା ଓ ମାନବୀୟ ସହଜାତ ଇଚ୍ଛାଗୁଡ଼ିକୁ ନେଇ ମୂର୍ତ୍ତିମନ୍ତ ମୃଦୁଗୀତ ହୋଇଯାଇଛି । ତାଙ୍କ କବିତା ସଂସାରର ଅନ୍ୟତମ ଗୁଣଟି ହେଉଛି - ଏହା ଯେତିକି ବୁଝି ହୋଇଥାଏ ତା’ଠାରୁ ଅଧିକ ଦେଖି ହୋଇଯାଏ । ଆବୃତ୍ତି ତରିକାରେ ଏହା ଯେତିକି ଶ୍ରୁତିପ୍ରିୟ ତା’ଠାରୁ ଅଧିକ ଚମତ୍କାରଭଙ୍ଗୀରେ ପାଠକ ଚକ୍ଷୁସାମ୍ନାରେ ଅଭିନୀତ ହୋଇଯିବା ପରି ପ୍ରତ୍ୟକ୍ଷୀଭୂତ ହୋଇଉଠେ । ପାଠକର ଦେଶ-କାଳ-ପାତ୍ର ବଦଳିଗଲେ ବି ତାଙ୍କ କବିତାର ନାଟକୋଚିତ ଆବେଦନ ତା’ର (ପାଠକର) ସ୍ମୃତି ସର୍ବସ୍ଵ ପ୍ରେରଣା ହୋଇ ରହିଯିବାର ଦକ୍ଷତା ରଖେ ଏବଂ ବଦଳି ଯାଉଥବା ଅବସ୍ଥାକ୍ରମେ ନୂଆ ଭାବାର୍ଥରେ ତାହା ଲୋଡ଼ି ହୋଇ ଯାଇଥାଏ । ତାଙ୍କ କବିତାକୁ କୋଳେଇ ଧରିଥିବା ଐତିହ୍ୟ-ଉତ୍ତାପ ଓ ମାନବାତ୍ମାର ଉଚ୍ଚାଙ୍ଗ ଭାବବିଳାସର ଅନୁଭୂତି ତାଙ୍କୁ ସମକାଳର କବିଧୂରୀଣଙ୍କଠାରୁ ନିଆରା ଜ୍ୟୋତ୍ସ୍ନାର ପ୍ରତିଭୂ ଭାବେ ଚିହ୍ନେଇ ଦେଇଛି । ତାଙ୍କ କବିତ୍ୱ ସବୁଜଙ୍କ ସ୍ଵପ୍ନବିଳାସୀ କଳ୍ପନା, ପ୍ରଗତିବାଦୀଙ୍କ ଆଭିମୁଖ୍ୟସର୍ବସ୍ଵ ପ୍ରଚାରପ୍ରବଣତା, ମାନସିଂହଙ୍କ ପ୍ରଣୟାବେଗର ତନ୍ମୟତା, ବିନୋଦଚନ୍ଦ୍ରଙ୍କ ମାୟାପ୍ରବଣ ନବ୍ୟସ୍ୱଚ୍ଛନ୍ଦବାଦିତା ଏବଂ ସଚ୍ଚିଦାନନ୍ଦଙ୍କ ମିଶ୍ରବୋଧୀୟ ବାସ୍ତବବାଦିତା (ମାନବତାବାଦ+ସାମାଜିକ ଯଥାର୍ଥ୍ୟବାଦ ବାସ୍ତବବାଦ+ରୋମାଣ୍ଟିକ୍‌ ଚେତନା ପ୍ରଗତିବାଦ+ପଲ୍ଲୀପ୍ରାଣତା) ଠାରୁ କେତେକ କ୍ଷେତ୍ରରେ ଦୂରତା ରଖିନଥିଲେ ବି ମୋଟାମୋଟି ଭାବରେ ଐତିହ୍ୟବାଦୀ ରୋମାଣ୍ଟିକ୍‌ ଆଦର୍ଶଚାଳିତ ମୃତ୍ତିକାପ୍ରବଣ ମାନସିକତାକୁ ଗୋଡ଼େଗୋଡ଼େ ମାନିଛି । ଏ ପ୍ରକାର ମାନସିକ କାବ୍ୟବୃତ୍ତରେ ଇତିହାସ ଅଛି, ପୁରାଣ ଅଛି, କିମ୍ୱଦନ୍ତୀ ଅଛି, ଧର୍ମ ଅଛି, ଚଳନ୍ତି ସମାଜର ଘଟଣାଚକ୍ର ଅଛି, ଜାତୀୟମୁକ୍ତି ସଂଗ୍ରାମ ଓ ସଂଗ୍ରାମୀ ଅଛନ୍ତି, ପର୍ଯ୍ୟଟନୀ ଅନୁଭୂତି ଅଛି, ଭୌଗୋଳିକ ଗୁରୁତ୍ଵ ଅଛି, ଅନ୍ୟାନୁକରଣ ଅଛି, ସମାଜସଂସ୍କାରର ନବନ୍ୟାୟିକ ବିଚାରବୋଧ ଅଛି, ବିପ୍ଳବ ଅଛି, ଦଳିତ ଅବହେଳିତ ପ୍ରତି ମାନବୀୟ ସହାନୁଭୂତି ଅଛି, ବୁଦ୍ଧ-ମାର୍କସ୍‌-ଗାନ୍ଧୀ-ରବୀନ୍ଦ୍ର-ଗୋପବନ୍ଧୁ ପ୍ରମୁଖଙ୍କ ଆଲୋକୋପମ ଦୃଷ୍ଟିଭଙ୍ଗୀ ରହିଛି, ମାତ୍ର ସବୁଗୁଡ଼ିକ ମହାଭାରତୀୟ ଚେତନା ପରିପୋଷିତ ରୋମାଣ୍ଟିକ୍‌ ଐତିହ୍ୟବାଦୀ ଭାବସ୍ୱର ଦ୍ଵାରା ମୂର୍ତ୍ତିମାନ ହୋଇଉଠିଛି । ଏ ଦିଗରୁ ଐହ୍ୟବିଶ୍ଵସ୍ତ କବିଭାବରେ ସେ ସ୍ଵତନ୍ତ୍ର ଭାବରେ ସମ୍ମାନିତ, ସମର୍ଥିତ, ସ୍ଵୀକୃତ ଓ ସ୍ମରଣୀୟ ଉତ୍କଳୀୟତା, ଭାରତୀୟତା ଓ ବିଶ୍ୱଦୃଷ୍ଟିକୁ ନେଇ ତାଙ୍କ ବ୍ୟତିକ୍ରମୀ କବିସତ୍ତା ଗାଥାଙ୍କୁ କବିତା କରିଛି, କବିତା ମାଧ୍ୟମରେ କଥାଟେ କହିଛି ଏବଂ କଥା ଓ କବିତାକୁ ନେଇ ପାଠକ ସାମ୍ନାରେ ନୂଆ ପ୍ରକାରେ ଏକ ଏକ ରୂପକାତ୍ମକ ଦୃଷ୍ଟାନ୍ତ ଛିଡ଼ାକରାଇପାରିଛି । ତାଙ୍କ କବିତ୍ୱ ସ୍ଥାନୀୟତାକୁ ଐତିହ୍ୟମଣ୍ଡିତ କରିଛି, ଭାରତୀୟତାକୁ ଭାବମଣ୍ଡିତ କରିଛି ଓ ବିଶ୍ଵବୋଧକୁ ସର୍ବସ୍ତରୀୟ ଆଂଚଳିକତାରେ ମିଶାଇ ଦେଇଛି । ସବୁ ଭିତରେ ଓଡ଼ିଆ ମାଟି ନର୍ତ୍ତକୀବତ୍‌ ନୃତ୍ୟଚପଳା ହୋଇ ରହିଛି ।

 

କବିତାର ସ୍ଵର କ୍ଷୁଦ୍ରତର ସ୍ଥାନୀୟତାରୁ ବୃହତ୍ତର ବିଶ୍ୱପରିଧକୁ ପ୍ରସରି ଯିବା ମଧ୍ୟରେ ରାଧାମୋହନଙ୍କ ଦ୍ୱାରା ଆମ ବାଙ୍‌ମୟ ନିର୍ମାଣ ଚାତୁରୀଟି ନୈବରୀତିକ ଆଧୁନିକତାର ଶୃଙ୍ଖଳାଟିଏ ପାଇପାରିଛି । ରାଧାମୋହନ ଆଧୁନିକତାର ଯେଉଁ ନୂଆ ଶୃଙ୍ଖଳାଟିକୁ ଶଙ୍ଖୋଳିଛନ୍ତି ତାହା ହେଉଛି - ଛାନ୍ଦସିକ ନାଟକୀୟତା ଓ ଭାବାତ୍ମକ ଐତିହ୍ୟ ଅଭୀପ୍‌ସା । ତାଙ୍କ ଆଧୁନିକତାର ପ୍ରକରଣ ଧର୍ମରେ ଛନ୍ଦ ମୁକ୍ତବ୍ୟବସ୍ଥା କ୍ରମେ ଶବ୍ଦକୁ ଆରୋହ- ଅବରୋହ ତାନଗୁଣରେ ନଚାଏ । ନୃତ୍ୟାଛନ୍ଦର ଶବ୍ଦ ବ୍ୟବସ୍ଥାଟି ଉତ୍‌କଣ୍ଠା, ଆବେଗ ଓ ଦ୍ୱନ୍ଦ୍ୱକୁ ଆଶ୍ରୟ କରି ଭାବକୁ ନାଟକୀୟ ଗତି ପ୍ରଦାନ କରେ । ନାଟକୀୟ ଭାବର ଗତିଶୀଳ ପ୍ରବହମାନତା ଭିତରେ ପାଠକ ଐତିହ୍ୟଦୀପ୍ତ ଭାରତୀୟ ପ୍ରାଣରସ ଓ ବିଶ୍ୱାୟିତ ମାନବୀୟ ଇଚ୍ଛାର କୋମଳ ସଂଚାରକୁ ଦେଖିପାରିଥାଏ । ଚେତନାର ବୌଦ୍ଧିକ ଦୃଷ୍ଟାନ୍ତୀକରଣ, ଆବେଦନରେ ଉଦାର ମାନବିକତା, ସ୍ଵର ସଂଚାରରେ ସଦ୍ୟତମ ସାମାଜିକ ଅବଚେତନର ଉଦ୍‌ବୋଧନ, କାବ୍ୟ ଉପାଦାନ ଭାବରେ ଐତିହ୍ୟସମ୍ବେଦୀ ପ୍ରସଙ୍ଗ, ଚିତ୍ର, ଚରିତ୍ରର ବିନିଯୋଗ ଏବଂ କାବ୍ୟାନୁଭୂତିର ସଂସ୍କୃତୀକରଣ-ଏ ପ୍ରକାର ରସାୟନୀ ସମନ୍ଵୟକୁ ନେଇ ତାଙ୍କ ସର୍ଜନଶୀଳତା ପ୍ରସାର ଲାଭ କରିଛି ।

 

ରାଧାମୋହନଙ୍କ ଶ୍ରେୟବୋଧ ଓ ଧ୍ୟେୟଗୁଣର କବିତାଗୁଡ଼ିକ ତାଙ୍କ ମାଟିମଗ୍ନ ବ୍ୟକ୍ତିତ୍ଵକୁ ସ୍ଵୀକାର କରିଛି, ସମୂହଜୀବନର ବିପୁଳତାକୁ କାବ୍ୟସ୍ଵର ଭାବରେ ବରଣ କରିଛି, ମହାଭାରତୀୟ ଜାତୀୟତାର ପୁନର୍ନିମାଣକୁ ରଚନାଭିମୁଖ୍ୟ ରୂପେ ଅଙ୍ଗୀକାର କରିଛି ଓ ବିଶ୍ଵଜାତୀୟତା ପ୍ରତି ଆମୁଖ ରହିବା ବିଷୟଟିକୁ ସର୍ଜନଶୀଳତାର ଭାବନାରୂପେ ସମର୍ଥନ କରିଛି । ଗୋଟିଏ ପଟରେ ଆଶାକୁ, ସ୍ୱପ୍ନକୁ, ସଂଭାବନାକୁ ସତ୍ୟକୁ, ସୁନ୍ଦରତାକୁ, ଆଦର୍ଶକୁ, ଶୁଭଗକୁ, କଲ୍ୟାଣବୋଧକୁ.... ଯେତିକି ଆଦରି ରଖିଛି, ସେହି ପରିମାଣରେ ଓ ସମମର୍ଯ୍ୟାଦାରେ ତାଙ୍କ କାବ୍ୟିକନଟସତ୍ତା ନୈରାଶ୍ୟ, ବିଫଳତା, ଅବକ୍ଷୟ, ଅବସାଦ, ଅପମାନ, ମିଥ୍ୟା, ଛଳନା ଅସନାକୁ ବି କାବ୍ୟରସଯୋଗ୍ୟ ବୀଜଶକ୍ତି ଭାବରେ ସ୍ୱୀକାର କରିଛି । ତାଙ୍କର କବିତା ପାଠକକୁ ମୁଗ୍ଧ ଦୃଷ୍ଟିରେ ସ୍ପନ୍ଦନମୁଖର ହୋଇ ଜଣାଇଦେଉଛି :-

 

 

ଏ ପ୍ରକାର ଭାବଶକ୍ତି ସହିତ ପାଠକ ଏକାକାର ହୋଇଯା’ନ୍ତି ଯେତେବେଳେ ‘କବି ହେବା ପାଇଁ ବାସନାମୋର, ମାଟି, ମୌସୁମୀ, ଅପଥଗାମୀ ପିଙ୍ଗଳାର ଅଭିସାର, ବ୍ୟଥାର ଦାନ, ପୃଥିରାଜଙ୍କ ପ୍ରତି ସଂଯୁକ୍ତା, ଚିତ୍ରଗ୍ରୀବ, ଶମୀକ ଆଦି କବିତା ସହିତ ଭାବଯୋଡ଼ିବସନ୍ତି । ଏପରି କବିତା ପାଠକକୁ ରସଦୃଷ୍ଟିଟିଏ, ଭୋଗଦୃଷ୍ଟିଟିଏ ଓ ବୋଧ ଦୃଷ୍ଟିଟିଏ ଦେଇପାରିଥାଏ । ଏ ପ୍ରକାର କବିତାର ଭାବ ଭଉଁରି ଭିତରେ କବି ନବନ୍ୟାୟିକ ଦୃଷ୍ଟିଭଙ୍ଗୀର ବୁଡ଼ାଣ-ମଜ୍ଜନର କ୍ରୀଡ଼ା କରୁଥିବାର ଦେଖି ହୋଇଯାଏ । ଗତାନୁଗତିକ ଢଙ୍ଗରେ ତମ ଆମଙ୍କ ପରି ପ୍ରଥାସିଦ୍ଧ ମାନସିକତାରେ କବି ଭାବକ୍ରୀଡ଼ା ନକରି ନୂଆସମାଜ, ନୂଆମଣିଷ, ନୂଆଜୀବନ ବିଶ୍ଵାସ ଓ ନୂଆନୂଆ ଆକାଂକ୍ଷାକୁ ନେଇ ଜଳହଟ କରୁଥିବାର ଦେଖାଯାନ୍ତି । ଜଳହଟ ଭିତରେ ଭୀମଭୋଇ, ରାଧାନାଥ, ଫକୀରମୋହନ, ରବୀନ୍ଦ୍ର, ଗୋଦାବରୀଶ, ଗୋପବନ୍ଧୁ ଓ ମାନସିଂହଙ୍କ କବିତାଛଟାର ଛାୟା ବି ବେଳେବେଳେ ଦେଖି ହୋଇଯାଏ । ସମସ୍ତଙ୍କୁ ସାଙ୍ଗରେ ନେଇ ଭଉଁରୀ କ୍ରୀଡ଼ାର ମଝି ବିନ୍ଦୁରେ ରହି ରାଧାମୋହନ ଐତିହ୍ୟ ବିଘଟନର ମୁଣ୍ଡଳି ତିଆରୁଥିବାର ଅନୁଭବ କରିହୁଏ । ଐତିହ୍ୟର ପଟ୍ଟଭୂମିରେ ସମାଜକୁ ପୁନର୍ଗଠନ କରିବା, ବାସ୍ତବତାର ରଙ୍ଗରେ ଭାବକୁ ସତେଜିତ କରିବା, ମାନବିକତାର କଅଁଳ ଉତ୍ତାପରେ ଜୀବନକୁ ଚିହ୍ନିବା, ମରମୀ ରୋମାଞ୍ଚର ଆବେଗରେ ଅନ୍ୟ ସହିତ ବିଶ୍ୱାସ ଯୋଡ଼ିବା ଓ ଉଦାର ସମତାର ମାପଦଣ୍ଡରେ ମୂଲ୍ୟବୋଧକୁ ମାପି ବହନ କରି ନେବାର ଦାୟବଦ୍ଧ ଆଗ୍ରହଟିଏ ଗଢ଼ିବା ଦିଗରୁ ରାଧାମୋହନଙ୍କ କବିତା ଜାତୀୟ ଅବଚେତନର ପ୍ରତୀକ ହୋଇଯାଏ । ତାଙ୍କର ଯେ କୌଣସି କବିତାକୁ ପଢ଼ିସାରିବା ପରେ ପାଠକ ଅତିକମ୍‌ରେ ଏହି ସିଦ୍ଧାନ୍ତରେ ପହଞ୍ଚିଥାଏ ଯେ କବିତାଟି ସତେ ଯେମିତି କହୁଛି - ଗୋଟାଏ ଜାତିର ସଂସ୍କାର ବାସନାର ମୃତ୍ୟୁ କାହିଁ ଯେ ? ରାଧାମୋହନଙ୍କ ପରି କବିମାନେ ଜନ୍ମଚକ୍ରକୁ ବରଣ କରିପାରନ୍ତି, ମାତ୍ର ସେହି ଐତିହ୍ୟ- ଅଧ୍ୟାତ୍ମ- ଆନନ୍ଦର ବାସ୍ନାକୁ ଚିହ୍ନି ଚିହ୍ନାଇବାର କବିତା ନିର୍ମାଣୋଚିତ ଇଚ୍ଛାଶକ୍ତିଟିର ମୃତ୍ୟୁ କାହିଁ ଯେ ?

 

କବି କବିତା ଲେଖିଦିଏ । କବିତା ଭିତରେ ଅନେକ ଛିଦ୍ର ଥାଏ । ପାଠକ ଛିଦ୍ର ଭିତରେ ପ୍ରବେଶ କରି କବିର କାଳକୁ ଓ ବିଶ୍ଵସ୍ତ ଭାବକୁ ନିଜ କାଳାନୁସାରେ ବିନିର୍ମାଣ କରେ । କବିର ଭାବକେନ୍ଦ୍ରରୁ ଅପସରି ଆସି ପାଠକର ଅନୁଭୂତି କେନ୍ଦ୍ରରେ ଭଲ କବିତା ଘନୀଭୂତ ହୁଏ । ଏ ଦିଗରୁ ରାଧାମୋହନଙ୍କ କବିତାର ଭାବ ନୂଆ ନୁହେଁ ପୁରୁଣା । ମାତ୍ର ପୁରୁଣାଭାବକୁ ନୂଆ ଉପଲବ୍‌ଧିର କରି ସେ ଗଢ଼ିଛନ୍ତି । ଗଢ଼ଣ ତରିକାରେ (ଦର୍ଶନ, ମନନ, ଚିନ୍ତନ, କାର୍ଯ୍ୟକାରଣ ସଂପର୍କକୁ ନେଇ ଭାବପିଣ୍ଡିମାନ ଗଢ଼ୁ ଗଢୁ) ଅନେକ ସୂକ୍ଷ୍ମଛିଦ୍ର ରଖିଛନ୍ତି । କାବ୍ୟୋଚିତ ବୈଦଗ୍ଧ ଓ ଜଟିଳ ରୂପସୃଷ୍ଟି ଅଥବା ଅତିକଳ୍ପନାର ମାୟା ଓ ବୌଦ୍ଧିକ ଚାତୁର୍ଯ୍ୟୋକ୍ତି ଉପରେ ସେ ଗୁରୁତ୍ଵ ଦେଇ ନାହାନ୍ତି । ପ୍ରତ୍ୟେକ କବିତାକୁ କେତେକ କ୍ଷୁଦ୍ର କ୍ଷୁଦ୍ର ଭାବାଂଶରେ ବିଭକ୍ତ କରିଛନ୍ତି । ଭାବାଂଶ ସହିତ ଭାବାଂଶକୁ ଯୋଡ଼ିବାବେଳେ ଅନେକ ଛିଦ୍ର ରଖିଥାନ୍ତି । ପାଠକର ନବାର୍ଥକାରୀ ସତ୍ତା ତହିଁରେ ସଂଯୁକ୍ତ ହୋଇ କବିତାଟିକୁ ନୂଆ- ଅର୍ଥ- ଦୃଷ୍ଟାନ୍ତରେ ଗଢ଼ିବସେ । ପରିଣାମତଃ ପାଠକ ବିଶ୍ୱାସ ଓ ଅନୁଭୂତି ସହିତ ତାଙ୍କ କବିତା ସମଭାଗୀ ହୋଇଯାଏ । ଛନ୍ଦଧୂରୀଣ ଗଡ଼ନାୟକ କବିତାକୁ ପାଠକ ସମଭାଗୀ କରି ନିର୍ମାଣ କରିବାରେ ମଧ୍ୟ କମ୍‌ ପଟୁତାର ପରିଚୟ ଦେଇନାହାନ୍ତି-

 

ରାଧାମୋହନଙ୍କ କବିତା ନିର୍ମାଣ ଓ ସଂଚାର ପଟୁତାର ଅନ୍ୟତମ ଆକର୍ଷଣୀୟ ଲକ୍ଷଣଟି ହେଉଛି ‘ଚାରଣତ୍ୱ’ । ତାଙ୍କୁ ତାଙ୍କର ପ୍ରତ୍ୟେକ ଶ୍ରେଷ୍ଠ କବିତାର ଶ୍ରେଷ୍ଠ ଧାଡ଼ିଟି ତିଆରି କରିବା ପାଇଁ ମାନସିକ ସ୍ତରରେ ଚାରଣ ହେବାକୁ ପଡ଼ିଛି । ତାଙ୍କ ସର୍ଜନଶୀଳ କ୍ରୀଡ଼କସତ୍ତାଟି ପ୍ରାୟତଃ ସଚିତ୍ରଢଙ୍ଗରେ କଥାଟିଏ ଗାଇବାକୁ, କହିବାକୁ ଓ ପରିବେଷଣ କରିବାକୁ ଅଧିକ ପସନ୍ଦ କରିଛି । ତାଙ୍କ ଚାରଣସତ୍ତାର କବିତ୍ୱ ପାଖରେ ସମକାଳର ଓ ଆଗାମୀକାଳର ପାଠକର ଚାହିଦା, ଆଗ୍ରହ ଓ ଲୋଡ଼ାଣ ଛିଡ଼ା ହୋଇ ରହିଥାଏ ଓ ସେ ପାଠକର (ବର୍ତ୍ତମାନ ଓ ଭବିଷ୍ୟତର) ପ୍ରୟୋଜନକୁ ସ୍ପର୍ଶ କରିବା ଭଳି କାବ୍ୟବୋଧ ବିତରଣ କରନ୍ତି । କବିତା ଲେଖିବା ଅପେକ୍ଷା କବିତାକୁ ଶ୍ରୋତା ସମ୍ମୁଖରେ ବିତରଣ କରିବାର ଚାତୁରୀ ହିଁ ଚାରଣ- ଶିଳ୍ପକୌଶଳ । ଏହି କୌଶଳର ଜନପ୍ରିୟ କବି ଭାବରେ ଗୋଦାବରୀଶଙ୍କ ପରେ ଗଡ଼ନାୟକେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅଦ୍ୱିତୀୟ, ଅସପନ ଓ ତାଙ୍କର ଶ୍ରେଷ୍ଟ ଅପ୍ରତିଦ୍ୱନ୍ଦ୍ୱୀ (ମାୟାଧର ମାନସିଂହଙ୍କ ସିଦ୍ଧାନ୍ତ ଏଠାରେ ସ୍ମରଣୟୋଗ୍ୟ) ଏବଂ ଆନ କେହି ତାଙ୍କ ଭଳି ଦ୍ୱିତୀୟବାର ହୋଇପାରିନାହାନ୍ତି ।

 

(ତିନି)

 

ରାଧାମୋହନଙ୍କ କବିତ୍ୱର ନୂଆପଣ ଓ ନବନ୍ୟାୟିକ ଭାବ ନିର୍ମାଣ ଚମତ୍କାରିତା ବିଷୟରେ ଆଲୋଚନା କରିବା ଅବକାଶରେ ଚାରଣକବିତ୍ୱର ଦିଗ, ବାଗ ଓ ବେଗ ଉପରେ ଡୋଳା ଚଳେଇଆଣିବା ଉଚିତ ।

 

‘ଚାରଣ/ଚାରଣକବି’ ଆମ ଭାଷାଶୃଙ୍ଖଳାରେ ଏକ ସାମନ୍ତବାଦୀ ତତ୍ସମଶବ୍ଦ । ଶବ୍ଦଟି ସାମନ୍ତଧାରଣା ଓ ଧାରାକୁ ତୋଷାମଦ କରୁଥିବା ଭାଟୁଆ ମାନସିକତାକୁ ବିଶେଷିତ କରିଥାଏ । ଚାରଣ+ କବି= ଚାରଣକବି-ଦୁଇଟି ଶବ୍ଦର ମିଳନରେ ଏହି ଯୁଗ୍ମ ବିଶେଷ୍ୟ ପଦଟି ଗଠିତ ଓ କ୍ୱଚିତ୍‌ ପ୍ରଚଳିତ । ‘ଚାରଣ’ ବିଶେଷ୍ୟ ପଦଟି ଏଠାରେ ସର୍ଜନଶୀଳ ଓ ଅନର୍ଗଳ କଥନ ଦକ୍ଷତାର ଅର୍ଥ ପ୍ରଦାନକାରୀ ଶବ୍ଦ । ‘କବି’ ଶବ୍ଦର ପୂର୍ବରୁ ବସିଛି ଓ ଏହାର ବିଶେଷତ୍ଵକୁ ସୂଚାଉଛି । ଚର୍‌+ଅ=ଚାର+(ଇ) ଅନ୍‌=ଚାରଣ; ଯାହାର ବ୍ୟୁତ୍ପତ୍ତି ଗତ ଅର୍ଥ ହେଉଛି ସ୍ତୁତିପାଠକ/ସ୍ତୁତିମୂଳକ କୀର୍ତ୍ତିଗାଥାର ଗାୟକ ବା ଯିଏ ସସ୍ତୌତିକ ଅତୀତର ଯଶଗାଥା ଓ ଯଶସ୍ୱୀ ଚରିତ୍ରର ମହିମାଗାନ କରିଥାନ୍ତି । ବାଣଭଟ୍ଟ ‘ଚାରଣ’ ବୃତ୍ତିକୁ ସମକାଳୀନ କୀର୍ତ୍ତିଧରମାନଙ୍କ ମହିମାଗାନ ସହିତ ମଧ୍ୟ ସଂଯୁକ୍ତ କରିଦେଇଛନ୍ତି । ଚାରଣବୃତ୍ତି ହେଉଛି ଅତୀତର ହେଉ ବା ବର୍ତ୍ତମାନର ହେଉ ମହିମାମୟ ଗାଥା ଭିତରେ ଲୁଚି ରହିଥିବା ତାତ୍‌ତ୍ପର୍ଯ୍ୟ ବା ବାର୍ତ୍ତାଟିକୁ ସକଳ, ପାଖରେ ସଂଚାର କରିଦେବା । ନିନ୍ଦା ବା ଅପ୍ରଶଂସା ଚାରଣ- କଥନର ଧର୍ମ ନୁହେଁ । ଦ୍ୱିତୀୟ ଶବ୍ଦଟି ହେଉଛି- କବ୍‌+ଇ=କବି; ଅର୍ଥାତ ଯିଏ ଅନ୍ୟକୁ ମୋହିତ କରିବାକୁ ଯାଇ ସରସ ଭଙ୍ଗୀରେ କହିବା ଓ ଗାଇବା ବୃତ୍ତି ସଂପାଦନ କରନ୍ତି । ଉଭୟ ଶବ୍ଦର ବ୍ୟୁତ୍ପିତ୍ତିଗତ ଅର୍ଥକୁ ସଂଯୁକ୍ତ କରି ‘ଚାରଣକବି’ ଯୁଗ୍ମଶବ୍ଦଟିର ପାରିଭାଷିକ ଅର୍ଥ (ଅର୍ଥଭିତରେ ବିସ୍ତରିତ ଥିବା ଅର୍ଥ)ଟି ଏହିପରି ହେବ- ଯେଉଁ କବି ଗାନଯୋଗ୍ୟ ଭଙ୍ଗୀରେ ଅତୀତର ସ୍ମୃତିମୟ କୀର୍ତ୍ତିଗାଥା ଓ ବର୍ତ୍ତମାନର ଗାଥାକର ଘଟଣାକୁ ନୂଆବାଗରେ ପାଠକର ସ୍ମୃତିଚାରଣ ଓ ଭାବଚାରଣଯୋଗ୍ୟ କରାଇଥାନ୍ତି ସେହି ସର୍ଜନଶୀଳ ପ୍ରତିଭାଧାରୀଙ୍କୁ ‘ଚାରଣକବି’ କୁହାଯାଏ । ମୁଖ୍ୟତଃ ଚାରଣକବିମାନେ ନିଜ କାବ୍ୟିକ ଭାବନାର ଚାରଣଭୂଇଁ (poetic pasture) ଭାବରେ ସମୂହଜୀବନ ଓ ଅବଚେତନର ସାଂସ୍କୃତିକ ବାସନାରେ ସ୍ମୃତିମୟ ଓ ପ୍ରଭାବଶାଳୀ ହୋଇ ରହିଥିବା ପୁରାଣଧର୍ମୀ, ଇତିହାସଧର୍ମୀ, କିମ୍ବଦନ୍ତିଧର୍ମୀ ଓ ଚମତ୍କାର ଭାବ ଉତ୍ପାଦନମୂଳକ ବାସ୍ତବଘଟଣାଧର୍ମୀ ଗାଥାନୁଭୂତିକୁ ଗ୍ରହଣ କରିଥାନ୍ତି ।

 

ଓଡ଼ିଆ ସାହିତ୍ୟରେ ବଳରାମଦାସଙ୍କ ‘ବଉଳା ଅଧ୍ୟାୟ’, ଜଗନ୍ନାଥ ଦାସଙ୍କ ‘ମୃଗୁଣୀସ୍ତୁତି, ଗଜଉଦ୍ଧାରଣ’, ଯଶୋବନ୍ତଙ୍କ ‘ଗୋବିନ୍ଦଚନ୍ଦ୍ରଗୀତ’, ଯୋଗୀନ୍ଦ୍ର ବିପ୍ରଙ୍କ ‘ଟୀକାଗୋବିନ୍ଦଚନ୍ଦ୍ର’, ଉପେନ୍ଦ୍ର, ନୃସିଂହ ଭ୍ରମର, କଣ୍ଠଦାସ, ଗୋବିନ୍ଦଦାସ, ଅଭିମନ୍ୟୁ ପ୍ରମୁଖଙ୍କ ବୋଲି କାବ୍ୟ ମଧ୍ୟରେ ଗାଥାଧର୍ମୀ ଚାରଣକାବ୍ୟତାର ସୂଚନା ମିଳୁଥିଲେ ବି ଚାରଣ କବିତ୍ୱର ଫ୍ରଳପ୍ରସୂ ‘ଗାଥାକବିତା’ର ଯଥାର୍ଥ ପ୍ରସାର ଓ ବିଳାସ ଇଂରେଜୀକବିତା- ସଂଯୋଗୀ ମାନସିକତା କ୍ରମେ ଆଧୁନିକ ଓଡ଼ିଆ କବିତା ଧାରାରେ (୧୮୮୫ - ୧୯୨୫ ମଧ୍ୟରେ) ସଂଭବ ହୋଇଛି । ଇଂରାଜି ବାଲାଡ଼ (Ballad) ପଦ୍ୟପ୍ରଜାତିର ଅନୁସରଣରେ ଆମ କବିଏ ଆଧୁନିକ ହେବାକୁ ଯାଇ ଅନ୍ୟତମ କବିତା- ପ୍ରକରଣ (Poetic form) ରୂପେ ଗାଥା ଗୀତରଚନାର ପଦ୍ଧତିକୁ ବରଣ କରିଛନ୍ତି । କ୍ଷୁଦ୍ର ପରିସରରେ କାହାଣୀ ଆଶ୍ରିତ କବିତା ରଚନାର ନୂତନ ଆଙ୍ଗିକର ଅନୁବର୍ତ୍ତନ କରିବାକୁ ଯାଇ ପ୍ରଥମେ ରାଧାନାଥ ‘ପ୍ରତାପରୁଦ୍ରଦେବ’ ଓ ‘ତିନିବନ୍ଧୁ’ କବିତାଦ୍ଵୟରେ ଗାଥାଗୀତିକାର ଭିତ୍ତିସ୍ଥାପନ କରିଛନ୍ତି । ସାଧାରଣତଃ ଗାଥାଟିଏ କବିତାରୂପକ ହୋଇ ଆତ୍ମପ୍ରକାଶ କଲେ ତାହା ‘ଗାଥାକବିତା’ ହୁଏ । ଗାଥାଟିର ସୃଷ୍ଟି-ସଂଚାର-ସଂବେଦନ ସମୂହ ବିଶ୍ୱାସକୁ ଅବଲମ୍ବନ କରୁଥିବାରୁ ‘ଗାଥାକବିତା’ କବିର ବସ୍ତୁନିଷ୍ଠ ଭାବାନୁଭୂତିର କବିତା ରୂପେ ଆତ୍ମପ୍ରକାଶ କରିଥାଏ । ଭଲ ଗାଥାକବିତାର କଳାତ୍ମକ ଲକ୍ଷଣ ହେଉଛି - ଗୀତିଧର୍ମିତା+ ନାଟକୀୟତା+ କାହାଣୀଧର୍ମିତା । ଏ ଦିଗରୁ ରାଧାନାଥଙ୍କ କବିତାଦ୍ୱୟରେ ଦୁର୍ବଳତା ରହିଯାଉଥବାରୁ ଏ ଉଭୟ ପ୍ରକୃତ ଗାଥାକବିତା ହେବା ଅପେକ୍ଷା ଗାଥାଶ୍ରିତ ପଦ୍ୟରଚନା ହୋଇଯାଇଛି । ବରଂ ଗୋବିନ୍ଦରଥ (୧୮୪୮-୧୯୧ ୮) ରଚିତ ହରିଆତନ୍ତୀ, ଆଶା, ହରିଛୋଟରା, ଘୋଡ଼ାଡିମ୍ୱ ଓ ମଧୁସାହୁ ଇତ୍ୟାଦି ଚରିତ୍ରଧର୍ମୀ ରଚନାକୁ ଭିତ୍ତିକରି ଓଡ଼ିଆ ସାହିତ୍ୟିକ ଗାଥାକବିତାର ଯଥାର୍ଥ ସଂଘଟନା ଆରମ୍ଭ ହୋଇଛି । ପରେପରେ ଆଧୁନିକତାର ପ୍ରାକ୍‌ପର୍ଯ୍ୟାୟରେ ଫକୀରମୋହନଙ୍କ ‘ତାରାବାଈ, ଜଗାଇମାଧୋଇ, ରାମରଥ ଗାଥା’, ଗଙ୍ଗାଧରଙ୍କ ‘ବଳରାମ ସିଂହ’, ନନ୍ଦକିଶୋରଙ୍କର ‘ଏକଲବ୍ୟ, କିସା ଗୌତମୀ, ତଅପୋଇ’, ପଦ୍ମଚରଣଙ୍କ ‘ବୁଦ୍ଧଦେବଙ୍କ ଉପଦେଶ’, ବ୍ରଜମୋହନଙ୍କ ‘ତୁଳସୀ’, କୃଷ ମୋହନଙ୍କ ‘ସାବିତ୍ରୀ’, ଶୈବ୍ୟା’ ଇତ୍ୟାଦି କବିତା ନାଟକୀୟତା, ଉକ୍ତି ପ୍ରତ୍ୟୁକ୍ତି ଓ କଥନୋକଣ୍ଠା ଆଦିକୁ ଆଶ୍ରୟ କରି ଗାଥାରଚନାର ଧାରାକୁ ସକାରାତ୍ମକ ବେଗ ପ୍ରଦାନ କରିଛି । ଏହି ଧାରାରେ ଉତ୍କଳମଣି ଗୋପବନ୍ଧୁଙ୍କ ରଚିତ ‘ଧର୍ମପଦ’ ଗାଥାକବିତାଟି ଜାତୀୟ ଚରିତ୍ର, ଜାତୀୟ ଆଦର୍ଶ, ଜାତୀୟସ୍ପନ୍ଦନ ସୃଷ୍ଟି କରିବାର ଏକ ସାହିତ୍ୟିକ ପ୍ରତୀକ ରୂପେ ପ୍ରତିଭାତ ହୋଇଉଠିଛି । ଧର୍ମପଦର ସଫଳତାକୁ ସମାନ୍ତରାଳ କରି ଏକ ଅଭିଜାତ ପରମ୍ପରାର ସଫଳମାର୍ଗ ନିର୍ମାଣ କରିଛି ହିଁ ସତ୍ୟବାଦୀର ଐତିହ୍ୟ ଭାବପ୍ତବୋଧନକାରୀ କବି ଗୋଦାବରୀଶଙ୍କ ରଚିତ ‘ଆଲେଖିକା’ । କଳାପାହାଡ଼, ଗାଲୁମାଧବ, କାଳିଜାଈ ଓ ଦୁଃଖୀଧନ ଇତ୍ୟାଦି ଗାଥାକବିତାକୁ ଅଙ୍ଗୀଭୂତ କରିଥିବା ଗାଥାଗୀତି ସଂକଳନ ‘ଆଲେଖିକା’ ଯଥାର୍ଥରେ ଓଡ଼ିଆ ଜାତିର ଓ ସାଂସ୍କୃତିକ ଐତିହ୍ୟବୋଧର ଚାରୁ ଆଲେଖ୍ୟ । ଏହାର ପ୍ରତିଟି କବିତା ଓଡ଼ିଆ ଜନଜୀବନର ମାର୍ମିକ ଚିତ୍ରଲିପି । ସ୍ଥାନୀୟତା ଓ ମହାଭାରତୀୟତା ପରିସରରୁ ଓ ଜାତିର ଐତିହ୍ୟରସାୟନୀ ଚିତ୍ତଲୋକରୁ କାହାଣୀ ନିର୍ଚାଚନ କରି ରମଣୀୟ ପ୍ରକାଶଭଙ୍ଗୀ, କମନୀୟ କବିତ୍ଵ, ଆବେଗ ଉଦ୍ରେକକାରୀ ଶାବ୍ଦିକତା, ନାଟକୀୟ ଉପସ୍ଥାପନା, ଆକସ୍ମିକ ଉତ୍କଣ୍ଠାର ବିନ୍ୟାସ ମାଧ୍ୟମରେ ଗୋଦାବରୀଶ ଆଧୁନିକ-କବିତା- ବେଳାଭୂମିରେ ଚାରଣସଂଗୀତର ବର୍ଣ୍ଣିଳ ଧାରାଟିଏ ସୃଷ୍ଟି କରିପାରିଛନ୍ତି । ଏହି ପରମ୍ପରାର ଧାରାରେ ଯୋଡ଼ି ହୋଇଯାଇଛି- କାଳିନ୍ଦୀଚରଣଙ୍କ ‘ଗାନ୍ଧାରୀର ଆଶୀର୍ବାଦ, ଅମର ଶହୀଦ’, ବୈକୁଣ୍ଠନାଥଙ୍କ ‘କିସାଗୌତମୀ, ଅମ୍ୱାପାଳୀର ଉତ୍‌କଣ୍ଠା’, ମାନସିଂହଙ୍କ ‘କଣ୍ଟକାଚ, ସାଧବଝିଅ’, କୁଞ୍ଜାବିହାରୀଙ୍କର ‘ନବମାଳିକା, ଦଧିଚି’, କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ‘ଆହୁତି, ପାଇକବଧୂର ଉଦ୍‌ବୋଧନ’, ଗୋପାଳଚନ୍ଦ୍ରଙ୍କ ‘ରଘୁଦିବାକର’, ଜ୍ଞାନୀନ୍ଦ୍ରବର୍ମାଙ୍କ ‘କଲରେଇଫୁଲ’.... । ଏହି ବିଭବଶାଳୀ ନବୀନ ପରମ୍ପରାରେ ଏକମାତ୍ର ରାଧାମୋହନ ଗଡ଼ନାୟକ ଆଧୁନିକ ଚାରଣକବିର ମାନ୍ୟତା ଦାବୀ କରନ୍ତି ଏବଂ ଭାବବିହ୍ୱଳ ଓଡ଼ିଆ ପାଠକୀୟ ବିଚାରବତ୍ତା ତାଙ୍କୁ ଜାତୀୟ ‘ଗାଥାକବି’ ର ସମ୍ମାନରେ ସ୍ମରଣ ରଖିଛି ।

 

ୟୁରୋପୀୟ ସାହିତ୍ୟଶାସ୍ତ୍ରୀଙ୍କ କୋଷୀୟ ବିଚାରରେ ଚାରଣକବିର ପ୍ରତିଶବ୍ଦ ହେଉଛି- ବାର୍ଡ଼/ପୋଏଟ- ସିଙ୍ଗର (Bard/poet-singer) । ଏହାର ଅର୍ଥ ହେଉଛି - ‘କଅଁଳଢ଼ଙ୍ଗରେ ସୃତିଚାଟୁକାରିତା ସହିତ ଯଶଗାଥାଗାନ କରୁଥିବା ଭାଟ ।’ ମୂଳ ସ୍କଟିସ୍‌ ଇଂରାଜୀ ଶବ୍ଦ ‘ବାରଡୋଜ’ (Bardoj)ରୁ ଏହି ବାର୍ଡ଼ ଶବ୍ଦଟି ଆଗତ । ଏହାର ଅର୍ଥ କାହାଣୀମୂଳକ ବା କାହାଣୀକୁହା ଲୋକଗୀତ । ଇଂରାଜିରେ ବାର୍ଡ଼ ଶବ୍ଦଟି ଚାରଣକବି ବା ବୁଲିବୁଲି ଯଶବାର୍ତ୍ତା ପ୍ରଚାର କରୁଥିବା ଓ କାହାଣୀଗୀତ ଶୁଣାଉଥିବା କବିଗାୟକ ଅର୍ଥରେ ବ୍ୟବହୃତ ହୋଇଛି । କବିଗାୟକ ସ୍ଵୟଂ ଗାଥାଟିକୁ କବିତା ଆକାର ଦେଇଥାଆନ୍ତି ଓ ଗାନ କରି ଶୁଣାଇଥାଆନ୍ତି । କେତେକ କ୍ଷେତ୍ରରେ କେବଳ ଗାୟନବୃତ୍ତିରେ ଗାଥାଟିକୁ ସାହିତ୍ୟିକ ରୂପ ଦେଇଥିବା ସ୍ରଷ୍ଟାଙ୍କୁ ବି କବିଗାୟକ ଭାବରେ ବିଚାର କରାଯାଇଥାଏ । ସପ୍ତଦଶ ଶତାବ୍ଦୀବେଳକୁ ଐତିହ୍ୟକଥାର ଗାୟକଙ୍କୁ ‘ବାର୍ଡ଼’ ବା ଚାରଣକବି ଭାବରେ ଗ୍ରହଣ କରାଯାଇଛି । ମାତ୍ର ଚାରଣକବିତା ବା ଗାଥାକବିତା ପାଇଁ ଇଂରାଜିରେ ବ୍ୟବହୃତ ବାଲାଡ଼୍‌ (Ballad) ଶବ୍ଦଟିର ମୂଳ ହେଉଛି- ଗ୍ରୀକ୍‌ଶବ୍ଦ ବାଲି ଜେଁ (Ballizein) ଓ ଲାଟିନ ଶବ୍ଦ ‘ବାଲାରେ’ (Ballare) । ଜର୍ମାନ, ଫାନ୍‌ସ ଓ ଇଟାଲୀରେ ପାରମ୍ପରିକ ଲୋକସଂସ୍କୃତିରେ ନୃତ୍ୟଧର୍ମୀ ମେଳିଗୀତ ଭାବରେ ‘ବାଲ୍‌’ (Ball) ର ପ୍ରଚଳନ ହେଉଥିଲା । ଷୋଡ଼ଶ ଶତାବ୍ଦୀଠାରୁ ଏହି ‘ବାଲ୍‌’ କଳାଚାତୁରୀକୁ ଆଧାର କରି ନୃତ୍ୟ+ଗୀତ+କଥନୀ ମିଶ୍ରିତ ‘କଥାଭିନୟାତ୍ମକ କବିତା’ (Poem with dramatic story element) ର ବିକାଶ ଓ ପ୍ରସାର ଘଟିଛି । ଗ୍ରୀକ୍‌ରେ ମେଳିନାଚଗୀତ ମାଧ୍ୟମରେ ବୁଲିବୁଲି ଗାନ କରାଯାଉଥିବା ଉଦ୍‌ବୋଧନୀମୂଳକ ‘ବାଲିଜେଁ’ ତା’ର ନାଟ୍ୟଧର୍ମ, ସଂଗୀତଧର୍ମ ଓ କଥନଧର୍ମକୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପରିହାର କରି ନାହିଁ । ଏ ଦୃଷ୍ଟିରୁ ‘ବାର୍ଡ’ର ସଂଗୀତ ପରମ୍ପରା, ‘ବାଲିଜେଁ’ର ନୃତ୍ୟଗାଥା ପରମ୍ପରା ଓ ଲାଟିନ କଥନୀଗୀତିର ‘ବାଲାରେ’ ଶୈଳୀଠୁଁ ପ୍ରକରଣକୌଶଳ ଅନୁସରଣ କରି ଆଧୁନିକ ଚାରଣଗୀତ ବା ଗାଥାକବିତାର (Ballad) ଉନ୍ମେଷ ଘଟିଛି । ଇଂରାଜୀ- ଶିକ୍ଷା ଓ ସାହିତ୍ୟ ସଂସର୍ଗହେତୁକ ଆଧୁନିକ ଓଡ଼ିଆ ପଦ୍ୟଧାରାରେ ବାଲାଡ଼ର ଅବିକଳ ଲକ୍ଷଣ ଉପସ୍ଥିତ ରହିଛି । ଏହି ମର୍ମରେ ଚାରଣକଚିର ଏ ଚାରଣକବିତା ଲେଖିବାର କେତୋଟି ମାଧ୍ୟମ, ଉପାୟ ଓ ବୈଶିଷ୍ଟ୍ୟ ଉତ୍‌ଥାପନଯୋଗ୍ୟ :

 

୧.

ଶ୍ଳେଷରହିତ ନିଷ୍କପଟ ଶାବ୍ଦିକବିନ୍ୟାସ ମଧ୍ୟରେ କମନୀୟ ଢଙ୍ଗରେ ସମୂହ ଆବେଗବିଶ୍ୱସ୍ତ କାହାଣୀଟିଏ କବିତା ରୂପରେ ଶୁଣାଇବା ।

୨.

କବିତାର ଭାବବୃତ୍ତ ନିର୍ମାଣରେ କାହାଣୀଟିଏ ସାଧାରଣ ଘଟଣାକୁ ନେଇ ଆକସ୍ମିକତାର ସହିତ ଆରମ୍ଭ ହେବ, ଆବେଗିକ ଗତିଶୀଳତାର ଧର୍ମକୁ ମାନି ଉକ୍ତିପ୍ରତ୍ୟୁକ୍ତି ଛଳରେ ଗତିଶୀଳ ହେବ, ଗତି ଧର୍ମରେ ନାଟକୀୟ ଉତ୍କଣ୍ଠା ରହିବ ଏବଂ ପରିଣତିରେ ଅସାଧାରଣ ଦୃଷ୍ଟାନ୍ତଧର୍ମ ଆବେଦନରେ କାହାଣୀଟି ଘଟଣା ଭିତରେ ଲୁଚି ରହିଥିବା ତାତ୍ପର୍ଯ୍ୟକୁ ଉଦ୍‌ବୋଧିତ କରୁଥିବ ।

୩.

ଆରମ୍ଭରୁ ଶେଷଯାଏ ଗାଥାଟିର ପ୍ରବାହଚାତୁରୀ ଛାନ୍ଦସିକ ସଂଚାରବୃତ୍ତିକୁ ମାନିଥିବ ।

୪.

ଜାତୀୟଜୀବନ ଓ ସାମୂହିକ ଅବଚେତନରେ ଥିବା ସହଜାତ ଗୁଣାବଳୀକୁ ଏବଂ ନିର୍ଦ୍ଦିଷ୍ଟ ଗାଥା ପ୍ରତି ଥିବା ସମ୍ବେଦନାକୁ ତରଙ୍ଗାୟିତ କରିଦେଇପାରୁଥିବା ଉତ୍‌ଥାନ ପତନଧର୍ମୀ ଛନ୍ଦର ଆଶ୍ରୟ ନିଆଯିବ ।

ଉତ୍ସାହ, ଉଦ୍ଦୀପନା, ପ୍ରବୋଧନ, ପୁଲକ ସଂଚାର, ଶାନ୍ତ୍ୱନା, ଆଶା, କାରୁଣ୍ୟ, ବୀରତ୍ୱ, ମିଳନ, ପ୍ରେମ, ବିଜୟ, ପରାଜୟ, ଆତ୍ମୋତ୍ସର୍ଗ ଆଦି ମଧୁର ଓ ମହତ ଭାବ ସଂଚାର କରିପାରୁଥିବା କାହାଣୀଗୁଡ଼ିକୁ ଚାରଣକବିତାର ପ୍ରତିପାଦ୍ୟ ବିଷୟ ଭାବରେ ନିର୍ବାଚନ କରାଯାଇଥିବ ।

୬.

ଆକସ୍ମିକ ଭାବରେ ଘଟଣାକ୍ରମର ବଖାଣରେ ପାଠକକୁ ଚମତ୍କୃତ କରିଦେବା ଭଳି ପାଠକର ଧାରଣା ବାହାରର ସତ୍ୟ ଓ ସୂଚନା ଗ୍ରନ୍ଥିତ ହୋଇଥିବ ।

ଅତୀତର ଜନପ୍ରିୟଗାଥା ଅଥବା ବର୍ତ୍ତମାନର ଗଣମାନସକୁ ଆନ୍ଦୋଳିତ କରିଥିବା ସଦ୍ୟତମ ଘଟଣାକୁ ଉନ୍ନତ- ଉତ୍‌ଫୁଲ୍ଲନଧର୍ମୀ (ଭତ୍ତରିତ) ଅର୍ଥରେ (more-relevated meaning) ସ୍ଫୀତିକୃତ କରି ରୂପାୟଣ କରାଯାଇଥିବ ।

୮.

ଇତିହାସ, ପୁରାଣ, ଜନଶ୍ରୁତି ଓ ଲୋକଜୀବନରୁ କାହାଣୀ ଆଣିଥିଲେ ବି ତାହାକୁ ଧରାବନ୍ଧା ଧାରଣାଠାରୁ ବିଚ୍ୟୁତ କରି ନବନ୍ୟାୟରେ (New-poetic-justice) ଅବତାରଣା କରିବା ଅଧିକ ଗୁରୁତ୍ଵପୂର୍ଣ୍ଣ ।

୯.

କାହାଣୀଚିଏ କବିତା ଆକୃତି ପାଇବା, କବିତା ଆକୃତିରେ ଆବୃତ୍ତିମୂଳକ ଛାନ୍ଦସିକ ଚାତୁରୀ ରହିବା, ଚାତୁରୀଟି ନାଟକୀୟ ସଂରଚନାକୁ ଆଦରିନେବା ଗାଥାକବିତାର ବୈଶିଷ୍ଟ୍ୟ । ମାତ୍ର ଏସବୁକୁ ଅବଲମ୍ବନ କରି ଶ୍ରୋତା ବା ଗ୍ରହୀତା ହୃଦୟରେ ଗାଥାର ନିରୁତା ସତ୍ୟକୁ (ଯାହାପାଇଁ ତାହା ବିସ୍ମୃତିଗର୍ଭକୁ ନ ଯାଇ ସମୂହ ଅବଚେତନରେ ବଞ୍ଚି ରହିଛି) ସଂଚାର କରାଇଦେବା ସର୍ଜନ ଉଦ୍ଦେଶ୍ୟ ହେବ ।

୧୦.

ଗାଥା କବିତାଟିଏ ରଚିବା ଅର୍ଥ ଶବ୍ଦମାନଙ୍କୁ କୋମଳ ଇଙ୍ଗିତରେ ନୃତ୍ୟଚପଳ କରିଦେବା ଓ ନାଟକୀୟ ଆବେଦନରେ ପୂର୍ବରୁ ଜଣାଶୁଣା ସ୍ମୃତିଗାଥା, ରୂପଗାଥା, କୀର୍ତ୍ତିଗାଥା ଓ ଲୋକଗାଥାକୁ ବଖାଣି ଜୀବନ ବଂଚିବାର ମାନ୍ତ୍ରିକସୂତ୍ର ଶୁଣାଇବା, ଦେଖାଇବା ଓ ବୁଝାଇବା ସହିତ ସମାନ ।

୧୧.

କାବ୍ୟିକ ଗାଥାନୁଭୂତି ପାଠକ/ଶ୍ରୋତା ନିଜସାମ୍ନାରେ ନୃତ୍ୟବତ୍‌ ଦେଖିପାରିବ, ସଂଗୀତ ପରି ଶୁଣିପାରିବ, କାହାଣୀ ପରି ସ୍ମୃତିରେ ରଖିପାରିବ, ଲୋକବେଦ ଭଳି ଜୀବନଯାତ୍ରାପଥରେ ଦୃଷ୍ଟାନ୍ତ ରୂପେ ଆବୃତ୍ତି କରିପାରିବ- ଏଥିପ୍ରତି ସଚେତନ ରହି ପ୍ରୀତିକର, ଶ୍ରୁତିସୁଖଦ, ନୃତ୍ୟବିକଳ୍ପ ଗଢ଼ଣଭଙ୍ଗୀରେ ଗାଥାକବିତାଟି ବଳସି ଉଠିବ ।

 

ଓଡ଼ିଆ କବିତାର ସୁଦୀର୍ଘ ପରମ୍ପରାରେ କେହିବି କେବେବି କେଉଁ ହେତୁରୁ ଯଦି ଜଣେ ନିତ୍ୟନୂତନ ଚାରଣକବିଙ୍କୁ ମନେ ପକାଏ, ତେବେ ସେକ୍ଷେତ୍ରରେ ରାଧାମୋହନ ଗଡ଼ନାୟକଙ୍କ ବ୍ୟତୀତ ପ୍ରଥମେ ସ୍ମରଣମଂଚକୁ ଆଉ କେହି ବି ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମ ସାହିତ୍ୟ ଆଖଡ଼ାଶାଳାରୁ ବାହାରି ଆସିବାର ଆସ୍ପର୍ଦ୍ଦା କରିବେ ନାହିଁ । ଏ କାରଣରୁ ରାଧାମୋହନଙ୍କୁ ଜାତୀୟ ଭାବବାଦୀ ଚାରଣକବିରୂପେ (ବା ଗାଥାକବି) ଗଣପ୍ରସିଦ୍ଧି ମିଳିପାରିଛି । ତାଙ୍କ ସାଧନା ଓ ପ୍ରୟାସ ଆମ ମାଟି, ଆମ ପୁରାଣ, ଆମ ଜନଶ୍ରୁତି, ଆମ ଦେବାନେବା ଆମ ସହରପୁରୁଷ, ଆମ ବାସନାପଣ, ଆମ ଆଶା- ପ୍ରାର୍ଥନା - କରୁଣ, ଆଦି ସଦ୍ଦିଚ୍ଛାବୋଧର ମହତ୍ତମ ଦିଗଗୁଡ଼ିକ ହିଁ ଚାରଣାୟିତ କରିପାରିଛି । ତାଙ୍କ କବିତ୍ୱ ଯେତିକିଯେତିକି ନୂଆରୀତିରେ ନୂଆ ଦୃଷ୍ଟିରେ ଆମ ବିଶ୍ଵାସ, ଲୋକାଚାର, ସ୍ଥାନୀୟତାର ଗରିମା ଓ ସାଂସ୍କୃତିକ ଆଭିମୁଖ୍ୟକୁ (Mass-Cultural intution and instinct) ତାଙ୍କ କାବ୍ୟାନୁଭୂତିରେ ସମଭାଗୀ କରିଛି, ଆମ ପାଠକୀୟତା ମଧ୍ୟ ତଦନୁରୂପ ତାଙ୍କ କାବ୍ୟବିଚାର ଓ କବିଦୃଷ୍ଟି ସହିତ ସଶ୍ରଦ୍ଧ ଅଂଶୀଦାର ହୋଇ ଅସ୍ମିତାଲୋଡ଼କ ହୋଇପାରିଛି । ସଂକ୍ଷେପରେ ଗୋଟିଏ କ୍ଷୁଦ୍ର ସ୍ଥାନୀୟତାର ପୁରାଣ, ଇତିହାସ, ଲୋକଗାଥା, ମହତଜନଜୀବନ ଓ ସମକାଳୀନ ଘଟଣା ଅନ୍ୟ କୌଣସି ଓଡ଼ିଆକବିଙ୍କ ଲେଖନୀରେ ତାଙ୍କପରି ସୌଭାଗ୍ୟର ପ୍ରସଙ୍ଗ ହୋଇ ରୂପ ପାଇପାରି ନାହିଁ କି ଆଞ୍ଚଳିକତାର ପାଚେରୀ ଡେଇଁ ବିଶ୍ଵ ଅଗଣାରେ ପହଞ୍ଚି ପାରି ନାହିଁ ।

 

(ଚାରି)

 

ବିପ୍ଳବୀ ରାଧାନାଥ, କାବ୍ୟନାୟିକା, ଉତ୍କଳିକା, ନବଜାତକ, ସ୍ମରଣିକା, ମୌସୁମୀ, କୈଶୋରିକା, ପଶୁପକ୍ଷୀର କାବ୍ୟ, ଧୂସର ଭୂମିକା, ଶାମୁକାର ସ୍ଵପ୍ନ, ବନରାଜିଲୀଳା, ଦୀପଶିଖା, ଗାନ୍ଧୀଗାଥା, ସୂର୍ଯ୍ୟ ଓ ଅନ୍ଧକାର, ଅବାଚୀର ତାରା, ବାଇଆର ଗୀତ, ନୂତନ ଦୌପଦୀ, ମାଳିନୀ ନଦୀର ଢେଉ... ଏପରି ୪୯୦ରୁ ଉର୍ଦ୍ଧ୍ୱ ରଚନାସଂଭାରରେ ସମୃଦ୍ଧ ରାଧାମୋହନଙ୍କ ଗାଥା କବିତାଜଗତ । ଏସବୁକୁ ନେଇ ଓଡ଼ିଆ କାବ୍ୟଧାରା ବି କମ୍‌ ବର୍ଣ୍ଣାଢ଼୍ୟ ହୋଇନାହିଁ । ୧୯୨୪ରୁ ୧୯୯୪-ଦୀର୍ଘ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ଗଡ଼ନାୟକଙ୍କ ସାଧନା ଓଡ଼ିଆ କବିତାକୁ ନୂତନ ଆଭିମୁଖ୍ୟରେ ଭାବମୟୀ ଓ ରୂପମୟୀ କରିପାରିଛି । ଓଡ଼ିଆ କବିତା ଆତ୍ମକଥନ ଧର୍ମରେ, ସ୍ୱଗତ ସଂଭାଷଣ ରୀତିରେ, ରୂପକାତ୍ମକ ଗଢ଼ଣ ଚାତୁରୀରେ, ପ୍ରତୀକାତ୍ମକ ଆଭାସଗୁଣରେ, ଆଭିବ୍ୟକ୍ତିକ ବାସ୍ତବତାର ସୂକ୍ଷ୍ମତାରେ, ଆଲୋକୋପମ ଦୀପ୍ତିରେ, ଛାନ୍ଦସିକତାର ଦ୍ୟୁତିରେ ଏବଂ ପ୍ରଥାସିଦ୍ଧ ବୃହତ ବ୍ୟାଖ୍ୟାନର ଅର୍ଥନିଷ୍ପତ୍ତିକୁ ବଳାଇଦେଇ ବିନିର୍ମାଣୀ କରିବାର ଚମତ୍କାରିତାରେ ନୂଆ ହୋଇଉଠିଛି । ଗୀତିକବିତ୍ୱର ସରସତା, ଗାଥାକବିତ୍ୱର ନାଟକୀୟତା, ରୂପକ କବିତାର ଦୃଶ୍ୟଶୀଳତା, ସମ୍ବୋଧ କବିତାର ସଂଭାଷଣଚାତୁରୀ, ଆଭାସ କବିତାର ଇଙ୍ଗିତାତ୍ମକ ଚିତ୍ରବୋଧତା ଓ ଚତୁର୍ଦ୍ଦଶପାଦୀ କବିତାର ବକ୍ତବ୍ୟଧର୍ମିତା- ସବୁଗୁଡ଼ିକ ଏକ ସଂଯୋଗିତ ରସାୟନୀ ବ୍ୟାପାରରେ ତାଙ୍କ ସୃଜନ ନୈପୁଣ୍ୟରୁ ମିଳିଥାଏ, ଯାହା ଓଡ଼ିଆ କବିତାକୁ ବିଲକ୍ଷଣ କ୍ରମୋନ୍ନତି ପ୍ରଦାନ କରିଛି ।

 

‘ରାଧାନାଥ- ସତ୍ୟବାଦୀ- ସବୁଜ- ପ୍ରଗତି’ ସବୁଙ୍କୁ ମିଶାଇ ସେ ତାଙ୍କ ସମକାଳରେ ସର୍ବାଧୁନିକ କବିତା ରଚନା- ପ୍ରବିଧିରେ ଅନୁବର୍ତ୍ତନ କରିଛନ୍ତି । କୌଣସି ଧାରା ପାଖରେ ଆତ୍ମସମର୍ପଣ କରି ନାହାନ୍ତି କି କାହାରି ପାଖରୁ ମନ୍ତ୍ରଦୀକ୍ଷା ନେଇ ନାହାନ୍ତି । କୌଣସି ଧାରା ତାଙ୍କୁ ନିୟନ୍ତ୍ରଣ କରିପାରି ନାହିଁ । ପ୍ରତିଟି ଧାରାର ମହତ୍ତମ ବୈଚିତ୍ର୍ୟକୁ ସେ ଆଣି ପ୍ରପାନୀକୟ ପ୍ରକ୍ରିୟାରେ ପରଶି ଦେଇଛନ୍ତି, ଯାହାର ସ୍ଵାଦ କେବଳ ଗଡ଼ନାୟକୀୟ ହୋଇପାରିଛି । ପାଠକ ପସନ୍ଦର ଶୀର୍ଷରେ ଥିବା ତାଙ୍କ କବିତ୍ୱ ପ୍ରେମଚେତନାକୁ ଗ୍ରହଣ କରିଛି, ମାତ୍ର ତହିଁରେ ମାନସିଂହୀୟ ଭାବପ୍ରବଣତା କି ସବୁଜୀୟ ସ୍ଵପ୍ନପ୍ରବଣତା ଅଥବା ରାଧାନାଥୀ ଇନ୍ଦ୍ରିୟ ଗ୍ରାହିତାର ବାସନା ନାହିଁ । ତାହା ସାଂସ୍କୃତିକ ସୁଗନ୍ଧିକାରେ (Ethical-aesthetic-appeal) ପାଠକକୁ ଆବୋରି ବସିଛି । ତହିଁରେ ସୌନ୍ଦର୍ଯ୍ୟ ଓ ପରମକୁ ନେଇ ଅଲୌକିକ ଇନ୍ଦ୍ରିୟୋତ୍ତର ଅନୁଭୂତିର ଚମକ ବି କମ୍‌ ବିକଳ୍ପିଉଠୁନି ।

 

ତାଙ୍କ କବିତାର ଅନ୍ତର୍ବୋଧରେ ଐତିହ୍ୟ ସଂପ୍ରୀତି ରହିଛି । ଏ ଦିଗରୁ ସେ ଉଭୟ ଉତ୍କଳୀୟ ଓ ଭାରତୀୟ ଅସ୍ମିତାକୁ ଭାବସଂଚାରର ମାଧ୍ୟମ କରିଛନ୍ତି । ଏ ପ୍ରକାର କବିତ୍ୱ କ୍ରୀଡ଼ାରେ ସେ ରାଧାନାଥଙ୍କ ପରି ସ୍ମୃତିଚାରଣ, ପଦ୍ମଚରଣଙ୍କ ପରି ଉଦ୍‌ବୋଧନ, ମାୟାଧରଙ୍କ ପରିରୂପକଳ୍ପୀୟ ଆରୋପଣର ତରିକାକୁ ଗ୍ରହଣ କରି ନାହାନ୍ତି । ଏପରିକି ଉତ୍କଳ ଗୌରବ ଓ ଉତ୍କଳମଣିଙ୍କ ଭଳି ଉଗ୍ର ଜାତୀୟତାବାଦୀ ଓ ପ୍ରଚାର ସର୍ବସ୍ଵ ମାନସିକତା ଦ୍ଵାରା ଆକ୍ରାନ୍ତ ଓ ଆସକ୍ତ ହୋଇ କଳାତ୍ମକତାଠାରୁ ଘୁଞ୍ଚି ଯାଇନାହାନ୍ତି । ସମକାଳୀନ ମୁକ୍ତିସଂଗ୍ରାମ ଦ୍ଵାରା ପ୍ରୋତ୍ସାହିତ ହୋଇ ଜାତୀୟତାବାଦୀକବିଙ୍କ ପରି ଜ୍ଞାପକପ୍ରବଣତା ପ୍ରଦର୍ଶନପୂର୍ବକ ନିଜର ସ୍ୱଚ୍ଛଳ ଓ ସ୍ଵଚ୍ଛନ୍ଦରେ କବିନିଷ୍ଠାକୁ ଉତ୍ସର୍ଗ କରି ଦେଇ ନାହାନ୍ତି । ତାଙ୍କ ଜାତୀୟତାବୋଧର କବିତା ଐତିହ୍ୟର ଗୌରବଗାନ କରିବା ସମୟରେ ପ୍ରବୋଧତଗୁଣରେ ଉର୍ଦ୍ଧ୍ୱଧାୟତନର ମୂର୍ତ୍ତିକାଦର୍ଶୀ କବିତା (Evocative poetry of nativic-sublimation) ହୋଇପାରିଛି । କଳା ଓ ପ୍ରୟୋଜନ ଭିତରେ ତାଙ୍କ ସ୍ରଷ୍ଟାତ୍ୱ ସନ୍ଧି ସ୍ଥାପନ କରି କଳାଗର୍ଭରେ ପ୍ରୟୋଜନକୁ ଅନ୍ତଃଗର୍ଭିତ କରିଦେଇ କବିତାକୁ ପ୍ରଦର୍ଶନୀ ଲକ୍ଷଣରେ ଉଭା କରାଇଦେଇଛି । ଏହାଦ୍ଵାରା କାବ୍ୟଭାବର ବସ୍ତୁକରଣ ଘଟିଛି, କବିତାଟିର ସଂସ୍କୃତୀକରଣ ଘଟିଛି ଓ ଆବେଦନ ଦିଗରୁ କବିତାଟି ପାଠକଠାରେ ଜାତୀୟଜାଗୃତି ଖେଳାଇ ଦେଇଛି ।

 

ତାଙ୍କ କବିତା ବାସ୍ତବତାର ଅସ୍ଵୀକାର ନ କରି ବି ରୋମାଣ୍ଟିକ୍‌ ଉତ୍ତାପର ହୋଇପାରିଛି । ସେହିପରି ପ୍ରକରଣରେ ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁନିଷ୍ଠ ଉଷ୍ଣତାର ଶବ୍ଦ ସ୍ଥାନ ପାଇଥିଲେ ବି ଆବେଗିକ ସମ୍ବେଦନା ଅପେକ୍ଷା କବିତା ବାସ୍ତବବାଦୀ ଆବେଦନର ହୋଇପାରିଛି । ଗଡ଼ନାୟକଙ୍କ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ଭିତରେ ସଚ୍ଚିଦାନନ୍ଦୀୟ ସାମାଜିକ ଦାୟବଦ୍ଧତା ଓ ଅନନ୍ତୀୟ (ଅନନ୍ତ ପଟ୍ଟନାୟକ) ବୈପ୍ଳବିକ ସମତାବୋଧ ରହିଛି । ମାତ୍ର ତାହା ଧର୍ମ, ଶାସ୍ତ୍ର, ଦେବତା, ପରମ୍ପରା, ଐତିହ୍ୟ ଓ ଇତିହାସ ବିରୋଧୀ ପ୍ରତିକ୍ରିୟାର ପରିଣାମ ରୂପରେ ଆତ୍ମପ୍ରକାଶ ନ କରି ମାନବୀୟ ସୌହାର୍ଦ୍ଦ୍ୟ ଓ ଶିବସଂକଳ୍ପୀ କଲ୍ୟାଣବୋଧର ମେଦିନୀ ଦୃଷ୍ଟିକୁ ଅଙ୍ଗୀକାର କରିଛି । ତାଙ୍କ କବିତାରେ ଶିଷ୍ଟାଶିଷ୍ଟ ଭେଦନୀତିଟିର ରୁକ୍ଷତା ଓ ବିବର୍ଣ୍ଣତା ଉତ୍ସବାୟିତ ସୌନ୍ଦର୍ଯ୍ୟରେ ପ୍ରତିଭାତ ହୋଇଉଠିଛି । ବିଶିଷ୍ଟ କୋଳରେ ଅଶିଷ୍ଟ, ଅସାଧାରଣ କାନ୍ଧରେ ସାଧାରଣ (କପିଳେନ୍ଦ୍ର ପାଖରେ କପିଳାର ଗାଇଆଳ ବଇଁଶୀ ପରି) ଓ ବୃହତ୍ତର ମେଳିରେ କ୍ଷୁଦ୍ରତ୍ତରର ଶୋଭନୀୟ ଉପସ୍ଥିତିକୁ ତାଙ୍କ କବିତାପିଣ୍ଡିରେ ଦେଖି ହୋଇଯାଏ ।

 

ଗଡ଼ନାୟକଙ୍କ କବିତା ଅଗଣାରେ ପ୍ରକୃତି-ଈଶ୍ୱର-ମାଟି-ମଣିଷ- ଜୀବନ ମରଣ ମେଳିବାନ୍ଧିଛନ୍ତି ଓ ପ୍ରତ୍ୟେକ କେବଳ ରମଣୀୟତାର ପ୍ରତିନିଧତ୍ଵ କରୁଛନ୍ତି । ସମସ୍ତେ କାବ୍ୟକ୍ରୀଡ଼ା କରୁକରୁ ଜୀବନର ମହାଭାବ ପ୍ରତି ଚେତନାକୁ ଉନ୍ମୁଖ କରି ଦିଅନ୍ତି । ଅତୀତର ଇତିଗର୍ଭରେ ଥିବା ବ୍ୟକ୍ତି, ଘଟଣା, ସ୍ଥାନ, କାଳ ଓ ସିଦ୍ଧାନ୍ତକୁ ପାଠକ ସାମ୍ନାରେ ତାଙ୍କ କବିସତ୍ତା ବିଘଟନୀ ନ୍ୟାୟରେ ଉପସ୍ଥିତ କରାଇଦିଏ । ଏମାନଙ୍କ ଜୀବନଚର୍ଯ୍ୟା, ବୃତ୍ତି, କର୍ମ, ସିଦ୍ଧାନ୍ତ ଓ ଆଦର୍ଶ ବର୍ତ୍ତମାନର ପାଠକୀୟ ବିଶ୍ୱାସକୁ ଉଭୟ ନକାରାତ୍ମକ ଓ ସକାରାତ୍ମକ ରୀତିରେ ଗଠନ କରିବାରେ ସହଯୋଗ କରିଛି । କେବଳ ଶୁଭଗ ଓ ମହତ ଦିଗଗୁଡ଼ିକୁ ନୁହେଁ, ଅନେକ ଘଟଣା, ଚରିତ୍ରକୁ ପ୍ରତିକୂଳ ଓ ଅଶୁଭର-କରି ମଧ୍ୟ ଚିତ୍ରଣ କରିଛନ୍ତି । ଅନେକ କବିତାରେ ଚରିତ୍ରମାନେ ପ୍ରତିକୂଳ ପରିସ୍ଥିତି ଓ ଅସ୍ୱାଭାବିକ ବିରୋଧାଭାସର ସମ୍ମୁଖୀନ ହୋଇ ବି ନକରାତ୍ମକ ଭାବନାକୁ ଡେଇଁ ଯାଇ ଦୟା, କ୍ଷମା, କରୁଣା, ସୁହୃଦତା, ସେବାଦି ମହତ୍ତମ ଭାବନାର ବଶବର୍ତ୍ତୀ ହୋଇ ଯେଉଁ ଅନଭାବିତପୂର୍ବ ଆଦର୍ଶ ଦେଖାଇଛନ୍ତି ତାହା ପାଠକକୁ ମଙ୍ଗଳବୋଧୀ ମାନସିକ ପ୍ରେରଣା ଯୋଗାଇ ଦେଇଛି (ଏଠାରେ ବୀରାରାଣୀ ଶୁକଦେଈ, ମରିନାହିଁ ସେତ ମରଣଜୟୀ, ବିଶ୍ୱଜୀବନପଥେ, ବଢ଼େଇପିଲା, ଯସମା, ରଇଦାସ ଓ ସ୍ମୃତିର ଫଳକ... ଆଦି କବିତାକୁ ପାଠ କରାଯାଇପାରେ ।) କେତେକ କବିତା ଭିତରେ ବର୍ତ୍ତମାନକୁ ନିଷ୍କଣ୍ଟକ, ବାଧାଶୂନ୍ୟ ଓ ଉତ୍‌ଫୁଲିତ କରିଦେବାର ଉପାଦାନ ଭରି ରହିଛି । ଉପାଦାନଗୁଡ଼ିକ ପୁରାତନୀ ହେଲେ ବି ସର୍ବକାଳୀନ ଜୀବନ ଚର୍ଯ୍ୟାକୁ ପ୍ରୋତ୍ସାହିତ କରି ଦେବାର ସାମର୍ଥ୍ୟ ଓ ଉପଯୋଗିତା ରଖନ୍ତି । ଅନେକ କବିତାର ଗଢ଼ଣକୁ ଭାଙ୍ଗି ଦେଲେ ସ୍ପଷ୍ଟ ଦେଖାଯିବ ଯେ କବିତାରେ ଭାବବସ୍ତୁ, ସ୍ଥାନ, ଚରିତ୍ର, ମାନବେତର ଚରିତ୍ର, ବସ୍ତୁଚିତ୍ର ପ୍ରତ୍ୟେକ ନିଜ ସହିତ, ଅପର ସହିତ, ଅପରକୁ ନେଇ ଓ ପରସ୍ପର ମଧ୍ୟରେ ଆଳାପ କରନ୍ତି (ଏଠାରେ ବିଦୁଳା, ସ୍ମରଣିକା, ବିସର୍ଜନ, ମାଟି, ବାଇମୁଣ୍ଡି ଓ ପ୍ରଭାବତୀର ଅଭିଯାନ.... ଏପରି ଅନେକ କବିତା ପଠନଯୋଗ୍ୟ ।)

 

ଗଡ଼ନାୟକଙ୍କ କଳ୍ପଦକ୍ଷତା ପ୍ରକୃତିର ଚିତ୍ରଣ କରିବା ଅପେକ୍ଷା ପ୍ରକୃତିକୁ ସ୍ଵୟଂ କବିତା ଓ କବିତାକୁ ସ୍ଵୟଂ ପ୍ରକୃତି କରିଦେବାକୁ ଉଚିତ ମଣିଛି । ପ୍ରକୃତିର କଲ୍ୟାଣକର ଓ ଉଗ୍ରତାଣ୍ଡବଶୀଳ-ଉଭୟ ପ୍ରକାର ସହଜାତକୁ ମାନବାୟିତ କରି ସେ ରୂପ ଦେଇଛନ୍ତି । ତାଙ୍କ କବିତା ପ୍ରକୃତିକୁ ନେଇ ନୀତି ଓ ନନ୍ଦନତ୍ୱ (Ethics and Aesthetics) ମଧ୍ୟରେ ମିଳନ ସମ୍ପାଦନ କରିଛି । ଅଭାବ, ଲାଞ୍ଛନା, ଦୁର୍ଯ୍ୟୋଗ, ତାପଦଗ୍ଧତା, କଣ୍ଟକତା ଭିତରେ ଯାତ୍ରା କରି ଅପଥଗାମୀ ହେବାର ଆସ୍ପର୍ଦ୍ଧାକୁ ବ୍ରତ ଭାବରେ ବରଣ କରିନେଇଥିବା ଗଡ଼ନାୟକଙ୍କ କବିତ୍ୱ ଆଲୋକ ଓ ଅନ୍ଧାରର ସୀମାରେଖାକୁ ନିଶ୍ଚିହ୍ନ କରିଦେଇ ଉଭୟଙ୍କୁ ଜୀବନାଂଶ ରୂପେ ସମମର୍ଯ୍ୟାଦା ଦେଇଛି । ତାଙ୍କ କବିପୁରୁଷ ବସ୍ତୁ ସହିତ ଆଳାପ କରିଛି, ପଶୁପକ୍ଷୀଙ୍କ ସହିତ ମେଳାପ କରିଛି, ସୌନ୍ଦର୍ଯ୍ୟ ଓ ସଦ୍‌ଭାବନାର ହାନିରେ ବିଳାପ କରିଛି ଏବଂ ମୂଲ୍ୟବୋଧର ଅବକ୍ଷୟରେ ମାନବିକତାର ହାନିରେ ପ୍ରତିବାଦୀ ରୂପେ ପ୍ରଳାପ ବି କରିଛି ଏବଂ ଏଥିପ୍ରତି ପାଠକଙ୍କୁ ଏମନ୍ତ ପ୍ରକାରେ ଭାବିବାକୁ ଉସ୍‌କାଇଛି ।

 

ରାଧାମୋହନଙ୍କ ବିଲକ୍ଷଣ ନିର୍ମିତିନିର୍ମାଣଶକ୍ତି ମାନବୀୟ ଆଚରଣର ବିଷୟନିଷ୍ଠାଗୁଡ଼ିକୁ ବିଷୟୋତ୍ତର ମଧ୍ୟ କରିପାରିଛି । ଏକ ସମ୍ମୋହନୀ କଳ୍ପନାଦୃଷ୍ଟି ବଳରେ ତାଙ୍କ କବିସତ୍ତା ଚାରଣକବିର ଭୂମିକା ସଂପାଦନ କରୁକରୁ ଭାରତୀୟ/ଉତ୍କଳୀୟ ଉତ୍କୃଷ୍ଟ ଐତିହ୍ୟର କାବ୍ୟୋଚିତ ଭାରତୀୟ ସ୍ତୁତି ହିଁ କରିଛନ୍ତି । ଏହି ମର୍ମରେ ୧୯୬୦ ମସିହାରେ ମାସିକ ପତ୍ରିକା ‘କାରଭାନ୍‌’ଙ୍କ ଅଭିମତକୁ ସ୍ମରଣ କରାଯାଇପାରେ ଉତ୍କଳୀୟ ଓ ମହାଭାରତୀୟ ଜୀବନବୋଧର ସ୍ୱାଭାବିକ ଓ ଆବେଗିକ ଆଧେୟ ହିଁ ରାଧାମୋହନଙ୍କ କବିତା, ଯାହା ଆଧୁନିକ ଚଳନ୍ତି କବିତାଧାରାରେ ଅନ୍ୟତମ ଦିଗଦର୍ଶୀ ମାଇଲ୍‌ଖୁଣ୍ଟ ।’’ ଭାରତୀୟ ସାହିତ୍ୟକ୍ଷେତ୍ରରେ ରାଧାମୋହନଙ୍କ ଜାତୀୟ ସ୍ଵୀକୃତିକୁ ସମର୍ଥନ କରି ପ୍ରବୀଣ ସମାଲୋଚକ ଶିଶିର କୁମାର ଦାସ ‘ଭାରତୀୟ ସାହିତ୍ୟର ଇତିହାସ-୧୯୧୧- ୧୯୫୬ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି- ‘ସମକାଳୀନ ଓଡ଼ିଆ କବିତାର ଗତିଶୀଳ ଧାରାରେ ବିବିଧଗୋଷ୍ଠୀ କୈନ୍ଦ୍ରିକ ସାଧନାଠାରୁ ନିଜକୁ ପୃଥକ୍‌ ରଖି ରାଧାମୋହନ ପ୍ରକୃଷ୍ଟ କବିତାର ଫସଲ ଉପୁଜାଇ ପାରିଛନ୍ତି । ଏହି କଥାକୁ ଅଧିକ ପ୍ରତ୍ୟକ୍ଷ, ନିର୍ଦ୍ଦିଷ୍ଟ ଓ ସୁମାନକୀକରଣ କରିଛନ୍ତି ମାନସିଂହ । ମାନସିଂହଙ୍କ ବିଚାରମତେ ଗଡ଼ନାୟକେ ଛନ୍ଦ ଯାଦୁକର ଥିଲେ । ଶବ୍ଦକୁ ପ୍ରବୋଧନାତ୍ମକ ଅର୍ଥଦେବାରେ ମାହିର ଥିଲେ । ଶବ୍ଦର ତାନିକ ସଂଗୁମ୍ଫନରେ ସମ୍ମୋହନ କରିବାର ସାମର୍ଥ୍ୟ ରଖିଥିଲେ । ସୌନ୍ଦର୍ଯ୍ୟରେ ଏକ ମହତ୍ତମ ଆଦର୍ଶ ଫୁଟାଇ ପାରୁଥିଲେ । ଏସବୁ ଦିଗରୁ ତାଙ୍କ ସାଧନା ଏକ ସ୍ଵତନ୍ତ୍ର ଅଧ୍ୟାୟ ।

 

ପ୍ରକୃତରେ ଗଡ଼ନାୟକେ ବିଲକ୍ଷଣ ଓ ଅନଭାବିତ ପୂର୍ବପ୍ରତିଭାଖେଳ ଖେଳିଛନ୍ତି । କୌଣସି ନିର୍ଦ୍ଦିଷ୍ଟ ଧରଣର ଚେତନା, ଭାବ, ବସ୍ତୁ, ଧାରା ଓ କବିତାଦର୍ଶକୁ ମାନି ଓ ଛାଞ୍ଚରେ ଢାଳି ଗୋଡ଼ାଣିଆଚାତୁରୀ ଦେଖାଇ ନିଜର ସର୍ଜନଶୀଳତାକୁ ଆବଦ୍ଧ ରଖି ନାହାଁନ୍ତି । ବହୁ ବିଚିତ୍ର ଜୀବନନିଷ୍ଠ ଓ ସମଗ୍ରବୋଧର ଭାବସ୍ଵରରେ ତାଙ୍କ କାବ୍ୟ ସଠଣା ସମାହାର ଓ ସମନ୍ଵୟକୁ ଗ୍ରହଣ କରିଛି । କାବ୍ୟ ସଠଣାର ମିଳିତ ରସାୟନୀ ରାଗିଣୀରେ ମିଶି ରହିଛି ବାସ୍ତବବାଦ, ଜାତୀୟତାବାଦ, ଇତିହାସରସ, ଆଦର୍ଶବାଦୀ ଦୃଷ୍ଟିଭଙ୍ଗୀ, ରହସ୍ୟବାଦୀ ମାନସିକତା, ବ୍ୟକ୍ତିବାଦୀ ନବପ୍ରବଣତା, ନୈତିକ ଶୀଳାଚାରବାଦ, ମାର୍କସୀୟ ପ୍ରତିବାଦୀ ଇଚ୍ଛାଶକ୍ତି ଇତ୍ୟାଦିର ଅନୁରଣନ । ସହୃଦୟେ ! ଏବେ ନିଜର କାବ୍ୟଯୋଗ୍ୟ ଅନୁଭୂତି ଓ ଲେଖିବାର ବାସନାପ୍ରବଣତା ସଂପର୍କରେ ସ୍ଵୟଂ ଗଡ଼ନାୟକ କହିଥିବା-ଲେଖିଥିବା ମନ୍ତବ୍ୟ ତିନୋଟି ଏଠାରେ ଉଦ୍ଧାର କରିବାକୁ ଉଚିତବୋଧ କରାଯାଉଛି :

 

୧.

‘ମୋର ଲକ୍ଷ୍ୟ ଜୀବନରେ ସୁଖ ଓ ମୃତ୍ୟୁରେ ଜୀବନ । ସେଥିପାଇଁ ଅର୍ଥଲୋଡ଼ା ଓ ଯଶଲୋଡ଼ା । xxx ଉଦ୍‌ବୁଦ୍ଧ ହୋଇ ଲେଖୁଛି । xxx ଆକାଶ, ପ୍ରଭାତ, ସନ୍ଧ୍ୟା, ବର୍ଷା, ଜ୍ୟୋତ୍ସ୍ନା, ତାରା, ବିଲ, ବନ ଓ ବିଚିତ୍ର ପ୍ରକୃତି ମୋର ଚକ୍ଷୁରେ ମାୟାଜାଲ ବୋଳି ମୋତେ ଘେରି ରହିଥିଲେ । ମୁଁ ହୋଇଥିଲି ସେହିମାନଙ୍କ ଉପାସକ ଓ ଲିପିକାର (ଡଗର ୧୪ଶ ବର୍ଷ-୮ମ ସଂଖ୍ୟା) ।

୨.

‘‘ଉଚିତ ବୋଲି ମନେକରେ ଯାହା ଦୁନିଆ ଭାଗେ/ଯେଡ଼େ ଅପ୍ରିୟ ବିକଟ ହେଲେ ହେଁ ମୁକ୍ତମନେ/କହିବାର କଥା ନିର୍ଭୟେ କୁହେ/ଦୂରେ ଅବା ମୋର ନିକଟ ଜନେ ।’’ - (ବନ୍ଦନାଲାଗି ଜଳୁଚି ଦୀପାଳି-ଝଙ୍କାର-ମାର୍ଚ୍ଚ ୧୯୫୮)

୩.

‘ଅପଥେ ମୁଁ ଯିବି ଅପଥେ ମୁଁ ଯିବି/କର ପଛେ ମତେ ତିରସ୍କାର/ନେପଥ୍ୟେ ଅଛି ଯେତେ ଯାହା ସବୁ/କରିବି ମୁଁ ତା’ର ଆବିଷ୍କାର - (ଅପଥଗାମୀ)

 

ପ୍ରଥମ ଅଭିମତଟି କବିତ୍ୱ ଗଠନ ଓ ସଂଚାଳନର ଘୋଷଣା ଘୋଷଣାନାମା । ଜୀବନକୁ କବି ଗଡ଼ନାୟକ ଅର୍ଥଲୋଡ଼ାର ଜୀବନ ଭାବରେ ସ୍ଵୀକାର କରି ତହିଁରୁ କାଢ଼ିଆଣି ମହାପ୍ରକୃତି ସହିତ ମିଶାଇ ମୃତ୍ୟୁପରେ ବି କାଳୋତ୍ତୀର୍ଣ୍ଣ କବିର ଯଶ ନେଇ ଜୀବନ ବଂଚିବାର ବିନୟ ଆସ୍ପର୍ଦ୍ଧା ପୋଷଣ କରିଛନ୍ତି । ଆଚାର୍ଯ୍ୟ ଭାମହ ଏଠି ମନେପଡ଼ନ୍ତି । ଭଲ କବିଏ ଯଶପ୍ରାର୍ଥୀ । ଜଗତର ଯାବତୀୟ କଲ୍ୟାଣର ଫୁଲ ତୋଳି ସେମାନେ ଜୀବନକୁ ପିନ୍ଧାନ୍ତି ଓ ମରଣପରେ ସେମାନଙ୍କର ଯଶୋଦେହୀ କବିତା ପାଠକ ସହିତ ଜୀବନ ବଂଚନ୍ତି । ଦ୍ୱିତୀୟ ଅଭିମତରେ ବିନୟାସ୍ପର୍ଦ୍ଧାଟି ପ୍ରତିବାଦୀ ଓ ସତ୍ୟଦର୍ଶୀ-କ୍ରାନ୍ତଦ୍ରଷ୍ଟାର ନିର୍ଭିକ ସ୍ଵୀକାରୋକ୍ତି । ଏହି ସ୍ଵୀକାରୋକ୍ତି ସୂଚେଇ ଦେଉଛି- ନନ୍ଦନତତ୍ତ୍ଵବିଳାସୀ କବି ସତ୍ୟ ଓ ଗଣକଲ୍ୟାଣବାଦୀ ପ୍ରସଙ୍ଗକୁ (ଅପ୍ରିୟ) କାବ୍ୟାଭିପ୍ରାୟ ଭାବରେ ଗ୍ରହଣ କରିଛି । ଏଥିପାଇଁ ଅନ୍ୟମାନେ ନ ଯାଇଥିବା, ଯିବାକୁ ଉଚିତ ମଣୁନଥି‌ବା ଓ ଯିବାରେ ସଫଳ ହୋଇନଥିବା ମାର୍ଗକୁ (ଅପଥ ହେଲେ ବି) ସେ ଅବଲମ୍ବନ କରିଛନ୍ତି । ଯେ ଅପଥଗାମୀ ହୁଏ ସେ ନବନ୍ୟାୟର ମାର୍ଗଦର୍ଶୀ ହୁଏ- ଏହା ହିଁ ରାଧାମୋହନଙ୍କ କବିତ୍ୱର ବିଶେଷତ୍ଵ । ଆମ ସ୍ଵାର୍ଥଲୋଡ଼ାଣର ବିଚାରକୁ କୋମଳ ବ୍ୟଂଜନାର ଇଙ୍ଗିତରେ ସତ୍ୟମୁଖୀ ହେବା ନିମନ୍ତେ ତାଙ୍କ କବିତା ଓ କବିତ୍ୱ ବହୁଦୃଷ୍ଟାନ୍ତ ଯୋଗାଇ ଦେଇଛି । ନୀତି, ସୌନ୍ଦର୍ଯ୍ୟ ଓ ସତ୍ୟର ମିଳନରେ ଜନାଦୃତ ହେବାଭଳି ଯଶବୋଧ ଓ ଅଭ୍ରଷ୍ଟାଚାରୀ ମାନସିକତାର ମାର୍ଗଦର୍ଶୀ କବିତା ସଂସାରଟିଏ ଗଢ଼ିବାକୁ ଯାଇ ତାଙ୍କ କବିମତ୍ତା ଇତିହାସର, ପୁରାଣର, ଜନଶ୍ରୁତିର ଦ୍ୱାରସ୍ଥ ହୋଇଛି ଓ ଭାବୋପାଦାନ ସଂଗ୍ରହ କରିଛି । ଅଧିକାଂଶ ସ୍ଥଳରେ ଇତିହାସ ଓ ଜନଶ୍ରୁତିର ତଥ୍ୟ ଭିତରେ ଓ ପୁରାଣଗାଥାର ଅନ୍ତଃସ୍ଥଳରେ ପ୍ରଚ୍ଛନ୍ନଥିବା ବିବେକମାଜଣ ଆବେଗ ଓ ତାତ୍‌ପର୍ଯ୍ୟଗୁଡ଼ିକୁ ବାର୍ତ୍ତମାନିକ ପୃଷ୍ଠଭୂମିରେ ନବନ୍ୟାୟିକ ଦୃଷ୍ଟିରେ ସେ ପୁନଃନିର୍ମାଣ ଓ ପ୍ରତିନିର୍ମାଣ ବିଘଟନ ସୂତ୍ରରେ କରିଛନ୍ତି । ଜୀବନ ବଂଚିବାକୁ ଏକ ମହତ୍ତମ ବୁଝାମଣା, ନିଃସ୍ଵାର୍ଥପର ବିଚାରଶୀଳତା ଓ ଶ୍ରଦ୍ଧାଶୀଳ ସୌହାର୍ଦ୍ଦ୍ୟର ପ୍ରସଙ୍ଗ ବୋଲି ତାଙ୍କ କବିତା ଓ ଗାଥାକବିତା ବୁଝେଇ ଚାଲିଛନ୍ତି । ଏଥିପାଇଁ ତାଙ୍କ କବିତା:

 

 

ତାଙ୍କ କବିତାଗୁଡ଼ିକ ପ୍ରତ୍ୟେକ ଏକ-ଏକ କବିତା ନୁହିଁନ୍ତି । ନିୟତି ନିୟମ ବିରୁଦ୍ଧରେ ଛିଡ଼ାହୋଇ ଅପଥଗାମୀ ଗଡ଼ନାୟକଙ୍କ କାବ୍ୟପୁରୁଷ ପାଠକ ପାଖରେ ଗୋଟିଏ କବିତା ଗାଉଗାଉ ଅଥବା ଦୃଶ୍ୟବତ୍‌ ଉପସ୍ଥାପନ କରୁକରୁ ସେହି କବିତା ଭିତରେ ଉତ୍କଳୀୟ ଜୀବନବୋଧର ବହୁଭାବ, ବହୁ ବିଶେଷତ୍ୱ ଓ ବହୁ କଥାର ଭାବାଣୁକୁ ଆନ୍ତଶାସ୍ତ୍ରୀୟ କରି ଦେଇଥାଆନ୍ତି । ଗୋଟିଏ ଗାଥା ଭିତରେ ଅନେକ ଭାବ ଉଦ୍ରେକକାରୀ କଥାଣୁ ରହିଥାନ୍ତି । ଗୋଟିଏ କବିତା ସହିତ ମିତ୍ରତା ଯୋଡ଼ିବା ମାତ୍ରେ ବହୁ କବିତାଙ୍କ ବୀଜରୂପ ପାଠକ ତହିଁରୁ ପାଇଯାଏ । ଗଡ଼ନାୟକ ପାଠକର କାନ ପାଖରେ କବିତା କେବଳ ଗାଇନି, ତା’ ଚକ୍ଷୁସାମ୍ନାରେ ନାଟ୍ୟମଂଚଟିଏ ସୃଷ୍ଠି କରିଛି । ତହିଁ ଉପରେ ମୁକ୍ତମନା ସାଲିସ୍‌ବିହୀନ ଆପୋଷ ସନ୍ଧିକରଭାବନା ରହିତ ଜୀବନଧର୍ମକୁ ଅଙ୍ଗୀକାର କରିଥିବା ଚରିତ୍ର, ଭାବ, ଘଟଣାକୁ ନଚେଇଛନ୍ତି । ଏ ପ୍ରକାର ଠାଣିରେ କବିତା ରଚନା କରିବାର ଉଦ୍ଦେଶ୍ୟ ନୁହେଁ- ‘ବାର୍ତ୍ତା ପ୍ରଚାର କରିବା ।’ ବରଂ ଉଦ୍ଦେଶ୍ୟଟି ହେଉଛି ସ୍ଵୟଂ କବିତାଟି ବାର୍ତ୍ତା ରୂପକରେ ଛିଡ଼ାହୋଇଯିବା । ‘ଉତ୍କଳିକା’ ଓ ‘ସ୍ମରଣିକା’ ଗାଥାକବିତା ସଂକଳନର ସର୍ଜନାନୁଭୂତି, ଆଭିମୁଖ୍ୟ, ସ୍ୱର ଓ ଚେତନା (Creative feeling, intention, tone) ସମ୍ବନ୍ଧରେ ଯେଉଁ ଯତ୍‌କିଞ୍ଚିତ୍‌ ପଦେଅଧେ କହିଛନ୍ତି ତାହାର ମର୍ମାଂଶ ଏହିପରି ଏଠାରେ ପ୍ରତିପାଦନଯୋଗ୍ୟ । କାବ୍ୟାନୁଭୂତିଟି ହେଉଛି ଅତୀତକୁ ନେଇ ବର୍ତ୍ତମାନର ଗଢ଼ଣ ନିମନ୍ତେ ସଂକଳ୍ପ କରିବା । ଏ ନିମନ୍ତେ କବି ଅତୀତର କଥାରସକୁ କବିତାରେ କେବଳ ବସ୍ତୁରୂପ ଦେଇନାହାଁନ୍ତି । କଥାବସ୍ତୁଟିଏ କବିତା ମାଧ୍ୟମରେ କହିବା କାବ୍ୟାଭିପ୍ରାୟ ନୁହେଁ । ବରଂ ବର୍ତ୍ତମାନକୁ ଉଦ୍‌ବୋଧିତ କରୁଥିବା ଅତୀତର ଐତିହ୍ୟରସ ସ୍ଵୟଂ କବିତା ରୂପେ ଆତ୍ମପ୍ରକାଶ କରିଛି । ପୂର୍ବର କାହାଣୀ ଓ ଚରିତ୍ର ଐତିହାସିକ ଘଟଣା ବ୍ୟୁହରୁ ଉଠିଆସି ପାଠକ ସାମ୍ନାରେ ପାଠକର ଚାହିଦା ପୂରଣପୂର୍ବକ ନୈର୍ବ୍ୟକ୍ତିକ ଭାବନାର ବାହକ ଓ ପ୍ରଖ୍ୟାପନ ହୋଇଉଠିଛନ୍ତି । ପାଠକର ଇଚ୍ଛାଶକ୍ତି ବଢ଼େଇପିଲା ହୋଇ ବାରଶ ଗଣସ୍ୱାର୍ଥ ସହିତ ପାଦମିଳାଇ ଚାଲେ, କପିଳେନ୍ଦ୍ର ଦେବଙ୍କ ଭଙ୍ଗାବଇଁଶି ସହିତ ଯୋଡ଼ି ହୋଇଯାଏ, ଉଦ୍ଦାମସିଂହର ତ୍ୟାଗକୁ ଆତ୍ମାରେ ବରଣ କରେ, ଶୁକଦେଈଙ୍କ ସହିତ ମିଶି କ୍ଷମାର ପ୍ରତିଭୂ ହୋଇଯାଏ, ଚନ୍ଦନ ହଜୁରୀବତ୍‌ ସମୟର ସାଧନକୁ ମାନିନିଏ, ଗୋପବନ୍ଧୁଙ୍କ ସାଙ୍ଗରେ ପାଦମିଳାଇ ଆତ୍ମସ୍ଵାର୍ଥକୁ ଛାଡ଼ି ବିଶ୍ୱସ୍ୱାର୍ଥର ସାଧନମାର୍ଗରେ ଚାଲିବାକୁ ପ୍ରମତ୍ତ ହୋଇଉଠେ xxx । କବିତା ଅନୁସାରେ ପାଠକ ନିଷ୍ଠୁରତା, ଅପ୍ରେମତା, ଅଶାନ୍ତି ଓ ଅଯଥା ଆଦିକୁ ସାଧାରଣ ମନେକରେ । କବିତା ପଢ଼ିବାମାତ୍ରେ ପାଠକର ଏକାନ୍ତ ଆତ୍ମଗତ ‘ମୁଁ’ଟି ସମୂହ ‘ଆମ୍ଭେ’ରେ ବା ସର୍ବମୟ ସତ୍ତାରେ ରୂପାନ୍ତରିତ ହୋଇଯାଏ । ପରିଣାମତଃ ଗଡ଼ନାୟକଙ୍କ କବିତା ମୁଦ୍ରିତ କଥାବସ୍ତୁ ନ ହୋଇ ଜାତି ନିମନ୍ତେ ଭାବସଂଚାରୀ ଓ ଅସ୍ମିତା ପୁନର୍ବନ୍ଦନୀ ଶକ୍ତି ହୋଇଯାଏ । ତାଙ୍କ କବିତାର ଆଭିମୁଖ୍ୟ ହେଉଛି ଅଭିନବ ଉତ୍କଳକୁ ଠିଆ କରାଇବା ଓ ଭାରତୀୟ ପ୍ରାଣରସକୁ ପୁନରୁଜ୍ଜୀବିତ କରାଇବା । କବିତାର ସ୍ଵର ଯାବତୀୟ ଇନ୍ଦ୍ରିୟଗ୍ରାହ୍ୟ ସାମାନ୍ୟକଥାକୁ ସମୂହଗ୍ରାହୀ ଅସାମାନ୍ୟ ଦୃଷ୍ଟାନ୍ତରେ ରୂପାନ୍ତରିତ କରିଦେବାକୁ । କବିତାବହନ କରିଥିବା ଚେତନା ହେଉଛି ପରମ୍ପରା ସହିତ ଆଧୁନିକତାକୁ ଯୋଡ଼ି ନୂଆ ଉପଲବ୍‌ଧି ଓ ବିବେକବୋଧଟିଏ ପ୍ରମୂର୍ତ୍ତ କରିବା । ପ୍ରତ୍ୟେକ କବିତାର ଶାବ୍ଦିକବସାଣ ଓ ମିଳନପ୍ରସ୍ଥକୁ ଭାଙ୍ଗି ଦେଲେ ପାଠକ ଏହି ଚାରୋଟି କବିତାଗଢ଼ଣର ବିଶେଷତ୍ୱକୁ ରାଧାମୋହନ ଗ୍ରହଣ କରିଥିବାର ଲକ୍ଷ୍ୟ କରିପାରିବେ ।

 

(ପାଞ୍ଚ)

 

ପୂର୍ବରୁ ଆଲୋଚିତ ରାଧାମୋହନଙ୍କ କବିତ୍ୱ ମାର୍ଗବ୍ୟତିକ୍ରମୀ ଚାରଣ କବିତ୍ୱ । ଏ ପରିଚିତିରେ ତାଙ୍କ କବିତା ଯେତିକି ରମଣୀୟ ସେ ମଧ୍ୟ ସେତିକି ପ୍ରଥିତଯଶା । ତାଙ୍କ ଚାରଣ କବିତ୍ୱ କଥାକୁ କବିତା ଓ କବିତାକୁ ରୂପକାତ୍ମକ ଆରୋପଣ ଦେଇ କଥାରେ ପରଣିତ କରିବାର ଶବକ୍ରୀଡ଼ା ହିଁ କରିଛି । ତାଙ୍କ ସତୀର୍ଥ ଚିନ୍ତାମଣି ବେହେରାଙ୍କ ବିଚାରଟିକୁ ଏବେ ପଢ଼ାଯାଉ ଓ ଶୁଣାଯାଉ : ଓଡ଼ିଆ ପଦ୍ୟର ନବାୟନୀକରଣରେ ରାଧାମୋହନଙ୍କ କବିତାସାଧନା ଆତ୍ମଆବିଷ୍କୃତର ସାଧନା । ବ୍ୟକ୍ତି ଆତ୍ମାର ସୂଚନା ଭିତରେ ବିଶ୍ଵଆତ୍ମାର ଅନ୍ତର୍ନିହିତ ଭାବରହସ୍ୟର ରପୂାୟଣରେ ଏ ସାଧନାର ସିଦ୍ଧି । ନିଜର ଅଭିଜ୍ଞତାକୁ ଅପରର କରି ପ୍ରକାଶ କରିବାରେ ବେଶ୍‌ ଆବେଗଧୂରୀଣ । ଏଥିପାଇଁ ସେ କେବଳ କବିତାକୁ ଅପୂର୍ବ କଥାର ଉଦାହରଣ କରି ଦେଇଥାଆନ୍ତି-

 

ରାଧାମୋହନଙ୍କ ଗାଥା କବିତା ତଥା କବିତାକୁ ଗାଥା କରିଦେବାର ରମଣୀୟ ସର୍ଜନକ୍ରୀଡ଼ାକୁ ବିଚାର କରିବା ପୂର୍ବରୁ ପ୍ରଖ୍ୟାତ ଇଂରେଜୀ ସମାଲୋଚନା ଡକ୍ଟର ଜନ୍‌ସନଙ୍କ ଚାରଣ କବି ବା କବିଗାୟକ (poet-singer) ଧାରଣାଟିକୁ ବିଚାରକୁ ନେବା । ତାଙ୍କ ମତରେ କୌଣସି ଚାରଣକବିଙ୍କର ନିର୍ଦ୍ଦିଷ୍ଟ ସ୍ଵର ନ ଥାଏ । ଜୀବନର ବିବିଧ ସ୍ଵରକୁ ସେ ସମୂହ ସ୍ଵର ସହିତ ତୁଳନା କରନ୍ତି ଓ ତାକୁ ମିଶ୍ରକାବ୍ୟାନୁଭୂତିରେ ରୂପାନ୍ତରିତ କରିଥାନ୍ତି । ଏ ଦିଗରୁ ଚାରଣକାବ୍ୟତା ଏକ ସମନ୍ଵୟାତ୍ମକ ପ୍ରକ୍ରିୟାର ସମାହାର ସ୍ଵରର କାବ୍ୟତା (Orchestra of many poetic tone) । ଏ ଦିଗରୁ ଓଡ଼ିଆ ଭାଷାରେ ଏକମାତ୍ର ପରିଶୁଦ୍ଧ ଚାରଣକବି ଭାବରେ ରାଧାମୋହନଙ୍କୁ ବାଛିବା ଓ ମାନିବା ବ୍ୟତୀତ ଆମପାଖରେ ଅନ୍ୟ ବିକଳ୍ପ ନାହିଁ । ତାଙ୍କ କାବ୍ୟତା ସମାହାର ସ୍ଵରର ସମନ୍ଵୟବାଦୀ କାବ୍ୟତା । ଏହାର ରସାୟନୀମିଳିତ ରାଗିଣୀରେ ରହିଛି-ବ୍ୟକ୍ତିନିଷ୍ଠତା, ବସ୍ତୁ ନିଷ୍ଠତା ଓ ଅପାର୍ଥିବତା । ଫ୍ରେଞ୍ଚ ଜନଧାରାରେ ଏକ ପ୍ରବାଦ ଅଛି- ପ୍ରତ୍ୟେକ ମଣିଷ ଭିତରେ ପବିତ୍ରମନା ଉଦ୍‌ବୋଧନପ୍ରବଣ ଗାଥାକବିଟିଏ ଲୁଚି ରହିଛି ।’ ରାଧାମୋହନଙ୍କ ପାଇଁ କଥାଟି ପୂରା ଚବିଶିକ୍ୟାରେଡ଼ର ସୁନାପରି ସତ । ତାଙ୍କ ପ୍ରତ୍ୟେକ କବିତାରେ ସଂଭାଷଣ, ଉଦ୍‌ବୋଧନ ଓ ଆଳାପର ଗାଥା କବିତ୍ୱର ସତ୍ତାଟିଏ ସୂକ୍ଷ୍ମସୂତାଟିଏ ଧରି ଭାବର କଣ୍ଢେଇ ନଚଉଥିବାର ସହଜରେ ଅନୁଭବ କରି ହୋଇଥାଏ । ଯୁକ୍ତି, ତର୍କ, ବ୍ୟାଖ୍ୟାନ, ଦୃଷ୍ଟାନ୍ତ, ଚିତ୍ରଧର୍ମୀ ଉପସ୍ଥାପନା, ରୂପକାତ୍ମକ ସଂରଚନା ଓ ଆଳାପଧର୍ମିତା ମଧ୍ୟରେ ତାଙ୍କ କବିତାର ବସ୍ତୁସତ୍ତା ନୂଆ ପ୍ରକାରେ ଅର୍ଥବୋଧକ ହୋଇ ଗଣକଳ୍ପନାକୁ ବିଘଟିତ ଭାବନାର କରି ଦେଇଥାଏ ।

 

ଗଡ଼ନାୟକଙ୍କ କବିତ୍ୱ ଉଜ୍ଵଳ ଜୀବନବୋଧର ଖେଳ ଖେଳୁଥିବା ରସଧ୍ୟାନର କବିତ୍ୱ । ରସଧ୍ୟାନରେ ସେ କବିତାପୁରୁଷଙ୍କୁ ରମଣୀୟା, ଛନ୍ଦମୟୀ, ଭାବମୟୀ, ଆଶାମୟୀ, ବାଦମୟୀ ଓ ରୂପମୟୀ କରିଦେବାରେ ନିପୁଣ । ଅଜଣା, ଅଚଖା, ଅଦେଖା, ଅଭୋଗ ଓ ଅନାଘ୍ରାଣ ଅନୁଭବକୁ ତାଙ୍କ ନିପୁଣତା କବିତାରେ ସମୀଭୂତ କରିଛି । ତାଙ୍କ କବିତା ଚାନ୍ଦ୍ରିକ ଶୀତଳତା ଓ ଭାସ୍କରୀୟ (ଆପୋଲିଆନ୍‌) ଆଲୋକୋପମ ଉତ୍ତାପଧର୍ମିତା ଉଭୟକୁ ଧରିରଖିଛି ଓ ବିଲକ୍ଷଣଯୁକ୍ତ ହୋଇଛି । ପ୍ରତ୍ୟେକ କବିତାକୁ ଭାଙ୍ଗି ବସିଲେ ପାଠକେ ଦେଖିବେ-ରାଧାମୋହନ ପ୍ରଥମେ ଉତ୍ତାପଧର୍ମରେ ବାହାରର ଆବରଣକୁ । ଭେଦି ଭିତରର ସତ୍ୟ, ସୌନ୍ଦର୍ଯ୍ୟକୁ ଦେଖିଛନ୍ତି ଏବଂ ଚାନ୍ଦ୍ରିକ ଶୀତଳଧର୍ମର ଏକ ବର୍ଣ୍ଣନାକୌଶଳକୁ ମାଧ୍ୟମ କରି ଦେଖିଥିବା ତାତ୍‌ପର୍ଯ୍ୟକୁ ବସ୍ତୁରୂପ ପ୍ରଦାନ କରୁଛନ୍ତି । ଏ ପ୍ରକାର ଖେଳତରିକାରେ ‘ପଶୁପକ୍ଷୀର କାବ୍ୟ, ଶାମୁକାର ସ୍ୱପ୍ନ, ଅବାଚୀର ତାରା, ମୌସୁମୀ, ଉତ୍କଳିକା, ସ୍ମରଣିକା-କବିତା ସଂକଳନର କ୍ରୀଡ଼ା ପ୍ରାଙ୍ଗଣରେ ଇତିହାସ-ବର୍ତ୍ତମାନ-ଭବିଷ୍ୟତ ମଧ୍ୟରେ ତ୍ରିମୁଖୀ ପ୍ରତିଯୋଗିତା ସେ କରାଇ ଦେଇଛନ୍ତି । ପ୍ରଥମେ କୁହୁକୀମାୟାରେ ଆକସ୍ମିକ ଭାବରେ ଇତିହାସ-ପୁରାଣ-ଜନଶ୍ରୁତିର ଚିତ୍ରଚରିତ୍ର ଧରାବନ୍ଧା ପାରିପାର୍ଶ୍ୱିକ ଶୃଙ୍ଖଳାର ବିଧାନକୁ ଅସ୍ଵୀକାର କରି ପ୍ରତିବାଦୀ ଖେଳାଳୀ ଭାବରେ କ୍ରୀଡ଼ାପ୍ରାନ୍ତରକୁ ପ୍ରବେଶ କରନ୍ତି । ତା’ପରେ ଘଷରା ବ୍ୟବସ୍ଥାର ସାଂସ୍କୃତିକୀ ଛଦ୍ମତାର ଅଭିଳାଷ ଓ ପ୍ରଥାସିଦ୍ଧତାର ଦ୍ୱାହିରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଲମ୍ବମାନ ବିରୋଧାଭାସୀ ଓ ଭଙ୍ଗପ୍ରବଣ ମହାଜନୀ ଆଦର୍ଶ ସହିତ ସେମାନେ ତର୍କବିତର୍କ ଆରମ୍ଭ କରନ୍ତି । ଅମାନିଆ ହୋଇ ସ୍ଵତନ୍ତ୍ର ଯୁକ୍ତିକୁ ଧରି ବାଦୀମାନଙ୍କ ସହିତ ସମାନ୍ତରାଳ ଧାରରେ ଚାଲନ୍ତି । କବିତା ଖେଳର ପ୍ରବହମାନତାରେ ଦେଖାଯାଏ କେହିବି ଜିତୁ ନାହାଁନ୍ତି, କେହିବି ହାରୁ ନାହାଁନ୍ତି । ଖେଳର ପରିଣାମରେ ସନ୍ଧିସୂତ୍ରରେ ଗୋଟାଏ ଅଦ୍‌ଭୂତ କାବ୍ୟିକମୀମାଂସା ନବନ୍ୟାୟିକ ହୋଇ ପାଠକର ବିବେକସତ୍ତାକୁ କୋମଳ ଅନୁରାଗରେ ଭବିଷ୍ୟ ପାଇଁ ଉତ୍ସାହମାନ ଓ କାବ୍ୟୋଚିତ ବକ୍ତବ୍ୟ ରୂପେ ଯୋଗାଇ ଦେଉଛି । ଉତ୍ସାହ ଉଦ୍ଦୀପକ ବକ୍ତବ୍ୟଗୁଡ଼ିକ ନିତ୍ୟ ଜୀବନର ଉଜ୍ଜ୍ୱଳ ଭାସ୍କରୀୟଶୃଙ୍ଖଳା ବ୍ୟତୀତ ଅନ୍ୟକିଛି ନୁହେଁ, ଯାହା କେବଳ ମଣିଷପଣିଆର ନିତ୍ୟତାକୁ ମାନିଥାଏ । ମାଟି, ଅୟିପୃଥ୍ୱୀ ହେଉ, (ରୂପକାତ୍ମକ କବିତା) ପିଙ୍ଗଳାର ଅଭିସାର ହେଉ, ଅଥବା ହେଉ-ମାତଙ୍ଗିନୀ ଦେବୀ, ଭାଇ, ମରୁର ଇଗଲ, ଶକୁନ୍ତର ଦାନ, ଜଟାୟୁ, ଶ୍ରୀୟାଚାଣ୍ଡାଳୁଣୀ, ଗୁହକ, ବାଲ୍ମୀକି - ପ୍ରତ୍ୟେକ କଥା କବିତାରେ ଘଷରୀ ଅତୀତର ଚିତ୍ରଚରିତ୍ର, ଘଟଣାପ୍ରସଙ୍ଗ ବର୍ତ୍ତମାନର ବିଶ୍ଵାସ ଅବିଶ୍ଵାସର ଖେଳଭୂମି ଉପରେ ଯୋଡ଼ି ହୋଇ ଯାଉଛନ୍ତି ଏବଂ ଭବିଷ୍ୟତର ପ୍ରେରଣା ପାଇଁ ଅସ୍ତିବାଚକ ଢଙ୍ଗରେ ପୁନର୍ଗଠିତ ହୋଇ ଉଠୁଛନ୍ତି । ପୁରୁଣାକୁ ସାର୍ବକାଳିକ ନୂଆରୂପରେ ବିନିର୍ମାଣ କରୁ କରୁ ଅପଥରେ ଯାଉଥିବା କବିସତ୍ତାଟି ଅସନାଗୁଡ଼ିକୁ ସଫା କରୁଛି, ମାତ୍ର ତା’ର ଶବ୍ଦଖେଳରେ କୁତ୍ରାପି ପାଠକକୁ ଅପଥରେ ଯିବା ପାଇଁ ଇସାରା ଦେଉନି । ଋଷିକ କାବ୍ୟଭାବନାଟି କ’ଣ କି ? ବୋଧେ ଦ୍ୱନ୍ଦ୍ୱରହିତ ଭାବେ ଏଇଆ - ଜୀବନର ଯାବତୀୟ ଭଙ୍ଗପ୍ରବଣତାକୁ ସାଙ୍ଗରେ ନେଇ ଆଲୋକବର୍ତ୍ତିକାଟିଏ ଧରି ଅଭଙ୍ଗ-କାବ୍ୟନାୟିକାବତ ବାଟଚାଲିବା । ରାଧାମୋହନଙ୍କ କବିତାନ୍ୟାୟରେ ଏମିତି ମନନେଇ ବାଟ ଚାଲିଲେ ପାଠକ ଦେଖି ପାରିଥାଏ ଆଗରେ ଖାଲି ବିପୁଳ ଜୀବନର ବିସ୍ତାର- ପୁନଶ୍ଚ ପୁନଶ୍ଚ ବିସ୍ତାର । ଆମ ପାଠକୀୟ ଅନ୍ଧତାକୁ କବିତାର ଚକ୍ଷୁ ମିଳିଯାଏ ।

 

ଏ ରୂପେ ବିଚାରି ବସିଲେ ବୁଝି ହୋଇଯାଏ ଯେ ତାଙ୍କ କାବ୍ୟିକ ନଟସତ୍ତା ବିଲୋମ କଳ୍ପନା ଶକ୍ତିର ଭାବପ୍ରବଣତାରେ ନୁହେଁ, ବରଂ ସଚେତନ ଭାବରେ ଇତିହାସ-ପୁରାଣ-ନିକଟ ଅତୀତ ରାଜ୍ୟକୁ ପରିଭ୍ରମଣ କରି ପର୍ଯ୍ୟଟନୀୟ ଅନୁଭୂତିରେ ଉଜ୍ଜ୍ୱଳ ଜୀବନର ଖେଳ ଖେଳିଥିବା ଚରିତ୍ରମାନଙ୍କୁ ଖୋଜି ଆଣିଛି । ସେମାନଙ୍କୁ କବିତାର କଥାମଞ୍ଚ ଉପରକୁ ଛାଡ଼ିଦେବା ପୂର୍ବରୁ କମ୍‌ ଆବେଗ, ଦର୍ଶନ ଓ ମନନର ରଙ୍ଗରେ ସଜାଇ ନାହିଁ । ସେମାନଙ୍କ ପ୍ରବେଶ-ପ୍ରସ୍ଥାନରେ କମ୍‌ ନାଟକୀୟତା ବି ଖଂଜି ନାହିଁ । ସେମାନଙ୍କୁ ନେଇ ଗତିଶୀଳ ଭାବବସ୍ତୁ ଯେଉଁ ନାଟକୀୟ ସଂଳାପ ଓ ଉତ୍‌କଣ୍ଠାକୁ ଭିତ୍ତି କରିଛି ତାହା ଉତ୍‌ଥାନ-ପତନର ତାନୀୟ ଛନ୍ଦଗୁଣ ଓ ଅର୍ଥଗୁଣର ଚାତୁର୍ଯ୍ୟୋକ୍ତି ଦ୍ଵାରା ବାନ୍ଧି ହୋଇଯାଇଛି । ଏହି ବନ୍ଧନ ପରୋକ୍ଷରେ ପାଠକଙ୍କୁ ବାନ୍ଧି ରଖିଛି । ସଂପୂର୍ଣ୍ଣ ଗାଥାଟି କବିତାର ନଟବେଦୀ ଉପରେ ଆବେଗ ଓ ଉତ୍କଣ୍ଠା ମଧ୍ୟରେ ପାଠକ ସାମ୍ନାରେ ନୃତ୍ୟ କରେ । ଏଠାରେ ‘ସ୍ମରଣିକା’ କବିତାଟିକୁ ଉଦାହରଣ ସ୍ୱରୂପ ନିଆଯାଇପାରେ ।

 

‘ସ୍ମରଣିକା’ କବିତାରେ ଇତିହାସ ଓ କିମ୍ବଦନ୍ତୀ ମିଶ୍ରିତ ବସ୍ତୁକଳ୍ପୀ ଗାଥାଟି ଓ ଗାଥା ସହିତ ସଂପୃକ୍ତ ଚରିତ୍ର ପଦ୍ୟାତ୍ମକ ଗୀତିବାହୁଲ୍ୟ, ଆଳଙ୍କାରିକ ବିନ୍ୟାସ ଅଥବା ଶାବ୍ଦିକ ବୃତ୍ତିକ୍ରୀଡ଼ା ମାଧ୍ୟମରେ ବଖାଣିତ ହୋଇ ନାହାଁନ୍ତି । ସେମାନଙ୍କର କବିତାର ନାଟବେଦୀକୁ ମଞ୍ଚାୟନ ଘଟିଛି । କବିତା ବେଦୀ ଫେନିଳ ଜ୍ୟୋତ୍ସ୍ନା ଓ ନୈଶ ସମୀରଣର ମଣିମୟ ଅଟ୍ଟାଳିକା ପାଲଟି ଯାଉଛି । ବେଦୀ ଉପରକୁ ଆସନ୍ତି କପିଳେନ୍ଦ୍ର ଦେବ, ସାଙ୍ଗରେ ରାଣୀ ଓ ହାତରେ ପୀରତିଧନ ସ୍ୱରୂପ ବାଉଁଶର ବଂଶୀ । ମାତ୍ର କବିଙ୍କ ନାଟ୍ୟଦ୍ୱନ୍ଦ୍ୱକାରକ କଳ୍ପନା ମାଧ୍ୟମରେ ଗଜପତିଙ୍କ ମନସାଥୀରେ ଛାଇପରି ଆସିଛି ବାଲ୍ୟ ଜୀବନର ସ୍ମୃତିପୁରୁଷ ବାଉଁଶବଂଶୀ ବଜାଳି ଗାଈଆଳ ‘କପିଳା’ । ଘଟଣା କ୍ରମେ ରାଣୀଙ୍କ ଇପ୍‌ସିତ ସୁନାର ବଂଶୀ ରାଜାଙ୍କ ହାତରେ ଶୋଭା ପାଉନି । ରାଣୀ ବୁଝିପାରୁ ନାହାଁନ୍ତି ବାଉଁଶବଂଶୀ ସହିତ ଜଡ଼ିତଥିବା ରାଜାଙ୍କର ଆସାମୁଦ୍ରିକ ଗଭୀର ଆକର୍ଷଣକୁ କି ତା’ର ମଧୁର ତରଙ୍ଗାୟିତ ସଂପର୍କକୁ । ରାଜାଙ୍କ ପ୍ରତିଯୁକ୍ତି ପାଖରେ ରାଣୀ ମଳିନା ଓ ଅନୁତପ୍ତ ବିଭୋରା ହୋଇଯିବା ପରି ତମଆମଙ୍କ ମିଛ ଆଭିଜାତ୍ୟଗୁଡ଼ାକ ବି ସରସ ସ୍ମୃତି ପାଖରେ ନୀରସ ହୋଇ ଦେଖାଯିବେ । ଭଲ କବିତାମାନେ ଯେତିକି ଗାନଯୋଗ୍ୟା ହୋଇଥାଆନ୍ତି । ସେତିକି ଦେଖାହୋଇଯାଆନ୍ତି ସ୍ମୃତିପଟ୍ଟରେ ଛାପି ହୋଇଯାଆନ୍ତି । ସଂପୂର୍ଣ୍ଣ କବିତାଟିକୁ ଏକାଥରକେ ପାଠକରିଦେଲେ ପାଠକୀୟ ଅନୁଭବଟି ଆଉ ଗାଥା ଭିତରେ ନ ଥିବ; ଥିବା ପାଠକର ମାନସିକ ବିଚାର ଭଣ୍ଡାରରେ । ମହତ୍ତମ ଜୀବନସ୍ମୃତିମାନ କପିଳାର ଫଟା ଅଥଚ ଦୁର୍ଲ୍ଲଭ ବଂଶୀର ସ୍ଵର ପରି ଅହଂଶୂନ୍ୟ ସରଳଗୁଣରେ ତୁମଆମର ଭୋଗଶୀଳ କକ୍ଷହରା ମନକୁ ବାଟଧରିବା ପାଇଁ ଇସାରାରେ କାଇଦାଟିଏ ଜଣାଇଦେବ । ଏ ପ୍ରକାର ହୃଦୟ ପରିବର୍ତ୍ତନର କାଇଦା ଆମ ପାଠକୀୟତା ପାଇପାରିବ-ରୂପଯୌବନର କ୍ଷଣଭଙ୍ଗୁର କ୍ଷୁର୍ଣ୍ଣତାକୁ ଚିହ୍ନିପାରି, ଅସୀମ ପ୍ରୀତିର ଅନଳରେ ଯୌବନର ଇନ୍ଦ୍ରିୟ ବାସନାକୁ ଜାଳିପୋଡ଼ି ଶାଶ୍ୱତଜୀବନର ବାସନା ଲାଭ କରିବା ପାଇଁ ମୋହଶୂନ୍ୟ ଅଭିସାର ରଚିଥିବା କବି ଅପତ୍ୟ ପିଙ୍ଗଳାଠାରୁ ଅଥବା ଆପଣାକୁ ନିଃଶେଷ କରି ଅପରକୁ ଅଶେଷ ଶାନ୍ତିରେ ପୂର୍ଣ୍ଣ କରି ଦେଇଥିବା ଲଳିତା, ଶୁକଦେଈ, ପ୍ରଭାବତୀ ଓ ମଦନଜେନାଠାରୁ । ଭାରତୀୟ କାବ୍ୟଶାସ୍ତ୍ରୀ ଅଭିନବଗୁପ୍ତଙ୍କୁ ପୁଣି ଥରେ ଏଠି ସ୍ମରଣ କରିବା । ଅଭିନବ ଆଚାର୍ଯ୍ୟ ବିଶ୍ଵାସ କରନ୍ତି ଯେ ସର୍ବସାଧାରଣମାନେ ଭୋଗବସ୍ତୁକୁ ନେଇ ଗମ୍ଭୀରଜୀବନ ବିତାଉଥିବା ବେଳେ ବ୍ୟାସ-କାଳିଦାସଙ୍କ ଭାବସଙ୍ଗୀ ସହୃଦୟମାନେ ସ୍ଵଚ୍ଛ ଓ ନିର୍ମଳ ମନର ବୋଝଶୂନ୍ୟ ସରସ ଜୀବନ ବଞ୍ଚିଥାଆନ୍ତି । ଆମ ଗାଥା କବି ରାଧାମୋହନଙ୍କ କବିତାମାନେ ସରସ-କୋମଳ- ଇଙ୍ଗିତରେ ଛଳଶୂନ୍ୟ ଆସ୍ପର୍ଦ୍ଧାର ଓ ମେଳକର ଜୀବନ ବଂଚିବା ପାଇଁ ପାଠକକୁ ପ୍ରୋତ୍ସାହିତ କରିଆସିଛି ଏଥିରେ ନିଆରା ମତ ନାହିଁ ।

 

ଚିରାୟତ କଳାଧର୍ମର ମନୋମୋହକା କବିତା କେବଳ ହୃଦୟ ବିସ୍ତାରଣର କବିତା ନୁହେଁ, ମାଟି ସଂପ୍ରୀତିବୋଧର କବିତା ମଧ୍ୟ । ମୃତ୍ତିକାମଗ୍ନ କବିତାରେ କବି ବ୍ୟକ୍ତିଗତ ଦର୍ଶନ ଅଥବା ଆମଦାନୀ ପ୍ରୌଢ଼ୀକୁ ଖଟେଇ ଶବ୍ଦର ଖେଳ ଖେଳି ନ ଥାନ୍ତି । ମୃତ୍ୟୁ ହେଉ, ଈଶ୍ୱର ହେଉ, ଧନୀଦରିଦ୍ର ହେଉ, ପ୍ରଳୟ ହେଉ, ସୃଜନ ହେଉ, ଫୁଲ ହେଉ କିନ୍ତୁ, ପାହାଡ଼, ଅରଣ୍ୟ, ଆଦିମ ହେଉ ପ୍ରୌଢ଼ୀଗୁଣର କବିଏ ଯାହାକୁ ପ୍ରତିପାଦ୍ୟ ଭାବରେ ଗୁଆ ନଡ଼ିଆ ଦେଇ କବିତାପ୍ରାଙ୍ଗଣକୁ ଆମନ୍ତ୍ରଣ କରିବେ ସେମାନଙ୍କୁ ପ୍ରତୀକଚିତ୍ରକଳ୍ପ, ବିରୋଧାଭାସ, ଲକ୍ଷଣାଚାତୁରୀ ଆଦିର ପୋଷାକ ପିନ୍ଧାଇବାକୁ ବାଧ୍ୟ ହୁଅନ୍ତି । ପ୍ରବୁଦ୍ଧ କବିତାର ବୀଜଟି ଅନ୍ୟଭୂଖଣ୍ଡରୁ ଅଧ୍ୟୟନ ବଳରେ ଆମଦାନୀ ହୋଇଥାଏ । ଅନୁକରଣୀୟ ଭାବନା ହେତୁ କବିତାର ସ୍ଵର ଅଜଣା, ଅଶୁଣା ଓ କୃତ୍ରିମ ଲାଗିଥାଏ । କବିତାଟି କବିର ନିଜସ୍ଵ ଜୀବନ ପରିଧିରୁ ଭାବମନ୍ତ୍ର ଓ ଅନୁଭବ ନ ନେଇ ଦ୍ୱିତୀୟ-ତୃତୀୟ ପାକ୍ଷିକ ଜ୍ଞାନ ଅନୁସାରେ ଗଠିତ ହୋଇଥିବାରୁ ପାଠକ ବିଶ୍ୱାସର ହୋଇ ପାରି ନାହିଁ । ମାତ୍ର ମୃତ୍ତିକାବିଶ୍ଵସ୍ତ କବି ଭୌମିକସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଉତ୍ତାପରୁ ପ୍ରତ୍ୟକ୍ଷରୂପେ ଭାବ ଲାଭ କରିଥାଆନ୍ତି । ପାଠକ କବିର ଭାବନା ସହିତ ନିଜକୁ ସଂଯୁକ୍ତ କରିପାରିଥାଆନ୍ତି । ରାଧାମୋହନଙ୍କ ମୌସୁମୀ, ସୂର୍ଯ୍ୟ ଓ ଅନ୍ଧକାର, ଦୀପଶିକ୍ଷା ଓ ଧୂସର ଭୂମିକା ସଂକଳନରେ ସନ୍ନିବିଷ୍ଟ କବିତାଗୁଡ଼ିକ ମୃତ୍ତିକାଜଡ଼ିତ ଅନୁଭବକୁ ମୂଳ କରିଛି । ଏସବୁର କବିତାରେ ଉତ୍କଳୀୟ ଐତିହ୍ୟବାଦୀ ବାସ୍ତବତା, ଭାରତୀୟ ପ୍ରାଣରସ ସହିତ ବିଶ୍ଵଦୃଷ୍ଟି ଓ ମାନବବାଦୀ ବୀଜମନ୍ତ୍ର ମିଶି ରହିଛି । ଦୁଃଖ, ବ୍ୟଥା, ବାଦବିସମ୍ବାଦ, ଭେଦାଭେଦ ଭରା ବିବର୍ଣ୍ଣ ସମୟର ଶୁଷ୍କ ମଣିଷକୁ କବିତା ଶ୍ୟାମଳ ସ୍ୱପ୍ନ ଓ ସଫଳ ଆଶାର ସମାରୋହ ଯୋଗାଇ ଦେବ ଓ ତା’ ପାଇଁ ଛାୟାଲୋକର ବିକଳ୍ପ ହୋଇପାରିବ- ଏ ପ୍ରକାର ମହତ୍ତମ ଅଭିପ୍ରାୟକୁ କବିତାଗୁଡ଼ିକ ଅନ୍ତଃସ୍ଵରରେ ସ୍ଵୀକାର କରିନେଇଛି । ମାଟିର ମଣିଷର ଜାଗୃତି ପାଇଁ କବିତାଗୁଡ଼ିକ ଚାରଣକବିର କ୍ରାନ୍ତିଗାଥା ହୋଇଯାଇଛି ତ, କେଉଁଠି ଦରଦୀ କବିର ବିଶ୍ୱଦୃଷ୍ଟିକୁ ଧାରଣ କରି କଲ୍ୟାଣଧାରା ହୋଇଯାଇଛି । ଏ ପ୍ରକାର ମୃତ୍ତିକାଦର୍ଶନର ସଫେଇଟି କବିଙ୍କ ଭାଷାରେ ଏହିପରି ‘ଚାରଣ ପରାଏ ତୋଳିଥିଲି ମୋର କ୍ରାନ୍ତିଗାଥାxxx ଚାହୁଁଥିଲେ ସଦା କଲ୍ୟାଣଧାରା ବିଶ୍ୱଜୀବନ ଚକ୍ରବାଳେ ।’ ଏ ଭାବନାର କବି ମଣିଷ ନିମନ୍ତେ ଯେତିକି ସମବ୍ୟଥୀ ହୋଇଯାଏ, ସେତିକି ଭାରତୀର ସେବାକୁ ମଣିଷର ସେବା ଭାବରେ (ମଣିଷର ସେବା ଭାରତୀର ସେବା କରିବି ବୋଲି...) ବରଣ କରିନେବାକୁ ଶ୍ରେୟ ମଣେ । ବାଣୀତୀର୍ଥର ଉପାସକ ଭାବରେ ବାଣୀଙ୍କ ମୁଗ୍ଧ ଦାସ ରୂପରେ ବନ୍ଦନାର ଦୀପାଳି ପାଆନ୍ତୁ ଅଥବା ନ ପାଆନ୍ତୁ, କିନ୍ତୁ ଭାବଅଭାବ ଓ ଦୁଃଖସୁଖ ମଧ୍ୟରେ କଳାକୁ ମାନବହିତୋପଯୋଗୀ ସୃଷ୍ଟି ଭାବରେ ରାଧାମୋହନ ତିଆରି କରିବାର ବ୍ରାତିକ ଭାବନାରୁ ଓହରିଯାଇନାହାଁନ୍ତି ।

 

(ଛଅ)

 

ରାଧାମୋହନଙ୍କ ଗାଥା କବିତାଗୁଡ଼ିକରେ ଶବ୍ଦଗୁଡ଼ିକ ନିର୍ଦ୍ଦିଷ୍ଟ ଭାବାର୍ଥର ସଂକେତ ରୂପେ ବ୍ୟବହୃତ ହୋଇନାହାଁନ୍ତି । ବାହାରକୁ ଶବ୍ଦଗୁଡ଼ିକ ସରଳ, ସାଧାରଣ, ସୁପ୍ରଚଳିତ, ଜଣାଶୁଣା ମନେହେଉଥିଲେ ବି ଏମାନଙ୍କ କାବ୍ୟିକ ବସାଣ ଓ ଭାବ ଉନ୍ମୋଚନଶୀଳ ସ୍ଥାପନ ବେଶ୍‌ ଭାସମାନ ସୂଚକଧର୍ମର । ତେଣୁ ଏମାନେ ପାଠକଦ୍ୱାରା/ଶ୍ରୋତାପାଖରେ/ପାଠକ ଉଦ୍ଦେଶ୍ୟରେ ଥରେ ଆବୃତ୍ତ ହୋଇଗଲେ ଅନେକ ଅବସ୍ଥାର, ଭାବନାର, କ୍ରିୟାପ୍ରତିକ୍ରିୟାର ଓ ଅର୍ଥପ୍ରତିଅର୍ଥର ବହୁପାକ୍ଷିକ ଆବେଦନ ସୃଷ୍ଟି କରନ୍ତି । କେତେକ କ୍ଷେତ୍ରରେ ଶବ୍ଦମାନେ ମିଶି ଭାବଚିତ୍ରଟିଏ ଅଙ୍କନ କରନ୍ତି । ଭାବଚିତ୍ରକୁ ପାଠକ ପାଇଁ ଲୋଡ଼ିଲା ଦୃଷ୍ଣାନ୍ତର କରିବା ପାଇଁ କବିତ୍ୱ କମ୍‌ ଆଙ୍ଗିକ ସଚେତନ ନାହିଁ । ବସ୍ତୁକୁ ଭାବ, ଭାବକୁ ଚିତ୍ର, ଚିତ୍ରକୁ ସଙ୍କେତ ଓ ସମଗ୍ର କବିତାକୁ ଏକ ଉପଲବ୍ଧିର ପ୍ରତିନିଧିଶ୍ରେଣୀୟ ପ୍ରତୀକ କରିଦେବା ଦିଗରୁ ଗଡ଼ନାୟକଙ୍କ କବିତ୍ୱ ରୂପାନ୍ତରିତ ଆଙ୍ଗିକର (Transformative Technique) ବ୍ୟାପକ ବିନିଯୋଗ କରିଛି । ‘ବଢ଼େଇପିଲା’ଟି ସହିତ ସକଳପ୍ରକାର ଅଶ୍ରଦ୍ଧା, ବିଶ୍ୱାସହୀନତା ଓ ପ୍ରେମହୀନତାର ଅନୁଭବକୁ ନେଇ ବାଟଚାଲୁଚାଲୁ ହଠାତ୍ ପାଠକ ମନରେ ଭାବଚିତ୍ରଟିଏ ଆୟୁଷ୍ମାନ ହୋଇ ରହିଯାଉଛି- ‘ଜୀବନରଙ୍କ ହେବା ଅପେକ୍ଷା କୀରତିରଙ୍କ ହେବା’ ଏକ ଅନନ୍ୟ ସିଦ୍ଧିର ସୌଭାଗ୍ୟ । ମୂଳଲାଗି ଧନରଖି ସମୂହ କଲ୍ୟାଣ ପାଇଁ ବାଇ ହେଉହେଉ କାଠଯୋଡ଼ିର ଚାରିପାଖରେ ପଥରଛାତିଟିଏ ଘେରାଇ ଦେବା ମାତ୍ରେ କବିତାର ଗାଥା ସରିଯାଏ । ମାତ୍ର ଏଇଠୁ କବିତାର ଶବ୍ଦମାନେ କଥା କହିବା ଆରମ୍ଭ କରନ୍ତି । କବିତା ସାଙ୍ଗରେ କଥାବାର୍ତ୍ତା କରୁ କରୁ ପାଠକପ୍ରାଣ ଅଜାଣତରେ ମୁହୂର୍ତ୍ତକ ପାଇଁ ହେଲେ ବି ‘ବାଇମୁଣ୍ଡି’ ହେବା ପାଇଁ ସଂକଳ୍ପ ନେଇଯାଇଥାଏ । ରାଧାମୋହନଙ୍କ କାବ୍ୟଯୋଗ୍ୟ ଚରିତ୍ରମାନେ (ଜଟାୟୁ, ସତୀ, ପ୍ରଭାବତୀଠାରୁ ମନିଆ, ସମୀକ, ବାଳବୁଦ୍ଧ, ରାମୀ, ନାନକ, ଆନନ୍ଦ, ଏକଲବ୍ୟ, ଶ୍ରମଣା....) ପାଠକସାମ୍ନାରେ ସମ୍ମୋହନ ରୂପରେ ଛିଡ଼ା ହେବା ମାତ୍ରେ ପ୍ରତିକୂଳର ଯାବତୀୟ ଜଟିଳଗୁଡ଼ାକ ସରଳ ହୋଇଯାଆନ୍ତି ଏବଂ ବଂଚିବାର ଅନୁପମ ସ୍ୱପ୍ନ ଜୀବନ ଚଉପାଶରେ ଖଂଜି ହୋଇଯାଏ । କବିତା ପ୍ରବୋଧନଶୀଳ ପ୍ରତ୍ୟୟର ଭାବଚିତ୍ରରେ ରୂପାନ୍ତରିତ ହୋଇଯାଏ । କବି ଓ ଶିଳ୍ପୀ, ଶ୍ରୀୟା ଚଣ୍ଡାଳୁଣୀ, ବାଲ୍ମୀକି, ରାମୀ ଓ ଚଣ୍ଡୀଦାସ, ଶୁଆ ଓ ଦେବଦୂତ, ବିସର୍ଜନ, ଉର୍ମିଳା, ଉଠ ଆଗୋ, ପାଷାଣି, ବିମୁଗ୍ଧ ଯଯାତି, ପ୍ରତିଶୋଧ.... ଆଦି ଗାଥାକବିତା କେବଳ ଗୋଟିଏ ଗୋଟିଏ ଜନପ୍ରିୟ କାହାଣୀର କବିତାରୂପ ଦିଏ ନାହିଁ । ବରଂ ଚମତ୍କାର ଆନ୍ତଃଗ୍ରନ୍ଥିକତା ମଧ୍ୟରେ ଗାଥାଟିଏ ମୂଳରୁ ଶେଷ ଯାଏ ନାନାଭଙ୍ଗୀରେ ଗତି କରିଥାଏ । ରାଧାମୋହନଙ୍କ କାବ୍ୟପୁରୁଷ ଏପରି ଗାଥାକବିତାଗୁଡ଼ିକରେ ପୂର୍ବରୁ ଲେଖା ସରିଥିବା ଅନେକ ଗ୍ରନ୍ଥ ଓ କଥିତଧାରାରୁ ଭାବମହିମାମାନଙ୍କୁ ଆଣି ଚିତ୍ରଚରିତ୍ର ମଧ୍ୟରେ ସ୍ଥାନ ଦେଇଥାଆନ୍ତି । ଅତି ସୂକ୍ଷ୍ମରୂପରେ ଶୁକଦେଈଙ୍କ ଭିତରେ ଯେପରି ଜଗନ୍ନାଥ ଦାସଙ୍କ ଭାଗବତର କ୍ଷମାବୋଧ (ଦଣ୍ଡିବା ଶକ୍ତି ଯା’ର ଥାଇ/ସେଯେବେ କ୍ଷମା ଆଚରଇ/ସାଧକ ଶ୍ରେଷ୍ଠ ସେହୁ ନର/ସୁଖଦୁଃଖରୁ ସେ ବାହାର) ଓ ସମବ୍ୟଥିପଣ ଗୁଂଫିତ ହୋଇଛି ସେପରି ଅନେକ କବିତାର ଚିତ୍ର-ଚରିତ୍ର-କଥାଭାଗରେ ଅନେକ ମହାନ୍‌ ଗ୍ରନ୍ଥର ଅଶରୀରୀ ସଭାକୁ ରାଧାମୋହନ ଅତିସୂକ୍ଷ୍ମରେ ସାଇତି ରଖିଛନ୍ତି । ଏ ଦିଗରୁ ରାଧାମୋହନଙ୍କ କବିତ୍ୱ ଆନ୍ତଃଗ୍ରନ୍ଥିକତାର କ୍ରୀଡ଼ାସାଧନାରେ ଧୂରୀଣ ମଧ୍ୟ ।

 

ଉତ୍କଳିକା, ସ୍ମରଣିକା, କାବ୍ୟନାୟିକା, ଶାମୁକାର ସ୍ଵପ୍ନ ଭଳି ଅସପତ୍ନ ରଚନାଗୁଡ଼ିକର ଅନ୍ୟତମ ବିଶେଷତ୍ୱ ହେଉଛି-ନୈବ୍ୟକ୍ତିକ ମେଦିନୀଦୃଷ୍ଟି । ଏ ଚାରୋଟି ଗାଥାଗ୍ରନ୍ଥର ପ୍ରତ୍ୟେକ ଗପ, ଗପର ଓ ଚରିତ୍ର ଓ ଚରିତ୍ରର ବିଷୟାଶ୍ରୟୀ ମହିମା ପ୍ରଥମେ ସ୍ଥାନୀୟତାକୁ ମାନି ଆତ୍ମପ୍ରକାଶ କରିଛି । ପରେ ଏଗୁଡ଼ିକ ଆଞ୍ଚଳିକ ଭାବପ୍ରବଣ ସଂପ୍ରୀତିକୁ ତ୍ୟାଗ କରି ସର୍ବଜନୀନ ବିଶ୍ଵାୟିତ ବିଶ୍ଵାସସ୍ତରକୁ କାୟାବିସ୍ତାର କରିଯାଇଛି । ଗୋଟିଏ ନିର୍ଦ୍ଦିଷ୍ଟ ଭାବ, ପ୍ରବୃତ୍ତି ଅଥବା ତାତ୍‌ପର୍ଯ୍ୟ ବିନ୍ଦୁରେ ନରହି ବହୁବିନ୍ଦୁକ ହୋଇଯିବା ଓ ଅନ୍ୟ ବିନ୍ଦୁକୁ ପ୍ରସରି ଯିବାଟା ଯଦି ଭଲ କବିତାର ଲକ୍ଷଣ ହୁଏ ତେବେ ରାଧାମୋହନଙ୍କ ଏସବୁ କବିତାଗ୍ରନ୍ଥର କୌଣସି ଗାଥାକବିତା ଉଣାଗୁଣର ନୁହେଁ । ଶାମୁକାର ସ୍ୱପ୍ନ, ମୌସୁମୀ, କାବ୍ୟନାୟିକା (ପ୍ରାକ୍ତନୀ ଓ ଜୈତ୍ରୀ ଅଂଶ), ଧୂସରଭୁମିକା, କୌଶୋରିକା କବିତାଗ୍ରନ୍ଥର ବହୁକବିତା (ବିଶେଷ କରି ମାଟି, ମୌସୁମୀ, ଅୟିପୃଥ୍ୱୀ, ଦୁଇଜଣ, ସତକଥା, ମାନବ ଓ ଦାନବ, ପ୍ରତିଶୋଧ, ବିମୁଗ୍ଧଯଯାତି, ସତ୍ୟ ଓ ଶକ୍ତି.....)କୁ ଅନୁଶୀଳନ କଲେ ଦେଖାଯିବ ଯେ ତାଙ୍କ କାବ୍ୟିକ ଶବ୍ଦ ସଂଘଟନାବୃତ୍ତି ରୂପକାତ୍ମକ ଆରୋପଣଧର୍ମକୁ ସମର୍ଥନ କରିଛି । କାବ୍ୟିକ ଶବ୍ଦଗୁଡ଼ିକ ମିଳି ପ୍ରଥମେ ଗୋଟିଏ ରୂପକାତ୍ମକ ଭାବ କଳ୍ପନା କରନ୍ତି । ତା’ପରେ ତହିଁରେ ନାଟକୀୟ ରୀତିରେ ବାସ୍ତବତାକୁ ବସ୍ତୁବତ୍‌ ରୂପ ଦିଅନ୍ତି । ବସ୍ତୁଚିତ୍ର ସହିତ ପାଠକ ନିଜକୁ ଯୋଡ଼ିବା ମାତ୍ରେ ସମଗ୍ର କବିତା (ପାଠକ ଓ କବି ମଧ୍ୟରେ ଯୁକ୍ତିପ୍ରତ୍ୟୁକ୍ତି ଛଳରେ) ଚେତନାଟିଏ ହୋଇ ପାଠକର ଧାରଣା, ଅନୁଭୂତି ଓ ପଠନାଭିପ୍ରାୟକୁ ଆବୋରି ବସେ । କବିତା ସହିତ ପାଠକର ବାଦ-ବିବାଦ ଲାଗିଲା ପରେ ଶବ୍ଦବିନ୍ୟାସର ସୂକ୍ଷ୍ମ କାରିଗରୀ ଭିତରେ ଥିବା କାବ୍ୟାର୍ଥ ସୌନ୍ଦର୍ଯ୍ୟ ପାଠକକୁ ଦୃଷ୍ଟାନ୍ତଧର୍ମୀ କରି କାବ୍ୟିକ ସ୍ଵରଟିଏ ଯୋଗାଇଦିଏ । କାବ୍ୟସ୍ଵରକୁ ପାଠକ ସମର୍ଥନ ଜଣାଇବା ମାତ୍ରେ ଗାଥାକବିତାଟି ପଠନଯୋଗ୍ୟ କବିତାରେ ରୂପାନ୍ତରିତ ହୁଏ । ସୁତରାଂ ରାଧାମୋହନଙ୍କ କବିତ୍ୱ ପାଇଁ କବିତା ହେଉଛି- ପାଠକଠାରେ ରୂପକାତ୍ମକ ଛଳରେ ଆରୋପିତ ହୋଇଥିବା ଶାବ୍ଦିକ-ଭାବଚିତ୍ର-ମୀମାଂସା ।

 

ପୂର୍ବରୁ ଆଲୋଚନା ପ୍ରସଙ୍ଗରେ କୁହାଯାଇଛି ଯେ ଗାଥାକବିଙ୍କ ଗାଥା ଉପସ୍ଥାପନର ଭାଷା ଆବୃତ୍ତିନିଷ୍ଠ ଭାଷା, ଆଳାପଧର୍ମୀ ଭାଷା, ଉଦ୍‌ବୋଧନୀ ଭାଷା ଚିତ୍ର ଓ ଶ୍ରାବ୍ୟଗୁଣ ମିଶ୍ରିତ ପ୍ରବୋଧନଶୀଳ ଭାଷା । ଭାବଶିଳ୍ପୀ ହେବା ପୂର୍ବରୁ ରାଧାମୋହନ ଚିତ୍ରଶିଳ୍ପୀ ଓ ଶବ୍ଦଚିତ୍ରକ ହୋଇଛନ୍ତି । ଶବ୍ଦର ଚିତ୍ରାୟନୀ ଉପସ୍ଥାପନା ଭିତରେ କବିତାର ପ୍ରସଙ୍ଗ ଓ ଚରିତ୍ର ପାଠକ ପାଇଁ ଆଖିଦୃଶିଆ ଅନୁଭବର ରୂପକ ହୋଇଯାଏ । ଭାବକୁ ଦୃଶ୍ୟଶୀଳ ରୂପକଧର୍ମର କରି ତୋଳିବା ଅର୍ଥ କବିତାକୁ ଇନ୍ଦ୍ରିୟଗ୍ରାହୀ କରିଦେବା- ଏ କାରିଗରୀଟିକୁ ରାଧାମୋହନ ଅଧିକାଂଶ କବିତାରେ ଅବଲମ୍ବନ କରିଛନ୍ତି ।

 

ଗଡ଼ନାୟକଙ୍କ ସମକାଳରେ ଲେଖୁଥିବା ଅନେକ କବି ତାଙ୍କଠାରୁ ଢେର୍‌ ଆଧୁନିକ-ଏ ପ୍ରକାର ପଟ୍ଟାପାରିଚା ଗୋଟେଗୋଟେ ଯୋଗାଡ଼ି ପରିଚାଳନା ପଦ୍ଧତିରେ ହାସଲ କରିପାରିଥିଲେ ବି ପାଠକ ଆଦୃତି ପାଇବାର ବିମର୍ଶ ବିଚାରରେ ସେମାନଙ୍କର ଭାଗ୍ୟ ବିଡ଼ମ୍ବିତ ଓ ବିମର୍ଷ ଅନୁଭବର ହୋଇଉଠିଛି । ମାତ୍ର ମରଣ ପରେ ବି ମରଣଜୟୀ ଗଡ଼ନାୟକଙ୍କ ବର୍ଣ୍ଣାଢ଼୍ୟଚାରଣ ପ୍ରତିଭା ଗୀତିଗୁଣ, ନାଟକୀୟ ଆକର୍ଷଣ ଓ ଦୃଷ୍ଟାନ୍ତ କଥନୀଧର୍ମକୁ ଆଧାର କରି ପାଠକର ଆଗ୍ରହ ଓ ବିବେକଙ୍କୁ ଏଯାବତ ସମସ୍ପନ୍ଦନରେ ଚମତ୍‌କୃତ କରିଚାଲିଛି । ତାଙ୍କର କବିତାର ଯେଉଁଗୁଣଟି ପାଠକଙ୍କୁ ବାନ୍ଧି ରଖିଥାଏ ଏବଂ ପାଠକ ଯାହାକୁ ଅନ୍ୟମାନଙ୍କ କବିତାଖେଳରେ ତାଙ୍କବତ୍‌ ଦେଖିପାରନ୍ତି ନାହିଁ ସେଇଟି ହେଉଛି ‘କଥକବୃତ୍ତି’ ପ୍ରତଟି କବିତାର ବସ୍ତୁବିନ୍ୟାସ ଭିତରେ ଚାରଣକବିତ୍ୱର କଥକ ବୃତ୍ତିଟି ସଂଚରିଥାଏ । ପ୍ରାୟତଃ ରାଧାମୋହନ କବିତା ଗଢ଼ି ବସିଲେ କଥାଟିଏ ଗାନ କରନ୍ତି, ତାକୁ ରୂପକାତ୍ମକ କରି କହନ୍ତି । ଏମିତିକି ମୌସୁମୀ ଲାଜ, ବ୍ୟଥାର ଦାନ, କବିର ଗୀତ, ପ୍ରଧାନପାଟ, କୋକିଳପ୍ରତି ଭଳି ସମ୍ବୋଧନାତ୍ମକ, ସ୍ଵଗତ ସଂଭାଷଣ ଓ ଭାବପ୍ରବୋଧନମୂଳକ କବିତାମାନ ତିଆରୁ ସେସବୁକୁ ‘କଥାଣୁ’ ମଣ୍ଡିତ କରି ଶେଷ କରିଥାଆନ୍ତି ।

 

କବିତାରେ ପ୍ରଥମେ ସେ ଶବ୍ଦସହିତ ଶବ୍ଦର ମିଳନ (ବସ୍ତୁବୋଧକ ଶବ୍ଦ+ଭାବବୋଧକ ଶବ୍ଦ+ମନନଶୀଳ ଶବ୍ଦ+ଚିତ୍ରରୂପକର ଶବ୍ଦ+ବିଶେଷତ୍ୱ କରଣର ଶବ୍ଦ) ଘଟାଇ ଦାମ୍ପତ୍ୟାୟିତ ବାଗ୍‌ବିମ୍ବ ନିର୍ମାଣ କରନ୍ତି । ବାଗ୍‌ବିମ୍ବ ସହିତ ଅନ୍ତଃପ୍ରବାହୀ ଛନ୍ଦଗୁଣର ସଂଯୋଗ ଘଟି ଆରୋହ>ଅବରୋହର ଆଭିତାନିକ ଶ୍ରୁତିପ୍ରିୟତାର ତରଙ୍ଗ ବଳୟଟିଏ ଇନ୍ଦ୍ରିୟଗ୍ରାହୀ ଚମତ୍କାରିତାରେ ପାଠକଙ୍କୁ ଆକର୍ଷଣ କରେ ଦ୍ୱିତୀୟ ସ୍ତରରେ ଛନ୍ଦ ଓ ଚିତ୍ରର ଯେଉଁ ଯୁଗନ୍ନଦ୍ଧ ପ୍ରକ୍ରିୟାଟି ସାଧିତ ହୁଏ ତାହାକୁ ଅଧକ ଲୀଳାକାରକ କରିଦିଏ ସଂଳାପଧର୍ମିତା । ଏସବୁକୁ ନେଇ କବିତାର ପ୍ରତିପାଦ୍ୟ ଭାବସୌନ୍ଦର୍ଯ୍ୟ ବାସ୍ତବ-କଳ୍ପନା, ଅତୀତ- ବର୍ତ୍ତମାନ-ଅବର୍ତ୍ତମାନ ଭବିଷ୍ୟତ ଆଦି ଭେଦକୁ ଅସ୍ଵୀକାର କରି ବସ୍ତୁବିମ୍ବାତ୍ମକ ଦୃଷ୍ଟାନ୍ତଟିଏ ହୋଇ ଦୀପ୍ତିମାନ ହୋଇଉଠେ । ଦୃଷ୍ଟାନ୍ତ ବିଲକ୍ଷଣରେ ଉଭା ହେବା ହିଁ ଭଲ କବିତାର ଉତ୍ତମ ପରିଭାଷା ଓ ଏ ପରିଭାଷା ଦିଗରୁ ରାଧାମୋହନ କବିତ୍ୱ ଶତପ୍ରତିଶତ ସଫଳ କବିତାର ଖେଳାଳି । ପାଠକ କବିତାର ବସ୍ତୁବିମ୍ବାତ୍ମକ ଉଭାମୂର୍ତ୍ତିସହିତ ଯୋଡ଼ି ହୋଇଯିବା ମାତ୍ରେ ତହିଁରେ ଥିବା ପୁରାଣ-ଇତିହାସ କାଳର ଅନୁଭବ ସମକାଳର ଚାହିଦା ଅନୁସାରେ ପୁନର୍ଗଠିତ ହୋଇଯାଏ । ସଂକ୍ଷେପରେ ରାଧାମୋହନଙ୍କ କବିତା ସାଂସ୍କୃତିକ ଅଭିଳାଷର ପ୍ରତିବିନ୍ୟାସାତ୍ମକ ଫନ୍ଦାଣ ।

 

‘ଉହ୍ୟକ୍ରୀଡ଼ା’କୁ ରାଧାମୋହନ କବିତା ରଚନାର ଆଉ ଏକ କୌଶଳ ଭାବରେ ବ୍ୟବହାର କରିଛନ୍ତି, ଶବ୍ଦମାନେ ସରଳ-ନାଦଶୀଳ ହୋଇ ସାଧାରଣ ଆଳାପଚାତୁରୀରେ ତାଙ୍କ କବିତାରେ ମେଳିବାନ୍ଧନ୍ତି । ମନେହୁଏ ଯେମିତି ସକାଳୁସକାଳୁ ପ୍ରାତଃସ୍ନାନ କରୁଥିବା ଓଡ଼ିଆଣୀମାନେ ଗାଧୁଆତୁଠରେ ଆଳାପ କରୁଛନ୍ତି । ଆଳାପ ଚାରୁଚିତ୍ର, ସ୍ମୃତିଚିତ୍ର, ବସ୍ତୁଚିତ୍ର ଓ ଭାବଚିତ୍ରର ଅର୍ଥ ଦେଉଦେଉ କଥାଟିଏ କହିଛି ମାତ୍ର । ମାତ୍ର ନିଠେଇକରି ଦେଖିଲେ ଦେଖାଯିବ ଚିତ୍ରପୋଷାକ ପିନ୍ଧି ସାଧାରଣ ଭାବରେ ଅର୍ଥ ପ୍ରଦାନ କରୁଥବା ଶବ୍ଦଗୁଡ଼ିକ ପ୍ରକୃତରେ ଭାବନିଷ୍ପତ୍ତିର କୁହୁକ ଖେଳ ଅନ୍ତସନ୍ତର୍ପଣରେ ସାଧନ କରୁଛନ୍ତି ଏହି କୁହୁକ ଖେଳରେ କବିସତ୍ତା କହୁନିକହୁନି କହି ଅତିଗମ୍ଭୀର ଅର୍ଥ ଦ୍ୟୋତନାରେ ଉଚ୍ଚାଙ୍ଗ କଥାମାନ କହୁଛି । ଶାଦ୍ଦିକ ଖେଳର ବଶୀକରଣ ପରିଧିଟିଏ ତିଆରି କରି ତା’ ଭିତରେ ଅତି ପ୍ରଚ୍ଛନ୍ନରେ ଜୀବନ ସହିତ ଉଦାରତାର, ଆଦର୍ଶ ସହିତ ସୁନ୍ଦରତାର, ବେପରୁଆ ଚଳଣି ସହିତ ଦୃଢ଼ ବିବେକପଣର ବିରୋଧଭାସୀ ଭାବାର୍ଥକୁ ଉହ୍ୟକ୍ରୀଡ଼ାରେ ରତକରାଇ ରଖୁଛନ୍ତି । ଏ ଦିଗରୁ ରାଧାମୋହନଙ୍କ କଥାକବିତାକରଣ କମ୍‌ ଚାତୁର୍ଯ୍ୟୋକ୍ତିର ବୌଦ୍ଧିକକ୍ରୀଡ଼ା ନୁହେଁ । ଏ କ୍ରୀଡ଼ାର ବିଶେଷତ୍ୱଟି ହେଉଛି-ଉଦାତ୍ତ ଭାବଦ୍ୟୁତିର ତାତ୍‌ପର୍ଯ୍ୟକୁ ପ୍ରଚଳିତ ଓ ସରଳ ଶବ୍ଦ-ଆଚ୍ଛାଦନରେ ପ୍ରତିଭାତ କରାଇବା । ରାଧାମୋହନଙ୍କ କବିତାସଂସାରରୁ କେତୋଟି ଦୃଷ୍ଟାନ୍ତ ଏ ପ୍ରକାର ବିଶେଷତ୍ୱର ପ୍ରମାଣ ପାଇଁ ଉଦ୍ଧାର କରାଯାଇପାରେ,

 

(୧)

ବିଶ୍ଵର କଲ୍ୟାଣ ପାଇଁ ମରଣ ଯେ କରଇ ବରଣ/ମର ଏ ମରତପଥେ ସେଇ ଏକା ଲଭଇ ଜୀବନ’ (ସ୍ମୃତିର ଫଳକ) ।

(୨)

‘ଦିଶିଲା ଦିଶିଲା ଅନ୍ଧତା ମୋ ଦୂର/ଅନ୍ତରେ ଦେଖଇ ମୁହିଁ ସୃଷ୍ଟିର ସୌଷ୍ଠବେ/ବିରାଟ ବିପୁଳ ।’ (ଅନ୍ଧର ଚକ୍ଷୁଲାଭ)

(୩)

‘ଲୋଡ଼ା ନାହିଁ ମୋର ଧନସମ୍ପଦ ମଣି-କାଞ୍ଚନ-ମାଳା/ଲୋଡ଼ାନାହିଁ ମୋର ବିଳାସକୁଞ୍ଜ ଏ ଚାରୁ ଚିତ୍ରଶାଳା/ଧରଣୀର ତୃଣ ତଳ୍ପ ଉରସେ ଶୋଇବି ହରଷ ଭୋଳେ/ଊର୍ଦ୍ଧ୍ୱେ ନୀଳିମା ଗଗନ ବିତାନେ ଅନାଇ ମୁଗ୍ଧ ଡୋଳେ ।’ (ପିଙ୍ଗଳାର ଅଭିସାର)

(୪)

‘ବିଶାଳ ଧରଣୀ ଭୁଇଁ/ଏକାକୀ ବ୍ୟଥିତ ମୁହିଁ/ହତାଶ ହୋଇବି କିଆଁ/ପ୍ରବୋଧିତ କରି ହିୟା/ଗାଇବି ଜୀବନ-ଗୀତି ଲହରୀ ।’ (ବ୍ୟଥିତର ଗୀତ)

 

ପ୍ରଥମ କବିତା ପଙ୍‌କ୍ତି ପରି ରାଧାମୋହନ ଶତାଧିକ ପଙ୍‌କ୍ତିକୁ ଜନ୍ମ ଦେଇଛନ୍ତି ଯେଉଁମାନେ ଆମ ପାଠକୀୟତାକୁ ସମୂହ ଭିତରେ ସମୂହ ନିମନ୍ତେ ତ୍ୟାଗପୂତ ଶବ ସଂକଳ୍ପର ଜୀବନଟିଏ କାଳକୁ ଡେଇଁ ବଂଚିବା ପାଇଁ ଏକମାତ୍ର ଉପାୟ ବୋଲି ଚେତେଇ ଦିଅନ୍ତି । କବିତା ଏଠି ଶବ୍ଦସଜାଣର ଚାତୁରୀବାଡ଼ଟିକୁ ଡେଇଁ ଋଷିସୁଲଭ ମାନ୍ତ୍ରିକଧର୍ମର ହୋଇଯାଏ । ଦ୍ୱିତୀୟ ଦୃଷ୍ଟାନ୍ତ ପରି ଗଡ଼ନାୟକ ଅନେକ କଳାଯୋଗ୍ୟ ଦୃଷ୍ଟାନ୍ତ ସାଇତି ରଖିଯାଇଛନ୍ତି ଯେଉଁଗୁଡ଼ିକ ଆମର ଭିତିରି ଅନ୍ଧାରର ଲୋଚନକୁ ଖୋଲି ଦେଇ ଆଲୋକର ବିପୁଳ ସମ୍ଭାବନାର ମହୋତ୍ସବ ଦେଖିବାକୁ ଆମକୁ ଉନ୍ମନା କରିଦିଏ । ସ୍ଵର ତୃତୀୟ ଦୃଷ୍ଟାନ୍ତ ପରି ଆମକୁ ସାଧାରଣ ପାର୍ଥିବ ବାସନାର ତୁଚ୍ଛତାକୁ ଚିହ୍ନେଇଦିଏ । ପୃଥିବୀ ଭିତରେ ଦୁଇ ପ୍ରକାର ଜୀବନନିର୍ବାହର ଉପାୟ ରହିଛି-। ଚାକଚକ୍ୟର ପ୍ରଦର୍ଶନୀ ଓ ସରଳତାର ଦୁର୍ଲ୍ଲଭ ଚମତ୍କାରିତାର ଦୁଇଟି ଜୀବନ । ପ୍ରଥମଟି ଖୁବ୍ ପ୍ରିୟ ଓ ଲୋଭିଲା । ଦ୍ୱିତୀୟଟି ଖୁବ୍‌ ସାଧନାର ପରିଣାମ ରୂପରେ ମିଳେ । ପ୍ରଥମଟି କ୍ଷଣିକ ଓ ସୀମାବଦ୍ଧ, ଦ୍ୱିତୀୟଟି ମହତ୍ତମ ଓ ଅସୀମ । ଏମିତି କବିତା ପଙ୍‌କ୍ତି ସହିତ ବନ୍ଧୁ ବାନ୍ଧୁବାନ୍ଧୁ ପାଠକର ମନ ଅଭିସାରିକା ପିଙ୍ଗଳାର ମନ ହୋଇଯାଏ । କ୍ଷଣିକ ଆକର୍ଷଣର ସମ୍ମୋହନକୁ ଅତିକ୍ରମୀ ବିପୁଳ-ନିର୍ଲୋଭ ଜୀବନ ବଂଚିବାକୁ ଓ ପ୍ରକୃତି ସହିତ ଆତ୍ମଲୀନ ହୋଇ ପାର୍ଥିବତା ଭିତରେ ସ୍ଵର୍ଗୀୟତାକୁ ଉପଲବ୍ଧି କଟି ଟକ ଉଦାତ୍ତ ଉତ୍ସାହ ପ୍ରାଣରେ ସୃଷ୍ଟି ହୁଏ । ଏମିତି କାବ୍ୟିକ ସଂଭାବନା କରୁକରୁ କବି ଋଷି ହୋଇଯାଇଥାଏ । କବି ବଚନ ଋଷି ବଚନରେ ପରିଣତ ହୋଇଯାଏ । ରାଧାମୋହନଙ୍କ କବିଦୃଷ୍ଟି ଋଷିଦୃଷ୍ଟି ବ୍ୟତୀତ ଅନ୍ୟକିଛି ନୁହେଁ । ଶେଷଦୃଷ୍ଟାନ୍ତଟି ପାଠକଙ୍କୁ ସାଧାରଣରୁ ଅସାଧାରଣ ବିଶ୍ୱଦୃଷ୍ଟିର କରିଦିଏ । ହତାଶା, ବ୍ୟର୍ଥତା ଓ ଦୁର୍ଭାଗ୍ୟକୁ ବିସ୍ମରି ବିପୁଳ ଦୃଶ୍ୟରେ ମଜ୍ଜି ବିଶ୍ୱଙ୍କୁ ଆପଣାର କରି ଭାବପ୍ରାଚୁର୍ଯ୍ୟର ଜୀବନଟିଏ ବଂଚିବାକୁ କବିତା ବନ୍ଧୁସମ୍ମିତ ପ୍ରୋତ୍ସାହନ ଯୋଗାଇଦିଏ । କବିତା ପାଠକ ପାଇଁ ବୁଝାମଣାର ସୂତ୍ର ହୋଇଯାଏ । ବେଳେବେଳେ ନିରୋଳାରେ ରାଧାମୋହନଙ୍କ କବିତା ସହିତ ଆଳାପ କରିବାବେଳେ ପାଠକ ଅନୁଭବ କରେ ସେଗୁଡ଼ିକ କେବଳ କବିତା ନୁହନ୍ତି, ସେମାନେ ସୌଭାଗ୍ୟ ଓ ଦୁର୍ଭାଗ୍ୟ ମଧ୍ୟରେ ବୁଝାମଣା ସୃଷ୍ଟି କରୁଥିବା ଜଣେ ଜଣେ ରାଜକୀୟ ମଧ୍ୟସ୍ଥୀ ।

 

(ଶେଷରେ)

ପାଠକେ ! ଭଲ କବିତାମାନେ ଜଣେଜଣେ ଉତ୍ତମ ଓ ଦୁଃଖସୁଖର ବନ୍ଧୁ । ପାଠକଙ୍କ ସହିତ ଭାବବିନିମୟ କରି ଚାଲିଥିବା ବନ୍ଧୁତ୍ୱପଣର ଆଳାପିତ କବିତାମାନେ ରାଧାମୋହନଙ୍କ ଗାଥାକବିତା ପରି ପାଖେ ପାଖେ ରହି ପାଠକଙ୍କୁ ଭଲମନ୍ଦରେ କଥାଟିଏ ବାଢ଼ି ଦେଇ ପରିସ୍ଥିତି ସହିତ ଯୋଡ଼ି ହୋଇଯିବାକୁ ବୁଝାଇଥାନ୍ତି । ସମ୍ମୋହନ ଗୁଣରେ ଗଡ଼ନାୟକଙ୍କ କବିତା ପରି ଉତ୍ତମ କବିତା ପଦ୍ମତୋଳାର ରାଗ ଶୁଣାଇ ଆମ ବିଷାକ୍ତ ମନରେ ଜାଲମହୁରାର ଉତ୍ତାପବତ୍‌ ସଂଚରିଯାଇ ବିଷୟବିଷର ସଂଚାରଙ୍କୁ ଦୁର୍ବଳ କରିଦିଅନ୍ତି । ତାଙ୍କ ଉଦାର ଓ ଉଦାତ୍ତ ଭାବର କବିତା ଆମକୁ ଜଣାଇଦିଏ-ସୂଚେଇଦିଏ ଯେ ଜଗତରେ ଅନ୍ଧାର ଅଛି, ଅବିଶ୍ୱାସ ଅଛି, ବିଷାଦ ଅଛି ଓ ଅଭାବ ଅଛି, ମାତ୍ର ଏସବୁକୁ ତୁଚ୍ଛ କରି ଦେଇ ପଛକୁ ଠେଲି ଦେଇ ଆଲୋକକୁ ଲଭି ଅନ୍ୟକୁ ଯୋଗାଇ ଦେବା, ଅବିଶ୍ୱାସକୁ ଚିହ୍ନି ବିଶ୍ଵାସର ବିବେକପଣ ଉଜ୍ଜୀବିତ କରିବା, ବିଷାଦର ଖାବରା ବଳୟକୁ ଭାଙ୍ଗି ସତ୍ୟ- ଶିବ-ସୁନ୍ଦରର ଛନ୍ଦମୟ ଆନନ୍ଦମାର୍ଗଟିଏ ତିଆରି କରିବା ହିଁ ପ୍ରକୃତ ମାନବିକତା । ସ୍ଥୂଳତଃ ଆମେ ଓଡ଼ିଆଏ ଗୌରବାନ୍ୱିତ ଯେ ସାରୋଳ, ଜଗନ୍ନାଥ, ଉପେନ୍ଦ୍ର, ଭୀମଭୋଇ, ରାଧାନାଥ, ଗଙ୍ଗାଧର, ଗୋପବନ୍ଧୁ, ବୈକୁଣ୍ଠ, ମାୟାଧର, ସଚ୍ଚିଦାନନ୍ଦଙ୍କ ସହିତ ରାଧାମୋହନଙ୍କ ଭଳି ମହତ ଭାବକଳ୍ପକ ଆମ ଶବ୍ଦର ଚାରଣଖେଳାଳି ହୋଇପାରିଛନ୍ତି । ଏମାନଙ୍କ ମେଳରେ ଶବ୍ଦସ୍ଥପତିରୁ ଛନ୍ଦସ୍ଥପତି ଓ ଭାବସ୍ଥପତିର ବିନୟ ଅହଂଟିଏ ପରି ରାଧାମୋହନ ଆମ ପାଠକୀୟତା ସହିତ ସମଭାଗୀ ହୋଇ ରହିଛନ୍ତି ।

 

ଶିକ୍ଷକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର

***

 

ମାଟିର ମୁଗ୍ଧ ଚିତ୍ରକର : କବି ରାଧାମୋହନ ଗଡ଼ନାୟକ

ତୀର୍ଥାନନ୍ଦ ମିଶ୍ର

 

‘ସବୁରି ଲୁହରେ ସବୁରି ଲହୁ            ଅନ୍ତରେ ଆଣି କରଇ ମହୁ

ସେଇତକ ମୋର ବୁକୁର ତାତି

କବି ହେବା ପାଇଁ ବାସନା ମୋର            ଦିବସ ରାତିରେ ଦିବସ ରାତି ।’’

(କବି ହେବା ପାଇଁ ବାସନା ମୋର)

 

ମାଟିମନସ୍କ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ସ୍ପର୍ଦ୍ଦିତ ଉଚ୍ଚାରଣ । ଭାଦ୍ରବକୃଷ୍ଣ ତୃତୀୟାରେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଲଣ୍ଡାପାଳ ଗ୍ରାମରେ ପ୍ରସିଦ୍ଧ ବାଘସିଂହ ପରିବାରରେ ପିତା ସରବରାକାର ମହାଦେବ ଗଡ଼ନାୟକ ଓ ମାତା ଗୋଲକମଣି ଦେବୀଙ୍କ ଅଙ୍କ ମଣ୍ଡନ କରି ଜନ୍ମ ହୋଇଥିବା ରାଧାମୋହନ ଆଇ.ଏ. ପରୀକ୍ଷା ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଥିଲେ । କିଶୋର ବୟସରୁ ରାଧାମୋହନ କବିତାର ପ୍ରେମରେ ପଡ଼ିଥିଲେ । ଗାଆଁର ମାଟିମାୟା ସବୁଜ ଅରଣ୍ୟାନି ତାଙ୍କୁ କବି ହେବାର ଖୋରାକ ଯୋଗାଇଥିଲା । ତାଙ୍କ ପ୍ରଥମ କବିତା ‘‘କିଏ ଗୋ ତୁ ରେ ଏକ ସ୍ଵପ୍ନାଚ୍ଛନ୍ନ ଆକୁଳିତ ଅନ୍ନେଷାର ସ୍ଵର ସ୍ପଷ୍ଟ ।’’

 

‘‘କିଏ ଗୋ ତୁ ଜାଗରଣୀ କିଶୋର ପରାଣେ

ଭରିଦିଅ ଆଜି ତୁମେ ନବୀନ ଦୀପନ

ଜାଗି ଉଠି ନବୋଲ୍ଲାସେ ତୋର ଜୟଗାନେ

ଭରିବ ନବୀନ ସ୍ଵପ୍ନେ ନବୀନ ଜୀବନ ।’’

(କିଏ ଗୋ ତୁ : ବନରାଜି ନୀଳା : ପ୍ର.ପ୍ର. ୧୯.୨୫)

 

ଯୁଗେ ଯୁଗେ କବି କଳ୍ପନାକୁ ଶାଣିତ ରୂପ ଦେଇଛି ପ୍ରକୃତିର ଅନନ୍ତ ରୂପଛଟା । ତାର ସୁନୀଳ ସକାଳ, ସ୍ଵର୍ଣ୍ଣମ ସନ୍ଧ୍ୟା, ରଜତ ଧବଳ ଉଜ୍ଜ୍ୱଳ ମଧ୍ୟାହ୍ନ କବି ଚେତନାରେ ସାତରଙ୍ଗୀ କଳ୍ପନା ଭରି ଦେଇଛି । ଆଦ୍ୟ କୈଶୋରରେ କବିଙ୍କ ଗାଆଁ ପାଖେ ବହି ଯାଉଥିବା ଲଙ୍ଗରା ନଈ, ଅନୁଗୁଳରେ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବାବେଳେ ବିଦ୍ୟାଳୟର ନିକଟବର୍ତ୍ତୀ ସୁନା ଶଗଡ଼ ପାହାଡ଼ ତାଙ୍କୁ କବିତାର ଆଦ୍ୟ ବର୍ଣ୍ଣମାଳା ଶିଖାଇଛି । ଏହି ସୁନା ଶଗଡ଼ ପାହାଡ଼ ତାଙ୍କ ଭିତରେ କବିତାର ଯେଉଁ ଆଦ୍ୟ ମୌସୁମୀ ପଖଳା ମାଟିର ଭୁରୁଭୁରୁ ଗନ୍ଧ ଖେଳାଇ ଦେଇଛି ତାହା କବି ଲେଖନୀରେ ଏହିପରି ରୂପ ନେଇଛି-

 

‘ପୁରୁଣା ଗଡ଼ର ପରବତ ଶିଖେ ହସି ଉଠୁଅଛି ଅସ୍ତରବି

ବାରୁଣୀ ଆକାଶେ କନକ ଆଭାସେ ଝଳି ଉଠୁଅଛି ରମ୍ୟ ଛବି ।

ଏ ନୂଆ ଗଡ଼ରେ ସୁନା ଶଗଡ଼ରେ ବସିଅଛି ମୁହିଁ ଏ ନିରିଜନେ

କେତେ ଛବି ଖେଳି ବୁଲୁଛି ନୟନେ କେତେ ଭାବଆସି ଉଠୁଛି ମନେ ।’

 

ମାଟିର ମୁଗ୍ଧ ଉଚ୍ଚାରଣରେ ଗଡ଼ନାୟକ ଲେଖନୀ ବେଶ୍‌ ଶବ୍ଦ ମୁଖର । ସେ ସବୁଜକବିମାନଙ୍କ ପରି ସୁଦୂରର ମୋହରେ ମାଟିକୁ ଅସ୍ୱୀକାର କରି ନାହାନ୍ତି । ପାଶ୍ଚାତ୍ୟର ଚାକଚକ୍ୟ ତାଙ୍କ ଆଖିରେ ମାୟାଞ୍ଜନ ବୋଳି ମାଟିଠାରୁ ଦୂରେଇ ଦେଇପାରିନାହିଁ । ଏଇ ମାଟିର କିଆ କେତକୀର ମହକରେ ମହକି ଉଠିଛି କବି ହୃଦୟ । ଚାମେଲି, ଗୋଲାପ ଅଥବା ହାସ୍ନା ହେନାର ଗନ୍ଧରେ ସେ କେବେ ବି ବିଭୋର ହୋଇ ଉଠିନାହାନ୍ତି । ସବୁଜ ଅଥବା ଆସମାନ ପରୀର ଆକାଶୀମାୟାରେ ପ୍ରଲୁବ୍ଧ ନ ହୋଇ ସେ ଖୋଜି ବୁଲୁଛନ୍ତି ସୁନା ଫରୁଆରେ ସାଇତା କାଚକେନ୍ଦୁ ପରି ନିର୍ମଳ ନଈପାଣିରେ ଭାସି ଯାଉଥିବା ବାରହାତୀ କେଶର ଉତ୍ସସ୍ଥଳକୁ । ଓଡ଼ିଶାର ପ୍ରାକୃତିକ ସୁଷମା ତାଙ୍କ ନେତ୍ରରେ ସ୍ଵପ୍ନାଞ୍ଜନ ବୋଳି ଦେଇଛି । ତା’ର ମାଟି ପାଣି ପବନରେ ସେ କବିତାର ଲଳିତ ବିସ୍ତାର ଲକ୍ଷ୍ୟ କରିଛନ୍ତି । ପେଟପାଟଣା ଦାୟରେ ଯେଉଁ ଗ୍ରାମୀଣ ଓଡ଼ିଆ ପୁଅ ଗାଆଁ ଛାଡ଼ି ସୁଦୂର ବିଦେଶରେ ଯନ୍ତ୍ରର ଦାସ ହୋଇ କାଳକ୍ରମେ ଆପଣାର ଜନ୍ମଭୂମିକୁ ଭୁଲିବସୁଛନ୍ତି ସେମାନଙ୍କ ଘର ବାହୁଡ଼ା ପାଇଁ, ତାଙ୍କୁ ପୁଣି ଥରେ ମାଟିମନସ୍କ କରାଇବା ପାଇଁ ଗଡ଼ନାୟକଙ୍କ ପ୍ରୟାସର ଅନ୍ତନାହିଁ । ସେ ସେମାନଙ୍କୁ ମନେପକାଇ ଦେଇଛନ୍ତି ଗାଆଁ ମାଟିର ମହକ, ଗାଆଁ ଦେଇ ବହି ଯାଇଥିବା ଚପଳଛନ୍ଦା ନଈର ମୃଦୁ ବିହାର, ପଲ୍ଲୀ ବଧୂର ଗାଧୁଆତୁଠରୁ ପାଣି ଆଣି ଫେରିବାର ଅପାସୋରା ଦୃଶ୍ୟ, ଗୋଚାରଣର ଶୋଭା ଆଉ ଗୋପାଳ ପୁଅର ଏକଟଣା ବେଣୁତାନ ଏବଂ ବିଶେଷ କରି ଲଙ୍ଗଳର ଶ୍ୟାମାୟିତ ଆହ୍ଵାନ-

 

‘‘ମନେ ପଡ଼ୁନାହିଁ ତମରି ଗାଆଁର ଛଇଳ ଚପଳ ନଈ

      ପଲ୍ଲୀବଧୂର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ ।

ମନେ ପଡ଼ୁନାହିଁ ତାଳବନ ତଳେ ଗୋଷ୍ଠ ବିହାରୀ ଧେନୁ

      ମନେ ପଡ଼ୁନାହିଁ ଗୋପାଳ ପୁଅର ଧୀର ମୂର୍ଚ୍ଛିତ ବେଣୁ ।

ଲଙ୍ଗଳ ଆଜି ଡାକୁଅଛି ତୋତେ ତୋର ସନ୍ତକ ସମ

      ମଙ୍ଗଳ ଜାଣି ଡାକୁଅଛିଆରେ ମାଟିର ପତଙ୍ଗମ ।’’

(ମାଟିର ମଣିଷ)

 

ଏହି ମାଟି ମନସ୍କତା ଗଡ଼ନାୟକଙ୍କ ଲେଖନୀଙ୍କୁ କରିଛି ଅତ୍ୟନ୍ତ ସମୃଦ୍ଧ । ଯନ୍ତ୍ର ସଭ୍ୟତାର କରାଳ ଗ୍ରାସରୁ ମଣିଷକୁ ରକ୍ଷା କରିବା ପାଇଁ କବିଙ୍କ ପ୍ରୟାସର ଅନ୍ତ ନାହିଁ । ଓଡ଼ିଶା କୃଷିର ତଥା କୃଷକଟିର ଅଞ୍ଚଳ ଏବଂ ଏହାର ସନ୍ତାନ ମାଟିର ମଣିଷ ମାଟି ପ୍ରତି ଅତ୍ୟନ୍ତ ଆସକ୍ତ । ମାଟି ହିଁ ପ୍ରକୃତରେ ମା’ଟି । ଏହାର କୌଣସି ବିକଳ୍ପ ନାମ ଏହାପରି ଏତେ ଗୁରୁତ୍ଵପୂର୍ଣ୍ଣ ନୁହେଁ କବିଙ୍କ ପାଇଁ । ମୃତ୍ତିକା ଅଥବା କ୍ଷିତି ଏହାର ଉପଯୁକ୍ତ ପ୍ରତିଶବ୍ଦ ନୁହେଁ । କାରଣ ‘ମାଟି’ ଏହି ଉଚ୍ଚାରଣରେ ଯେତେ ଜନନୀ ସୁଲଭ ଆତ୍ମୀୟତା ଥାଏ, ଆପଣାପଣ ଥାଏ, କାନି ପଣତରେ ନିର୍ଭରଯୋଗ୍ୟ ଆଶ୍ରୟ ଥାଏ ତାହା କ୍ଷିତି ଅଥବା ମୃତ୍ତିକା ଏ ପ୍ରତିଶବ୍ଦମାନଙ୍କରେ ଉପଲବ୍ଧ ହୁଏ ନାହିଁ । କବିଙ୍କ ଭାଷାରେ-

 

‘‘ମାଟି ମୁହିଁ ମାଟି/ମୃତ୍ତିକା ଅଥବା କ୍ଷିତି ପ୍ରୟୋଗ କରନା ସେ ଭାଷାଟି/ମାଟି ମୁହିଁ ମା’ଟି-।’’

(ଉତ୍କଳ ସାହିତ୍ୟ, ୧୯୩୭)

 

ମାଟି ମନସ୍କ ମଣିଷର ଆପଣାପର ଭେଦଭାବ ନ ଥାଏ । ସେ ସୃଷ୍ଟି କରେ ତା’ ପାଇଁ ସ୍ୱତନ୍ତ୍ର ‘ଜୀବନବୋଧ’ । ମଣିଷ ମଣିଷ ଭିତରର ଭେଦଭାବ ମାଟିକୁ ଭଲ ପାଉଥିବା ମଣିଷ ପାଖରେ ନ ଥାଏ । କାରଣ ସେ ଭଲ ଭାବରେ ଜାଣେ ଜନ୍ମହେଲାବେଳେ ପ୍ରଥମେ ସେ ମାଟିରେ ପଡ଼ିଥାଏ ଏବଂ ଜୀବନ ଶେଷରେ ସେ ମଶାଣିରେ ପାଉଁଶ ହୋଇ ମାଟିରେ ମିଶିଯାଏ । ନିଜର ମର୍ଯ୍ୟାଦା ପାଇଁ ନିଜେ ତୋଳିଥିବା ପ୍ରାସାଦ ଶେଷରେ ମାଟିରେ ହିଁ ମିଶିଯାଏ । ତାର ସକଳ ସ୍ୱାର୍ଥପର ସୀମାରେଖା ତଥା ଅନ୍ୟ ପ୍ରତି ଭେଦଭାବନାର ବିଲୁପ୍ତି ଘଟେ । ତାର ସକଳ ଅହଂ ଶେଷରେ ମାଟିରେ ହିଁ ସମାହିତ ହୋଇଯାଏ । ଧୂଳି ଆଉ ଧୂଆଁର ଯାନ୍ତ୍ରିକ ପରିବେଶ ଭିତରେ ଆପଣା ଭିଟା ମାଟିକୁ ଭୁଲି ବସିଥିବା ମଣିଷକୁ ପୁନର୍ବାର ମାର୍ଗଦର୍ଶନ କରାଇଛନ୍ତି କବି । ମାଟିର କୋଳରେ ଜନ୍ମ ହୋଇଥିବା ମଣଷ ମାଟିକୁ ଅସ୍ୱୀକାର କର ଯନ୍ତ୍ର ହୋଇଯିବାରେ ସେ ଆଦୌ ଆନନ୍ଦିତ ନୁହନ୍ତି । ତେଣୁ ଦିଗହରା ମାଟିର ମଣିଷମାନଙ୍କ ପାଇଁ ତାଙ୍କର ଏ ଆହ୍ୱାନ ବାସ୍ତବିକ୍‌ ଅତ୍ୟନ୍ତ ଆବେଗଶାଳୀ-

 

‘‘ମାଟିର ଅଙ୍ଗେ ଜନ୍ମପାଇଛୁ ଝରରେ ତାହାରି ପରେ

ମାଟିର ବକ୍ଷେ ଜନ୍ମ ଲଭିବୁ, ନବ ଜନ୍ମାନ୍ତରେ

ଫେରିଆ ପୂରୂବ ପଥେ

ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ରଧୂଆଁର ସାଥେ ।’’

(ମାଟିର ମଣିଷ)

 

କବି ଗଡ଼ନାୟକଙ୍କ ଏହି ମାଟିମନସ୍କ ଅନୁଭବ ଦୁଇଟି ଚମତ୍କାର ପ୍ରତୀକ ମଧ୍ୟରେ ପ୍ରତୀକିତ ହୋଇଛି । ଏଥିପାଇଁ କବି ଦୁଇଟି ଫୁଲକୁ ଚୟନ କରିଛନ୍ତି । ଗୋଟିଏ ହେଉଛି କନିଅର ଫୁଲ । ମାଟିରୁ ଦାନା ସଂଗ୍ରହ କରି କନିଅର ଫୁଲ ବୃକ୍ଷ କୋଳରେ ଆପଣାକୁ ପ୍ରସାରି ଦେଇଥାଏ । ଅନ୍ୟ ଫୁଲମାନଙ୍କ ପରି ତା’ ପାଖରେ ନା ଥାଏ ସୁବାସ ନା ଥାଏ ଅନୁପମ ସୌନ୍ଦର୍ଯ୍ୟ । କେବଳ ମାତ୍ର ମାଟିର ସରଳ ପ୍ରକାଶ ଭଙ୍ଗୀକୁ ଆପଣା ଭିତରେ ଧରି ପ୍ରକାଶି ଥିଲା । ତେଣୁ ତାର କିଛି ସ୍ଵତନ୍ତ୍ର ପରିଚୟ ନ ଥାଏ ଅଥବା ଏହା ପାଇଁ ଆବଶ୍ୟକୀୟ ଅଭିମାନ ତାର ମଧ୍ୟ ନ ଥାଏ । ତେଣୁ ଗୋଟିଏ ମୁଦ୍ରାରେ ସେ ଆପଣା ସମର୍ପଣର ପ୍ରକ୍ରିୟା ଜାରି ରଖେ-

 

‘ତାର ଜୀବନରେ ନାହିଁ ସଉରଭ । ତା’ର ଜଗତରେ ନାହିଁ ଗଉରବ

ତେଣୁ ଦୀର୍ଘବରଷ ମାସ ଧରି । ସିଏ ସବୁଦିନେ ଉଭା ଛାଇ ପରି ।’’

(କନିଅର ଫୁଲ)

 

ଅପର ପକ୍ଷରେ ଘାସଫୁଲ ମଧ୍ୟ ନୀରବରେ ମାଟିର ସମର୍ପଣ ମନ୍ତ୍ର ମଣିଷକୁ ଶିଖାଏ । କୌଣସି ସୌଭାଗ୍ୟ ଲାଭରେ ତାର କେତେବେଳେ ବି ଆକର୍ଷଣ ନ ଥାଏ । ଦେବତାର ମଥା ଉପରେ ଚଢ଼ିବାର ଭାଗ୍ୟକୁ ଆପଣାର କରିବା ପାଇଁ ମଧ୍ୟ କୌଣସି ଆଗ୍ରହ ନ ଥାଏ । ଅପରନ୍ତୁ ସମସ୍ତଙ୍କ ପାଦତଳେ ମାଟି ଭଳି ଆପଣାକୁ ସମର୍ପଣ କରିବା ପାଇଁ ସେ ସୁଖ ପାଏ । ଭୋଗ ନୁହେଁ ତ୍ୟାଗରେ ହିଁ ତା ଜୀବନ ମାଟିପରି ମହମହ ବାସୁଥାଏ-

 

‘‘ଲୋଡ଼େ ନାହିଁ କେବେ ତ ମୁଁ ମୋହର ସୌଭାଗ୍ୟ । ଚଢ଼ିବାକୁ ଦେବତାର ମସ୍ତକ ଉପରେ ।

ଲୋଡ଼େ କିନ୍ତୁ ନିଖିଳର ଚରଣ ପରାଗ । ଶିରେ ମୋର ପାଦ ଦେଇ ଯାଆନ୍ତୁ ସକଳେ ।’’

(ଘାସଫୁଲ)

 

କବିଙ୍କର ମାଟି ମନସ୍କତାର ସଫଳତମ ରୂପାୟନ ହେଉଛି ‘ମାଟି’ କବିତା । ସୃଷ୍ଟିକର୍ତ୍ତା ବିଧାତାଙ୍କୁ ସମସ୍ତେ ଆପଣାର ବଡ଼ପଣ ମନାସ କଲେ । ପ୍ରଥମେ ସମସ୍ତଙ୍କ ମଥା ଉପରେ ରହିଥିବା ଆକାଶ ମାଗିଲେ ନିଖିଳର ଉର୍ଦ୍ଧ୍ୱଭାଗର ଆସନ । ତାଙ୍କଠାରୁ କେହି ଯେପରି ଉଚ୍ଚତମ ହେବେ ନାହିଁ ଏହି ଅଭିମାନରେ ଫାଟି ପଡ଼ୁଥିଲେ ଏବଂ ଠିକ୍‌ ପରେ ପରେ ଆକାଶର ସମସ୍ତ ସ୍ପର୍ଦ୍ଧାକୁ ଭାଙ୍ଗି ସୂର୍ଯ୍ୟ ଆପଣାର ଦିବା ବିହାର ପାଇଁ ଆକାଶର ଅସମାପ୍ତ ଅଗଣା ମାଗିଲେ । ଚନ୍ଦ୍ର ଆପଣାର ନୈଶ ବିହାର ପାଇଁ ଆକାଶକୁ ଯାଚଜ୍ଞା କଲେ । ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ବିହାରସ୍ଥଳୀ ହୋଇ ଆକାଶର ବଡ଼ପଣ ସଙ୍କୁଚିତ ହେଲା । ଅପର ପକ୍ଷରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବଡ଼ପଣକୁ ସଙ୍କୁଚିତ କରିବା ପାଇଁ ମେଘ ମାଗିଲେ ସୂର୍ଯ୍ୟ ଚନ୍ଦ୍ର ଜୟୀ’ କରିବା ବର । ମାତ୍ର ନୀରବରେ ସବୁକିଛି ସହି କୌଣସି ପଦାର୍ଥ ଆଶା କରୁ ନ ଥିବା ମାଟିକୁ ଯେତେବେଳେ ସୃଷ୍ଟିକର୍ତ୍ତା ତାଙ୍କର କ’ଣ କିଛି ଇଚ୍ଛା ନାହିଁ ବୋଲି ପଚାରିଲେ ସେତେବେଳେ ମାଟି ଇଚ୍ଛା ହିଁ ତାଙ୍କର ଏକମାତ୍ର ଅଭିଳାଷ ବୋଲି ବ୍ୟକ୍ତ କଲେ ଯାହାର ଫଳଶ୍ରୁତି ସ୍ୱରୂପ ସ୍ରଷ୍ଟା ତାଙ୍କୁ ଜଗତର ରାଣୀର ସମ୍ମାନ ଦେଲେ ଏବଂ ଆକାଶଠାରୁ ଆରମ୍ଭ କରି ସୂର୍ଯ୍ୟ, ଚନ୍ଦ୍ର, ମେଘ ଓ ପବନ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ସେବାଦାସ ହୋଇ ସେବା କରିବାକୁ ଲାଗିଲେ । (ମାଟି)

 

କବିଙ୍କ ଏହି ମାଟିମନସ୍କ ଅନୁଭବ ‘କୈଶୋରିକା’ କବିତା ସଂକଳନର ଅଧିଂକାଶ କବିତାରେ ଭିଜାମାଟିର ବାସ୍ନା, ସୂର୍ଯ୍ୟ ଚନ୍ଦ୍ର ଓ ଋତୁଚକ୍ରର ଆବର୍ତ୍ତନରେ ମାଟିମା’ର ବିଭିନ୍ନ କଲ୍ୟାଣମୟୀ ଚୂପ ‘କୈଶୋରିକାର’ ଅଧିକାଂଶ କବିତାରେ ଅତ୍ୟନ୍ତ କଳାତ୍ମକ ଭାବେ ଉତ୍କୀର୍ଣ୍ଣ । ଉଦାହରଣ ଭାବେ ‘ସ୍ଵାଗତ ଲକ୍ଷ୍ମୀ ପଉଷ’ର କେତୋଟି ପଂକ୍ତିକୁ ଉପସ୍ଥାପନ କରାଯାଇପାରେ-

 

‘‘ଆଣି ନାହିଁ ତମେ ମନ ମତାଣିଆ ଜୋଛନା । କରି ନାହିଁ ତମେ ଫୁଲ ମଉଛବ ରଚନା ।

ଇଚ୍ଛୁ ନାହିଁ ତୁମେ ମଳୟର ମଧୁ ସୁହାଗ । ଢାଳୁ ନାହିଁ ତୁମେ ଶେଫାଳିର ବାସ ତିଆଗ ।

ଶୀତ କୁହୁଡ଼ିର ପାଣ୍ଡୁର ବେଶ ବସନେ । ଆସିଅଛ ତୁମେ ଧରଣୀର ଭୂଇଁ ଆସନେ ।

ସ୍ୱାଗତ ଲକ୍ଷ୍ମୀ ପଉଷ । ଘରେ ଘରେ ତୁମେ ଆଣିଛ ଅନ୍ନ ଆୟୁଷ ।’’

 

ଏଠାରେ ପୌଷର ବର୍ଣ୍ଣନା ଏକମାତ୍ର ପ୍ରଣିଧାନଯୋଗ୍ୟ । ଶୀତଋତୁର ଆଦ୍ୟ ମାସ ପୌଷ । ଏହି ସମୟରେ ଚନ୍ଦ୍ର ଜ୍ୟୋତ୍ସ୍ନାର ଆଦୌ ଆକର୍ଷଣ ନ ଥାଏ । ବାସନ୍ତିକ ପୁଷ୍ପୋତ୍ସବର ବର୍ଣ୍ଣାଢ଼୍ୟ ପରିବେଶ ନ ଥାଏ । ପବନରେ ନ ଥାଏ ମଳୟର ମଧୁ । ଗଙ୍ଗଶିଉଳିର ଶାରଦୀୟ ସୁବାସ ମଧ୍ୟ ଦୁର୍ଲିଭ ଥାଏ ତାହା ନିକଟରେ । ଶୀତରେ ଥୁରୁ ଥୁରୁ ଥରି ଏହି ପୌଷ କିନ୍ତୁ ଆବିଷ୍କାର କରେ ଅନ୍ନ ତଥା ଆଯୁଷର ଦେବୀ ମହାଲକ୍ଷ୍ମୀଙ୍କୁ ‘କୌଣସି ଆଟୋପିତ ଆକାଶୀ ସମ୍ଭାର ଶୁକଦେଈ’ । ଅତ୍ୟାଚାରୀ ଖୋର୍ଦ୍ଧାରାଜା ଅନ୍ୟାୟରେ ବାଙ୍କୀଗଡ଼ ଆକ୍ରମଣ କରି ବାଙ୍କୀର ରାଜାଙ୍କୁ ହତ୍ୟା କରନ୍ତି । ଗଡ଼ ଭିତରେ ନୁହେଁ, ମାଟିର ମଧୁ ବାସ୍ନାରେ କବି ପୌଷ ମାସର ସ୍ଵାଗତ ଜଣାଇଛନ୍ତି ।

 

କେବଳ ପ୍ରକୃତି ମଧ୍ୟରୁ ନୁହେଁ ମାନବାତ୍ମାର ଅନ୍ତସ୍ଵରରୁ ମଧ୍ୟ କବି ମାଟିର ଜୟଗାନ କରିଛନ୍ତି । ପ୍ରଥମେ ଦୃଷ୍ଟିକୁ ଆସନ୍ତି କବିଙ୍କ ମାଟି ଗୋବର ସରସର ଜେଜେମାଆ । ‘ବନରାଜି ନୀଳା’ର ‘ଜେଜିମାଆ’ ଶୀର୍ଷକ ଏକ କବିତାରେ କବି ତାଙ୍କ ଜେଜିମାଆଙ୍କ ସ୍ମୃତିଚାରଣ କରନ୍ତି । ଚମ୍ପାଫୁଲପରି ଉଜ୍ଜ୍ଵଳତନୁର ଅଧିକାରିଣୀ ଥଲେ ସେ । ନାମଟି ମଧ୍ୟ ତାଙ୍କର ଥିଲା ଚମ୍ପା । ମନ ଥିଲା ଅତ୍ୟନ୍ତ ନିର୍ମଳ । କେବଳ ଘରର ନୁହେଁ, ସମଗ୍ର ଗାଆଁର ଆଦରର ମଣିଷ ଥିଲେ ସେ । ମାଟି ସହିତ ମାଟି ହୋଇ ପରିବାରର ମଙ୍ଗଳ ମନାସୁଥିବା ମହିଳାଙ୍କୁ କବି ଆଭୂମ ପ୍ରଣତି ବାଢ଼ିଛନ୍ତି-। ତାଙ୍କ ସ୍ମୃତି ଅପାସୋରା । ଅନ୍ୟ ଏକ ମାଟିମନସ୍କ ଚରିତ୍ର ହେଉଛନ୍ତି ତାଙ୍କ ପତ୍ନୀ ଚକୋରୀ ଦେବୀ । ଜୀବନରେ ସୁଖ ସୌଭାଗ୍ୟକୁ ଦିନେ ହେଲେ ବି ଆପଣାର କରି ନାହାନ୍ତି ସେ । କେବଳ ମାତ୍ର ପତିସେବା । ପତିଙ୍କ ସୁଖ ପାଇଁ ତାଙ୍କ କବିପଣର ଉଦତ୍ତରୋତ୍ତର ଉନ୍ନତି ପାଇଁ ଅବ୍ୟାହତ ଥାଏ ତାଙ୍କର ସାଧନା । ମାଟିରେ ମାଟି ହୋଇ ସ୍ଵାମୀଙ୍କ ସୁଖ ସୌଭାଗ୍ୟପାଇଁ ଅହରହ ଅଭିଳାଷ ପୋଷଣ କରନ୍ତି ସେ । ଦିନସାରା ଘରକାମରେ ଖଟି ଖଟି ରାତିର ପ୍ରଥମ ପ୍ରହରରେ ରୋଷେଇ ବାସ ସାରି ସ୍ଵାମୀଙ୍କ ଖାଇବାକୁ ଅପେକ୍ଷା କରିଥାନ୍ତି ସେ । ଅପେକ୍ଷାର ବେଳା ଦୀର୍ଘତର ହୁଏ । ଭାତ କ୍ରମେ କ୍ରମେ ଚାଉଳ ହୋଇ ଶୁଖିବାକୁ ଲାଗେ । କବିଙ୍କ ପଢ଼ା ଘରୁ ଫେରି ଆସନ୍ତି ସେ ତାଙ୍କ ତଲ୍ଲୀନ ସ୍ଥିତିକୁ ବ୍ୟାହତ ନ କରି । ଗଡ଼ନାୟକ ଲେଖନୀରେ ଏହ ପଂକ୍ତି । କେତୋଟି ଅଧିକ ମନୋଜ୍ଞରୂପେ ଗ୍ରହଣ କରିଛି-

 

‘‘ସଞ୍ଜବେଳେ ଆଲୁଅ ଦିଏ ଜାଳି । ଏକେଲା ବସି କବିତା ପାଠ କର ।

ଯତନେ ମୁହିଁ ରୋଷେଇ ବାସ ସାରି । ଦୁଆର ମୁହୁଁ ଫେରଇ କେତେ ଥର ।

ଅନ୍ନଗୋଟି ସେମିତି ଶୁଖୁଥାଏ । ଚାହିଁ ରହେ ମୁଁ ବହୁତ ରାତିଯାଏ ।

ତୁହି ତ ମୋର ଦୁଃଖ ନାହିଁ ଲବ । ତୁମେ ଯେ କବି ସେଇ ମୋ ଗଉରବ ।’’

(ପୂର୍ଣ୍ଣିମାସ୍ପର୍ଶ)

 

ଅତୀତର ଅଭୁଲା ଇତିହାସର ସ୍ମୃତିଚାରଣରେ କବି ଗଡ଼ନାୟକ ମାଟିର ମହ ମହ ସୁବାସକୁ ଭୁଲି ପାରି ନାହାନ୍ତି । ସେ ଇତିହାସର ଏପରି ଚରିତ୍ରକୁ ତାଙ୍କ କବିତାରେ ରୂପ ଦେଇଛନ୍ତି ଯେ ମାଟିର ମହକକୁ ଆଜୀବନ ଭୁଲି ପାରି ନାହିଁ । ତା ଅତୀତର ଦାରିଦ୍ର, ତାର ଅଭାବୀ ଜୀବନ ଚିତ୍ର, ତାର ମାଟି ସଙ୍ଗେ ମାଟି ହୋଇ ମିଶିଯିବା ଅନୁଭବ କାହାକୁ ବି ସେ ଭୁଲି ପାରି ନାହିଁ । ଉଦାହରଣ ଭାବେ ଗଡ଼ନାୟକଙ୍କ ‘ସ୍ମରଣିକା’ କବିତାର ଭାବବୃତ୍ତକୁ ଗ୍ରହଣ କରାଯାଇପାରେ । ସ୍ଥାନ-ଗଜପତିଙ୍କ ଅଟ୍ଟାଳିକା, କାଳ ରାତ୍ରିର ଉତ୍ତୀର୍ଣ୍ଣ ପ୍ରହର, ପାତ୍ର-ଗଜପତି କପିଳେନ୍ଦ୍ରଦେବ ଏବଂ ତାଙ୍କର ପ୍ରିୟତମା ପଟ୍ଟମହିଷୀ, ପ୍ରସଙ୍ଗ-ବାଉଁଶରେ ତିଆରି ପୁରୁଣା ପାପରା ବଇଁଶୀ ଖଣ୍ଡକପ୍ରତି ମହାରାଜଙ୍କ ଆଦର, ରାଣୀ ମହାରାଜଙ୍କ ନିକଟରେ ନିବେଦନ କରିଛନ୍ତି, ତାଙ୍କର ଅମାପଧନ ସମ୍ପତ୍ତି, ପ୍ରଚୁର ସମ୍ମାନ ଓ ଅଗାଧ ଐଶ୍ଵର୍ଯ୍ୟ । ଏସବୁ ଭିତରେ ମହାରାଜ ହାତରେ ଧରିଥିବା ପୁରୁଣା ବଇଁଶୀ ଖଣ୍ଡିକ ଏକ ଅସଙ୍ଗତି ବୋଲି ରାଣୀକୁ ପ୍ରତୀତ ହେଉଛି । ତେଣୁ ତାହାକୁ ଫିଙ୍ଗିଦେଇ ରାଜ ଐଶ୍ଵର୍ଯ୍ୟ ମଧ୍ୟରେ ଆପଣାକୁ ଲୀନ କରିଦେବାକୁ ରାଣୀ ରାଜାଙ୍କୁ ନିବେଦନ କରନ୍ତି । ରାଣୀଙ୍କୁ ଗଜପତି କପିଳେନ୍ଦ୍ରଦେବ ଆପଣାର ମନ କଥା କହି ବସନ୍ତି । ସେହି ବଇଁଶୀ ଖଣ୍ଡିକ ତାଙ୍କ ଅତୀତର ଦୁଃଖଦ ଦିନମାନଙ୍କ ସ୍ମୃତି ମନେ ପକାଇଦିଏ । ଗୋଚାରଣବେଳେ ଗରିବ କପିଳା ସେଇ ବଇଁଶୀ ଦ୍ୱାରା ପଥଭୁଲା ଧେନୁମାନଙ୍କୁ କିପରି ଗୋଠକୁ ଫେରାଇ ଆଣୁଥିଲା ତାର ସ୍ମୃତି ସେହି ବଇଁଶୀ ଭିତରେ ଜୀବନ୍ତ ହୋଇ ଉଠେ ବୋଲି ରାଜା କହିଛନ୍ତି । ରାଜାଙ୍କ ଏହି ଅତୀତ ପ୍ରୀତି ମାଟି ପ୍ରତି ବିଧୁର ମମତାକୁ ଶେଷରେ ରାଣୀ ସମ୍ମାନ ଜଣାଇବାକୁ ଯାଇ କହିଛନ୍ତି-

 

‘‘ହେ ଦେବ ମୁଁ ବୁଝିବି କିପରି ତୁମର ସେ ମହତ୍ୱର କଥା

ତରଙ୍ଗିଣୀ ପାରଇ କି ବୁଝି ଅମ୍ବୁଧିର ବା ଗଭୀରତା ?’’

(ସ୍ମରଣିକା)

 

ରାଣୀଙ୍କ ଆକାଶୀଶୂନ୍ୟ କଳ୍ପନା ରାଜାଙ୍କ ମାଟିମନସ୍କ ପରିପକ୍ୱ ଅନୁଭବ ପାଖରେ ନତମସ୍ତକ ହେବାକୁ ବାଧ୍ୟ ହୋଇଛି । ତାଙ୍କ ‘ସୁନାର କଳ୍ପନା’ ଶେଷରେ ମାଟିର ମୁଗ୍ଧ ଅତୀତର ବିଧୁରତାରେ ଆପଣାର ଲଘୁପକ୍ଷ ଜନିତ ଉଡ଼ାଣକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି । ସମସ୍ତ ମହତାକାଙ୍‌କ୍ଷା ତଥା ଆତ୍ମ ପ୍ରଦର୍ଶନ ପ୍ରବଣତା ଅତୀତର ଝାଟି ମାଟି କାନ୍ଥ ଭିତରେ ଅବରୁଦ୍ଧ ରହିଛି ।

 

କବିଙ୍କ ଅନ୍ୟ ଏକ ମାଟିମନସ୍କ ଇତିହାସ କଥାବସ୍ତୁ ଆଧାରିତ କବିତା ହେଉଛି ‘ବାଙ୍କୀରାଣୀ’ ଏକାକିନୀ ରହନ୍ତୁ, ବିଧବା ଯୁବରାଣୀ ଶୁକଦେଈ ଏବଂ କୋଳରେ ଦୁଗ୍ଧପୋଷ୍ୟ ଶିଶୁପୁତ୍ର ଦୟାନିଧି । ଯୁଦ୍ଧର ଲେଲିହାନ ବହ୍ନି ଶିଖାରେ କ୍ରମେ କ୍ରମେ ବାଙ୍କୀଗଡ଼ର ସେନାବାହିନୀ ନିଃଶେଷ ହୋଇଯିବାକୁ ବସନ୍ତି । ମହାମନ୍ତ୍ରୀ ରାଣୀଙ୍କୁ ସନ୍ଧି ଏବଂ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ ପଥ ନାହିଁ ବୋଲି ପରାମର୍ଶ ଦିଅନ୍ତି । ଏହାକୁ ଅସ୍ଵୀକାର କରନ୍ତି ଯୁବରାଣୀ । ମାଟି ମା’କୁ ଭଲ ପାଉଥିବା ନିଜ ଜନନୀକୁ ପରାଧୀନ ନ କରିବାକୁ ପ୍ରତିଜ୍ଞାପିହିତ ଥବା ଯୁବରାଣୀ ଶୁକଦେଈ ସନ୍ଧିପ୍ରସ୍ତାବକୁ ଅସ୍ଵୀକାର କରନ୍ତି । ବଜ୍ର ନିର୍ଘୋଷ କଣ୍ଠରେ ମାଟି ମା’ର ସୁରକ୍ଷା ପାଇଁ ସେ ନିଜେ ଖୋର୍ଦ୍ଧାରାଜାଙ୍କ ବିରୋଧରେ ସଂଗ୍ରାମ ପାଇଁ ଯିବେ ବୋଲି ଘୋଷଣା କରନ୍ତି । ଏହି ବଜ୍ର ନିର୍ଘୋଷ ଉଦ୍‌ଘୋଷଣରେ ତେଜି ଉଠନ୍ତି ବାଙ୍କୀ ସେନା । ନିଜ ମାଟି ମା’ର ସ୍ଵାଧୀନତା ପାଇଁ ତାଙ୍କ ଭିତରେ ଶତସିଂହର ବଳ ସଞ୍ଚାରିତ ହୁଏ । ଯୁବରାଣୀକୁ ଯୋଦ୍ଧୃବେଶରେ ଦେଖି ଦୂର୍ଦ୍ଧର୍ଷ ଖୋର୍ଦ୍ଧାସେନାଙ୍କ ଉପହାସର ଅନ୍ତ ନ ଥାଏ । ଶେଷରେ ବାଙ୍କୀର ଦୁର୍ବାର ସେନା ମହାରାଣୀ ଶୁକଦେଈଙ୍କ ନେତୃତ୍ଵରେ ଖୋର୍ଦ୍ଧା ସେନାଙ୍କୁ ପରାଜିତ କରନ୍ତି । ଖୋର୍ଦ୍ଧାରାଜା ହୁଅନ୍ତି ବନ୍ଦୀ । ଅପମାନିତ ଖୋର୍ଦ୍ଧାରାଜା ରାଣୀ ଶୁକଦେଇଙ୍କୁ ମୃତ୍ୟୁ ପ୍ରାର୍ଥନା କରିବାବେଳେ ମହିୟସୀ ରାଣୀ ମାଟିର ମହାନତାକୁ ସ୍ମରଣ କରି ଖୋର୍ଦ୍ଧାରାଣୀକୁ ବିଧବା ହେବାକୁ ନ ଦେଇ ତାଙ୍କୁ ମୁକ୍ତ କରିଛନ୍ତି । ଶେଷରେ ଶିଶୁପୁତ୍ର ଦୟାନିଧି ପାଇଁ ମାଟି ସାଙ୍ଗରେ ମାଟି ହୋଇ ଭାଗ୍ୟ ସହିତ ସଂକ୍ରାମ କରିବାର ଦୁର୍ବାର ଶପଥ ନେଇଛନ୍ତି-

 

‘‘ଲୋତକେ ଝାସି ମୁଁ ଝୁରିବି ନାହିଁରେ ଅନଳେ ଝାସି ମୁଁ ମରିବି ନାହିଁ

ପାଷାଣ ପରାଣେ ବଞ୍ଚି ରହିବି ଆରେ ଦୟାନିଧ ତୋହରି ପାଇଁ ।’’

(ବାଙ୍କୀରାଣୀ ଶୁକଦେଈ)

 

ମାଟିର ଏଇ ମୁଗ୍ଧ ଚିତ୍ରକର କେବଳ ମାଟିର ମଣିଷଙ୍କ ଭିତରେ ମାଟିର ଜୀବନଗାଥାକୁ ଶୁଣାଇ ନାହାନ୍ତି ଜଗତ ପିତାଙ୍କୁ ମଧ୍ୟ ତାଙ୍କର ମାଟି ତଥା ମାଟିର ମଣିଷଙ୍କ ପ୍ରତି ମମତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଜଗତ ପିତା ତାଙ୍କର ସଖା ଭଳି ଏକାନ୍ତ ଅନ୍ତରଙ୍ଗ । ସେ ଅଦୃଶ୍ୟ ଜଗତର ଅଧିବାସୀ ନୁହନ୍ତି । ତାଙ୍କ ଭଳି ସେ ମଧ୍ୟ ଧୂଳି ମାଟିର ଦିଅଁ, ଯେ ତାଙ୍କ ପାଇଁ ସବୁ ସୁଖର ବ୍ୟବସ୍ଥା କରିଦେଇଛନ୍ତି । ଖାସ୍‌ ମଣିଷର ଖୁସି ପାଇଁ ସେ ମଥା ଉପରେ ଆକାଶର ଚିତ୍ର ବିଚିତ୍ର ଚାନ୍ଦୁଆ ଟାଙ୍ଗି ଦେଇଛନ୍ତି । ଚାଲିବା ପାଇଁ ପାଦତଳେ ଖଞ୍ଜିଛନ୍ତି ଘାସର ସବୁଜ ଗାଲିଚା । ହାତର କମନୀୟ ରଙ୍ଗ ତୁଳୀରେ ସକାଳ ଓ ସନ୍ଧ୍ୟାର ମାଦକିତ ଦୃଶ୍ୟ ସୃଷ୍ଟି କରିଛନ୍ତି । ମଣିଷ ପାଇଁ ଖଞ୍ଜିଛନ୍ତି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବିମଳ ଆଲୋକଧାରା । ମାଟିର ମଣିଷର ସୁଖ ପାଇଁ ଚାରି ପାଖରେ ଫୁଟାଇଛନ୍ତି ଅଗଣନ ସୁବାସିତ ଫୁଲ । ମଣିଷକୁ ଭଲ ପାଇବାର ଏଇ ଅପୂର୍ବ ଆବେଗ କବିଙ୍କ ‘ବନରାଜିନୀଳା’ର ‘କେତେ ଭଲ ପାଅ’ କବିତାରେ ଅତ୍ୟନ୍ତ ସ୍ପଷ୍ଟ । ମାତ୍ର ଏ ସମସ୍ତ ଅଭିବ୍ୟକ୍ତି କବିଙ୍କର ମାଟି, ମାଟିର ମଣିଷ ତଥା ମାଟିର ସ୍ରଷ୍ଟା ପାଇଁ ପରିପୂର୍ଣ୍ଣ ପ୍ରୀତି ନୁହେଁ, କାରଣ ଅଭିବ୍ୟକ୍ତି କଦାପି ପୂର୍ଣ୍ଣ ପ୍ରକାଶମୟତାକୁ ରୂପ ଦେଇପାରେନା । ମାଟିର ଜଗତ ପାଇଁ ମୁଗ୍ଧ ସମର୍ପଣ ଭାବ କେଉଁ କବିର ଲେଖନୀରେ ପୂର୍ଣ୍ଣାଙ୍ଗଭାବେ ଫୁଟି ଉଠି ପାରିବ ନାହିଁ । ବରଂ ମାଟି ପ୍ରତି ନୀରବ ସମ୍ମାନବୋଧ ତା’ର ପରିପୂର୍ଣ୍ଣ ପ୍ରକାଶ କରି ପାରିବ । ଏଣୁ ଯଥାର୍ଥରେ ଗଡ଼ନାୟକ ଲେଖୁଛନ୍ତି-

 

‘‘ମୁଖରତା ସଖୀ ଶୂନ୍ୟ ପ୍ରୀତିର ମାୟା

ନୀରବତା ସିନା ପୂର୍ଣ୍ଣ ପ୍ରୀତିର ଛାୟା ।’’

(ପ୍ରୀତିର କଥା)

 

ଅନ୍ୱେଷା, ଦଣ୍ତୁଆସିପଡ଼ା, ଆୟତପୁର

କିଶୋର ନଗର, କଟକ-୭୫୪୧୩୧

***

 

Unknown

ପୁରାଣ ସଂପ୍ରୀତି : କବି ରାଧାମୋହନ

ପ୍ରମୋଦ କୁମାର ବେହେରା

 

ଆଧୁନିକ ଓଡ଼ିଆ-କବିତା କ୍ଷେତ୍ରରେ ଯେଉଁ କେତେଜଣ ମୁଷ୍ଟିମେୟ କବି ପ୍ରତିଷ୍ଠା ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ବିଶେଷ ଗୌରବର ଅଧିକାରୀ କବି ରାଧାମୋହନ ଗଡ଼ନାୟକ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ରାଧାମୋହନ ହିଁ ଓଡ଼ିଆ ଗାଥା ପରମ୍ପରାର ସାର୍ଥକ କବି । ପଣ୍ଡିତ ମିଶ୍ରଙ୍କ ଗାଥାକବିତା ଭଳି ଗଡ଼ନାୟକଙ୍କ ଗାଥା କବିତାରେ ସମୟୋପଯୋଗିତା ନାହିଁ ଅଥବା ଜାତୀୟ ଆବଶ୍ୟକତାର ଦୁର୍ବାର ମର୍ମବାଣୀ ନାହିଁ । ଗଡ଼ନାୟକଙ୍କ ଗାଥାକବିତାରେ କବିତାର ଶିଳ୍ପ ସୌଷ୍ଠବ ଓ ଭାବଗତ ମୂଲ୍ୟବୋଧର ପ୍ରାଚୁର୍ଯ୍ୟ ପାଠକ ଉପଲବ୍ଧ କରିଥାଏ ।

 

ହିନ୍ଦୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ବେଦରେ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି, ବାୟୁ ଆଦି ତେତିଶକୋଟି ଦେବତାଙ୍କ ପ୍ରତିଷ୍ଠା ଓ ଉପାସନା ପରିଦୃଷ୍ଟ ହୋଇଥାଏ । କାଳକ୍ରମେ ବୈଦିକଧର୍ମ ସ୍ଵଭାବ ସୁଲଭ ସରଳତା ହରାଇ ଜଟିଳତା ଆଡ଼କୁ ଗତିକଲା । ତାହା ସାର୍ବଜନୀନ ହୋଇ ନ ପାରି ଉଚ୍ଚବର୍ଗର ଲୋକଙ୍କ ମଧ୍ୟରେ ସୀମିତ ହେଲା । ଫଳତଃ ସାଧାରଣ ବର୍ଗର ଲୋକମାନେ ବେଦର ବାର୍ତ୍ତାକୁ ବୁଝିବାରେ ସକ୍ଷମ ହୋଇ ନଥିଲେ । ଏକ ବିରାଟ ପରିବର୍ତ୍ତନର ଧାରା ସମଗ୍ର ଦେଶରେ ପ୍ରବାହିତ ହେବାକୁ ଲାଗିଲା । ଯଦ୍ଦ୍ୱାରାକି ଦେବଦେବୀଙ୍କ ମହିମା ପ୍ରକ୍ଷାପନ ପୂର୍ବକ ରାମାୟଣ, ମହାଭାରତ ଆଦି ମହାକାବ୍ୟ ବା ପୁରାଣ ଆଦି ସୃଷ୍ଟି ହେଲା । ପୁରାଣର ପ୍ରତ୍ୟେକ କାହାଣୀରେ ନୈତିକ ଚେତନା ଓ ଧର୍ମୀୟ ଚେତନା ପ୍ରତିଷ୍ଠିତ ହେଲା । ତେଣୁ ପୁରାଣ ହେଉଛି ନୀତି ଆଧାରିତ-। ସେଥିରେ ପାଠକମାନଙ୍କ ପାଇଁ ହେଉ ବା ଶ୍ରୋତାମାନଙ୍କ ପାଇଁ ହେଉ, ସକଳ ବର୍ଗର ଲୋକଙ୍କ ପାଇଁ ଏଥିରେ ଗୋଟିଏ ବାର୍ତ୍ତା ରହିଛି ।

 

କବିର ରାଧାମୋହନ ଗଡ଼ନାୟକଙ୍କ ଜନ୍ମଭୂମି ହେଉଛି ଅନୁଗୁଳ ନିକଟସ୍ଥ କଲଣ୍ଡାପାଳ । ଯେଉଁ କଲଣ୍ଡାପାଳର ଉତ୍ତର ଦିଗରେ କୁଳୁକୁଳୁ ନାଦରେ ପ୍ରବାହିତ ଲିଙ୍ଗରା ନଦୀ, ଗାଁର ପୂର୍ବଦିଗରେ ବୈଷ୍ଣବ ଗଡ଼ନାୟକଙ୍କ ବଇଷିମ ଆମ୍ବତୋଟା, ଗାଁର ନରେନ୍ଦ୍ର ସାହାସମଲ୍ଲଙ୍କ ନିର୍ମିତ ଜଳାଶୟ, ଯାହାକି ‘‘ଗରିଆବନ୍ଧ’’ ଓ ‘ସତୀଗାଡ଼ିଆ’ ନାମରେ ପରିଚିତ । ‘‘ଗରିଆବନ୍ଧ’’ର ଦକ୍ଷିଣ ଦିଗରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରତ୍ୟହ ପୂଜାପାଉଥିବା ବ୍ରାହ୍ମଣୀ ଦେବୀଙ୍କର ପବିତ୍ର ପାଠ ପ୍ରଭୃତି କବିଙ୍କୁ କବି ହେବା ପାଇଁ ପ୍ରେରଣା ଯୋଗାଇଥିଲା । ଜନ୍ମଭୂମି ପ୍ରତି କବିଙ୍କର ଅନ୍ତରଙ୍ଗ ଅନୁଭବ ତାଙ୍କୁ ପଲ୍ଲୀ ଜୀବନ ପ୍ରତି ଶ୍ରଦ୍ଧାଶୀଳ କରାଇଛି । ଗ୍ରାମର ଅଗଣିତ ଦୁଃଖସୁଖ, ହସକାନ୍ଦ, ସନ୍ଧ୍ୟାସକାଳ, ଯାତ୍ରାପରବ, ଓଷାବ୍ରତ ରାଧାମୋହନଙ୍କୁ ଲେଖନୀ ଚଳଚଞ୍ଚଳ କରିବାକୁ ମଧ୍ୟ ସହାୟକ ହୋଇଛି । କଥିତ ଅଛି, ଜଣେ ସଫଳ ପୁରୁଷର ପଶ୍ଚାଦ୍‌ପଦରେ ଜଣେ ନାରୀର ପ୍ରେରଣା ଥାଏ । ଏଠାରେ କବି ଗଡ଼ନାୟକଙ୍କ ଶୈଶବାବସ୍ଥାରେ ‘ଜେଜିମାଆ ଚମ୍ପାଦେବୀ” ଓ ମାତାମହୀ ‘ମାଣିକ୍ୟ ଦେବୀ’ଙ୍କ ପ୍ରଭାବରେ ପ୍ରଭାବିତ ହୋଇ ପୁରାଣାଦି ଧର୍ମଗ୍ରନ୍ଥ ପଠନ ଓ ଶ୍ରବଣରେ ନିଜକୁ ନିୟୋଜିତ କରିଥିଲେ । ଶୈଶବକାଳୀନ ପଲ୍ଲୀ-ସୁଷମା ଓ ପଲ୍ଲୀର ଧର୍ମୀୟ ଚେତନା କବିଙ୍କ ପୁରାଣ ଆଧାରିତ କଥାକବିତା ରଚନା କରିବା ପାଇଁ ବେଶ୍‌ ଖୋରାକ୍‌ ଯୋଗାଇ ଥିଲା ।

 

କେବଳ ଇତିହାସ, କିମ୍ବଦନ୍ତୀ, ଆଖ୍ୟାୟିକା ଅଥବା ଜନଶ୍ରୁତି ନୁହେଁ, ପୁରାଣ ସାହିତ୍ୟରୁ ଅନେକ ଚରିତ୍ର ଓ ଘଟଣା ଉଦ୍ଧାର କରି କବି ରାଧାମୋହନ ସଫଳ ଗାଥା କବିତା ରଚନାରେ ପ୍ରତିଷ୍ଠିତ ହୋଇଛନ୍ତି । ପୁରାଣର ଯଥାର୍ଥ ଅନୁଶୀଳନ, ପୁରାଣର ପୁର୍ନମୂଲ୍ୟାୟନ, ପୁରାଣର ଉଲ୍ଲେଖଧର୍ମିତା ଓ ମିଥ୍‌ର ସଫଳ ପ୍ରୟୋଗ ହେଉଛି ପୁରାଣ ମନସ୍କ କବି ରାଧାମୋହନଙ୍କ ଗାଥା କବିତାର ବୈଶିଷ୍ଟ୍ୟ ।

 

କବିଙ୍କ ରଚିତ ‘କାବ୍ୟନାୟିକା’ ପୁସ୍ତକସ୍ଥ ‘ପ୍ରାକ୍ତନୀ’ର ପିଙ୍ଗଳାର ଅଭିସାର, ଲଳିତା, ବିଭୀଷଣ, ବିଦୁଳା, ଶବରୀ, ଉର୍ମିଳା ‘‘ପଶୁପକ୍ଷୀ କାବ୍ୟସ୍ଥ’’ ଜଟାୟୁ, ସାରମେୟ, ଶକୁନ୍ତରଦାନ, କପୋତ-ଦଂପତି, ଚନ୍ଦ୍ରଦେହେ ଶଶାର ଛବି, ଚିତ୍ରଗ୍ରୀବ, ବଉଳା ଓ ମହାବଳ କବିତା, ‘‘ଶାମୁକାର ସ୍ୱପ୍ନ’’ କାବ୍ୟସ୍ଥ ‘‘ଶ୍ରୀୟା ଚାଣ୍ଡାଳୁଣୀ’’, ‘‘ଶ୍ରମଣାର ଅତିଥିଚର୍ଚ୍ଚା”, ଗୁହକ, ଏକଲବ୍ୟ କବିତା, ‘‘ଦୁଇଟି ତାହାର ଡେଣା’’ ସଙ୍କଳନସ୍ଥ ଦୁଇଟି ତାହାର ଡେଣା, ‘‘କୈଶୋରିକା’’ ସଂକଳନସ୍ଥ ତଅପୋଇ ଓ ଅନ୍ୟ ଏକ କବିତା ଅୟିପୃଥ୍ୱୀ ଆଦିରେ ପୁରାଣ ସଂପ୍ରୀତି ଉପଲବ୍ଧ ହୋଇଥାଏ । ଏ ସମସ୍ତ କବିତାଗୁଡ଼ିକୁ ରାମାୟଣ, ମହାଭାରତ, ଶ୍ରୀମଦ୍‌ ଭାଗବତ ପ୍ରଭୃତିରୁ କବି ସାଉଁଟି ନେଇଛନ୍ତି । ମୂଳ କାହାଣୀଗୁଡ଼ିକ କବିଙ୍କ ଯାଦୁକରୀ ସ୍ପର୍ଶରେ ଆହୁରି ଚିତ୍ତାକର୍ଷକ ହୋଇପାରିଛି । ରାମାୟଣ ପୃଷ୍ଠଭୂମି ଉପରେ ଆଧାରିତ କବିତାଗୁଡ଼ିକ ହେଉଛି-ବିଭୀଷଣ, ବିଂଶବରୀ, ଉର୍ମିଳା, ଜଟାୟୁ, ସାରମେୟ, ଶ୍ରମଣାର ଅତିଥି ଚର୍ଚ୍ଚା, ଗୁହକ ଇତ୍ୟାଦି, ମହାଭାରତ ଆଧାରିତ କବିତାଗୁଡ଼ିକ ମଧ୍ୟରେ ଗୁରୁଦକ୍ଷିଣା, ବିଦୁଳା ଓ ଶକୁନ୍ତରଦାନ, ଶ୍ରୀମଦ୍‌ ଭାଗବତ ପର୍ଯ୍ୟବେଶିତ କବିତାଗୁଡ଼ିକ ହେଉଛି ପିଙ୍ଗଳାର ଅଭିସାର, କପୋତ ଦଂପତି, ଲୋକକଥା ଆଧାରିତ କବିତା ହେଉଛି ବଉଳା ଓ ମହାବଳ, ଆଖ୍ୟାନମୂଳକ କବିତା ଭାବେ ତଅପୋଇ ଓ ଲକ୍ଷ୍ମୀପୁରାଣ ଆଧାରିତ କବିତା ହେଉଛି ଶ୍ରୀୟା ଚଣ୍ଡାଳୁଣୀ ।

 

କବି ରାଧାମୋହନ ଗଡ଼ନାୟକଙ୍କ ଅନ୍ୟତମ ପ୍ରସିଦ୍ଧ ଗାଥା କବିତା ସଂକଳନ ‘ଶାମୁକାର ସ୍ୱପ୍ନ’ରେ ଅନେକ ଅନାମଧେୟ, ଅପ୍ରତିଷ୍ଠିତ ଇତର ମାନବଠାରେ ଆଦର୍ଶବୋଧର ଅନୁସନ୍ଧାନ କରିଛନ୍ତି କହିଲେ ଲେଶମାତ୍ର ସନ୍ଦେହ ହେବ ନାହିଁ । ତେଣୁ କବି ଏହି ଗ୍ରନ୍ଥର ମୁଖବନ୍ଧରେ ଯଥାର୍ଥରେ କହିଛନ୍ତି- ‘‘ପୃଥିବୀର ନେପଥ୍ୟରେ ବହୁତ ଆତ୍ମା ନିଭୃତରେ, ନୀରବରେ ଜୀବନସୌରଭ ଦେଉଛନ୍ତି, ଜୀବନ ସଙ୍ଗୀତ ଗାଉଛନ୍ତି, କିନ୍ତୁ ଜଗତରେ ତାଙ୍କ ଦାନର ପ୍ରତିଦାନ ଯୁଗ ଯୁଗ ଧରି ମିଳିନାହିଁ, ମିଳୁ ନାହିଁ, ତଥାପି ସେଇ ଅବିନଶ୍ୱର, ଅବିସ୍ମରଣୀୟ ଅଭିଯାନ ଚାଲିଛି-। ସେହି ଅସ୍ଵୀକୃତ ଅଥଚ କ୍ରାନ୍ତିଶୀଳ ଜୀବନର କେତେଗୁଡ଼ିଏ ସ୍ଵପ୍ନ ‘‘ଶାମୁକାର ସ୍ଵପ୍ନ’’ରେ ସନ୍ନିବିଷ୍ଟ ।

 

ପଞ୍ଚସଖା ଯୁଗର ବରେଣ୍ୟ ସାଧକ କବି ବଳରାମ ଦାସଙ୍କ ବିରଚିତ ‘‘ଲକ୍ଷ୍ମୀପୁରାଣ’ର ଏକ ଲୋକପ୍ରିୟ ଗାଥାକୁ କବି ଗଡ଼ନାୟକ ‘‘ଶ୍ରୀୟାଚାଣ୍ଡାଳୁଣୀ’’ କବିତାରେ ସ୍ଵଭାବ ସୁଲଭ ଭଙ୍ଗୀରେ ଅତି ମାର୍ମିକ ଭାବେ ପ୍ରକାଶ କରିଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିର ମହିମା ପ୍ରଚାର ସହିତ ଏଥିରେ ଜାତିଭେଦର ନିରର୍ଥକତା ସମ୍ବନ୍ଧରେ ଆଲୋକପାତ କରିଛନ୍ତି । ତେଣୁ କବିଙ୍କ ଭାଷାରେ-

 

‘‘ଏଣିକି ଆମ ଦେଉଳେ ଜାଣ

ସଭିଏଁ ହେବେ ଏକଇ ପ୍ରାଣ

ଦେଉଳେ ଥିଲା ଯେ ଭେଦାଭେଦ

ଏଥର ହେଲା ରଦ

ଚଣ୍ଡାଳର ହାତରୁ ଦ୍ୱିଜ

ଖାଇବେ ମାହାରଦ ।’’

 

‘‘ଶ୍ରମଣାର ଅତିଥି ଚର୍ଚ୍ଚା’’ କବିତାର ବିଷୟବସ୍ତୁ ରାମାୟଣରୁ ଉଦ୍ଧୃତ । ମର୍ଯ୍ୟାଦାବନ୍ତ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ସାକ୍ଷାତ ଦର୍ଶନ ପାଇଁ ଶବରୀ ଶ୍ରମଣା ବର୍ଷ ବର୍ଷ ଧରି ଅନେକ ବର୍ଷ ପ୍ରତୀକ୍ଷା କରିଛି । ବନବାସ କାଳରେ ଅନୁଜ ଲକ୍ଷ୍ମଣଙ୍କ ସହିତ ରାମଚନ୍ଦ୍ରଙ୍କ ପମ୍ପାସର ଆଶ୍ରମରେ ସେ ସାକ୍ଷାତ ପାଇଛି । ଶବରୀ ଶ୍ରମଣାର ଅହେତୁକ ଭକ୍ତିଭାବ ଓ ଅନାବିଳ ଅତିଥି ସତ୍କାର ଜାନକୀବଲ୍ଲଭ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଛନ୍ତି । ଶ୍ରମଣାର ଅତିଥି ଚର୍ଚ୍ଚାର ଆୟୋଜନ ପ୍ରସଙ୍ଗରେ କବି କହିଛନ୍ତି-

 

‘‘ପଦ୍ମପାଦ ପଖାଳି ଦେଲା

ଝରଣା ବାରି ଢାଳି

ତରୁର ନବ ପତର ଦେଇ

ଆସନ ଦେଲା ପାରି ।

ହ୍ରଦର ଚାରୁ ପଦ୍ମଫୁଲରେ

ବନର ଫୁଲ ଦେଇ

ବାଢ଼ିଲା ପ୍ରୀତି-ଅର୍ଘ୍ୟ ତା’ର

ହୃଦୟ-ପୁର ଫେଇ ।’’

 

ସାରଳା ମହାଭାରତ ବର୍ଣ୍ଣିତ ‘‘ଏକଲବ୍ୟର ଗୁରୁଦକ୍ଷିଣ’’ ଆଧାରରେ କବି ରାଧାମୋହନ ଗଡ଼ନାୟକଙ୍କ ଏକ ଅନବଦ୍ୟ କୃତି ହେଉଛି ‘‘ଏକଲବ୍ୟ’’ କବିତା । ସରଳ, ନିଷ୍ପାପ, ନିସ୍କପଟ ଶବର ବାଳକ ଜାରା ବା ଏକଲବ୍ୟର ଗୁରୁଭକ୍ତି, ବିଦ୍ୟାଶିକ୍ଷା ପ୍ରତି ଗଭୀର ନିଷ୍ଠା ଓ ଗୁରୁଦକ୍ଷିଣା ଆଦି ବର୍ଣ୍ଣନା କବିତାଟିକୁ ମହିମାନ୍ୱିତ କରିଛି । କପଟଚାରୀ ଦ୍ରୋଣାଚାର୍ଯ୍ୟଙ୍କ ସ୍ଵାର୍ଥପରତା, ପକ୍ଷପାତିତା ଏକଲବ୍ୟର ଧନୁର୍ବିଦ୍ୟା ଶିକ୍ଷାର ସଫଳତାକୁ ବିଫଳ କରିବା ପରିବର୍ତ୍ତେ, ତା’ର ମହନୀୟ ଗୁଣ ତଥା ଉଦାର ଭାବଚେତନାକୁ ଉପସ୍ଥାପିତ କରିଛି । କବିଙ୍କ ଭାଷାରେ-

 

‘‘ପଲକେ ପୁଣି ତୋଳିଲା ପ୍ରାଣବାଣୀ

ମୋହର ଆଜି ଭାଗ୍ୟ,

ଜୀବନେ ଗୁରୁ-ଚରଣ ପୂଜା କରି

ହୋଇଲି ଆଜି ଶ୍ଳାଘ୍ୟ ।’’

 

‘‘ପଶୁପକ୍ଷୀ କାବ୍ୟ’’ରେ କବି ଗଡ଼ନାୟକଙ୍କର ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀ ମାନବକୁ ଛାଡ଼ି ମାନବତେରଙ୍କ ପ୍ରତି ପ୍ରସାରିତ ହୋଇଛି । ଏହି ଗ୍ରନ୍ଥର ମୁଖବନ୍ଧରେ କବି ନିଜେ ଦର୍ଶାଇଛନ୍ତି- ‘‘୧୯୫୭ ମସିହାର ସେପ୍ଟେମ୍ବର ମାସ-ଘଟନାଚକ୍ରରେ ମୋର ମାନସିକ ଅବସ୍ଥା ଭଲ ନ ଥାଏ । ଜୀବନ ପଥରେ ଏକ ତିକ୍ତ ଅନୁଭୂତି-ମଣିଷ, କ’ଣ ମୁଁ ଭାବି ପାରୁ ନ ଥାଏ, ସଂପୂର୍ଣ୍ଣରୁପେ ଅବଧାରଣାର ଅତୀତ । ସେତିକିବେଳେ ମୋର ବିକ୍ଷୁବ୍ଧ ମନରେ ‘‘ପଶୁପକ୍ଷୀର କାବ୍ୟ’’ ରୂପ-ପରିଗ୍ରହ କରିଚି । ସେଇ ଗୋଟିଏ ମାସରେ ଇଆର ସୃଷ୍ଟି ।’’ ପଶୁପକ୍ଷୀଙ୍କ ନିକଟରେ ଥିବା ମାନବିକ ମୂଲ୍ୟବୋଧକୁ ସେ ଅକୁଣ୍ଠିତ ଚିତ୍ତରେ ପୁରାଣଧର୍ମୀ ଗାଥାଗୁଡ଼ିକରେ ସୁନ୍ଦରଭାବେ ଉପସ୍ଥାପିତ କରିଛନ୍ତି । ସେହି ଦୃଷ୍ଟିରୁ ‘‘ପଶୁପକ୍ଷୀର କାବ୍ୟ’’ ହେଉଛି କବିଙ୍କର ଏକ ସଫଳ ଓ ସାର୍ଥକ ସୃଷ୍ଟି ।

 

ରାମାୟଣର ଜଟାୟୁ ପକ୍ଷୀ ହେଉଛି ଏକ ଗୌଣ ଚରିତ୍ର ହେଲେହେଁ କବି ରାଧାମୋହନ ତାକୁ ‘ଜଟାୟୁ’ କବିତାରେ ମହାନ୍‌ ରୂପେ ଗଢ଼ି ତୋଳିଛନ୍ତି । ଅଯୋଧ୍ୟାର ରାଜା ଦଶରଥଙ୍କର ମିତ୍ର ଜଟାୟୁ ହେଉଛି ରାମାୟଣର ଏକ ଗୃଧ୍ର । ଲଙ୍କାର ରାଜା ରାବଣ ହାତରୁ ଅପହୃତା ସୀତାଙ୍କୁ ଉଦ୍ଧାର କରିବା ସମୟରେ ଯୁଦ୍ଧ କରି ପ୍ରାଣ ବିସର୍ଜନ କରିଛି । ‘‘ଶକୁନ୍ତଳାର ଦାନ’’ କବିତାଟି ମହାଭାରତ କଥାବସ୍ତୁ ଆଧାରିତ । ଶକୁନ୍ତ, କଣ୍ଵମୁନିଙ୍କ ପାଳିତା କନ୍ୟା, ମାତୃ-ପରିତ୍ୟକ୍ତା, ଅସହାୟ ହୀନା ଶକୁନ୍ତଳାକୁ ପକ୍ଷଛାୟା ପ୍ରଦାନ କରି ସୁରକ୍ଷିତ କରିଛି । ଏଠାରେ ଅପ୍‌ସରା କନ୍ୟା ଶକୁନ୍ତଳାର ନାମକରଣ ପଛରେ ଥିବା ଶକୁନ୍ତ ପକ୍ଷୀର ଅବଦାନ କଥା କୁହାଯାଇଛି । ତେଣୁ କବି ଲେଖିଛନ୍ତି-

 

‘‘ତ୍ୟକ୍ତା ଏଇ ସଦ୍ୟଜାତା,

ଇଆର ତୁହି ଜୀବନ ଦାତା

ଶକୁନ୍ତରେ ଏ ତୋର ଦାନ

ବିଶ୍ଵ ଧରାଧାମେ

ଏ ଶିଶୁ ଆଜି ଶକୁନ୍ତଳା

ହେଲାରେ ତୋହ ନାମେ ।’’

 

ମହାଭାରତ ପୃଷ୍ଠଭୂମି ଆଧାରିତ ‘ବିଦୁଳା’ କବିତା କବି ଗଡ଼ନାୟକଙ୍କ ଏକ ସୁନ୍ଦର ସୃଷ୍ଟି । ବୀର ପ୍ରସବିନୀ ମାତାର ବୀର ପୁତ୍ରର ଦେଶରକ୍ଷା ପାଇଁ ମୃତ୍ୟୁବରଣ ବରଂ ଶ୍ରେୟ, କିନ୍ତୁ କାପୁରୁଷ ପଣିଆ ପୁତ୍ରର ଜନନୀ ହେବାରେ ବିଦୁଳାଙ୍କ କୁଣ୍ଠିତ ଭାବ ଚେତନା କବିତାଟିକୁ ରସସିକ୍ତ କରି ଦେଇଛି । କବି ଗଡ଼ନାୟକ ଭାଗବତ ସ୍ରଷ୍ଟା ଜଗନ୍ନାଥ ଦାସଙ୍କ ‘‘କପୋତ ଦମ୍ପତ୍ତି’’ ଦ୍ୱାରା ପ୍ରଭାବିତ-। କପୋତ କପୋତୀ ଶାବକମାନଙ୍କ ପାଇଁ ଖାଦ୍ୟ ଅନ୍ୱେଷଣରୁ ଫେରିଆସି ଦେଖିଲେ ଯେ ପୁତ୍ରକନ୍ୟା ଶବର ଜାଲରେ ପଡ଼ିଛନ୍ତି । ସନ୍ତାନ ମୋହରେ ପ୍ରଥମେ କପୋତୀ ଓ ତତ୍‌ପରେ କପୋତ ଜାଲକୁ ଡେଇଁ ପଡ଼ିଛନ୍ତି । ମୂଳ ଭାଗବତରେ ମାୟା ମମତାର ପରିଣାମ ଭୟଙ୍କର ଚିତ୍ର ଉପସ୍ଥାପିତ ଥିଲାବେଳେ, ଗଡ଼ନାୟକଙ୍କ କବିତାରେ ମାୟା ମମତାର ମନୋଜ୍ଞତା ସମ୍ବନ୍ଧରେ ଆଦର୍ଶବୋଧ ତୋଳିଛନ୍ତି । ଯଥାର୍ଥରେ କବି କହିଛନ୍ତି-

 

‘‘ନିର୍ବାଣ-ଉଚ୍ଛ୍ୱାସ ଧରି

ଦୀପଯଥା ଉଠେ ଜଳି

ଯୁକ୍ତ ହେଲେ ପକ୍ଷୀ-ପରିବାର

କଳ କୋଳାହଳ ତୋଳି

ମନ ପ୍ରାଣ ଦେଲେ ଖୋଲି

କ୍ଷଣକରେ ଅମୃତ-ସଂସାର ।’’

 

ପଞ୍ଚସଖା ଯୁଗର ବୟୋଜ୍ୟେଷ୍ଠକବି ବଳରାମ ଦାସଙ୍କ ରଚିତ ବଉଳାଗାଈ ଗୀତଟିକୁ କବି ଗଡ଼ନାୟକ ‘ବଉଳା ଓ ମହାବଳ’ କବିତାର ଉପାଦାନ ଭାବେ ଗ୍ରହଣ କରିଛନ୍ତି । ଏହି କବିତାଟିରେ ବଉଳାଗାଈର ଅପତ୍ୟସ୍ନେହ, ସତ୍ୟନିଷ୍ଠା ସହିତ ମହାବଳ ବାଘର ହୃଦୟ ପରିବର୍ତ୍ତନର ଚିତ୍ର ଯଥାର୍ଥ ଭାବେ ଅଙ୍କିତ । ‘‘ଚିତ୍ରଗ୍ରୀବ’’ କବିତାର କଥାବସ୍ତୁ ‘‘ହିତୋପଦେଶ’’ ଓ ‘‘ପଞ୍ଚତନ୍ତ୍ର’’ର ଗଳ୍ପରୁ ଗୃହୀତ । କପୋତରାଜା ଚିତ୍ରଗ୍ରୀବ ନିଜର ପ୍ରଜାକୁଳ ପାଇଁ ଜୀବନଦାନ କରିବାକୁ କିପରି ବ୍ୟସ୍ତ ଓ ବିବ୍ରତ ତା’ର ମହନୀୟ ଦୃଷ୍ଟାନ୍ତ ଆଲୋଚ୍ୟ କବିତାରେ ପ୍ରତିଫଳିତ । କବି କପୋତରାଜା ଚିତ୍ରଗ୍ରୀବଙ୍କର ସ୍ଵାଭିମାନଙ୍କୁ ଅତି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି-

 

‘‘ଆଗ ଏ ସକଳେ ଉଦାର କର, ମୁକ୍ତ କର,

ପଛକୁ ରହିଲେ ଗଲେ ଯିବ ପ୍ରାଣ

ଜାତି ପାଇଁ ମୋର ହେବ ଅବଦାନ

କିଲାଗି ମୁଁ ହେବି ଜୀବନରଙ୍କ ସ୍ୱାର୍ଥପର ।’

 

କବି ରାଧାମୋହନ ଗଡ଼ନାୟକ ‘‘କାବ୍ୟନାୟିକା’’ର ‘‘ପ୍ରାକ୍ତନୀ’’ ପର୍ଯ୍ୟାୟରେ ପୁରାଣକୁ ଅବଲମ୍ବନ କରି ପୁରାଣର ବହୁ ଉପେକ୍ଷିତ ଚରିତ୍ରଙ୍କୁ ପୁନଃମୂଲ୍ୟାୟନ କରିଛନ୍ତି । ବିଶିଷ୍ଟ ସାହିତ୍ୟ ସମାଲୋଚକ ଡକ୍ଟର ନିତ୍ୟାନନ୍ଦ ଶତପଥୀ ତାଙ୍କ ‘ସବୁଜରୁ ସାଂପ୍ରତିକ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି-‘‘ପତିତା ପିଙ୍ଗଳା ପ୍ରତି କବି ଆତ୍ମାର ଦରଦରେ, କୃଷ୍ଣଦୂତୀ ଲଳିତା ପ୍ରତି ଅନୁକମ୍ପାରେ, ପତି ବିରହିଣୀ ଉର୍ମିଳା ପ୍ରତି ସମ୍ବେଦନାରେ ଏ ମାର୍ମିକ କାବ୍ୟ ମାନସ ସଙ୍ଗଠିତ । ଅବଶ୍ୟ ଏ ଦୃଷ୍ଟିଭଙ୍ଗୀ ଅନେକାଂଶରେ କବି ରବୀନ୍ଦ୍ରଙ୍କ ବାଟ ଦେଇ ଓଡ଼ିଆ କବିତାରେ ଅନୁପ୍ରବିଷ୍ଟ ହୋଇଥିଲା-। କାବ୍ୟର ବହୁ ଉପେକ୍ଷିତଙ୍କ ପାଇଁ କବି ରବୀନ୍ଦ୍ରଙ୍କ ଚିନ୍ତାରେ ଯେଉଁ ମାନବିକ ଦରଦ ପ୍ରକାଶ ପାଇଥିଲା, ତାହା ଏକ ନୂତନ କାବ୍ୟସ୍ଵରର ଚାରଣ ଭାବେ କବି ରାଧାମୋହନଙ୍କୁ ଉଦ୍‌ବୁଦ୍ଧ କରିଥିବା ସ୍ପଷ୍ଟ ।’’ ଭାଗବତ ରଚୟିତା ଜଗନ୍ନାଥ ଦାସଙ୍କ ପିଙ୍ଗଳା ରାଧାମୋହନଙ୍କ ‘‘ପିଙ୍ଗଳାର ଅଭିସାର’’ କବିତାରେ ଆତ୍ମପ୍ରକାଶ କରିଛି । ଅବଧୂତଙ୍କ ବିଭିନ୍ନ ଗୁରୁଙ୍କ ମଧ୍ୟରୁ ପିଙ୍ଗଳାବେଶ୍ୟା ହେଉଛି ଅନ୍ୟତମ । ଇନ୍ଦ୍ରିୟ ସମ୍ଭୋଗର ବିକଳ ବିଧୃତ ତୃଷ୍ଣା ଭିତରେ ତା’ର ଆତ୍ମପୁରୁଷ ଏକଦା ଇନ୍ଦ୍ରିୟାତୀତ ସ୍ଥିତିକୁ ଆରୋହଣ କରିଛି । କବିସୂର୍ଯ୍ୟ ବଳଦେବ ରଥଙ୍କ ‘‘କିଶୋର ଚନ୍ଦ୍ରାନନ ଚମ୍ପୂ’’ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଆଶାର ଉତ୍‌ଥାନ ଓ ପତନ, ସେମାନଙ୍କର ଭୟ ଓ ଆଶଙ୍କା ତଥା ବ୍ୟର୍ଥଭାବ, ସେମାନଙ୍କର ପରସ୍ପର ପ୍ରତି ଆର୍ତ୍ତଆତୁର ପିପାସା, ସଂସାର ପ୍ରତି ଭ୍ରୁକ୍ଷେପ ନ କରି ପରସ୍ପର ପ୍ରତି ଉତ୍ସର୍ଗୀକୃତ ଆକର୍ଷଣ ସତ୍ତ୍ୱେ ସାହାସ ଅଭାବରୁ ଦୁହିଁଙ୍କର ଲଳିତା ମାଧ୍ୟମ ଉପରେ ଅସହାୟ ନିର୍ଭରତା, ଶେଷରେ ପ୍ରଣୟଲୀଳା ସଂଘଟିତ ହୋଇଛି । କିନ୍ତୁ କବି ଗଡ଼ନାୟକ ତାଙ୍କ ରଚିତ ‘ଲଳିତା’ କବିତାରେ ଲଳିତା ଚରିତ୍ରଟିକୁ ଉଚ୍ଚକୋଟୀର ରୂପେ ବର୍ଣ୍ଣନା କରିଛନ୍ତି । ଏହି କବିତାରେ ପ୍ରେମ ପାଇଁ ପ୍ରେମିକାଠାରୁ ଦୂତୀର ଭୂମିକାକୁ ଗୁରୁତ୍ୱପ୍ରଦାନ କରାଯାଇଛି । କବିଙ୍କ ଭାଷାରେ-

 

‘‘ଆପଣାରେ କରି କ୍ଷୂର୍ଣ୍ଣ

ଅପରେ କରୁଚ ପୂର୍ଣ୍ଣ

ପ୍ରେମିକା ନୁହ ତ ଦୂତିକା

ପ୍ରେମିକାର ତୁମେ ଗୁରୁ ଗୋ ।’’

 

ସମଗ୍ର ରାମାୟଣର ନାରୀ ଚରିତ୍ର ମଧ୍ୟରେ ଉର୍ମିଳା ପାତିବ୍ରତ୍ୟ ଓ ସତୀତ୍ୱ ପାଇଁ ବନ୍ଦନୀୟ ତଥା ବରଣୀୟା । ଅଗ୍ରଜ ରାମଚନ୍ଦ୍ରଙ୍କ ସହିତ ପତ୍ନୀ ଜାନକୀ ପିତୃସତ୍ୟ ରକ୍ଷା ପାଇଁ ଯେତେବେଳେ ବନଗାମିନୀ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ମଧ୍ୟ ଏକାକୀ ଯାଇଛନ୍ତି । ଦୀର୍ଘ ଚଉଦବର୍ଷ କାଳ ଉର୍ମିଳାଙ୍କର ଏକନିଷ୍ଠ ପାତିବ୍ରତ୍ୟ ଓ ସଂଯମତା ପୁରାଣ ସାହିତ୍ୟକୁ ରସସିକ୍ତ କରିଦେଇଛି । ପୁରାଣ ପୃଷ୍ଠାର ଏହି ସତୀ ସାଧ୍ୱୀ ଉର୍ମିଳାଙ୍କ ଚରିତ୍ରକୁ ନେଇ କବି ରାଧାମୋହନ ସୃଷ୍ଟି କରିଛନ୍ତି ‘ଉର୍ମିଳା କବିତା’ । ସେ ଆଲୋଚ୍ୟ କବିତାରେ ଲକ୍ଷ୍ମଣ-ପତ୍ନୀ ମିଥିଳାର ରାଜନନ୍ଦିନୀ ଉର୍ମିଳାଙ୍କର ଚରମ ପାତିବ୍ରତ୍ୟ, ତୀବ୍ର ବିରହ ଭିତରେ ପବିତ୍ର ପ୍ରେମ ଓ ପ୍ରଣୟର ଚିତ୍ର ବାଢ଼ିଲେ ନାରୀର ମହନୀୟ ଆଦର୍ଶକୁ ଉପସ୍ଥାପିତ କରିଛନ୍ତି-

 

‘‘ପୀୟୁଷ ସମାନ ବିଶ୍ଵ-ପାବନ ପୁଣ୍ୟଜୀବନ ତୁମରି

ବିଶ୍ୱଭୁବନ ଧନ୍ୟ ହୁଅଇ ଅନ୍ତର ତଳେ ସୁମରି

ସାରା ଜୀବନଗୋ ତୁମେ ବିରହଣୀ

ସାରା ଜୀବନ ମୋ ତୁମେ ପ୍ରଣୟିନୀ

ସାରା ବିଶ୍ଵର ସ୍ମୃତି ଅମ୍ବରେ

ଧ୍ରୁବତାରା ତୁମେ ଅମରୀ ।’’

 

‘‘ଅୟିପୃଥ୍ଵୀ’’ କବିତାଟି ପ୍ରଥମେ ‘ଝଙ୍କାର’ ଦ୍ୱାଦଶବର୍ଷ, ଷଷ୍ଠ ସଂଖ୍ୟା ଫେବୃୟାରୀ ୧୯୫୦ ମସିହାରେ ପ୍ରକାଶିତ ହୋଇ ପରବର୍ତ୍ତୀ ସମୟରେ ‘ଧୂସରଭୂମିକା’ ସଂକଳନରେ ସ୍ଥାନଲାଭ କରିଥିଲା । କବି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍‌ଭାଗବତର ଚତୁର୍ଥ ସ୍କନ୍ଧରେ ସନ୍ନିବେଶିତ ସପ୍ତଦଶ ଅଧ୍ୟାୟଠାରୁ ବିଂଶତମ-ଅଧ୍ୟାୟ ପର୍ଯ୍ୟନ୍ତ କଥାବସ୍ତୁକୁ ଉପାଦାନ ଭାବେ ଗ୍ରହଣ କରିଛନ୍ତି । ଅତୀତରେ ପୃଥିବୀ ମାତା ଗାଈ ରୂପ ଧାରଣ କରି ଧରାପୃଷ୍ଠରୁ ସମସ୍ତ ଶସ୍ୟ ଭକ୍ଷଣ କରି ଦିବସରେ ସମୁଦ୍ର ଗର୍ଭରେ ଆତ୍ମଗୋପନ କରନ୍ତି । ରାଜା ପୃଥୁ ପୃଥିବୀ ମାତାର ଏପରି ଘୃଣ୍ୟ କାର୍ଯ୍ୟଧାରାକୁ ପ୍ରଜାମାନଙ୍କ ପାଖରୁ ଜାଣି ବଧକରିବା ନିମନ୍ତେ ହାତରେ ଧନୁଶର ଧରି ପ୍ରସ୍ତୁତ ହେଲେ । ରାଜାଙ୍କ କର୍ତ୍ତୃକ ମୃତ୍ୟୁ ଅବଶ୍ୟମ୍ଭାବି ମନେକରି ପୃଥିବୀ ମାତା ପୃଥୁଙ୍କର ଶରଣାପନ୍ନ ହେଲେ । ପୃଥିବୀ ମାତା ରାଜାଙ୍କୁ ଯୋଡ଼ହସ୍ତ ହୋଇ ବିନମ୍ରରେ କହିଲେ ସେ ଏଥିପାଇଁ ସଂପୂର୍ଣ୍ଣ ନିର୍ଦ୍ଦୋଷ । ମୁଁ ଭକ୍ଷଣ କରିଥିବା ଶସ୍ୟାଦି ଦୁଗ୍‌ଧ ଆକାରରେ ମୋ ଦେହରେ ସଞ୍ଚିତ ହୋଇ ରହିଛି । ଆପଣ ମୋତେ କାମଧେନୁ ରୂପେ ଦୋହନ କଲେ ମୁଁ ଅକୁଣ୍ଠିତ ଭାବେ ପ୍ରଜାକୁଳକୁ ପ୍ରଦାନ କରିବି । କବିଙ୍କ ଭାଷାରେ-

 

‘ମନୁହେଲେ ବତ୍ସାତରୀ, ଦୋଗ୍‌ଧା ହେଲେ ପୃଥୁ

ସ୍ରବିଲା ଦୁଗ୍ଧର ଧାର

ଶସ୍ୟର ସମ୍ଭାର

କମ୍ରଶିରୀ ଘେନି ପୁଣି ଉଦ୍‌ଭାସିଲା ବିବର୍ଣ୍ଣ ସଂସାର ।’

 

ମହାକବି କାଳିଦାସଙ୍କ ସଂସ୍କୃତ ମହାକାବ୍ୟ ‘କୁମାର ସମ୍ଭବମ୍‌’କୁ କବି ରାଧାମୋହନ ଏକ ଅଭିନବ କୌଶଳରେ ନାଟ୍ୟାନୁବାଦ କରି ସ୍ଵକୀୟ ପୁରାଣ ସଂପ୍ରୀତି ଭାବଚେତନାକୁ ଯଥାର୍ଥ ଭାବେ ଉପସ୍ଥାପିତ କରିଛନ୍ତି । କବି ଗଡ଼ନାୟକ ମୁଖ୍ୟତଃ ଆଶାବାଦୀ, ଜୀବନବାଦୀ ଓ ଆଧ୍ୟାତ୍ମିକବାଦୀ କବି । ବର୍ଣ୍ଣନା ଅପେକ୍ଷା ବ୍ୟଞ୍ଜନାର ସଂଯୋଗ କରି ସେ ତାଙ୍କ ପୌରାଣିକ ଗାଥାଗୁଡ଼ିକୁ ଅଧିକ ରସସିକ୍ତ ଓ ପ୍ରାଣବନ୍ତ କରି ପାରିଛନ୍ତି ।

 

ସା : ଧଉରାପାଲ, ଡାକ-ରାଜକଶୋର ନଗର,

ଜିଲ୍ଲା-ଅନୁଗୋଳ (ଓଡ଼ିଶା)-୭୫୯୧୨୬

 

***

 

ଗଡ଼ନାୟକଙ୍କ କବିତାରେ ପ୍ରଣୟଚେତନା

ନାରାୟଣ ପଣ୍ଡା

 

‘‘Beloved let us love

love one another

For love is God

And every one that loveth is

born of God

And knoweth God

He that loveth not

knoweth not God

For God is love.’’ - Bibel

 

ରାଧାମୋହନ ଗଡ଼ନାୟକ ଆଧୁନିକ ଓଡ଼ିଆ କାବ୍ୟଧାରାର ଏକ ମୂର୍ଦ୍ଧନ୍ୟ ସାରସ୍ଵତ ସାର୍ଥକ ସର୍ଜନଶୀଳ ପ୍ରତିଭା । ସବୁଜ ଯୁଗର ଆରମ୍ଭରୁ ତାଙ୍କ ଲେଖନୀ ଚଳଚଞ୍ଚଳ ଓ ଗତିଶୀଳ । ରୋମାଣ୍ଟିକ କାବ୍ୟଶୈଳୀର ଆବେଗ ପ୍ରବଣତା ଯେପରି ତାଙ୍କ କାବ୍ୟକବିତାରେ ପ୍ରତିକୀତ ସେହିପରି ଜାତିର ଅତୀତ ପ୍ରତି ମମତା ଓ ଦୈନନ୍ଦିନ ସୁଖଦୁଃଖର ଭାବପୂର୍ଣ୍ଣ ଚିତ୍ର ସରସ ସୁନ୍ଦର ଭାବରେ ଅଙ୍କିତ । ଜାତିର ଗୌରବମୟ ଇତିହାସ, ପୌରୁଷପୂର୍ଣ୍ଣ କାହାଣୀ ତାଙ୍କ କବିତାରେ କେତେବେଳେ ପ୍ରତିଫଳିତ ତ ଆଉ କେତେବେଳେ ନରନାରୀଙ୍କ ପ୍ରେମ ପ୍ରଣୟର ମର୍ମିଳ ମିଳନ ପ୍ରକାଶିତ ସୁତୀକ୍ଷ୍‌ଣ ରସବୋଧ ଓ ସୂକ୍ଷ୍ମ ସୌନ୍ଦର୍ଯ୍ୟ ସୃଷ୍ଟିର ସେ ଅନନ୍ୟ ରୂପକାର । ପଣ୍ଡିତ ଗୋଦାବରୀଶଙ୍କ ପରେ କବି ଗଡ଼ନାୟକ ହିଁ ଗାଥାକବିତା ରଚନାର ଧାରାକୁ ସଫଳତାର ସହ ପରିପୁଷ୍ଟ କରିଛନ୍ତି । ସୁନିର୍ବାଚିତ, ଭାବଦ୍ୟୋତକ ମଧୁର ଶବ୍ଦାବଳୀର ପ୍ରୟୋଗରେ, ରୁଚିଶୀଳ ଓ ସୌନ୍ଦର୍ଯ୍ୟାନ୍ଵିତ କଥାବସ୍ତୁର ନିର୍ବାଚନରେ, କଳାତ୍ମକ ସୌନ୍ଦର୍ଯ୍ୟ ଦୃଷ୍ଟିର ରୂପାୟନରେ ରାଧାମୋହନଙ୍କ କାବ୍ୟଚେତନା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ।

 

‘ବିପ୍ଲବୀ ରାଧାନାଥ’ ଓ ‘କାଳିଦାସ’ କାବ୍ୟନାଟିକା କବିଙ୍କ ପ୍ରଜ୍ଞାଦୀପ୍ତ ପ୍ରତିଭା ଓ ପ୍ରତିଭାଦୀପ୍ତ ପ୍ରଜ୍ଞାର ପରିଚୟ । ଅନ୍ତର୍ଦ୍ଧୃଷ୍ଟିର ଅଭିବ୍ୟକ୍ତି କବିତାଗୁଡ଼ିକୁ କରିଛି ଯେପରି ରସୋତ୍ତୀର୍ଣ୍ଣ କବି କଳ୍ପନାର ମୌଳିକତା କବିତାକୁ କରିଛି ସେପରି ସୁଖପାଠ୍ୟ । ‘କାବ୍ୟନାୟିକା’, ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ୱପ୍ନ’, ‘ସ୍ମରଣିକା’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’ ପ୍ରଭୃତି କବିତା ସଂକଳନ କବିଙ୍କ ବହୁଶାସ୍ତ୍ରଦର୍ଶିତାର ପରିଚୟ ।

 

ପ୍ରତ୍ୟେକ ମଣିଷ ପ୍ରତ୍ୟେକଠାରୁ ଭିନ୍ନ । ପ୍ରତ୍ୟେକ କବି ମଧ୍ୟ ଭିନ୍ନ ଅନ୍ୟ କବିଠାରୁ । ଏହି ଭିନ୍ନତା ବ୍ୟକ୍ତିଗତ ପାର୍ଥକ୍ୟ ଓ ବ୍ୟକ୍ତିତ୍ଵର ପାର୍ଥକ୍ୟ ନେଇ ପରିଦୃଷ୍ଟ ହୋଇଥାଏ । କବି ଗଡ଼ନାୟକଙ୍କ ବ୍ୟକ୍ତିତ୍ଵ ଭିନ୍ନ ଧରଣର । ଏଥିରେ ପୁଣି ବହୁ ବିରୋଧାଭାସ ପରିଦୃଷ୍ଟ । ତାଙ୍କର ବେଶଭୂଷାରେ ଆଡ଼ମ୍ବର ଶୂନ୍ୟତା ଓ ରକ୍ଷତା ତାଙ୍କ କାବ୍ୟଧାରାର ବିରୋଧାଭାସ । ସରଳ ତଥା ନିରାଡ଼ମ୍ବର ପରିଧେୟରେ ସେ ଆଚ୍ଛାଦିତ, କିନ୍ତୁ ତାଙ୍କ କାବ୍ୟ ଭିତରେ ଭରି ରହିଥାଏ ବିଳାସୀ ଭାବନା ଓ ଆଡ଼ମ୍ବରପୂର୍ଣ୍ଵ ଶବ୍ଦ ସଂଯୋଜନା ବାସ୍ତବ ଜୀବନର ରୁକ୍ଷତା ଓ ବିଶୃଙ୍ଖଳ ବେଶବିନ୍ୟାସର ପ୍ରତିଛବି, ତାଙ୍କ କାବ୍ୟ କବିତାରେ ବିରଳ । ସେ ଜଣେ କଳା ସଚେତନ କବି, ସବୁକିଛି ତାଙ୍କର ସୁବିନ୍ୟସ୍ତ, ଶବ୍ଦ ଛନ୍ଦର ଶୃଙ୍ଖଳରେ ସବୁ ବନ୍ଧା । ମଣିଷଭାବରେ ସର୍ବତ୍ର ତାଙ୍କର ଆତ୍ମୀୟତା, ସଭିଙ୍କୁ ଆପଣାର କରିବାକୁ ତାଙ୍କର ଇଚ୍ଛା-ଯେ ତାଙ୍କର ସାକ୍ଷାତ ପାଇଛି ସେ ଏହା ମର୍ମେ ମର୍ମେ ଅନୁଭବ କରିଛି । ସେ ସୃଜନକର୍ମରେ ବିରାଟ, ପୁଣି ମଣିଷଭାବରେ ସେ ନିରାଟ, ସରଳ ଓ ବନ୍ଧୁପ୍ରେମୀ । ଏଇ ସାମାଜିକ ମଣିଷର ସତ୍ତା ଭିତରୁ ତାଙ୍କ ଭିତରର କାବ୍ୟପୁରୁଷଟିର ଉଦ୍ଭବ ଓ ଏକ ନିର୍ଦ୍ଦିଷ୍ଟ ଆଦର୍ଶବୋଧକୁ ନେଇ ଏ କାବ୍ୟପୁରୁଷ ତାଙ୍କ ଅଜସ୍ରସ୍ରାବୀ ଲେଖନୀରେ କଳାର କୋଣାର୍କ ନିର୍ମାଣ କରିଛନ୍ତି ।୧।

 

କବିତା କବି ହୃଦୟର ସରଳ ସ୍ଵଚ୍ଛନ୍ଦ ଅଭିବ୍ୟକ୍ତ । ଜୀବନର ଅନ୍ତର୍ନିହିତ ଭାବସ୍ପନ୍ଦନକୁ କବି ମର୍ମେ ମର୍ମେ ଉପଲବ୍‌ଧି କରି ବାଙ୍‌ମୟରୂପ ପ୍ରଦାନ କରେ । ତା’ର ସେହି ବାଣୀ ରାଜ୍ୟରେ ସେ ରୂପ ଭିତର ଦେଇ ଅରୂପର ସନ୍ଧାନ ଦିଏ । ଅରୂପର ଅନିର୍ବଚନୀୟ ରସୋପଲବ୍‌ଧି ଦ୍ୱାରା ସେ ସହୃଦୟ ସାମାଜିକ ବ୍ୟକ୍ତିର ଅନ୍ତରରେ ସୃଷ୍ଟି କରେ ଗଭୀର ଆଲୋଡ଼ନ । ସେ ରମଣୀୟାର୍ଥ ପ୍ରତିପାଦକ ଶବ୍ଦବିନ୍ୟାସ ସାହାଯ୍ୟରେ ଲୋକୋତ୍ତର ଆହ୍ଲାଦ ଜନକ ଜ୍ଞାନଗୋଚରତା ସୃଷ୍ଟି କରେ-। ନିଜର ବ୍ୟକ୍ତି-ବିଶ୍ୱ ଚେତନାକୁ ବିଶ୍ୱବ୍ୟକ୍ତି ଚେତନାରେ ରୂପାନ୍ତରିତ କରି ଏକ ସାର୍ବଜନୀନ ରୂପ ପ୍ରଦାନ କରେ । କବିର ଅନୁଭବ ବ୍ୟକ୍ତିଗତ ହେଲେ ହେଁ ସେହି ବ୍ୟକ୍ତିଗତ ଅନୁଭବ ସାର୍ବଜନୀନ ଭାବ ଗ୍ରହଣ କରି ଆତ୍ମପ୍ରକାଶ କରେ । କବି ନିଜର ରାଜରାସ୍ତାରେ ଏକ୍‌ଲା ପଥିକ । ତା’ର କାବ୍ୟପୁରୁଷ ଯାଉଁ ଯାଉଁ କେତେବେଳେ କଳ୍ପନାର ମଧୁର ସଂଗୀତ ସୃଷ୍ଟି କରେ-କେତେବେଳେ ଜୀବନର ସଂଗୀତ ଶୁଣାଏ-କେତେବେଳେ ଗମ୍ଭୀର ମୁହୂର୍ତ୍ତର ଚିତ୍ତ ଉଲ୍ଲାସକରି ଭାବସ୍ପନ୍ଦନ ସୃଷ୍ଟି କରେ । କେତେବେଳେ ନୈରାଶ୍ୟ ଓ ଶୋଚନୀୟତା ବ୍ୟଥା ଓ ବିଫଳତାରେ ଭାଙ୍ଗିପଡ଼େ, ପୁଣି କେତେବେଳେ ପ୍ରେମ ପ୍ରଣୟର କରୁଣ ମଧୁର ଅନୁଭବ ଦେଇ ଜୀବନର ସଂଗୀତ ଶୁଣାଏ । ତାର କାବ୍ୟପୁରୁଷ ଏକ୍‌ଲା ଯାଏ ସତ ମାତ୍ର ପଥ ଧାରରେ ସେ ଭେଟି ଯାଏ କେତେ ଜଣା ଅଜଣା ଚିହ୍ନା ଅଚିହ୍ନା ବ୍ୟକ୍ତି ସତ୍ତାକୁ ସମସ୍ତଙ୍କ ହୃଦୟରୁ ସେ ଅଜ୍ଞାତସାରରେ ଭାବ ସଂଗ୍ରହକରି ଆଣେ ନିଜ ହୃଦୟର ଭାବ ବଳୟରେ ତାକୁ ମିଶାଇଦିଏ, ପୁଣି ସେହି ମିଳିତ ଭାବକୁ ବ୍ୟକ୍ତି ମାନସର କଷଟୀ ପଥରରେ ପରୀକ୍ଷା ନିରୀକ୍ଷାକରି ଏକ ସାର୍ବଜନୀନ ରୂପ ପ୍ରଦାନ କରେ । ସେଠି ବ୍ୟକ୍ତି ଓ ସମାଜ କବିର ଆତ୍ମଜଗତ ଓ ତା’ର ଚତୁର୍ପାର୍ଶ୍ୱତଃ ଜୀବଜଗତ ଏକାତ୍ମ ହୁଏ । ଏକ ଗଭୀର ଆନନ୍ଦବୋଧ ଦେଇ ସମସ୍ତ ଜଗତ ସତେ ଯେପରି ଗତିଶୀଳ ହୁଏ ।୨।

 

ମଣିଷ ଏକ ଚେତନାବନ୍ତ ପ୍ରାଣୀ । ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ମଣିଷଠାରେ ଚେତନାର ବହୁଳବିକାଶ ସମ୍ଭବ ହୋଇପାରିଛି । ପାର୍ଥିବ ଚେତନାଠାରୁ ଆରମ୍ଭ କରି ଅପାର୍ଥିବ ଦିବ୍ୟଚେତନା ପର୍ଯ୍ୟନ୍ତ ଏହା ଆଜି ପ୍ରସାରିତ ଓ ସଂଚରିତ । ତେବେ ଏହା ସମସ୍ତଙ୍କଠାରେ ସମାନ ମାତ୍ରାରେ ସମ୍ଭବ ହୋଇ ନ ଥାଏ । ମଣିଷର ଚିନ୍ତା ଚେତନାକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ ତାର ପରମ୍ପରା ଓ ପରିବେଶ । କବି ଗଡ଼ନାୟକଙ୍କ କାବ୍ୟଚେତନାର ବିକାଶ ଓ ପ୍ରକାଶ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ସେ ପ୍ରାଚୀନ ସାମୟିକ ଐତିହ୍ୟର ପରବର୍ତ୍ତୀ ଦାୟାଦ ରୂପେ ନିଜକୁ ପ୍ରକାଶିତ କରିବାର ବିଶେଷ ଗର୍ବ ଓ ଗୌରବ ଅନୁଭବ କରନ୍ତି । ଗ୍ରାମ୍ୟ ଜୀବନର ସ୍ନିଗ୍‌ଧ ସୁନ୍ଦର ପରିବେଶ ତାଙ୍କୁ ବିଶେଷଭାବରେ ମୁଗ୍‌ଧ କରିଛି । ନିକଟବର୍ତ୍ତୀ ଗ୍ରାମ୍ୟ ପାଠଶାଳାରେ ସେ ପ୍ରାଥମିକ ଶିକ୍ଷାରୁ ସୁଯୋଗଲାଭ କରିଛନ୍ତି । ତାଙ୍କ ଛାତ୍ର ଜବୀନର ପ୍ରଥମ ପର୍ଯ୍ୟାୟଟି ବେଶ୍‌ କୃତିତ୍ଵପୂର୍ଣ୍ଣ । କିନ୍ତୁ କେତେକ ଅନିବାର୍ଯ୍ୟ କାରଣରୁ କବି ତାକୁ ଅବ୍ୟାହତ ରଖିପାରିନାହାନ୍ତି । ପ୍ରତିଭାର ଇଦୃଶ ବିଚିତ୍ରତା ବିରଳ ନୁହେଁ । ତଥାପି ସ୍ଵୀୟ ଅଧ୍ୟବସାୟ ବଳରେ କବି ସଂସ୍କୃତ, ବଙ୍ଗଳା, ହିନ୍ଦୀ, ଇଂରେଜୀ ପ୍ରଭୃତି ସାହିତ୍ୟ ସାଗର ମନ୍ଥନ କରିଥିବାର ପର୍ଯ୍ୟାପ୍ତ ସୂଚନା ତାଙ୍କ କାବ୍ୟକବିତାରୁ ମିଳେ । ପ୍ରତିଭା, ପାଣ୍ଡିତ୍ୟ ଓ ଅଭ୍ୟାସର ତ୍ରିବେଣୀ ସଂଗମ ତାଙ୍କଠାରେ ପରିଦୃଷ୍ଟ ହୁଏ । ଫଳରେ ତାଙ୍କ ପ୍ରଜ୍ଞାଦୀପ୍ତ ପ୍ରତିଭାର ଓ ବ୍ୟତିକ୍ରମ ବ୍ୟକ୍ତିତ୍ଵର ପ୍ରତିଛବି କବିତାର ଛତ୍ରେ ଛତ୍ରେ ଉତ୍କୀର୍ଣ୍ଣ ।୩।

 

‘Hunger and love rule the world’ କ୍ଷୁଧା ଓ ପ୍ରେମ ସମଗ୍ର ପୃଥିବୀକୁ ଶାସନ କରନ୍ତି । ଶିଲାରଙ୍କ ବାଣୀର ସତ୍ୟତା କେବଳ ଜଣେ ବ୍ୟକ୍ତିର ଚରିତ୍ର କିମ୍ବା ଗୋଟିଏ ନିର୍ଦିଷ୍ଟଯୁଗର ପରିଧି ମଧ୍ୟରେ ଆବଦ୍ଧ ନୁହେଁ, ଏହାର ଆବେଦନ ସାର୍ବଜନୀନ ଓ ସର୍ବକାଳୀନ । ମଣିଷର ଦେହ ରାଜ୍ୟରେ କ୍ଷୁଧାର ପ୍ରଭାବ ଯେତିକି, ମାନସ ରାଜ୍ୟରେ ପ୍ରେମର ପ୍ରଭାବ ତାହାଠାରୁ କୌଣସି ଗୁଣରେ କମ୍‌ ନୁହେଁ । ଏହି ଅବିସମ୍ବାଦିତ ସାଧାରଣ ସତ୍ୟଟି ସହସ୍ର ସହସ୍ର ବର୍ଷଧରି ଧରା ପୃଷ୍ଠରେ ମାନବ ଜୀବନର ଉଦ୍‌ଭବ ଦିନଠାରୁ ବହୁ ପରୀକ୍ଷିତ ହୋଇ ଆସିଛି । କ୍ଷୁଧା ମଣିଷର ପଶୁ ପ୍ରବୃତ୍ତିକୁ ଚରିତାର୍ଥ କରାଉଥିବାବେଳେ ପ୍ରେମ ହିଁ ମଣିଷକୁ ଅମୃତତ୍ତ୍ଵର ସନ୍ଧାନ ଦେଇ ‘ଅମୃତସ୍ୟପୁତ୍ର’ କରାଇପାରିଛି । ସାରା ସଂସାରରେ ମାନବ ସଭ୍ୟତାର ବିକାଶ ଦିଗରେ ପ୍ରେମର ଅବଦାନ ଅନସ୍ଵୀକାର୍ଯ୍ୟ । ପ୍ରେମ କେତେବେଳେ ଜନନୀ ହୃଦୟରେ ସନ୍ତାନପ୍ରତି ବାତ୍ସଲ୍ୟ ମମତାର ଉଦ୍ରେକ କରିଛି ତ କେତେବେଳେ ପ୍ରଣୟିନୀ ହୃଦୟରେ ପ୍ରଣୟୀ ପ୍ରତି ପ୍ରଣୟର ତାଜମହଲ ସୃଷ୍ଟିକରିଛି । କେତେବେଳେ ଭକ୍ତ ହୃଦୟରେ ପରମାତ୍ମା ପ୍ରତି ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଛି ତ କେତେବେଳେ କବି ହୃଦୟରେ ପ୍ରକୃତି ଓ ମାନବ ପ୍ରୀତିର ମନ୍ଦାକିନୀର ପ୍ଲାବନ ସୃଷ୍ଟି କରିଛି । କେତେବେଳେ ଦେଶହିତୈଷୀର ଅନ୍ତରରେ ସ୍ଵଦେଶପ୍ରୀତିର ରକ୍ତଜବା ଫୁଟାଇଛି ତ ପୁଣି କେତେବେଳେ ଆର୍ତ୍ତ ଜନତା ପାଇଁ ମାନବାତ୍ମାକୁ କରୁଣାଦ୍ର କରିଛି । ମଣିଷର ଦ୍ଵୈତ ପ୍ରକୃତି ମଧ୍ୟରେ ଏକ ସ୍ଵର୍ଗୀୟ ପ୍ରକୃତିକୁ ଜୀବନ୍ୟାସ ଦେବା ଦିଗରେ ତାର ପ୍ରକାଶ ଓ ବିକାଶ ଦିଗରେ ପ୍ରେମର ଅବଦାନ ଅବିସମ୍ବାଦିତ ।୪।

 

ପ୍ରେମର ବ୍ୟାପକତା ଭିତରୁ ନାରୀ ଓ ପୁରୁଷର ପରସ୍ପର ପ୍ରତି ଆକର୍ଷଣ ମଧ୍ୟରେ ଯେଉଁ ଶୃଙ୍ଗାରୀ ପ୍ରେମର ଉଦ୍‌ଭବ ହୁଏ ତାହାକୁ କେନ୍ଦ୍ର କରି ପୃଥିବୀରେ ଅନେକ କାବ୍ୟକବିତା ରଚିତ ହୋଇଛି । ପ୍ରେମର ସେହି ରହସ୍ୟଘନ ଅନୁଭୂତି ବିଶ୍ଵର ବିଭିନ୍ନ କବିଙ୍କ ହୃଦୟରେ ପ୍ଲାବନ ଆଣିଛି, ତାହା ସେମାନଙ୍କର ଅମର ଲେଖନୀରେ ବିଭିନ୍ନ ରୂପରେ ରୂପାୟିତ ହୋଇ ସାହିତ୍ୟକୁ ପରିପୁଷ୍ଟ କରିଛି ।

 

ସୃଷ୍ଟିରେ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଜଣକୁ ଛାଡ଼ି ଅନ୍ୟ ଜଣକର ଜୀବନ ଅପୂର୍ଣ୍ଣ । ଉଭୟ ଉଭୟଙ୍କର ପରିପୂରକ । ଉଭୟଙ୍କ ମିଳନରେ ସୃଷ୍ଟି କମନୀୟ ମହିମାମଣ୍ଡିତ । ସୃଷ୍ଟିକ୍ରମରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନାରୀ ପ୍ରକୃତି, ପୁରୁଷ ବିକୃତି । ପ୍ରକୃତି ଓ ବିକୃତିର ମଧୁମୟ ମିଳନରେ ବାଜି ଉଠ ସୃଜନର ବେଣୁ ।୫।

 

ନାରୀ ପ୍ରତି ପୁରୁଷର ଆକର୍ଷଣ ଏବଂ ପୁରୁଷ ନିକଟରେ ନାରୀର ସପ୍ରେମ ଆତ୍ମନିବେଦନ ଯେପରି ଚିରନ୍ତନ ସତ୍ୟ; ତଜ୍ଜନିତ ଆତ୍ମାନୁଭୂତିରୁ ଜାତ କବିର କବିତା ମଧ୍ୟ ସେହିପରି ଚିରନ୍ତନ ସତ୍ୟର ସ୍ଵାକ୍ଷର ବହନ କରି ଆସିଛି ଯୁଗେ ଯୁଗେ ।

 

କବିମନ ଅସୀମ ନୀଳାକାଶରେ ସ୍ଵାଧୀନ ବିହଙ୍ଗପରି ଭ୍ରମଣଶୀଳ । ସେ ଦୁନିଆପାରିରୁ ଦରିଆପାରି ପର୍ଯ୍ୟନ୍ତ ଘୂରି ବୁଲିଛି । ନୀଳନଭର ନିସୀମ ପଥ, ଦ୍ୟୁଲୋକର ଆଲୋକସ୍ରୋତ, ଲୀଳାଚଞ୍ଚଳ, ମେଘଲୋକ, ଶୈଳ ରାଜିର ଛବିଳ ଦେହ, କୁଞ୍ଜବନର ସବୁଜିମା, ନଗରର ସୌଧଚୂଳ, ଗ୍ରାମ୍ୟତଟିନୀର ତୀର, ଯନ୍ତ୍ରପୁରୀର ବାଷ୍ପଧୂମ, ଛାୟାହୀନ ମରୁମୁଲକ ସର୍ବତ୍ର ପରିକ୍ରମା କରିଛି । ପୁଣି ତାଙ୍କ କବି ମାନସକୁ ସେ ମୁଗ୍‌ଧ କିଶୋର ଅଳିଟିଏ ବୋଲି ସ୍ଵୀକାର କରିଛନ୍ତି । ଅଳି ପରି ତାଙ୍କ ସର୍ବଚାରୀ କବିମନ ମଧୁ ସଂଗ୍ରହରେ ଆଗ୍ରହୀ ।

 

ପ୍ରାକୃତିକ ଦୃଶ୍ୟରାଜିକୁ ଭଲ ପାଇବାରୁ ସୃଷ୍ଟି ହୋଇଥିବା କବିଙ୍କ ପ୍ରଣୟଚେତନା ସାଧାରଣସ୍ତରକୁ ଅତିକ୍ରମ କରିଥିବାର ଲକ୍ଷ୍ୟ କରାଯାଏ । ଦୈହିକ ସ୍ତରର ଇନ୍ଦ୍ରିୟ ଭୋଗକୁ ଅତିକ୍ରମ କରି ତାଙ୍କ ପ୍ରଣୟ ଚେତନା କ୍ରମେ ମାନସିକ ସ୍ତରକୁ ଉର୍ଦ୍ଧ୍ୱାୟିତ ହୋଇଛି । ଗଡ଼ନାୟକଙ୍କ ପ୍ରେମ ସୁନ୍ଦର, ମହତ ଓ ମଙ୍ଗଳମୟ ତାଙ୍କ ପ୍ରଣୟ ଚେତନା ମାନସିକ ସ୍ତରର ଓ କଲ୍ୟାଣକର । ତାଙ୍କ ପ୍ରେମିକା କେତେବେଳେ ଅପରିଚିତା ତ କେତେବେଳେ ଅଶରୀରୀ ମାନସୀ ପ୍ରତିମା । ତେଣୁ ପ୍ରେମାନୁଭୂତି ସହ ସୁଦୂରର ଆକର୍ଷଣ ଓ ସ୍ୱପ୍ନ ପ୍ରବଣତା ଅଙ୍ଗାଙ୍ଗୀଭାବେ ଜଡ଼ିତ ।

 

‘କବି ହେବା ପାଇଁ ବାସନା ମୋର’ କବିତାରେ କବି କବିତା ପ୍ରେମରେ ଆତ୍ମବିଭୋର । କବିତା ତାଙ୍କର ସପନର ନୟନ ପ୍ରତିମା ଭଂଗାକୁଟୀରର ରାଜଜେମା, ବିଦଗ୍ଧ ଚେତନାର ତିଳୋତ୍ତମା । କବି କେତେବେଳେ ଅନୁଢ଼ା ତରୁଣୀର ସଲ୍ଲଜ ଚାହାଁଣିରେ ବନ୍ଦୀତ ଆଉ କେତେବେଳେ ବାରବନିତାର ଜୀବନ ଜ୍ୱାଳାରେ ଅସ୍ଥିର ଓ ଅଧିର । କବିତାର କମନୀୟ ରୂପ ଲାବଣ୍ୟକୁ କବି ନିଜର ଅନ୍ତର ଭିତରେ ଅବଲୋକନ କରିଛନ୍ତି । କବି ଯଥାର୍ଥରେ ପ୍ରକାଶ କରିଛନ୍ତି-

 

କବିତା ପରମ ପ୍ରେୟସୀ ମୋର

କବିତା ପରମ ଶ୍ରେୟସୀ ମୋର

ଅନ୍ତରେ ତାର ମୂରତି ଦେଖେ ।୬।

 

ଯେପରି ନୌକା ପ୍ରେମରେ ନାଉରୀ, ଫୁଲ ପ୍ରେମରେ ଭ୍ରମର, ମାଟି ପ୍ରେମରେ ଆକାଶ, ଉଷା ପ୍ରେମରେ ଆଲୋକ ପଡ଼ିବା ସ୍ଵାଭାବିକ ସେପରି କବିତା ପ୍ରେମରେ କବି ପଡ଼ିବା ସ୍ଵତଃସିଦ୍ଧ ।

 

ଅଚିହ୍ନା ଅତିଥି ପରି କବିତାର ଆଗମନ । କବିତାର ଆଗମନରେ ଶରୀରରେ ଖେଳିଯାଏ ଶିହରଣ, ଛାତିରେ ସୃଷ୍ଟିହୁଏ କଂପନ । ନିଜ ଭିତରେ ନିଜେ ନ ଥିଲା ପରି ଲାଗେ । ଅନ୍ୟ ଇଲାକାରେ ମନ ପକ୍ଷୀପରି ଘୂରି ବୁଲୁଥାଏ । ମେଘ କୋଳରେ ନିମିଷେ ବିଜୁଳି ଝଲକ ପରି କବିତା ଆସି କବିକୁ ବିଭୋର କରି ଚାଲିଯାଏ ! କବି ଭାଷାପାଏ ନାହିଁ କବିତାକୁ ସଙ୍ଖୋଳିବାକୁ । କବି କବିତାରେ ପ୍ରକାଶ କରିଛନ୍ତି-

 

ଅଭିମାନିନୀର ବିଷମ ରୀତି

ବୁଝି ହୁଏ ନାହଁ ତାହାରି ତିଥି

ବେଳେବେଳେ ଆସି ବିଜୁଳି ପ୍ରାଏ

ବଳେବଳେ ଧାରଣା ଅଜାଡ଼ି ଯାଏ

ରଖିବା ପାଇଁ ମୁଁ ପାଏନି ଭାଷା ।୭।

 

ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର । ପ୍ରକୃତି ଲଳନାର ଲାବଣ୍ୟରେ ସନ୍ତୁଷ୍ଟ କବି ରାଧାମୋହନ ଅଯତ୍ନବର୍ଦ୍ଧିତ ପ୍ରକୃତି ଅଙ୍ଗନର ରୂପରାଶିକୁ ଅଧିକ ମୂଲ୍ୟ ପ୍ରଦାନ କରିଛନ୍ତି । କବି ହେମ ଗୌରତନୁ କନିଅର ଫୁଲର ଢଳଢଳ ଓ ଉଷାର ଶିଶିର ସ୍ଵାନରେ ଛଳଛଳ ରୂପ ଅଙ୍କନ କରିବା ପାଇଁ ବ୍ୟାକୁଳ ନୁହଁନ୍ତିଆ ଫୁଲଟି ଯେ ତା ଅନ୍ତରରେ କେତେ ଅଭିଳାଷ ପୋଷଣ କର ବୁକୁର ବ୍ୟାକୁଳ ବେଦନାରେ ତଥା ସାଧନାଭରା ଅନ୍ତରରେ ସବୁଦିନ ସେଇପରି ଉଭା ହୋଇଛି ତାହାଦେଖି ସେ ଆତ୍ମବିଭୋର ହୋଇଛନ୍ତି । କନିଅର ଫୁଲ ପରି କବି ଅଯତ୍ନରେ ଜୀବନ ଅତିବାହିତ କରିବାକୁ ଚାହିଁଛନ୍ତି କ୍ଷଣିକଜୀବନ ପ୍ରକୃତିର ପ୍ରିୟ ପରିଚିତ କୋଳରେ ବର୍ଦ୍ଧିତ ହେବାକୁ କବି ଇଚ୍ଛା ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ

 

ସଜାଅନା ସଜନି ଗୋ ଏ ଜୀବନ ବଢ଼ୁ ଅଯତନେ

ପ୍ରକୃତିର ପ୍ରିୟକୋଳେ ପ୍ରବୃତ୍ତିର ଉନ୍ମୁକ୍ତ ଅଙ୍ଗନେ ।୮।

 

କବିଙ୍କର ବିଶୃଙ୍ଖଳିତ ବେଶ ବିନ୍ୟାସର ସଜ୍ଜୀକରଣରେ ତତ୍ପରତା ପ୍ରକାଶ କରିଥିବା କବି ପତ୍ନୀଙ୍କୁ କବି ଶୁଣାଇଛନ୍ତି ‘ସଜା ଅନା ସଜନୀ ଗୋ’ କବିତା । କବିଙ୍କର ଖିଆଲି ଭାବନା ଯୋଗୁଁ କବିପତ୍ନୀ ବହୁ ଭାବରେ ଅତ୍ୟାଚାରିତା । ସହାସ୍ୟ ବଦନରେ ଏ ଅତ୍ୟାଚାର ସହ୍ୟ କରିବା ହେତୁ କବି ନିଜ ପତ୍ନୀଙ୍କ ନିକଟରେ ଶାସ୍ତି ପାଇଁ ରସିକ ଅନୁଯୋଗ କରି ପ୍ରକାଶ କରିଛନ୍ତି । ‘ତୁମ ପାଶେ ଦୁର୍ବିସହ ମୁହିଁ ଅପରାଧି/ବକ୍ଷ କାରା କକ୍ଷେ ନିଅ ବାହୁ ପାଶେ ବାନ୍ଧି’ । କବି ପତ୍ନୀଙ୍କର ଆନ୍ତରିକତା ସ୍ନେହଶ୍ରଦ୍ଧା ଆଉ ପ୍ରେମର ସୁମଧୁର ସ୍ପର୍ଶରେ କବିଙ୍କର ତରୁଣ ହୃଦୟ ଦ୍ରବିଯାଇଛି । ପତ୍ନୀପ୍ରେମ ନିକଟରେ ପରାଜିତ କବି ମୁକ୍ତକଣ୍ଠରେ ସ୍ଵୀକାରବାଢ଼ି ପ୍ରକାଶ କରିଛନ୍ତି-

 

ସହଜ ସରଳ ତୁମରି ପ୍ରେମର ପରଶ ଲଭି ।

ଜାଗି ଉଠିଅଛି ସଂଭ୍ରମେ ମୁହଁ ତରୁଣକବି

ତୁମ ପ୍ରେମ ଆଜି ଜିଣି ଅଛି ମୋତେ ।

ସତ୍ୟ ଜାଗିଛି ମୋର ହିୟାଗତେ

ଦେଖାଉଛି ଏହି ସଂଗୋପନର ନଗ୍ନ ଛବି ।୮।

 

କବିଙ୍କ ଜୀବନରେ କବିପତ୍ନୀ ସାଜିଛନ୍ତି ପ୍ରେରଣାର ଉତ୍ସ, ଆଉ ତାଙ୍କ ତାରୁଣ୍ୟରେ ଜାଗୃତି ଭରି ଦେଇ ସେ ସାଜିଛନ୍ତି ତାଙ୍କର କାବ୍ୟନାୟିକା । ଦାମ୍ପତ୍ୟଜୀବନର ଅନୁକୂଳଧାରା ସାରସ୍ଵତ ସାଧନା କ୍ଷେତ୍ରରେ ଏକ ଉପାଦେୟ ଉପାଦାନ । ଏ ଉପାଦାନ ଯେଉଁଠି ସୁଲଭ, କବିତ୍ୱ ସେଇଠି ଗୌରବ ଶ୍ରୀମଣ୍ଡିତ କବିତାରେ କବି କେବଳ ଦାମ୍ପତ୍ୟ ଜୀବନର ଇଙ୍ଗିତ ପ୍ରଦାନ କରିନାହାଁନ୍ତି, କବି ଜୀବନରେ କବିପତ୍ନୀଙ୍କର ମୂଲ୍ୟାଙ୍କନ କରିଛନ୍ତି ।୯।

 

କବିଙ୍କର ଯଶ ଗୌରବ କବିତ୍ୱ ନିକଟରେ କବିପତ୍ନୀ ଧନ, ମାନ ଅଭାବ ଅନଟନକୁ ତୁଚ୍ଛକରି ଆପଣାକୁ ଗୌରବାନ୍ୱିତ ମନେ କରିଛନ୍ତି । ‘କବିବଧୂର ଗୌରବ’ କବିତାରେ କବି ପ୍ରକାଶ କରିଛନ୍ତି-

 

ବୁକୁରେ ମୋର ଆନନ୍ଦର ରସ

ମୁଖରେ ଫୁଟେ ପରାଣ ଖୋଲା ହସ

ଚାହେଁନି ଧନ ଚାହେଁନି ବଇଭବ

ତୁମେ ଯେ କବି ସେଇ ମୋ ଗଉରବ ।୧୦।

 

କବିଙ୍କର ଏଇ ମଧୁର ଦାମ୍ପତ୍ୟ ପ୍ରେମ ଆଦି ବାସ୍ତବ ଦୁନିଆର ରୁକ୍ଷତାର ସମ୍ମୁଖୀନ ହେଲେ ବି କବି ଦୃଷ୍ଟିରୁ ତାହା ବାଦ ଯାଇ ନାହିଁ । ଜୀବନରେ ଜୀବିକାର ମୋହନେଇ ପ୍ରେମିକ କବିର ପ୍ରବାସୀପ୍ରାଣ ଝୁରିଛି ପ୍ରାଣପ୍ରିୟାକୁ । ପୁଣି ଗୃହ ପ୍ରତ୍ୟାବର୍ତ୍ତନ କାଳୀନ ପ୍ରବାସୀ କବି ପ୍ରିୟା ସନ୍ଧ୍ୟାବତୀ ଧରି ଆସୁଥିବାର ଦୃଶ୍ୟକୁ ସରସ ସୁନ୍ଦର କାବ୍ୟରୂପ ପ୍ରଦାନ କରିଛନ୍ତି । ଦୀର୍ଘଦିନର ବିରହ ବ୍ୟବଧାନ ପରେ ପ୍ରିୟ ମିଳନର ଦୃଶ୍ୟ ଏଠି ଶାନ୍ତ ଅଥଚ ପ୍ରେମୋଚ୍ଛଳ ଓ ଆବେଗପୂର୍ଣ୍ଣ । କବି ‘ବହୁଦିନ ପରେ’ କବିତାରେ ଯଥାର୍ଥରେ ପ୍ରକାଶ କରିଛନ୍ତି :-

 

ପୂଜାରିଣୀ ମୋର, କଲ୍ୟାଣୀ ବଧୂମୋର

ସନ୍ଧ୍ୟାବତୀଟି କରେ

ଆସୁଥିଲା ଯେବେ ଶାନ୍ତ ମଧୁର ପଦେ

ତୁଳସୀ ଚଉରା ତଳେ ।୧୧।

ଦେବଦର୍ଶନାଭିଳାସୀ ଗ୍ରାମ୍ୟବାଳା ପ୍ରତି କବିଙ୍କର ସହଜାତ ଆତ୍ମିୟତା ଓ ଆକର୍ଷଣ ଦେଖାଦେଇଛି । ଗ୍ରାମ୍ୟବାଳା ତାଙ୍କର ମର୍ମବାଣୀ ବୁଝିବା ନ ବୁଝିବା ପ୍ରତି କବିଙ୍କର ଦୃଷ୍ଟି ନାହଁ, ବରଂ ତା ପ୍ରତି କବିଙ୍କ ଐକାନ୍ତିକ ଆକର୍ଷଣ ହେତୁ ତାକୁ ନିଜର ସ୍ନେହଲତା ଭାବରେ ଗ୍ରହଣ କରିଛନ୍ତି ।

 

ସେ ପଛେ ତିଳେ ନ ବୁଝୁ ମୋର ମରମ ତଳ କଥା

ସେ ପଛେ ତିଳେ ନ ବୁଝୁ ବୁକୁର ବ୍ୟାକୁଳତା

କେଜାଣି କିଆଁ ତାହାରି ଲାଗି

ଚିତ୍ତ ମାର ରହିଚି ଜାଗି

ପରାଣ ମୋର କହଇ ସଦା ସେଇ ମୋ ସ୍ନେହ ଲତା ।୧୨।

 

କବି ମାୟାଧର ମାନସିଂହଙ୍କର ‘ହେମପୁଷ୍ପ’ର ‘ଇରାନୀ କିଶୋରୀ’ ପ୍ରତି ପ୍ରଣୟାଶକ୍ତ ହେବା ଭଳି, ଗଡ଼ନାୟକଙ୍କର ‘ସେ ମୋର ସ୍ନେହ ଲତା’ କବିତାରେ ଅନୁରାଗ ସଞ୍ଚାରିତ ହେଲେ ମଧ୍ୟ ମାନସିଂହ ଚେତନାର ଉଷ୍ଣତା ଏଥିରେ ନାହିଁ, ବରଂ ଅଛି ନୈତିକ ସଂଯମ । ଆପଣା ଜୀବନର ଏକ ସ୍ମୃତି ସିକ୍ତ ଦିବସର କାବ୍ୟିକରୂପ କବିତା ‘ପୂର୍ଣ୍ଣିମାସ୍ପର୍ଶ’ । କବିଙ୍କର ବାଲ୍ୟବାନ୍ଧବୀ କୈଶୋରର ସହଚରୀ ଯୌବନର ବଧୂ ରୂପରେ ତାଙ୍କର ନିଭୃତ ସଦନରେ ପ୍ରବେଶ କରିଛନ୍ତି କବିପତ୍ନୀ; ପାଦରେ ଅଳତାର ଦାଗ, ମଥାରେ ଓଢ଼ଣା, ଆଉ ନୟନରେ ଲାଜ । କବିଙ୍କର ଚିର ପରିଚିତା ପତ୍ନୀଙ୍କର ଏଭଳି ଆଚରଣରେ ପ୍ରେମାସକ୍ତ କବି ଆଶ୍ଚର୍ଯ୍ୟ ହୋଇଛନ୍ତି । କବି କବିତାରେ ପ୍ରକାଶ କରିଛନ୍ତି :

 

କିଏ ତୁମେ ସୁନ୍ଦରି ! କିଏ ତୁମେ ଶୋଭନେ

ଅମିୟ ଲଗନେ ଆଙ୍କି ଆସିଚ ମୋ ଭବନେ

ନୟନେ ବିକଚ ଲାଜ

ବଦନେ ଓଢ଼ଣା ସାଜ

ସିନ୍ଦୂର ଲଳାମେ ଗୋ ଅଳକ୍ତ ଚରଣେ

କିଏ ତୁମେ ସୁନ୍ଦରି ! କିଏ ତୁମେ ଶୋଭନେ ।୧୩।

 

କବିମନୀଷୀ ଗୋପବନ୍ଧୁ ‘ଧର୍ମପଦ’ କାବ୍ୟରେ ଆତ୍ମିୟଙ୍କ ପ୍ରଣୟ ଚିତ୍ର ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । କବିଙ୍କ ଭାଷାରେ :

 

ନୟନେ ନୟନ            ହେଲେ ଭେଟାଭେଟି

ହେବ ପରାଣ ମିଳନ

ଯେ ଯାହାର ତାକୁ            ଲୋଡ଼େ ସେ ସହଜେ

କରିବାକୁ ଆଲିଙ୍ଗନ ।୧୪।

 

ଗୋପବନ୍ଧୁଙ୍କ ପରି ଗଡ଼ନାୟକ ଆତ୍ମିୟସ୍ଵଜନଙ୍କ ମିଳନ ଚିତ୍ରକୁ କବିତାରେ ପ୍ରକାଶ କରିଛନ୍ତି ।

 

କବିଙ୍କର ପ୍ରଣୟ ଚେତନାର ଶ୍ରେଷ୍ଠ କାବ୍ୟିକ କୃତିତ୍ୱ ବହନ କରିଛି ‘ଧୂସର ଭୂମିକା’ କବିତା ସଂକଳନର ଅନନ୍ୟ କୃତି ‘ବିବିଖାନୁନ ଓ ଶିଳ୍ପୀ’ । କବିତାର କଥାବସ୍ତୁ କବି ମନମୋହନ ମିଶ୍ରଙ୍କର ‘ପ୍ରବାସ ପଥେ’ ପୁସ୍ତିକାରୁ ଆହରଣ କରିଥିଲେ ମଧ୍ୟ ଆହରଣରେ ନୂତନତା ଓ ଅନୁକରଣରେ ମୌଳିକତା କବିଙ୍କ ଅସାଧାରଣ କବି ପ୍ରତିଭାକୁ ବଳିଷ୍ଠ ଓ କଳାତ୍ମକ କରିଛି କହିଲେ ବାର୍ତ୍ତାର ଅପଳାପ ହେବ ନାହିଁ । ପ୍ରଣୟ ଜଗତରେ ଐକାନ୍ତିକ ନିଷ୍ଠା ଓ ତ୍ୟାଗ ପ୍ରକାଶ ହେତୁ କବିତା ରୁଚିଶୀଳ ହେବା ସଙ୍ଗେ ସଙ୍ଗେ ହୋଇଛି ଏକାନ୍ତ ବଳିଷ୍ଠ ।

 

ବେଗମ୍‌ ମହଲର ସୁନ୍ଦରୀ ଶିରୋମଣି ବିବିଖାନୁନ ଥିଲେ ସମରକନ୍ଦର ସୁଲତାନ ତୈମୁରଙ୍କ ପ୍ରାଣପ୍ରିୟା । ଯୁଦ୍ଧଗତ ପତିଙ୍କ ବିଜୟବାହୁଡ଼ା ବେଳକୁ ବଉଦ ଛୁଆଁ ଏକ ସଉଧ ନିର୍ମାଣ ନିମିତ୍ତ ବିବିଖାନୁନ ନିଯୁକ୍ତ କଲେ ଏକ ଶ୍ରେଷ୍ଠ ଶିଳ୍ପୀ । ବିଜୟ ବାହୁଡ଼ା ବେଳ ନିକଟତର ହେଉଥାଏ-। ଅଥଚ ଶିଳ୍ପୀ ନିତିପ୍ରତି ଖାନୁନ୍‌ଙ୍କର ରୂପଦର୍ଶନରୁ ବଞ୍ଚିତ ହେବା ଆଶଙ୍କାରେ ମହଲ ନିର୍ମାଣ କାର୍ଯ୍ୟ ଶେଷ କରୁ ନ ଥାଏ । ବେଗମ୍‌ ଚାହିଁଲେ ଶିଳ୍ପୀକୁ ମନଲାଖି ବଧାଇ ଦେଇ ନିର୍ମାଣ କାର୍ଯ୍ୟ ଶେଷ କରାଇବେ । କବି ଶିଳ୍ପୀମନତଳର କାମନାକୁ ଯଥାର୍ଥରେ କବିତାରେ ପ୍ରକାଶ କରିଛନ୍ତି :-

 

‘‘ଦେଇ କି ପାରିବ ଗୋ ମୋ ମନତଳେ ଯାହା ଜାଗୁଚି ?

ଗୁଲାବ ଗାଲେ ତବ ଗୁଲାବ ଚୁମାଟିଏ ମାଗୁଚି ।’’

ଜଲାଲ- ମୁଖେ ଚାହିଁ ଖାନୁନ୍‌ ସତ୍ଵର

ଧୂସର କଣ୍ଠରେ କହଇ ଉତ୍ତର

ଶିଳ୍ପୀ ଦେଖୁଅଛି ଭୟଙ୍କର ତୁମ ବାସନା

କାହିଁକି ଜୀବନରେ ଚାହୁଁଚ ମରଣର ଯାତନା ? ।୧୫।

 

ଏ ଏକ ଭୟଙ୍କର ଭାବନା । ତଥାପି ଶିଳ୍ପୀ ତାହା ପାଇଛି ଏବଂ ଯଥା ସମୟରେ ମହଲ ନିର୍ମାଣକାର୍ଯ୍ୟ ଶେଷ କରିଛି । ବିଜୟ ବୈଜୟନ୍ତୀ ସହ ଫେରିଆସି ସୁଲତାନ ତୈମୁର ଉକ୍ତ ମହଲରେ ଖାନୁନ ବିବି ତୁଲେ ଯାମିନୀ ବାଞ୍ଚିଲେ ସରସେ । କିନ୍ତୁ ଏ କ’ଣ ? ବେଗମ୍‌ଙ୍କ ଗୁଲାବ ଗାଲରେ ଏକ କଳା ଦାଗ କାହୁଁ ଆସିଲା ? କବି ଚମତ୍କାର ଭାବରେ କବିତାରେ ପ୍ରକାଶ କରିଛନ୍ତି :

 

ନିଖୁଣ ଗାଲେ ତବ ନ ଥିଲା ନଥିଲା ତ ଏମିତି

ଦନ୍ତ ଆଘାତର କୃଷ୍ଣ ଚାପ ଦେଲା କିମିତି ? ।୧୬।

 

ବେଗମଙ୍କ ପକ୍ଷେ ପ୍ରକୃତ ଘଟଣା ଲୁଚାଇ ରଖିବା ସମ୍ଭବ ହେଲା ନାହିଁ । ସବୁ ଜାଣିସାରି ବାଦ୍‌ଶାହା ଉଭୟଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା କଲେ । କିନ୍ତୁ ଶିଳ୍ପୀର ଶେଷ ଇଚ୍ଛା ପୂରଣ ନିମିତ୍ତ ସ୍ଵୟଂ ତୈମୁରଙ୍କ ଦ୍ଵାରା ମଞ୍ଜୁରପ୍ରାପ୍ତ ତମ୍ବୁରା ରାଗିଣୀ ଶ୍ରବଣର ଅବକାଶରେ ଶିଳ୍ପୀ ‘ସଉଧ ଶିଖରକୁ ଉଠି ଅଦୃଶ୍ୟ ହୋଇଯାଇଛି ଏବଂ ହୀରକମୁଦି ଶୋଷି ବିବି ଖାନୁନ୍‌ ନିଜକୁ ନିଃଶେଷ କରି ଦେଇଛନ୍ତି । ପ୍ରେମ ପ୍ରଗଳଭ ଦୁଇଟି ନିରୀହ ପକ୍ଷୀ ଶାବକକୁ ଶକ୍ତିଶାଳୀ ସୁଲତାନ ମଧ୍ୟ ଦଣ୍ଡବିଧାନ କରିପାରି ନାହାନ୍ତି ।

 

‘ବିଜୟିନୀ’ ଓ ‘କବି ବଧୂର ଗୌରବ’ କବିତା ଦ୍ଵୟରେ ପାରିବାରିକ ସ୍ଥିତିରେ ନାରୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ପ୍ରକାଶିତ । ସ୍ୱାମୀର ଗୌରବରେ ସ୍ତ୍ରୀ ଗରବିଣୀ, ସ୍ୱାମୀର ଧର୍ମରେ ସ୍ତ୍ରୀ ସହଧର୍ମିଣୀ, ପୁଣି ସ୍ଵାମୀ ଆଦର୍ଶକୁ ଏଇ ନାରୀ ଗଣ୍ଠିଧନ କରି ସବୁକିଛି ବିସ୍ମୃତ ହୁଏ । ନାରୀପ୍ରେମର ଲଳିତ ସ୍ପର୍ଶ ପାଇ ପୁରୁଷର ସମସ୍ତ ରୁକ୍ଷତା ମଧ୍ୟ ହ୍ରାସପାଏ । ସୃଷ୍ଟିର ପୂର୍ଣ୍ଣତା ପାଇଁ ନାରୀର ଆବଶ୍ୟକତା ଅପରିହାର୍ଯ୍ୟ । ନାରୀ ପୁରୁଷ ପରସ୍ପର ପରିପୂରକ ।୧୭।

 

କବିଙ୍କ ପ୍ରେମାନୁଭୂତି ସହ ସୁଦୂରର ଆକର୍ଷଣ ଓ ସ୍ଵପ୍ନ ପ୍ରବଣତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ-। ଅବାସ୍ତବ ପ୍ରେମ ପ୍ରତିମା କବିଙ୍କୁ ସ୍ଵପ୍ନରେ ଦୃଶ୍ୟ ହୁଏ, ଜୀବନର ଅଭିସାର ପଥରେ ତାର ବିଚିତ୍ର ରଙ୍ଗ ବିଳାସ କବିଙ୍କୁ ମୁଗ୍‌ଧ କରିଛି । ‘ବିଚିତ୍ରା’ କବିତାରେ କବି ଯଥାର୍ଥରେ ପ୍ରକାଶ କରିଛନ୍ତି :

 

ସ୍ଵପ୍ନମୟୀ ହେ ମୋର ସଙ୍ଗିନୀ

ଜୀବନର ଅଭିସାର ପଥେ ତୁମେ ମୋର ବିଚିତ୍ର ରଙ୍ଗିଣୀ

ସାରାବିଶ୍ଵ ମଗ୍ନ ଯେବେ ତନ୍ଦ୍ରାର ଆବେଶେ

ଧରାଦେଶେ

ତୁମେ ଯେବେ ସ୍ଵପ୍ନେ ଆସ

ରଚି ତବ ବିନିତ୍ର ବିଳାସ ।୧୮।

 

ପବନ ସଂଚରଣ ସହିତ ସମୁଦ୍ର ଲହରୀର, ମେଘକନ୍ୟା ସହ ମାଟିର, ପଦ୍ମସହ ସୂର୍ଯ୍ୟର ମହିମାମୟ କଲ୍ୟାଣକର ପ୍ରେମକୁ କବି ସ୍ଵୀକାର କରିଛନ୍ତି । ପ୍ରେମ ସର୍ବଦା ମଙ୍ଗଳ ଓ କଲ୍ୟାଣକୁ ସ୍ଵାଗତ କରେ ଏଇ ବିଶ୍ୱାସରେ ସେ ମେଘକନ୍ୟାସହ ମାଟିର ମିଳନକୁ କବିତାରେ କବି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । କବିଙ୍କ ଭାଷାରେ-

 

ଏତେଦିନେ ମାନିନୀ ଗୋ, ଏତେଦିନେ ଆସି

ମାଟିର ଛାତିରେ ତୁମେ ପଡ଼ିଅଛ ଝାସି

ଅସହ ବିରହ ପରେ

ମେଘ କନ୍ୟା, ଆଗୋ ମେଘକନ୍ୟା

ଆଣିଅଛ ମିଳନର ମଲ୍ଲାର ରାଗିଣୀ

ଆଣିଅଛ ପ୍ରଣୟର ବନ୍ୟା ।୧୯।

 

ପ୍ରୀତିର ସ୍ଵରୂପ ନିର୍ଦ୍ଦେଶ କରିବାକୁ ଯାଇ ପ୍ରାଣର ପରିପୂର୍ଣ୍ଣତାକୁ କବି ସ୍ଵୀକାର କରିଛନ୍ତି ଓ ଏହି ପରିପୂର୍ଣ୍ଣର ଭାଷା ହିଁ ନୀରବତାରେ ଅଧିକ ପ୍ରକଟିତ ହୋଇଛି । ‘ପ୍ରୀତିର କଥା’ କବିତାରେ କବି ପ୍ରକାଶ କରିଛନ୍ତି -

 

ମୁଖରତା ସଖି, ଶୂନ୍ୟ ପ୍ରୀତିର ମାୟା

ନୀରବତା ସିନା ପୂର୍ଣ୍ଣ ପ୍ରୀତିର ଛାୟା ।୨୦।

 

ପ୍ରେମାନୁଭୂତି ଗଡ଼ନାୟକଙ୍କ କବିତାର ଅନ୍ତର୍ନିହିତ ଆବେଗ ହେଲେ ବି ଏହା ଏତେ ଉଗ୍ର ନୁହେଁ । -ଏହା ଶାନ୍ତ ସମାହିତ ଓ ବେଳେବେଳେ ଅନ୍ତସଲିଳା ଫଲ୍‌ଗୁ ପରି ନୀରବ ଅଥଚ ପ୍ରଖର ପ୍ରବାହଶୀଳ ।୨୧।

 

ପ୍ରତ୍ୟେକ ସଫଳ ମଣିଷ ପଛରେ ଜଣେ ନାରୀର ପ୍ରଚ୍ଛନ ହାତ ଥାଏ । ଇଂରାଜୀରେ ଗୋଟିଏ ପ୍ରବାଦ ଅଛି : ‘Every successful man behind a woman’ ଯୌବନର ପ୍ରେମିକା ସୌଭାଗ୍ୟକ୍ରମେ କବିଙ୍କ ପତ୍ନୀ ହୋଇଯାଇଛନ୍ତି । ପତ୍ନୀଙ୍କ ଉତ୍ସାହ କବିଙ୍କ ସାହିତ୍ୟିକ ଜୀବନକୁ ରୁଦ୍ଧିମନ୍ତ କରିବା ସଙ୍ଗେ ସଙ୍ଗେ ପାରିବାରିକ ଜୀବନକୁ ମଧୁମୟ କରି ଗଢ଼ି ତୋଳିଛି । ଅଭାବ ଅନଟନ ଭିତରେ କବି କେତେବେଳେ ଅଶ୍ରୁବର୍ଷଣ କରିଛନ୍ତି ତ ଆଉ କେତେବେଳେ ସାଂସାରିକ ଜୀବନର ଦୁଃଖ ଯନ୍ତ୍ରଣାକୁ ନୀଳକଣ୍ଠଙ୍କ ପରି ଆକଣ୍ଠ ଚିତରେ ପାନ କରିଛନ୍ତି । ଭିତରେ କାନ୍ଦୁଚି ବାହାରେ ହସୁଚି ଏହି ମୋର ପରିଚୟ ନ୍ୟାୟରେ କବି କୌଣସି ବାହ୍ୟଜଗତର ଅବଶୋଷ ଅସନ୍ତୋଷକୁ ପତ୍ନୀଙ୍କ ନିକଟରେ ପ୍ରକାଶ କରନ୍ତି ନାହଁ । କବି ଜଣେ ସାର୍ଥକ ପ୍ରେମିକ ଭାବରେ ନିଜକୁ କବିତାରେ ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ :

 

ମୋ ଦୁଃଖ ଜାଣିଲେ ଅନ୍ତର ତବ

ବାଧିବ ବୋଲି

ଜୀବନର ମୋର ସକଳ କାହାଣୀ

କହେନି ଖୋଲି ।୨୨।

 

ଶୁଖିଲା ମୁହଁରେ ହସ ଫୁଟାଇ, ସବୁ ପରାଜୟକୁ ବିଜୟଭାବି ପାରିବାରିକ ଜୀବନରେ କବି ଅବସ୍ଥାନ କରିଛନ୍ତି । ପତନକୁ ଉତ୍‌ଥାନ, ବିଷାଦକୁ ଆହ୍ଳାଦ, ବିଷର୍ଣ୍ଣକୁ ବିଳାସ, ଉପହାସକୁ ଉପହାର ଯନ୍ତ୍ରଣାକୁ ଜୀବନ ଭାବି ସମାଜରୂପକ ରଙ୍ଗମଞ୍ଚରେ ଅଭିନୟ କରିଛନ୍ତି । ପତ୍ନୀଙ୍କର ପ୍ରଣୟ ପରଶ ପାଇ କବି ସାରସ୍ଵତ ସାଧନାରେ ମଗ୍ନ ହୋଇଛନ୍ତି । ବିପଦ ଆପଦରେ ସତ୍ୟପଥରୁ କବି ବିବ୍ୟୁତି ହୋଇନାହାଁନ୍ତି । ଅନନ୍ତ ଅମଳିନ ପତ୍ନୀ ପ୍ରେମ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ଵରଉତ୍ତୋଳନ କରିବା ପାଇଁ କବିଙ୍କୁ ଅସୀମ ଧୈର୍ଯ୍ୟ ଅମାପଶକ୍ତି ପ୍ରଦାନ କରିଛି । କବି ଗଡ଼ନାୟକ ବିନାଦ୍ୱିଧାରେ ପ୍ରକାଶ କରିଛନ୍ତି ।

 

ସହଜ ସରଳ ତୁମରି ପ୍ରେମର ପରଶ ଲଭି

ଜାଗି ଉଠିଅଛି ସଂଭ୍ରମେ ମୁହଁ ତରୁଣ କବି

ତୁମ ପ୍ରେମ ଆଜି ଜିଣି ଅଛି ମତେ

ସତ୍ୟ ଜାଗିଚି ମୋର ହିୟାଗତେ

ଦେଖାଉଚି ଏଇ ସଂଗୋପନର ନଗ୍ନଛବି

ସହଜ ସରଳ ତୁମରି ପ୍ରେମର ପରଶ ଲଭି ।୨୩।

 

କବି ଗଡ଼ନାୟକଙ୍କ ପରି ମାୟାଧର ମାନସିଂହଙ୍କ ପ୍ରେମ ବିଦେହ ଅପେକ୍ଷା ଅଧକ ଦେହାଶ୍ରୟୀ, ସ୍ପର୍ଶ- ପ୍ରବଣ ଓ ସମ୍ଭୋଗକାମୀ ହୋଇଥିବାର ପରିଦୃଷ୍ଟ ହୁଏ । ତାଙ୍କ ପ୍ରେମୋପଲବ୍‌ଧି ଚିରନ୍ତନତାର ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରି ନାହଁ ।୨୪। ଏହି ଶରୀର ସ୍ପୃହା ‘ଧୂପ’ରେ ସଙ୍କଳିତ କବିତାଗୁଡ଼ିକରେ ଉଗ୍ର ଭାବେ ପ୍ରକାଶ ଲାଭ କରିଛି । ଦେହର ଆକର୍ଷଣକୁ ଏଡ଼ାଇ ପାରି ନ ଥିବାର କବି ଜରାଗ୍ରସ୍ତ ଦେହ ମନରେ ପ୍ରେମ ଆଉ ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି । ପ୍ରଣୟୀ ପାଇଁ ପୃଥିବୀକୁ ସେ ବାରମ୍ବାର ଫେରି ଆସିବାକୁ ଚାହିଁଛନ୍ତି । ପୃଥିବୀର ଗୋଟିଏ ମାତ୍ର ଆକର୍ଷଣ ରହିଛି ତାଙ୍କ ପାଇଁ ମୁଗ୍‌ଧା କିଶୋରୀର ପ୍ରେମ ଓ ଲାଜମିଶା ମଧୁର ଚାହାଣୀ । ‘ଧରାବତରଣ’ରେ କବି ଯଥାର୍ଥରେ ପ୍ରକାଶ କରିଛନ୍ତି -

 

ସବୁଯାଇ ରହିଯାଏ କେବଳ ସେକେମନ୍ତେ କେଜାଣି

ମୁଗ୍‌ଧା ଏକ କିଶୋରୀର ଲାଜପ୍ରେମ ମଧୁର ଚାହାଁଣି

ନିଷ୍ପାପ ସେ ସ୍ଵପ୍ନମୟ ରସମୟ, ବିମଳ ଦି’ ଆଖି

ପ୍ରାଣର ବି ବାତାୟନ, ଅନ୍ତରର ସତ୍ୟ- ବାହି ସାକ୍ଷୀ

ପାଇବାକୁ ସେ ଦୁଇର ପରିପୂର୍ଣ୍ଣ ଆତ୍ମ ସମର୍ପଣ ।

ହେ ସଖି, କରୁଛି ମୁଁ କି ଜନ୍ମେ ଜନ୍ମେ ଧରାବତରଣ ।୨୫।

 

କବି ଗଡ଼ନାୟକଙ୍କ ଗୀତିକବିତାରେ ପ୍ରେମ ପ୍ରଣୟର ସ୍ଵର ଓ ସ୍ଵରୂପ ଗୌଣ । ସମୟେ ସମୟେ କବିଙ୍କ ବ୍ୟକ୍ତିଗତ ପ୍ରେମଭାବନା ଏଥିରେ ଲଘୁପକ୍ଷ ବିସ୍ତାର କଗି ବିଳସିତ ହୋଇଥିଲେ ହେଁ, ସାହିତ୍ୟରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିପାରି ନାହଁ । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ କବିଙ୍କର ସମସାମୟିକ ସବୁଜ କବିଗୋଷ୍ଠୀ ପ୍ରେମ ପ୍ରଣୟର ମାଙ୍ଗଳିକ ଗାନରେ ଯେତେବେଳେ ଆକାଶପବନ ମୁଖରିତ କରିଛନ୍ତି କବି ମାୟାଧର ମାନସିଂହ ପ୍ରେମ ପ୍ରଣୟର ଇନ୍ଦ୍ରଧନୁ ସର୍ଜନା କରି ଓଡ଼ିଆ ସାହିତ୍ୟରେ ଯେତେବେଳେ ଯଶସ୍ୱୀ, ହୋଇ ଉଠିଛନ୍ତି, ସେତେବେଳେ କବି ଗଡ଼ନାୟକ ବ୍ରହ୍ମଚାରୀ ପର ନିରୂପିତ ଦୂରତ୍ୱରେ ରହି ସାଧନା ପଥରେ ଅଗ୍ରସର ହୋଇଛନ୍ତି । କବିତାରେ ପ୍ରଣୟ ଚେତନା ଖୁବ୍‌ ସଂଜତ ଓ ମାର୍ଜିତ ।୨୬।

 

କବିଙ୍କର ପ୍ରେମ ଓ ପ୍ରଣୟର ବର୍ଣ୍ଣନା କେଉଁଠାରେ ସତ୍ୟର ଅପଳାପ କରିନାହିଁ । ସୌନ୍ଦର୍ଯ୍ୟ ପିପାସୁ କବିଚିତ୍ତ ସୌନ୍ଦର୍ଯ୍ୟ ଭିତରେ ପବିତ୍ରତାର ଧାରା ସନ୍ଦର୍ଶନ କରିଛି । କବି ‘ଶ୍ରୀ’ ରାଜ୍ୟରେ ସୁମଧୁର ‘ହ୍ରୀ’ର ସ୍ପର୍ଶ ଏବଂ ଏଥିରୁ ସୃଷ୍ଟ ସୁନ୍ଦର ସରସତାକୁ ଅତି ଆଦରଣୀୟ ମନେ କରିଛନ୍ତି । ଅରୁଣ ତରୁଣ କବି ବକ୍ଷରେ ସଖୀଙ୍କର ଲୀଳାୟିତ ଭଙ୍ଗୀ, ଚୋରା ଚାହାଁଣୀ ଯେଉଁ ସରସଭାବ ସଂଚାର କରିଛି ତାହା କେବଳ ସୌନ୍ଦର୍ଯ୍ୟ ସହିତ ଲଜ୍ଜାର ଅପୂର୍ବ ମିଳନ ଯୋଗୁଁ ସମ୍ଭବ ହୋଇଛି । ବିଚ୍ଛେଦରେ ପ୍ରଣୟାନୁରାଗ ଅଧିକ ନିବିଡ଼ ହୁଏ, ପରସ୍ପର ହୃଦୟରେ ପ୍ରଜ୍ଜ୍ୱଳିତ ବିଚ୍ଛେଦାନଳ ଅସହ୍ୟ ହୁଏ । ପ୍ରବାସରେ ଥାଇ ପ୍ରିୟ ପ୍ରିୟା ପାଖକୁ ପେଉଁ ସନ୍ଦେଶ ପ୍ରେରଣ କରେ, ତାହା ବିକଳ କାତର ପ୍ରେମ ଯନ୍ତ୍ରଣାର ଅଂଶମାତ୍ର । ପ୍ରବାସୀ କବିଙ୍କ ନିକଟକୁ ମଳୟ ହାତରେ କବିପ୍ରିୟା ପଠାଇଥିବା ସନ୍ଦେଶ ଲୁବ୍‌ଧ ମଳୟର ରଙ୍ଗରେ କବି ଅଙ୍ଗରେ ମାଖି ହୋଇଯାଇଛି । ତେବେ ବରିହୀ କବିଙ୍କୁ ଅଧିକ ଯନ୍ତ୍ରଣା ଦେବାକୁ ବସନ୍ତ ତା’ର ସାଥୀ ସହଚର ଧରି ବୋଧହୁଏ ଉପଗତ ହୋଇଛି । ଜୋଛନା-ଯାମିନୀ- ଗୋରୀ କବିଙ୍କୁ ବିବ୍ରତ କରିଛି । କବିଙ୍କ ଭାଷାରେ -

 

ନୀଳ-ବାସ - ଖୋଲା ପ୍ରିୟା- ତନୁ ଆଭା ନୟନେ ଦେଖିଚି ବୋଲି ।

ଖସାଇ ତମସା- ଅଞ୍ଚଳ

ଆସିଚି ଆଜିରେ ଉଚ୍ଛଳ

ଜୋଛନା-ଯାମିନୀ ଗୋରୀ ।୨୭।

 

ତାରାଫୁଲ ମଧୁଶଯ୍ୟାରେ ରଚନା କରି ଲଜ୍ଜାରେ ହସି ଦେଇଛି, ଯାହା କବି ହୃଦୟରେ ଗଭୀର ରେଖାପାତ କରିଛି । ଏଠାରେ ବସନ୍ତ ଋତୁରେ ବିରହୀ ହୃଦୟର ରୂପଚିତ୍ର ପ୍ରକାଶ ପାଇଛି-। ପ୍ରେମମୟୀ ସ୍ଵର୍ଗବାଳା ବର୍ଷାରାଣୀର ଆଗମନରେ କବି ଉଲ୍ଲସିତ ହୋଇ ଉଠିଛନ୍ତି । କାହା ଆବେଶରେ ରସି ଆକାଶ ଆସନରେ ବସି ଯେଉଁ ଧାରା ଢାଳିଦିଏ ବର୍ଷାରାଣୀ, ତାହା ତାଙ୍କ ଅପାଙ୍ଗକୁ ଆର୍ଦ କରିବା ସଙ୍ଗେ ସଙ୍ଗେ ଅଙ୍ଗବାସକୁ ଜଡ଼ାଇ ଦିଏ । କାହାପ୍ରୀତିରେ ମାତି ପୁଲକିତ ଅନ୍ତରରେ ବିଜୁଳି-ଜାଗର ଜାଳି ମୁର୍ହୁମୁର୍ହୁ ପବନ ପ୍ରବାହରେ ଲିଭିଯାଉଥିଲେ ବି ପୁଣି ଦୀପାଳି ଜାଳି ଅଭିସାରିକା ସାଜେ । ବଜ୍ରର ନିଦାରୁଣ ଶବ୍ଦରେ ସୁନ୍ଦରୀ ତନ୍ମୟୀର ବକ୍ଷରେ କମ୍ପନ ସୃଷ୍ଟିହୁଏ । କବି ଶେଷରେ ପ୍ରୀତିପାଳଗିନୀ, ପ୍ରୀତିର ସାଧିକା ବର୍ଷାକୁ ଯମୁନା କୂଳରେ ଅପେକ୍ଷାମାଣା ରାଧିକା ସହ ତୁଳନା କରିଛନ୍ତି । କବିଙ୍କ ଭାଷାରେ :

 

କବି କଳ୍ପନା ବଳେ

ଭାବୁଅଛି ହିୟା ତଳେ

ଅୟି ତୁମେ ପୀରତିର ସାଧିକା

ବିଶ୍ୱ-ଯମୁନା-ତୀରେ

କୃଷ୍ଣ-ବିରହ-ନୀରେ

ଭାସୁଅଛି କିଗୋ କାର ରାଧକା ? ।୨୮।

 

‘ପୃଥ୍ୱିରାଜ ପ୍ରତି ସଂଯୁକ୍ତା ଓ ‘ଗୋପବାଳାର କୃଷ୍ଣ’ କବିତାରେ ନାରୀ ତାର ପ୍ରିୟତମ ପ୍ରତି ପ୍ରଣୟ ବିଭୋର ହୋଇଛି । ମିଳନ ପାଇଁ ତା’ର ଶରୀରରେ ଉତ୍କଣ୍ଠା ଜାଗି ଉଠିଛି । ପ୍ରେମାନୁଭୂତିକୁ ମାନସିକ ସ୍ତରରେ ସ୍ଵୀକୃତି ଦେଲେ ହେଁ କବି ଶାରୀରିକ ମିଳନର ଉତ୍କଣ୍ଠାକୁ ଅସ୍ଵୀକାର କରି ନାହାନ୍ତି ବୋଲି ସ୍ଵୀକାର କରିବାକୁ ହେବ । କବିଙ୍କ ଭାଷାରେ :

 

ସଂଯୁକ୍ତା ମୁଁ ଜଡ଼ିତ ହେବି

ଦୟିତ ମେଘରେ ତଡ଼ିତ ପରି

ପକ୍ଷୀରାଜରେ ଉଡ଼ିଲାବେଳେ

କିଏ ସେ ଆମକୁ ପାରିବ ଧରି ।୨୯।

 

ଛନ୍ଦରସିକ ବି ଗଡ଼ନାୟକ ଶବ୍ଦର ଯାଦୁକର, ପ୍ରଣୟର ସୂତ୍ରଧର, ଶୈଳୀର ସବ୍ୟସାଚୀ ଓ ଗାଥାର ଗୌଣିକ । ଇତିହାସ ଓ ପୁରାଣ କଥାବସ୍ତୁରେ ନୂତନତା ସୃଷ୍ଟିକରି କାବ୍ୟରୂପ ଦେବାରେ ଜଣେ ଧୂରୀଣ ଧୂର୍ଜଟୀ । ଅନନ୍ୟ ଅନୁବାଦକ ଭାବରେ ସେ ଯେପରି ସର୍ବବାଦୀସମ୍ମତ ଉଚ୍ଚକୋଟୀର ପ୍ରାବନ୍ଧିକ ଭାବରେ ସେପରି ସ୍ଵନାମଧନ୍ୟ । ଛନ୍ଦୋବଦ୍ଧ କବିତାର ଅମର ସ୍ରଷ୍ଟା ସାର୍ଥକ ଶିଳ୍ପୀ ଭାବରେ ଗଡ଼ନାୟକଙ୍କ ନାମ ଦେଦୀପ୍ୟାମାନ । ସୃଷ୍ଟି ଦୃଷ୍ଟିର ଅନ୍ତରାଳରେ ସେ ଜଣେ ମହିମ୍ନ ମହାନାୟକ ଓ ଶବ୍ଦର ସ୍ଥପତି । ସୃଷ୍ଟିର ସୌଷ୍ଠବ ପାଠକକୁ ଯେପରି ମନ୍ତ୍ର ମୁଗ୍ଧ କରିଛି ସେପରି ପ୍ରଣୟଚିତ୍ର ହୃଦୟରେ ପ୍ରେମ ଭାବ ଉଦ୍ରେକ କରିଛି ।

 

ଅଧ୍ୟାପକ, ଓଡ଼ିଶା ଭାଷା ସାହିତ୍ୟ ବିଭାଗ

ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର

 

ସହାୟକ ଗ୍ରନ୍ଥ : ସଂକେତସୂଚୀ

୧.

ଡକ୍ଟର ଅଜୟ କୁମାର ମିଶ୍ର : ରାଧାମୋହନ ଗଡ଼ନାୟକଙ୍କ କାବ୍ୟମାନସ ପୃଷ୍ଠା : ୪୯ । ପ୍ରଥମ ପ୍ରକାଶ : ୧୯୯୩, ପ୍ରକାଶକ : ବୁକ୍‌ସ ଏଣ୍ଡ ବୁକ୍‌ସ : ବିନୋଦବିହାରୀ, କଟକ- ୨ ।

୨.

ଡକ୍ଟର ବୈଷ୍ଣବ ଚରଣ ସାମଲ : ବିଷାଦ ବଉଦର ନିଦ ଏକ ଅନ୍ତର୍ଦୃଷ୍ଟି । ପୃଷ୍ଠା- ୧ । ବିଷାଦ ବଉଦର ନିଦ : ଭାଗୀରଥି ସାହୁ : ପ୍ରଥମ ପ୍ରକାଶ : ୧୯୭୬ । ପ୍ରକାଶକ : ବିଶ୍ୱମୁକ୍ତି ପବ୍ଲିକେଶନ୍‌ସ : ବାଲୁଗାଁ, ପୁରୀ, ଓଡ଼ିଶା ।

୩.

ଅଧ୍ୟାପକ ମେଘନାଦ ପ୍ରଧାନ : କବି ଗଡ଼ନାୟକଙ୍କ ଚେତନା ଦିଗ୍‌ବଳୟ : ପୃଷ୍ଠା : ୫୯ ଗଡ଼ନାୟକ ପରିକ୍ରମା : ସଂପାଦକ : କମଳଲୋଚନ ମହାନ୍ତି, ପ୍ରକାଶକାଳ : ୧୯୮୧ ପ୍ରକାଶକ : ଏକାମ୍ର ଥିଏଟର୍ସ : ୨୦୯୭, ରାମେଶ୍ୱର ପାଟଣା : ଭୁବନେଶ୍ୱର-୨ ।

୪.

ଶ୍ରୀ ରବୀନ୍ଦ୍ରନାଥ ସିଂହ, ଶ୍ରୀ ବଜ୍ରନାଥ ରଥ : ସମସାମୟିକ ଓଡ଼ିଆ ପ୍ରେମ କବିତା : ପୃଷ୍ଠା - ଙ; ପ୍ରକାଶକ : ଦାସବ୍ରଦର୍ସ, ପ୍ରକାଶକାଳ : ୧୯୬୨ ।

୫.

ଡକ୍ଟର ଅରୁଣା ମହାନ୍ତି : ସଚ୍ଚି ରାଉତରାୟଙ୍କ କବିତାରେ ନାରୀ, ପୃଷା - ୧୧, ପ୍ରକାଶ କାଳ : ୧୯୯୫, ପ୍ରକାଶକ : ଓଡ଼ିଶା ବୁକ୍‍ଷ୍ଟୋର, ବିନୋଦବିହାରୀ, କଟକ-୨ ।

୬.

ଗଡ଼ନାୟକ ଗ୍ରନ୍ଥାବଳୀ : କବି ହେବା ପାଇଁ ବାସନା ମୋର, ପୃଷ୍ଠା - ୯୫, ପ୍ରକାଶ କାଳ : ୨୦୦୭, ପ୍ରକାଶକ: ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ- ୨ ।

୭.

ତତୈବ, ପୃଷ୍ଠା : ୯୫ ।

୮.

ତତ୍ରୈବ, ପୃଷ୍ଠା : ୧୦୬ ।

୯.

ନରହରି ଉପାଧାୟ : କବିତା କବି ପ୍ରାଣର ପ୍ରତିକୃତି, ପୃଷ୍ଠା : ୩୩ ଗଡ଼ନାୟକ ପରିକ୍ରମା, ପ୍ରଥମ ପ୍ରକାଶ : ୧୯୮୧ ପ୍ରକାଶକ : ଏକାମ୍ର ଥିଏଟର୍ସ : ୨୦୯୭, ରାମେଶ୍ୱର ପାଟଣା, ଭୁବନେଶ୍ୱର-୨ ।

୧୦.

ଗଡ଼ନାୟକ ଗ୍ରନ୍ଥାବଳୀ : କବିବଧୂର ଗୌରବ, ପୃଷ୍ଠା - ୧୩୧, ପ୍ରକାଶକାଳ : ୨୦୦୭, ପ୍ରକାଶକ : ଗ୍ରନ୍ଥମନ୍ଦିର ବିନୋଦ ବିହାରୀ, କଟକ - ୨ ।

୧୧.

ତତ୍ରୈବ, ପୃଷ୍ଠା : ୧୫୭ ।

୧୨.

ତତ୍ରୈବ, ପୃଷ୍ଠା : ୧୬୬ ।

୧୩.

ତତ୍ରୈବ, ପୃଷ୍ଠା : ୧୩୯ ।

୧୪.

ଗୋପବନ୍ଧୁ ଦାସ, ଧର୍ମପଦ, ପୃଷ୍ଠା- ୧୩, ପ୍ରଥମ ପ୍ରକାଶ : ୧୯୯୪, ପ୍ରକାଶକ : ଫ୍ରେଣ୍ତସ ପବ୍ଲିଶର୍ସ, ବିନୋଦବିହାରୀ, କଟକ ୨ ।

୧୫.

ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ଵିତୀୟ ଭାଗ, ବିବିଖାନୁନ୍‌ ଓ ଶିଳ୍ପୀ : ପୃଷ୍ଠା - ୭ : ପ୍ରକାଶକାଳ : ୨୦୦୭, ପ୍ରକାଶକ : ଗ୍ରନ୍ଥମନ୍ଦିର ବିନୋଦ ବିହାରୀ, କଟକ- ୨ ।

୧୬.

ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟ ଭାଗ, ବିବିଖାନୁନ୍‌ ଓ ଶିଳ୍ପୀ : ପୃଷ୍ଠା-୭ : ପ୍ରକାଶ କାଳ : ୨୦୦୧, ପ୍ରକାଶକ : ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ- ୨ ।

୧୭.

ଡକ୍ଟର ଅଜୟ କୁମାର ମିଶ୍ର : ରାଧାମୋହନ ଗଡ଼ନାୟକଙ୍କ କାବ୍ୟମାନସ, ପୃଷ୍ଠା - ୧୯୫, ପ୍ରକାଶ କାଳ : ୧୯୯୩, ପ୍ରକାଶକ : ବୁକ୍‌ସ ଏଣ୍ଡ ବୁକ୍‌ସ, ବିନୋଦ ବିହାରୀ, କଟକ ୨ ।

୧୮.

ଗଡ଼ନାୟକ ଗ୍ରନ୍ଥାବଳୀ, ପ୍ରଥମ ଭାଗ, ବିଚିତ୍ରା, ପୃଷା - ୧୬୯, ପ୍ରକାଶ କାଳ : ୨୦୦୭, ପ୍ରକାଶକ- ଗ୍ରନ୍ଥମନ୍ଦିର ବିନୋଦବିହାରୀ, କଟକ ।

୧୯.

ଗଡ଼ନାୟକ ଗ୍ରନ୍ଥାବଳୀ : ଦ୍ୱିତୀୟଭାଗ, ମେଘକନ୍ୟାର ମାନଭଞ୍ଜନ ପୃଷ୍ଠା : ୧୫୨ ପ୍ରକାଶ କାଳ- ୨୦୦୧ ପ୍ରକାଶକ : ଗ୍ରନ୍ଥମନ୍ଦିର ବିନୋଦ ବିହାରୀ କଟକ ୨ ।

୨୦.

ତତ୍ରୈବ, ପୃଷ୍ଠା : ୩୮୪ ।

୨୧.

ଡକ୍ଟର ନିତ୍ୟାନନ୍ଦ ଶତପଥୀ : ସବୁଜର ସାଂପ୍ରତିକ, ପୃଷ୍ଠା : ୧୪୮, ପ୍ରକାଶକାଳ : ୧୯୬୯, ପ୍ରକାଶକ : ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ, କଟକ ।

୨୨.

ଗଡ଼ନାୟକ ଗ୍ରନ୍ଥାବଳୀ : ପ୍ରଥମ ଭାଗ, ପୃଷ୍ଠା - ୧୨୯, ପ୍ରକାଶକାଳ : ୨୦୦୭, ପ୍ରକାଶକ : ଗ୍ରନ୍ଥମନ୍ଦିର ବିନୋଦ ବିହାରୀ, କଟକ ।

୨୩.

ତତ୍ରୈବ, ପୃଷ୍ଠା : ୧୩୦ ।

୨୪.

ଡକ୍ଟର ପ୍ରତିଭା ଶତପଥୀ : କଳନାର ଅଭିଷେକ : ପୃଷ୍ଠା - ୨୭୩ ପ୍ରକାଶ କାଳ : ୧୯୮୨, ପ୍ରକାଶକ : ଓଡ଼ିଶା ବୁକ୍‌ ଷ୍ଟୋର, ବିନୋଦ ବିହାରୀ, କଟକ-୨ ।

୨୫.

ମାନସିଂହ ଗ୍ରନ୍ଥାବଳୀ : ହେମଶସ୍ୟ : ଧରାବତରଣ : ପୃଷ୍ଠା - ୧୬୬, ପ୍ରକାଶକାଳ : ୧ ୯୯୪, ପ୍ରକାଶକ : ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ : ୨ ।

୨୬.

ଡକ୍ଟର ନିଶାମଣି ସ୍ଵାଇଁ : ଓଡ଼ିଆ କାବ୍ୟ ସାହିତ୍ୟକୁ ଶ୍ରୀ ଗଡ଼ନାୟକଙ୍କ ଅବଦାନ : ପୃଷ୍ଠା - ୧୦୬, ପ୍ରକାଶ କାଳ : ୨୦୦୪, ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦ ବିହାରୀ, କଟକ-୨ ।

୨୭.

ଗଡ଼ନାୟକ ଗ୍ରନ୍ଥାବଳୀ : ପ୍ରଥମଭାଗ, ବିଦ୍ରୋହୀ ବସନ୍ତ, ପୃଷ୍ଠା - ୧୫୫, ପ୍ରକାଶ କାଳ : ୨୦୦୭, ପ୍ରକାଶକ : ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ ।

୨୮.

ତତ୍ରୈବ, ପୃଷ୍ଠା : ୧୩୮ ।

୨୯.

ତତ୍ରୈବ, ପୃଷା : ୧୧୩ ।

 

***

 

Unknown

ଗୀତିକବି ରାଧାମୋହନ ଗଡ଼ନାୟକ

ଶ୍ରୀଚରଣ ମହାନ୍ତି

 

ବିଂଶ ଶତକର ପ୍ରଥମ ଓ ଦ୍ୱିତୀୟ ଦଶକରେ ଓଡ଼ିଆ ସାହିତ୍ୟରେ ଆବିର୍ଭୂତ ହୋଇଥିଲେ କେତେଜଣ ଯୋଗଜନ୍ମା ସ୍ରଷ୍ଟା । ସାହିତ୍ୟର ପୂର୍ବ ଧାରାରେ ପରିବର୍ତ୍ତନ ଆଣିବା ସହିତ ଅନେକ ନୂତନ ଧାରା ଦେଖାଇଗଲେ ସେମାନେ । ସେମାନଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ସମୃଦ୍ଧ ଓ ସଂଭ୍ରାନ୍ତ ରୀତିଯୁଗର ପରମ୍ପରାର ପରିବର୍ତ୍ତନ ଆଣି ରାଧା-ମଧୁ-ଫକୀର ଓ ଅନ୍ୟମାନେ ଆଧୁନିକ ଯୁଗରପ୍ରତିଷ୍ଠା ସହିତ ଓଡ଼ିଆ ସାହିତ୍ୟରେ ରୂପ ଓ ଗୁଣଗତ ପରିବର୍ତ୍ତନ ଆଣିଲେ । ଗଳ୍ପ ଓ ଉପନ୍ୟାସରେ ବ୍ୟାସକବି ଫକୀରମୋହନ ସେନାପତି, କାବ୍ୟ ଓ କବିତାର କଥାବସ୍ତୁ ପରିବର୍ତ୍ତନରେ କବିବର ରାଧାନାଥ ରାୟ ତଥା ଗୀତିକବିତା ଓ ଗାଥାକବିତାର ଅଙ୍ଗ ପରିବର୍ତ୍ତନରେ ଭକ୍ତକବି ମଧୁସୂଦନ ରାଓ । ସେହିପରି ପତ୍ରିକା, ସଂପାଦନା ଗଦ୍ୟ ସାହିତ୍ୟର ବିକାଶ, ନାଟକ ଆଦିରେ ଅନେକ ସ୍ରଷ୍ଟାଙ୍କର ମହନୀୟ ଅବଦାନ ରହିଛି । ମାତ୍ର ଏଠାରେ ଆଲୋଚନାର ଧାରା ଗୀତିକବିତା ହୋଇଥିବାରୁ କେବଳ ପୃଷ୍ଠଭୂମିଭାବରେ ନାମୋଲ୍ଲେଖ କରାଯାଇଛି ମାତ୍ର ।

 

ଓଡ଼ିଆ ସାହିତ୍ୟରେ ସମୃଦ୍ଧ ରୀତିଯୁଗ, ଦୀର୍ଘ ତିନିଶହ ବର୍ଷ ଧରି ତିନୋଟି ପର୍ଯ୍ୟାୟରେ ଯଥା ରୀତି, କାବ୍ୟ- ଅଳଙ୍କାର ଓ ଗୀତିକବିତା ପର୍ଯ୍ୟାୟରେ ଗତି କରିଥିଲା । ମାତ୍ର ପରେ, ପାଶ୍ଚାତ୍ୟ ସାହିତ୍ୟର ସଂସ୍ପର୍ଶରେ ଆସି ଊନବିଂଶ ଶତକର ଶେଷ ଓ ବିଂଶ ଶତକର ଆଦ୍ୟଭାଗରୁ ଓଡ଼ିଆ ସାହିତ୍ୟର ଧାରା ଘନଘନ ପରିବର୍ତ୍ତନ ହେବାକୁ ଲାଗିଲା । ଯେପରି ରାଧାନାଥ ଯୁଗର ପ୍ରତିକ୍ରିୟାରେ ସତ୍ୟବାଦୀଗୋଷ୍ଠୀ, ସେମାନଙ୍କ ପ୍ରତିକ୍ରିୟାରେ ସବୁଜ ଯୁବଗୋଷ୍ଠୀ, ତାଙ୍କ ପ୍ରତିକ୍ରିୟାରେ ପ୍ରଗତିବାଦୀ ଗୋଷ୍ଠୀ ଇତ୍ୟାଦି । ଯୁଗେଯୁଗେ ଏହି ଗୋଷ୍ଠୀର ବାହାରେ କିଛି ସ୍ରଷ୍ଟା ନିଜସ୍ଵ ଧାରାରେ ଲେଖିଚାଲିଥାନ୍ତି, ତାଙ୍କ ସମସାମୟିକମାନେ ତାଙ୍କୁ ଅନୁକରଣ କରିପାରନ୍ତି ନାହିଁ କିମ୍ବା ସେମାନେ ଗୋଷ୍ଠୀ ତିଆରି କରନ୍ତି ନାହିଁ । ଯେପରି ପ୍ରାଚୀନ ଯୁଗରେ ରୁଦ୍ରସୁଧାନିଧିର ଲେଖକ ନାରାୟଣାନନ୍ଦ ଅବଧୂତ ସ୍ଵାମୀ ଅଥବା ରୀତିଯୁଗର ପରିସୀମାରେ ଥିବା ‘ସମରତରଙ୍ଗ’ ବା ‘ଚତୁରବିନୋଦ’ ଆଦିର ଲେଖକ କବି ବ୍ରଜନାଥ ବଡ଼ଜେନା । ସେହପରି ବିଂଶ ଶତାବ୍ଦୀରୁ ପ୍ରଥମ ଭାଗରେ କୌଣସି ଗୋଷ୍ଠୀରେ ସାମିଲ ନ ହୋଇ ବେଶ୍‌ ପ୍ରତିଷ୍ଠା ଅର୍ଜନ କରିଥିବା ଲେଖକ ହେଲେ କବି ଡକ୍ଟର ମାୟାଧର ମାନସିଂହ, କବି ରାଧାମୋହନ ଗଡ଼ନାୟକ ଓ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ।

 

ଏବେ ମୂଳ ପ୍ରସଙ୍ଗକୁ ଆସିବା । ଗୀତିକବିତା ଓଡ଼ିଆ ସାହିତ୍ୟର ପ୍ରାଚୀନତମ ବିଭବ । ଚର୍ଯ୍ୟାଗୀତିକାରୁ ଚଉପଦୀ ମଧ୍ୟଦେଇ ଏବର ଆକାଶବାଣୀ, ଦୂରଦର୍ଶନ, ବିଭିନ୍ନ ସଂଗୀତ ଆସର ତଥା କ୍ୟାସେଟ୍‌ ଓ ସି.ଡ଼ି ପର୍ଯ୍ୟନ୍ତ ବିଭିନ୍ନ ଧାରା ଓ କଳେବର ନେଇ ବିକାଶଲାଭ କରିଛି । ଗୀତିକବିତା ଓଡ଼ିଆ ସାହିତ୍ୟର ପ୍ରାଚୀନ-ସଂପତ୍ତି । କବି ଗୋପବନ୍ଧୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ନିମନ୍ତେ ଯେଉଁ ପଦଟି ରଚନା କରିଥିଲେ ଯଥା-

 

‘‘ଗାଏତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟମନା,

ବିଲେ ବୋଲେ ଚଷା, ଅନ୍ତଃପୁରେ ଯୋଷା, ନୃତ୍ୟାଙ୍ଗନେ ବାରାଙ୍ଗନା ।’’

 

କେବଳ କବିସମ୍ରାଟ ନୁହନ୍ତି, ଲୋକପ୍ରିୟତା ଦୃଷ୍ଟିରୁ ଗୀତିକବିତାର ଏ ଧାରା ସମସ୍ତ ଗୀତିକା ପ୍ରତି ଅପ୍ରାସଙ୍ଗିକ ହେବ ନାହିଁ । କଥାରେ ଅଛି ‘ମନଫୁଲାଣିଆ ଗୀତଗାଏ’ ସବୁଭାଷାରେ ସବୁ ଯୁଗରେ ଏହାର ପ୍ରୟୋଜନ ରହିଛି ।

 

ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ଗୀତିକବିତାର ଚାରିଗୋଟି ପ୍ରମୁଖ ଗୁଣ ରହିଛି ଯଥା- ସାଂଗିତିକତା, ସ୍ଵତଃସ୍ଫୁର୍ତ୍ତତା, ମନ୍ମୟତା ଓ ସଂକ୍ଷିପ୍ତତା । ମାତ୍ର ଓଡ଼ିଶାରେ ଗୀତିକବିତାର ସଂଜ୍ଞା ଏ ଧାରାରୁ ସାମାନ୍ୟ ଭିନ୍ନ ।

 

ଓଡ଼ିଶାର ଗୀତିକବିଙ୍କ ବିଚାରରେ ଯାହାଗାଇଲେ ଗୀତ ଓ ପଢ଼ିଲେ କବିତା ତାହା ହିଁ ଗୀତିକବିତା । କାରଣ ଆକାଶବାଣୀରେ ଗୀତ ପରିବେଷଣ ହେବା ଦିନରୁ ଗୀତ ବିଶେଷତଃ ଆଧୁନିକ ଗୀତ ସମୟଭିତ୍ତିକ ଯଥା ଗୋଟିଏ ଘୋଷା ପଦ ଓ ଦୁଇଟି ଅନ୍ତରା ପଦରେ ବାନ୍ଧି ହୋଇଯାଉଛି । ମାତ୍ର ଛାନ୍ଦ, ଚମ୍ପୂ ତଥା ଭକ୍ତିଗୀତ ଓ ଚଉପଦୀ ଆଦି ଗୀତିକାକୁ ଆକାଶବାଣୀରେ କିଛି କାଟଛାଟ କଲେ ବି ସଂଗୀତ ଆସରମାନଙ୍କରେ ଦୀର୍ଘ ସମୟ ଧରି ଏବେବି ଗାନ କରାଯିବାର ବ୍ୟବସ୍ଥା କରାଯାଇଥାଏ । ଆକାଶବାଣୀର ଏ ବନ୍ଧନ ପୂର୍ବରୁ ଗୀତିକବିତାର ଏପରି ତଣ୍ଟିଚିପିବା ଅବସ୍ଥା ନ ଥିଲା । ସ୍ଵତଃସ୍ଫୂର୍ତ୍ତ ଭାବରେ କବି ନିଜର ଭାବ ପ୍ରତିପାଦିତ କରୁକରୁ କେତେବେଳେ ସାମାନ୍ୟ ବଡ଼ ହୋଇଯାଉଥିଲା । ଓଡ଼ିଶାର ପଲ୍ଲୀଅଞ୍ଚଳରେ ଛାନ୍ଦ ଚମ୍ପୁକୁ ଦୀର୍ଘ ସମୟ ଧରି ଗାନକରିବାର ପରମ୍ପରା ଏବେ ବି ରହିଛି ।

 

ଏ କାଳରେ ସ୍ୱତଃସ୍ଫୂର୍ତ୍ତ ଗୀତକୁ ଇଚ୍ଛାକରି ସଂକ୍ଷିପ୍ତ କରାଯାଉଛି, ସେକାଳରେ ଏ ପ୍ରକାର ବାଧ୍ୟବାଧକତା ନ ଥିଲା । କବିମନର ଭାବନାକୁ ମନଭରି ପ୍ରକାଶ କରିବାର ସ୍ଵାଧୀନତା କବିର ଥିଲା । ସେ କୋଇଲିରେ ହେଉ ବା ଚଉତିଶାରେ ହେଉ ଅଥବା ଛାନ୍ଦରେ ହେଉ । ସେଇ ପରମ୍ପରାର ଗୀତିକବି ଥିଲେ କବି ରାଧାମୋହନ ଗଡ଼ନାୟକ । ସେ ଶୁଣିଥିବେ ତାଙ୍କ ପଲ୍ଲୀଗାଁରେ ପ୍ରାଚୀନ ଗୀତିକା । ନିଜସ୍ଵ ଅଧ୍ୟୟନରେ ସେ ସଂଗ୍ରହ କରିଥିଲେ ସଂସ୍କୃତ, ଇଂରାଜୀ, ବଙ୍ଗଳା, ହିନ୍ଦୀ ଭାଷାର ବିଭିନ୍ନ ଧାରା ଓ ତା ସହିତ ବିଭିନ୍ନ ଇତିହାସ ପୁସ୍ତକରୁ ମନଛୁଆଁ ଘଟଣାବଳୀ । ସାହିତ୍ୟରେ ସେତେବେଳେ ନୋବେଲ ପୁରସ୍କାର ଲାଭ କରିଥିବା କବିଗୁରୁ ରବୀନ୍ଦ୍ରନାଥଙ୍କ ବଙ୍ଗଳା ‘ଗୀତାଞ୍ଜଳି’ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ‘ଗୀତାଞ୍ଜଳି’ ଗୀତିକବିତାର ଏକ ସଂକଳନ ।

 

ଅପଥରେ ପଥ ଖୋଜୁଥିବା, କିଛି ନୂଆ କାମ କରିବାର ଅଭିଳାଷ ପୋଷଣ କରିଥିବା ଗଡ଼ନାୟକ ମାଇନର ସ୍କୁଲରେ ପଢ଼ୁଥିବାବେଳେ ହିଁ କବିତା ବିଶେଷତଃ ଗୀତିକା ଲେଖିବା ଆରମ୍ଭ କରିଥିଲେ । ସେଥିପାଇଁ ଆଦ୍ୟଜୀବନରେ ଲେଖିଥିଲେ- ‘‘କବି ହେବା ପାଇଁ ବାସନା ମୋର ପ୍ରବଳ ଭାରିରେ ପ୍ରବଳ ଭାରି’’ । ତାଙ୍କର ମନ ମତ୍ତ-ଦୁହାଁଳ-ଗାଈ । ସେ ସର୍ବଦା ପଘା ଛିଣ୍ଡାଇ ପଳାଇବାକୁ ଇଚ୍ଛା କରିଥାଏ । ବାନ୍ଧିହେବା ତାଙ୍କ ଜାତକରେ ନ ଥିଲା । ସେ ଗାଁରେ ଦେଖିଥିବେ କଅଁଳା ବାଛୁରୀର ମନଭରା ନାଚ । ଆଉ ଦୌଡ଼ । ଜଙ୍ଗଲରେ ଦେଖିଥି‌ବେ ହରିଣ ପଲ୍ଲର କନକନଚାହାଣୀ, ପାଦ ନଚାଇ ଛନଛନ ଦୌଡ଼, ଆଉ ବନ ଝରଣାର ବେପରୁଆ ଲମ୍ଫ ଓ ସ୍ଵାଧୀନ ଗତି । ସେ ସବୁକୁ ଯେପରି ଶବ୍ଦ-ରୂପରେ ଗୁନ୍ଥିଦେବା ପାଇଁ ବ୍ୟଗ୍ର ହୋଇଛନ୍ତି କବି ଗଡ଼ନାୟକ । ସେଇଥରୁ ହିଁ ସୃଷ୍ଟି ହୋଇଛି ତାଙ୍କର ଗୀତି କବିତାର ଧାରା ।

 

କବିଙ୍କ ଆଦ୍ୟ ଜୀବନରେ ଲିଖିତ ‘ବନରାଜି ଲୀଳା’ର ‘ଆମ ଗାଁ କଲଣ୍ଡାପାଳ’ କବିତାର ଶେଷ ପଦରେ ଲେଖିଛନ୍ତି -

 

କଲଣ୍ଡାପାଳର ମାନେ            ନାହଁ କେଉଁ ଅଭିଧାନେ,

ମାତର ମୋହର ପ୍ରାଣେ ଜୀବନ୍ତ ଅତି

ତାହାରି ଭାବର ସ୍ରୋତ ହେଉଅଛି ଓତଃପ୍ରୋତ,

ବେଗବନ୍ତ କରୁଅଛି ଜୀବନଗତି ।

ଆମ ଗାଁ କଲଣ୍ଡାପାଳ,

ରାଧାମୋହନ ମୁଁ ଗାଏ ଗୌରବ ତାର । (୨୧ ପଦ)

 

ସେହିପରି ଆଦ୍ୟପାଦରେ ଲିଖିତ ‘ବନରାଜି ଲୀଳା’ର ଅଧିକାଂଶ କବିତାରେ ଗୀତିକବିତାର ଭାବ ରହିଛି । ଦୀର୍ଘ ୭ ପଦରେ ଲିଖିତ ‘ଜେଜିମାଆ’ କବିତାରେ ସେ ପ୍ରତି ପାଦରେ ଘୋଷାପଦ ଲଗାଇବାର ବ୍ୟବସ୍ଥା ବି କରିଛନ୍ତି । ଏହି ସଂକଳନର ମୌଳିକ ଚିନ୍ତନ ‘ନିର୍ଝର’ ଓ ମୁକ୍ତ ଅନୁବାଦ ଅଂଶ ‘ଛାୟା’ରେ ଗୀତି କବିତା ଲେଖିବାର ଉଜ୍ଜ୍ୱଳ ପ୍ରୟାସ କରିଛନ୍ତି । କବିଙ୍କର ‘ବନରାଜିଲୀଳା’ର କବିତାଗୁଡ଼ିକ ପ୍ରାୟତଃ ମାଇନର ସ୍କୁଲ ଓ ହାଇସ୍କୁଲ ସମୟର ରଚନା ଏ କବିତାକୁ ଅନେକ ସମସାମୟିକ ପତ୍ରିକାରେ ଛଦ୍ମ ନାମରେ, କେଉଁଠି ବା ନିଜ ନାମରେ ହୋଇଛି ପ୍ରକାଶିତ ।

 

‘କାବ୍ୟ- ନାୟିକା’ କବିଙ୍କର ଅନୁପମ ସୃଷ୍ଟି ‘ଜୈତ୍ରୀ’ (୫), ‘ପ୍ରାକ୍ତନୀ’ (୧୭) ଓ ‘ଅର୍ଘ୍ୟ’ (୩୨) ରୂପରେ ତିନୋଟି କ୍ରମରେ ମୋଟ ୯୯ଟି କବିତାରେ ଗୀତିକବି ରାଧାମୋହନଙ୍କ ଲେଖାର ସଫଳତାର ଧାରା ବେଶ ପ୍ରତିଫଳିତ । ଅର୍ଘ୍ୟରେ ୩୨ଟି ମନୋରମ ଗୀତିକା ବିନା ଶିରୋନାମାରେ ଲିଖିତ । ଏ ଗୀତିକାରେ କବିଗୁରୁଙ୍କ ‘ଗୀତାଞ୍ଜଳି’ ଧାରା ଅନୁଭୂତ ହୋଇଥିଲେ ବି ରାଧାମୋହନଙ୍କର ଗୀତିକାର ଗାମ୍ଭୀର୍ଯ୍ୟ ଏଥିରେ ବେଶ୍‍ ପ୍ରକଟିତ ।

 

ନମୁନା ସ୍ୱରୂପ କେତୋଟି ପଦର ଉଦାହରଣ ଦିଆଯାଇପାରେ-

 

(୧)

କବି ହେବା ପାଇଁ ବାସନା ମୋର

ପ୍ରବଳ ଭାରିରେ ପ୍ରବଳ ଭାରି,

ନୀଳ ଆକାଶର ପକ୍ଷୀଟି ସମ ।

ଉଡ଼ି ବୁଲୁଥାଏ ଏ ମୋର ମନ,

ଦୁନିଆ ପାରିରେ ଦୁନିଆଁ ପାରି ।

(କବି ହେବା ପାଇଁ ବାସନା ମୋର )

(୨)

କିଏ ତୁମେ ସୁନ୍ଦରୀ ! କିଏ ତୁମେ ଶୋଭନେ ?

ଅମିୟ ଲଗନେ ଆଜି ଆସିଚ ମୋ ଭବନେ ।

ନୟନେ ବିକଚ ଲାଜ/ବଦନେ ଓଢ଼ଣା ସାଜ,

ସିନ୍ଦୂର ଲଲାଟେ ଗୋ ଅଲକ୍ତ ଚରଣେ/କିଏ ତୁମେ ସୁନ୍ଦରୀ !

କିଏ ତୁମେ ଶୋଭନେ ?

(୩)

କିଆଁ ଗାଉଚୁ ଗୋ କଳକଳ ଗୀତ/ଯମୁନା ହୁଅଗୋ ତୁନି

ଏତେଶିରୀ ଏତେ ସୁଷମା କିଆଁ ଗୋ/ତମାଳ ଦେଖାଉ ପୁଣି ?

କାହିଁ ପାଇଁ ଆଉ କୁଞ୍ଜ କୁଟୀର ହସୁ ଏତେ ସୁମଧୁରେ ?

ଗୋପ-ଭୂଷଣତ ରହିଲେଣି ଯାଇଁ ସୁଦୂର ମଥିରା ପୁରେ । (କୃଷ୍ଣ ବିରହିଣୀ)

 

‘କାବ୍ୟ-ନାୟିକା’ର ତୃତୀୟ ବିଭାଗ ନିଛକ ଗୀତ ୩୨ଟି ଗୀତିକାରେ ଘୋଷା ପଦ ସହିତ କେଉଁଠି ଦୁଇଟି ପଦ ଓ କେଉଁଠି ମାତ୍ର ତିନୋଟି ପଦ ରହିଛି । ଏଠାରେ କବି ଗୀତିକାଗୁଡ଼ିକର ନାମ କରଣ କରିନାହାନ୍ତି । କିନ୍ତୁ ପ୍ରତ୍ୟେକ କବିତାକୁ ସ୍ଵତନ୍ତ୍ର ଭାବରେ ରଖିଛନ୍ତି । ନାମ, ସ୍ଥାନ, ରୂପ ବର୍ଣ୍ଣକୁ ଛାଡ଼ି ଅରୂପ ଦେବତା ବା କୌଣସି ସର୍ବଶକ୍ତିମାନଙ୍କ ଉଦ୍ଦେଶ୍ୟରେ ହିଁ ଏହା ଲିଖିତ । ଏଥିରେ ଗୀତିକବିତାର ପୂର୍ଣ୍ଣାଙ୍ଗ ଓ ସ୍ପଷ୍ଟ ଚିତ୍ର ରହିଛି ।

 

(୧)

ନିର୍ବଳ ମମ ଅନ୍ତର ଆହେ/ସର୍ବ ଶକତିମାନ,

ଜୀବନ-ଆହବେ ସଫଳ କର ମୋ/ଅନ୍ତର- ଅଭିଯାନ ।

ଜୀବନେ କେବଳ ସମର-ବିଳାସ/ସମରେ କେବଳ ଜୀବନ-ବିକାଶ,

ପଦେ ପଦେ ତେଣୁ ବାଜିଯାଏ ଆସି ଭୈରବ ଆହ୍ୱାନ ।

(୨)

ଲୁଚିଲୁଚି ତୁମେ ହେ ଗୋପନ ଚାରି !/ପାଶେ ପାଶେ ଥାଅ ଜଡ଼ିତ,

ଜୀବନେ ଘୋଟିଲେ ଘନ ଅନ୍ଧାର/ଦେଖାଦିଅ ଯଥା ତଡ଼ିତ ।

ଜୀବନ ମୋହର ଦୁଃଖ-ବିଧୂର/କରିଦିଅ ବାରେ ନିମିଷେ- ମଧୁର ।

ବିପୁଳ ପୁଲକେ ହରଷି ଉଠଇ/ଅନ୍ତର ମମ ପୀଡ଼ିତ ।

 

‘କାବ୍ୟ- ନାୟିକା’ ଅନ୍ତର୍ଗତ ‘ଅର୍ଘ୍ୟ’ର ପ୍ରତ୍ୟେକ ଗୀତିକା ନମୁନା ସ୍ଵରୂପ ବିଚାର କରାଯାଇପାରେ । କବି ଯେ ଜ୍ଞାତସାରରେ ଏ ଗୀତିକା ରଚନା କରିଛନ୍ତି ତାଙ୍କ ୨୩ ନମ୍ବର ଗୀତକୁ ନେଇ ବିଚାର କରାଯାଇପାରେ-

 

(୩)

ତୁମରି ଦାନ ଏ କବିର ଜୀବନ/ଗୀତ ମୋ ସମ୍ବଳ ।

କେ କେତେ ଆସଇ ଗୀତପାଇଁ ନିତି/ହେ ମୋର ସୁନ୍ଦର,

ବହୁତ ଲୋକର ଚିତ/ରଖିପାରେ ନାହିଁ ମୁଁ ତ

ଦିଏ ଯେବେ ଖାଲି ଗୀତ ଦିଏ ମୁହିଁ /ଭାଷାର କୌଶଳ ।

କିଏ ତୁମେ ସଖା, ତୁମଲାଗି ମୋର/ଅଯାଚିତେ ଫୁଟେ ଗୀତ

ଆଲୋକର ମୁଖେ ରକ୍ତ କମଳ/ହୁଏ ଯଥା ବିକଶିତ

ସେଇ ଉପଚାର-ଧନେ/ପୂଜଇ ମୁଁ ମନେ ମନେ, .

ନିତ୍ୟ ପୂଜଇ ପୀରତି ଆଦରେ/ଚରଣ ଉତ୍ପଳ ।

 

ଗୀତିକବି ରାଧାମୋହନଙ୍କ ଏହି ପର୍ଯ୍ୟାୟ କବିତାରେ କବିଙ୍କ ଭାବାବେଗ ବେଶ ମର୍ମସ୍ପର୍ଶୀ ଅନ୍ୟ ଏକ ଗୀତରେ ସେ ଲେଖିଛନ୍ତି-

 

(୪)

ଦେବତା ହେ ମୋର ଦେଇଛ ଯେ ବର/ଆଜି ତାହାବେଗେ ଫେରାଇନିଅ,

ସୁଖ ବୋଲି ପ୍ରାଣେ ଲାଗୁଥିଲା ଯାହା/ଆଜି ତାର ଦାଉ ଅସହନୀୟ ।

ଶତେକ କାମନା ସାଧନାର ବଳେ/ଲଭିଅଛୁ ଯାହା ବହୁ ତପ ଫଳେ

ଲଭିଅଛୁ ଯେଉଁ ନବ ସଭ୍ୟତା ନୁହଁଇ ଅମିୟ, ନୁହଁଇ ପ୍ରିୟ ।

ପାଇଅଛୁ ଯେଉଁ ସଭ୍ୟତା ଶିରୀ,/ ଭଲରୂପେ ଆଜି ଦେଖିଅଛୁଁ ଚିରି

ଭୁବନେ ଭୁବନେ/ଅନଳ ଢାଳଇ,/ଜୀବନେ ଜୀବନେ ଜାଳଇ ରିହ ।

 

ଏହା ସହିତ ଗଡ଼ନାୟକଙ୍କ ‘ଉତ୍କଳିକା’, ‘ସ୍ମରଣିକା’, ‘ପଶୁପକ୍ଷୀର କାବ୍ୟ’, ‘ଧୂସର ଭୂମିକା’, ‘ଶାମୁକାର ସ୍ଵପ୍ନ’ ଓ ‘ଦୀପଶିଖା’ରେ କଥା କାହାଣୀ ଭିତ୍ତିକ ଦୀର୍ଘ କବିତା ଏବଂ କିଛି କ୍ଷୁଦ୍ର କବିତା ରହିଛି । ଏ ସମସ୍ତର ଗାନ ଯୋଗ୍ୟତା ମଧ୍ୟ ରହି ଅଛି । ‘କୈଶୋରିକା’ର କେତେକ ଗୀତିକା ସ୍କୁଲମାନଙ୍କରେ ଗାନ କରାଯାଉଥିବା କାହାଣୀ ଉପରେ ଆଧାରିତ ଥିଲେ ବି ଏହା ସୁନ୍ଦର ଗୀତିକବିତା ଭାବରେ ପ୍ରଚଳିତ ଥିଲା । ଏବେ ମଧ୍ୟ ଏହାର ଉପଯୋଗତା ରହଛି ।

 

ରାଧାମୋହନ ଗଡ଼ନାୟକଙ୍କ ମୁଗ୍‌ଧ ପାଠକପାଠିକା, ଆଲୋଚକ ତଥା ଗବେଷକମାନେ ତାଙ୍କୁ ଜଣେ ସଫଳ ଗୀତିକବି ଭାବରେ ଆଲୋଚନା କରିଛନ୍ତି । ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀ ତାଙ୍କର ଗବେଷଣା ନିବନ୍ଧ ‘ସବୁଜରୁ ସାଂପ୍ରତିକ’ରେ ଗଡ଼ନାୟକଙ୍କୁ ମୁଖ୍ୟତଃ ଜଣେ ଗୀତିକବି ଭାବରେ ଆଲୋଚନା କରିଛନ୍ତି । ‘‘ପ୍ରଥମରୁ ହିଁ ଗୀତିକବିତାର ଉତ୍ସଭାବରେ କବି ଗ୍ରାମ୍ୟ ଜୀବନ ଓ ଜାତୀୟ ଉନ୍ମାଦନାପୂର୍ଣ୍ଣ କାହାଣୀକୁ ଅଧିକଭାବରେ ନିଜର କାବ୍ୟ ଚେତନାରେ ଅବଲମ୍ବନ କରିଛନ୍ତି । ୧୯୨୫-୨୮ ମଧ୍ୟରେ କବି ସ୍ଫୁଲଛାତ୍ର ଥିଲାବେଳେ ତାଙ୍କ ରଚିତ କବିତାଗୁଡ଼ିକରେ ଅପରିଣତ ବୟସର ମୁଦ୍ରାଙ୍କ ସ୍ପଷ୍ଟ ହେଲେ ମଧ୍ୟ ଏଥରେ ପ୍ରାକ୍‌ସବୁଜ ଚେତନାର ପାରମ୍ପରିକ ରୂପ ଓ ରୁଚି ସହଜରେ ଧରାପଡ଼େ । ଯେତେଦୂର ମନେହୁଏ ତାଙ୍କ ପଲ୍ଲୀ ପରିବେଶ ହିଁ ତାଙ୍କୁ ସମସାମୟିକ ରବୀନ୍ଦ୍ର ଚେତନା ଓ ରୋମାଣ୍ଟିକ ଭାବ ବିଳାସଠାରୁ ନିରାପଦ ଦୂରତ୍ୱରେ ଅବସ୍ଥାପିତ କରିଥିଲା ।’’

 

ଜଣେ ଗୀତିକବି ଭାବରେ ଆଲୋଚନା କରି ଲକ୍ଷ୍ମୀଧର ନାୟକ ଲେଖଛନ୍ତି- ‘‘ଶବ୍ଦ-ଛନ୍ଦ - ଅନୁପ୍ରାସର ନୂତନ ଆଙ୍ଗିକରେ ଶିଳ୍ପକର୍ମର ଚୂଡ଼ାନ୍ତ ପରିପ୍ରକାଶରେ ଯେତିକି ଅଗ୍ରଣୀ, ଭାବ ଓ କ୍ରାନ୍ତିରେ ସେତିକି ଆଧୁନିକ ।’’ ପୁଣି ସେ କହନ୍ତି- ‘‘ସେ ବୋଧହୁଏ ଏକକ କବି, ଯେ ଇଂରାଜୀ କାବ୍ୟକବିତା ଓ ସଂସ୍କୃତ ସାହିତ୍ୟରେ ଅସାଧାରଣ ବ୍ୟୁତ୍ପତ୍ତିର ଅଧିକାରୀ ଏବଂ ସେଇ ପୃଷ୍ଠଭୂମି ଉପରେ ତାଙ୍କର କାବ୍ୟିକ ଆତ୍ମପ୍ରକାଶ ଅଧିକ ମନୋଜ୍ଞ ଆଉ ବୌଦ୍ଧିକ ମୌଳିକ ମଧ୍ୟ ସମାନ ଭାବରେ -ବେଦ, ଉପନିଷଦ, ପୁରାଣ, ଇତିହାସ ଓ କିମ୍ବଦନ୍ତୀ ଭିତରୁ ନାନା ଘଟଣା ଓ କାହାଣୀକୁ ଆତ୍ମସ୍ଥ କରି ଗୀତି କବିତା ମାଧ୍ୟମରେ ପ୍ରକାଶ କରାଯିବାର ଶିଳ୍ପକର୍ମରେ ଶ୍ରୀ ନାୟକ ବିଭିନ୍ନ ଉଦାହରଣ ଦେଇ ନିଜ ବକ୍ତବ୍ୟକୁ ପ୍ରତିପାଦନ କରିଛନ୍ତି ।

 

ନନ୍ଦ ସାଧକ ରାଧାମୋହନଙ୍କ ସଂପର୍କରେ କାଳିନ୍ଦୀ ଚରଣ ପାଣିଗ୍ରାହୀ କହନ୍ତି- ଛନ୍ଦ ବୈଚିତ୍ର୍ୟରେ ପରାକାଷ୍ଠା ଲାଭ କରିଥିବା ରୀତିଯୁଗୀୟ କାବ୍ୟକବିତା କିମ୍ବା ପରବର୍ତ୍ତୀ ଆଧୁନିକ ଯୁଗର କବିମାନଙ୍କ ମଧ୍ୟରେ ରାଧାମୋହନଙ୍କ ସ୍ଥାନ ସୁନିର୍ଦ୍ଧିଷ୍ଟ । ଗଡ଼ନାୟକଙ୍କ ଗୀତିକବିତାର ପାଠକ ଭାବରେ ପ୍ରଫେସର ଡକ୍ଟର ସଦାଶିବ ମିଶ୍ର କହନ୍ତି- ‘‘ଗଡ଼ନାୟକଙ୍କର କବିତା ରସାଳ, ଜୀବନ୍ତ, ସେଥିରେ ଗଭୀର ଆତ୍ମସଂଯୋଗ ଅଛି । ତାଙ୍କର ଗୀତିକବିତା ଆବୃତ୍ତି କରିବାରେ ମୁଁ ପରମ ଆନନ୍ଦ ଲାଭ କରିଛି । ନଈପାଣି ପରି କୁଳୁକୁଳୁ ବହି ଚାଲିଥିବ । କେଉଁଠାରେ ଅଟକି ଯିବ ନାହିଁ । ତାଙ୍କର ଛାନ୍ଦ ସାବଲୀଳ ପଦଯୋଜନା ଅନାବିଳ ।’’

 

ଡକ୍ଟର କୁଞ୍ଜବିହାରୀ ଦାଶ ଗଡ଼ନାୟକଙ୍କ ରଚନା ସଂପର୍କରେ ମନ୍ତବ୍ୟ ପ୍ରଦାନ କରି କହନ୍ତି- ‘ସେ ଗୀତି- କବି ହୋଇଥିବାରୁ, ତାଙ୍କ ମନ୍ମୟ କବିତାରେ ସାର୍ଥକ ରୂପ ନେଇଛି । ତାଙ୍କ ଦୁର୍ଦ୍ଧଷ ବ୍ୟକ୍ତିତ୍ଵର ମୁଦ୍ରା କାବ୍ୟ କବିତାରେ ସ୍ତରେ ସ୍ତରେ ଅଙ୍କିତ, ଅନ୍ତର୍ଗତ ସ୍ଵର ମୂର୍ଚ୍ଛନା ପଦେ ପଦେ ଝଂକୃତ, ପ୍ରାୟ ସର୍ବତ୍ର ସ୍ଵାତନ୍ତ୍ର୍ୟ ଚିହ୍ନିତ ତାଙ୍କର ବଳିଷ୍ଠ କାବ୍ୟଶୈଳୀ ଗୋଟିଏ ଛତ୍ର ଶୁଣିବାମାତ୍ରେ ବାରି ହୋଇଯାଏ । ଏହା ଗଡ଼ନାୟକ ପ୍ରତିଭାର କଣ୍ଠସ୍ଵର, ଲଳିତ ମଧୁର ଛନ୍ଦ ସ୍ପନ୍ଦିତ, ଗୁରୁଗମ୍ଭୀର ।

 

ଡକ୍ଟର ଦାଶ, ଗଡ଼ନାୟକଙ୍କ କାବ୍ୟ- କବିତା ଓ ଜୀବନଧାରା ସଂପର୍କରେ ଆଲୋଚନା କରି ପୁଣି କହନ୍ତି- ‘‘ଗଡ଼ନାୟକଙ୍କର ସଂଯତ ଶୃଙ୍ଖଳିତ କାବ୍ୟ ଶୈଳୀ ବିଶୃଂଖଳ, ବିପର୍ଯ୍ୟସ୍ତ ଜୀବନର ଶ୍ରେଷ୍ଠ ପରିପୂରକ ହୋଇଛି । କାବ୍ୟପ୍ରତି କଠୋର ଭାବେ ଯତ୍ନଶୀଳ, ନିଷ୍ଠାପର, ତାଙ୍କର ଭାବ ଛନ୍ଦର ଦୃଢ଼ ଶୃଙ୍ଖଳାରେ ବନ୍ଧା । ଛନ୍ଦର ସାମାନ୍ୟ ତ୍ରୁଟି- ବିଚ୍ୟୁତି ସେ ବରଦାସ୍ତ କରିପାରନ୍ତି ନାହଁ ।’’

 

ଛନ୍ଦ ଓ ସଂଗୀତ ସଂପର୍କରେ ଆଜୀବନ ଚର୍ଚ୍ଚା କରି ଆସିଥିବା ଶ୍ରୀ ନୀଳମାଧବ ପାଣିଗ୍ରାହୀ ଗଡ଼ନାୟକଙ୍କ କବିତାର ଛନ୍ଦ ଓ ଶୃଙ୍ଖଳା ବି ପସନ୍ଦ କରିଛନ୍ତି- ‘‘ଗଡ଼ନାୟକଙ୍କ- ବାଣୀ ଅତି ବିଚିତ୍ର, ତାର ସମ୍ଭାର ବିପୁଳ, ପରିସର ବିରାଟ, ଗଭୀରତା ଅଥଳ । ସେ ବାଣୀର ଠାଣି ଓ ଛଟା ନାଟକୀୟ, ନାଟ୍ୟରେ ଯେପରି ସଂଳାପ, ଗୀତ, ବାଦ୍ୟ ଓ ନୃତ୍ୟର ସମାବେଶ, ଗଡ଼ନାୟକ ବାଣୀରେ ବି ସେଇଭଳି ସଂଳାପ, ଧ୍ଵନି, ଛନ୍ଦ ଓ ଦୋଳନର ପ୍ରତ୍ୟେକ ବିଭବ ବିଦ୍ୟମାନ।’’

 

ଗଡ଼ନାୟକଙ୍କ ଗୀତିକବିତା ସଂପର୍କରେ କବି ସଚ୍ଚି ରାଉତରାୟ ଲେଖିଛନ୍ତି - ‘‘କବି ଗଡ଼ନାୟକଙ୍କ କବିତାର ଅନ୍ତର୍ନିହିତ ସଜ୍ଜା ତାଙ୍କୁ ଏକ ନିର୍ଭୁଲ ଛାନ୍ଦସିକରେ ପରିଣତ କରିଛି । ତାଙ୍କର ଛାନ୍ଦସିକତା ହିଁ ଆଧୁନିକ ଓଡ଼ିଆ କବିତାକୁ ତାଙ୍କର ଏକ ଉଲ୍ଲେଖନୀୟ ଦାନ । ତାଙ୍କର ନିର୍ଭୁଲ ପଦଗଣନା ଦେଖି ତାଙ୍କୁ ‘କବିଙ୍କ ମଧ୍ୟରେ ଗାଣିତିକ ଏବଂ ଗାଣିତିକଙ୍କ ମଧ୍ୟରେ ‘କବି’ ବୋଲି କହିବାକୁ ଇଚ୍ଛା ହୁଏ ।’’

 

ଗୀତିକବି ରାଧାମୋହନ ଗଡ଼ନାୟକଙ୍କ ସଂପର୍କରେ ଆଲୋଚନା କରିବାକୁ ତାଙ୍କର ସମଗ୍ର ତିନିଖଣ୍ଡ ଗ୍ରନ୍ଥାବଳୀର କାବ୍ୟକବିତା ଥିବା ଦୁଇଖଣ୍ଡ ପଢ଼ି ମୁଁ ଆଲୋଚନା ଲେଖିଥିଲି । କବିଙ୍କ ‘କାବ୍ୟ- ନାୟିକା’ର ତୃତୀୟ ଅଂଶ ‘ଅର୍ଘ୍ୟ’କୁ ପଢ଼ି ମୋର ମନ୍ତବ୍ୟ ଉଲ୍ଲେଖ କରିଥିଲି । ପରେ ଗଡ଼ନାୟକଙ୍କ ଗୀତିକା ସଂପର୍କୀୟ ଆଲୋଚନା (କ) ଶ୍ରୀ ଲକ୍ଷ୍ମୀଧର ନାୟକଙ୍କ ସଂପାଦିତ- ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ’ ଓ (ଖ) କମଳଲୋଚନ ମହାନ୍ତିଙ୍କ ସଂପାଦିତ - ‘ଗଡ଼ନାୟକ ପରିକ୍ରମା’ ପଢ଼ି ବିଶିଷ୍ଟ ବ୍ୟକ୍ତିଙ୍କ ଅଭିମତକୁ ଉଲ୍ଲେଖ କରିଥିଲି । ଗଡ଼ନାୟକ ପରିକ୍ରମାରେ ସଂଗୀତ - ସମୀକ୍ଷକ ନୀଳମାଧବ ପାଣିଗ୍ରାହୀଙ୍କର ‘ଅର୍ଘ୍ୟ’ ସଂପର୍କୀୟ ଅନୁରୂପ ମତ ପଢ଼ି ସେହି ଅଂଶକୁ ପୁଣି ଉଦ୍ଧାର କରୁଛି । ଅଗଷ୍ଟ ୧୯୮୧ରେ ପ୍ରକାଶ ପାଇଥିବା ଆଲୋଚନାଟି କୌଣସି ଗାୟକ ବା ସଂଗୀତ ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆସିନାହିଁ ।

 

‘‘କବି ଗଡ଼ନାୟକ କେବଳ କାବ୍ୟରେ ଅସାଧାରଣ ସିଦ୍ଧିର ଅଧିକାରୀ ବୋଲି ସମସ୍ତଙ୍କର ଧାରଣା, ମାତ୍ର ସେ ଅନେକ ସୁନ୍ଦର ‘ଗୀତ’ ମଧ୍ୟ ରଚନା କରିଛନ୍ତି । ତାଙ୍କ ‘କାବ୍ୟ- ନାୟିକା’ର ‘ଅର୍ଘ୍ୟ’ ସଞ୍ଚୟନର ପ୍ରାୟ ସବୁ କବିତା ଗୀତ ପଦବାଚ୍ୟ । ସେଇ କବିତାମାନଙ୍କୁ ସଂଗୀତର ସ୍ଵର ଦେଇ ବୋଲାଗଲେ ସୁନାରେ ସୌରଭର ସଂଯୋଗ ପରି ଲାଗେ । ମାତ୍ର ଦୁଃଖର କଥା ଆମ ଓଡ଼ିଶାର ସଂଗୀତକାରମାନେ ସେହି ଗୀତମାନଙ୍କର ଅସ୍ତିତ୍ୱ ସଂପର୍କରେ ବି ଅବହିତ ନୁହନ୍ତି । ଆକାଶବାଣୀରୁ ଆଜିକାଲି ପ୍ରସାରିତ ହେଉଥିବା ଗୀତଗୁଡ଼ିକ ଗଡ଼ନାୟକଙ୍କ ଗୀତମାନଙ୍କ ତୁଳନାରେ ନିଷ୍ପଭ୍ର ଓ ନିର୍ଗନ୍ଧ ମନେ ହେବ ଏହା ମୋର ଦୃଢ଼ ବିଶ୍ଵାସ । ଆକାଶବାଣୀର ସଂପୃକ୍ତ ଅଧିକାରୀମାନେ ଏ ସଂପର୍କରେ ସଚେତନ ଓ ଯତ୍ନଶୀଳ ହେଲେ ଶ୍ରୋତୃବର୍ଗ ଆପ୍ୟାୟିତ ହୁଅନ୍ତେ-।’’

 

କବି ରାଧାମୋହନ ଗଡ଼ନାୟକଙ୍କ ଗୀତିକବିତା କେବଳ ଚର୍ଚ୍ଚା ମଧ୍ୟରେ ହିଁ ରହିଯିବା ତାଙ୍କ ପାଇଁ ଉଚିତ ନ୍ୟାୟ ହୋଇନପାରେ । ତାଙ୍କର ଅନେକ ଗୀତିକା ଓ ଭାବବସ୍ତୁ ଦେଶ କାଳର ଉର୍ଦ୍ଧ୍ୱରେ । ଆଗ୍ରହ ପ୍ରକାଶ କରୁଥିବା ସଂଗୀତ ନିର୍ଦେଶକ ବା ଗାୟକମାନେ ଏ ସଂପର୍କରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

 

 

ପ୍ଲଟ ନଂ ୮୮୬, ଚଣ୍ଡିମାତା କଲୋନୀ

କେନାଲରୋଡ଼, ପୋ: ରସୁଲଗଡ଼

ଭୁବନେଶ୍ୱର-୭୫୧୦୧୦

 

***

 

ମାନବବାଦୀ କାବ୍ୟଶିଳ୍ପୀ ରାଧାମୋହନ ଗଡ଼ନାୟକ

ଭଗବାନ ପଟେଲ

 

ରାଧାମୋହନ ଗଡ଼ନାୟକ ଓଡ଼ିଆ କାବ୍ୟଧାରା ଓ ଧରାର ଜଣେ ପ୍ରମୁଖ ସାରସ୍ଵତ ତଥା ସୃଜନଶୀଳ କାବ୍ୟଶିଳ୍ପୀ ଭାବରେ ସୁପରିଚିତ ଓ ସୁବିଦିତ । ଛାନ୍ଦସିକ କବି ଭାବରେ ସେ ସର୍ବତ୍ର ବେଶ୍‍ ଜଣାଶୁଣା ଓ ଖ୍ୟାତି ଲାଭ କରିପାରିଛନ୍ତି । ତାଙ୍କର କବିତାର ଲାଳିତ୍ୟ, ମାଧୁର୍ଯ୍ୟ, ସୌନ୍ଦର୍ଯ୍ୟ ଓ ସାବଲୀଳତା ଏତେ ମାତ୍ରାରେ ପରିଦୃଷ୍ଟ ଯେ, ତାହା ପାଠକୀୟ ଆଦୃତି ଲାଭ କରିବାରେ ଯଥେଷ୍ଟ ପରିମାଣରେ ସକ୍ଷମ । ଏଣୁ କବିଭାବରେ ରାଧାମୋହନ ଆମର ଚିରସ୍ମରଣୀୟ ହେବାର କାରଣ ପଛରେ ତାଙ୍କ କବିତାରେ ନିହିତ ସାଂଗୀତିକତାର ଅଭ୍ରାନ୍ତ ପ୍ରଭାବ । କବିତାରେ ସଂଗୀତମୟତା ବିଦ୍ୟମାନ ଥିଲେ, ତାହା ସମଗ୍ର ଜନସାଧାରଣଙ୍କ ତନୁମନକୁ ହରଣ କରିବାରେ ସହାୟକ ହୋଇଥାଏ ଅଧିକ ପରିମାଣରେ । ଜୀବନ ଓ ଜଗତରୁ ସୁବିପୁଳ ଅନୁଭବମାନଙ୍କୁ ପାଥେୟ କରି ତାର ସ୍ଵତଃସ୍ଫୁର୍ତ୍ତ ପ୍ରୟୋଗକୁ ଅଧିକ ଗୁରୁତ୍ୱ ତଥା ମହତ୍ୱ ପ୍ରଦାନ କରିଥାନ୍ତି ଉଚ୍ଚକୋଟୀର କାବ୍ୟଶିଳ୍ପୀଗଣ । ଉତ୍ତର-ତିରିଶ କବିତାରେ ମାୟାଧର, ଅନନ୍ତ, ରାଧାମୋହନ, ସଚ୍ଚିଦାନନ୍ଦ, ବିନୋଦ ଚନ୍ଦ୍ର ପ୍ରମୁଖ ଏକାଧିକ କାବ୍ୟଶିଳ୍ପୀଗଣ ପ୍ରବଳ ଅମୁଖତା ପ୍ରଦର୍ଶନ କରିଛନ୍ତି କବିତାରେ ଅପୂର୍ବ ଭାବ ଓ ଭାଷା ପ୍ରୟୋଗ ଦିଗରେ । ଆଧୁନିକତାର ଯଥାର୍ଥ ବାର୍ତ୍ତାବହ ତଥା ଆର୍ତ୍ତମାନବାତ୍ମାର ପ୍ରକୃତ ପ୍ରକ୍ଷାପକଭାବରେ ରାଧାମୋହନଙ୍କର ଦୃଷ୍ଟି ଓ ଦର୍ଶନରେ ରହିଛି ମୌଳିକତା ଓ ବିଶେଷତ୍ଵ । ଜଣେ ଉଦାର, ଦରଦୀ ତଥା ମାନବବାଦୀ କାବ୍ୟଶିଳ୍ପୀ ଭାବରେ ସାଧାରଣ ଜନତାର ଦୁଃଖ, ଦୁର୍ଦ୍ଦଶା, ଗ୍ଳାନି ଓ ନୈରାଶ୍ୟ, ଯନ୍ତ୍ରଣା ତଥା ଅମାନବୀୟ ଅତ୍ୟାଚାର ଓ ଦୁର୍ନୀତି ଆଦିକୁ ଦୃଢ଼ କଣ୍ଠରେ ବିରୋଧ କରିବାର ସତ୍‌ସାହସ ଗଡ଼ନାୟକଙ୍କର ବିଶେଷତ୍ୱ ଏବଂ ମୌଳିକ ବିଚାରଧାରା ବୋଲି ସ୍ଵୀକାର କରାଯାଇପାରେ । ଓଡ଼ିଆ କବିତାରେ ଭାବ ଓ ଭାଷାକୁ ନେଇ କବିମାନେ ପରୀକ୍ଷା ନିରୀକ୍ଷାର ସମ୍ମୁଖୀନ ହେଉଥିଲାବେଳେ, ରାଧାମୋହନ ପରମ୍ପରା ଓ ପୁରୋଦୃଷ୍ଠିକୁ ଆଖି ଆଗରେ ରଖି କାବ୍ୟସାଧନା ଆରମ୍ଭ କରିଥିଲେ । ଓଡ଼ିଆ ସାହିତ୍ୟରେ ମଧୁସୂଦନ, ଗଙ୍ଗାଧର, ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, ଗୋଦାବରୀଶ (ମହାପାତ୍ର), ଲକ୍ଷ୍ମୀକାନ୍ତ ପଦ୍ମଚରଣ, କୁନ୍ତଳା କୁମାରୀ, ବିଦ୍ୟୁତ୍‌ପ୍ରଭା ପ୍ରମୁଖ ସାରସ୍ଵତ ସାଧକଗଣଙ୍କ ପରି ଭାରତୀୟ କାବ୍ୟଧାରାର ପୃଷ୍ଠପୋଷକତା ପ୍ରଦାନ କରିବାରେ ରାଧାମୋହନ ଆଗ୍ରହାନ୍ୱିତ ହୋଇଥିଲେ । ତଥାପି, ତାଙ୍କର ଦୃଷ୍ଟି ଓ ଦର୍ଶନରେ ନିହିତ ଥିଲା ଆଧୁନିକତାର ନିଛକ ପ୍ରତିଛବି । ସୁତରାଂ, ସେ ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟଧାରାଠାରୁ ସଂପୂର୍ଣ୍ଣ ଏକ ଅଲଗା ଦୃଷ୍ଟିକୋଣ ନେଇ ସାହିତ୍ୟରେ ସାମାଜିକତାର ପ୍ରୟୋଗକୁ ଅଗ୍ରାଧିକାର ପ୍ରଦାନ କରି ଯାଇଛନ୍ତି କାୟମନୋବାକ୍ୟରେ-। ଜୀବନ ପ୍ରତି ସକାରାତ୍ମକ ମନୋଭାବ ପୋଷଣ ପୂର୍ବକ ଗଡ଼ନାୟକ ଗାଇଛନ୍ତି,

 

‘‘ମୁଁ ଯେ ସମର ପଥର ଯାତ୍ରୀ

ମୋର କରେ ଏଇ ଖର ଶାୟକ,

ମୁଁ କି ହୋଇଥିବି ରାଧାମୋହନ,

ଆଉ ହେବି ନାହିଁ ଗଡ଼ନାୟକ ?’’

(ସେଦିନ ଓ ଆଜି - ଧୂସର ଭୂମିକା)

 

ଓଡ଼ିଆ କବିତା ଯେତେବେଳେ ଏକ ନୂତନ ପଥ ଓ ମତର ଦିଗ ଅନ୍ୱେଷଣ କରୁଥଲା, ସେତେବେଳେ ରାଧାମୋହନଙ୍କ ପରି ଜଣେ ମାନବବାଦୀ ସ୍ରଷ୍ଟା ନୂତନ ଦ୍ରଷ୍ଟାର ଭୂମି ଓ ଭୂମକାରେ ଅବତୀର୍ଣ୍ଣ ହୋଇପାରିଥିଲେ । ରାଧାମୋହନ ଥିଲେ ଜୀବନନୀଷ୍ଟ ବିଶିଷ୍ଟ କାବ୍ୟଶିଳ୍ପୀ । ଆଜୀବନ ସହାନୁଭୂତି ଓ ସଂବେଦନଶୀଳ ମନୋଭାବ ପୋଷଣ ପୂର୍ବକ ଜୀବନର ସକଳ ମାଧୁର୍ଯ୍ୟ, ଐଶ୍ଵର୍ଯ୍ୟ, ସୌନ୍ଦର୍ଯ୍ୟ ଆଦି ଚାତୁର୍ଯ୍ୟପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟଜନକ ରୂପରେ ପ୍ରକ୍ଷାପନ କରିପାରିଥିବାର ଜଣାଯାଏ । ଗଡ଼ନାୟକ ହେଉଛନ୍ତି ଯୁଗ ଚେତନାର କବି । ଜୀବନ ପ୍ରତି ନୂତନ ଦୃଷ୍ଟିଭଙ୍ଗୀ ପୋଷଣ ଦିଗରେ ଆପ୍ରାଣ ଉଦ୍ୟମ କରି ଯାଇଛନ୍ତି ଆନନ୍ଦାତ୍ମକ ରୀତି ଓ ନୀତିରେ । ଜୀବନ ମଧୁମୟ, ଅମୃତମୟ ତଥା ସୁଧାମୟ ବୋଲି ସେ ଗଭୀରଭାବରେ ଉପଲବ୍‌ଧି ପୂର୍ବକ ତାର ଅପୂର୍ବ ମାଦକତାରେ ବିହ୍ୱଳିତ, ଆମୋଦିତ ତଥା ଉଲ୍ଲସିତ ହୋଇ ଗାଇଛନ୍ତି ଜୀବନ ସଂଗୀତକୁ ମାଧୁର୍ଯ୍ୟ ବିମଣ୍ଡିତ ଭାବରେ । ସେଥିପାଇଁ ସେ ବିଶ୍ୱ ବରେଣ୍ୟ ଶିଳ୍ପୀର ମର୍ଯ୍ୟାଦା ଲାଭ କରିପାରିଛନ୍ତି ଗଭୀର ଆତ୍ମିୟତାର ସହିତ । ସାଧାରଣ ମଣିଷର ଜୀବନଚର୍ଯ୍ୟା ଭିତରେ ସେ ଖୋଜିଛନ୍ତି ଦିବ୍ୟ ପ୍ରେମାନୁଭବମାନଙ୍କୁ । ସେ ଉଦାର, ଦରଦୀ ତଥା ସମାଜମନସ୍କ କାବ୍ୟ ଶିଳ୍ପୀ ଭାବରେ ଆର୍ତ୍ତ ମାନବାତ୍ମାର ବେଦନା, ଯନ୍ତ୍ରଣା, କେଶ ଆଦିରେ ମର୍ମାହତ ହୋଇ ତାର ବିପକ୍ଷରେ ସ୍ଵର ଓ ସ୍ଵାକ୍ଷର ଉତ୍ତୋଳନ କରି ଯାଇଛନ୍ତି । ସେ ଜଣେ ସୁଧାର କବି । କବିତା ହେଉଛି ସୂକ୍ଷ୍ମ କଳା ଏହା ସଦାକାଳେ ଅନ୍ୱେଷାର ସ୍ଵର ଶୁଣାଏ । Willaiam Wordsworth ଙ୍କ ଭାଷାରେ, ‘‘poetry is the spontaneous overflow of powerful feelings’’ କବି ଓ କବିତ୍ୱ ଚିର ଦିନ ଅମ୍ଳାନ ପ୍ରତିଭାର ଅଧିକାରୀ । ତେଣୁ ସିନା କବି କୋଟି ଆୟୁ ଘେନି ବଂଚିଥାଏ ଅନନ୍ତ କାଳ ପର୍ଯ୍ୟନ୍ତ । ରାଧାମୋହନ ସଦାକାଳେ ଏକ ନୂତନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅପୂର୍ବ ମାଦକତାରେ ବିହ୍ୱଳିତ ହୋଇ ସେଥିପାଇଁ, ସମାଲୋଚକ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କବି ରାଧାମୋହନ ଗଡ଼ନାୟକଙ୍କୁ ଜଣେ ପ୍ରମୁଖ କବିର ମାନ୍ୟତା ପ୍ରଦାନ କରିବାକୁ ଯାଇ ତାଙ୍କର ‘‘ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ’’ ଗ୍ରନ୍ଥରେ ଯଥାର୍ଥରେ ଲେଖିଛନ୍ତି, ‘‘ଛନ୍ଦରସିକ ରାଧାମୋହନ ଗଡ଼ନାୟକ ଓଡ଼ିଆ କବିତା ରାଜ୍ୟରେ ଏକ ଉଚ୍ଚକୋଟୀର ସର୍ଜନଶୀଳ ପ୍ରତିଭାର ଅଧିକାରୀ । ତାଙ୍କ କବିତାରେ ରୋମାଣ୍ଟିକ୍‌ କାବ୍ୟଶୈଳୀର ଆବେଗପ୍ରବଣତା ଯେପରି ରହିଅଛି, ସେହିପରି ଜାତିର ଅତୀତ ପ୍ରତି ମୋହ-ମମତା ଓ ସାଧାରଣ ଲୋକ ଜୀବନର ସୁଖ-ଦୁଃଖମୂଳକ ଗଭୀର ଭାବପୂର୍ଣ୍ଣ ଚିତ୍ର ମଧ୍ୟ ଅଙ୍କିତ ରହିଅଛି । ସାମାଜିକ ସ୍ତରରେ ନର-ନାରୀର ପ୍ରେମ ପ୍ରଣୟ ଓ ପରିହାସକୁ ଚିତ୍ରିତ କରିବା ଅପେକ୍ଷା ସେ ଅଧିକତର ମାନବଜୀବନର ସୁଖ-ଦୁଃଖର ଚିତ୍ର ଅଙ୍କନରେ ପ୍ରବଣତା ପ୍ରକାଶ କରିଛନ୍ତି । ଏଥିରେ ପୁଣି ଏ ଜାତିର ଗୌରବମୟ ଅତୀତର ଇତିହାସ, ଶୌର୍ଯ୍ୟ, ବୀର୍ଯ୍ୟ ଓ ପରାକ୍ରମର ପୌରୁଷପୂର୍ଣ୍ଣ କାହାଣୀ ସେ ମଧୁର କୋମଳ ଭାଷାଶୈଳୀରେ ଏବଂ ମାଦକତାମୟ ରାଗିଣୀରେ ପ୍ରକାଶ କରି ପାଠକ-ସମାଜକୁ ଅପୂର୍ବ କାବ୍ୟରସରେ ଭସାଇ ଦେଇଅଛନ୍ତି । ‘‘ରାଧାମୋହନ କୌଣସି ‘ବାଦ’କୁ ଗ୍ରହଣ କରି ନାହାଁନ୍ତି କେବଳ ମାନବାଦକୁ ହିଁ ମର୍ମେ ମର୍ମେ ସ୍ଵୀକାର କରିଯାଇଛନ୍ତି । ସାଧାରଣ ଜନତାର ଆଶା ଓ ଆକାଂକ୍ଷାକୁ ଚରିତାର୍ଥ ତଥା ପୂରଣ ଦିଗରେ ତାଙ୍କର କାବ୍ୟ କବିତା ଆଶାତୀତ ସଫଳତା ଲାଭ କରିଥିବାର ଜଣାଯାଏ । ଜଣେ ଲୋକପ୍ରିୟ କବି ଭାବରେ ତାଙ୍କର ଯଥେଷ୍ଟ ମାନ୍ୟତା ଓ ଦକ୍ଷତା ରହିଥିବାର ଅନୁମେୟ ହୁଏ । ମାନବ, ସଂପ୍ରୀତି ହେଉଛି ତାଙ୍କ କବିତାର ମୂଳାଧାର, ମଣିଷ ପ୍ରତି ଅସୀମ ଭକ୍ତି, ପ୍ରୀତି, ସ୍ନେହ ମମତା ଆଦି ପ୍ରଦର୍ଶନ କରିବା ପଛରେ ତାଙ୍କର ସାର୍ବଜନୀନବୋଧ ଜ୍ଞାନ ମୂଳତଃ ଦାୟୀ ଅଟେ । ଅମୂର୍ତ୍ତ ମୁହୂର୍ତ୍ତର ଆହ୍ୱାନ ତଥା ସାମାଜିକ ଜୀବନର ଅପୂର୍ବ ସ୍ଫୁରଣ ତାଙ୍କ କାବ୍ୟଧାରାକୁ କରିଛି ବହୁବର୍ଣ୍ଣା । ସେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତ ମଣିଷକୁ ସମଦୃଷ୍ଟରେ ଦେଖିଛନ୍ତି ଓ ଅନ୍ୟମାନଙ୍କୁ ଦେଖାଇବାର ପ୍ରଚେଷ୍ଟା କରି ଯାଇଛନ୍ତି । ରାଧାମୋହନ ଗଡ଼ନାୟକଙ୍କୁ ଜଣେ ସାରସ୍ଵତ କାବ୍ୟଶିଳ୍ପୀ ଭାବରେ ସ୍ଵୀକାର ପୂର୍ବକ ସମାଲୋଚକ ଡ. ବାଉରୀ ବନ୍ଧୁ କର ତାଙ୍କର ‘ଓଡ଼ିଆ ସାହିତ୍ୟ ଇତିହାସ’ ଗ୍ରନ୍ଥରେ ଲେଖିଛନ୍ତି, ‘‘ସ୍ୱ-ପ୍ରାଣର ବ୍ୟଞ୍ଜନା ଦେଇ ଅତି ଯତ୍ନର ସହିତ ତାଙ୍କ କବିତାରେ ଆକିଛନ୍ତି ବିଶ୍ଵଜନତାର ଚିତ୍ର । କବି ସର୍ବତ୍ର କାବ୍ୟ କବିତାରେ ସ୍ଵକୀୟତାର ସ୍ଵାକ୍ଷର ରଖି ଯାଇଛନ୍ତି । ସେ କିଶୋର ବୟସରେ ଯେପରି କବି ହେବାର ପ୍ରବଳ ଅଭୀପ୍ସା ନେଇ କବିତା ଲେଖିଥିଲେ, ଠିକ୍‌ ସେହିପରି ସେ ପରିପକ୍ୱ ବୟସରେ ମଧ୍ୟ ନିଜର ସ୍ୱାତନ୍ତ୍ର୍ୟ ପ୍ରକାଶ କରିବାକୁ ପଶ୍ଚାତ୍‌ପଦ ହୋଇନାହାଁନ୍ତି ।’’ ଯୁଗେ ଯୁଗେ କବି ନୂତନତ୍ୱର ସ୍ଵାଦକୁ ଚାଖିବା ପାଇଁ ସଦା ଆଗ୍ରହୀ ରହିଥାଏ । ତାର ତନୁ ମନରେ ଅପୂର୍ବ ଶିହରଣ ସୃଷ୍ଟି ହୁଏ । କବିତ୍ୱ ଶକ୍ତିର ଅପୂର୍ବ ସ୍ଫୁରଣରେ କବିତା ହୋଇଉଠେ କାଳଜୟୀ । କବି ହୋଇଯାଏ ବିଶ୍ୱମାନବ-ପ୍ରେମର ମୂର୍ତ୍ତିମନ୍ତ ବିଗ୍ରହ । ତା’ର କବିତା ହୋଇଉଠେ ଜୀବନ-ଯନ୍ତ୍ରଣାର ସ୍ଵରରେ ଦୀପ୍ତିମନ୍ତ ତଥା ଐଶ୍ଵର୍ଯ୍ୟବିମଣ୍ଡିତ । ସେଥିପାଇଁ, ଗଭୀର ଆଶା ଓ ବିଶ୍ୱାସର ସହିତ ମାନବବାଦୀ କାବ୍ୟଶିଳ୍ପୀ ରାଧାମୋହନ ଆହ୍ଲାଦିତ ହୋଇଗାଇଛନ୍ତି :

 

‘‘ମୁଁ ଦେଖିବି ଏଠି ବସି ସେଇ ଚିତ୍ର

ଆଗରୁ ଯା ଦେଇ ନାହିଁ ଦେଖା,

ମୁଁ ଲେଖିବି ଏଠି ବସି ସେଇ କାବ୍ୟ

ଆଗରୁ ଯା ହୋଇନାହିଁ ଲେଖା ।’’

(ଖୋଲା ଏ ପ୍ରାନ୍ତରେ)

 

ଭୂମିଠାରୁ ଭୂମା ପର୍ଯ୍ୟନ୍ତ, ତଥା ସମୁଦ୍ରଠାରୁ ଆକାଶ ପର୍ଯ୍ୟନ୍ତ ସର୍ବତ୍ର ବିଚରଣ କରିବାର ଶକ୍ତି ବା କ୍ଷମତା ରାଧାମୋହନଙ୍କର ରହିଛି । ସେ ଏକ ଅପହଞ୍ଚ ଦୂରତାରେ ରହି ଭିନ୍ନ ଇଲାକାର କବି ପାଲଟି ଯାଇଛନ୍ତି ସ୍ୱତଃସ୍ଫୂର୍ତ୍ତ ଭାବରେ । ତାଙ୍କର କବିଦୃଷ୍ଟି ଘୂରିବୁଲିଛି ଅପୂର୍ବ ମାଦକତାରେ ବିହ୍ଵଳିତ ହୋଇ ଗଭୀର ପ୍ରାଣ-ପ୍ରାଚୁର୍ଯ୍ୟର ସହିତ । ଇଂରାଜୀ ସାହିତ୍ୟର ସଂକ୍ଷିପ୍ତ ଇତିହାସ ଲେଖକ ଇଫୋର ଇଭାନ୍‌ ଯଥାର୍ଥରେ ଲେଖିଛନ୍ତି- ‘‘A poet cannot write the poetry, he wants to write but only the poetry that is within him.’’ କବିତ୍ୱ ଶକ୍ତି ଗଭୀର ସାଧନାର ଅପେକ୍ଷା ରଖେ । କବି ହେବାର ପ୍ରବଳ ବାସନା ରହିଥିଲା ଗଡ଼ନାୟକଙ୍କର । ରାଧାମୋହନ ଜଣେ ଅସାଧାରଣ ଶକ୍ତି ଓ ସାମର୍ଥ୍ୟ ପରିପୂର୍ଣ୍ଣ କବି ଭାବରେ ସୁନାମ ଅର୍ଜନ କରି ପାରିଛନ୍ତି । ଓଡ଼ିଆ ସାହିତ୍ୟରେ ସେ ଜଣେ ଅନତିକ୍ରମଣୀୟ ପ୍ରତିଭାର ଅଧିକାରୀ । କବିତାରେ ତାଙ୍କର ଅପୂର୍ବ ଯାଦୁକାରୀ ଶକ୍ତି ନିଶ୍ଚୟ ତନୁମନକୁ ଆନମନା ତଥା ବିମୋହିତ କରିଦିଏ । କବି ହେବାର ଅପରିସୀମ ଆଗ୍ରହ କବିଙ୍କୁ କରିଥିଲା ବହୁଭାବରେ ପ୍ରଚୋଦିତ ଓ ଚିର ସୌନ୍ଦର୍ଯ୍ୟ-ପିପାସୁ । ସେଥିପାଇଁ ସିନା କବି କଣ୍ଠରୁ ଝରିପଡ଼ିଥିଲା,

 

‘‘କବି ହେବା ପାଇଁ ବାସନା ମୋର

ପ୍ରବଳ ଭାରିରେ ପ୍ରବଳ ଭାରି,

ନୀଳ ଆକାଶର ପକ୍ଷୀଟି ସମ

ଉଡ଼ି ବୁଲୁଥାଏ ଏ ମୋର ମନ

ଦୁନିଆ ପାରିରେ ଦରିଆ ପାରି ।’’

 

ବିଶ୍ୱ-ମାନବ- ପ୍ରେମର ଅପୂର୍ବ ବିନ୍ଧଣୀ ହେଉଛନ୍ତି କବି ରାଧାମୋହନ ଗଡ଼ନାୟକ । କ୍ଲେଦାକ୍ତ ପୃଥିବୀରେ ଅବସ୍ଥାନ ପୂର୍ବକ କ୍ଷତି ଏବଂ କ୍ଷତିର ହିସାବ ନରଖି ଅମୃତସନ୍ଧାନୀ କବି ରାଧାମୋହନ ଗଡ଼ନାୟକ ଗାଇଛନ୍ତି ମାନବ ଜୀବନର ଜୟଗୀତି । ସେ ଆଜୀବନ ପ୍ରେମମୟ ଜଗତର ସ୍ଥୂଳରୂପକୁ ହୃଦୟରେ ଅବଧାରଣ ପୂର୍ବକ ମହନୀୟ ଜୀବନଚର୍ଯ୍ୟାର ମାଧୁର୍ଯ୍ୟରେ ମୁହ୍ୟମାନ ହୋଇଛନ୍ତି ଚିରକାଳ । ଶ୍ରୀ ଗଡ଼ନାୟକଙ୍କ ଓଡ଼ିଆ କାବ୍ୟ-ସାହିତ୍ୟ ପ୍ରତି ଅବଦାନ ଅତୁଳନୀୟ । ଏଣୁ ସମାଲୋଚକ ଡ ନିଶାମଣି ସ୍ଵାଇଁ ତାଙ୍କର ‘‘ଓଡ଼ିଆ କାବ୍ୟ-ସାହିତ୍ୟକୁ ଶ୍ରୀ ଗଡ଼ନାୟକଙ୍କ ଦାନ’’ ଗ୍ରନ୍ଥରେ ଯଥାର୍ଥରେ ସେହି ସାରସ୍ଵତ କାବିକ୍ୟ ପୁରୁଷଙ୍କ ସମ୍ପର୍କରେ ଲେଖିଛନ୍ତି, “କବି ହେବାର ବାସନା ପୋଷଣ କରି କବି ଗଡ଼ନାୟକ ଯେଉଁ କାବ୍ୟିକ ଉପାଦାନ ସଂଗ୍ରହ କରିଛନ୍ତି, ସେ ଭିତରେ କୁସୁମ ବୁକୁର ହାସ, ଜୋଛନା ରାତିର ଉଚ୍ଛନ୍ନ ହସ, ଚୋରା ଚଇତର ହରଷ, କେକାର କଳଗାନ, ଅଧୀର ନଦୀର ମଦିର ତାନ, ବନମାଳତୀର ଭଗ୍ନ ପ୍ରୀତି, ଚାତକର ପୂଜାଲଗ୍ନ ତିଥି, ମରୁ ରାଜ୍ୟର ନଗ୍ନ ଭିତି ଏବଂ ଜଳପ୍ରପାତର ଉଛୁଳାଗାନ ସ୍ଥାନ ଅଧିକାର କରିଛନ୍ତି । ପ୍ରକୃତିର ପୃଷ୍ଠଭୂମି ଉପରେ କବିଙ୍କ ଭାବ ବିଭୋରତା ସହଜ ସ୍ଵାଭାବିକ ଭାବେ ଫୁଟିଉଠିଛି । କବି ଦୃଷ୍ଟି ସମକ୍ଷରେ ଢଳ ଢଳ ହେମଗୌର ତନୁଟି ଧରି ଉଷାର ଶିଶିର ସ୍ନାନରେ ଛଳଛଳ ହୋଇ ବର୍ଷସାରା ଖର ବୈଶାଖର ତାପରେ ସିଝି, ଝର ବରଷାର ଧାରାରେ ଭିଜି, ମାଘମାସର ବାଘ ଶୀତରେ ଥରି ମନ୍ଦିର ଦୁଆରେ ଉଭା ହୋଇଥିବା କନିଅର ଫ୍ରୁଲ ତା’ର ଅନ୍ତରଭରା ସାଧନାରେ କବି ହୃଦୟକୁ ମୁଗ୍ଧ ଚକିତ କରିଛି ।’’ କବି Wordsworth, Shalley, Keats, Byren, Shakespeare, କାଳିଦାସ, ଭବଭୂତି, ରବୀନ୍ଦ୍ର ନାଥ, ଗଂଗାଧର, ମଧୁସୂଦନ, ଗୋଦାବରୀଶ (ମିଶ୍ର), ମାୟାଧର ଆଦି ଉଚ୍ଚକୋଟୀର କବିମାନଙ୍କ ପରି କବି ରାଧାମୋହନ ଗଡ଼ନାୟକ ଅପୂର୍ବ କଳା-କୌଶଳର ଅଭ୍ରାନ୍ତ ପରିଚୟ ପ୍ରଦାନରେ ସକ୍ଷମ ହୋଇପାରିଛନ୍ତି । ଆଚରଣ ଏବଂ ଉଚ୍ଚାରଣରେ ଜଣେ ଜୀବନବାଦୀ କାବ୍ୟ ଶିଳ୍ପୀର ଗର୍ବ ଏବଂ ଗୌରବ ନେଇ ବଂଚିବେ ଆଗାମୀ ଶତାବ୍ଦୀ-ଶତାବ୍ଦୀ ପର୍ଯ୍ୟନ୍ତ । ଜୀବନ ଯନ୍ତ୍ରଣାର ସ୍ଵର ଏବଂ ସ୍ୱାକ୍ଷରକୁ ମାଧୁର୍ଯ୍ୟବିମଣ୍ଡିତ କରିବା ଦିଗରେ କବି ରାଧାମୋହନଙ୍କ ନିରନ୍ତର ତଥା ନିରବଚ୍ଛିନ୍ନ ଅନ୍ତହୀନ ଉଦ୍ୟମ । ଯଥାର୍ଥରେ ସ୍ଵାଗତ ଯୋଗ୍ୟ ତଥା ଅଭିନନ୍ଦନୀୟ । ଜୀବନର ସକଳ ବ୍ୟର୍ଥତା, ହତାଶାବୋଧ, ଗ୍ଲାନି ତଥା ଏକାକୀତ୍ୱବୋଧ ସତ୍ତ୍ଵେ ସାମଗ୍ରିକ ଭାବରେ ସାମାଜିକ ବାସ୍ତବବାଦୀ ଚିନ୍ତାଧାରା ତାଙ୍କ କବିତାକୁ କରିପାରିଛି ଆଛନ୍ନ । ସେ ଜଣେ ଉଦାର ତଥା ସଂବେଦନଶୀଳ କବି ଭାବରେ ସାମାଜିକ ନ୍ୟାୟ (Social Justice) ପ୍ରଦାନ କ୍ଷେତ୍ରରେ ମହନୀୟ ଭୂମିକା ନିର୍ବାହ କରି ଯାଇଛନ୍ତି । ସେଥିପାଇଁ, ତାଙ୍କର ‘ଅୟି ପୃଥ୍ଵୀ’ କବିତାରେ ଗଭୀର ମାନବତାବୋଧର ଅଭ୍ରାନ୍ତ ନିଦର୍ଶନଗୁଡ଼ିକ ପ୍ରଦର୍ଶନ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଲାଭ କରିପାରିଛନ୍ତି । ଗଡ଼ନାୟକଙ୍କର ଲେଖନୀରେ ବୈପ୍ଲବିକ ପରିବର୍ତ୍ତନର ଶୁଭ ସୂଚନା ଦୃଷ୍ଟି ପଥାରୂଢ଼ ହୋଇଥାଏ ସ୍ୱାଭାବିକ ରୀତି ଏବଂ ନୀତିରେ । ତେଣୁ ସେ ପୃଥିବୀମାତାକୁ ଆଉ ଥରେ କାମଧେନୁ ରୂପଧାରଣ କରିବାକୁ ବିନମ୍ର ଅନୁରୋଧପୂର୍ବକ ଆହ୍ଲାଦିତ ହୋଇ ଗାଇଛନ୍ତି-

 

‘ଅୟିପୃଥ୍ଵୀ, ଆଉ ଥରେ କାମଧେନୁ ହୁଅ ଆଜି ତୁମେ,

ବୁଭୁକ୍ଷାର ଦହନେ କି ହରାଇବୁ ପ୍ରାଣ ।

ଆମେ ସବୁ ମନୁର ସନ୍ତାନ,

ତୁମର ଏ ସ୍ନେହାଞ୍ଚିତ ଭୂମେ ?

ଅୟି ପୃଥ୍ୱୀ,

ଆଉ ଥରେ କାମଧେନୁ ହୁଅ ଆଜି ତୁମେ ।’

 

ରାଧାମୋହନ ଜଣେ ସାମାଜିକ ତଥା ସାଂସ୍କୃତିକ ବିଚାର ଧାରା ସଂପନ୍ନ ମହାମାନବ ଅଟନ୍ତି । ଭାରତୀୟ କାବ୍ୟ ପରମ୍ପରାର ରକ୍ଷକ ଏବଂ ପ୍ରକ୍ଷାପକଭାବରେ ମାନବ ସମାଜକୁ ମନୁର ସନ୍ତାନ ଭାବରେ ଗ୍ରହଣ କରିପାରିଛନ୍ତି । ମାଟିର କବି ସାରଳା ଦାସ, ଭକ୍ତକବି ଜଗନ୍ନାଥ ଦାସ ତଥା ମହିୟସୀ ମହିଳା ଦୁର୍ଗାବତୀ, ପ୍ରିୟ ବାପୁଜୀ ଆଦି ଉପରେ କବିତାମାନ ରଚନା କରି ପୂଜ୍ୟପୂଜାର ବ୍ୟତିକ୍ରମ କରିନାହାଁନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି ସାଧନ ନିମିତ୍ତ ଆପଣାର ସମସ୍ତ ଶ୍ରମ ଓ ଶକ୍ତିକୁ ପୂର୍ଣ୍ଣ ବିନିଯୋଗ ପୂର୍ବକ ସାମଗ୍ରିକ ଭାବରେ ଭାରତବର୍ଷର ଜୟଗାନରେ ଶତମୁଖ ହୋଇଉଠିଛନ୍ତି କବି ରାଧାମୋହନ । ତେଣୁ କବି ଗଭୀର ଆନନ୍ଦ ତଥା ଆହ୍ଲାଦରେ ଭାରତ ବର୍ଷର ଜୟଗାନ କରିବାକୁ ଯାଇ ମୁକ୍ତକଣ୍ଠରେ ଘୋଷଣା କରିଛନ୍ତି,

 

ଜଗତର ପ୍ରାଣେ ପ୍ରାଣେ ଭରି ଦେଲା

ମହାଜୀବନର ସ୍ପର୍ଶ, ।

ବିଶ୍ୱ ଜଗତ-ତୀର୍ଥ ସେ ମୋର ।

ପୁଣ୍ୟ ଭାରତ ବର୍ଷ ।’’

(ପୁଣ୍ୟ ଭାରତବର୍ଷ-ଦୀପ ଶିଖା)

 

ପୁଣ୍ୟତୋୟ ଭାରତ ବର୍ଷର ସୁମଞ୍ଜଳ ତଥା ମନୋମୁଗ୍ଧକର ଚିତ୍ର ପରିବେଷଣ କରିବା ଦିଗରେ ରାଧାମୋହନ ଅପ୍ରତିନ୍ଦ୍ୱନ୍ଦ୍ୱୀ କଳାକାର । ତାଙ୍କର ଅମର ଲେଖନୀରୁ ଯେଉଁ ଅବାରିତ ଧାରା ପ୍ରବହମାନ ହୋଇଉଠିଛି, ତାହା ଜନମନକୁ ହରଣ କରେ ଗଭୀର ଆତ୍ମୀୟତାର ସହିତ । ସେଥିପାଇଁ କବି ଓଡ଼ିଶା ଭୂଇଁରେ ସୁମଞ୍ଜୁଳ ଚିତ୍ରକୁ ସରସ, ସୁନ୍ଦର ତଥା ମାର୍ମିକ ଭାବରେ ପରିବେଷଣ କରିବାର ଶତ ପ୍ରତିଶତ ପ୍ରଚେଷ୍ଟା ଅବ୍ୟାହତ ରଖି ଯାଇଛନ୍ତି । ମାତୃଭୂମି ପ୍ରତି ଗଭୀର ଆନ୍ତରିକ ପ୍ରବଣ ମାନସିକତାର ଚରମ ନିଦର୍ଶନ ସୃଷ୍ଟି କରିବାକୁ ଯାଇ ଗାଇଛନ୍ତି ଅମର ସଂଗୀତ । ଦେଶ-କାଳ-ପାତ୍ର ନିର୍ବିଶେଷରେ ଆମେ ସମସ୍ତେ ଗୋଟିଏ ମାଆର ସନ୍ତାନ । ଜନନୀ ଭାବରେ ସେ ଆମର ଚିର ନମସ୍ୟା । ମାତୃଭୂମିର ଅଭିନବ ରୂପଚର୍ଯ୍ୟା ବର୍ଣ୍ଣନା କରିବାକୁ ଯାଇ ରାଧାମୋହନ ଜାତୀୟତା ମହାଭାବର ସୁନ୍ଦର ପରିଚୟ ପ୍ରଦାନ କରିପାରିଛନ୍ତି । କବି ଓଡ଼ିଶାର ଜନଜୀବନ ତଥା ତା’ର କମନୀୟ ରୂପକାନ୍ତିରେ ବିମୋହିତ ତଥା ଆମୋଦିତ ହୋଇ ଆନନ୍ଦରେ ଅଧର ହୋଇଉଠିଛନ୍ତି ଓ ଲେଖିଛନ୍ତି -

 

‘‘ସମ୍ବଲପୁରେ ନୃସିଂହନାଥ

ଦେବଗଡ଼ ଧାରେ ପ୍ରଧାନ ପାଟ

ବଣେଇ ଗହନେ ଖଣ୍ଡାଧାର ବି

ଶୁଣି ଉଲ୍ଲାସେ କରଇ ନାଟ ।’’

(ନବଉତ୍କଳ-କୌଶୋରିକା)

 

ଗଙ୍ଗାଧରଙ୍କ ‘ଉତ୍କଳ ଲକ୍ଷ୍ମୀ’ କବିତା ଗ୍ରନ୍ଥରେ ଯେପରି ଉତ୍କଳଭୂମିର ଚାରୁଚିତ୍ର ମାର୍ମିକଭାବରେ ବର୍ଣ୍ଣିତ ହୋଇଛି, ଠିକ୍‌ ସେହିପରି ଦେଶପ୍ରାଣ କବି ରାଧାମୋହନ ବହୁ ସ୍ଥାନରେ ଉତ୍କଳୀୟ ଜନଜୀବନ ତଥା ପ୍ରାକୃତିକ ମନୋରମ ଦୃଶ୍ୟାବଳୀର ସୁନ୍ଦର ତଥା ନିଖୁଣ ଚିତ୍ର ପ୍ରଦାନରେ ସିଦ୍ଧହସ୍ତ ହୋଇ ଉଠିଛନ୍ତି । ରାଧାମୋହନ ଏକାଧାରରେ ଗାଥା କବିତା, ଗୀତି କବିତା ତଥା ରୋମାଣ୍ଟିକ ଭାବପ୍ରବଣ କବିତା ରଚନାରେ ଆପଣାର ଶକ୍ତି, ସାମର୍ଥ୍ୟ ଓ ପରାକାଷ୍ଠା ପ୍ରଦର୍ଶନରେ ଯଥେଷ୍ଟ ସଫଳତା ଲାଭ କରିପାରିଛନ୍ତି । ଓଡ଼ିଆ ଜନଜୀବନର ସମୁଜ୍ଜ୍ୱଳ ଚିତ୍ର ଓ ଚରିତ୍ର ପ୍ରଦର୍ଶନ କ୍ଷେତ୍ରରେ ତାଙ୍କର ବ୍ୟାପକ ସହୃଦୟତାର ତୁଳନା ବିଶ୍ୱ-ସାହିତ୍ୟରେ ବିରଳ ପ୍ରାୟ-। ରାଧାମୋହନ ଜଣେ ଉଦାର ଏବଂ ଦରଦୀ କାବ୍ୟଶିଳ୍ପୀ ଭାବରେ ଅନ୍ୟର ଦୁଃଖ, ଦୁର୍ଦ୍ଦଶା, ଅଭାବ, ଅସୁବିଧା, କ୍ଷତ, କ୍ଷତି ଆଦିର ମାର୍ମିକ ତଥା ଜୀବନ୍ତ ଚିତ୍ର ପ୍ରଦାନ କ୍ଷେତ୍ରରେ ଗଭୀର ଆସକ୍ତି ପ୍ରଦର୍ଶନ କରିପାରିଛନ୍ତି । ତାଙ୍କର ‘ଆକାଶର ତାରା’, ‘ସ୍ମରଣିକା’, ‘ଶାମୁକାର ସ୍ୱପ୍ନ’ ଆଦି କବିତା ଗ୍ରନ୍ଥମାନଙ୍କରେ ମହାଜୀବନର ଚରମ ଆଲେଖ୍ୟ ଅତି ମାର୍ମିକ ତଥା ହୃଦୟସ୍ପର୍ଶୀ ଭାବ ଓ ଭାଷାରେ ପ୍ରକାଶିତ ହୋଇ ଓଡ଼ିଆବାଣୀ ଭଣ୍ଡାରର ଶ୍ରୀବୃଦ୍ଧି ସାଧନ କରିବାରେ ସହାୟକ ହୋଇଛି ଅଧିକରୁ ଅଧିକତର ଭାବରେ । କବି ‘‘ଶାମୁକାର ସ୍ୱପ୍ନ’’ ଗ୍ରନ୍ଥର ଭୂମିକା ଲେଖିବାକୁ ଯାଇ କହିଛନ୍ତି, ‘‘ପୃଥିବୀର ନେପଥ୍ୟରେ ବହୁତ ଆତ୍ମା ନିଭୃତରେ ନୀରବରେ ଜୀବନ-ସୌରଭ ଦେଉଛନ୍ତି-ଜୀବନ ସଂଗୀତ ଗାଉଛନ୍ତି, କିନ୍ତୁ ଜଗତରେ ତାଙ୍କ ଦାନର ପ୍ରତିଦାନ ଯୁଗ ଯୁଗ ଧରି ମିଳି ନାହିଁ - ମିଳୁ ନାହିଁ-। ତଥାପି ସେଇ ଅବିନଶ୍ୱର, ଅବିସ୍ମରଣୀୟ ଆତ୍ମାର ଅଭିଯାନ ଚାଲିଛି । ସେଇ ଅସ୍ଵୀକୃତ ଅଥଚ କ୍ରାନ୍ତିଶୀଳ ଜୀବନର କେତେଗୁଡ଼ିଏ ସ୍ଵପ୍ନ ‘‘ଶାମୁକାର ସ୍ଵପ୍ନ’’ରେ ସନ୍ନିବିଷ୍ଟ । କବି ରାଧାମୋହନ କେବେହେଲେ ଭାରତୀୟ ଚିନ୍ତା ଓ ଚେତନାର ପରିପନ୍ଥି ନୁହନ୍ତି । ବରଂ, ଜଣେ ଉଦାର କାବ୍ୟଶିଳ୍ପୀ ଭାବରେ ଯେଉଁଠାରେ ସାଧାରଣ ମଣିଷ ଉପେକ୍ଷିତ ହୋଇନାହିଁ, ସେଠାରେ ସେ ଗଭୀର ସମର୍ଥନ ଜଣାଇଛନ୍ତି ଅଧିକ ସ୍ଵାର୍ଥହୀନ ମଣିଷ ଭାବରେ । ବହୁ ପ୍ରଚଳିତ ଘଟଣା ବା କାହାଣୀମାନଙ୍କୁ କାବ୍ୟରୂପ ପ୍ରଦାନ କରିବାରେ ଶ୍ରେଷ୍ଠତା ଲାଭ କରି ପାରିଥିବାର ଜଣାଯାଏ । ତାଙ୍କର ‘‘ଶ୍ରୀୟା ଚାଣ୍ଡାଳୁଣୀ’’ ନାମକ ଏକ ଦୀର୍ଘ କବିତାରେ ମାନବୀୟ ଭାବବୋଧର ସାର୍ଥକ ନିଦର୍ଶନ ସୁନ୍ଦର ଭାବରେ ଦୃଶ୍ୟମାନ ହୋଇଥାଏ । ସେଥିପାଇଁ କବି ସମାଜରେ ରହିଥିବା ଉଚ୍ଚ ନୀଚ, ଧନୀ-ଦରିଦ୍ର, ଛୋଟ-ବଡ଼, ଶିକ୍ଷିତ-ଅଶିକ୍ଷିତ, ସ୍ପୃଶ୍ୟ- ଅସ୍ପୃଶ୍ୟ ଆଦି ଭେଦଭାବର ମୂଳୋତ୍ପାଟନ କରିବାରେ ବଦ୍ଧପରିକର ହୋଇଉଠିଛନ୍ତି । ଯୁଗ ଯୁଗ ଧରି ସାମାଜିକ ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରିବାର ପ୍ରଚଣ୍ଡ ସ୍ଵାଭିମାନ କବିଙ୍କ ପାଖରେ ମହଜୁଦ୍‌ ହୋଇ ରହିଥିଲା । ସେ ଜଣେ ଆର୍ତ୍ତମାନବାତ୍ମାର କରୁଣ କାହାଣୀକୁ ସୁନ୍ଦର ତଥା ରଚିଶୀଳ ଭାବରେ ଉପସ୍ଥାପନ କରିବା ଦିଗରେ ଯଥାସାଧ୍ୟ ପ୍ରଚେଷ୍ଟା ଅବ୍ୟାହତ ରଖି ପାରିଥିଲେ । ସମାଜରେ ଯେଉଁମାନେ ଅବହେଳିତ, ଲାଞ୍ଚିତ, ନୀପିଡ଼ିତ, ଘୃଣିତ, ସେମାନଙ୍କ ପ୍ରତି ଉପଯୁକ୍ତ ଓ ସ୍ଵାର୍ଥଶୂନ୍ୟ ମମତ୍ୱବୋଧ ପ୍ରଦର୍ଶନପୂର୍ବକ ସାମ୍ୟବାଦର ପ୍ରଚାର କରିବାକୁ ଯାଇ ଗାଇଛନ୍ତି-

 

‘‘ଶ୍ରୀୟାର କରେ             ତୁମେ ତ ଦାନ

ଦେଇଛ ଭରପୁର,

ଶ୍ରୀୟାର ଯୋଗେ             ଉଦ୍ଧରିବେ

ଏବେ ତା ଜାତିକୁଳ ।

ଏଣିକି ଆମ ଦେଉଳେ ଜାଣ

ସଭିଏ ହେବେ ଏକଇ ପ୍ରାଣ,

ଦେଉଳେ ଥିଲା             ଯେ ଭେଦାଭେଦ

ଏଥର ହେଲା ରଦ୍ଦ,

ଚଣ୍ଡାଳର                  ହାତରୁ ଦ୍ଵିଜ

ଖାଇବେ ମାହାରଦ ।’

(ଶ୍ରୀୟା ଚଣ୍ଡାଳୁଣୀ-ଶାମୁକାର ସ୍ଵପ୍ନ)

 

ସାମାଜିକ ଜୀବନରେ ଶୁଦ୍ଧତା ଓ ପବିତ୍ରତା ଆନୟନ ଦିଗରେ ବହୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହାର ସୁଫଳ ଏ ପର୍ଯ୍ୟନ୍ତ ସମାଜର ନିମ୍ନ ସ୍ତରରେ ରହୁଥିବା ମଣିଷମାନଙ୍କ ପାଖରେ ସଠିକ୍‌ ଭାବରେ ପହଞ୍ଚି ପାରି ନାହିଁ । ତଥାପି, ରାଧାମୋହନଙ୍କ ପରି ମାନବବାଦୀ କାବ୍ୟଶିଳ୍ପୀମାନଙ୍କର ସାଧୁ ପ୍ରୟାସ ନିଶ୍ଚୟ ଏ ଦିଗରେ ଯୁଗାନ୍ତକାରୀ ପରିବର୍ତ୍ତନର ସୂତ୍ରପାତ ଘଟାଇ ପାରିବାର ସଂଭାବନାକୁ ଆଦୌ ଅସ୍ୱୀକାର କରାଯାଇ ନ ପାରେ । ମଣିଷ ପ୍ରତି ମଣିଷର ସ୍ନେହ, ଶ୍ରଦ୍ଧା, ଆଗ୍ରହ, ସମ୍ମାନ, ମମତା, ପ୍ରେମ, ଦୟା, କ୍ଷମା ଆଦି ସମାଜର ପରିବର୍ତ୍ତନ ଦିଗରେ ଅଧିକ ସାହାଯ୍ୟ କରିବ, ଏଥିରେ ମତଭେଦ ଥାଇ ନ ପାରେ । କବିଙ୍କର ‘ସ୍ମରଣିକା’ କବିତା ଗ୍ରନ୍ଥରେ ରହିଛି ଏକାଧିକ ସ୍ମରଣୀୟ କବିତା । ଦେଶ ଓ ଜାତିର ଗୌରବ ପ୍ରକ୍ଷାପନରେ କବି ରାଧାମୋହନଙ୍କର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦୃଶ୍ୟମାନ ହୁଏ, ତାହା ତାଙ୍କର ଗଭୀର ଜାତୀୟତାବୋଧର ଅଭ୍ରାନ୍ତ ପରିଚାୟକ ବ୍ୟତୀତ ଆଉ କ’ଣ ହୋଇପାରେ ? ଜଣେ ସ୍ଵାଧୀନଚେତା ମଣିଷ ଭାବରେ ମାନବୀୟ ଭାବାବେଗର ଚରମ ଅଭିଳାଷକୁ ସାର୍ବଜନୀନ ଭାବଧାରା ସହିତ ମିଶାଇ ଦେବାର ଉଦ୍ୟମ, ନିଶ୍ଚୟ ପ୍ରଶଂସନୀୟ ପଦକ୍ଷେପ ବୋଲି କୁହାଯାଇପାରେ । ରାଧାମୋହନ ଆଜୀବନ ଜଣେ ମାନ୍ତ୍ରିକ କବିଭାବରେ, ଯାହା ଦେଶ ଓ ଜାତି ପାଇଁ ହିତକର ତଥା କଲ୍ୟାଣକର ତାର ନିରାଜନା ତଥା ପୂଜାକରି ଯାଇଛନ୍ତି । ଭାରତୀୟ କାବ୍ୟଧାରାର ଜଣେ ଦୃଢ଼ ସମର୍ଥକ ଭାବରେ ଅତୀତ ଉତ୍କଳର ମହିମାବିମଣ୍ଡିତ ଘଟଣାର ବର୍ଣ୍ଣନାରେ ଗଭୀର ଆତ୍ମିୟତା ପ୍ରକାଶ ପୂର୍ବକ ଆତ୍ମ-ସନ୍ତୋଷ ଲାଭ କରିପାରିଛନ୍ତି ମଧ୍ୟ । ଐତିହ୍ୟ, ପରମ୍ପରା, ସଂସ୍କୃତି ତଥା ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ଵ ଆରୋପ କରି ଭିନ୍ନ ଭିନ୍ନ ୠଚିବୋଧକୁ ଆଧାର କରି କବିତା ରଚନାର ଏକ ସାର୍ଥକ ତଥା ଦୃଢ଼ ଦିଗ ନିର୍ମାଣରେ ରାଧାମୋହନଙ୍କର ଅବଦାନ ଏକାନ୍ତ ଭାବରେ ଚିର ସ୍ମରଣୀୟ ଅଟେ । ଓଡ଼ିଶାର ଲୋକକଥା, କିମ୍ବଦନ୍ତୀ, କାହାଣୀ, ପରମ୍ପରା ଆଦିକୁ ଯଥାଯଥ ମାନ୍ୟତା ପ୍ରଦାନରେ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ପୂର୍ଣ୍ଣମାତ୍ରାରେ ସକ୍ଷମ ହୋଇପାରିଛି । ଗାଥା କବିତା କ୍ଷେତ୍ରରେ ଗୋଦାବରୀଶଙ୍କ ପରେ ତାଙ୍କର ସ୍ଥାନ ରହିଥିବାବେଳେ ଗୀତି କବିତା ରଚନା କ୍ଷେତ୍ରରେ ଗଙ୍ଗାଧରଙ୍କର ଉତ୍ତର-ଦାୟାଦ ଭାବରେ ସୁବିଦିତ ହୋଇପାରିଛନ୍ତି-। ଓଡ଼ିଆ ଜାତିର ସ୍ଵାଭିମାନ ଓ ପରମ୍ପରାର ରକ୍ଷକ ଭାବରେ ତାଙ୍କର ସାରସ୍ଵତ ଉଦ୍ୟମର ଯେତେ ପ୍ରଶଂସା କରାଗଲେ ମଧ୍ୟ ତାହା ନ୍ୟୂନ ପରି ମନେହେବା ସ୍ୱାଭାବିକ । ସୁତରାଂ, ଉତ୍ତର-ତିରିଶ ଓଡ଼ିଆ କବିତାର ମଙ୍ଗୁଆଳ ତଥା ନିୟନ୍ତ୍ରକ ଭାବରେ ରାଧାମୋହନଙ୍କୁ ଗ୍ରହଣ କରାଯାଇପାରେ । ଅଧିକ ବୌଦ୍ଧିକତା ପ୍ରୟୋଗ ନ କରି ସ୍ଵଚ୍ଛ, ସରଳ, ନିର୍ମଳ ତଥା ସାବଲୀଳ ଭାଷା ଓ ଭାବର ପ୍ରୟୋଗରେ କବିତା ଅଧିକ ରସଶିକ୍ତ ଓ ଉପଭୋଗ୍ୟ ହୋଇପାରେ ବୋଲି ରାଧାମୋହନଙ୍କର ବ୍ୟକ୍ତିଗତ ଉପଲବ୍‌ଧି ରହିଥିଲା । ସେ କବିତାରେ ପରୀକ୍ଷା ନିରୀକ୍ଷା ନ କରି ପ୍ରାଣର ସ୍ଵତଃସ୍ଫୂର୍ତ୍ତ ଭାବକୁ ସରଳ, ତରଳ ପଦାବଳୀ ମଧ୍ୟରେ ପ୍ରକାଶ କରିବାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି । ଗୋପାଳକୃଷ୍ଣ, ବନମାଳୀ, ବଳଦେବ ଆଦି ମଧ୍ୟ ଯୁଗୀୟ କବିମାନେ ଯେପରି କବିତାରେ ସଂଗୀତମୟତାକୁ ପ୍ରାଧାନ୍ୟ ପ୍ରଦାନ କରି ଜନସାଧାରଣଙ୍କର ଚିତ୍ତକୁ ହରଣ କରିବାରେ ସକ୍ଷମ ହୋଇପାରିଲେ, ତଦୃପଭାବରେ ରାଧାମୋହନଙ୍କର କବିତା ଥିଲା ସଂଗୀତଧର୍ମୀ । ଓଡ଼ିଆ ଗୀତିକବିତାରେ ସଂଗୀତମୟତା ଯେପରି ଏକ ବିଶେଷ ଉପାଦାନ ଭାବରେ ଗୃହୀତ ଠିକ୍‌ ସେହିପରି ରାଧାମୋହନୀୟ ଧାରାରେ ସଂଗୀତ ହେଉଛି କବିତାର ପ୍ରାଣ । ଛନ୍ଦପ୍ରତି ଯଥୋଚିତ ଧ୍ୟାନ ଦେବାର ସହଜ ପ୍ରବୃତ୍ତି ବା ଆସକ୍ତି ରାଧାମୋହନଙ୍କର ଏକାନ୍ତ ଭାବରେ ନିଜସ୍ଵ ସହଜାତ ଗୁଣାବଳୀର ଅନ୍ତଃର୍ଭୁକ୍ତ । ସେ ତନ୍ମୟ ହୋଇ କବିତା ରଚନାର ଏକ ଅପୂର୍ବ ଶକ୍ତି ପ୍ରାପ୍ତ ହୋଇଥିବାର ପ୍ରତୀୟମାନ ହୁଏ । ତାଙ୍କର ‘ମୌସୁମୀ’ କବିତାଟି ଯେ Shalleyଙ୍କର ‘‘Ode to the west wind’’ କବିତା ପରି କ୍ରାନ୍ତିଦର୍ଶୀ କାବ୍ୟ ଧାରାର ପ୍ରତୀକ । କବିତା ଭିତରେ କବିର ଅନ୍ତରାତ୍ମା ଜଡ଼ିତ ଥାଏ । କବି, କବିତା ଓ ପାଠକ ଏକ ଓ ଅଭିନ୍ନ ହୋଇପାରିଲେ ଯାଇ ଏକ ସୁନ୍ଦର ପରିବେଶଟିଏ ସୃଷ୍ଟି କରାଯାଇପାରେ । କବି ବହୁଭାବରେ ନିଜସ୍ଵ ଶୈଳୀ ଓ ଢଙ୍ଗରେ କବିତା ରଚନା କରନ୍ତି ଓ ତାହା ପାଠକୀୟ ସମାଜର ଆଦର ଲାଭ କରିବାରେ ସକ୍ଷମ ହୋଇପାରିଥାଏ । ରବୀନ୍ଦ୍ର ନାଥଙ୍କର ‘‘ବୈଶାଖ’’, କବି ପଦ୍ମଚରଣ ପଟ୍ଟନାୟକଙ୍କର ‘‘ବୈଶାଖ’’ ଏବଂ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ‘‘ଆସିଛି ବୈଶାଖ ରୁଦ୍ର’’, ଆଦି କବିତାମାନଙ୍କର ସମଧର୍ମ । କବିତା ଭାବରେ ମଧ୍ୟ ‘‘ମୌସୁମୀ’’ କବିତାକୁ ଆନ୍ତରିକତାର ସହିତ ଅନୁଧ୍ୟାନ ଏବଂ ଅଧ୍ୟୟନ କରାଯାଇପାରେ । ତେଣୁ ‘‘ମୌସୁମୀ’’ କବିତାରେ କବି ରାଧାମୋହନଙ୍କର ଯେଉଁ କ୍ରାନ୍ତିକାରୀ ଭାବଧାରା ପ୍ରକାଶ ଘଟିଛି, ତାହା ଏକ ଯୁଗାନ୍ତକାରୀ ଘଟଣା ଭାବରେ ମଧ୍ୟ ଉଲ୍ଲେଖ କରାଯାଇପାରେ । ଅଧିକନ୍ତୁ, ରାଧାମୋହନଙ୍କ କାବ୍ୟ-ମାନସ ସଂପର୍କରେ ଆଲୋକପାତ କରିବାକୁ ଯାଇ ସମାଲୋଚକ ଡକ୍ଟର ନିତ୍ୟାନନ୍ଦ ଶତପଥି ତାଙ୍କର ‘ସବୁଜରୁ ସାଂପ୍ରତିକ’ ଗ୍ରନ୍ଥରେ ଯଥାର୍ଥରେ କହିଛନ୍ତି, ‘‘କବି ରାଧାମୋହନଙ୍କ କାବ୍ୟମାନସର ଏଇ ବ୍ୟତିକ୍ରମ ବେଶ୍‌ ଉପଭୋଗ୍ୟ । କାରଣ ବ୍ୟସ୍ତଗୋଧୂଳିର ଏହି କବି ତାଙ୍କ ଅଲକ୍ଷରେ ଭାଙ୍ଗି ପଢ଼ୁଥିବା ସାମାଜିକ ମୂଲ୍ୟବୋଧ ଓ ଯୁଦ୍ଧଜନିତ କ୍ଷୟକ୍ଷତିକୁ ଉପଲବ୍ଧି କରିବାକୁ ଚାହିଁ ନାହାନ୍ତି କିମ୍ବା ତାଙ୍କ ଚେତନାରେ ଏସବୁ କୌଣସି ଆଲୋଡ଼ନ ସୃଷ୍ଟି କରିନାହିଁ । ସେହି ନିଶବ୍ଦ ଓ ନିଶ୍ଚିତ ଅବକ୍ଷୟର ଚେହେରା ସମସାମୟିକ କବିମାନଙ୍କୁ ଖୁବ ବେଶି ଆଚ୍ଛନ୍ନ କରିଥିଲାବେଳେ କବି ଗଡ଼ନାୟକଙ୍କ ପ୍ରାକ୍‌ ଯୁଦ୍ଧକାଳୀନ ସୃଷ୍ଟି ଧାରା ପାୟ ୧୯୬୧ ପର୍ଯ୍ୟନ୍ତ ତଥାପି ଅପ୍ରତିହତ । କିନ୍ତୁ ମୌସୁମୀ କବିତାରେ ଏହି ଚେତନାର ଏକ ଭିନ୍ନ ଦିଗ ପ୍ରଥମେ ହିଁ ଉପଲବ୍‌ଧି କରାଯିବ । ରୋମାଣ୍ଟିକ୍‌ ପରିକଳ୍ପନା ହେଲେବି ‘ମୌସୁମୀ’ରେ ରହିଛି ବିପ୍ଳବର ଇଂଗିତ ।’’ ରାଧାମୋହନ ପ୍ରେମ ଓ ପ୍ରଣୟର କବି ହେଲେ ବି ଜଣେ ବିପ୍ଳବି ତଥା ବିଦ୍ରୋହୀ କାବ୍ୟଧାରାର ଦୃଢ଼ ସମର୍ଥକ । କବିତା ଭିତରେ ବିପ୍ଳବର ଏକନିନାଦ ଅବଶ୍ୟ ଶୁଣିବାକୁ ମିଳିଥାଏ ସୌନ୍ଦର୍ଯ୍ୟାତ୍ମକ ଶୈଳୀରେ । ଜୀବନ ଯୁଦ୍ଧରେ ରକ୍ତାକ୍ତ ସଂଗ୍ରାମ କରିବା ପାଇଁ କବି ଗଭୀର ଆଶା, ବିଶ୍ଵାସ ଓ ଆକାଂକ୍ଷା ପୋଷଣ ପୂର୍ବକ ଗାଇଛନ୍ତି -

 

‘‘ନମ୍ର ନୁହଇ, କମ୍ର ନୁହଇ, ନୁହଇ ଧୀର

ଉଗ୍ର ମୁଁ ଆଜି, ବ୍ୟଗ୍ର ମୁଁ ଆଜି ଅଗ୍ରସର ।’’

 

ଉତ୍ତର-ତିରିଶ ଓଡ଼ିଆ କାବ୍ୟଧାରାକୁ ନୂତନ ମୋଡ଼ ପ୍ରଦାନ କରିବାରେ ରାଧାମୋହନଙ୍କ ପ୍ରଚେଷ୍ଟା ନିଶ୍ଚୟ ଏକ ବଳିଷ୍ଠ ପଦକ୍ଷେପ ବୋଲି ସ୍ଵୀକାର କରାଯାଇପାରେ । କବିତାରେ ଆଧୁନିକତା ଆନୟନ କ୍ଷେତ୍ରରେ ତାଙ୍କର ସଫଳ ପ୍ରୟାସ ରହିଛି ପ୍ରଚୁର ପରିମାଣରେ । ସମସାମୟିକ କବିମାନଙ୍କଠାରୁ ଯଥେଷ୍ଟ ଦୂରତ୍ୱ ରକ୍ଷା କରି ଏକ ସର୍ବଜନବୋଧ୍ୟ କାବ୍ୟଧାରାର ପ୍ରଚଳନ କରିବାରେ ସେ ଥିଲେ ପକ୍ଷପାତୀ । ଜୀବନ ଓ ଜଗତର ସକଳ ଅନୁଭୂତିକୁ ଆଧାର କରି ଜୀବନବାଦୀ ସାହିତ୍ୟ ସୃଷ୍ଟିରେ ପ୍ରେରଣା ସେ ପାଇଛନ୍ତି ପୂର୍ବଜ କବିମାନଙ୍କ ପାଖରୁ । ଏଣୁ ଜଣେ ସମୟ ଓ କଳା ସଚେତନ ମାନବବାଦୀ କାବ୍ୟଶିଳ୍ପୀ ଭାବରେ ସାଧାରଣ ଭିତରେ ଅସାଧାରଣତା ଓ ସାମାନ୍ୟ ଭିତରେ ଅନନ୍ୟର ଉପଲବ୍‍ଧି ବିଶେଷ ଭାବରେ ଦୃଶ୍ୟମାନ ହୁଏ ତାଙ୍କର ସୃଷ୍ଟି-ସମ୍ଭାର ମଧ୍ୟରେ । ‘‘ସୂର୍ଯ୍ୟ ଓ ଅନ୍ଧକାର’’ (୧୯୭୪) କବିତା ଗ୍ରନ୍ଥ ତାଙ୍କର କବିତ୍ୱର ଶ୍ରେଷ୍ଠ ପରିଚାୟକ ଭାବରେ ସ୍ୱୀକୃତ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିବାରେ ସକ୍ଷମ ହୋଇ ପାରିଥିଲେ । ସୁତରାଂ, ତାଙ୍କ କବିତ୍ୱ ଶକ୍ତିର ଅମଳିନ ପ୍ରତିଭାର ଚରମ ତଥା ପରମ ନିଦର୍ଶନ ଭାବରେ ଏହି କବିତା ଗ୍ରନ୍ଥକୁ ନିର୍ବିବାଦରେ ଗ୍ରହଣ କରାଯାଇପାରେ । ଓଡ଼ିଶାର ବରିଷ୍ଠ ସମାଲୋଚକ ଡ ମାୟାଧର ମାନସିଂହ ତାଙ୍କର ‘ଓଡ଼ିଆ ସାହିତ୍ୟର ଇତିହାସ’ ଗ୍ରନ୍ଥରେ କବି ରାଧାମୋହନଙ୍କ ପ୍ରତି ଗଭୀର ଆସକ୍ତ ହୋଇ ସ୍ଵୀକୃତି ଜଣାଇବାକୁ ଯାଇ ଲେଖିଛନ୍ତି, ‘‘ଗଡ଼ନାୟକଙ୍କର ସମସ୍ତ ମୌଳିକ କବିତା ନିର୍ଦୋଷି ଯତିପାତ ଓ ଛାନ୍ଦସିକ ଅନବଦ୍ୟତା ହେତୁ ଶ୍ରୁତିସୁଖକର ଓ ଉପଭୋଗ୍ୟ । ଓଡ଼ିଆ ସାହିତ୍ୟରେ ଛନ୍ଦ ଧୁରନ୍ଧର ଭାବରେ ଗଡ଼ନାୟକଙ୍କର ଶ୍ରେଷ୍ଠତା ଅପ୍ରତିନ୍ଦ୍ୱନ୍ଦୀ ।’’ ଯଥାର୍ଥରେ ଓଡ଼ିଆ ବାଣୀ ଭଣ୍ଡାରକୁ ବହୁ ଦିଗରୁ ସୁସମୃଦ୍ଧ ଓ ଐଶ୍ୱର୍ଯ୍ୟମୟ କରିପାରିଥିବା କବିମାନଙ୍କ ମଧ୍ୟରୁ ଶ୍ରୀ ଗଡ଼ନାୟକ ହେଉଛନ୍ତି ଅନ୍ୟତମ ସାରସ୍ଵତ ସାହିତ୍ୟ ସାଧକ-

 

ଶ୍ରୀ ଗଡ଼ନାୟକଙ୍କ ଦ୍ଵାରା ରଚିତ ‘ପଶୁପକ୍ଷୀର କାବ୍ୟ’ (୧୯୫୭ରେ ରଚିତ ଓ ୧୯୫୯ରେ ପ୍ରକାଶିତ) ଓଡ଼ିଆ କାବ୍ୟଧାରାରେ ନବଦିଗନ୍ତ ଉନ୍ମୋଚନରେ ସହାୟକ ହୋଇପାରିଛି । ମାନବେତ୍ତର ପ୍ରାଣୀମାନଙ୍କ ପ୍ରତି କବିଙ୍କର ସ୍ନେହ ପ୍ରବଣ ମାନସିକତାର ପରିଚୟ ଦୃଷ୍ଟିଗୋଚର ହୋଇଥାଏ । ପଶୁ ଓ ପକ୍ଷୀମାନଙ୍କ ପ୍ରତି ଅସୀମ ଦରଦ ରହିଛି ତାଙ୍କର ପ୍ରାଣରେ । ସୁତରାଂ, ସେ କେବଳ ମଣିଷ ପ୍ରତି ନୁହେଁ, ବରଂ ସାଧାରଣ ଜୀବଜନ୍ତୁମାନଙ୍କୁ ମଧ୍ୟ କବିତାର ପରିସରଭୁକ୍ତ କରିପାରିଛନ୍ତି । ତାଙ୍କର ଦୃଷ୍ଟିରେ ରହିଛି ସମଗ୍ର ଜୀବଜଗତ ପ୍ରତି ପ୍ରେମ, ଶ୍ରଦ୍ଧା, ସ୍ନେହ ଓ ମମତ୍ୱବୋଧର ଅଫୁରନ୍ତ ଉତ୍ସ । ଯାହା କେବେବି ନିର୍ବାପିତ ହୋଇନାହିଁ । ରାଧାମୋହନ କବିତାର ବହୁ ଦିଗକୁ ସ୍ପର୍ଶ କରି ପାରିଛନ୍ତି ଅନାୟସରେ । ତାଙ୍କ ପାଇଁ କବିତା ହୋଇଯାଇଛି ଏକାନ୍ତ ଭାବରେ ନିଜସ୍ଵ । କବିତାର ପ୍ରବହମାନ ଧାରାରେ ସେ ଆପଣାର ପୃଥକ ପରିଚୟ ସୃଷ୍ଟି କରିପାରିଛନ୍ତି । ସମାଲୋଚକ ଡ. କୁଞ୍ଜବିହାରୀ ଦାଶ ତାଙ୍କର ‘ଗଡ଼ନାୟକଙ୍କ ବ୍ୟକ୍ତିତ୍ୱ ଓ ରଚନାଶୈଳୀ’ ପ୍ରବନ୍ଧରେ ଯଥାର୍ଥରେ ରାଧାମୋହନଙ୍କ ସଂପର୍କରେ ଲେଖିଛନ୍ତି, ‘‘ସେ ଉତ୍କଳୀୟ ନବ୍ୟ ରୋମାଣ୍ଟିକ୍‌ ଯୁଗର କବି, କିନ୍ତୁ ସେ ରାଧାନାଥଙ୍କ ପରି ଦୁଃଖବାଦୀ ନୁହନ୍ତି । ସ୍ଵପ୍ନ କେବେ ତାଙ୍କୁ ପଥହରା କରି ନାହିଁ । ଲଗାମ ଛାଡ଼ି ସେ କଳ୍ପନା ରାଜ୍ୟରେ ଉଡ଼ି ବୁଲି ନାହାନ୍ତି । ତାଙ୍କ ସ୍ଵପ୍ନ ବିଳାସ ବାସ୍ତବତାକୁ ସଞ୍ଜୀବିତ କରିଛି । କଠୋର ବାସ୍ତବତାକୁ କେଉଁଠି ଏଡ଼ି ଯାଇନାହିଁ ।’’ ଗଡ଼ନାୟକ ନବ୍ୟ ରୋମାଣ୍ଟିକ୍‌ ଯୁଗର କବି ହେଲେ ମଧ୍ୟ ଗଙ୍ଗାଧରଙ୍କ ପରି ସାରସ୍ଵତ ସ୍ରଷ୍ଟାଟିଏ । ଆଜୀବନ ସେ କେବେହେଲେ ଆଦର୍ଶ, ନୀତି ଓ ସାମାଜିକ ନିୟମର ପଥକୁ ପରିହାର କରି ନାହାନ୍ତି । ବରଂ, ତାଙ୍କ କବିତାରେ ସଂଜମତା, ଦେଶପ୍ରାଣତା, ଜାତୀୟତା, ମମତ୍ୱବୋଧ ତଥା ଆନ୍ତରିକତାର ଉତ୍ସ ଠୁଳିଭୂତ ହେବାର ଲକ୍ଷ୍ୟ କରାଯାଇପାରେ ଅଧିକତର ଭାବରେ । ଓଡ଼ିଆ ସାହିତ୍ୟରେ ପ୍ରାୟତଃ ୧୯୩୦ରୁ ୧୯୭୦ ମସିହା ପର୍ଯ୍ୟନ୍ତ ଯେଉଁ ମାନବବାଦୀ ଚେତନାର ପ୍ରବାହ ସୃଷ୍ଟି କରିଯାଇଛନ୍ତି, ତାହା ତାଙ୍କୁ ଚିରକାଳ ଅମର, ଅଜୟ କରି ରଖିବ ।

 

 

ଗ୍ରାମ/ପୋ : ଦଲଦଲି

ଭାୟା : କୁଣ୍ଡୁକେଲା

ଜିଲ୍ଲା : ସୁନ୍ଦରଗଡ଼- ୭୭୦୦୧୯

 

***

 

ବିଭାବନ ସାମର୍ଥ୍ୟର କବି ରାଧାମୋହନ

ଜ୍ଞାନରଞ୍ଜନ ପଣ୍ଡା

 

ବିଂଶ ଶତକର ତୃତୀୟ ଦଶକରୁ ଅଷ୍ଟମ ଦଶକ ମଧ୍ୟରେ ଓଡ଼ିଆ କବିତାକୁ ନୂତନ ଆଭିମୁଖ୍ୟରେ ଅତୀତ-ବର୍ତ୍ତମାନ-ଭବିଷ୍ୟତର ମାନବିକ ଉଦାର ଭାବନା, ସ୍ୱପ୍ନ ସତ୍ୟ, ଆଶା ଓ ଦାୟବଦ୍ଧତାକୁ କବିତା କଳାରେ ଗୁମ୍ଫନ କରି କବି ରାଧାମୋହନ ଗଡ଼ନାୟକ ଆଧୁନିକ ଓ ପାରମ୍ପରିକ ଆଲୋକର ମଧୁର ସମନ୍ଵୟ ସାଧନ କରିଛନ୍ତି । ସବୁଜ ସମକାଳରେ ସର୍ଜ୍ଜନା ଆରମ୍ଭ କରିଥିବା ଏହି କବି ଜଣଙ୍କ ଆପଣାର ସାହିତ୍ୟ ସାଧନାର କାଳଖଣ୍ଡ ମଧ୍ୟରେ ଉଭୟ ଉପନିବେଶବାଦୀ ଓ ଉତ୍ତର ଉପନିବେଶବାଦୀ ସମୟକୁ ବ୍ୟକ୍ତିଗତ-ସାମାଜିକ-ରାଜନୀତିକ-ଚେତନା ସ୍ତରୀୟ ଉପଲବ୍ଧିରେ କବିତାରେ ରୂପ ଦେଇଛନ୍ତି । କବି ହେବା ଲାଗି ବ୍ୟାକୁଳ ଏଇ ଗଡ଼ନାୟକଙ୍କ କବିତାଗୁଡ଼ିକ ପଢ଼ିଲାପରେ କାହିଁକି ଆମ ଭିତରେ ଶିହରଣ ଖେଳିଯାଏ ପାଠକେ ? ଏଇ କବିଙ୍କ କବିତାର ଅନ୍ତର୍ନିହିତ ସୂତ୍ରଟି ଜାଣିବା ପାଇଁ ମନରେ ଉତ୍ସୁକତା ଆସିଲାଣି । ଏଥର ଏଇ କବିତାଟିକୁ ନଜର ପକାନ୍ତୁତ-

 

‘‘କବି ହେବା ପାଇଁ ବାସନା ମୋର

କବିତା ଲେଖେ ମୁଁ କବିତା ଲେଖେ

କବିତା ପରମ ଶ୍ରେୟସୀ ମୋର

କବିତା ପରମ ପ୍ରେୟସୀ ମୋର

ଅନ୍ତରେ ତା’ର ମୂରତି ଦେଖେ ।’’

 

କ’ଣ ଲକ୍ଷ୍ୟ କଲେ ପାଠକେ ? ଗଡ଼ନାୟକଙ୍କର କବି ହେବାର ବାସନା, କବି ଭାବେ ନିଜକୁ ବୋଲାଇବା ନୁହେଁ, କବିତାକୁ ନିଜଠାରୁ ଆହୁରି ଭଲ ପାଇବା, ଜୀବନର ସଙ୍ଗୀ ଭାବେ ମାନିନେବା, ନିଜକୁ କବିତା ଭିତରେ ହଜାଇଦେବାର ଆନନ୍ଦରେ ଲୁଚି ରହିଛି, ଏମିତି କବିପ୍ରାଣ ଲୋକଟିକୁ ଭେଟିଲା ପରେ ମନରେ ପ୍ରଶ୍ନ ଆସୁଛି, ଏ କବିଙ୍କ କବିତାର ଦୁର୍ଗକୁ ପ୍ରବେଶ କରିବା ପୂର୍ବରୁ କେଉଁ ଦ୍ଵାର ଦେଇ ଯିବାକୁ ହେବ ! ଏଇ ସଂଶୟର ଅବସାନ ଘଟୁ । ତାଙ୍କ କବିତା ରାଜ୍ୟକୁ ଯିବା ପୂର୍ବରୁ ‘ଆଧୁନିକତାର ପରମ୍ପରା’ ପୁସ୍ତକରେ ଆଲୋଚକ ହରପ୍ରସାଦ ଦାସ ଯେଉଁ ମନ୍ତବ୍ୟଟି ଦେଇଛନ୍ତି, ତାହା ହିଁ ହେଉ ପ୍ରବେଶ ଦ୍ଵାର । ଶ୍ରୀଯୁକ୍ତ ଦାସଙ୍କ ଭାଷାରେ, ‘‘ଶବ୍ଦର ଧ୍ଵନି ସମ୍ଭାର ନେଇ, ଜୀବନର ଯାତ୍ରା ପଥରେ ଲହୁ ଲୁହାଣ ପାଦ ଯୋଡ଼ିକ ଥୋଇ ଦେଇଥିବା କବି ଜଣକ ପ୍ରେମିକ ନା ଯୋଦ୍ଧା ? ରାଧାମୋହନ ? ନା ଗଡ଼ନାୟକ ? ନା ଏମିତି ଜଣେ, ଯିଏ ରାଧାର ମୋହନ ହେଲାବେଳେ ଭୁଲିନାହାନ୍ତି ଯେ, ସ୍ମୃତିର ଅବଶେଷରେ ଗଢ଼ା ଗୋଟାଏ ଛାୟା ଦୁର୍ଗର ସେ ଶେଷ ପ୍ରହରୀ ଓ ଶେଷ ନାୟକ, ଓଠରେ ତାଙ୍କର ବିଷାଦର ଶ୍ୟାମଳ ହସ, ଆଖିରେ ଆଶାର ରକ୍ତିମା, ହାତର ଖର ଶାସନ କିନ୍ତୁ ପାଦ ଧୂଳିଧୂସର ଓ କ୍ଲାନ୍ତିରେ ମନ୍ଥର । କବିତା ତାଙ୍କର ରାଧା, ସ୍ମୃତିର ମାଟି ତାଙ୍କର ଗଡ଼ ।’’ ଏଇ ମନ୍ତବ୍ୟକୁ ପ୍ରବେଶଦ୍ଵାର କରି ଗଡ଼ନାୟକଙ୍କ କବିତା ପରିଧିକୁ ପ୍ରବେଶ କରିବାରେ କୌଣସି ପାଣ୍ଡିତ୍ୟ ପ୍ରଦର୍ଶନର ଉଦ୍ଦେଶ୍ୟ ନାହିଁ ପାଠକେ, ବରଂ ମହତ ଲେଖାମାନେ ଆମ ମାନସିକତାରେ ଆଚ୍ଛନ୍ନ ହୋଇ ଆମକୁ ଠିକଣା ସମୟରେ ପଥ ଦେଖାନ୍ତି, ଆମ ହୃଦୟରେ ବସା ବାନ୍ଧି ରହିଥାନ୍ତି, ଏହା ହିଁ ସାମାନ୍ୟ ଉଦ୍ଦେଶ୍ୟ ।

 

ସବୁଜ ସମକାଳରେ ସବୁଜ ପନ୍ଥୀଙ୍କ ସ୍ଵଚ୍ଛନ୍ଦତାବାଦୀ କାବ୍ୟଗଢ଼ଣ ଧାରାରେ ରାଧାମୋହନଙ୍କ କାବ୍ୟ-କବିତାର ଆବେଦନ ସ୍ଵତନ୍ତ୍ର ବ୍ୟତିକ୍ରମ ଭାବରେ ମୂଲ୍ୟାୟିତ ହେବାର ଯଥାର୍ଥ୍ୟ ବହନ କରିଛି । କାରଣ ସତ୍ୟବାଦୀ ସାହିତ୍ୟ ସ୍ରୋତର ଏତିହ୍ୟ ପ୍ରୀତି, ସବୁଜବାଦୀ କାବ୍ୟ ଧାରାର ଆବେଗିକ ବ୍ୟକ୍ତିନିଷ୍ଠ ପୁଲକବାଦୀ ଦୃଷ୍ଟିଭଙ୍ଗୀ, ସମାଜ ତାତ୍ତ୍ୱିକ ପ୍ରଗତିବାଦୀ ଚିନ୍ତାଧାରାର ବାସ୍ତବାଦୀ ଦିଗ ସହିତ ଆଦର୍ଶବାଦୀ ମାନବିକତାକୁ କବିତାର ପରିସରଭୁକ୍ତ କରିଥିବା ଗଡ଼ନାୟକଙ୍କ କାବ୍ୟ ମାନସ ସଚେତନ ରହି ଏକ ରୋମାଣ୍ଟିକ୍‌ ଜାତୀୟତାବାଦୀ ଉଦାର କାବ୍ୟବଳୟଟିଏ ଓଡ଼ିଆ କବିତାରେ ସୃଷ୍ଟି କରିପାରିଛି । ତାଙ୍କ ସୃଷ୍ଟି ସମ୍ଭାର ମଧ୍ୟରେ ‘କାବ୍ୟନାୟିକା’, ‘ପଶୁପକ୍ଷୀର କାବ୍ୟ’, ‘ଉତ୍କଳିକା’, ‘କୈଶାରିକା’, ‘ଶାମୁକାର ସ୍ଵପ୍ନ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’, ‘ବନରାଜିଲୀଳା’ ପ୍ରଭୃତି ଉଭୟ ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟ ଖଣ୍ଡରେ ତାଙ୍କୁ ସନ୍ଧିକ୍ଷଣର ମହତ ସ୍ପଷ୍ଟା ଭାବେ ସ୍ଵୀକୃତି ଦେଇଛି ।

 

ପାଠକେ ! ରାଧାମୋହନଙ୍କ କବିତା ଓଡ଼ିଆ କବିତା କ୍ଷେତ୍ରରେ ଯେଉଁ ସ୍ଵତନ୍ତ୍ରତା ନିର୍ମାଣ କରିଛି, ସେ ବିଷୟରେ ଅବଗତ ନ ହେଲେ, ତାଙ୍କ କବି ପ୍ରତିଭା ପ୍ରତି ଆମେ ଅନ୍ୟାୟ କରି ବସିବା-। ଏଣିକି ଆଗକୁ ଚାହାନ୍ତୁ ତ ! ଇନ୍ଦ୍ରିୟ ଆକର୍ଷଣରୁ ଭାବସ୍ତରର ଆକର୍ଷଣରେ କାବ୍ୟାନୁଭବକୁ ରୂପାନ୍ତର କରିବାରେ ବଳଶାଳୀ ମାଧ୍ୟମ ରୂପେ ଛନ୍ଦର ଆରୋହଣ-ଅବରୋହଣ-ଉତ୍‌ଥାପନ ବିଧିରେ ରାଧାମୋହନ ଓଡ଼ିଆ କବିତାକୁ ଅପୂର୍ବ ଛନ୍ଦ ମାଧୁର୍ଯ୍ୟର ସମ୍ମିଶ୍ରଣରେ ବିଖଣ୍ଡିତ କରିଦେଇଛନ୍ତି । କବିତା ମାଧ୍ୟମରେ ଉତ୍କଳୀୟ ସ୍ଵାଭିମାନକୁ ଆଧୁନିକ କରି ଗଢ଼ି ତୋଳିବା ପାଇଁ ଓ ଭାରତୀୟ ଐତିହ୍ୟକୁ ସାମ୍ପ୍ରତିକ ମାନସ ସହିତ ଯୋଡ଼ି ଏକ ଉଦ୍‌ବୁଦ୍ଧ ମଣିଷ ପଣିଆ ନିର୍ମାଣ କରିବା ପାଇଁ ତାଙ୍କ କାବ୍ୟସତ୍ତା ଇତିହାସର ପୁନଃନିର୍ମାଣକୁ ଆଶ୍ରୟ କରିଛି । ଏହି ଦୃଷ୍ଟିରୁ ତାଙ୍କ କାବ୍ୟ ଶବ୍ଦ ସଂଯୋଜନା ବିନ୍ୟାସକୁ ଓଡ଼ିଆ କବିତା କ୍ଷେତ୍ରରେ ଅଣକଳ୍ପିତ ପୂର୍ବ ଭାବରେ ବିବେଚନା କରିବାରେ କୌଣସି ଆପତ୍ତି ନାହିଁ । ସାଂସ୍କୃତିକ ଶବ୍ଦ ମନସ୍ତାତ୍ତ୍ୱିକ ଶବ୍ଦ, ସମାଜତାତ୍ତ୍ୱିକ ଶବ୍ଦ, ବିଜ୍ଞାନ ସମ୍ମତ ଶବ୍ଦ, ପାରମ୍ପରିକ କାବ୍ୟ ଶବ୍ଦ, ପୁରାଣ ଅବବୋଧର ଶବ୍ଦ, ଧ୍ୱନ୍ୟାତ୍ମକ ବର୍ଣ୍ଣବିନ୍ୟାସର ଶବ୍ଦ ସହିତ ଆଞ୍ଚଳିକ ଲୋକକଥିତ ଗ୍ରାମୀଣ ଶବ୍ଦର ଇନ୍ଦ୍ରିୟ ଭାବ ପ୍ରବୋଧନା ଧର୍ମୀ ବିନ୍ୟାସ ତାଙ୍କ କବିତା ରଚନାର ସ୍ୱାତନ୍ତ୍ର୍ୟ ଭାବେ ଗ୍ରହଣୀୟ । ମିଥ୍‌, ରୂପକଳ୍ପ, ପ୍ରତୀକଗୁଡ଼ିକ ଦୃଷ୍ଟାନ୍ତଧର୍ମୀ ନମୁନା ଓ ଭାବ ନିର୍ମାଣ ଧର୍ମୀ ବିଶ୍ଵ ଧର୍ମରେ ପାଠକକୁ ଚମତ୍କୃତ କରିପାରିଛି, ତେବେ ତାଙ୍କ କବିତା ପାଠକକୁ ଅଭିଭୂତ କରିବାର ଯେଉଁ କୌଶଳଟି ଆପଣାଇଛି, ଏ ନେଇ ଆଗ୍ରହୀ ହୋଇ ଉଠିବେଣୀ ପାଠକେ ! ତେଣୁ ଏଇ ପରିପ୍ରେକ୍ଷୀରେ ସମାଲୋଚକ ଡକ୍ଟର ସନ୍ତୋଷ ତ୍ରିପାଠୀ ‘ନିର୍ମିତି-ନିର୍ମାଣୀ’ ପୁସ୍ତକରେ କବିତା ନିର୍ମାଣ ଓ ଆବୃତ୍ତିକଳା ସଂପର୍କରେ ଦେଇଥିବା ମନ୍ତବ୍ୟଟିକୁ ଅଧୁନା ଉଦ୍ଧାର କଲେ କୌଣସି ଅସୁବିଧା ହେବ ନାହିଁ । ଡ. ତ୍ରିପାଠୀଙ୍କ ମତରେ, ଅଭିବ୍ୟକ୍ତିରେ ଶାବ୍ଦିକ ସରଳତା, ଶବ୍ଦ ବସାଣରେ ଛାନ୍ଦସିକ କଳାମାତ୍ରିକ ଚଢ଼ାଉତ୍ତରୀ ତାନିକତା (Rhythmic) ଓ ତାନଯୁକ୍ତ ଶବ୍ଦର ଆବୃତ୍ତିଗତ ମଧୁରତା ଗଡ଼ନାୟକଙ୍କ ପ୍ରତ୍ୟେକ କବିତାର ପଙ୍‌କ୍ତିକୁ ଅନୁସରଣନାତ୍ମକ ଧର୍ମରେ ମର୍ମସ୍ପର୍ଶୀ କରିତୋଳିଛି । ନିଜ କବିତାକୁ ରାଧାମୋହନ ଭାବ ସଂକ୍ରମଣ ଧର୍ମ କଣ୍ଠରେ ଗୀତିମୟ ଓ ଛନ୍ଦତାଳିକ କରି ଆବୃତ୍ତି କରିବାବେଳେ ପାଠକ ନିଜକୁ ବିସ୍ମରି ତାଙ୍କ କବିତାର ଭାବଗଡ଼ରେ ଆପଣାକୁ ନାଏକ ଭାବେ ବିଚରଣ କରାଏ । ଲାଳିତ୍ୟ ଓ ଗାମ୍ଭୀର୍ଯ୍ୟ ମିଳନିକା ଭିତରେ ଗଡ଼ନାୟକଙ୍କ କବିତା ଆବୃତ୍ତି ମାନ୍ତ୍ରିକ ଶକ୍ତିରେ ଶ୍ରୋତା ପାଖରୁ ତା’ର ଅସ୍ତିତ୍ୱକୁ କବିତାର ଭାବବଳୟ ଭିତରକୁ ଆକର୍ଷି ଆଣିବାରେ ସମର୍ଥ ହୋଇଥାଏ ।’’ ଏଇ ତେବେ ଗଡ଼ନାୟକଙ୍କ କବିତାର କୌଶଳ ? ଏଣିକି ଚକ୍ଷୁ ବିସ୍ତାରିତ ହେବାକୁ ଲାଗିଲାଣି ପାଠକେ ! ରାଧାମୋହନଙ୍କ କାବ୍ୟ ପ୍ରକରଣ ଆହ୍ୱାନ କଲାଣି, ତାକୁ ଭେଟିବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ବିସ୍ତୃତ ଗାଥାକାବ୍ୟ ପରମ୍ପରାକୁ ସର୍ବଶ୍ରେଷ୍ଠ ଆବେଦନ ସ୍ତରରେ ପହଞ୍ଚାଇବାରେ ଗଡ଼ନାୟକଙ୍କ ଅବଦାନ ଓଡ଼ିଆ କବିତାରେ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟିକରିଛି । ଇତିହାସ, ପୁରାଣ, ଜନଶ୍ରୁତି ଓ ତାତ୍କାଳିକ ବାସ୍ତବ ଘଟନାକୁ ନେଇ ରାଧାମୋହନଙ୍କ ଗାଥା କବିତା ପରିକଳ୍ପିତ । ଇତିହାସ ଓ ପୁରାଣରୁ ପ୍ରସଙ୍ଗ ନିର୍ବାଚନ କରି କାବ୍ୟବୃତ୍ତ ନିର୍ମାଣ କଲାବେଳେ ତାଙ୍କ କବିମାନସ ସ୍ଥାନୀୟତାକୁ ଆଧାର କରିଛି ତ କେବେ ସ୍ଥାନୀୟତାକୁ ସର୍ବକ୍ଷେତ୍ରୀୟରେ ପରିଣତ କରିଦେଇଛି । ଏହି ଦୃଷ୍ଟିରୁ ଉତ୍କଳର ଅନେକ ଅଜ୍ଞାତ ଘଟନା, ଇତିହାସର ପ୍ରେରଣାମୟୀ ଚରିତ୍ର ଓ କାହାଣୀ ଯେପରି କାବ୍ୟଗୌରବ ପ୍ରାପ୍ତ ହୋଇଛି, ସେହିପରି ଭାରତର ଅନ୍ୟ ପ୍ରାନ୍ତୀୟ ଇତିହାସ ଓ ପୁରାଣର କାହାଣୀଗୁଡ଼ିକ ତାଙ୍କ ଲେଖନୀରେ ପୁନର୍ଗଠିତ ହୋଇଛି । ଇତିହାସକୁ ସମକାଳୀନ ବାସ୍ତବତା ସହିତ ଯୋଡ଼ି ତା’ ମାଧ୍ୟମରେ ଉତ୍କଳୀୟ ବୈଶିଷ୍ଟ୍ୟ ଓ ଭାରତୀୟ ଜାତୀୟତାବାଦୀ ମାନସିକତାଟିଏ ତିଆରି କରିବା ପାଇଁ ରାଧାମୋହନ କାବ୍ୟମାନସ ସତତଃ ଚେଷ୍ଟିତ ହୋଇଛି । ଲୋକକଥା-କିମ୍ବଦନ୍ତୀ-ଜନବିଶ୍ୱାସରେ ରହିଥିବା ଚରିତ୍ରମାନଙ୍କର ମହିମାକୁ କାହାଣୀ ଭାବରେ ଅନୁପମ କବିତା ଛନ୍ଦରେ କବି ପ୍ରକାଶ କରିଛନ୍ତି । ତେବେ ଏଠାରେ ଆଉ ଏକ ପ୍ରଶ୍ନ ଉଠେ, ଗାଥାକୁ ନେଇ ଗଡ଼ନାୟକଙ୍କ ନୂତନତା କ’ଣ ? ଯାହା ଅପାଙ୍‌କ୍ତେୟ, ଅଲୋଡ଼ା, ଇତିହାସର ବକ୍ଷରେ ପଡ଼ି ରହିଥାଏ । ସେହି ଅଦେଖା, ଅଶୁଣା, ଅଜଣାକୁ କାଳଖଣ୍ଡର ଅତଳ ଗର୍ଭରୁ ସାଉଁଟି ନେଇ ନୂତନ ଓ ସମକାଳୀନ କାବ୍ୟଭଙ୍ଗୀରେ କଥନୀକବିତା/ଗାଥା କବିତାରେ ରୂପାନ୍ତର କରିବା ରାଧାମୋହନ ନବରୀତିକ ଆବିଷ୍କୃତ, ଇତିହାସ ଓ ଜନଶ୍ରୁତିର ପୁନର୍ବିନ୍ୟାସ ଭିତରେ ‘ଉତ୍କଳିକା’, ‘ସୁରଣିକା’, ‘କାବ୍ୟନାୟିକା’ ଉଚ୍ଚାଙ୍ଗ ସୃଷ୍ଟିର ମାନ୍ୟତା ବହନ କରିଥାନ୍ତି ।

 

ଏତଦ୍‌ବ୍ୟତୀତ ଭାରତୀୟ ପୁରାଣ-ମହାପୁରାଣର ପରିଧିରୁ ମାନବେତର ଚରିତ୍ରମାନଙ୍କ ମହିମାଗୁଡ଼ିକୁ ଦର୍ଶନ କରି ତାହାକୁ ଓଡ଼ିଆ କାବ୍ୟଶୈଳୀରେ, ଗାଥାଧର୍ମରେ ରୂପାନ୍ତର କରିବା କବି ଗଡ଼ନାୟକ ମହୋଦୟଙ୍କୁ ଗୋଦାବରୀଶ ମିଶ୍ରଙ୍କ ଯଥାର୍ଥ ଦାୟାଦର ସ୍ଵୀକୃତି ଦିଏ । ଅନ୍ୟ ପକ୍ଷରେ ସମକାଳୀନ ଉତ୍କଳୀୟ ଓ ଭାରତୀୟ ଜନଚେତନା ଜାତୀୟ ଅସ୍ମିତା ଗଠନ ଓ ମୁକ୍ତିକାମୀ ଜାଗରଣ ବୋଧକୁ ଯେଭଳି ଆଶ୍ରୟ କରିଥିଲା, ଅତୀତର ସ୍ମୃତିଚାରଣ କରି ପରାଧୀନ ଜନମାନସରେ ଜାତୀୟତା ବୋଧର ଫଲ୍‌ଗୁ ପ୍ରବାହିତ କରିବା ଲାଗି ଗଡ଼ନାୟକଙ୍କ ଛନ୍ଦମଣ୍ଡିତ ଗାଥା-କବିତାଗୁଡ଼ିକ ଇତିହାସର ସ୍ମୃତିକୁ ଜୀବନ୍ତ ଓ ସତେଜ କରି ରଖିଛି । ତେଣୁ ଗାଥାକବିତାର ବିଷୟାବେଦନକୁ ଆଧାର କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ରାଧାମୋହନଙ୍କୁ ଐତିହ୍ୟବାଦୀ ଜାତୀୟ ଭାବ ସ୍ପନ୍ଦନର ଉଦ୍‌ବୋଧିତ କବିର ଶ୍ରେୟ ମିଳିଥାଏ ।

 

ଗାଥା କବିତାର ଏ ସବ୍ୟସାଚୀଙ୍କ କବିତା ଉପରେ କିଛି ଧାରଣା ଆସିଲା ନା ପାଠକେ-? ଏଣିକି ଆସନ୍ତୁ ଭେଟିବା ତାଙ୍କ କବିତାରେ ଥିବା ମଣିଷ ପ୍ରତି ଦରଜକୁ, ଆବିଳତାକୁ, ବିହ୍ୱଳତାକୁ-। କବି ଗଡ଼ନାୟକଙ୍କ ସମୟକୁ ଓଡ଼ିଆ ସାହିତ୍ୟ ଉପନିବେଶବାଦୀ ବଳୟ ଭିତରେ ଥଲେ ମଧ୍ୟ ବିଶ୍ଵ ସମକାଳୀନ ଚେତନାର ସଦ୍ୟତମ ଆଧୁନିକ ଦୃଷ୍ଟିଭଙ୍ଗୀ ପ୍ରତି ଆସକ୍ତ ହୋଇଉଠିଛି । ଆଧୁନିକତା ଜୀବନର ସମକାଳିକ ବାସ୍ତବତା ରୂପେ ବିଶ୍ଵଚେତନାରେ ପ୍ରସାର ଲାଭ କଲା ପରେ ଶାସ୍ତ୍ର-ଈଶ୍ୱର, କାଳ୍ପନିକ ଅଦୃଷ୍ଟ ଜଗତ ଏବଂ ଭାଗ୍ୟ-ଭଗବାନକୁ ପଛରେ ପକାଇ ସ୍ରଷ୍ଟା ମଣିଷର ମହତ୍ୱଗାନ କରିଛି । ମଣିଷ ପ୍ରତି ମଣିଷର ଉତ୍ତର ଦାୟବଦ୍ଧତା, ସହାନୁଭୂତି, ସମବେଦନା, ଉଦାର ଦୃଷ୍ଟି ମଧରେ ଶାନ୍ତି-ମୈତ୍ରୀ-ସମତାଗୁଣରେ ମଣିଷ ସହିତ ମଣିଷର ନିବିଡ଼ ସଂଯୋଗର ଭାବନା ଭଳି ମାନବବାଦୀ ଚିନ୍ତାଧାରାକୁ ନେଇ ରାଧାମୋହନଙ୍କ ଲେଖନୀ ଚଳଚଞ୍ଚଳ ହୋଇଛି । ମଣିଷ ପ୍ରତି ଦରଦ କବି ପ୍ରାଣକୁ ଭଲ କରି ଲକ୍ଷ୍ୟ କରନ୍ତୁ ତ ପାଠକେ

 

‘‘ସାଗର ବକ୍ଷୁ ବହି ଆଣିଅଛି ସଲୀଳ ଧାରା

ଦୂରଦିଗନ୍ତୁ ଉଡ଼ାଇ ଆଣିଛି ବାରିଦ ମାଳା

ପୀଡ଼ିତ ପ୍ରାଣର ମଙ୍ଗଳ ଲାଗି ଜୀବନ ଦେଇ

ଦୁର୍ଦ୍ଦିନ ମୁହିଁ

ସୃଷ୍ଟିର ତଳେ

ଦୁର୍ଦ୍ଦିନ ମୁହିଁ

ଆଣିଛି ଏଇ.... ।’’ (ମୌସୁମୀ)

 

ମୌସୁମୀକୁ ତ ଆଗରୁ ରୁଦ୍ର ସ୍ଵଭାବର ବୋଲି ଜାଣିଥିଲେ ପାଠକେ । ହେଲେ ଏ କି ବ୍ୟତିକ୍ରମ ! ରୁଦ୍ର ସ୍ଵଭାବର ମୌସୁମୀ ବାୟୁ ମଣିଷର ମଙ୍ଗଳଲାଗି ଶିବ ତଥା କଲ୍ୟାଣର ଦେବସତ୍ତାରେ ଧରାପୃଷ୍ଠକୁ ଅବତରଣ କରିଛି । ଏଇ କ’ଣ ଗଡ଼ନାୟକଙ୍କ କବିତାର ନୂତନତା ? ମାନବ ପାଇଁ ମୌସୁମୀକୁ ମଙ୍ଗଳକାରୀ ଭାବେ ସଜାଇ ଦେବାରେ କବିଙ୍କର ଉଦ୍ଦେଶ୍ୟ, ମଣିଷର ଦୁଃଖ, ଶୋକରେ କବିତା ସମଭାଗି ହୋଇପାରେ, ସ୍ଵର୍ଗ ସୁଖ ଅପେକ୍ଷା ମର୍ତ୍ତ୍ୟକୁ ମଣିଷ ଲୀଳା ଭୂମି ଭାବେ ଭଲ ପାଇବା, ଏଇ ମାନବପ୍ରେମର, ଆକର୍ଷଣରେ ନିଶ୍ଚୟ ବାନ୍ଧି ହୋଇଯିବେଣି ପାଠକେ । ଏଥିରୁ ମୁକ୍ତ ହୁଅନ୍ତୁତ ଆଗକୁ ଅନେକ ପଥ ଯିବାକୁ ଅଛି ।

 

ଅଧୁନା ପୁରାଣ- ପରମ୍ପରାକୁ ସଜାଇ ପାରିଥିବା କବି ରାଧାମୋହନଙ୍କ କବିତାରୁ ଏହି ପୁରାଣ କଳ୍ପକୁ ନ ଭେଟି ଆଗକୁ ଯିବାଟା ଉଚିତ ହେବ ନାହିଁ ବୋଲି ମନେ କରୁଛନ୍ତି ନା ପାଠକେ-! ତା’ହେଲେ ସେହି ଦିଗ ପ୍ରତି ଦୃଷ୍ଟି ପକାଯାଉ । ତାଙ୍କ କାବ୍ୟ ମାନସ ଆଦର୍ଶବାଦ ଓ ଜୀବନର ଯେତିକି ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରିବା ପାଇଁ ପୁରାଣ କଳ୍ପକୁ ମାଧ୍ୟମ କରିଛି । ପୁରାଣର ଚିତ୍ର-ଚରିତ୍ର ଓ ପ୍ରସଙ୍ଗଗୁଡ଼ିକୁ ବର୍ତ୍ତମାନ ସହିତ ଯୋଡ଼ି ମଣିଷର ଆଚରଣ ଓ ଆଶା-ନୈରାଶ୍ୟକୁ ତହିଁରେ ସେ ପ୍ରତିଫଳନ କରାଇଛନ୍ତି । କେବେ ପୁରାଣକୁ ଦେଶପ୍ରେମର ଆଧାର ଭାବେ ଗ୍ରହଣ କରିଛନ୍ତି ତ, କେବେ ମଣିଷର ଦୈନନ୍ଦିନ ଜୀବନ ପାଇଁ ଭଲମନ୍ଦର ନିକିତିରେ ଏକ ଏକ ରୂପକାତ୍ମକ ଦୃଷ୍ଟାନ୍ତ ରୂପେ ସେ ପୁରାଣର ଚରିତ୍ରକୁ ରୂପ ଦେଇଛନ୍ତି । ରାଧାମୋହନ ପୁରାଣକୁ ମିଥ୍‍/ପ୍ରତୀକଧର୍ମୀ ପ୍ରୟୋଗ ରୂପରେ ନୁହେଁ । ବରଂ ପୁରାଣଧର୍ମୀ କରି କବିତାରେ ରୂପାୟନ କରିବା ସହ ତହିଁରେ ମଣିଷର ଶାଶ୍ୱତ ସାର୍ବକାଳିକ ମାନସିକ ଅବସ୍ଥାକୁ ଚିତ୍ରଣ କରିଛନ୍ତି । ଏହି ପ୍ରସଙ୍ଗରେ ତାଙ୍କ ‘ପିଙ୍ଗଳାର ଅଭିସାର’ କବିତାରୁ ଦି’ପଦ ଅବତାରଣା କରାଯାଇପାରେ-

 

‘‘ବିଦାୟ ନେଉଚି, ବିଦେହ ନଗର, ବିଦାୟ ନେଉଛି ଆଜି

ଭୁଲିଯାଅ ମତେ ଭୁଲିଯାଅ ମୋର ଘୃଣ୍ୟ କଳୁଷ ରାଜି

ସରଗର ମୁହିଁ ଅମରକନ୍ୟା ମୁହିଁ ନାରୀ ମୁହିଁ ଦେବୀ

ପୂଣ୍ୟ ମରତେ ପତିତା ସାଜିଲି ଘୃଣ୍ୟ ଜୀବନ ସେବି ।’’

 

ସମଗ୍ର କବିତାଟିରେ ଭାରତୀୟ ପୁରାଣର ଅସାର ପାର୍ଥିବ ଜୀବନର ଅନୁଭବଟି ସାର୍ବକାଳୀନ ସତ୍ୟ ଭାବେ ରୂପାୟିତ ହୋଇଛି । ପୁରାଣରେ ବର୍ଣ୍ଣିତ ପଶୁପକ୍ଷୀ ଚରିତ୍ରମାନଙ୍କୁ ମଧ୍ୟ ଆଧାର କରି ମଣିଷର ଶ୍ରେଷ୍ଠଗୁଣକୁ ଆପଣାଇବା ଲାଗି, ତାଙ୍କ କବିତା କୋମଳ ପ୍ରେରଣା ଯୋଗାଇ ଦେଇଛି । ଏହି ଦୃଷ୍ଟିରୁ ତାଙ୍କ ଆଶାବାଦୀ କବିମାନସ ପୁରାଣର ମହାଭାବଗୁଡ଼ିକୁ ଆଧୁନିକ ଛନ୍ଦରୀତିରେ କବିତା ରୂପ ପ୍ରଦାନ କରି ଐତିହ୍ୟବାଦୀ ରୋମାଣ୍ଟିକ୍‌ କବିତା ପାଠକମାନଙ୍କୁ ଭେଟି ଦେଇଛି । ଏସବୁ ସତ୍ତ୍ଵେ ରାଧାମୋହନଙ୍କୁ ରୋମାଣ୍ଟିକ୍‌ କବି ଭାବେ ସ୍ଵୀକୃତି ଦେବାରେ ଶଙ୍କା ଅଛି । ଏଥିଲାଗି ଆଲୋଚକ ସୁରେନ୍ଦ୍ର ମହାନ୍ତି ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ ପୁସ୍ତକରେ ଯେଉଁ ମନ୍ତବ୍ୟଟି ଦେଇଛନ୍ତି, ତାହା ଖୁବ୍‌ ଯୁକ୍ତିଯୁକ୍ତ ମନେ ହୋଇଥାଏ । ଶ୍ରୀଯୁକ୍ତ ମହାନ୍ତିଙ୍କ ମତରେ ‘‘ରାଧାମୋହନଙ୍କ କବିତାରେ ସ୍ଥାନେ ସ୍ଥାନେ ରୋମାଣ୍ଟସିଂଜିମ୍‌ର ପ୍ରବୃତ୍ତି ଦେଖି ତାଙ୍କୁ ରୋମାଣ୍ଟିକ୍‌ ଶ୍ରେଣୀଭୁକ୍ତ କରିବା ଯଥାର୍ଥ ହେବ ନାହିଁ, ବରଂ ତାଙ୍କ କବିତ୍ୱର ଶୈଳୀ ଥଲା ନିଓ-କ୍ଳାସିକାଲ । ରାଧାମୋହନଙ୍କ କବିତାରେ ଉଦ୍‌ଦ୍ଭଟ ଚିତ୍ରକଳ୍ପତା, ରୂପକାତ୍ମକତା ନାହିଁ, ମାତ୍ର ଅଛି ରୂପଦର୍ଶୀ କବି ଦୃଷ୍ଟିର ଧ୍ରୂପଦୀ ପରିପ୍ରକାଶ ।’’

 

ଗଡ଼ନାୟକଙ୍କ କବିତା ଭିତରେ ଜାତୀୟ ଐତିହ୍ୟ, ମର୍ତ୍ତ୍ୟପ୍ରୀତି, ବିଶ୍ଵମୟ ଉଦାର ମାନବୀୟ ଭାବନା ଯେଭଳି ଭରି ରହିଛି ସେମିତି ଉତ୍କଳୀୟ ଜୀବନବୋଧର ବିଶ୍ୱସ୍ତ ଚିତ୍ର ସହ ଉଦାର ମାଟି ପ୍ରୀତି ଭରି ରହିଛି । ମନ୍ତ୍ର ସଭ୍ୟତା କବଳରେ କବଳିତ ମଣିଷର ଗାର୍ଥାଠାରୁ ବିଚ୍ଛିନ୍ନତା, ଗାଆଁ ପ୍ରତି ବିମୁଖତା, ମାଟି-ମାତୃଭୂମି ପ୍ରତି ବିରାଗକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି କବି ମହୋଦୟ । ମାଟି-ମାତୃଭୂମି ପ୍ରତି ମଣିଷକୁ ଫେରାଇ ଆଣିବା ଲାଗି ତାଙ୍କ କବି ମାନସ ସତତଃ ଚେଷ୍ଟା କରିଛି । ଏହି ପ୍ରସଙ୍ଗରେ ‘ମାଟିର ମଣିଷ’ କବିତାରୁ ପଦେ ସ୍ମରଣ କରାଯାଉ-

 

‘‘ମନେ ପଢ଼ୁନାହିଁ ତମରି ଗାଆଁର ଛଇଳ ଚପଳ ନଈ

ପଲ୍ଲୀବଧୂର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ ।’’

 

ଗ୍ରାମ୍ୟ ଜୀବନ ଭିତରେ ଥିବା ସରଳତା, ଆନନ୍ଦବୋଧ, ମମତ୍ୱକୁ ସମଗ୍ର କବିତାରେ କବି ଦର୍ଶାଇଛନ୍ତି । ଯନ୍ତ୍ର ସହିତ ମନ୍ତ୍ରମୁଗ୍‌ଧ ହୋଇ ଗାଆଁରୁ ଦୂରେଇ ଯାଉଥିବା ମଣିଷକୁ ଗ୍ରାମ୍ୟମନସ୍କ କରାଇବାର ସାମର୍ଥ୍ୟ ବହନ କରିପାରେ ତାଙ୍କ କବିତା । ସତରେ ପାଠକେ, ବାଟବଣା ମଣିଷକୁ ବାଟକୁ ଫେରେଇ ଆଣିବାର ଗୁରୁଦାୟିତ୍ୱ ବହନ କରି ଗଡ଼ନାୟକେ ଏଇ ମାଟିର ମଣିଷମାନଙ୍କୁ କେତେ ଭଲ ପାଆନ୍ତି, ସେ କଥା ଆଉ ଅଛପା ରହି ନଥିବ ।

 

ଉଜ୍ଜ୍ଵଳ ଜୀବନବୋଧ ଓ ସ୍ଵାଧୀନ ହୃଦୟବତ୍ତାର ପ୍ରେରଣା କବି ରାଧାମୋହନଙ୍କ କାବ୍ୟ-କବିତାରେ ଯେଭଳି ରହିଛି, ତାକୁ ଅଣଦେଖା କଲେ କ’ଣ ଚଳିବ ପାଠକେ ? ଯଦି ନାଁ, ଇତିହାସର ଅନେକ ମହତ ଚରିତ୍ର ଓ ପୁରାଣର ଆଦର୍ଶବାଦୀ ମାନବପ୍ରେମୀ ଚରିତ୍ରକୁ ନେଇ ତାଙ୍କ କବିପଣର ନଟସତ୍ତା ପାଠକ ନିକଟରେ ଅହିଂସା, ଆଲୋକ, ସୌହାର୍ଦ୍ୟ, ଆତ୍ମ ବଳିଦାନ, ବିବେକପଣର କାବ୍ୟାବେଦନଟିଏ ସୃଷ୍ଟି କରିଛି । ‘ଉଦାମସିଂହ’, ‘ବାଇମୁଣ୍ଡି’, ‘ବଢ଼େଇପିଲା’, ‘ବିଶ୍ୱଜୀବନପଥେ’ କିମ୍ବା ‘ପିଙ୍ଗଳାର ଅଭିସାର’, ‘ଅନ୍ଧର ଚକ୍ଷୁ ଲାଭ’ କବିତାଗୁଡ଼ିକୁ ଥରେ ଥରେ ପଢ଼ନ୍ତୁ ପାଠକେ । ଦେଖିବେ-ଦୃଶ୍ୟଧର୍ମ, ଶ୍ରାବ୍ୟଧର୍ମ ଓ ସଂଗୀତଧର୍ମରେ ତାଙ୍କ କବିତାର ରଚନା ବିଧାନ ଆପଣଙ୍କୁ ରମଣୀୟ ରସଜଗତକୁ ଉତ୍ତୀର୍ଣ୍ଣ କରାଇନେବ । ଏ ପ୍ରସଙ୍ଗରେ ବୀର ଉଦ୍ଦାମ ସିଂହର ଆତ୍ମବଳିଦାନକୁ ନେଇ ରଚିତ ‘ଉଦ୍ଦାମ ସିଂହ’ କବିତାକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ-

 

‘‘ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏଇ ଲଣ୍ଡନ କାରାପୁରେ

ସମ୍ମୁଖେ ମୋ ଫାଶୀ କାଠ

ଶିଖ୍‌-ସନ୍ତାନ ଶୁଣାଉଛି ଜନ୍ମମାଟିର ଜୟପାଠ ।’’

 

ପାଠକେ ! ରାଧାମୋହନଙ୍କ କବିତା ସାମ୍ରାଜ୍ୟରେ ବିଚରଣ କଲାପରେ ନିଶ୍ଚୟ ବୁଝିଯିବେଣି ଯେ, ଅପୂର୍ବ ଛାନ୍ଦସିକତା ଏବଂ ଇତିହାସରୁ ପୁରାଣ ଦେଇ ସାଂପ୍ରତିକ ଜୀବନ ପରିଧି ପର୍ଯ୍ୟନ୍ତ ପରିବ୍ୟାପ୍ତ ତାଙ୍କ କାବ୍ୟଜଗତ ଆପଣଙ୍କୁ ସମଗ୍ର ବିଶ୍ଵର ଜୀବନବୋଧ, ପ୍ରକୃତିବୋଧ, ଦାର୍ଶନିକ ଭାବବୋଧକୁ ଗଭୀର ଆଶାବାଦ ମଧ୍ୟରେ ଗ୍ରହଣ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛି ।

 

ଗତାନୁଗତିକ ପନ୍ଥାରେ-ଶଗଡ଼ଗୁଳାରେ ବାଟ ଚାଲିବାର କବି ନୁହଁନ୍ତି, ଗଡ଼ନାୟକେ । ଯିଏ ଅପନ୍ତରା-ଅରମା ଭିତରେ ଯିବାର ଆସ୍ପର୍ଦ୍ଧା ରଖନ୍ତି ପଥକୁ ପ୍ରତ୍ୟାଖ୍ୟାନ କରି ଅପଥରେ ଯିବାକୁ ଉଦ୍ୟମ କରନ୍ତି, ତାକୁ କ’ଣ କହିବେ ପାଠକେ ? ସାହସୀ କବି ନା ବାଟବଣା ମଣିଷ ? ଏସବୁ ପରିଚୟ ତାଙ୍କ ପାଇଁ ଯଥେଷ୍ଟ ନୁହେଁ ସେ ନିରୁତା କବି, କବିତାକୁ କବି ପ୍ରାଣା ହୋଇଥିବା ଭଲ ପାଉଥିବା ମହତ ସ୍ରଷ୍ଟା । ଏ ପରିପ୍ରେକ୍ଷୀରେ ‘ଅପଥଗାମୀ’ କବିତାକୁ ସ୍ମରଣ କରାଯାଉ-

 

‘‘ଅପଥେ ମୁଁ ଯିବି, ଅପଥେ ମୁଁ ଯିବି

କର ପଛେ ତିରସ୍କାର

ନେପଥ୍ୟେ ଅଛି ଯେତେ ଯାହା ସବୁ,

କରିବି ମୁଁ ତାହା ଆବିଷ୍କାର ।’’

 

ଏଇ ହେଉଛି ଗଡ଼ନାୟକଙ୍କ କବିପଣ । ଅପଥରେ ଯାଇ ନେପଥ୍ୟରୁ ଅଗୋଚର, ଅଜ୍ଞାତକୁ ଆବିଷ୍କାର କରିବାର ମାନସିକତା, ଏଇ କାରଣ ପାଇଁ ତେବେ ରାଧାମୋହନ ପାଠକଙ୍କର ପ୍ରିୟକବି । କେବଳ ଏତିକି ନୁହେଁ, ଏଣିକି ତାଙ୍କ କବିତାର ବିଶେଷତ୍ୱକୁ ପରଖିବାକୁ ଆଗଭର ହୁଅନ୍ତୁ ପାଠକେ ।

 

      ଜାତୀୟ ଐତିହ୍ୟ, ମର୍ତ୍ତ୍ୟପ୍ରୀତି, ବିଶ୍ୱମୟ ଉଦାର ମାନବୀୟ ଭାବନା, ରୋମାଣ୍ଟିକ୍‌ ଆଦର୍ଶବାଦର ମିଶ୍ରିତ ସ୍ଵର ରାଧାମୋହନଙ୍କ କବିତାରୁ ଶୁଣିବାକୁ ମିଳେ ।

      ବିଶ୍ଵର ଜୀବନବୋଧ, ପ୍ରକୃତି ବୋଧ, ଦାର୍ଶନିକ ଭାବବୋଧର ଗଭୀର ଆଶାବାଦର ସ୍ଵର ତାଙ୍କ କବିତାର ଅନ୍ୟତମ ବିଭବ ।

      ଐଶ୍ଵରୀୟ ଭାବନା ଓ ପ୍ରକୃତିର ରୂପପ୍ରାଣ ଚିତ୍ରଣ ତାଙ୍କ କବିତାକୁ ପାଠକ ନିକଟରେ ବିଚିତ୍ର ରୂପସୂରୀ ଭାବେ ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖେ ।

      ଗାଥାକବିତା ଐତିହ୍ୟର ପୁନର୍ଗଠନ, ଉତ୍କଳୀୟ ଜୀବନବୋଧର କଥା କହେ ତାଙ୍କ କବିତା ।

 

ରାଧାନାଥୀୟ ସୌନ୍ଦର୍ଯ୍ୟବୋଧ, ମଧୁସୂଦନୀୟ ଭକ୍ତି ଭାବନା, ସତ୍ୟବାଦୀୟ ଜାତୀୟତାବୋଧ, ସବୁଜକୈନ୍ଦ୍ରିକ ସ୍ଵପ୍ନ ପ୍ରବଣତା, ରବୀନ୍ଦ୍ରନାଥୀୟ ରୋମାଣ୍ଟିକ୍‌ ଆବେଗପ୍ରବଣତାର ଆଧାରରେ ଗଡ଼ନାୟକଙ୍କ କାବ୍ୟସୌଧ ଉଚ୍ଚାଙ୍ଗ ରାଧାମୋହନୀୟ ପ୍ରତିମୂର୍ତ୍ତି ନିର୍ମାଣ କରିପାରିଛି । ତାଙ୍କ କବିତାର କାନଭାସ୍‌ ମାଟି, ପାଣି, ପବନରୁ ଆକାଶ, ସମୁଦ୍ର, ଅବହେଳିତ ମଣିଷ, ଦୂର ଆକାଶ ତାରା ପର୍ଯ୍ୟନ୍ତ ପରିବ୍ୟାପ୍ତ । ବ୍ୟକ୍ତିବନ୍ଦନା, ବାସ୍ତବବାଦୀ ମୂଲ୍ୟବୋଧ, ଆଦର୍ଶବାଦୀ ଦୃଷ୍ଟିଭଙ୍ଗୀକୁ ନେଇ ସେ ଓଡ଼ିଆ କବିତାର ରୂପଧର୍ମକୁ ଗାଥା ଧର୍ମରେ ଚତୁର୍ଦ୍ଦଶପାଦୀ ମୁକ୍ତଛନ୍ଦୀୟ ଗୀତିଧର୍ମ ଓ ସମ୍ବୋଧନାତ୍ମକ ଆବେଦନ ଧର୍ମର ରୂପାୟନ କରି ପାରିଛନ୍ତି । ଗଡ଼ନାୟକଙ୍କ କବିତା ଦୁର୍ଗରେ ରାଧାମୋହନୀୟ ପ୍ରେମରେ ମୁଗ୍‌ଧ ହୋଇଗଲେଣି ନା ପାଠକେ । କେମିତି ବା ମୁକ୍ତ ହୋଇ ପାରିଥାଆନ୍ତେ ତାଙ୍କ କବିତାର କଳା ଇନ୍ଦ୍ରଜାଲରୁ । ଓଡ଼ିଆ କବିତାର ସନ୍ଧିକ୍ଷଣର ଏଇ ପ୍ରଥିତଯଶାଙ୍କ କବିତା ଏମିତି ପାଠକଙ୍କୁ ବାନ୍ଧିରଖିଥିବ, ମହତ ସୃଷ୍ଟି ହୋଇ ମାନସିକତାକୁ ନିୟନ୍ତ୍ରଣ କରୁଥିବ । ଏତିକି ତାଙ୍କ କବିତା ପ୍ରତି ଜଣାଇଦେଇ ସେଇ ଭାବରାଜ୍ୟରୁ ବାହୁଡ଼ିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ପାଠକେ ।

 

 

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଜ୍ୟୋତିବିହାର

 

ସହାୟକ ଗ୍ରନ୍ଥ

୧.

ଆଧୁନିକତାର ପରମ୍ପରା-ହର ପ୍ରସାଦ ଦାସ ।

୨.

ଓଡ଼ିଆ ସାହିତ୍ୟର କ୍ରମବିକାଶ-ସୁରେନ୍ଦ୍ର ମହାନ୍ତି ।

୩.

ନିର୍ମିତି-ନିର୍ମାଣ- ଡ. ସନ୍ତୋଷ ତ୍ରିପାଠୀ ।

୪.

ଆଧୁନିକ ଓଡ଼ିଆ କବିତା ! ଏକ ଦୃଷ୍ଟିପାତ- ଗଣେଶରାମ ନାହାକ ।

୫.

ସବୁଜରୁ ସାଂପ୍ରତିକ : ନିତ୍ୟାନନ୍ଦ ଶତପଥୀ ।

 

***

 

ବିନ୍ଦୁଏ ଲୁହରୁ ବହ୍ନିମାନବିପ୍ଳବ ପର୍ଯ୍ୟନ୍ତ : ଗଡ଼ନାୟକଙ୍କ ଉତ୍କଳିକା

ଦିଲୀପ କୁମାର ସ୍ଵାଇଁ

 

ଗୋଟିଏ ସଫଳ କବିତା କେଉଁ ଗୁଣର ଅଧିକାରୀ ହେବା ଦର୍କାର, ଏପରି ପ୍ରଶ୍ନଟି ଯେତିକି ବିତର୍କିତ ସେତିକି ସ୍ପର୍ଶକାତର । କବିତାକୁ ପାଠକପ୍ରିୟ ଓ ସର୍ବକାଳୀନକରିବା ପାଇଁ ଅନେକ ଉପଚାରର ଆବଶ୍ୟକତା ଥାଏ । କବି ଏହାର ଅଙ୍ଗସୌଷ୍ଠବକୁ ଯେତିକି କମନୀୟ କରି ତୋଳେ, ଭାବପକ୍ଷକୁ ମଧ୍ୟ ସେତିକି ରସ ଚେତନାରେ ସମୃଦ୍ଧ କରେ । ଏକାଧିକ ସଫଳ କାବ୍ୟଗୁଣ ଓ ପ୍ରତିଭାର କୂଟକମର ସ୍ପର୍ଶରେ ଉତ୍ତୀର୍ଣ୍ଣ ହୁଏ ଉଚ୍ଚାଙ୍ଗ କବିତା, କବି ରାଧାମୋହନ ଗଡ଼ନାୟକ ସେହିପରି ଜଣେ ପାଠକପ୍ରିୟ କାଳୋତ୍ତୀର୍ଣ୍ଣ କବି । ଉଭୟ କଳାପକ୍ଷ ଓ ଭାବପକ୍ଷ ଦୃଷ୍ଟିକୋଣରୁ ରାଧାମୋହନଙ୍କ କବିତା ଉର୍ବର । କାହାଣୀଗୁଂଫନ, ସାଙ୍ଗୀତିକତା, ଛନ୍ଦବସାଣ ସହ ଓଜ, ରଜ, ଲହୁ, ଲୁହର ବହୁଚର୍ଚ୍ଚିତ ବିନ୍ୟାସ ଥାଏ ତାଙ୍କ କବିତାରେ ! ପାଠକ କେବେ ଭାବହୁଡ଼ି କାହାଣୀମାୟାରେ ବାନ୍ଧି ହୋଇଯାଏ । କବି ଗୋଟାଏ ଦୃଶ୍ୟପଟ୍ଟ ପାଠକ ସାମ୍ନାରେ ଠିଆ କରନ୍ତି । ଦୃଶ୍ୟ ତ ନୁହେଁ ଗୋଟାଏ ଦେଶ ତାର ଅତୀତ, ଐତିହ୍ୟ, ମାନବିକତା, ଭାବପ୍ରବଣତା ଧରି ଠିଆ ହୁଏ ପାଠକ ସାମ୍ନାରେ । କବି ପାଠକକୁ ବର୍ତ୍ତମାନତା ପାଖରୁ ଅତୀତ ପାଖକୁ ଟାଣି ନେଇଯାଆନ୍ତି-। ଅତୀତ-ଯେଉଁଠୁ ବୁନିଆଦିର ବାସ୍ନା ଆସେ, ଲୁହର ଦୀପଜଳେ, ବିରହର ଜହ୍ନରାତି ବୁଡ଼ିଯାଏ ରାଣୀ ଅନ୍ତଃପୁରରେ । ବୀରବେଶରେ ଆସି ଠିଆ ହୁଏ ଇତିହାସ । ଏତେ ସବୁ ଉତ୍‌ଥିତ ଅତୀତକୁ ନେଇ ବର୍ତ୍ତମାନ ରୁମ ଟାଙ୍କୁରି ଠିଆ ହୁଏ । ଅତୀତ ଏଷଣା ଓ ବର୍ତ୍ତମାନର ବିଡ଼ମ୍ବନା ଭିତରେ ଯେଉଁ ଶୂନ୍ୟସ୍ଥାନ ସେଇଠୁ ସୃଷ୍ଟି ହୁଏ ରାଧାମୋହନ ଗଡ଼ନାୟକଙ୍କ କବିତା । ‘ଉତ୍କଳିକା’ କବିଙ୍କର ଏହି ମନୋଭୂମିରେ ଏକ ବହୁ ଚର୍ଚ୍ଚିତ ବିମର୍ଶ ।

 

ଦୁଇ

 

କବି ରାଧାମୋହନ ଗଡ଼ନାୟକଙ୍କ ‘ଉତ୍କଳିକା’ ପ୍ରକାଶ ପାଏ ୧୯୪୫ ମସିହାରେ । ସମୁଦାୟ ତେରଟି କବିତାରେ କବି ଉତ୍କଳ ଭୂଖଣ୍ଡର ମାନବିକତା ଓ ବୀରତ୍ୱ ବର୍ଣ୍ଣନା କରିବାର ପ୍ରୟାସ କରିଛନ୍ତି । ୧୯୫୬ ମସିହାରେ ହୋଇଥିବା ସଂସ୍କରଣରେ କବି ଏଥିରେ ‘ଚାଖିଖୁଣ୍ଟିଆ’, ‘ନୃତ୍ୟୋତ୍ସବ’, ‘ପ୍ରାଣର ପରାଶ’ ନାମିତ ତିନୋଟି ନୂତନ କବିତା ଯୋଗ କରିଛନ୍ତି । ‘ଉତ୍କଳିକା’ର ମୂଳ ମୌଳିକ ତେରଟି କବିତାରେ କବି ଉତ୍କଳର ଗୌରବାବହ ସଂସ୍କୃତି (ଯୁଦ୍ଧ ପ୍ରେମ-ମାନବିକତା-ତ୍ୟାଗ- ଆଧାତ୍ମିକତା) ର କଥା କହିଛନ୍ତି । ଉତ୍କଳର ପଲ୍ଲୀଜୀବନାଲେଖ୍ୟ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାରେ ୧୯୩୨ ମସିହା ବେଳକୁ ପ୍ରକାଶ ପାଇଲାଣି । ସଚ୍ଚିନ୍ଦାନନ୍ଦଙ୍କ ‘ଶିବପୂଜା’ (୧୯୩୨), ‘ପହିଲିରଜ’ (୧୯୩୪), ପଲ୍ଲୀ ସକାଳ (୧୯୩୪), ଜମିଦାରଙ୍କ ଷଣ୍ଢ (୧୯୩୫), ମାଲୁଣୀ (୧୯୩୬), ରେଙ୍ଗୁନଯାତ୍ରୀ (୧୯୩୭) ଆଦି କବିତା ଆଦ୍ୟ ଚାଳିଶ ବେଳକୁ ପ୍ରକାଶ ପାଇ ଓଡ଼ିଶାରେ ବେଶ ଆଦୃତ ହୋଇଛି । ସଚ୍ଚିଦାନନ୍ଦଙ୍କ ଏହି ସବୁ କବିତା ସହ ଅନ୍ୟ କେତୋଟି ମିଶି ‘ପଲ୍ଲିଶ୍ରୀ’ ନାମରେ ୧୯୪୧ ମସିହାରେ ପ୍ରକାଶିତ ହୋଇଛି । ଅତଏବ ଉତ୍କଳୀୟ ଜନଜୀବନର ସାଂପ୍ରତିକ ଆଲୋକରେ ଓଡ଼ିଆ ପାଠକ ଉଦ୍‌ବୁଦ୍ଧ ହେବାର ଏକ ପ୍ରକ୍ରିୟା ସଚ୍ଚିଦାନନ୍ଦଙ୍କଠାରୁ ଆରମ୍ଭ ହୋଇଛି । ‘ପଲ୍ଲିଶ୍ରୀ’ରେ ଉତ୍କଳୀୟ ପ୍ରକୃତିବୋଧ ସହ ଜଠର ସଂଗ୍ରାମର ଚିତ୍ର ବଡ଼ କରୁଣ । ଶୋଷଣ, କପଟତା, ଦାରିଦ୍ର୍ୟର କପଟ ପଶାରେ ଭାଙ୍ଗିପଡ଼ୁଚି ସରଳ ଗ୍ରାମ୍ୟମଣିଷ । ଅନ୍ୟପକ୍ଷରେ କବି ଗଡ଼ନାୟକ ବାସ୍ତବତାର ଏହି ଧୂଆଁଳିଆ ସଂଦିଗ୍ଧତାରୁ ଓହରି ଉତ୍କଳର ଆତ୍ମାକୁ ଖୋଜିଛନ୍ତି ଅତୀତର ଇତିହାସ ଓ ଲୋକକଥାର ପୃଷ୍ଠାରୁ । ବର୍ତ୍ତମାନର କାରୁଣ୍ୟ ସହ ଅତୀତର ବୀରଗାଥାର ଅଧ୍ୟୟନ ହୋଇଛି ତାଙ୍କ କାବ୍ୟ ସାଧନାର ଭୂମି । ‘ଉତ୍କଳିକା’କୁ ଏହି ଭାବଭୂମିରେ ବୁଝିବାକୁ ହେବ ।

 

ତିନି

 

‘ଉତ୍କଳିକା’ର ପରିସର ସଂକ୍ଷିପ୍ତ ହେଲେ ମଧ୍ୟ ଏଥିରେ ଏକ ବିସ୍ତୁତ କାଳଖଣ୍ଡର କଥା ପ୍ରକାଶ ପାଇଛି । ଉତ୍କଳର କିମ୍ବଦନ୍ତୀ ଓ କିମ୍ବଦନ୍ତୀୟ ଚରିତ୍ରମାନଙ୍କୁ କବିତାରେ ସ୍ଥାନ ଦେଇ କବି ଗଡ଼ନାୟକ ସାମଗ୍ରିକ ଭାବରେ ଉତ୍କଳୀୟ ମାଟି ଓ ମଣିଷର ଅଧ୍ୟୟନ କରିବାକୁ ପ୍ରୟାସ କରିଛନ୍ତି-। ‘ଉତ୍କଳିକା’ରେ ମୁଖ୍ୟତଃ ଓଡ଼ିଶାର ଇତିହାସ, ଭୂଗୋଳ, ଜାତୀୟତା ବୋଧ, ବ୍ୟକ୍ତିବିଶେଷ ସହ ଶୁଦ୍ଧ-ପ୍ରେମପଣର କାବ୍ୟିକ ବିନ୍ୟାସ ରହିଛି । କବି ଗଡ଼ନାୟକ ଭିନ୍ନଭିନ୍ନ ଭାବରେ ପ୍ରାଚୀନ ଉତ୍କଳର ଇତିହାସକୁ ଅବତାରଣା କରିଛନ୍ତି । ଏଥିରେ ଜଣେ ପାଠକ ଯୁଦ୍ଧ-ଇତିହାସ (ବୀରରାଣୀ ଶୁକଦେଇ, ପ୍ରଭାବତୀର ଅଭିଯାନ) ସହ ଉତ୍କଳୀୟ ପାଣିପାଗର ସାମାଜିକ ଇତିହାସ (ବିଶ୍ଵଜୀବନପଥେ, ମରିନାହିଁ ସେତ ମରଣଜୟୀ, ବଢ଼େଇପିଲା, ବାଇମୁଣ୍ଡି, ମଣିକାଞ୍ଚନ ଯୋଗ) ପାଇପାରିବ । ଗଡ଼ନାୟକ ଇତିହାସକୁ ବି ନିର୍ମାଣ କରିନାହାଁନ୍ତି କି ନିଜସ୍ଵ ଦାର୍ଶନିକତା, ପରିସ୍ଥିତି ବିଶ୍ଳେଷଣ, ଚରିତ୍ରର ମନଜିଜ୍ଞାସାକୁ ପ୍ରୟୋଗ କରି ନାହାନ୍ତି । ଜନଶ୍ରୁତିର କାହାଣୀ ଓ ଲବ୍ଧ ତଥ୍ୟଗୁଡ଼ିକୁ ନିଜ କାବ୍ୟ ଭାଷାରେ ପ୍ରକାଶ କରିଛନ୍ତି । ରାଣୀ ଶୁକଦେଇଙ୍କର ଖୋର୍ଦ୍ଧା ରାଜାଙ୍କ ସହ ଯୁଦ୍ଧ ଓ ପରାଜିତ ସ୍ଵାମୀ ହତ୍ୟାକାରୀକୁ ରାଜକ୍ଷମା ପ୍ରସଙ୍ଗଟି ଓଡ଼ିଶାରେ ବହୁଚର୍ଚ୍ଚିତ । ଅନୁରୂପ ଭାବରେ ରଣପୁର ଯୁବରାଜଙ୍କ ପତ୍ନୀ ପ୍ରଭାବତୀ ବଙ୍ଗନବାବଙ୍କ ଯୁଦ୍ଧ ବାହିନୀ ବିରୁଦ୍ଧରେ ଯୁଦ୍ଧ କରି ବିଜୟୀ ହେବା ଓଡ଼ିଶାର ଜନଶ୍ରୁତିରେ ଏକ ଉଲ୍ଲେଖନୀୟ ଘଟଣା । ‘ଉତ୍କଳିକା’ରେ ପରେ ଯୋଡ଼ା ହୋଇଥିବା ‘ନାଖିଖୁଣ୍ଟିଆ’ କବିତା ସିପାହୀ ବିପ୍ଳବ ଓ ରାଣୀ ଲକ୍ଷ୍ମୀବାଇଙ୍କ ବୀରତ୍ୱ ବର୍ଣ୍ଣନା କରିବା ସହ ଚନ୍ଦନହଜୁରୀଙ୍କ ବୀରତ୍ୱ ଓ ବ୍ୟକ୍ତିତ୍ସକୁ ବ୍ୟାଖ୍ୟା କରିଛି । ଗଡ଼ନାୟକ ଯୁଦ୍ଧ ଇତିହାସକୁ କାବ୍ୟରୂପ ଦେବାବେଳେ ଚରିତ୍ରର ବିକାଶ ସହ ଉତ୍କଳୀୟ ସ୍ଵାଭିମାନକୁ ଜଗି ବସିଛନ୍ତି । ଅନ୍ୟପକ୍ଷରେ କୁହାଯାଇପାରିବ ଯେ ଗଡ଼ନାୟକଙ୍କର ଇତିହାସ ଦୃଷ୍ଟିରେ କବିତ୍ୱ ଅଛି ସତ ଅନୁସନ୍ଧାନୀ ଦୃଷ୍ଟିକୋଣଟି ନାହିଁ ।

 

କବି ସାମାଜିକ ଇତିହାସ କହିଲା ବେଳକୁ ଖୁବ୍‌ ଚରିତ୍ରମୟ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇପାରିବ । ଅନେକ ସମୟରେ ଘଟଣାଠାରୁ ବ୍ୟକ୍ତି ବଡ଼ ହୋଇଯାଏ । କୁଶଭଦ୍ରା ବନ୍ୟାରେ, ଉବୁଟୁବୁ ଗୋପ, ନିମାପଡ଼ା ଅଞ୍ଚଳକୁ ଯିବା ପାଇଁ ଗୋପବନ୍ଧୁ ଦାଶ ନିଜ ରୋଗିଣା ପୁତ୍ରକୁ ପତ୍ନୀ ପାଖରେ ତ୍ୟାଗ କରିଛନ୍ତି । ବନ୍ୟାରୁ ଫେରିବା ପରେ ପୁତ୍ରର ଦେହାନ୍ତ ଖବର ଗୋପବନ୍ଧୁ ପାଇଛନ୍ତି । ଯିବା ପୂର୍ବରୁ ପତ୍ନୀର ସକଳବାରଣ ସତ୍ତ୍ୱେ ଗୋପବନ୍ଧୁ କହିଥିଲେ-

 

‘ଗୃହର ଜୀବନ ପରିଧିରେ ରଚି ସମ୍ମୋହ-କାରାପୁରୀ

ବାହାରେ ଅଛି ଯେ ବିପୁଳ ଜୀବନ ମୁଁ ତ ନ ପାରିବି ଭୁଲି ।

ଏକର ସକାଶେ ଅନେକର ଡାକ ମୁଁ ତ ନ ପାରିବି ଏଡ଼ି

ଛଳନା ଏବେ ଚରଣେ ମୋହର ଅନ୍ଧ-ମମତା ବେଡ଼ି ।’

 

କବି ଗଡ଼ନାୟକ ଏହି କବିତାରେ ପୋକ ମାଛି ପରି ମରିଥିବା ଗୋପ ଅଞ୍ଚଳର ମଣିଷମାନଙ୍କ କଥା କହିନାହାଁନ୍ତି । ବନ୍ୟା, ଅଛି ସତ-ତାର ଭୟାବହ କାରୁଣ୍ୟ ଏଥିରେ ନାହିଁ । ଅତଏବ ଘଟଣାର ଗୁରୁତ୍ୱ ଅପେକ୍ଷା ବ୍ୟକ୍ତି ଚରିତ୍ରର ମହାନତା ଗଡ଼ନାୟକଙ୍କ କବିତାରେ ଅଧିକ ଅର୍ଥ ପ୍ରାପ୍ତି ହୋଇଥାଏ । ଏପରି ଅବିକଳ ମନ୍ତବ୍ୟ ‘ବଢ଼େଇପିଲା’ ଓ ‘ମରିନାହିଁ ସେତ ମରଣଜୟୀ’ କବିତା ପରିପ୍ରେକ୍ଷୀରେ ନିଆଯାଇପାରେ । କବି ‘ବଢ଼େଇପିଲା’ କବିତାରେ ବାର ବର୍ଷ ପରେ ବାପ-ପୁଅ ସାକ୍ଷାତ୍‌ ପ୍ରସଙ୍ଗରେ ଯେତିକି ଲୁହର ଜୁଆର ସୃଷ୍ଟି କରିବା କଥା, ସେହି ସୁଯୋଗଟିକୁ ହାତଛଡ଼ା କରିଥିବା ପରି ମନେହୁଏ । ଏପରିକି ‘ମରିନାହିଁ ସେ ତ ମରଣଜୟୀ’ କବିତାରେ ନ’ଅଙ୍କ ଦୁଃର୍ଭିକ୍ଷ ଓ ସନାତନର କଥା କହିବାବେଳେ ଆହୁରି ଭୋକର ଭୟଙ୍କାରିତାକୁ ବହୁବଚନରେ ବ୍ୟସ୍ତ କରାଯାଇପାରିଥାଆନ୍ତା । ଏତେ ସବୁ କଥା କହିବାର ଅର୍ଥ ଏୟା ନୁହେଁ ଯେ, ଏପରି ବର୍ଣ୍ଣନା ବ୍ୟତିରେକ ଏସବୁ କବିତା ଦୁର୍ବଳ ହୋଇପଡ଼ିଛି । ଏସବୁ କବିତା ନିଜ ଗୁଣରେ ଗୁଣୀ, ସଫଳ ଓ ବହୁପାଠକପ୍ରିୟ, ଚିରନ୍ତନ । କବି ଗଡ଼ନାୟକ ଘଟଣା ନୁହେଁ ଚରିତ୍ର ନିର୍ମାଣର କବି- ଏସବୁ କବିତା ତାର ପ୍ରମାଣ ।

 

ଭାରତୀୟ ପ୍ରେକ୍ଷାପଟ୍ଟରେ ଉତ୍କଳରୁ ଉତ୍କୃଷ୍ଟ ଜାତୀୟ ଚରିତ୍ର ସୃଷ୍ଟି କରିବା କବି ଗଡ଼ନାୟକଙ୍କର ଉଦ୍ଦେଶ୍ୟ ଥିଲା । ଅତଏବ ୧୯୪୫ ମସିହାରେ ପ୍ରକାଶିତ ଏହି କ୍ଷୁଦ୍ର କବିତା ସଙ୍କଳନ ଉତ୍କଳର ବିପର୍ଯ୍ୟୟ ଓ ତୃଣମୂଳୀୟ ଜନଜୀବନର ଦୁଃଖବୋଧକୁ ଗୁରୁତ୍ଵ ନ ଦେଇ ଓଡ଼ିଶାର ଏକ ଜାତୀୟ ଭାବମୂର୍ତ୍ତି ନିର୍ମାଣ କରିବାର ପ୍ରୟାସ କରିଛି । ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ସିପାହୀ ବିଦ୍ରୋହ (୧୮୫୭)ରେ ଓଡ଼ିଶାର ଚାଖିଖୁଣ୍ଟିଆଙ୍କ ଯୋଗଦାନ ଓ ରାଣୀ ଲକ୍ଷ୍ମୀବାଈଙ୍କ ମୁଖ୍ୟ ପରାମର୍ଶଦାତା ରୂପେ ଆସୀନ ହେବା ଓଡ଼ିଶା ପାଇଁ କମ୍‌ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଅନ୍ୟ ପକ୍ଷରେ ଜାତୀୟ କଂଗ୍ରେସ ଓ ସ୍ଵାଧୀନତାର ନେତୃତ୍ୱ ନେଇଥିବା ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱକୁ ଭାରତୀୟ ପରିପ୍ରେକ୍ଷୀରେ ପ୍ରମାଣ କରିବା ପାଇଁ ‘ବିଶ୍ୱ ଜୀବନ ପଥେ’ କବିତା ରଚିତ । ସମକାଳରେ ବାମାବାଦ ଓ ମହିଳା ସଶକ୍ତିକରଣର କଥା ଉଠୁଛି । ନାରୀର ଉତ୍ତୁଙ୍ଗ ସାହସିକତାର ବର୍ଣ୍ଣନା କଲାବେଳେ ଲକ୍ଷ୍ମୀବାଈଙ୍କ ବ୍ୟତୀତ ଆଉ କୌଣସି ଚରିତ୍ର ଆମ ନଜରକୁ ଆସନ୍ତି କି ? ଗଡ଼ନାୟକଙ୍କ ‘ଉତ୍କଳିକା’ରେ ଏହାର ଜବାବ ଅଛି । କବି ବାଙ୍କିର ‘ଶୁକଦେଈ’ ଓ ରଣପୁରର ‘ପ୍ରଭାବତୀ’ଙ୍କୁ ଉଦାହରଣ ଭାବରେ ଠିଆ କରାଇଛନ୍ତି । ଏମାନେ କୌଣସି ସର୍କାର କି ସଂରକ୍ଷଣ ଦ୍ଵାରା ସଶକ୍ତ ନୁହିଁନ୍ତି । ଏମାନେ ପୁରୁଷ ନୁହିଁନ୍ତି ସତ ମାତ୍ର ପୁରୁଷୋତ୍ତର କ୍ରାନ୍ତିରେ ଶୋଭିତ । ପରାଧିନ ଭାରତବର୍ଷରେ ଉତ୍କଳକୁ ଏକ ପରିଚୟ ଦେବା ପାଇଁ ଉତ୍କଳିକା କବି ଗଡ଼ନାୟକଙ୍କର ଏକ ବିଧିବଦ୍ଧ ପ୍ରୟାସ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ (୧୯୩୬) ଓ ସ୍ୱାଧୀନତା ପ୍ରାପ୍ତିର ସନ୍ଧିକ୍ଷଣରେ ‘ଉତ୍କଳିକା’ (୧୯୪୫)ର ପରିପ୍ରକାଶ । ଅତଏବ ଜାତୀୟ ସଂଗ୍ରାମ, ବୀରତ୍ୱ, ବଳିଦାନ, ଉତ୍କୃଷ୍ଟ ବ୍ୟକ୍ତିତ୍ୱ, ଗୌରବାମୟ ଐତିହ୍ୟ ସବୁଦୃଷ୍ଟିକୋଣରୁ ଭାରତବର୍ଷରେ ଉତ୍କଳ ଅନନ୍ୟ ଏହା ପ୍ରମାଣ କରିବା ହିଁ ‘ଉତ୍କଳିକା’ର ମୁଖ୍ୟସ୍ଵର । ‘ଉତ୍କଳିକା’ରେ ଲୁହ ଅଛି ସତ କିନ୍ତୁ ଏଥିରେ ବହ୍ନିମାନବିପ୍ଳବର ପଦଧ୍ଵନି ଖୁବ ପ୍ରଖର ।

 

‘ଉତ୍କଳିକା’ରେ ଯେତିକି ଅଛି ଝଡ଼ର ଝଙ୍କାର ସେତିକି ପ୍ରଣୟର ପାଟପୀତାମ୍ବରୀ ନୀଳଜହ୍ନର ନୀରବତାରେ ମ୍ରିୟମାଣ । ଲୋଡ଼ିବା ପଣର ନିରୀହତାରେ ବିଜୟ ହୋଇଛି ପ୍ରେମର । ଶୁଦ୍ଧ ଦାମ୍ପତ୍ୟ ପ୍ରେମର ସ୍ୱର ମିଳେ ଉତ୍କଳିକାର କବିତାମାନଙ୍କରୁ । ଏହି ପର୍ଯ୍ୟାୟରେ ‘ବିସର୍ଜନ’ ଓ ‘ମଣିକାଞ୍ଚନ ଯୋଗ’ କବିତା ଦୁଇଟିକୁ ବିଚାରକୁ ନିଆଯାଇପାରିବ । ଅସୁସ୍ଥ ପ୍ରତାପ ରୁଦ୍ରଦେବଙ୍କୁ ସୁସ୍ଥ କରିବାକୁ ଯାଇ ରାଣୀ ତାରିଣୀଦେବୀ ସ୍ୱାମୀଙ୍କର ଦୁଃଖ ସମଗ୍ରକୁ ନିଜ ଦେହକୁ ନେଇଯାଇଛନ୍ତି । ରାଣୀ ନିଜ କାୟାବ୍ରତରେ ପତିଙ୍କୁ ରୋଗମୁକ୍ତ କରିଛନ୍ତି । ସୁସ୍ଥ ସ୍ଵାମୀର ସୋହାଗ ପାଇବା ପୂର୍ବରୁ ତାରିଣୀଦେବୀଙ୍କର ମୃତ୍ୟୁ ଘଟିଛି । ସନ୍ଥମାନେ ଭକ୍ତମାନଙ୍କର ରୋଗକୁ ନିଜ ଦେହରେ ଧାରଣ କରି ସେମାନଙ୍କୁ ରୋଗମୁକ୍ତ କରି ନିଜେ ମୃତ୍ୟୁମୁଖି ହେବାର ଅନେକ ଉଦାହରଣ ଆମ କିମ୍ବଦନ୍ତୀମାନଙ୍କରେ ଅଛି । ରାଣୀ ତାରିଣୀ ଦେବୀ ଅନୁରୂପ ଭାବରେ ପ୍ରତାପରୁଦ୍ରଙ୍କୁ ରୋଗମୁକ୍ତ କରିଛନ୍ତି ।

 

‘ନିଜ ଦେହେ ନେଇ ପରାଣପତିର ରୋଗତାପ

ବରିନେଲା ବାଳା ଚଣ୍ଡମରଣ ଅଭିଶାପ ।’

 

ଗଡ଼ନାୟକ ଏଠାରେ ରାଜାଘର ପବିତ୍ର ଦାମ୍ପତ୍ୟ କଥା କେବଳ କହିନାହାଁନ୍ତି । ରାଜାଘର ଦାମ୍ପତ୍ୟ ଜୀବନକୁ ନେଇ ଏକାଧିକ ପ୍ରଲଂବିତ ଗାଲୁଗଳ୍ପମାନଙ୍କୁ ଜବାବ ଦେଇଛନ୍ତି । ରାଣୀ ଅନ୍ତପୁରର ଏକାଧିକ ବୀଭତ୍ସତାରେ ଇତିହାସର ପୃଷ୍ଠା ଯେତିକି କଳଙ୍କିତ ସେତିକି ଧୂଆଁଳିଆ । ଗଡ଼ନାୟକଙ୍କ କବିତା ସେହି ଦୃଷ୍ଟିକୋଣରୁ ଏକ ଆଦର୍ଶ ଆଚରଣ ସଂହିତା ପରି ମନେହେବ । ପ୍ରେମର ଅନ୍ୟ ଏକ ପରିଭାଷା ‘ମଣିକାଞ୍ଚନ ଯୋଗ’ କବିତାରେ ରୂପ ପାଇଛି । କାଞ୍ଚିରାଜାର ଅପମାନ ଦାୟରେ ପଦ୍ମାବତୀକୁ ଏକ ଚଣ୍ଡାଳ ସହ ବିବାହ ଦେବା ପାଇଁ ରାଜା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୁଣ୍ଡିଚା ଯାତ୍ରାଦିନ ମନ୍ତ୍ରୀ ଚଣ୍ଡାଳବେଶୀ ରାଜାଙ୍କୁ ପଦ୍ମାବତୀଙ୍କୁ ସମର୍ପଣ କରିଛନ୍ତି । ପୁରୁଷୋତ୍ତମ ଦେବ ଯେ ପଦ୍ମାବତୀକୁ ଏକାନ୍ତରେ ପ୍ରେମ କରେ-ଏକଥା ଇତିହାସ ଜାଣେ । ଗଡ଼ନାୟକ ଯଦିଓ ଇତିହାସକୁ ଅର୍ନ୍ତିବିଶ୍ଲେଷଣ କରିବାର ସୁଯୋଗ ସୃଷ୍ଟି କରିନାହାଁନ୍ତି ତଥାପି ଗୋଟିଏ ଶବ୍‌ଦ ଭିତରେ ସେ ପୁରୁଷୋତ୍ତମ ଦେବଙ୍କ ପ୍ରେମମୟ ପ୍ରଶାନ୍ତିକୁ ବ୍ୟାଖ୍ୟା କରିଛନ୍ତି ।

 

‘ନିର୍ବାକ ରାଜା ଅନାଇ ରହିଲେ

ମୁଗ୍‌ଧ ଚକିତ ଚକ୍ଷେ

କାଞ୍ଚି ଜେମାର ବରଣମାଲ୍ୟ

ଶୋହିଲା ନଗନବକ୍ଷେ ।’

 

ପୁରୁଷୋତ୍ତମ ଦେବ ପଦ୍ମାବତୀଙ୍କ ବରଣମାଳା ଗ୍ରହଣ କରି ମୁଗ୍ଧ ଓ ଚକିତ ହୋଇପଡ଼ିଛନ୍ତି । ଚକିତ ହେବା ସ୍ଵାଭାବିକ୍‌ କିନ୍ତୁ ସେ ମୁଗ୍ଧ ହେଲେ କାହିଁକି ? ଏହା କ’ଣ ପୁରୁଷୋତ୍ତମ ଦେବଙ୍କ ଅବଚେତନର ଆଲେଖ୍ୟ ନୁହିଁ କି ? ନିଜର ପ୍ରେମ, ଶତ୍ରୁପକ୍ଷକନ୍ୟାକୁ ସ୍ଵୀକାରୋକ୍ତି ସହ ନିଜ ପକ୍ଷର ଅସଂଖ୍ୟ ସୈନ୍ୟଙ୍କ ବଳିଦାନକୁ ଜନତା ସମ୍ମତ ଓ ଈଶ୍ଵର ମତ କରିବା ପାଇଁ ଏହା ଏକ ଅଭିନବ ରଣ କୌଶଳ । କବି ଗଡ଼ନାୟକ ଏତେସବୁ କଥା ଉଲ୍ଲେଖ କରିନଥିଲେ ମଧ୍ୟ ଗଡ଼ନାୟକୋତ୍ତର ସାହିତ୍ୟ ସେହି ଅବଦମିତ ସତ୍ୟକୁ ଅନ୍ଵେଷଣ କରିଛି । (‘ଟ୍ରକ୍‌ଡାଲାରେ ସନାତନ’ କବି ପ୍ରସନ୍ନ କୁମାର ମିଶ୍ର) ‘ଉତ୍କଳିକା’ରେ କେବଳ ମାଟି ଓ ମଣିଷର କଥା ନାହିଁ । ପ୍ରେମର ଶତେକ ସାର୍ଥକତାରେ ନୀଳଦୀପଟି କେଉଁଠି ନା କେଉଠି ଜଳିଛି ।

 

ଉତ୍କଳିକାର କାହାଣୀ ଭାଗ ଓ ଚରିତ୍ର ଗ୍ରହଣ ଦୃଷ୍ଟି କୋଣରୁ ଏଥିରେ ଏକ ସମତୁଲ ପ୍ରଶାନ୍ତି ଲକ୍ଷ୍ୟ କରାଯାଇପାରିବ । ଏଥିରେ ଯେତିକି ଯୁଦ୍ଧ ଅଛି-ସେତିକି ସାମାଜିକତାର କଥା ଅଛି-। ଯେତିକି ପ୍ରଣୟର ଫୁଲ ଫୁଟିଛି ସେତିକି ଲୁହର ଦୀପାଳି ଜଳିଛି । ଯେତିକି ରାଜାଘର କଥା ଅଛି-ସେତିକି ସାଧାରଣ ଜନତାର ପ୍ରତିନିଧିତ୍ୱ ରହିଛି । ଉଭୟ ରାଜା ଓ ରଇତେଙ୍କୁ ଧରି ରଖିଛି ମାନବିକତା । ଗଡ଼ନାୟକଙ୍କ କବିତାର ମନ୍ତ୍ର ହେଉଛି ଭଲ ପାଇବା । ଏହି ଭଲ ପାଇବା ମାନବ, ମାନବଇତର ଦେଇ ଆକାଶ, ଜହ୍ନ, ସୂର୍ଯ୍ୟ, ନକ୍ଷତ୍ର, ଈଶ୍ୱର ପର୍ଯ୍ୟନ୍ତ ପ୍ରଲମ୍ୱିତ । ଏପରି ପ୍ରେମର ଦ୍ୟୁତିରେ ମହକିତ ହୋଇଛି ‘ଉତ୍କଳିକା’ର କବିତା । ‘ଅନ୍ଧର ଚକ୍ଷୁଲାଭ’ କବିତାରେ ଭୀମଭୋଇ କିପରି ମହିମା ସ୍ୱାମୀଙ୍କ ଅନୁଗାମି ହୋଇ ଚକ୍ଷୁ ପ୍ରାପ୍ତି ହେଲେ ତା’ର ବର୍ଣ୍ଣନା ରହିଛି । ‘ଭାଇ’ କବିତାରେ ରାଣୀଙ୍କୁ ଗର୍ଭବେଦନାରୁ ରକ୍ଷା କରିବା ପାଇଁ ସାଧାରଣ ଓଡ଼ିଆ ପୁଅ ମହାନଦୀର ଭୟଙ୍କର ପ୍ରଳୟ ପାଣିକୁ ଏଡ଼ି ଧାଈ ଯୋଗାଡ଼ କରି ଆଣିବା ପ୍ରସଙ୍ଗକୁ କବି କାବ୍ୟରୂପ ଦେଇଛନ୍ତି-। ‘ମଦନମଣିର ଗାନ’ କବିତାରେ ଆଠଗଡ଼ ରାଜା ବାଲୁକେଶ୍ଵରଙ୍କ ଦରବାରରେ ମଦନମଣିର ଗୀତରେ ଉଦ୍‌ବୁଦ୍ଧ ହୋଇ ରାଜା କଣ୍ଠହାର ପ୍ରଦାନ କରିଛନ୍ତି । ଈଶ୍ୱର ଭକ୍ତକୁ ରାଜା-ପ୍ରଜାକୁ ସେବକ ସାମନ୍ତକୁ ଭଲ ପାଇବାର ପରମ୍ପରାରେ ଉତ୍କଳ ସମୃଦ୍ଧ । ଗଡ଼ନାୟକ କବିତା ମାଧ୍ୟମରେ ଏହା ପ୍ରମାଣ କରିବାକୁ ଚାହିଁଛନ୍ତି । ଏ ଭଲପାଇବା-ଏତେ ଛଳନାହୀନ ଯେ କପିଳାରାଜା ହୋଇଗଲାପରେ ବି ଗୋରୁ ଚରେଇବା ବେଳର ବାଉଁଶ ବଂଶୀଟି ନ ଫୋପାଡ଼ି ସେଥିରେ ସ୍ଵର ଧରେ (ସ୍ମରଣିକା) । ରାଣୀ କପିଳେନ୍ଦ୍ରଦେବଙ୍କୁ ସୁନାର ବଂଶୀ ବ୍ୟବହାର କରିବାକୁ କହିବାରୁ କପିଳେନ୍ଦ୍ର ଦେବ ଏକ ଚମତ୍‌କାର ଉତ୍ତର ଦେଇଛନ୍ତି :

 

‘ସୁନାର ସେ କଳ୍ପନା ତୁମର

ରଖି ନ ପାରିଲି ଆଗୋ ସଖି

ତଟିନୀର ମଧୁରତା ହାୟ

ପାରାବାର ପାରେ ନାହିଁ ରଖି ।’

 

ଏହା ହିଁ ପ୍ରେମ । ଏପରି ମାନବିକ ହୃଦୟବତ୍ତାର କଥା ‘ଉତ୍କଳିକା’ର ପ୍ରସ୍ଥେ ପ୍ରସ୍ଥେ ଅନୁଭବ କରାଯାଇପାରିବ । ଉତ୍କଳର ରାଜା ବି ଜଣେ ତୃଣମୂଳୀୟ ମଣିଷ । ଏଠି ମାଟିର ସିଂହାସନରୁ ରାଜ ସିଂହାସନକୁ ଯାତ୍ରା ଲମ୍ବିଥାଏ ଓ ସିଂହାସନରୁ ମାଟିକୁ ଓହ୍ଲାଇ ଆସେ ରାଜା । ଉତ୍କଳର ଏହି ଅବିକଳ୍ପ କଥା ହେଉଛି ଗଡ଼ନାୟକଙ୍କ କବିତାର ଗାଥା ।

 

ଚାରି

 

ରାଧାମୋହନ ଗଡ଼ନାୟକଙ୍କ ପ୍ରସିଦ୍ଧି ଚେତନାର କବି ଭାବରେ ନୁହେଁ ବରଂ ଦୃଶ୍ୟବାନ ଘଟଣାର ପ୍ରତିନିଧି ଭାବରେ ଅଧିକ ଲୋକପ୍ରିୟ । ଗୋଟିଏ ଦୃଶ୍ୟ ସହିତ ଓଜ, ବୀର୍ଯ୍ୟ, କଳା, କାରୁଣ୍ୟର ସଂଯୋଗରେ ଯେଉଁ ଦରଦୀ ମାନବୀୟତାର ଫୁଆରଟି ସୃଷ୍ଟି ହୁଏ- ତାହା ହିଁ ଗଡ଼ନାୟକଙ୍କ ଶ୍ରେଷ୍ଠତ୍ୱ । ଏହି ଶ୍ରେଷ୍ଠତ୍ୱରେ ସଂଯୋଗିତ ହୁଏ କବିଙ୍କ ଗାଥା କାବ୍ୟଶୈଳୀ ଓ ଅପୂର୍ବ ଗୀତିମୟତା । ଗୋଦାବରୀଶ ମିଶ୍ରଙ୍କ ପରି ଗଡ଼ନାୟକ ଓଡ଼ିଶାର ଜଣେ ସଫଳ ଗାଥା କବି । ଇତିହାସର କୁକ୍ଷି ଭିତରୁ ପ୍ରସିଦ୍ଧ ଘଟଣାଗୁଡ଼ିକୁ ନିର୍ବାଚିତ କରି ଗୀତ ଗୌରବରେ ସେସବୁକୁ ପ୍ରକାଶ କରିବା କବିଙ୍କ ଅନନ୍ୟ କବିତ୍ୱ । ଯେ କୌଣସି ଗୁରୁଗଦ୍ୟାବଳୀଙ୍କୁ ଗଡ଼ନାୟକ ଲଳିତ ପଦରେ ପ୍ରକାଶ କରିବାର ସାମର୍ଥ୍ୟ ରଖନ୍ତି । ଉତ୍କଳିକାରେ ସ୍ଥାନିତ ‘ଚାଖିଖୁଣ୍ଟିଆ’, ‘ବାଇମୁଣ୍ଡି’ କବିତା ଦୁଇଟି ଏହି ପର୍ଯ୍ୟାୟର । ଗଡ଼ନାୟକଙ୍କ କବିତାରେ ଉତ୍କଳ, ଅସ୍ମିତା, ଜନଜୀବନର ଚିତ୍ର ସହ ଯେଉଁ ବୃହତ୍ତର ଭାରତୀୟତା ବୋଧ ପ୍ରକାଶ ପାଇଥାଏ- ‘‘ଉତ୍କଳିକା’ରେ ସେସବୁ ଅକ୍ଷୁର୍ଣ୍ଣ ରହିଛି । ‘ଉତ୍କଳିକା’ କେବଳ ଏକ କବିତା ଗ୍ରନ୍ଥ ନୁହେଁ ଭାରତୀୟ ସ୍ଵାଧୀନତାର ସନ୍ଧିକ୍ଷଣରେ ଓଡ଼ିଆ ଜାତିର ଲୁପ୍ତମାଣ ଆତ୍ମପରିଚୟ, ଓଡ଼ିଆ ଜାତିର ଜୀବନଗାଥା, ବୀରତ୍ୱର ବର୍ଣ୍ଣମାଳା ଲୋଡ଼ିବା ପଣର କିମ୍ବଦନ୍ତୀ । ବିନ୍ଦୁଏ ଲୁହ ପାଖରୁ ବହ୍ନିମାନ ବିପ୍ଳବ ପର୍ଯ୍ୟନ୍ତ ଓଡ଼ିଆ ଜାତୀୟତାର ଜୀବନ ପ୍ରତିଶ୍ରୁତି ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜ

ମୟୁରଭଞ୍ଜ ପ୍ୟାଲେସ୍‌, ବାରିପଦା

 

***

 

Unknown

ଶାମୁକାର ସ୍ୱପ୍ନରେ ସାମ୍ୟବାଦ

ଇତି ସାମନ୍ତ

 

ସତ୍ୟବାଦୀ ଯୁଗର ଅବସାନ ପରେ ପରେ ଓଡ଼ିଆ ସାହିତ୍ୟରେ ସବୁଜ ଗୋଷ୍ଠୀଙ୍କର ଆବିର୍ଭାବ ଘଟିଥିଲା । ୧୯୨୧ରୁ ୧୯୩୫ ମସିହା ପର୍ଯ୍ୟନ୍ତ ସମୟକୁ ସବୁଜ ସାହିତ୍ୟର ସୃଷ୍ଟି ଓ ବିକାଶର ସମୟ ବୋଲି କୁହାଯାଏ, ଯେଉଁଥିରେ ମୁଖ୍ୟତଃ ପାଞ୍ଚଜଣ କର୍ମୀଙ୍କର କାର୍ଯ୍ୟପ୍ରଣାଳୀ ଥିଲା ଲକ୍ଷଣୀୟ । ସେମାନେ ହେଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଅନଦା ଶଙ୍କର ରାୟ, ଶରତ ଚନ୍ଦ୍ର ଚାଟାର୍ଜୀ ଓ ହରିହର ମହାପାତ୍ର, ଯେଉଁମାନେ ଛାତ୍ରାବସ୍ଥାରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିଲେ । ପ୍ରଥମେ କାଳିନ୍ଦୀଚରଣ, ଅନ୍ନଦା ଶଙ୍କର, ବୈକୁଣ୍ଠନାଥ, ଶରତ ଚନ୍ଦ୍ର ଆଦି ମିଶି ଆରମ୍ଭ କଲେ ଏକ କ୍ଲବ, ଯାହାର ନାମ ରଖିଲେ ‘ନନ୍‌ସେନ କ୍ଳବ’ । ପରେ ପରେ ଏହି କ୍ଳବର ମୋହରେ ପଡ଼ିଲେ ହରିହର ମହାପାତ୍ର । ସେ ମଧ୍ୟ ଏମାନଙ୍କ ସହିତ ଯୋଗଦେଲେ ଏବଂ ପ୍ରକାଶ କଲେ ଗୋଟିଏ ହାତଲେଖା ପତ୍ରିକା ‘ଅବକାଶ’ । ପରବର୍ତ୍ତୀ ସମୟରେ ‘ଉତ୍କଳ ସାହିତ୍ୟ ସମାଜ’ର । ସମ୍ପାଦକ ଶ୍ରୀ ବିଶ୍ଵନାଥ କରଙ୍କ ସମ୍ପାଦିତ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଏହି ତରୁଣ ଲେଖକମାନଙ୍କର ଲେଖାସବୁ ପ୍ରକାଶିତ ହେବାରେ ଲାଗିଲା । ୧୯୩୧ ମସିହାରେ ଏହି ପାଞ୍ଚଜଣ ତରୁଣ ଲେଖକଙ୍କ ସମ୍ମିଳିତ ଉଦ୍ୟମରେ ପ୍ରକାଶ ପାଇଲା ‘ସବୁଜ କବିତା’ କାବ୍ୟ ଗ୍ରନ୍ଥ । ପରେ ୧୯୩୨ ମସିହାରେ ସବୁଜ ସାହିତ୍ୟ ସମିତିର ମୁଖପତ୍ର ‘ଯୁଗବୀଣା’ ପ୍ରକାଶିତ ହେଲା । ଏଥିରେ କବି ବୈକୁଣ୍ଠନାଥ ନିଜର ଅଭିମତ ପ୍ରଦାନ କରି କହିଥିଲେ, ‘‘ଆଜି ମନେପଡ଼େ ଦୀର୍ଘ ବାରବର୍ଷ ପୂର୍ବେ ବିଂଶ ଶତାବ୍ଦୀର ସେହି ଭାବ କଲ୍ଲୋଳ ଯେତେବେଳେ ସ୍ଵଳ୍ପଶକ୍ତି ମୁଷ୍ଟିମେୟ କେତେଜଣ ଉତ୍କଳୀୟ ତରୁଣଙ୍କର ପ୍ରାଣସ୍ପର୍ଶ କରିଥିଲା, ସେମାନେ ବିହ୍ୱଳ ହୋଇ ଉଠିଥିଲେ । ରେଭେନ୍ସା କଲେଜର ପ୍ରସ୍ତର ବେଷ୍ଟନୀ ସେମାନଙ୍କୁ ଆବଦ୍ଧ କରି ପାରି ନ ଥିଲା । ସକଳ ଦୃଷ୍ଟି ଅନ୍ତରାଳରେ ସେହି ଅପରିପକ୍ସନ ଅପରିଣାମଦର୍ଶୀ, କ୍ଷୀଣଜୀବୀ ତରୁଣ ଆପଣାର ଦୈନ୍ୟ ଭୁଲି ସେହି ଅଭିନବ ବାଣୀ ନିକଟରେ ପ୍ରଣାମ କରିଥଲେ ।’’ (୧. ‘‘ଯୁଗବୀଣା’’ ପତ୍ରିକା) ସେହିଭଳି ୧୯୩୩ ମସିହା ‘ନବୀନ’ ପତ୍ରିକାର ମାର୍ଚ୍ଚ ସଂଖ୍ୟାରେ ପ୍ରକାଶ ପାଇଲା, ‘‘ସବୁଜ ସାହିତ୍ୟ ସମିତି ଆଜି ଉତ୍କଳ ସାହିତ୍ୟକୁ ଯଥେଷ୍ଟ ଦାନ କରିଅଛି । ନିରାଶା ଭିତରେ ସମିତି ଯେଉଁ ଆଶା ଓ ଆଲୋକ ଧାରଣ କରି ସାହିତ୍ୟ ସେବାରେ ଓ କୃଷ୍ଟି ସାଧନାରେ ବ୍ରତୀ ହୋଇଛନ୍ତି ସେଥିନିମନ୍ତେ ଉତ୍କଳ ସାହିତ୍ୟର ଅମର ପୃଷ୍ଠାରେ ସମିତିର ଉଦ୍ୟୋକ୍ତାମାନଙ୍କର ନାମ ଓ କର୍ମ ଚିର ଜାଜ୍ଜ୍ୱଲ୍ୟ ରହିବ ।’’ (୨, ‘ନବୀନ’ ପତ୍ରିକା ମାର୍ଚ୍ଚ ସଂଖ୍ୟା ୧୯୩୩)

 

ସବୁଜ ସାହିତ୍ୟ ତା’ର ସୃଷ୍ଟି ଓ ପ୍ରଚାର ପ୍ରସାରକୁ ନେଇ ଓଡ଼ିଆ ସାହିତ୍ୟରେ ନିଜର କାୟା ବିସ୍ତାର କରି ଚାଲିଥିଲେ ମଧ୍ୟ ସମାଲୋଚନାରୁ ନିଜକୁ ରକ୍ଷା କରିବାରେ ସମର୍ଥ ହୋଇ ପାରୁ ନ ଥିଲା । ସମକାଳୀନ ଅନେକ ସ୍ରଷ୍ଟା ଓ ସମାଲୋଚକ ସବୁଜ ସାହିତ୍ୟ ଉପରେ ପ୍ରତିକୂଳ ମତ ପ୍ରଦାନ କରୁଥିଲେ । କାରଣ ସବୁଜ ଗୋଷ୍ଠୀ ପୂର୍ବରୁ ସତ୍ୟବାଦୀ ଗୋଷ୍ଠୀର କବିମାନେ ସେମାନଙ୍କ ରଚନାରେ ପ୍ରକୃତିର ରୂପ ବର୍ଣ୍ଣନାକୁ ଅଗ୍ରାଧିକାର ଦେଉଥିଲେ ମଧ୍ୟ ଜାତିର ଅତୀତ ପ୍ରତି ନିଜର ବ୍ୟଥିତ ଦୃଷ୍ଟି ନିକ୍ଷେପ କରିବାକୁ ଭୁଲି ନଥିଲେ । ଜାତିର ଅଧୋଗତିରେ ସେମାନେ ମର୍ମାହତ ହେଉଥିଲେ । ମୃତପ୍ରାୟ ଅବସ୍ଥାରେ ଥିବା ବିରାଟ ଐତିହ୍ୟସଂପନ୍ନ ଓଡ଼ିଆ ଜାତିକୁ ପୁନର୍ବାର ଜାଗ୍ରତ କରି ବିଶ୍ୱସମ୍ମୁଖରେ ଠିଆ କରିବା ପାଇଁ ସେମାନେ କାବ୍ୟ କବିତାମାନ ରଚନା କରୁଥିଲେ । କିନ୍ତୁ ସତ୍ୟବାଦୀ ଯୁଗ ପରେ ପରେ ସବୁଜ ଯୁଗର ଆବିର୍ଭାବ ଘଟିଥିଲେ ମଧ୍ୟ ସବୁଜ ଯୁଗର କବିଗଣଙ୍କ ରଚନାରେ ସତ୍ୟବାଦୀଯୁଗର ପ୍ରଭାବ ବା ତାଙ୍କର ଆଦର୍ଶ ଅନୁଭୂତ ହେଲା ନାହିଁ । ତେଣୁ ସବୁଜ ଯୁଗର ସାହିତ୍ୟ ଓଡ଼ିଆ ସାହିତ୍ୟକୁ କିଛିବାଟ ଆଗକୁ ଆଗେଇ ନେଉଥିଲେ ମଧ୍ୟ ସେମାନେ ସମାଲୋଚନାର ଶରବ୍ୟ ହୋଇ ପଡ଼ିଥିଲେ ।

 

ସବୁଜର ସମସାମୟିକ ଭାବେ ଓଡ଼ିଶାର ସାହିତ୍ୟାକାଶରେ ଡକ୍ଟର ମାୟାଧର ମାନସିଂହ, ସଚ୍ଚିଦାନନ୍ଦ ରାଉତରାୟ ଓ ରାଧାମୋହନ ଗଡ଼ନାୟକ ଆଦି ତିନିଜଣ କବିଙ୍କର ଆବିର୍ଭାବ ଘଟିଲା-। ସବୁଜ ଯୁଗର ସମସାମୟିକ ହେଇ ସବୁଜ ସାହିତ୍ୟର ବିକାଶ ବେଳକୁ ଡକ୍ଟର ମାନସିଂ ପ୍ରତିଷ୍ଠା ଲାଭ କରି ସାରିଥିଲେ ମଧ୍ୟ ତାଙ୍କ ଉପରେ ସତ୍ୟବାଦୀ ଯୁଗ ବେଶ୍‌ ପ୍ରଭାବ ପକାଇଥିଲା । କାଳିନ୍ଦୀଚରଣଙ୍କ ସହ ମିଶି ସେ ମତ ଦେଲେ ଯେ ସବୁଜ ସାହିତ୍ୟରେ ଓଡ଼ିଶାର ପାରମ୍ପରିକ କାବ୍ୟ ଚେତନାର ପ୍ରବାହ ଅପେକ୍ଷା ବଙ୍ଗୀୟ ଉପାଦାନ ଓ ଏହାର ପ୍ରଭାବ ଅଧିକ ପରିସ୍ଫୁଟ । ଡକ୍ଟର ମାନସିଂ ଆହୁରି ମଧ୍ୟ ସମାଲୋଚନା କରି କହିଲେ, ‘‘ଏ ଦେଶରେ ଯେ କିଆ ଗୋଲାପ ଫୁଲ ଫୁଟି ଝରି ପଡ଼ୁଛି, ସେ ଖବର ନ ରଖି ଏମାନେ ଚାମେଲି, ଗୋଲାପ, ବେଲ ଫୁଲ ବାସ୍ନା ହେନାର ଗନ୍ଧ ଆଣି ଆମକୁ ଶୁଙ୍ଘାଇଲେ । ସାଧବ ଝିଅ ନଭରେ ଗାଧୋଇଲାବେଳେ ବାରହାତ ଲମ୍ବା ବାଳକୁ ସୁନା ଫରୁଆରେ ପାଣିରେ ଭସାଇ ଦେଇ ଅନାଇ ରହିଛି । ସେ ଦୃଶ୍ୟ କବିମାନେ ଦେଖିପାରୁ ନାହାନ୍ତି । ସେମାନେ ସବୁଜ ଆସ୍‌ମାନ୍‌ ପରୀର ନୃତ୍ୟ ଆମକୁ ଦେଖାଉଛନ୍ତି । ଏ ଜୀବ ଏ ମାଟିରେ ପରିଚିତ ନୁହେଁ । ଏମାନଙ୍କୁ ବୁଝିବାକୁ ଓଡ଼ିଆ ଜାତିକୁ ବହୁବର୍ଷ ଟ୍ରେନିଂ ପାଇବାକୁ ହେବ । ଏ ପ୍ରକାର ସାହିତ୍ୟ ଏ ଭାଷାର କେବେହେଲେ ସମୃଦ୍ଧି ସାଧନ କରିବ ନାହିଁ, କାରଣ ଏଥିରେ ଜାତିର ପ୍ରାଣ ପ୍ରକାଶ ପାଉ ନାହିଁ ।’’(୩. ‘ପ୍ରବନ୍ଧ ପରଧର୍ମ’, ଡକ୍ଟର ମାୟାଧର ମାନସିଂ)

 

ଏହିଭଳି ଭାବରେ ନିଜର ମାଟି, ପାଣି, ପବନ ତଥା ନିଜ ପରିବେଶର ଛାପ ସବୁଜ ସାହିତ୍ୟରେ ଦେଖିବାକୁ ନ ମିଳିବାରୁ ସବୁଜ ସାହିତ୍ୟିକ ଗୋଷ୍ଠୀ ସମାଲୋଚନାର ଶରବ୍ୟ ହୋଇ ପଡ଼ିଲେ । ଡକ୍ଟର ମାୟାଧର ମାନସିଂଙ୍କ ଭାଷାରେ, ‘‘ତେଣୁ ସବୁଜ କବି ଦଳ ଏ ଜାତିକୁ ଯେଉଁ ସ୍ଵପ୍ନ କୁଞ୍ଜବନର ନିର୍ଦ୍ଦେଶ ଦେଲେ, ନିଜେ ଲୁଚକାଳି ଖେଳରେ ଭୀରୁତାର ଆଶ୍ରୟ ନେଇ ଲୁଚିଲେ, ତାହା ତାଙ୍କର ଆଶ୍ରୟସ୍ଥଳ ନ ହୋଇ ତାଙ୍କ ପକ୍ଷରେ ବିପଦସଂକୁଳ ହୋଇ ଉଠିଲା । ଏମାନେ ଯେଉଁ ନିରାଶାର ବାଣୀ ଦେଶକୁ ଶୁଣାଇ ଏ ଜାତିକୁ ନିରାଶାରେ ଡୁବାଇ ଦେବାକୁ ଚାହିଁଥିଲେ ସେହି ନିରାଶାର ବାଣୀ ତାଙ୍କ ପଛେ ପଛେ ଗୋଡ଼େଇଲା ଓ ତାଙ୍କୁ ସେହି ସ୍ଵପ୍ନର କୁଞ୍ଜବନରେ ଅଦୂର ଗୋଲକରେ ବୁଲେଇ ବୁଲେଇ ନିରାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ହସ୍ତପଦ ରକ୍ତାକ୍ତ କଲା ଓ ଶେଷରେ ଏମାନଙ୍କ ସାହିତ୍ୟିକ ଜୀବନର କାଳ ହେଲା ।, (୪,‘ପ୍ରବନ୍ଧ ପରଧର୍ମ’ - ଡକ୍ଟର ମାୟାଧର ମାନସିଂ) ଏଥିରୁ ସ୍ପଷ୍ଟ ବୁଝାପଡ଼େ ଉତ୍କଳର ବିପର୍ଯ୍ୟୟ କବି ପ୍ରାଣକୁ ବ୍ୟାକୁଳ କରିଛି, ଆଚ୍ଛନ୍ନ କରି ପକାଇଛି । ଓଡ଼ିଶା ପାଇଁ ତାଙ୍କର ଏଇ ବ୍ୟାକୁଳ ପଣ ତାଙ୍କ କାବ୍ୟ କବିତାଗୁଡ଼ିକରେ ଝରି ପଡ଼ିଛି । ସବୁଜ ଯୁଗର ସମସାମୟିକ ହେଲେ ମଧ୍ୟ କବିଙ୍କ ରଚନାରେ ଭିନ୍ନତା ପରିଲକ୍ଷିତ ହୁଏ ।

 

ସେହିଭଳି କବି ଡକ୍ଟର ମାୟାଧର ମାନସିଂଙ୍କ ସମସାମୟିକ ଆଉଜଣେ ଗୀତିକବି ହେଉଛନ୍ତି କବି ରାଧାମୋହନ ଗଡ଼ନାୟକ । ଏହି ବିରାଟ ପ୍ରତିଭା ଜଣଙ୍କ ଓଡ଼ିଶା ମାଟିରେ ଆବିର୍ଭୂତ ହୋଇଥିଲେ ୧୯୧୧ ମସିହା ଭାଦ୍ରବ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ, ଅନୁଗୁଳର ‘କଲଣ୍ଡାପାଳ’ ନାମକ ଗ୍ରାମରେ । ସବୁଜ ଯୁଗର ସମସାମୟିକ ହେଇଥିଲେ ମଧ୍ୟ କବି ରାଧାମୋହନ ଗଡ଼ନାୟକ ସବୁଜ ସାହିତ୍ୟ ଦ୍ଵାରା ପ୍ରଭାବିତ ହୋଇ ନ ଥିଲେ । ସେ ସବୁଜ ଚିନ୍ତାଧାରାରୁ ଦୂରେଇ ରହି ପ୍ରଥମରୁ ହଁ ଏକ ଭିନ୍ନ ଧରଣର କାବ୍ୟଧାରାକୁ ଆପଣେଇ ଥିଲେ ।

 

କବି ରାଧାମୋହନ ମୁଖ୍ୟତଃ ଜଣେ ଗୀତିକବି । ଗୀତିକବିତା ହେଉଛି ତାଙ୍କର ସାହିତ୍ୟିକ ଚାରଣ ଭୂମି । ପ୍ରଥମରୁ ହିଁ ସେ ତାଙ୍କର ଗୀତିକବିତାର ଉତ୍ସ ଭାବରେ ଗ୍ରାମ୍ୟଜୀବନ ଓ ଜାତୀୟ ଉନ୍ମାଦନାପୂର୍ଣ୍ଣ କାହାଣୀକୁ ଅଧିକଭାବରେ ଗ୍ରହଣ କରିଛନ୍ତି । ୧୯୨୫ରୁ ୧୯୨୮ ମଧ୍ୟରେ କବି ଅପରିଣତ ବୟସରେ ଛାତ୍ରାବସ୍ଥାରେ ରଚନା କରିଥିବା କବିତାଗୁଡ଼ିକରେ ତାଙ୍କର ପରିପକ୍ୱଭାବ ନ ଥିଲେ ମଧ୍ୟ ସେଗୁଡ଼ିକରେ ପ୍ରାକ ସବୁଜ ଚେତନାର ପାରମ୍ପରିକ ରୂପ ଓ ରୁଚି ସହଜରେ ଜଣାପଡ଼େ । ମନେହୁଏ କବି ବଢ଼ିଥିବା ଗ୍ରାମ୍ୟ ପରିବେଶ ହିଁ ତାଙ୍କ ଚିନ୍ତାଧାରା ଏବଂ ତାଙ୍କ ରଚନାସବୁକୁ ସମସାମୟିକ ରବୀନ୍ଦ୍ର ଚେତନା ଓ ରୋମାଣ୍ଟିକ୍‌ଭାବନାଠାରୁ ଦୂରେଇ ରଖିଥିଲା-

 

କବି ଗଡ଼ନାୟକ ତାଙ୍କର ଦୀର୍ଘ ଯାତ୍ରାପଥରେ ଅନେକଗୁଡ଼ିଏ ଗୀତିକବିତା ସହିତ ଅନେକଗୁଡ଼ିଏ ଗାଥା କବିତା, କଥା କବିତା ମଧ୍ୟ ସୃଷ୍ଟି କରିଛନ୍ତି । ତତ୍‌ସହିତ ଅନେକ ଅନୁବାଦ ସାହିତ୍ୟ ମଧ୍ୟ ସୃଷ୍ଟି କରିଛନ୍ତି । ତାଙ୍କ ପ୍ରତିଭାର ଆଦ୍ୟ ଉନ୍ମେଷ କାଳରେ ସେ ଅନୁବାଦ ରଚନାକୁ ଆପଣେଇ ଥିଲେ । ଯାହା ପରବର୍ତ୍ତୀ ସମୟରେ ତାଙ୍କ ପ୍ରତିଭାର ବିକାଶରେ ସହାୟକ ହୋଇଥିଲା-। ୧୯୩୧ ମସିହାରେ ଗଡ଼ନାୟକଙ୍କ ଅନୁଦିତ କବି କାଳିଦାସଙ୍କ ଅମର କୃତି ‘ମେଘଦୂତ’ ତାଙ୍କ ଅନୁବାଦ ପ୍ରତିଭାର ଶ୍ରେଷ୍ଠ ସ୍ମାରକୀ ବୋଲି ଧରାଯାଏ ।

 

କବିଙ୍କର ପ୍ରଥମ ସଫଳ କାବ୍ୟ-ସାଧନାର ସ୍ୱରୂପ ହେଉଛି ତାଙ୍କର ‘କାବ୍ୟନାୟିକା’ ସଂକଳନ । ପରେ ପରେ କବିଙ୍କର ଜୟଯାତ୍ରା ଅବ୍ୟାହତ ରଖିବାରେ ‘ମୌସୁମୀ’ (୧୯୫୧) ଏବଂ ‘ଧୂସର ଭୂମିକା’ (୧୯୬୦) ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ‘ମୌସୁମୀ’ ଏବଂ ‘ଧୂସର ଭୂମିକା’ରେ ସନ୍ନିବେଶିତ ମୌଳିକ ଗୀତିକବିତାଗୁଡ଼ିକରୁ କବିଙ୍କର ବୈପ୍ଳବିକ ଚିନ୍ତାଧାରାର ସୂଚନା ମିଳେ । ‘ମୌସୁମୀ’ର ଉପରେ ମତଦେଇ କବି ନିଜେ କହିଛନ୍ତି ‘‘ମୌସୁମୀ’ର କବିତାଗୁଡ଼ିକରେ ମୁଁ ରଖିଛି ଦେଶ ଓ କାଳର ଯୁଗବତ୍‌ ପଦଚିହ୍ନ ।’’ ( ୫. ଗଡ଼ନାୟକ ଗ୍ରନ୍ଥାବଳୀ, ପୃଷ୍ଠା ୩୯୧) ସେହିଭଳି ୧୯୬୦ ମସିହାରେ ପ୍ରକାଶିତ ‘ଧୂସର ଭୁମିକା’ର କବିତାସବୁରେ ସ୍ୱାଧୀନୋତ୍ତର ଭାରତର ଆଶା, ଆକାଂକ୍ଷା, ସ୍ୱପ୍ନ, ସମ୍ଭାବନା । ଆଦି କିଭଳି ଭାବରେ ଧୂଳିସାତ୍‌ ହୋଇଛି କବି ସେ ବିଷୟରେ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଯୁଦ୍ଧୋତ୍ତର ଜୀବନର ଧୂସର ଅଭିକ୍ଷେପ ମଧ୍ୟରେ ପୃଥିବୀର ବହୁ ସ୍ମରଣୀୟ ଘଟନା, ଦୁର୍ଘଟନାର ବର୍ଣ୍ଣନା କରିଛନ୍ତି । କବିଙ୍କ ଭାଷାରେ - ‘‘ସାଂପ୍ରତିକ ପୃଥିବୀ ଦୁଃଖ, ବ୍ୟଥା, ବାଦ, ବିସମ୍ବାଦ୍ ଭେଦାଭେଦ ଓ ନାନା ସମସ୍ୟାରେ ଭରା ଜୀବନ ସହଜରେ ଶୁଷ୍କ ଓ ବିବର୍ଣ୍ଣ ହୋଇଯାଉଛି । ତଥାପି ଆଶାବାଦୀ ମଣିଷ ଦେଖିଛି ତା’ର ସ୍ଵପ୍ନଶ୍ୟାମଳ ସମାରୋହର ସ୍ୱପ୍ନ । ‘ଧୂସର ଭୂମିକା’ରେ ୟା’ର ଛାୟାଲୋକ ଯତ୍‍କିଞ୍ଚିତ୍ୟ ଅଛି ବୋଧହୁଏ ।’’( ୬. ଗଡ଼ନାୟକ ଗ୍ରନ୍ଥାବଳୀ, ପୃଷ୍ଠା ୫୯୯, ‘ଧୂସର ଭୁମିକା’ ମୁଖବନ୍ଧ)

 

‘ଦୁଇଟି ତାହାର ଡେଣା’ (୧୯୫୪)ର ମୁଖବନ୍ଧରେ କବି କହିଛନ୍ତି, ‘‘ମଣିଷର ଦୁଇଟି ଭୋକ, ଦୁଇଟି ଖାଦ୍ୟ, ଗୋଟିଏ ଦେହରକ୍ଷା ପାଇଁ ଆଉ ଗୋଟିଏ ଦେହ ପାଇଁ । ଏ ଦୁଇଟି ପରେ ମଣିଷର ଜୀବନ ସ୍ଵପ୍ନ ସମ୍ଭବ । ତେଣୁ ମୁଖ୍ୟତଃ ଏ ଦୁଇଟିର ଭିତ୍ତିଭୂମି ଉପରେ ‘ଦୁଇଟି ତାହାର ଡେଣା’ର କବିତାଗୁଡ଼ିକ ରଚିତ ଓ ସଂକଳିତ । (୭, ଗଡ଼ନାୟକ ଗ୍ରନ୍ଥାବଳୀ, ପୃଷା- ୭୬୯, ଦୁଇଟି ତାହାର ଡେଣା, ପଦେ ଅଧେ)

 

୧୯୭୪ରେ ପ୍ରକାଶିତ ‘ସୂର୍ଯ୍ୟ ଓ ଅନ୍ଧକାର’ ସଂକଳନ ପାଇଁ କବି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ । ସମାଲୋଚକ ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀଙ୍କ ମତରେ - ‘‘ସୂର୍ଯ୍ୟ ଓ ଅନ୍ଧକାର’’ ତେଣୁ ତାଙ୍କ ପରିବର୍ତ୍ତିତ କାବ୍ୟମାନସର ମାନଚିତ୍ର ବହନ କରି କବିଙ୍କୁ ସାମାଜିକ ବ୍ୟଞ୍ଜନାର ଏକ ବିସ୍ଫୋରଣମୁଖୀ ବାରୁଦ ସ୍ତୁପ ଉପରେ ଠିଆକରି ଦେଇଛି । ସେ ସମସ୍ତ ସାମାଜିକ ଅସଙ୍ଗତି, ବିରୋଧାଭାସ ଓ ନଗ୍ନତା ବିରୁଦ୍ଧରେ ବୌଦ୍ଧିକତାର ଶର ବର୍ଷଣ କରିଛନ୍ତି ।’’( ୮ ସବୁଜରୁ ସାଂପ୍ରତିକ, ପୃଷ୍ଠା- ୧୩୧, ଡକୁର ନିତ୍ୟାନନ୍ଦ ଶତପଥୀ)

 

ଶ୍ରୀ ଗଡ଼ନାୟକ ଅନେକ ଗୀତିକବିତା, ଗାଥା କବିତା, କଥା କବିତା, ଛନ୍ଦ କବିତା ଓ ଚୌପଦୀ ଆଦି ରଚନା କରି ଓଡ଼ିଆ ପାଠକଙ୍କ ମନ ଜିଣି ପାରିଥିଲେ । ଓଡ଼ିଆ କବିତା । ଯେତେବେଳେ ପରୀକ୍ଷା ନିରୀକ୍ଷା ମଧ୍ୟ ଦେଇ ଗତିକରି ସବୁଜ ଯୁଗରୁ ଆଧୁନିକ ଯୁଗକୁ ଧୀରେ ଧୀରେ ପାଦ ବଢ଼ଉଥିଲା ସେଇ ସନ୍ଧିକ୍ଷଣରେ ରାଧାମୋହନ ନିଜ କବିତା ମାଧ୍ୟମରେ ଏକ ସ୍ୱତନ୍ତ୍ର ଧାରା ସୃଷ୍ଟି କରିଥିଲେ । ତାଙ୍କ ରଚନାଗୁଡ଼ିକ କେବଳ ବୁଦ୍ଧିଜୀବୀ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ସାଧାରଣ ପାଠକଙ୍କ ପାଇଁ ତାଙ୍କ ସାହିତ୍ୟ ସୃଷ୍ଟିରେ ମଧ୍ୟ ଅନେକ ଖୋରାକ ରହିଛି । ତାଙ୍କର ଅନେକ ରଚନା ପୌରାଣିକ, ଐତିହାସିକ, ସାମାଜିକ ତଥା କିମ୍ବଦନ୍ତୀ ପୃଷ୍ଠଭୂମିରେ ରଚିତ-। ଅନେକ ସମୟରେ ସେ ପୂର୍ବ ରଚିତ ବିଷୟବସ୍ତୁକୁ ନେଇ ସେଗୁଡ଼ିକୁ ପୁଣିଥରେ ନିଜ ଢଙ୍ଗରେ ନିଜର ଭାଷା, ଭାବ ଓ ଛନ୍ଦ ଦେଇ ସାଧାରଣପାଠକଙ୍କ ନିକଟରେ ନୂତନ ଶୈଳୀରେ ଉପସ୍ଥାପନ କରିଥାନ୍ତି । ତାଙ୍କ କବିତାଗୁଡ଼ିକରେ ରହିଛି ସାଧାରଣ ମଣିଷର ଭାଷା । କବିର ଦରଦୀ ହୃଦୟ ବିଗଳିତ ହୋଇଯାଇଛି ସାଧାରଣ ମଣିଷର କଷ୍ଟ ଯନ୍ତ୍ରଣା ଦେଖି । ସେ ସହିପାରି ନାହାଁନ୍ତି, ଆତ୍ମା ତାଙ୍କର ବିଦ୍ରୋହ କରି ଉଠିଛି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ । ସମାଜ ଯାହାକୁ ହେୟଜ୍ଞାନ କରିଛି ତା’ ଭିତରେ ଥିବା ମହାନତାକୁ ଲୋକଲୋଚନକୁ ଆଣିବାକୁ କବି ସତତ ଚେଷ୍ଟିତ ହୋଇଛନ୍ତି । ବ୍ୟକ୍ତି ଓ ଅଭିବ୍ୟକ୍ତିର ସୁନ୍ଦର ସମନ୍ଵୟ ଘଟିଛି ତାଙ୍କ କବିତାସବୁରେ । କୌଣସି ସ୍ଥାନରେ ବା କୌଣସି ପରିସ୍ଥିତିରେ ସେ ସାଲିସ୍‌ କରିନାହାଁନ୍ତି । ଯାହା ଉଚିତ ମନେ କରିଛନ୍ତି ତାକୁ ଅତି ନିର୍ଭୀକ ଭାବରେ ଓ ସ୍ପଷ୍ଟ ରୂପରେ ପ୍ରକାଶ କରିଛନ୍ତି । ଖଣ୍ଡାୟତ ଘରର ସନ୍ତାନ ହୋଇଥିବାରୁ ବାଣୀସେବା କଲେ ବି ସେ ଖଣ୍ଡାୟତ ଘରର ପରମ୍ପରାରେ ପରିପୁଷ୍ଟ । ତେଣୁ ଖଣ୍ଡା ବା ତଲୁଆର ସହିତ ତାଙ୍କର ସଂପର୍କ । ତାଙ୍କର ଏହି ଭାବନା ସେ ଅତି ପିଲାବେଳେ ଲେଖିଥିବା ଗୋଟିଏ କବିତାରୁ ହିଁ ଜଣାପଡ଼ିଯାଏ । ସେ କହିଛନ୍ତି, ଯେଉଁ ଦେଶର ବୀର କଥା କଥାକେ ମଥା ଦିଏ ଓ ନିଏ ଯାହାର ରକତ, ତା ସଙ୍ଗୀତର ସ୍ଵରରେ ଆକାଶ ପବନ ଭରିଯାଏ, ସେଇ ଖଣ୍ଡାୟତର ରକ୍ତ ଯେତେ କ୍ଷୀଣଧାର ହେଲେ ବି ମୋ ଦେହରେ ପ୍ରବାହିତ । ସେହି ଦେଶ କୋଳରେ ଜନ୍ମଲାଭ କରି ମୁଁ କେବେ ଦୀନହୀନ ହୋଇ ନ ପାରେ । (୯. ‘ବନରାଜିନୀଳା’ରେ ପ୍ରକାଶିତ କବିତା ମୁଁ କି କେବେ ଦୀନହୀନ- ୧୯୨୫, ଗ୍ରନ୍ଥାବଳୀ, ପୃଷ୍ଠା-୯୯୧) ଏହି ଚିନ୍ତାଧାରାକୁ ହିଁ ସେ ଜୀବନସାରା ତାଙ୍କ କାବ୍ୟରଚନାରେ ସ୍ଥାନ ଦେଇଛନ୍ତି । ନିଜର ବାଣୀ ସାଧନାକୁ ବାଣଚାଳନା କଲାଭଳି କରିଛନ୍ତି । ତାଙ୍କ ଭାଷାରେ, ‘‘ବାଣୀ ସେବା କରି ଲୋକ କାପୁରୁଷ ହେବା ଉଚିତ ନୁହେଁ । ପରିସ୍ଥିତି ଯାହା ଆସୁନା କାହିଁକି କବିକୁ ନିଜ ଅଭିବ୍ୟକ୍ତି ପ୍ରତି ସଚ୍ଚୋଟ ହେବାକୁ ହେବ ।’’ (୧୦, କବିଙ୍କ ନିଜସ୍ଵ ଅଭିଭାଷଣରୁ) ଏଣୁ କାହାରି ପ୍ରତି ତାଙ୍କର ଅନୁଯୋଗ ନାହିଁ । ପରିଣତିର କଥା ନ ଭାବି ନିଜ ବାଟରେ ଆଗେଇ ଯାଇଛନ୍ତି । ଯାହା ଠିକ୍‌ ଭାବିଛନ୍ତି ତାହା ହିଁ କରି ଚାଲିଛନ୍ତି । ସାଂସାରିକ ଜଞ୍ଜାଳ ତାଙ୍କୁ ପଥଚ୍ୟୁତ କରିପାରିନାହିଁ କି ପାରିପାର୍ଶ୍ୱିକ ପରିସ୍ଥିତି ତାଙ୍କୁ ତାଙ୍କ ସାହିତ୍ୟ ସାଧନାରୁ ବିଚ୍ୟୁତ କରିପାରି ନାହିଁ ।

 

ଆଧୁନିକ କାବ୍ୟ କବିତାର ସମସ୍ତ ପରୀକ୍ଷା ନିରୀକ୍ଷା ପ୍ରୟୋଗଠାରୁ ନିରାପଦ ଦୂରତ୍ୱରେ ରହି ନିଜର ସ୍ଵତନ୍ତ୍ର ରଚନା ମାଧ୍ୟମରେ ସେ ପାଠକ ପ୍ରାଣରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନଟିଏ ସୃଷ୍ଟି କରି ପାରିଛନ୍ତି । କବି ସଚ୍ଚି ରାଉତରାୟଙ୍କ ମତରେ, ‘‘ମାନସିଂହଙ୍କ ଅପୋସହୀନ ଏବଂ ବ୍ୟକ୍ତିଗତ ରେମାଣ୍ଟିସିଜିମ୍‌ ଗଡ଼ନାୟକଙ୍କ କବିତାରେ ବିଶେଷତଃ ତାଙ୍କର ଉପକଥାଭିତ୍ତିକ ରଚନାରେ ଅଧିକତର କାବ୍ୟିକ ନୈର୍ବ୍ୟକ୍ତିକତା ଲାଭ କରିପାରିଛି ଏବଂ ଏକ ପରିଣତ ମୁହୂର୍ତ୍ତରେ ସାମ୍‌ନାସାମ୍‌ନି ଛିଡ଼ା ହେବାକୁ । ସାହସ ଅର୍ଜନ କରିପାରିଛି । (୧୧. କବି ରାଧାମୋହନ ଗଡ଼ନାୟକ- ଏକ ବିହଙ୍ଗ ଦୃଷ୍ଟି- ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ ୧୯୭୧, ପୃଷ୍ଠା- ୮୫) ବହୁ ପୌରାଣିକ ଚରିତ୍ର ଓ ଉପକଥାକୁ ନେଇ କବିତା ରଚନା କରିବାର ପ୍ରୟାସ କରିଛନ୍ତି କବି ଏବଂ ସେସବୁ ରଚନା କରି ସଫଳତାର ସହ ପାଠକଙ୍କ ନିକଟରେ ପହଞ୍ଚି ପାରିଛନ୍ତି ମଧ୍ୟ । ପୁରାଣ, ଇତିହାସ କିମ୍ବଦନ୍ତୀର କବରତଳୁ ଚରିତ୍ରସବୁକୁ ସଂଗ୍ରହ କରି ତାକୁ ପୁଣିଥରେ ନୂଆକରି ଜୀବନ ଦେଇ କାବ୍ୟିକ ଗୌରବ ହାସଲ କରିବାରେ କବି ଗଡ଼ନାୟକଙ୍କ ସଫଳତା ଅଦ୍ୱିତୀୟ । ଏହିଭଳି ଚରିତ୍ରସବୁ ଦେଖିବାକୁ ମିଳନ୍ତି ‘ଶାମୁକାର ସ୍ଵପ୍ନ’ ସଂକଳନରେ । ଏଗାରଟି କବିତାରେ ସନ୍ନିବିଷ୍ଟ ‘ଶାମୁକାର ସ୍ଵପ୍ନ’ କବିଙ୍କର ସାମ୍ୟବାଦୀ ଚେତନାର ବାର୍ତ୍ତା ବହନ କରେ । ଶାମୁକା ବକ୍ଷରେ ମୁକ୍ତାର ସନ୍ଧାନ ପରି ସମାଜର ଅନେକ ଅବହେଳିତ ଚରିତ୍ରମାନଙ୍କର ମହାନତାକୁ କବି ହୃଦୟ ସହକାରେ ଉପଲବ୍‌ଧି କରିଛନ୍ତି । ଶ୍ରୀୟା ଚଣ୍ଡାଳୁଣୀ, ବାଲ୍ମୀକି, ଶ୍ରମଣା, ଗୁହକ, ଏକଲବ୍ୟ, ଶମ୍ଭୁକ, ରଇଦାସ ଆଦି ଚରିତ୍ରମାନଙ୍କ ମହାନତାକୁ ଉପଲବ୍‌ଧି କରି କବି ତାଙ୍କ ଲେଖନୀ ମାଧ୍ୟମରେ ସେମାନଙ୍କୁ । ଅମର କରି ଦେଇ ଯାଇଛନ୍ତି । ଯୁଗ ଯୁଗ ଧରି ଅବହେଳିତ ହେଇ ରହିଥିବା ଏହି ଚରିତ୍ରଗୁଡ଼ିକୁ ଉପଯୁକ୍ତ । ପ୍ରତିଦାନ ଦେବା ପାଇଁ ସେ ବଦ୍ଧପରିକର ହେଇଛନ୍ତି । କବିଙ୍କ ଭାଷାରେ, ‘‘ପୃଥିବୀର ନେପଥ୍ୟରେ ବହୁତ ଆତ୍ମା ନିଭୃତରେ ନୀରବରେ ଜୀବନ ସୌରଭ ଦେଉଛନ୍ତି, ଜୀବନ ସଙ୍ଗୀତ ଗାଉଛନ୍ତି, କିନ୍ତୁ ଜଗତରେ ତାଙ୍କ ଦାନର ପ୍ରତିଦାନ ଯୁଗ ଯୁଗ ଧରି ମିଳିନାହିଁ, ମିଳୁନାହଁ । ତଥାପି ସେଇ ଅବିନଶ୍ୱର, ଅବିସ୍ମରଣୀୟ ଆତ୍ମାର ଅଭିଯାନ ଚାଲିଛି । ସେଇ ଅସ୍ଵୀକୃତ ଅଥଚ କ୍ରାନ୍ତିଶୀଳ କୀବନର କେତେଗୁଡ଼ିଏ ସ୍ଵପ୍ନ ‘ଶାମୁକାର ସ୍ଵପ୍ନ”ରେ ସନ୍ନିବିଷ୍ଟ ।’’ (୧୨, ଗଡ଼ନାୟକ ଗ୍ରନ୍ଥାବଳୀ- ଦ୍ୱିତୀୟଖଣ୍ଡ, ଶାମୁକାର ସ୍ଵପ୍ନ, ପୃଷ୍ଠା- ୮୨) ‘ଶାମୁକାର ସ୍ଵପ୍ନ’ରେ ମଣିଷ ଜଗତର ବିପୁଳ ବାର୍ତ୍ତା ଶୁଣାଇବାରେ କବି ବେଶ୍‌ ସଫଳ ହୋଇଛନ୍ତି । ଏହି କବିତାଗୁଚ୍ଛରେ ଥିବା କବିତାମାନଙ୍କ ବିଷୟବସ୍ତୁ ପୌରାଣିକ (ରାମାୟଣ, ମହାଭାରତ) ଲୋକକଥା, କିମ୍ବଦନ୍ତୀ ଓ ବୌଦ୍ଧଧର୍ମୀୟ ବିଚାରାଧାରା ଉପରେ ପର୍ଯ୍ୟବସିତ । ଶ୍ରୀୟା ଚାଣ୍ଡାଳୁଣୀ, ଶ୍ରମଣା, ଗୁହକ, ଏକଲବ୍ୟ, ଶମ୍ୱୁକ ପ୍ରଭୃତି ଚରିତ୍ରମାନେ ସାମାଜିକ ବୈଷମ୍ୟରୁ ସୃଷ୍ଟ ଗୋଟିଏ ଗୋଟିଏ ଅନନ୍ୟ ଚରିତ୍ର ।

 

‘ଶାମୁକାର ସ୍ଵପ୍ନ’ ସଂକଳନର ପ୍ରଥମ କବିତା ‘ଶ୍ରୀୟା ଚଣ୍ଡାଳୁଣୀ’ ବଳାରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣର ଏକ ସରଳ ଓ ବୌଦ୍ଧିକ ରୂପାନ୍ତର । ଏଥିରେ ମୂଳ କାହାଣୀଟିକୁ କବି ଅପରିବର୍ତ୍ତିତ ରଖିଛନ୍ତି । ‘ମାଣବସା’ ବା ‘ଲକ୍ଷ୍ମୀପୁରାଣ’ର କଥାବସ୍ତୁକୁ ସଂକ୍ଷେପରେ ପରିବେଷଣ କରିବା ସଙ୍ଗେ ସଙ୍ଗେ ସମାଜର ଦଳିତ ଶ୍ରେଣୀର ବ୍ୟକ୍ତି ପତିତା ଚଣ୍ଡାଳୁଣୀ ‘ଶ୍ରୀୟାର ଅନନ୍ୟ ଲକ୍ଷ୍ମୀଭକ୍ତି ତାକୁ କିଭଳି ଅମରତ୍ୱ ପ୍ରଦାନ କରିଛି ତାହା ବେଶ୍‌ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି କବି । ନାରୀର ସ୍ଵାଧୀକାରଗତ ପ୍ରସଙ୍ଗ ଏବଂ ଜାତିଭେଦର ବିଲୋପ ପାଇଁ ଏଥିରେ କବି ଆହ୍ୱାନ ଦେଇଛନ୍ତି । ମାର୍ଗଶୀର ମାସ ଗୁରୁବାର ଦିନ ସକାଳୁ ଲକ୍ଷ୍ମୀ ଠାକୁରାଣୀ ଦେଉଳ ଛାଡ଼ି ବାହାରିଲେ ସେଦିନ ତାଙ୍କର ପୂଜା କିଏ କିଭଳି ଭାବରେ କରୁଛନ୍ତି ଦେଖିବା ପାଇଁ । କିନ୍ତୁ ଠାକୁରାଣୀ ଘରକୁ ଘର ବୁଲି ବୁଲି ଅନେକ ଘର ବୁଲିବା ପରେ ମଧ୍ୟ ଦେଖିଲେନି କେହି ଏତେ ସକାଳୁ ତାଙ୍କର ପୂଜା ଆରମ୍ଭ କରିଛନ୍ତି । ଶେଷକୁ ସେ ବୁଲି ବୁଲି ନଗରୀର ଶେଷରେ ଶ୍ରୀୟା ଚଣ୍ଡାଳୁଣୀ ଘରେ ପହଞ୍ଚନ୍ତି-। ଶ୍ରୀୟା ଜାତିରେ ଚଣ୍ଡାଳୁଣୀ ହେଲେ ମଧ୍ୟ ତା’ର ଛୋଟିଆ କୁଡ଼ିଆଟିକୁ ସୁନ୍ଦର ଭାବରେ ଲିପାପୋଛା କରି ସଜାଇ ପରମ ଭକ୍ତି ସହକାରେ ମାଆ ଲକ୍ଷ୍ମୀଙ୍କୁ ଆବାହନ କରୁଛି । ତା’ର ଆବାହନରେ ଅଛି ସ୍ଵଚ୍ଛତା, ଭକ୍ତି ଓ ଆବେଗ । କବି ଶ୍ରୀୟାର ମୁଖରେ କହିଛନ୍ତି -

 

‘‘ଆସ ଗୋ ମାଆ ଲକ୍ଷ୍ମୀ ଆଜି

ଚଣ୍ଡାଳୁଣୀ ଡାକେ,

ଅଛୁଆଁ-ଛୁଆଁ ଭେଦ ଗୋ ମାଆ

ନାହିଁ ତ ତୋହ ପାଖେ ।’’

(୧୩, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା - ୮୫)

 

ଶ୍ରୀୟା ଜାତିରେ ଚଣ୍ଡାଳୁଣୀ ହୋଇଥିଲେ ମଧ୍ୟ ସେ ଭକ୍ତି ଓ ଶ୍ରଦ୍ଧାର ସହ ଲକ୍ଷ୍ମୀପୂଜା କରିଛି । ଏଠାରେ କବି ସାମ୍ୟବାଦର ସୂଚନା ଦେଇଛନ୍ତି, ମା’ ଲକ୍ଷ୍ମୀଙ୍କୁ ସାମ୍ୟବାଦର ପ୍ରବର୍ତ୍ତିକା ଭାବେ ଉପସ୍ଥାପିତ କରିଛନ୍ତି, ଛୁଆଁ ଅଛୁଆଁ ଭେଦ ଲକ୍ଷ୍ମୀଙ୍କ ପାଖରେ ରହି ନାହିଁ । ପରବର୍ତ୍ତୀ ସମୟରେ ଲକ୍ଷ୍ମୀ ଶ୍ରୀୟାକୁ ଆଶୀର୍ବାଦ କରି ବଡ଼ ଦେଉଳକୁ ଫେରିଛନ୍ତି । କିନ୍ତୁ ସେ ଦେଉଳ ଭିତରକୁ ପ୍ରବେଶ କରିପାରି ନାହାଁନ୍ତି । ଜଗନ୍ନାଥ ବଡ଼ଭାଇଙ୍କ ଆଜ୍ଞା ପାଳନ କରି ମା ଲକ୍ଷ୍ମୀ ଚଣ୍ଡାଳୁଣୀ ଘରକୁ ଯାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଛାଡ଼ିବାକୁ ପଡ଼ିବ ବୋଲି କହିଛନ୍ତି । ଲକ୍ଷ୍ମୀ ବିଚଳିତ ହୋଇ ପଡ଼ିଛନ୍ତି । ଜଗନ୍ନାଥଙ୍କ ଅବିଚାରକୁ ଚୁପ୍‌ଚାପ୍‌ ସହିଯାଇ ନାହାନ୍ତି, ସେ ବ୍ୟସ୍ତ ହୋଇ ପ୍ରତିବାଦ କରିଛନ୍ତି- ସମସ୍ତ ସୃଷ୍ଟି ହେଉଛି ସ୍ରଷ୍ଟାଙ୍କର ନିଜର ତାଙ୍କ ଆଖିରେ ସବୁ ସମାନ । ସେ ଜଗନ୍ନାଥଙ୍କ ସୃଷ୍ଟି ପାଳନ କରିବା ପାଇଁ ସବୁଆଡ଼େ ବିଚରଣ କରନ୍ତି । ସେ ହେଉଛନ୍ତି ଜଗତର ମା’-। ମା’ ପାଇଁ ନିଜ- ପର କିଛି ନ ଥାଏ । ତା’ ପାଇଁ ସବୁ ସନ୍ତାନ ସମାନ । କବିଙ୍କ ଭାଷାରେ-

 

‘‘ଇଏ କି କଥା କହୁଛ ଦେବ ?

ପାରୁନି ମୁଁ ତ ବୁଝି,

ଇଏ କି ନୀତି ମହାପ୍ରଭୁ

କହୁଛ ଆଖି ବୁଜି ?

କରୁଛି ମୁଁ ଯେ ଅନ୍ନଦାନ

ସକଳ ଘରେ ମୋହର ଥାନ,

ସୃଷ୍ଟି ତବ ପାଳିବା ପାଇଁ

ଘୂରୁଛି ଅବିରଳ,

କିଏ ସେ ନୁହେଁ ନିଜର ମୋର

କିଏ ସେ ମୋର ପର ?’’

(୧୪, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୮୮-୯୯)

 

କିନ୍ତୁ ଶ୍ରୀୟା ଭଳି ଗୋଟେ ଚଣ୍ଡାଳୁଣୀ ଘରକୁ ଯାଇଥିବାରୁ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିର ଛାଡ଼ିବାକୁ ପଡ଼ିଛି । ତାଙ୍କୁ ଶ୍ରୀମନ୍ଦିରରୁ ବାହାର କରି ଦିଆ ହୋଇଛି କିନ୍ତୁ ଲକ୍ଷ୍ମୀଙ୍କର ଯିବା ସାଥିରେ ଶ୍ରୀମନ୍ଦିରର ଶିରୀ ତୁଟି ଯାଇଛି । ଜଗନ୍ନାଥ, ବଳଭଦ୍ର ଦୁଇଭାଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସାଇରୁ ସାଇ ହେଇ ନଗରୀ ସାରା ବୁଲିଛନ୍ତି ପଛେ ତାଙ୍କୁ ଭିକ୍ଷା ମିଳିନି । ଲକ୍ଷ୍ମୀଛଡ଼ା ହେଇ ଦୁଇଭାଇ ବୁଲି ବୁଲି କ୍ଷୁଧା ତୃଷ୍ଣାରେ ଆତୁର ହୋଇ ପରିଶେଷରେ ନଗରୀ ବାହାରେ ରହୁଥିବା ଲକ୍ଷ୍ମୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଲକ୍ଷ୍ମୀ ସହଜରେ ଖାଦ୍ୟଦେଇ ନାହାଁନ୍ତି । ସେ କହିଛନ୍ତି-

 

‘‘ଜାଣିନ ବୋଧେ ଆମର ଏ ଯେ

ଚଣ୍ଡାଳର ଘର

ଆମର ପାକ ଛୁଇଁବ ନାହିଁ

ତୁମେ ଯେ ଦ୍ୱିଜବର ।’’

(୧୫. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା -୯୩)

 

ଦୁଇ ଭାଇ କ୍ଷୁଧାରେ ଆତୁର ହୋଇ ଆଉ କିଛି ଶୁଣିନାହାଁନ୍ତି । କହିଛନ୍ତି ଚଣ୍ଡାଳୁଣୀ ହେଉ ପଛେ ତାଙ୍କର ଖାଦ୍ୟ ଦରକାର । ଜାତିଭେଦର ବିଲୋପ ହୋଇଛି । ବଳଭଦ୍ର କହିଛନ୍ତି-

 

‘‘ଜାତିର ମାନ ଖୋଜୁଛି କିଏ

ଯାଉଛି ଯେବେ ପ୍ରାଣ ?’’

(୧୬, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷା-୯୫ )

 

ଶ୍ରୀୟା ଚାଣ୍ଡାଳୁଣୀର ପବିତ୍ର ମନୋଭାବ ତଥା ଶ୍ରଦ୍ଧା, ଭକ୍ତି ଓ ଶୁଦ୍ଧତାରେ ତା’ର ଜାତିକୂଳ ଉଦ୍ଧାର ହୋଇଛି । ଜଗନ୍ନାଥ କହିଛନ୍ତି-

 

‘‘ଶ୍ରୀୟାର କରେ ତୁମେ ତ ଦାନ

ଦେଇଚ ଭରପୂର,

ଶ୍ରୀୟାର ଯୋଗେ ଉଦ୍ଧରିବେ

ଏବେ ତା’ ଜାତିକୁଳ ।’’

‘‘ଏଣିକି ଆମ ଦେଉଳେ ଜାଣ

ସଭିଏଁ ହେବେ ଏକଇ ପ୍ରାଣ,

ଦେଉଳେ ଥିଲା ଯେ ଭେଦାଭେଦ

ଏଥର ହେଲା ରଦ

ଚଣ୍ଡାଳର ହାତରୁ ଦ୍ଵିଜ

ଖାଇବେ ମାହାରଦ ।’’

(୧୭. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟ ଖଣ୍ଡ, ପୃଷ୍ଠା-୯୯)

 

ଜାତିପ୍ରଥା ବିରୁଦ୍ଧରେ ସ୍ଵାଧୀନତା ପୂର୍ବରୁ ଏବଂ ପରେ ଜାତିର ପିତା ମହାତ୍ମାଗାନ୍ଧୀ ଆରମ୍ଭ କରିଥିବା ଆନ୍ଦୋଳନ ଯେ ବହୁଯୁଗ ପୂର୍ବରୁ ଆରମ୍ଭ ହୋଇଛି ତାହା ଏହି କବିତାରୁ ସହଜରେ ଅନୁମାନ କରାଯାଇପାରେ ଏବଂ ଆମ ସାହିତ୍ୟିକମାନେ ଏହାକୁ ତାଙ୍କ ରଚନା ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି । ସମାଜରେ ଜାତିପ୍ରଥା ରୂପକ ସମସ୍ୟାର ଗୁରୁତ୍ୱ ଉପଲବଧି କରି କବି ଗଡ଼ନାୟକ ଏହାକୁ ପୁନଃଉତ୍‌ଥାପନ କରିଛନ୍ତି । ଏଣୁ ସେ ଶ୍ରୀୟା ଚଣ୍ଡାଳୁଣୀକୁ ତାଙ୍କ କବିତା ମାଧ୍ୟମରେ ପୁଣି ଲୋକଲୋଚନକୁ ଆଣିଛନ୍ତି । ଏଠାରେ କେବଳ ଜାତିପ୍ରଥାର କଥା ଉଠିନି, ତାହାର ସମାଧାନ ମଧ୍ୟ ହୋଇଛି । ଆହୁରି ମଧ୍ୟ କବି ଏଠାରେ ନାରୀ ଜାତିର ମହାନତା ଦର୍ଶାଇବାକୁ ଭୁଲି ନାହାଁନ୍ତି । ପରିବାର ପାଇଁ, ସମାଜ ପାଇଁ ସର୍ବୋପରି ପୁରୁଷ ପାଇଁ ନାରୀ ଯେ କେତେ ଅପରିହାର୍ଯ୍ୟ ତାହା ଏଠାରେ କବି ଦର୍ଶାଇଛନ୍ତି ।

 

ସେହିଭଳି ‘ବାଲ୍ମୀକି’ ଗାଥା କବିତାଟିରେ ବର୍ଣ୍ଣିତ ଚରିତ୍ର ‘ବାଲ୍ମୀକି’ ରାମାୟଣର ମହର୍ଷି ବାଲ୍ମୀକି ନୁହଁନ୍ତି । ମହାଭାରତର ଏକ ସାଧାରଣ ଚରିତ୍ର ‘ବାଲ୍ମୀକି’ ଜାତିରେ ମୋଚି । କିନ୍ତୁ କବିଙ୍କ ଆଚାର ବିଚାରରେ ସେ ଜଣେ ମହାନ ବ୍ୟକ୍ତି । କାରଣ ବାଦ, ହିଂସା କ’ଣ ସେ ଜାଣନ୍ତି ନାହିଁ । ମିଥ୍ୟା କୁହନ୍ତି ନାହୁଁ କି କେବେ କାହାରି ଅନିଷ୍ଟ ଚିନ୍ତା କରନ୍ତି ନାହଁ । କବିଙ୍କ ଭାଷାରେ-

 

‘‘ସ୍ଫଟିକ ପରାଏ ନିର୍ମଳ ମନ

ସହଜ ସରଳ ଗୁଣର ଧାମ,

ବର୍ଣ୍ଣରେ ମୋଚି, ଧର୍ମରେ ଦ୍ଵିଜ

ବାଲ୍ମୀକି ସେହି ସାଧୁର ନାମ ।’’

(୧୮. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା ୧୦୧)

 

ନଗର ସୀମାନ୍ତରେ ଜୀର୍ଣ୍ଣକୁଟୀରରେ ନିଜର ଜୀବିକା ଧରି ବଞ୍ଚନ୍ତି ନୀରବ ସାଧୁ ବାଲ୍ମୀକି-। ଧର୍ମରାଜ ଯୁଧିଷ୍ଠିରଙ୍କ ରାଜସ୍ଵୟ ଯଜ୍ଞକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଯଜ୍ଞରେ ପୂର୍ଣ୍ଣାହୂତି ସମୟରେ ଶୁଭ ଶଙ୍ଖ ନ ବାଜିବାରୁ ଯୁଧିଷ୍ଠିର ବିବ୍ରତ ହୋଇ ଶ୍ରୀକୃଷ୍ଣଙ୍କୁ କାରଣ ପଚାରିବାରୁ ସେ ସାଧୁ ବାଲ୍ମୀକିଙ୍କୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି ।

 

ଭୀମ ଯାଇଛନ୍ତି ତାଙ୍କୁ ନିମନ୍ତ୍ରଣ କରିବା ପାଇଁ । ବାଲ୍ମୀକି ନମ୍ରତା ସହକାରେ ନିଜର ନ୍ୟୂନତା ପ୍ରକାଶକରି କହିଛନ୍ତି –

 

‘‘ଉଚ୍ଛବ ସଭାରେ ଅଛବ ଜନ ମୁଁ

ଅତି ଦୀନ ହୀନ ଏ ଅଭାଜନ

ବିନୟ ବଚନେ ବାଲ୍ମୀକି କହେ

ମୋ ପାଇଁ ଆଣିଛ ନିମନ୍ତ୍ରଣ ।’’

 

(୧୯, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୦୧) ପାଣ୍ଡବ ପରିବାରର ପାଟରାଣୀ ଦ୍ରୌପଦୀ ଦାସୀ ପରିଚାରୀ ସାଙ୍ଗରେ ନେଇ ତାଙ୍କୁ ବନ୍ଦାପନା କରି ପାଛୋଟି ନେଇଛନ୍ତି । ଧର୍ମରାଜ ଯୁଧିଷ୍ଠିର ତାଙ୍କୁ ପ୍ରଥମରୁ ନିମନ୍ତ୍ରଣ କରିପାରି ନ ଥିବାରୁ କ୍ଷମା ଯାଚନା କରିଛନ୍ତି । କିନ୍ତୁ ତେବେ ବି ପୂର୍ଣ୍ଣାହୂତିର ଶୁଭଶଙ୍ଖ ବାଜି ନାହିଁ । କାରଣ ଥିଲା ଶ୍ରୀକୃଷ୍ଣଙ୍କ କଥାରେ ଯୁଧିଷ୍ଠିରଙ୍କ ଆଦେଶରେ ଭୀମ ଯଦିଓ ଯାଇଛନ୍ତି ବାଲ୍ମୀକିଙ୍କୁ ନିମନ୍ତ୍ରଣ କରି ଆଣିବା ପାଇଁ କିନ୍ତୁ ସେ ଯେତେବେଳେ ଯାଇ ଦେଖିଛନ୍ତି ବାଲ୍ମୀକି ନାମକ ବ୍ୟକ୍ତିଟି ଜାତିରେ ଜଣେ ମୋଟି ଆଉ ସେ ରାଜସଭାକୁ ନିମନ୍ତ୍ରଣ କରିବାକୁ ଆସିଛନ୍ତି ସେତେବେଳେ ତାଙ୍କ ମନରେ ଘୃଣା ଆସିଛି । ତାଙ୍କର ଅହଙ୍କାରୀ ମନ ସାମାନ୍ୟ ଗୋଟେ ମୋଚି ରାଜପରିବାରର ନିମନ୍ତ୍ରିତ ଅତିଥି ହେବ ଏ କଥା ଗ୍ରହଣ କରି ପାରି ନଥିଲା । କବିଙ୍କ ଭାଷାରେ ଭୀମ ବାଲ୍ମୀକିଙ୍କୁ କହିଛନ୍ତି -

 

‘‘ରାଜାଦେଶ ପାଇ ଆହେ ମହାମତି

ଯାଇଥିଲି ଯେବେ ତୁମରି ବାସେ,

ଉପାନର ତୁମେ ତିଆରିଥିଲ ତ

ଦେଖିଲି ତୁମର ଦୁଆର ପାଶେ ।

ନୟନରେ ଦେଖି ଭାବିଲି ମନରେ

ଅତିଥି କି ରାଜ-ଯୋଗ୍ୟ ଏଇ ?’’

(୨୦. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୦୩)

 

କବି ଏଠାରେ ସହଜ ସରଳ ସ୍ୱଭାବର ମୋଚି ବାଲ୍ମୀକିର ଚାରିତ୍ରିକ ମହତ୍ତ୍ୱ ଏଭଳି ଗୁରୁତ୍ୱ ଦେଇଛନ୍ତି ଯେ ଯାହା ଆଗରେ ବିପୁଳ ରାଜ କ୍ଷମତା, ଆଡ଼ମ୍ବର, ସାଜସଜା, ଅହଙ୍କାର ହାର ମାନିଛି । ମୋଚି ବାଲ୍ମୀକିକୁ ସାଧୂ ବାଲ୍ମୀକିର ମାନ୍ୟତା ମିଳିଛି ।

 

ପୁଣି ଶୁକ୍ଳକେଶୀ ଶବରୀ ଶ୍ରମଣାର ଆତିଥ୍ୟରେ ଶ୍ରୀରାମଚନ୍ଦ୍ର ସେ ଚାଖି ରଖିଥିବା କୋଳିକୁ ଆଦରରେ ଗ୍ରହଣ କରି ତାକୁ ଧନ୍ୟ କରିଦେଲେ, କବିଙ୍କ ଭାଷାରେ-

 

‘‘ଶବରୀ ତୁମେ ଅମରୀ ଆଜି,

ତପସ୍ଵିନୀ ତୁମେ

ତୁମରି ଲାଗି ଧନ୍ୟ ଆମେ

ମରମର୍ତ୍ତ୍ୟ ଭୂମେ ।’’

(୨୧, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷା- ୧୦୫)

 

ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ଅଲୋଡ଼ା, ଅଖୋଜା, ସାଧାରଣ ଚରିତ୍ରମାନଙ୍କୁ ସାଧାରଣ ପରିବେଶରୁ ଉଠେଇ ଲୋକଲୋଚନକୁ ଆଣି ସେମାନଙ୍କର ମହାନତା ବିଷୟରେ ଅବଗତ କରାଇଛନ୍ତି କବି ।

 

ରାମାୟଣର ଅନ୍ୟ ଏକ ଗୌଣ ଚରିତ୍ର ‘ଗୁହକ’ । ଅରଣ୍ୟବାସୀ, ଜାତିରେ ଶବର, ସଭ୍ୟତାର ଆଲୋକଠାରୁ ବହୁ ଦୂରରେ । କିନ୍ତୁ ତା’ର ନମ୍ର ବ୍ୟବହାର ଓ ବନ୍ଧୁ ବତ୍ସଳତା ଯୋଗୁଁ ସେ କାଳ କାଳ ପାଇଁ ମହାନ ହୋଇ ରହିଛି । କବି ଏଠାରେ ‘ଗୁହକ’ ଶବରର ବ୍ୟବହାରର ଯେଉଁ ଚିତ୍ର ପ୍ରଦାନ କରିଛନ୍ତି ତାହା ଆଧୁନିକ ସଭ୍ୟ ଶିକ୍ଷିତ ମଣିଷ ପାଇଁ ମଧ୍ୟ ଶିକ୍ଷଣୀୟ । ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଦେବୀଙ୍କୁ ତାଙ୍କର ବନବାସ କାଳରେ ‘ଗୁହକ’ ଶବର ନିଜର ପରିବାର ଓ ପ୍ରଜାମାନଙ୍କ ସମେତ ସମସ୍ତେ ମିଶି ଆତିଥ୍ୟ ଓ ଆଶ୍ରୟ ଦେବା ପାଇଁ ଥବା ଉତ୍ସୁକତା ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ବିଭୋର କରିଦେଇଛି । ଗୁହକ ସେମାନଙ୍କୁ ଅନୁରୋଧ କରିଥଲା ତା’ ମୂଲକରେ ରାମ ରାଜା ହୋଇ ରୁହନ୍ତୁ ଏବଂ ସେ ସବୁଦିନ ପାଇଁ ତାଙ୍କର ସେବକ ହୋଇ ରହିବ । କବିଙ୍କ ଭାଷାରେ-

 

‘‘ଶବର ପ୍ରାଣର ବାଣୀ

ଶୁଣୁଥିଲେ ବନ-ପ୍ରାଣୀ

ଶୁଣୁଥିଲେ ତରୁ-ଲତା- ପତ୍ର,

ସ୍ଥିର ସ୍ତବ୍‌ଧ ହୋଇ ତହିଁ

ମୁହୂର୍ତ୍ତକେ ଗଲେ ରହି

ରାମ, ସୀତା, ଲକ୍ଷ୍ମଣ, ସୁମନ୍ତ !’’

‘‘ଶ୍ରୀରାମ ବୋଇଲେ ବାଣୀ

ଯୋଡ଼ି ଶ୍ରଦ୍ଧାଯୁକ୍ତ ପାଣି

ଧନ୍ୟତୁମେ ହେ ଶବର ଭାଇ ।’’

 

(୨୨. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୧୧୦) ଏଠାରେ କବି ଶବର ଜାତିର ମହାନତା ସହିତ ଆର୍ଯ୍ୟ ଓ ଅନାର୍ଯ୍ୟଙ୍କ ମଧ୍ୟରେ ଭାତୃତ୍ୱ ଭାବର ପରିଚୟ ଦେଇଛନ୍ତି ।

 

କବିଙ୍କର ‘ଶାମୁକାର ସ୍ଵପ୍ନ’ର ପରବର୍ତ୍ତୀ କବିତା ‘ଏକଲବ୍ୟ’ ମହାଭାରତର ଏକ ମହାନ୍‍ ଚରିତ୍ର । ଜାତିରେ ଶବର, ତାଙ୍କର ଏକାଗ୍ରତା, ଗୁରୁଭକ୍ତି ଓ ତ୍ୟାଗ ପାଖରେ ମଳିନ ପଡ଼ିଯାଇଛନ୍ତି ସମଗ୍ର ପାଣ୍ଡବ ଓ କୌରବ ଭ୍ରାତାଗଣ । କବିଙ୍କ ଭାଷାରେ-

 

‘‘ଅରଣ୍ୟରେ ମୁକ୍ତାଚାରୀ ମୁହିଁ

ଶବର ଏକଲବ୍ୟ ।’’

(୨୩. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା -୧୧୨)

 

ଏକଲବ୍ୟକୁ କବି ମୁକ୍ତାଚାରୀ ଓ ଅନାର୍ଯ୍ୟଭାବେ ବର୍ଣ୍ଣନା କରିଛନ୍ତି । ଏକଦା ସେ ଗୁରୁ ଦ୍ରୋଣଙ୍କ ଶିଷ୍ୟ ହୋଇ ତାଙ୍କଠାରୁ ଧନୁର୍ବିଦ୍ୟା ଶିଖିବା ଆଶାରେ ହସ୍ତିନା ଯାଇଥିଲା । କିନ୍ତୁ ଏକଲବ୍ୟର ସେଭଳି ପୁଣ୍ୟ ନାହିଁ ଯାହାଦ୍ଵାରା ସେ ରାଜକୁମାରଙ୍କ ଗହଣରେ ବିଦ୍ୟାଶିକ୍ଷା କରିପାରିବ ବୋଲି ଦ୍ରୋଣ ତାକୁ କହିଥିଲେ ଏବଂ ତାକୁ ଶିଷ୍ୟ ଭାବରେ ଗ୍ରହଣ କରି ପାରିବେ ନାହିଁ କହି ଫେରାଇ ଦେଇଥିଲେ । କିନ୍ତୁ ଏକଲବ୍ୟ ସେଥିରେ ନିରାଶ ନ ହୋଇ ଘରକୁ ଫେରି ସିଦ୍ଧି ପାଇଁ ସାଧନା କରିବାକୁ ଲାଗିଲା । ଗୁରୁ ଦ୍ରୋଣଙ୍କର ମୂର୍ତ୍ତି ଥାପନା କରି ସେହି ମୂର୍ତ୍ତି ସାମ୍ନାରେ ଦିନରାତି ଧନୁବିଦ୍ୟା ଅଭ୍ୟାସ କଲା । ଶେଷରେ ସେ ନିଜ ସାଧନାରେ ସମସ୍ତଙ୍କୁ ଟପିଗଲା, ଯାହାକୁ ଦେଖି ଗୁରୁ ଦ୍ରୋଣ ମଧ୍ୟ ଆଶ୍ଚର୍ଯ୍ୟ ହେଲେ । କବିଙ୍କ ଭାଷାରେ-

 

‘‘ମଉନ ତେଜି ଅଚିରେ ଦ୍ରୋଣ ଗୁରୁ

ବୋଇଲେ ‘ଏକଲବ୍ୟ’,

ଗୋପନେ ତୋର ସାଧନା ପୂଜାକରି

ଲଭିଲୁ ତୁହିସର୍ବ ।

ଗୁରୁ ମୁଁ ତୋର, ଶିଷ୍ୟ ତୁହି ମୋର

ଦକ୍ଷିଣା ମୋ ଧାର୍ଯ୍ୟ ।

ତ୍ଵରିତ ଦିଅ, ତ୍ଵରିତ ଦିଅ ଏବେ

ଚାହିଁଲେ ଦ୍ରୋଣାଚାର୍ଯ୍ୟ ।’’

 

(୨୪. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୧୪) ଯେଉଁ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରିବା ପାଇଁ ରାଜି ହୋଇ ନଥିଲେ, କିନ୍ତୁ ସେ ଏକଲବ୍ୟର ସାଧନାର ଶ୍ରେଷ୍ଠତା ଦେଖି ଗୁରୁଭାବରେ ଦକ୍ଷିଣା ମାଗିଲେ ତାକୁ । ବିନା ଦ୍ୱିଧାରେ ନିଜର ବାଁ ହାତର ବୁଢ଼ା ଆଙ୍ଗୁଠି କାଟି ଗୁରୁଦକ୍ଷିଣା ଦେଲେ ଏକଲବ୍ୟ ।

 

ଯୁଗେ ଯୁଗେ ଅନାର୍ଯ୍ୟମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅବିଚାରକୁ କବି ପୁଣିଥରେ ଦୋହରେଇଛନ୍ତି ତାଙ୍କ ରଚନା ମାଧ୍ୟମରେ । ସରଳ, ନିଷ୍ପାପ ଓ ନିଷ୍ଠାବାନ୍‍ ନୀଚକୁଳର ଚରିତ୍ରଗୁଡ଼ିକୁ କିପରି ସବୁବେଳେ ପ୍ରତିପତ୍ତିଶାଳୀ ଉଚ୍ଚ କୂଳ ତଥା ରାଜ କୂଳର ଈର୍ଷାର ଶିକାର ହେବାକୁ ପଡ଼େ ତା’ର ଜ୍ଵଳନ୍ତ ଉଦାହରଣ ‘ଏକଲବ୍ୟ’ । ଦ୍ରୋଣଙ୍କ ଗୁରୁପଣ ହାର୍‌ମାନିଛି ‘ଏକଲବ୍ୟ’ର ଗୁରୁଭକ୍ତି ଆଗରେ ।

 

‘ଆନନ୍ଦ ଓ ପ୍ରକୃତି’ କବିତାରେ ଜଣେ ଯୁବକ ବୌଦ୍ଧ ସନ୍ନ୍ୟାସୀ ‘ଆନନ୍ଦ’ ଅଛବ ତରୁଣୀଠାରୁ ଜଳପାନ ପ୍ରସଙ୍ଗ ରଚିତ । ବୌଦ୍ଧ ସନ୍ନ୍ୟାସୀ ଆନନ୍ଦ ନିଜର ତୃଷ୍ଣା ମେଣ୍ଟେଇବା ପାଇଁ ଜଣେ ତରୁଣୀଠାରୁ ଜଳଭିକ୍ଷା କରନ୍ତେ, ତରୁଣୀଟି ବିନୟ ସହକାରେ ନିଜକୁ ଅଚ୍ଛବ ଜାତିର ବୋଲି କହି ଜଳ ଦେବାକୁ ମନା କରି ଦେଇଛି । ଉଚ୍ଚ ଜାତିର ଲୋକମାନେ ତା’ ହାତରୁ ଜଳ ଖାଆନ୍ତି ନାହିଁ ବୋଲି ସନ୍ନ୍ୟାସୀଙ୍କୁ ଜଳଦାନ କରିବା ପାଇଁ ନିଜର ଅକ୍ଷମତା ପ୍ରକାଶ କରିଛି । ସନ୍ନ୍ୟାସୀ ଶ୍ରମଣ ତାକୁ ବୁଝାଇଛନ୍ତି-

 

‘‘ପରମ ଈଶ୍ୱର ଭରି ରହିଛନ୍ତି

ଚରାଚରେ ଏ ସଂସାରରେ,

ମୋଅଠି ଅଛନ୍ତି, ସବୁଠି ଅଛନ୍ତି,

ନାହାନ୍ତି କି ତୁମଠାରେ ?

ଭାବି ପାରୁନାହଁ ଅଛବ ତୁମେ ଯେ

ହୋଇଅଛ କେଉଁ ମତି ?

ଈଶ୍ୱର ରାଇଜେ ସ୍ୱାର୍ଥପର ଏଇ

ମଣିଷର ଭେଦ- ନୀତି ।’’

X      X      X      X      X

‘‘ମନରେ ସତରେ ଆଣୁଅଛି ବ୍ୟଥା

ଶ୍ରମଣ ବୋଇଲେ ବାଣୀ,

ଉଚ୍ଛର କାହିଁକି କରୁଅଛ ଆଉ ?

ଦିଅ ଦିଅ ମୁନ୍ଦେ ପାଣି ।’’

(୨୫ ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୧୬)

 

ସନ୍ନ୍ୟାସୀଙ୍କ କଥାରେ ବେଶ୍‌ ଖୁସି ହେଇଛି ସରଳା ଗ୍ରାମ୍ୟ ତରୁଣୀଟି । ଖୁସିରେ ଜଳଦାନ କରିଛି ସେ । ତୃଷ୍ଣା ମେଣ୍ଟାଇ ଖୁସିରେ ବୌଦ୍ଧ ସନ୍ନ୍ୟାସୀ ଚାଲିଯାଇଛନ୍ତି ତାଙ୍କ ବାଟରେ । ଏଠାରେ କବି ମଣିଷ ଭିତରେ ଥିବା ଜାତିପ୍ରଥା ଭଳି ଘୃଣ୍ୟ ପ୍ରଥା ଯାହାକୁ ମଣିଷ ନିଜେ ସୃଷ୍ଟି କରିଛି ତାକୁ ପ୍ରଚ୍ଛନ୍ନଭାବେ ସମାଲୋଚନା କରିଛନ୍ତି । ତୃଷାର୍ତ୍ତ ବୌଦ୍ଧ ସନ୍ନ୍ୟାସୀ ଆନନ୍ଦ ନୀଚ କୂଳ ସମ୍ଭୂତା ଅସ୍ତୃଶ୍ୟା ମାତଙ୍ଗବାଳା ହସ୍ତରୁ ଜଳପାନ ମନୁଷ୍ୟକୃତ ଜାତିପ୍ରଥା ପ୍ରତି ଏକ ଉପହାସ ଯାହାକୁ କବି ଗଡ଼ନାୟକ ବେଶ୍‌ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି । ବୌଦ୍ଧ ସାଧକ ଆନନ୍ଦଙ୍କର ଆଧ୍ୟାତ୍ମିକତା ଓ ଚରିତ୍ରରେ ଉଦାରତା ବେଶ୍‌ବାରି ହୋଇ ପଡ଼େ ଏଠାରେ ।

 

ରାମାୟଣର ଅନ୍ୟ ଏକ ପ୍ରସଙ୍ଗକୁ କବି ‘ଶମ୍ଭୁକ’ କବିତାରେ ଉତ୍‌ଥାପନ କରିଛନ୍ତି । କଥୋପକଥନ ଶୈଳୀରେ ରଚିତ ଏହି କବିତାରେ ରାମ ଓ ଶମ୍ଭୁକ ମଧ୍ୟରେ କଥୋପକଥନର ମୁଖ୍ୟ ବିଷୟ ହେଉଛି ରାଜତନ୍ତ୍ର କିପରି ଭାବେ ସାଧାରଣ ମଣିଷ ଜୀବନକୁ ମାଡ଼ି ମକଚି ଦିଏ । ‘‘ଶୁଦ୍ରର ତପସ୍ୟାର ଅଧିକାର ନାହିଁ’’ ବୋଲି ରାମ କହିବାରୁ ଶମ୍ଭୁକ ରାମଙ୍କୁ ଅତୀତ ଘଟଣାବଳୀ ମନେ ପକାଇ ଦେଇଛନ୍ତି-

 

ଶମ୍ଭୁକ

‘‘ସତେ କି ଆଜି ଭୁଲିଗଲ ତୁମେ,

ସ୍ମୃତିର ଆଭାସ ଆଉ ନାହିଁ ଚିତ୍ତଭୂମେ

ସେଦିନର ଗୁହକର, ଶ୍ରମଣାର କଥା

ମଣିଷର ଅଧିକାର, ପ୍ରାଣର ମମତା

ବୁଝିଲନି ଆଚମ୍ବିତ ଲାଗୁଅଛି ମତେ

ବନପଥେ କିବା ଥିଲେ ଆଜି ଜନପଥେ

କି ହୋଇଛି ?

(୨୬, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା - ୧୧୮)

 

ବନଚାରୀ ରାମ ଯେତେବେଳେ ରାଜା ରାମ ହୋଇଗଲେ ରାଜଧର୍ମ ରକ୍ଷା ଓ ପାଳନ ପାଇଁ ଶୁଦ୍ର ଶମ୍ଭୁକର ତପସ୍ୟା କରିବାର ଅଧିକାର ନାହିଁ ବୋଲି କହିଛନ୍ତି । ସେଥିପାଇଁ ରାଜା ରାମ ତାକୁ ହତ୍ୟା କରିବା ପାଇଁ ଆସିଛନ୍ତି, କାରଣ ତାଙ୍କର ବିଶ୍ଵାସ ଶୁଦ୍ର ଶମ୍ଭୁକ ତପସ୍ୟା କରିବା ଦ୍ଵାରା ତାଙ୍କ ରାଜ୍ୟର ଜଣେ ବ୍ରାହ୍ମଣର ଏକମାତ୍ର ସୂତ ଅକାଳରେ ପ୍ରାଣ ହରାଇଛି । ଶମ୍ଭୁକ ରାମଙ୍କ ମୁହଁରୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଇଛି । ମୃତ୍ୟୁ ଭଳି ଚରମ ସତ୍ୟକୁ ନେଇ ରାଜା ରାମ ଏଭଳି କିପରି କହିପାରୁଛନ୍ତି ! କବି ଶମ୍ଭୂକ ମୁହରେ କହିଛନ୍ତି-

 

‘‘ଜାଣ ନା ରାଜା ମୃତ୍ୟୁ ବଳୀୟାନ ?

ବୁଝେ ନାହିଁ ବଡ଼ ସାନ ସେନେହ ମମତା

ଆଚମ୍ବିତେ ଆସି ପୁଣି ଉତ୍ସବର ଘଟା

ଭାଙ୍ଗିଦିଏ ମୁହୂର୍ତ୍ତକେ । ଇଏ କି ଅଦ୍ଭୁତ

ଶୁଦ୍ରତପ କଲେ ମରେ ବ୍ରାହ୍ମଣର ସୁତ ।’’

X      X      X      X

ଲୋକ ଅପବାଦ ଶୁଣି ଯେଉଁ ନରପତି

ସତ୍ତ୍ୱବତୀ ବନିତାରେ ବନେ କରିଛନ୍ତି

ନିର୍ବାସନ, ସେଇ ରାଜା ସେଇ ରାମ ତୁମେ

ବିପ୍ରବାକ୍ୟ ଶୁଣି ଆଜି ଏଇ ବନ ଭୂମେ

ମୋତେ ହତ୍ୟା କରିବାକୁ ଆସିଅଛ ଧାଇଁ,

ସେଥିପାଇଁ ଦୁଃଖ ନାହିଁ, କ୍ଷୋଭ ମୋର ନାହିଁ ।

ମୋହରି ମୃତ୍ୟୁରେ ସେଇ ବ୍ରାହ୍ମଣ ସନ୍ତାନ

ମର ମର୍ତ୍ତ୍ୟଲୋକେ ଫେରି ପାଇବ ତା’ ପ୍ରାଣ

କି ହେବ ତପସ୍ୟା ଆଉ ? ସାଧନା ମୋହର

ତହଁରେ ପାଇବି ମୁହଁ ତପସ୍ୟାର ଫଳ ।

X      X      X      X

ରାଜା ତୁମେ ରାଜଧର୍ମ ପାଳ ଏ ଜଗତେ

ଡେରି କିଆଁ ? ହତ୍ୟା କର ହତ୍ୟା କର ମତେ ।

(୨୭. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା ୧୧୮, ୧୧୯, ୧୨୦)

 

କବିଙ୍କ ଭାଷାରେ, ‘‘ପୃଥିବୀର ନେପଥ୍ୟରେ ବହୁତ ଆତ୍ମା ନିଭୃତରେ ନୀରବରେ ଜୀବନ-ସୌରଭ ଦେଉଛନ୍ତି, ଜୀବନ ସଙ୍ଗୀତ ଗାଉଛନ୍ତି, କିନ୍ତୁ ଜଗତରେ ତାଙ୍କ ଦାନର ପ୍ରତିଦାନ ଯୁଗ ଯୁଗ ଧରି ମିଳିନାହିଁ, ମିଳୁନାହିଁ ।’’ ଶମ୍ଭୁକ ଭଳି ଅନେକ ଚରିତ୍ର ରାଜତନ୍ତ୍ର କଠୋରତାର ଶିକାର ହୋଇଛନ୍ତି, ହୋଇ ଆସୁଛନ୍ତି ମଧ୍ୟ । କିନ୍ତୁ କବି ଗଡ଼ନାୟକ ସେମାନଙ୍କର ବଳିଷ୍ଠ ସ୍ଵରକୁ ପ୍ରକାଶ କରିଛନ୍ତି ତାଙ୍କ କବିତା ମାଧ୍ୟମରେ । ଏଠାରେ କବି ‘ଶମ୍ଭୁକ’ ଚରିତ୍ରକୁ ତ୍ୟାଗ ତିତିକ୍ଷା ଓ ପରୋପକାରର ପ୍ରତିମୂର୍ତ୍ତିଭାବେ ଗଢ଼ି ତୋଳିଛନ୍ତି । କବିଙ୍କ ଲେଖନୀମୁନରେ ଶମ୍ଭୁକ ରୂପୀ ସାଧାରଣ ଚରିତ୍ରଟିର ଉଜ୍ଜଳ ବ୍ୟକ୍ତିତ୍ଵ ନିକଟରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଭଳି ବିଶାଳ ଚରିତ୍ରଙ୍କ ବ୍ୟକ୍ତିତ୍ଵ ମ୍ଲାନ ଜଣାପଡ଼ୁଛି ।

 

‘ଶାମୁକାର ସ୍ଵପ୍ନ’ କବିତା ସଂକଳନର ଅଷ୍ଟମ କବିତାରୂପେ ସ୍ଥାନପାଇଛି କବିତା ‘ରଇଦାସ । ଏଥିରେ କବି ମୋଚି ‘ରଇଦାସ’ ଓ ଭକ୍ତ ‘ରାମାନନ୍ଦ’ ପ୍ରସଙ୍ଗକୁ କବିତାଟିର କ୍ଷୁଦ୍ର କଳେବର ମଧ୍ୟରେ ସୁନ୍ଦରଭାବରେ ଉପସ୍ଥାପନ କରିଛନ୍ତି । ‘ରଇଦାସ’ ଜାତିରେ ମୋଚି । ରାମାନନ୍ଦଙ୍କ ମନ୍ଦିର ପଥରେ ସେ ଉଭା ହୋଇଥିବାରୁ ସେଠାରେ ଉପସ୍ଥିତ ବ୍ୟକ୍ତି ଜଣେ ତା’ର ଜାତି ଗୋତ୍ରକୁ ନେଇ ତା’ ଉପରେ ବିରକ୍ତ ହୋଇଛି । ତା’ ଭଳି ନୀଚ ଜାତିର ଲୋକ ସାଧୁଙ୍କ ପଥରେ ଆସିବା ଠିକ୍‌ ହୋଇ ନାହିଁ ବୋଲି ତାଗିଦ୍‌ କଲାବେଳେ ‘ରଇଦାସ’ଙ୍କ ପରିଚୟ ପଚାରିଛନ୍ତି ରାମାନନ୍ଦ । କବିଙ୍କ ଭାଷାରେ-

 

‘‘ରଇଦାସ, ଜାତିରେ ମୁଁ ମୋଚି,

ଏପଥର ଶୁଷ୍କ ବ୍ୟର୍ଥ ଧୂଳି

ଏଇପରି କେତେ ପଦାଘାତେ

ପ୍ରତିଦିନ ହେଉଛି ଆକୁଳି ।’’

(୨୮, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୨୨)

 

ରଇଦାସ ଭଳି ଅନେକ ଆତ୍ମା ପ୍ରତିଦିନ ଛଟପଟ ହେଉଛନ୍ତି । କିନ୍ତୁ କବି ସେମାନଙ୍କ ଆତ୍ମାର ମୁକ୍ତିର ସମ୍ଭାବନା ଦେଖିଛନ୍ତି । କବିଙ୍କ ଭାଷାରେ -

 

‘‘ବକ୍ଷେ ତାକୁ ତୋଳି ନେଇ ଭକ୍ତ

ପୁଲକିଲେ ଉଦ୍‌ବେଳିତ ମୁନେ,

ଅନନ୍ତର ସମ୍ଭାବନା ନିଶ୍ଚେ

ଅଛି ବାବା ଅଛି ତୋର ହୃଦେ ।’’

 

(୨୯. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୨୨) ଏଠାରେ କବି ମୋଚି ‘ରଇଦାସ’ଙ୍କ ସମ୍ପର୍କରେ ବର୍ଣ୍ଣନା କରିଥିଲେ ହେଁ ଭକ୍ତ ‘ରାମାନନ୍ଦ’ଙ୍କ ଆଧ୍ୟାତ୍ମିକତା, ମାନବିକତା, ଦୟା, କ୍ଷମା, କରୁଣା, ପ୍ରୀତି, ସ୍ନେହ, ଶ୍ରଦ୍ଧା ଆଦି ଗୁଣଗୁଡ଼ିକର ପରିପ୍ରକାଶ ସୁନ୍ଦର ଭାବରେ କରିଛନ୍ତି । ଏଥିରେ ‘ରଇଦାସ’ ଓ ‘ରାମାନନ୍ଦ’ ଉଭୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନର ଅଧିକାରୀ । ମୋଚି ‘ରଇଦାସ’ର ଭକ୍ତ ରାମାନନ୍ଦଙ୍କ ଶିଷ୍ୟତ୍ଵ ଗ୍ରହଣ ଜାତିପ୍ରଥା ପ୍ରତି ଏକ ନିରବ ପ୍ରତିବାଦ ।

 

‘ରକ୍ତ ଓ ଦୁଗ୍ଧ’ ଗାଥା କବିତାଟି ଶିଖି ଧର୍ମର ପ୍ରବର୍ତ୍ତକ ଓ ପ୍ରଥମ ଗୁରୁ ନାନକଙ୍କ ଜୀବନର ଏକ ଘଟନାକୁ ନେଇ ବର୍ଣ୍ଣିତ । ଏଥିରେ ଗୁରୁ ନାନକଙ୍କ ମହାନତା ଓ ଆଧ୍ୟାତ୍ମିକ ଶକ୍ତିର ଚିତ୍ର ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ଭକ୍ତ ନାନକ ତାଙ୍କ ଦାଦାଙ୍କ ନିମନ୍ତ୍ରଣକୁ ଏଡ଼ି ଦେଇ ଚର୍ମକାର ବନ୍ଧୁଙ୍କର ଆତିଥ୍ୟକୁ ଗ୍ରହଣ କରିଥିବାରୁ ତାଙ୍କର ଅହଙ୍କାରୀ ଦାଦା ବେଶ୍‌ କ୍ଷୁବ୍ଧ ହୋଇଛନ୍ତି । ପୁଣିଥରେ ସମ୍ବାଦ ପଠାଇ ତାଙ୍କୁ ଡକାଇ ଆଣି ତାଙ୍କ ସାଙ୍ଗରେ ଭୋଜନ କରିବାକୁ ବାଧ୍ୟ କରିବାରୁ ନାନକ କହିଛନ୍ତି ସେ ଚର୍ମକାର ବନ୍ଧୁଘରେ ଖାଇବେ ବୋଲି ତାଙ୍କୁ କଥା ଦେଇଛନ୍ତି ଏବଂ ସେ ସେଇଠି ମଧ୍ୟ ଖାଇବେ । ନାନକଙ୍କ କଥାରେ ତାଙ୍କ ଦାଦା ଆହୁରି କ୍ଷୁବ୍ଧ ତଥା ବିରକ୍ତ ହେଇ କହିଛନ୍ତି ତାଙ୍କ ଘରର ପୁରିଠାରୁ ଚର୍ମକାରର ଦରପୋଡ଼ା ରୁଟି କେଉଁ ହିସାବରେ ଭଲ ହୋଇଥିବ ଯେ ନାନକ ତାକୁ ଖାଇବା ପାଇଁ କଥା ଦେଇଛନ୍ତି । ନାନକ ତାଙ୍କ ଦାଦାଙ୍କୁ ବୁଝାଇଛନ୍ତି -

 

‘‘କାହିଁପାଇଁ ଦାଦା ତୁମେ

ଦୁନିଆକୁ ହୀନ ମନେ କର ?

ତୁମେ ଯେଉଁ ଖାଦ୍ୟ ଦେବ

ତାହାଠାରୁ ନିଶ୍ଚୟ ତା’ ଭଲ ।’’

(୩୦, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୨୫)

 

ନାନକ ଦାଦାଙ୍କ ପୁରି ଓ ଚର୍ମକାରର ଦରପୋଡ଼ା ରୁଟିକୁ ଦୁଇ ହାତ ମୁଠାରେ ଧରି ଚିପୁଡ଼ି ପୁରିରୁ ରକ୍ତ ଓ ରୁଟିରୁ ଦୁଗ୍ଧର ସ୍ରବଣ ଘଟାଇଛନ୍ତି ଯାହା ସମସ୍ତଙ୍କୁ ଚମତ୍କୃତ କରିଦେଇଛି । ଜଣେ ଅହଙ୍କାରୀ ସୁସ୍ଵାଦୁ ବ୍ୟଞ୍ଜନଠାରୁ ଜଣେ ଅଚ୍ଛବର ଦରପୋଡ଼ା ରୁଟିରେ ଯେ କେତେ ସ୍ନେହ, ମମତା ଭରି ରହିଛି ତାହାର ଚାକ୍ଷୁସ ପ୍ରମାଣ ମିଳିଛି । ସରଳତା ଓ ନିର୍ମଳତା ନିକଟରେ କ୍ଷମତାର ମୋହ, ଧନର ଗର୍ବ ଅହଙ୍କାର ହାର ମାନିଛି । କବିଙ୍କ ଭାଷାରେ-

 

ପିତୃବ୍ୟ କହିଲେ, ‘‘ବାବା

ଦେଖୁଛି ଦିବ୍ୟ ତୁମ ମନ,

ଦୁଗ୍‌ଧ ସମ ସ୍ଵଚ୍ଛ ଶୁଭ୍ର

ନିଃସ୍ଵର ଓ ବିଶ୍ଵର ଜୀବନ ।’’

(୩୧. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା ୧୨୬)

 

‘ଯସ୍‌ମା’ କବିଙ୍କର ଅନ୍ୟ ଏକ କଥାକବିତା ଯାହା ଜଣେ ଫିରିଙ୍ଗ ଅଫିସର Charles a kincaid ଙ୍କ ରଚିତ Heroines of India ର ଏକ ବିଷୟ ‘The Story of Jasma’ ଉପରେ ଆଧାରିତ । ଏହା ଏକ ଭିନ୍ନଧର୍ମୀ କଥା କବିତା ହେଲେ ବି କବି ଏହାକୁ ବେଶ୍‌ ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ଏଥିରେ ଐତିହାସିକ ସତ୍ୟତା ନାହିଁ ବୋଲି ଆଲୋଚକମାନେ କହିଥିଲେ ହେଁ କବି ଏହାକୁ ଜନଶ୍ରୁତିର ପରିଚିତ ଇତିକଥା ବୋଲି ସ୍ଵୀକାର କରିଛନ୍ତି ।

 

‘ଯସ୍‌ମା’ ଜାତିରେ ମାଟିଆଣୀ । ଗୁଜୁରାଟ ପ୍ରଦେଶରେ ତା’ର ଘର । ଗୁଜୁରାଟର ଅଣହିଳା ବାଦରେ ସହସ୍ରଲିଙ୍ଗ ସରୋବର ଖୋଳା ଯାଉଥିବା ସମୟରେ ଅନେକ ମାଟିଆ, ମାଟିଆଣୀ ସେହି କାମରେ ନିୟୋଜିତ ହୋଇଥିଲେ । ଯସ୍‌ମା ମଧ୍ୟ ସ୍ଵାମୀ ନାଥି ମାଟିଆ ସହିତ ନିଜର ଛୋଟ ସନ୍ତାନଟିକୁ ସାଥିରେ ନେଇ ସେହି ମାଟି ଖୋଳା କାମରେ ଯୋଗ ଦେଇଥଲା । ତେବେ ଅନ୍ୟ ମାଟିଆଣୀଙ୍କଠାରୁ ରୂପ ସମ୍ପଦରେ ଅତୀବ ସୁନ୍ଦରୀ ମାଳବିକା ଯସ୍‌ମା ଥିଲା ଭିନ୍ନ । ଏଣୁ ଜଣେ ଚିତ୍ରକର ତା’ର ସୁନ୍ଦର ରୂପକୁ ନେଇ ଛବି ଅଙ୍କନ କରି ଗୁର୍ଜରର ରାଜାଙ୍କୁ ଦେଖାଇଥିଲେ । ଗୁର୍ଜରର ରାଜା ଚିତ୍ରପଟରୁ ଯସ୍‌ମାର ରୂପ ସୌନ୍ଦର୍ଯ୍ୟ ଦେଖି ତା’ ରୂପରେ ଆକୃଷ୍ଟ ହୋଇ ତାକୁ ସ୍ଵଚକ୍ଷୁରେ ଦେଖିବାକୁ ଗଲେ ଏବଂ ଶେଷରେ ଅସୀମ ସୌନ୍ଦର୍ଯ୍ୟର ଅଧିକାରିଣୀ ପୁଲସ୍ତବକିନୀ ଯସ୍‌ମାକୁ ଦେଖିଲେ । କୁଲି ସରଦାର ମାଧ୍ୟମରେ ରାଜା ତାକୁ ମନେଇବାକୁ ଚେଷ୍ଟା କଲେ । କବିଙ୍କ ଭାଷାରେ-

 

‘ତୋଅରି ରୂପର ଝଲକଲୋ

ରାଜ- ଦୃଷ୍ଟିରେ ପଡ଼ିଲାଣି,

ଭିତରେ ଭିତରେ ତୁ ଜାଣିନୁ

ଭାଗ୍ୟ ଶିରୀ ତୋ ବଢ଼ିଲାଣି ।’

(୩୨. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା - ୧୩୩)

 

କୁଲି ସରଦାର ରାଜାଙ୍କ ଉପହାର ଦେଖେଇ ଯସ୍‌ମାକୁ ଲୋଭ ଦେଖେଇବାକୁ ଚାହିଁଛି । କିନ୍ତୁ ଯସ୍‌ମା ପ୍ରତିବାଦ କରି କହିଛି-

 

‘‘ସାବଧାନ ଏବେ ସାବଧାନ

ରାଜା ହୋଇ ସିଏ ଏଡ଼େ ଛୋଟ,

ଆମର ନାହିଁ କି ସନମାନ ?’’

(୩୩, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୩୩)

 

ସମସ୍ତ ରାଜପ୍ରଲୋଭନକୁ ଏଡ଼େଇ ଦେଇ ସ୍ୱାମୀ ସହିତ ନିରାପଦରେ ରହିବାର ଅନେକ ଚେଷ୍ଟା କରି ମଧ୍ୟ ଯସ୍‌ମା ସଫଳ ହୋଇ ପାରିନି । ରାଜା ତା’ର ସ୍ଵାମୀ ନାଥୁ ମାଟିଆକୁ ବନ୍ଦୀ କରିଛନ୍ତି । ଯସ୍‌ମା ରାଜ ଦରବାରରେ ଯାଇ ଉପସ୍ଥିତ ହୋଇଛି ଏବଂ ରାଜାଙ୍କର ଏଭଳି ଅନ୍ୟାୟର ପ୍ରତିବାଦ କରିଛି । କବିଙ୍କ ଭାଷାରେ-

 

‘ପରଝିଅ ବୋହୂ ତନୁ-ତୀରେ

ଚଳାଉଛ ତୁମ କାରବାର,

ଏଇଥି ପାଇଁ କି ବସାଇଛ

ଧର୍ମର ପୁଣି ଦରବାର ?’

(୩୪, ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା- ୧୩୪)

 

ସ୍ୱାମୀଙ୍କୁ ରାଜଦଣ୍ଡରୁ ମୁକ୍ତ କରିବା ପାଇଁ ଏବଂ ନିଜର ସତୀତ୍ୱକୁ ବଜାୟ ରଖିବା ପାଇଁ ରାଜ ଦରବାରର ସର୍ବ ସମକ୍ଷରେ ‘ଯସ୍‌ମା’ ଅଣ୍ଟିରେ ରଖିଥିବା ଛୁରୀ କାଢ଼ି ଆତ୍ମହତ୍ୟା କରିଛି । କବିଙ୍କ ଭାଷାରେ-

 

‘‘ହୀନ ନୁହେଁ ମୁହିଁ ମାଟିଆଣୀ,

ନିଆଁ ଜଳୁଅଛି ମୋର ପ୍ରାଣେ,

ଯିଏ ଛୁଇଁ ଦେବ ଜଳି ଯିବ,

ମୋହର ଜୀବନ ମୁଇଁ ଜାଣେ ।’’

(୩୫. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷା- ୧୩୫)

 

ରାଜା ନିଜକୁ ଧିକାର କରିଛନ୍ତି । ଅନୁତପ୍ତ ହେଇଛନ୍ତି । କବିଙ୍କ ଭାଷାରେ-

 

ଉଷାର ରକ୍ତ ଅନ୍ଧାରେ ଯଥା

ଆଲୋକର ପଥ ଖୋଲିଯାଏ

ଯସ୍‌ମାର ଲହୁ ଜୀବନେ ମୋହର

ଆଲୋକର ବାଣୀ ବୋଲିଯାଏ ।

(୩୬. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା ୧୩୬)

 

ଶେଷରେ ନୀଳନିର୍ଜ୍ଜନ ଉପବନ କୋଳରେ ବିଷାଦିତ ଗୁର୍ଜର ଦେଶ ନରପାଳଙ୍କୁ ରୂପକାର ଯସ୍‌ମାର ଏକ ଚିତ୍ରପଟ ଉପହାର ଦେଇଛନ୍ତି ଯାହା ରାଜାଙ୍କର ଏକମାତ୍ର ଅବଲମ୍ବନ ହୋଇ ରହିଛି ।

 

କବି ଏଠାରେ ପ୍ରମାଣ କରିଛନ୍ତି ଯସ୍‌ମା ଭଳି ଅନେକ ଚରିତ୍ରର ମହାନତା ଜନଜୀବନରେ ଚେତନା ସୃଷ୍ଟିକରେ । କାମୁକ ଅତ୍ୟାଚାରୀ ରାଜା ତଥା ତାଙ୍କର ପାରିଷଦ ବର୍ଗଙ୍କ ପ୍ରତି ଏଥରେ କବିଙ୍କର ତୀବ୍ର କଟାକ୍ଷ ରହିଛି ।

 

‘ରାମୀ ଓ ଚଣ୍ଡୀଦାସ’ କବିତାରେ କବି ସମାଜର ଷଡ଼ଯନ୍ତ୍ର ଓ କଠୋରତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛନ୍ତି । ‘କବି ଚଣ୍ଡୀଦାସ’ଙ୍କ ପ୍ରତି ରଜକିନୀ ‘ରାମୀ’ର ଥିବା ଅମଳିନ ଓ ତ୍ୟାଗପୂତ ପ୍ରେମ ସମାଜର କଠୋରତାରୁ ଢେର ଉର୍ଦ୍ଧ୍ୱରେ ବୋଲି କବି ଗଡ଼ନାୟକ ଏଠାରେ ଦର୍ଶାଇଛନ୍ତି । ‘କବି ଚଣ୍ଡୀଦାସ’ ପ୍ରେମିକା, ‘ରାମୀ’କୁ ନିଜର ସମସ୍ତ ପ୍ରେରଣାର ଉତ୍ସଭାବେ ଗ୍ରହଣ କରିଛନ୍ତି । ‘ରାମୀ’ର ପ୍ରେମ ହିଁ ତାଙ୍କ ପାଇଁ ସବୁକିଛି । କିନ୍ତୁ ‘ରାମୀ’ ଭଳି ଜଣେ ନୀଚ୍ଚଜାତିର ଝିଅକୁ ପ୍ରେମ କରିଥିବାରୁ କବି । ଚଣ୍ଡୀଦାସଙ୍କୁ ସମାଜରୁ ବହୁତ କଟୁକ୍ତି ଶୁଣିବାକୁ ପଡ଼ିଛି । ଏଣୁ ସମାଜର ଲାଞ୍ଛନା ତାଡ଼ନାରୁ ଚଣ୍ଡୀଦାସଙ୍କୁ ବଞ୍ଚେଇବା ପାଇଁ ତାଙ୍କଠାରୁ ଦୂରେଇଯିବାକୁ ରାମୀ ଅନୁରୋଧ କରିବାରୁ ଚଣ୍ଡୀଦାସ ରାମୀପାଇଁ ସାରା ସମାଜକୁ ଏଡ଼ାଇ କହିଛନ୍ତି -

 

‘‘ତୁମେ ଅଛ, ମୁଁ ଅଛି ଆଜିର ଏ କାକଜ୍ୟୋସ୍ନା ଅଛି,

ମଳୟର ଢେଉ ଅଛି, ପ୍ରକୃତିର ଅଛି ସ୍ନେହ-କୋଳ,

କି କରିବ ସମାଜର ଷଡ଼ଯନ୍ତ୍ର କଠିନ କଠୋର ?

ଆମର ସମାଜ ଆମେ ଏଇଠାରେ ପାରିବାନି ରଚି ?’’

(୩୭. ଗଡ଼ନାୟକ ଗ୍ରନ୍ଥାବଳୀ, ଦ୍ୱିତୀୟଖଣ୍ଡ, ପୃଷ୍ଠା ୧୩୭)

 

ଏହିଭଳି ଭାବରେ ‘ଶାମୁକାର ସ୍ଵପ୍ନ’ରେ ଥିବା ଏଗାରଟି କବିତାରୁ କବିଙ୍କର ସାମ୍ୟବାଦୀ ଚିନ୍ତା ଓ ଚେତନାର ପରିଚୟ ମିଳେ । କବି କେବଳ ପ୍ରତିଭାବାନ ବ୍ୟକ୍ତି ବିଶେଷ, ବିଶିଷ୍ଠ କବି ଲେଖକ, କଳାକାର, ନେତା, ମହାପୁରୁଷ, ଜ୍ଞାନୀ, ସାଧକ ଇତ୍ୟାଦିଙ୍କ କୃତିତ୍ୱକୁ ନିଜ ଲେଖନୀରେ ସ୍ଥାନ ଦେଇ ନାହାନ୍ତି ବରଂ ସାଧାରଣ ମଣିଷ, ସମାଜର ନିମ୍ନବର୍ଗର ମନୁଷ୍ୟ, ସେମାନଙ୍କର ବିଭିନ୍ନ କାର୍ଯ୍ୟାବଳୀ, ସେମାନଙ୍କର ସ୍ନେହ, ପ୍ରେମ, ଭାବ, ଭକ୍ତି ଇତ୍ୟାଦିକୁ ସୁନ୍ଦର ଭାବରେ ବେଶ୍‌ ଗୁରୁତ୍ଵ ଦେଇ ନିଜ ରଚନାଗୁଡ଼ିକରେ ପ୍ରକାଶ କରିଛନ୍ତି । ଏଥିରୁ ସ୍ଵତଃ ବୁଝାପଡ଼େ କବି ସମାଜର ଉଚ୍ଚ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କୁ ବା ତାଙ୍କର ଧନ ଯଶ ପ୍ରତିପତ୍ତି କି ତାଙ୍କର ଗର୍ବ ଗୌରବକୁ ଗୁରୁତ୍ଵ ଦେଇ ନାହାନ୍ତି । ବରଂ ସେ ଗୁଣର ଉପାସକ ସାଜିଛନ୍ତି । ସାଧାରଣ ନିମ୍ନସ୍ତରର ମଣିଷଟିଏ ବି ପରିସ୍ଥିତି ଓ ପରିବେଶ ଅନୁସାରେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ହୋଇ ସମୟରେ ଅସାଧାରଣତ୍ୱ ପ୍ରଦର୍ଶନ କରିପାରନ୍ତି ଯାହା ତଥାକଥିତ ଗୁଣୀ, ଜ୍ଞାନୀଙ୍କ ପକ୍ଷରେ ମଧ୍ୟ ସମ୍ଭବପର ହୋଇ ନ ଥାଏ-। ଏହିଭଳି ଚରିତ୍ରଗୁଡ଼ିକର ଗୁଣ, ଜ୍ଞାନ କିନ୍ତୁ କବିଙ୍କ ନିକଟରେ ପ୍ରିୟ ଓ ଶ୍ରେୟ ହେଇଛି, ଯାହାକୁ ସେ ଶାମୁକାର ସ୍ୱପ୍ନରେ ଥିବା ରଚନାରେ ସ୍ଥାନ ଦେଇଛନ୍ତି । ସେହିଭଳି ଚରିତ୍ରଗୁଡ଼ିକୁ ନେଇ କବି ଗୌରବ ମଣ୍ଡିତ କରିଛନ୍ତି ଏବଂ ସୃଷ୍ଟି କରିଛନ୍ତି ତାଙ୍କ ସାହିତ୍ୟ ଯେଉଁଥିରେ ସେ ରଖି ନାହାନ୍ତି ଉଚ୍ଚ ନୀଚ ଜାତି ଭେଦର କଥା ଇତ୍ୟାଦି ।

 

ଡକ୍ଟର ନିଶାମଣି ସ୍ୱାଇଁଙ୍କ ମତରେ, ‘କ୍ଷୁଦ୍ର କ୍ଷୁଦ୍ର କାହାଣୀ ଓ ଘଟଣାବଳୀ ଯାହା ଲୋକ ମୁଖରେ ଅଥବା ଇତିହାସର ଜୀର୍ଣ୍ଣ ପୃଷ୍ଠାରେ ତା’ର ଶୀର୍ଣ୍ଣ କଳେବର ନେଇ ବଞ୍ଚିରହିବାର ଅସଫଳ ସଂଗ୍ରାମ କରୁଛି, ତାକୁ ସଫଳ ରୂପ ପ୍ରଦାନ କରି ସେ ସବୁକୁ ଜୀବନ୍ତ ଓ ପୁଷ୍ଟ କରି ଗଢ଼ି ତୋଳିଛନ୍ତି କବି ଗଡ଼ନାୟକ । ଘଟନାର ପାହାଡ଼ ଭିତରୁ ସନ୍ଧାନୀ ଦୃଷ୍ଟି ନେଇ ଯାହା ଆବିଷ୍କାର କରିଛନ୍ତି ତାକୁନେଇ ଅନେକ ସମୟରେ ରୂପ ପ୍ରଦାନ କରିଛନ୍ତି ।’ (୩୮. ଓଡ଼ିଆ କାବ୍ୟ ସାହିତ୍ୟକୁ ଶ୍ରୀ ଗଡ଼ନାୟକଙ୍କ ଦାନ, ଡକ୍ଟର ନିଶାମଣି ସ୍ଵାଇଁ, ପୃଷ୍ଠା-୮୪) ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ସମାଲୋଚକ ଡକ୍ଟର ନିତ୍ୟାନନ୍ଦ ଶତପଥୀ କୁହନ୍ତି- ‘‘ପୁରାଣ, ଇତିହାସ. ଓ ଘଟନା ପ୍ରବାହର କବରତଳୁ ଚରିତ୍ରମାନଙ୍କୁ ଆଣି କାବ୍ୟ-ପ୍ରଶସ୍ତି ପ୍ରଦାନରେ କବି ଯେ ଏକ ଶ୍ରେୟଃ ସତ୍ୟର ଉପାସନା କରିଛନ୍ତି- ଏଥିରେ ସନ୍ଦେହ ନାହଁ । ଏହି ନିକୃଷ୍ଟ, ନିମୀଳିତ, ଅପାଙ୍‌କ୍ତେୟ ଚରିତ୍ରମାନଙ୍କୁ କାବ୍ୟିକ ଗୁରୁଗୌରବ ଦେବାରେ କବି ଗଡ଼ନାୟକଙ୍କ ଚେଷ୍ଟା ସଫଳତାର ସ୍ଵର୍ଣ୍ଣସେତୁ ଆରୋହଣରେ କ୍ଷମ ହୋଇଛି, ଶ୍ରୀୟା ଚଣ୍ଡାଳୁଣୀ, ମୋଚି ବାଲ୍ମୀକି, ଶ୍ରମଣା, ଶବର ଗୁହକ, ଏକଲବ୍ୟ, ମାତଙ୍ଗିନୀ, ଶମ୍ଭୁକ, ରଇଦାସ ଆଦି ଚରିତ୍ରଗୁଡ଼ିକ ସେମାନଙ୍କ ଉତ୍ତୁଙ୍ଗ ମାନବିକ ଆଚରଣରେ ଆଜି ଯେକୌଣସି ସଭ୍ୟ ମଣିଷ ଓ ଦେଶ ପାଇଁ ଆଦରଣୀୟ ହୋଇ ରହିବ କବି ସେମାନଙ୍କ ମହାନତାକୁ ହିଁ ଏ ଗାଥା କବିତାଗୁଡ଼ିକରେ ସନ୍ଧାନ କରିଛନ୍ତି । ଏହି ପର୍ଯ୍ୟାୟରେ ଐତିହାସିକ ଚରିତ୍ରମାନଙ୍କ ମଧ୍ୟରେ ରାମୀ ଓ ଚଣ୍ଡୀଦାସ, ଗୁରୁନାନକ, ଯସ୍‌ମା ଆଦି ଚରିତ୍ରଗୁଡ଼ିକ ଆମ ମନରେ ଗଭୀର ଆବେଗ ଓ ଆଲୋଡ଼ନ ସୃଷ୍ଟି କରନ୍ତି ।’’ (୩୯, ସବୁଜରୁ ସାଂପ୍ରତିକ, ପୃଷ୍ଠା- ୧୩୧, ଡକ୍ଟର ନିତ୍ୟାନନ୍ଦ ଶତପଥୀ)

 

ଡକ୍ଟର ଲିଙ୍ଗରାଜ ରଥଙ୍କ ମତରେ, ‘‘ତାଙ୍କର ରାଶି ରାଶି ଗାଥା କବିତା ମାଧ୍ୟମରେ କବି କେବଳ ଆଧୁନିକ ଯୁଗର ମଣିଷମାନଙ୍କୁ ନୁହେଁ, ଅତୀତ କାଳର ବହୁ ଐତିହାସିକ ବ୍ୟକ୍ତିତ୍ୱ ତଥା ପୁରାଣଯୁଗର ବହୁ ମହାନୁଭବମାନଙ୍କର କୀର୍ତ୍ତିଗାଥା ଉଦାତ୍ତ ସ୍ଵରରେ ଗାନ କରିଯାଇଛନ୍ତି । ତଥାକଥିତ ଦଳିତ ଓ ନୀଚ ଜାତିର ବ୍ୟକ୍ତିତ୍ୱ ଯଥା ଶମ୍ଭୁକ, ରଇଦାସ, ଗୁହକ, ମୋଚି ବାଲ୍ମୀକି, ମାଟିଆଣୀ ଯସ୍‌ମା ଇତ୍ୟାଦି କବିଙ୍କର ସାରସ୍ୱତ ଚିତ୍ରଣରୁ କେହି ବାଦ୍‌ ପଡ଼ିନାହାନ୍ତି ।’’ (୪୦. କବି ରାଧାମୋହନ ଗଡ଼ନାୟକ- କୃତି ଓ କୃତିତ୍ଵ, ଡକ୍ଟର ଲିଙ୍ଗରାଜ ରଥ, ପୃଷ୍ଠା- ୫୩

 

କବିଙ୍କ କବିତାଗୁଡ଼ିକରେ ସବୁ କ୍ଷେତ୍ରରେ ନାରୀ ମୁଖ୍ୟ ଭୂମିକା ଗ୍ରହଣ ନ କଲେ ମଧ୍ୟ ନାରୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି । ପ୍ରାୟ ସବୁ କ୍ଷେତ୍ରରେ କବି ନାରୀ ଚରିତ୍ରମାନଙ୍କର ତ୍ୟାଗ, ପବିତ୍ରତା ତତ୍‌ସହିତ ସେମାନଙ୍କର ସାହସିକତାର ଜୟଗାନ କରିଛନ୍ତି, କୌଣସି ପରିସ୍ଥିତିରେ ମଧ୍ୟ ସେମାନେ ସେମାନଙ୍କର ସ୍ଵାଧୀନ ମତ ପ୍ରଦାନ କରିବାରେ ପଛେଇ ନାହାନ୍ତି । ଭୁଲ୍‌ଟାକୁ ଭୁଲ୍ ବୋଲି ଦର୍ଶେଇବାରେ ସେମାନେ ଦ୍ୱିଧାବୋଧ କରି ନାହାନ୍ତି । ଅନ୍ୟାୟ ନିକଟରେ ମୁଣ୍ଡ ନୁଆଁଇ ନାହାନ୍ତି ବରଂ ଏହାର ବିରୋଧ କରିଛନ୍ତି । ବେଳେ ବେଳେ ମୃତ୍ୟୁକୁ ଶ୍ରେୟ ମନେ କରି ଆତ୍ମ ବଳିଦାନ ଦେଇଛନ୍ତି ବରଂ ଭୁଲ୍‌ପଥ ଆପଣେଇ ନାହାନ୍ତି । ଜାତିରେ ନୀଚ ହେଲେ ମଧ୍ୟ ଯେଉଁମାନଙ୍କର କର୍ମ ମହାନ ସେମାନେ ଅହଙ୍କାରୀ ଉଚ୍ଚଜାତିର ବ୍ୟକ୍ତି ବିଶେଷଠାରୁ ଯେ ବେଶ୍‌ ବଡ଼ ତାହା ସ୍ପଷ୍ଟ ବାରିହୁଏ ଗଡ଼ନାୟକଙ୍କ କବିତା ସବୁରେ । ଯେଉଁ ଦଳିତ, ନିଷ୍ପେଷିତ ଓ ନୀଚକୂଳରେ ଜନ୍ମିତ ଚରିତ୍ରଗୁଡ଼ିକୁ ସେ ଚୟନ କରିଛନ୍ତି ସେ ସମସ୍ତଙ୍କ ପାଖରେ ଭରି ଦେଇଛନ୍ତି ସରଳତା, ଶୁଦ୍ଧତା, ଅତିଥିପରାୟଣତା, ପରୋପକାର ପ୍ରବଣତା, କର୍ମନିଷ୍ଠା ଓ ସମର୍ପଣ ଭାବ । କିନ୍ତୁ ସେମାନଙ୍କ ମନରେ ଥିବା ବିଦ୍ରୋହକୁ ଲୋକଲୋଚନକୁ ଆଣିବାକୁ ଭୁଲି ନାହାଁନ୍ତି । ସେମାନଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ଗଢ଼ି ତୋଳିଛନ୍ତି । ତାଙ୍କର ଆତ୍ମା ଅବିନଶ୍ୱର ହୋଇ ଯାଇଛି । କାଳ କାଳ ପାଇଁ ସେମାନେ ଉଦାହରଣ ପାଲଟି ଯାଇଛନ୍ତି ।

 

ସମସାମୟିକ ସାମାଜିକ ବ୍ୟବସ୍ଥାରେ ବିବ୍ରତ ହୋଇ କବି ଏକ ସୁସ୍ଥ ଜାତିବିହୀନ ସମାଜର ସ୍ୱପ୍ନ ଦେଖିଛନ୍ତି । କେବଳ ଯେ ସ୍ୱାଧୀନତାର ଆନ୍ଦୋଳନ ତା’ ନୁହେଁ ଜାତିପ୍ରଥା, ପୁଞ୍ଜିବାଦୀ ରାଜତନ୍ତ୍ରର କୁସଂସ୍କାର ଆଦି ପ୍ରଭାବିତ କରିଛି ତାଙ୍କ କବିତାକୁ । ଏକ ଜାତିବିହୀନ, ସ୍ଵାଧୀନ ଓ ଶୋଷଣମୁକ୍ତ ସମାଜର ସ୍ୱପ୍ନ ଦେଖିଛନ୍ତି କବି ରାଧାମୋହନ ଗଡ଼ନାୟକ !

 

ଡ୍ୟୁପ୍ଳେକ୍ସ-୨୦, ଶୈଳଶ୍ରୀ ବିହାର, ଭୁବନେଶ୍ୱର ୨୧

 

***

 

ରବୀନ୍ଦ୍ରନାଥ ଓ ରାଧାମୋହନ

କୁମୁଦ ଚନ୍ଦ୍ର ଦାଶ

 

ଟି.ଏସ୍‌. ଏଲିଅଟ୍‌ କହିଛନ୍ତି, ‘‘No poet of artist of any art can claim himself to be absolutely original. Past tradition and present development are bound to influence him when he sits down to write.’’ କୌଣସି କବି ବା କଳାକାର ନିଜକୁ ନିରଙ୍କୁଶ ଭାବରେ ମୌଳିକ ବୋଲି ଦାବି କରିପାରିବ ନାହଁ । ଅତୀତର ପରମ୍ପରା ଓ ବର୍ତ୍ତମାନର ବିକାଶ ତାକୁ ପ୍ରଭାବିତ କରିବଇ କରିବ । ମୌଳିକତା ନେଇ ସାମ୍ପ୍ରତିକ କାଳରେ ବହୁ ନୂତନ ଚିନ୍ତା ପ୍ରକଟିତ ହୋଇଛି । ଅନ୍ତଃଶାସ୍ତ୍ରୀୟତା ବା Intertextuality ତା ଭିତରେ ଅନ୍ୟତମ । ସବୁ ରଚନା ଅଗଣିତ ରଚନାର ପ୍ରତିଧ୍ଵନି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଚ୍ଛକ ମୌଳିକତା ବୋଲି କିଛି ନାହିଁ । କୁହାଯାଇଛି ଯେ ଯାହାକୁ ଆମେ ମୌଳିକ ରଚନା ବୋଲି କହୁ ତାହା ଉଦ୍ଧୃତି, ଚିହ୍ନ ନ ଥିବା ଉଦ୍ଧୃତି ମାତ୍ର । Barthes କହିଛନ୍ତି ‘‘Everything has been already written.’’ ସବୁ ଲେଖା ସରିଛି । ନୂଆ କିଛି କହିବା ଅସମ୍ଭବ ବୋଲି କୁହାଯାଇପାରେ । ବସ୍ତୁତଃ ମୌଳିକତା ଏକ ରୋମାଣ୍ଟିକ୍‍ ଧାରଣା । କିନ୍ତୁ ନିଓକ୍କାସିସିଷ୍ଟମାନେ କହନ୍ତି ଯେ କେବଳ ପ୍ରକୃତିର ଅନୁକରଣ ନୁହେଁ, ପ୍ରକୃତିର ଅନୁକରଣ କରିଥିବା ଶ୍ରେଷ୍ଠ କାବ୍ୟକୃତିର ମଧ୍ୟ ଅନୁକରଣ କାମ୍ୟ । ଏଲିୟଟ କହନ୍ତି ତାଙ୍କ ରଚନାରେ ଯାହା କିଛି ଶ୍ରେଷ୍ଠ ତାହା ଅନ୍ୟମାନଙ୍କର । ଏ ଦୃଷ୍ଟିରୁ ଏ ଯୁଗରେ ଲେଖକର ମୃତ୍ୟୁ (Death of the author) ଚିନ୍ତାଧାରା ପ୍ରଚାରିତ ହୋଇଛି । ପ୍ରଭାବ ଏକ ଉଦ୍‌ବେଗର କାରଣ ହେବା ଅନୁଚିତ । ଏଜରା ପାଉଣ୍ଡ ଲେଖା ଚୋରି କରିବାକୁ କହିଛନ୍ତି । ସେ କହନ୍ତି ଯେତେ ପାରୁଛ ପ୍ରଭାବିତ ହୁଅ । ତେବେ ତାକୁ ସିଧାସଳଖ ସ୍ଵୀକାର କରିଯାଅ କିମ୍ବା ସେ ଲେଖାକୁ ଏପରି ବଦଳାଇ ଦିଅ, ଯେପରି ତାହା ଏକ ପ୍ରଭାବିତ ଲେଖା ବୋଲି ଆଦୌ ଜଣାପଡ଼ିବ ନାହିଁ । ଆହରଣ କରି ଲେଖିବା ଆଦୌ ଦୋଷାବହ ନୁହେଁ । ପ୍ରତିଭାବାନ ସ୍ରଷ୍ଟାମାନେ ଆହୁତ ଉପାଦାନକୁ ଅକ୍ଲେଶରେ ନବରୂପ ପ୍ରଦାନ କରିପାରନ୍ତି । ଭାରତୀୟ କାବ୍ୟଶାସ୍ତ୍ରରେ ଏଥିପାଇଁ ବହୁ ସମର୍ଥନକାରୀ ବକ୍ତବ୍ୟ ରହିଛି, ଯେପରି ଆନନ୍ଦବର୍ଦ୍ଧନ କହନ୍ତି-

 

ଦୃଷ୍ଟପୂର୍ବା ଅପିହ୍ୟର୍ଥାଃ କାବ୍ୟେ ରସପରିଗ୍ରହାଃ

ସର୍ବେ ନବାଇବାଭାନ୍ତି ମଧୁମାସ ଇବଦ୍ରୁମାଃ ।

 

‘‘ଲୋକରେ ପ୍ରତ୍ୟକ୍ଷତଃ ଦୃଶ୍ୟମାନ୍‌ ଅଥବା କାବ୍ୟପ୍ରବନ୍ଧରେ ପୂର୍ବ ବର୍ଣ୍ଣିତ ଅର୍ଥାବଳୀ ରସ ଯୋଜନାର ବିଲକ୍ଷଣତା ବଳରେ ‘ଅପୂର୍ବ’ ବୋଲି ପ୍ରକଟିତ ହୋଇଥାନ୍ତି ଠିକ୍‌ ଯେପରି ବସନ୍ତ ସ୍ପର୍ଶରେ ବନ ଉପବନର ପୁରୁଣା ବୃକ୍ଷ ଲତା ନବରାଗ ରଙ୍ଗରେ ପୁଲକିତ ହୋଇଉଠନ୍ତି ।’’ (କାବ୍ୟସମ୍ବାଦ- ଦାଶରଥିଦାସ) କାଳିଦାସଙ୍କ ପରି ମହାକବି ଏଇଥିପାଇଁ କହିଛନ୍ତି-

 

ଅଥବା କୃତବାଗ୍‌ ଦ୍ୱାରେ ବଂଶେସ୍ମିନ୍‌ ପୂର୍ବସୂରିଭିଃ

ମଣୌ ବଜ୍ର ସମୁତ୍‌କୀର୍ଣ୍ଣେ ସୂତ୍ରସ୍ୟେବାସ୍ତି ମେ ଗତିଃ

(ରଘୁବଂଶ)

 

Voltaire ଅନୁକରଣ ଓ ମୌଳିକତା ମଧରେ ପାର୍ଥକ୍ୟ ଦେଖିନାହାଁନ୍ତି । ତାଙ୍କ ମତରେ “Originality is nothing but judicious imitation.’’ ନିରଙ୍କୁଶ ମୌଳିକତା ନେଇ ବେଶି ବିବ୍ରତ ହେବା ଉଚିତ ନୁହେଁ । Alexander Lindey, ତାଙ୍କର Plagianism and Originality ଗ୍ରନ୍ଥରେ ଯଥାର୍ଥରେ କହିଛନ୍ତି, ‘‘The imitation of other artists is one of the means by which a person enriches and finally establishes his own individuality and on the whole such imitation is more promising than icing of originality that hardens too quickly.’’ ଆହରଣ ଓ ସ୍ଵୀକରଣ ଯେ ଏକ ସାର୍ଥକ ସୃଷ୍ଟି ପ୍ରକ୍ରିୟା ଏଥିରେ ସନ୍ଦେହର କାରଣ ନାହିଁ ।

 

ବିଶ୍ୱକବି ରବୀନ୍ଦ୍ରନାଥ ଊନବିଂଶ ଓ ବିଂଶ ଶତାବ୍ଦୀର ଭାରତୀୟ ସାହିତ୍ୟ କ୍ଷେତ୍ରରେ ସର୍ବୋତ୍ତମ କାବ୍ୟପୁରୁଷ ଭାବେ ସତତ ସ୍ୱୀକୃତ । ସେ ବଙ୍ଗଳାର କବି ହେଲେ ମଧ୍ୟ ପ୍ରାଦେଶିକତାର ସୀମାକୁ ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତିକ ହୋଇ ଉଠିଥିଲେ । ବିଶ୍ଵଜନୀନତା ବା ସାର୍ବଜନୀନତା ତାଙ୍କର ମହତ୍ୱ । ପ୍ରେମ, ପ୍ରକୃତି, ଈଶ୍ୱରାନୁଭୂତି ଓ ବିଶ୍ଵମାନବିକତା ତାଙ୍କ କବିତା/ସାହିତ୍ୟର ସାର୍ଥକ ଦିଗନ୍ତ । ଜଣେ ରୋମାଣ୍ଟିକ କବି ଭାବେ ବିଶ୍ୱର ସମସ୍ତ ରୋମାଣ୍ଟିକ କବିମାନଙ୍କ ଉପରେ ତାଙ୍କର ସ୍ଥାନ ନିର୍ଣ୍ଣିତ ହୋଇଛି । ଜୀବନ ସାଧକ ଏହି କବି ଜୀବନର ସମସ୍ତ ରହସ୍ୟକୁ ସାର୍ଥକ ଭାବଭାଷାର ରୂପ ପ୍ରଦାନ କରିଛନ୍ତି । ପଣ୍ଡିତ ଜବାହରଲାଲ ନେହେରୁ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ଲେଖିଛନ୍ତି, ‘‘For most of us from outside Bengal, the name of Rabindranath Tagore is almost synonymous witn high achievement of Bengali literature. People of my generation grew up under the influence of his tremendous personality and were consciously or unconsciously moulded by it. Here was a man like an ancient Rishi of India, deeply versed in our old wisdom and at the same time, dealing with present day problems and looking at the future. He wrote in Bengali but the scope of his mind could not be confined to any part of India. It was essentially Indian and at the same time embraced all humanity. He who national and international and meeting him, or reading what he wrote, one had the feeling, which comes but rarely of approaching a high mountain peak of human experience and wisdom. (Preface to History of Bengali literature by Sukumar Sen) ପରମ ଜୀବନବାଦୀ କବି ରବୀନ୍ଦ୍ରନାଥ ଜୀବନ ସତ୍ୟ, ରହସ୍ୟ ଓ ସୌନ୍ଦର୍ଯ୍ୟର ମନ୍ଦ୍ର ନାନ୍ଦୀକାର । ଲେଖନ ରୀତି ଓ କଥ୍ୟରୀତିର ସାର୍ଥକ ସମନ୍ଵୟ ତାଙ୍କର ଅନନ୍ୟ ମହତ୍ୱ ସୂଚିତ କରେ । ମାନବ ଜୀବନ ସହିତ ଯାହା କିଛି ସମ୍ପୃକ୍ତ ସେ ଥିଲେ ତାର ମୁଗ୍ଧ ଉପାସକ । ଟେରେସେ କହିବା ଭଳି ସେ କହିବେ, ‘‘I am a man, nothing human can be alien to me’’ ବେଦ ଉପନିଷଦଠାରୁ ଆରମ୍ଭ କରି ବାଲ୍ମୀକି ଓ କାଳିଦାସ ମଧ୍ୟ ଦେଇ ବୈଷ୍ଣବ କବିତାର ପରମ୍ପରା ପର୍ଯ୍ୟନ୍ତ ତାଙ୍କ କବିତାର ଐତିହ୍ୟ ନିର୍ମାଣ କରିଛନ୍ତି । କିନ୍ତୁ ସେହି ଆଚରଣ ଅସାଧାରଣ ସ୍ୱୀକରଣ ଫଳରେ ହୋଇଉଠିଛି ଏକାନ୍ତ ଭାବେ ରାବୀନ୍ଦ୍ରିକ । ଏହି ରାଷ୍ଟ୍ରୀୟ ଐତିହ୍ୟ ସହିତ ସେ ବିଶ୍ୱଐତିହ୍ୟକୁ ମଧ୍ୟ ସଂଯୁକ୍ତ କରିଛନ୍ତି । କୌଣସି ବି ଦେଶରେ ରବୀନ୍ଦ୍ରନାଥଙ୍କ ପରି କବି ଏକ ସୁଲଭ ଦୃଶ୍ୟ ନୁହେଁ । ରବୀନ୍ଦ୍ର ବିଶ୍ୱଜନୀନତାର କବି, ବିଶ୍ୱକବି ।

 

କବି ରାଧାମୋହନ ଗଡ଼ନାୟକ ବିଂଶ ଶତାବ୍ଦୀର ବରେଣ୍ୟ ଓଡ଼ିଆ କବି । ରବୀନ୍ଦ୍ରନାଥ (୧୮୬୧-୧୯୪୧) ଠାରୁ ତାଙ୍କର (୧୯୧୧-୨୦୦୦) ବୟସର ତାରତମ୍ୟ ଦୀର୍ଘ ଅର୍ଦ୍ଧଶତାବ୍ଦୀ-। କିନ୍ତୁ ରବୀନ୍ଦ୍ରନାଥ ରାଧାମୋହନଙ୍କ ପାଇଁ ଏକ ମହାନ ଆଦର୍ଶ ଓ ଉତ୍ସ ରୂପେ ଦେଖା ଦେଇଛନ୍ତି । କବିତାର ଭାବ, ଭାଷା, ଛନ୍ଦ ଓ ରୂପ ବିଭିନ୍ନ କ୍ଷେତ୍ରରେ ରାଧାମୋହନ କବିଗୁରୁ ରବୀନ୍ଦ୍ରନାଥଙ୍କ ଆଦର୍ଶ ପ୍ରତି ଆସ୍ଥାଶୀଳ ହୋଇଉଠିଛନ୍ତି । ରାଧାମୋହନଙ୍କ ପ୍ରେମଚେତନା, ପ୍ରକୃତିବୋଧ, ପୁରାଣଚେତନା, ଈଶ୍ୱରାନୁଭୂତି, ମର୍ତ୍ତ୍ୟପ୍ରୀତି, ଜୀବନାନୁରାଗ, ମାନବବାଦ ଓ ଛନ୍ଦବିଧି ରବୀନ୍ଦ୍ରାନୁସରଣର ତିର୍ଯ୍ୟକ୍‌ ସମ୍ପର୍କ ସୂଚିତ କରେ । ଗାଥାକବିତାର ଶେଷ୍ଠ କବି ଭାବେ ସ୍ଵୀକୃତ ରାଧାମୋହନ ଏହାର ପ୍ରେରଣା ରବୀନ୍ଦ୍ରନାଥଙ୍କଠାରୁ ପାଇଥିବା ସର୍ବ ସ୍ଵୀକୃତ । ଯେଉଁ ମାତ୍ରାବୃତ୍ତ ଛନ୍ଦର ଶ୍ରେଷ୍ଠ ପ୍ରଯୋକ୍ତା ଭାବେ ରାଧାମୋହନ ସବିଶେଷ ପରିଚିତ, ସେ ଛନ୍ଦର ପ୍ରକୃତ ସ୍ରଷ୍ଟା ଥିଲେ କବିଗୁରୁ ରବୀନ୍ଦ୍ରନାଥ । ଏହି ପରିପ୍ରେକ୍ଷୀରେ ରାଧାମୋହନ ରବୀନ୍ଦ୍ରନାଥଙ୍କ ଦ୍ୱାରା କିପରି ଅନୁପ୍ରାଣିତ ହୋଇଛନ୍ତି, ତାହାର ଅନୁଶୀଳନ ଏକ ସାର୍ଥକ ସମୀକ୍ଷାତ୍ମକ କାର୍ଯ୍ୟ ବୋଲି ନିର୍ବିବାଦରେ କୁହାଯାଇପାରେ ।

 

ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ହିଁ ରାଧାମୋହନଙ୍କର କବି ଭାବରେ ଆବିର୍ଭାବର କାଳ-। ବିଶ୍ୱ କବିତା କ୍ଷେତ୍ରରେ ଏ ସମୟ ହେଉଛି ଗୋଟିଏ ଦିଗରେ ମାର୍କସବାଦୀ ଚେତନାର ଉଗ୍ରବୈପ୍ଳବିକ ପ୍ରବୃତ୍ତିର କାଳ ଓ ଅନ୍ୟ ଦିପରେ ଏଲିୟଟୀୟ ନୈରାଶ୍ୟବାଦର ଅଭିବ୍ୟକ୍ତିର ଯୁଗ । କିନ୍ତୁ ଭାରତୀୟ ସାହିତ୍ୟରେ ଏହି ସମୟରେ ଏ ଦୁଇ ପ୍ରବୃତ୍ତିର ପ୍ରକାଶ ପରିଲକ୍ଷିତ ହୁଏ ନାହିଁ । ରବୀନ୍ଦ୍ରନାଥ ‘ଗୀତାଞ୍ଜଳି’ ପାଇଁ ୧୯୧୩ରେ ନୋବେଲ ପୁରସ୍କାର ଲାଭ କଲେ । ପରେ ପରେ ଆରମ୍ଭ ହୋଇଗଲା ପ୍ରଥମ ବିଶ୍ଵଯୁଦ୍ଧ । ସେଥିପାଇଁ ସେ ସମୟରେ ତାଙ୍କର ପ୍ରଭାବ ପଡ଼ି ପାରିଲା ନାହିଁ । କୁହାଯାଏ ‘‘War time is a bad time for poetry. କିନ୍ତୁ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଭାରତରେ ସର୍ବତ୍ର ରବୀନ୍ଦ୍ରନାଥଙ୍କ ରୋମାଣ୍ଟିକ୍‌ ଚେତନାର ଅପ୍ରତିହତ ପ୍ରଭାବ ଅନୁଭୂତ ହେଲା । ବଙ୍ଗଳା ସାହିତ୍ୟରେ କରୁଣାବିଧାନ ବନ୍ଦୋପାଧ୍ୟାୟ, ଯତୀନ୍ଦ୍ର ମୋହନ ବାଗ୍‌ଚୀ ଓ କୁମୁଦରଞ୍ଜନ ରାୟ ସମ୍ପୂର୍ଣ୍ଣ ଭାବେ ରବୀନ୍ଦ୍ରାନୁଭାବିତ କବି । ପ୍ରମଥ ଚୌଧୁରୀ, ସତ୍ୟେନ୍ଦ୍ରନାଥ ଦତ୍ତ, ମୋହିତ ଲାଲ ମଜୁମଦାର ଓ ଯତୀନ୍ଦ୍ରନାଥ ସେନଗୁପ୍ତ ମଧ୍ୟ ପ୍ରୟାସ ସତ୍ତ୍ୱେ ରବୀନ୍ଦ୍ରାନୁରାଗ ଛାଡ଼ି ପାରିନାହାନ୍ତି । ବଙ୍ଗସୀମା ଅତିକ୍ରମ କରି ରବୀନ୍ଦ୍ରପ୍ରଭାବ ହିନ୍ଦୀ, ଅସମୀୟା ଓ ମରାଠୀ ଆଦି ବିଭିନ୍ନ ସାହିତ୍ୟକୁ ସଂପ୍ରସାରିତ ହୋଇଛି । ହିନ୍ଦୀ ସାହିତ୍ୟର ଛାୟାବାଦ ରବୀନ୍ଦ୍ରନାନୁସରଣ ବା ଛାୟାନୁପମକ ମାତ୍ର, ଛାୟାବାଦୀ କବିତାର ମହତ୍ତ୍ରୟୀ ପ୍ରସାଦ ପନ୍ଥନିରାଲା (ଜୟଶଙ୍କର ପ୍ରସାଦ, ସୁମିତ୍ରାନନ୍ଦ ପନ୍ଥ ଓ ସୂର୍ଯ୍ୟକାନ୍ତ ତ୍ରିପାଠୀ) ରବୀନ୍ଦ୍ର ପ୍ରଭାବାନ୍ୱିତ । ଅସମୀୟା ଭାଷାରେ କବି ସୂର୍ଯ୍ୟକୁମାର ଭୂୟାଁ ଭାନୁନନ୍ଦନ ରୂପେ ଭାନୁ ସିଂହ ବା ରବୀନ୍ଦ୍ରନାଥଙ୍କର ଅନୁସରଣ କରିଛନ୍ତି । ଏହି ସାହିତ୍ୟର ‘ଦୋନାକୀ’ ଯୁଗର ଚନ୍ଦ୍ରକୁମାର ଅଗରଓ୍ୱାଲାଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ବହୁ ଆଧୁନିକ କବିଙ୍କ ଉପରେ ରବୀନ୍ଦ୍ର ପ୍ରଭାବ ଅନୁଭୂତ ହୁଏ । ମରାଠୀ ସାହିତ୍ୟରେ ‘ରବି କିରଣ ମଣ୍ଡଳ’ ମଧ୍ୟ ଏହି ରବୀନ୍ଦ୍ରାନୁସରଣର ଦୃଷ୍ଟାନ୍ତ । ଏପରି କବିମାନଙ୍କ ମଧ୍ୟରେ ଓ୍ୱାଇ.ଡ଼ି. ପେଣ୍ଡାରକର (ଯଶୋବନ୍ତ) ଏସ୍‌.କେ. କାନେଟ୍‌ କର (ଗିରୀଶ) ଏମ୍‌.ଟି. ପଟ୍ଟବର୍ଦ୍ଧନ (ମାଧବ ଦୁଲିୟାନ)ଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି ପରିପ୍ରେକ୍ଷୀରେ ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଓଡ଼ିଆ ସାହିତ୍ୟରେ ସବୁଜ ଗୋଷ୍ଠୀର ଆବିର୍ଭାବ । ଏହି ଗୋଷ୍ଠୀର କବି ଥିଲେ ସର୍ବଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଅନ୍ନଦାଶଙ୍କର ରାୟ, ଶରତ ଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର । ଏମାନଙ୍କ ସମ୍ମିଳିତ କୃତି ‘ସବୁଜ କବିତା’ ୧୯୩୧ରେ ଗ୍ରନ୍ଥାକାରରେ ପ୍ରକାଶ ପାଇଥିଲା । ରବୀନ୍ଦ୍ରାନୁସରଣ ଏହି କବି ଗୋଷ୍ଠୀର ଐକ୍ୟବିଧାୟକ ସୂତ୍ର । ‘ସବୁଜ’ ନାମଟି ଏମାନେ ରବୀନ୍ଦ୍ରନାଥଙ୍କ ‘ସବୁଜେର ଅଭିଯାନ’ କବିତାର ‘ଓରେ ନବୀନ ଓରେ ଆମାର କାଁଚା’ରୁ ଗ୍ରହଣ କରିଥିଲେ । ସୁସମାଲୋଚକ ଦାଶରଥି ଦାସଙ୍କ ଭାଷାରେ, “ସବୁଜ କବିଙ୍କ କବିକର୍ମ ହୋଇଛି ରବିରଶ୍ମି ପ୍ରତିଫଳନ । ଓଡ଼ିଆ କବିତାର ସବୁଜ ଚେତନାଟି ମୂଳତଃ ରୋମାଣ୍ଟିକ୍‌ ଚେତନା ଓ ସେହି ଚେତନାର ଭାଷାଭାବ ଛନ୍ଦ ଅନୁଭୂତି ପ୍ରତ୍ୟକ୍ଷତଃ ରବୀନ୍ଦ୍ର ପ୍ରେରଣା ପରିପୁଷ୍ଟ ।” (ସାହିତ୍ୟସନ୍ଧାନ- ପୃ. ୨୫୪) ।

 

ରବୀନ୍ଦ୍ର ପ୍ରଭାବ କ୍ରମେ ଓଡ଼ିଆ କବିତାର ଭାବପକ୍ଷ ଓ ଶିଳ୍ପ ପ୍ରକରଣରେ ଯେଉଁ ନୂତନତା ପ୍ରକାଶ ପାଇଲା ସେଗୁଡ଼ିକୁ ସୁସମାଲୋଚକ ଦାଶରଥି ଦାସ ନିମ୍ନୋକ୍ତ ମତେ ତାଲିକାଭୁକ୍ତ କରିଛନ୍ତି-

 

ଭାବ ପ୍ରକରଣ :

ଯୌବନ ବନ୍ଦନା ଓ ପ୍ରଚଳିତ ମୂଲ୍ୟବୋଧ ବିରୁଦ୍ଧରେ ବିଦ୍ରୋହ ।

ରୋମାଣ୍ଟିକ୍‌ ସୌନ୍ଦର୍ଯ୍ୟ ସନ୍ଧାନ ଓ ସ୍ଵପ୍ନାବିଷ୍ଟତା ।

ମାନବିକାବାଦ ବା ମର୍ତ୍ତ୍ୟ ଓ ମଣିଷର ମହିମାବୋଧ ।

ଅନିର୍ଦ୍ଦେଶ୍ୟ ପ୍ରେମାନୁଭୂତି ଓ ରୋମାଣ୍ଟିକ୍‌ ବେଦନାବୋଧ ।

ପ୍ରକୃତି ପ୍ରେମର ଅନିର୍ଦ୍ଦେଶ୍ୟ ଆକୁଳତା ଓ ମୁଗ୍‌ଧତା ତଥା ଗୋଧୂଳି ବିଷାଦ ଓ ପ୍ରଭାତର ନବଜାଗରଣ ସ୍ଵପ୍ନ ।

ରହସ୍ୟବାଦ ଓ ତୁମେ ମୁଁ ଚିହ୍ନିତ ଭକ୍ତଭଗବାନ ନରନାରୀରୂପକ ମାଧ୍ୟମରେ ଈଶ୍ଵର ଏଷଣା-

ସୁଦୂର ପିପାସା ।

ସତ୍ୟଶିବ ସୁନ୍ଦର ଏଷଣା ।

 

ଶିଳ୍ପ ପ୍ରକରଣ :

୧.

ମାତ୍ରାବୃତ୍ତ ଛନ୍ଦୋଚାତୁର୍ଯ୍ୟ ।

୨.

ବୃହଦାୟନେ ମହାପୟାର ।

୩.

ବଳାକା ଛନ୍ଦର ଅସମ ପଂକ୍ତିକ ମିତ୍ରାକ୍ଷର ଚରଣର ଅବାରଣ ରତି ।

୪.

ଶ୍ଳଥବଦ୍ଧ ସନେଟ୍‌ ।

୫.

ତତ୍‍ସମ ଶବ୍ଦ ପ୍ରଧାନ କୋମଳକାନ୍ତ ପଦାବଳୀ ।

 

ଓଡ଼ିଆ କବିତାର ବିବର୍ତ୍ତନ ଇତିହାସରେ ସବୁଜ କବିତାର ଏକ ନିର୍ଦ୍ଦିଷ୍ଟ ଭୂମିକା ଅବଶ୍ୟ ସ୍ଵୀକାର୍ଯ୍ୟ । କିନ୍ତୁ ଅତ୍ୟଧିକ ବଙ୍ଗାନୁକୃତି ପ୍ରବଣତା ଏମାନଙ୍କ କବିତାର ପ୍ରଧାନ ଦୁର୍ବଳତା । ଯୁଗେ ଯୁଗେ ଓଡ଼ିଆ କବିତା ବିଭିନ୍ନ ପ୍ରଭାବରେ ପ୍ରଭାବିତ ହୋଇଥିଲା । କିନ୍ତୁ ଓଡ଼ିଆ ଭାଷାର ମୌଳିକ ଅଭିବ୍ୟକ୍ତିରୀତି କେବେ ଖଣ୍ଡିତ ହୋଇ ନ ଥିଲା । ମାତ୍ର ସବୁଜ କବିତାରେ ଓଡ଼ିଆ ଭାଷାର ଗୁଣର ଅଭାବ ଅନୁଭୂତ ହୁଏ । ସମସାମୟିକ ଭାବେ ସବୁଜ କବିତା ବିରୋଧରେ ପ୍ରତିକ୍ରିୟାର ସ୍ଵର ଶ୍ରୁତିଗୋଚର ହୋଇଥିଲା । ମାୟାଧର ମାନସିଂହଙ୍କ ‘ପରଧର୍ମ’ ପ୍ରବନ୍ଧ ବା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ସବୁଜଶୈଳୀ’ ପ୍ରବନ୍ଧର କଥା ଏ ପ୍ରସଙ୍ଗରେ କୁହାଯାଇପାରେ । ଡକ୍ଟର ମାୟାଧର ମାନସିଂହ ପରଧର୍ମ ପ୍ରବନ୍ଧରେ ଲେଖିଥିଲେ “ମୋ ମତରେ ‘ସବୁଜ ସାହିତ୍ୟ ସମିତି’ ଏହି ବଙ୍ଗ ପ୍ରଭାବ ପାଇଁ ବିଶେଷ ଭାବେ ଦାୟୀ । ଏହି ସମିତି ଯୋଗ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ପରିଚାଳିତ ହେଉଥିଲା, କିନ୍ତୁ ଦୋଷ ଏତିକି ଯେ, ଏହି ଓଡ଼ିଶା ଦେଶର ଧୂଳିମାଟି ସଙ୍ଗେ ଏମାନେ ସମ୍ପର୍କ ନ ରଖି ବଙ୍ଗାଳି ସମାଜର ଶିକ୍ଷିତ ସଭ୍ୟ ଭଦ୍ର ବାୟୁମଣ୍ଡଳରେ ଅନବରତ ବୁଲୁଥିଲେ । ଏ ଦେଶରେ ଯେ କିଆପୋଲାଙ୍ଗ ଫୁଟି ଝଡ଼ି ପଡୁଛି, ସେ ଖବର ନ ରଖି ଏମାନେ ଚାମେଲି, ଗୋଲାପ, ବେଲଫୁଲ, ହାସ୍ନାହେନାର ଗନ୍ଧ ଆଣି ଆମକୁ ଶୁଙ୍ଘାଇଲେ । ସାଧବ ଝିଅ ନଈରେ ଗାଧୋଇଲାବେଳେ ଛିଣ୍ଡି ପଡ଼ିବା ବାର ହାତ ଲମ୍ବ ବାଳକୁ ସୁନା ଫରୁଆରେ ପୂରାଇ ପାଣିରେ ଭସାଇ ଦେଇ ଅନାଇ ରହିଛି, ସେ ଦୃଶ୍ୟ କବିମାନେ ଦେଖି ପାରୁ ନାହାନ୍ତି, ସେମାନେ ସବୁଜପରୀ, ଆସମାନୀ ପରୀର ନୃତ୍ୟ ଆମକୁ ଦେଖାଉଛନ୍ତି, ଏ ଜୀବ ଏ ମାଟିରେ ପରିଚିତ ନୁହେଁ । ଏମାନଙ୍କୁ ବୁଝାଇବାକୁ ଓଡ଼ିଆ ଜାତିକି ବହୁବର୍ଷ ଟ୍ରେନିଂ ପାଇବାକୁ ହେବ । ଏ ପ୍ରକାର ସାହିତ୍ୟ ଏ ଭାଷାର କେବେହେଲେ ସମୃଦ୍ଧି ସାଧନ କରିବ ନାହିଁ, କାରଣ ଏଥିରେ ଜାତିର ପ୍ରାଣ ପ୍ରକାଶ ପାଉ ନାହିଁ । ପ୍ରତ୍ୟେକ ଜାତିର ଓ ପ୍ରତ୍ୟେକ ଭାଷାର ସ୍ଵତନ୍ତ୍ର ଧର୍ମ ଓ ପ୍ରାଣ ଅଛି ।” (ମାନସିଂହ ଗ୍ରନ୍ଥାବଳୀ- ତୃତୀୟ ଖଣ୍ଡ, ପୃଷ୍ଠା- ୬୦୩) ମାନସିଂହ ରବୀନ୍ଦ୍ରନାଥଙ୍କ ଦ୍ଵାରା କମ୍‌ ଅନୁପ୍ରାଣିତ ହୋଇନାହାନ୍ତି । କିନ୍ତୁ ସେ ଥିଲେ ଆତ୍ମସଚେତନ । ଓଡ଼ିଆ ଜାତି ଓ ଭାଷାର ସ୍ଵଧର୍ମ ସେ ହରାଇ ନାହାନ୍ତି, ଏହି ଦୃଷ୍ଟିରୁ ରବୀନ୍ଦ୍ରନାଥଙ୍କୁ ଗ୍ରହଣ କରିବା କ୍ଷେତ୍ରରେ ସବୁଜ କବିଙ୍କଠାରୁ ତାଙ୍କୁ ସ୍ଵତନ୍ତ୍ର ବୋଲି ନିର୍ବିବାଦରେ କୁହାଯାଇପାରେ । ଏହି ପରିପ୍ରେକ୍ଷୀରେ ମାନସିଂହଙ୍କ ପ୍ରକୃତ ସମାନଧର୍ମୀ ହେଉଛନ୍ତି କବି ରାଧାମୋହନ ଗଡ଼ନାୟକ-। ମାନସିଂହଙ୍କ ପରେ ଗଡ଼ନାୟକ ମଧ୍ୟ ରବୀନ୍ଦ୍ରନାଥଙ୍କ ଦ୍ଵାରା ବେଶ୍‌ ଅନୁପ୍ରାଣିତ ହୋଇଛନ୍ତି । କିନ୍ତୁ ତାଙ୍କ ଶୈଳୀରେ ଓଡ଼ିଆ ଭାଷାର ପ୍ରାଣସ୍ପନ୍ଦନ କେଉଁଠି ଖଣ୍ଡିତ ହୋଇନାହିଁ । ଏହି ପ୍ରସଙ୍ଗରେ ସବୁଜକବି ଅନ୍ନାଦଶଙ୍କର ରାୟଙ୍କୁ ଆକ୍ଷେପ କରି କବି ଗଡ଼ନାୟକ ଯେଉଁ କବିତା ଲେଖିଥିଲେ, ତାହା ସବିଶେଷ ସ୍ମରଣୀୟ । ୧୯୩୩ ମସିହାରେ ‘ନବୀନ’ ପତ୍ରିକାରେ ଗଡ଼ନାୟକ ଲେଖିଥିଲେ-

 

ଆସ ହେ ଆସ            ଆଇ.ସି,ଏସ୍‌.

ଆସ ହେ ଆସ ଅ. ରାୟ

ତୁମେ ଯେ ଏବେ ବଙ୍ଗବାସୀ

ଗୋଲାମ ମୋର ହାୟରେ ହାୟ

କୁଞ୍ଜବନ                  କୋଇଲି ତୁମେ

କୁଆର ମେଳେ ଯତନେ ବଢ଼ି

ଗିଆନ ଧନ            ପାଇବା କ୍ଷଣି

ଗୋତ୍ର ସ୍ମରି ଗଲ ହେ ଉଡ଼ି ।

 

ଗଡ଼ନାୟକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରବୀନ୍ଦ୍ରନାଥଙ୍କ ଅନୁପ୍ରେରଣାକୁ ଗ୍ରହଣ କରିଛନ୍ତି-। ଏବେ ସେ ସମ୍ପର୍କରେ କିଞ୍ଚିତ୍‌ ଆଲୋକପାତ କରାଯାଇପାରେ ।

 

ରାଧାମୋହନ ରବୀନ୍ଦ୍ରନାଥଙ୍କୁ କେନ୍ଦ୍ର କରି ବିଭିନ୍ନ ସମୟରେ ଏକାଧିକ କବିତା ଲେଖିଛନ୍ତି । ରବୀନ୍ଦ୍ର ଅନୁପ୍ରେରଣା ପ୍ରସଙ୍ଗରେ ଏହା ବିଶେଷ ଉଲ୍ଲେଖଯୋଗ୍ୟ । ତାଙ୍କର ପ୍ରାରମ୍ଭିକ କାବ୍ୟକୃତି ‘କାବ୍ୟନାୟିକା’ରେ ଅନ୍ତର୍ଭୁକ୍ତ ରହିଛି ‘ଦୁଇଜଣ’ କବିତା । ଏହି ଦୁଇଜଣ ହେଉଛନ୍ତି ରବୀନ୍ଦ୍ରନାଥ ଓ ମହାତ୍ମାଗାନ୍ଧୀ । ରବୀନ୍ଦ୍ରନାଥ କବି, ମହାତ୍ମା କର୍ମୀ । ଆଧୁନିକ ଭାରତର ଦୁଇ ମହାନ ନିର୍ମାଣ । ରବୀନ୍ଦ୍ରନାଥ ରାଧାମୋହନଙ୍କ ପାଇଁ ବିଶ୍ଵପ୍ରେମିକ, ମହାତ୍ମା ବିଶ୍ୱସେବକ । ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ରାଧାମୋହନ ଲେଖିଛନ୍ତି-

 

ଜଣେ ଭାରତର ପୂର୍ବ ସାଗର ତଟେ

ଜୀବନ ଲେଖଇ ବିଶ୍ଵଜୀବନ ପଟେ

ଧରାତଳେ ଯେତେ ପତିତ ମଥିତ ଦୀନ

ଯେତେ ବଞ୍ଚିତ, ଲାଞ୍ଚିତ ବିମଳିନ

ସେ ସବୁରେ ତାକି କାନ୍ତ କୋମଳ ସୁରେ

ସାଦର ଆସନ ଦେଇଚି ମରମ ପୁରେ

ସମବେଦନାର ଗାଇଅଛି ସଙ୍ଗୀତ

ଦମ୍ଭେ ଦେଇଛି ମୁକ୍ତିର ଇଙ୍ଗିତ

ନିଖିଳ ଭୁବନ ତାର ବନ୍ଦନା ଗାଏ

“ଜୟ ଜୟ ଜୟ ବିଶ୍ୱପ୍ରେମିକ

ଜୟ ରବୀନ୍ଦ୍ର ଆହେ ।’’

 

ଏ ଉଭୟେ ଥିଲେ ରାଧାମୋହନଙ୍କ ଆଦର୍ଶ । କବି ଓ ମହାତ୍ମାକୁ ନେଇ ସେ ପୁଣି ପରବର୍ତ୍ତୀ କାଳରେ ଲେଖିଛନ୍ତି ଗାଥା କବିତା- “ୟାରବାଡ଼ା କାରାବାସେ” । ୟାରବାଡ଼ା ଜେଲକୁ ମହାତ୍ମାଙ୍କୁ ଦେଖିବାକୁ ଯାଇଥିଲେ ରବୀନ୍ଦ୍ରନାଥ । ମହାତ୍ମା କାହିଁକି ଏପରି ମଳିନ ଦିଶୁଛନ୍ତି ବୋଲି ରବୀନ୍ଦ୍ର ପଚାରିଛନ୍ତି, କାରାବାସ ତ ତାଙ୍କ ପାଇଁ କେବେ ବିଷାଦର କାରଣ ହୋଇ ନ ପାରେ, ଉଭୟଙ୍କ ଭିତରେ କଥୋପକଥନ ହୋଇଛି - ତାହା ହେଉଛି କବି ଓ କର୍ମୀର ଜୀବନ ପ୍ରତି ଦୃଷ୍ଟିଭଙ୍ଗିରେ ପାର୍ଥକ୍ୟ । ରବୀନ୍ଦ୍ର ସ୍ୱପ୍ନଭୁକ୍‌ ସୌନ୍ଦର୍ଯ୍ୟବିଳାସୀ କବି, ଗାନ୍ଧୀ କିନ୍ତୁ ବାସ୍ତବତାର ଧୂସର ଉପତ୍ୟକାର ପରିବ୍ରାଜକ । ତେଣୁ ଗାନ୍ଧୀ କହୁଛନ୍ତି -

 

ତୁମେ ସିନା ଶୁଣ ସଙ୍ଗୀତ ତାର ମୁଁ ଖୋଜେ ତାହାର ହାଡ଼

ତୁମେ ଦେଖ ଯେଉଁ ପଦ୍ମଫୁଲଟି ମୁଁ ଦେଖେ ତାହାର ନାଡ଼

 

ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଏହି ଦୁଇ ମନିଷୀଙ୍କ ଦୃଷ୍ଟିଭଙ୍ଗିକୁ ଆଧୁନିକ ଭାରତର ଦୁଇଟି ବିଶିଷ୍ଟ ଦୃଷ୍ଟିଭଙ୍ଗୀ ବୋଲି କହିଛନ୍ତି । ଜୀବନ ପାଖରେ କବିତା ହାରିଛି । ରବୀନ୍ଦ୍ର ଗାନ୍ଧୀଙ୍କୁ ସମ୍ମାନ ଦେଇ କହିଛନ୍ତି -

 

‘‘ଦରଦୀ ହେ ଆଜି ଶ୍ଲାଘ୍ୟ ଜଗତେ ତୁମ ଜୀବନର ଧାରା

ସେଇଥି ସକାଶେ ଜନକଲ୍ୟାଣେ ତୁମେ ବରିଅଛ କାରା

ତୁମକୁ ଦେଖିବା ଆଶେ

ତୁମକୁ ଦେଖିବା ପାଇଁ ମୁହଁ ସିନା ଆସିଛି ଏ କାରାବାସେ ।’’

 

ଗଡ଼ନାୟକଙ୍କ କବିତା ପ୍ରସଙ୍ଗରେ ଏହା ଏକାନ୍ତ ଉଲ୍ଲେଖଯୋଗ୍ୟ । ଗଡ଼ନାୟକଙ୍କ ପାଇଁ ରବୀନ୍ଦ୍ର ମହାନ୍‌ ହେଲେ ମଧ୍ୟ ସେ ମୁଖ୍ୟତଃ ମୂଳତଃ ମହାତ୍ମାଗାନ୍ଧୀଙ୍କ ଅନୁପନ୍ଥୀ । ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ମହାତ୍ମାଙ୍କ ପରେ ଜାତୀୟବାଦୀ । ଫରାସୀ ଲେଖକ ରୋମାଁ ରୋଲା ଥରେ କହିଥିଲେ ‘‘With all my respect for Gandhi I am with Tagore. କିନ୍ତୁ ଗଡ଼ନାୟକ ବୋଧହୁଏ କହିବେ ‘‘With all my respect for Tagore I am with Gandhi.’’ ଗଡ଼ନାୟକ କବି ହେଲେ ମଧ୍ୟ କବିତାପ୍ରେମ ଅପେକ୍ଷା ତାଙ୍କର ଜୀବନପ୍ରେମ ଅଧିକ । ତେଣୁ ରବୀନ୍ଦ୍ର ଅନୁପ୍ରେରଣା ସତ୍ତ୍ୱେ ସେ ସ୍ୱପ୍ନବିଳାସୀ ହୋଇନାହାନ୍ତି । ରବୀନ୍ଦ୍ରନାଥଙ୍କ ପରେ ରହସ୍ୟବାଦୀ ହେବାକୁ ବି ବିଶେଷ ଆଗ୍ରହ ପ୍ରକାଶ କରିନାହାନ୍ତି । ଗଡ଼ନାୟକଙ୍କ କବିତାରେ ମହାତ୍ମା ହିଁ ଜୟଯୁକ୍ତ ହୋଇଛନ୍ତି ।

 

ଆଉ ଏକ କବିତା ‘ରବୀନ୍ଦ୍ର’ । ରାଧାମୋହନ ତାଙ୍କ ବିଦ୍‌ଗଧ ବିଶ୍ଲେଷଣୀ ଦୃଷ୍ଟି ବଳରେ ରବୀନ୍ଦ୍ରଙ୍କୁ ଏକ ସମୟରେ ରବି ଓ ଇନ୍ଦ୍ର ବୋଲି କହିଛନ୍ତି । ଏହା ହିଁ ଯଥାର୍ଥତଃ ରବୀନ୍ଦ୍ରନାଥଙ୍କ ସୃଷ୍ଟି ପ୍ରକ୍ରିୟା । ରାଧାମୋହନ ଲେଖିଛନ୍ତି-

 

କେବଳ ତ ରବି ନୁହ, ତୁମେ ପୁଣି ଇନ୍ଦ୍ର ରସବନ୍ତ

ସବୁ ରଶ୍ମି ସବୁ ତାପ ପଲକରେ କରି ପରାହତ

ମନ୍ଦ୍ର, ଭାଷେ ଛନ୍ଦେ ଛନ୍ଦେ ଢାଳି ଦିଅ ଉନ୍ମତ୍ତ ମଲ୍ଲାର

ବିଦଗ୍‌ଧର ପ୍ରାଣେପ୍ରାଣେ ଭରିଦେଇ ଆଷାଢ଼ ଆଶାର ।

 

ସୂର୍ଯ୍ୟଙ୍କ ପରେ ଐତିହ୍ୟକୁ ଶୋଷି ନେଇ ସେ ଇନ୍ଦ୍ରଙ୍କ ପରେ ନୂତନ ବର୍ଷା ରୂପେ ତାଙ୍କ ଅପୂର୍ବ କାବ୍ୟସୃଷ୍ଟିକୁ ସମ୍ଭବ କରାନ୍ତି । ରବୀନ୍ଦ୍ର କବିତାର ବିଦଗ୍‌ଧ ବ୍ୟାଖ୍ୟା କରି ରାଧାମୋହନ ଲେଖଛନ୍ତି-

 

ମୟୂଖରେ ଆସାରରେ ଆହେ ରବି ଆହେ ଇନ୍ଦ୍ର ତୁମେ

କାବ୍ୟଶ୍ରୀର ଇନ୍ଦ୍ରଚାପ ସୃଜିଅଛ ମରମର୍ତ୍ତ୍ୟ ଭୂମେ ।

 

ରାଧାମୋହନ ରବୀନ୍ଦ୍ରଙ୍କ ସୃଷ୍ଟି ପ୍ରକ୍ରିୟା ସମ୍ପର୍କରେ ଯାହା କହିଛନ୍ତି, ତାହା ତାଙ୍କ ନିଜର ମଧ୍ୟ ସୃଷ୍ଟି ପ୍ରକ୍ରିୟା । ସୁଗଭୀର ଅଧ୍ୟୟନ ଭିତରେ କାବ୍ୟ ଐତିହ୍ୟକୁ ସେ ଗଭୀରଭାବେ ଅନୁଶୀଳନ କରିଛନ୍ତି ଓ ତାକୁ ନୂତନ ଭାବେ ଅଭିବ୍ୟକ୍ତି ପ୍ରଦାନ କରିଛନ୍ତି । ପୋପ୍‌ଙ୍କ କାବ୍ୟାଦର୍ଶ ! What of I was said but never so well expressed’ ହିଁ ଗଡ଼ନାୟକଙ୍କ ପ୍ରକୃତ କାବ୍ୟଦର୍ଶନ ।

 

କବି ରାଧାମୋହନ ଗଡ଼ନାୟକ ତାଙ୍କ କାବ୍ୟ ସାଧନାର ପ୍ରାରମ୍ଭ କାଳରୁ ରବୀନ୍ଦ୍ର କାବ୍ୟମାନସ ସହିତ ସମ୍ପତ୍ତିର ପରିଚୟ ଦେଇଛନ୍ତି । ତାଙ୍କର ପ୍ରାରମ୍ଭ କାଳୀନ କାବ୍ୟକୃତି ‘ବନରାଜି ନୀଳା’ (୧୯୨୪-୧୯୨୮)ର କେତେକ କବିତା ପ୍ରତି ଦୃଷ୍ଟିପାତ କଲେ ଏହି ଧାରଣା ସ୍ପଷ୍ଟ ହୁଏ । ‘ବନରାଜି ନୀଳା’ର କବିତାବଳୀରେ ଭାଗବତବୋଧ ଏକ ସ୍ପଷ୍ଟ ପ୍ରବୃତ୍ତି । ଏହାର ଅନ୍ତରାଳରେ ନିଶ୍ଚିତ ଭାବେ ରବୀନ୍ଦ୍ର କାବ୍ୟମାନସର ସଂକ୍ରମଣ ବିଦ୍ୟମାନ । ଉଦାହରଣ ସ୍ୱରୂପ ରାଧାମୋହନଙ୍କ ‘ତୁମେ ତ ଏକା ମୋ ପଥ ସଙ୍ଖାଳି, ଆନନ୍ଦେ ଗାଏ ମୁଁ ତାହାରି ଗୀତି’, ‘ଛଳନା’, ‘କେତେ ଭଲ ପାଅ‘ ବା ‘ଚାହିଁଥିବି ତୁମ ପଥ’ । ଆଦି କବିତାବଳୀର ଅନୁଶୀଳନ କରାଯାଇପାରେ-। ରବୀନ୍ଦ୍ରନାଥ ପ୍ରକୃତି ଭିତରେ ବିଶ୍ୱର ମହୀୟାନ୍‌ ରୂପର ଅନ୍ୱେଷଣ କରିଛନ୍ତି ଯାହା ଶାନ୍ତିପ୍ରଦ ଓ ରହସ୍ୟଧର୍ମୀ, ପୁଣି ଈଶ୍ଵରଙ୍କ ଇଚ୍ଛାରେ ହିଁ ଯେ ଏ ସୃଷ୍ଟି ପରିଚାଳିତ ଏ ବିଶ୍ଵାସବୋଧ ମଧ୍ୟ ତାର ଅନ୍ତର୍ବର୍ତ୍ତୀ । ଈଶ୍ୱରଙ୍କ ଇଙ୍ଗିତରେ ହିଁ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ବାୟୁ କ୍ରିୟାଶୀଳ । ବିଶ୍ୱକବି ରବୀନ୍ଦ୍ରନାଥ ଲେଖିଛନ୍ତି-

 

ତାହାରେ ଦେଖିୟା ଛେନ୍‌ ବିଶ୍ଵଚରାଚର

ଝରିଛେ ଆନନ୍ଦ ହତେ ଆନନ୍ଦ ନୀରାର

ଅଗ୍ନିତେ ପ୍ରତ୍ୟେକ ଶିଖା ଭୟେ ତବ କାଁପେ

ବାୟୁର ପ୍ରତ୍ୟେକ ଶ୍ଵାସ ତୋମାରି ପ୍ରତାପେ

ତୋମାର ଆଦେଶ ବହି ମୃତ୍ୟୁ ଦିବାରାତ

ଚରାଚର ମର୍ମରିୟା କରେ ଯାତାୟାତ

ଗିରି ଉଠିଆଛେ ଊର୍ଦ୍ଧ୍ୱେ ତୋମାର ଇଙ୍ଗିତେ

ନଦୀ ଧାୟ ଦିକେ ଦିକେ ତୋମାର ସଙ୍ଗୀତେ

ଶୂନ୍ୟେ ଶୂନ୍ୟ ଚନ୍ଦ୍ର ସୂର୍ଯ୍ୟ ଗ୍ରହତାରା ଯତ

ଅନନ୍ତ ପ୍ରାଣେର ମାଝେ କାଁପିଛେ ନୟିତ

(କବିତା- ନୈବେଦ୍ୟ)

 

ରାଧାମୋହନ ‘ଆନନ୍ଦେ ଗାଏ ମୁଁ ତାହାରି ଗୀତ’ କବିତାରେ ଏହି ବିଶ୍ଵନିୟନ୍ତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି –

 

ଭାନୁ ଉଜଳଇ ସାରା ଏ ଜଗତ

ଘେନି କଣିକାଏ ଜ୍ୟୋତି ତାହାରି

ପବନ ତାହାର ଟିକିଏ ନିଶ୍ୱାସେ

ହୁଏ ଅଣଚାଶ ମୂରତି ଧାରୀ

ତୁନି କଥା ତାର ମାଗି ଆଣି ପଦେ

ଅଶନି ଅବନୀ କମ୍ପାଇ ଦିଏ

ସାଗର ଦେଖାଏ ଏତେ ମଣିମୁକ୍ତା

ସେ ଦେଇଛି ବୋଲି ଭିକ ମୁଠିଏ

ଏତେ ବଡ଼ ରାଜା ସୃଷ୍ଟି ତାର ହାତେ

କଣ୍ଢେଇ ପରାଏ ନାଚୁଛି ନିତି

ଚଉପାଶେ ଉଠେ ତାହାରି ସଙ୍ଗୀତ

ଆନନ୍ଦେ ଗାଏ ମୁଁ ତାହାରି ଗୀତି ।

 

ଏହି ଭାଗବତ ବୋଧ ତାଙ୍କର ପରବର୍ତ୍ତୀ ବିଶିଷ୍ଟ କାବ୍ୟକୃତି ‘କାବ୍ୟନାୟିକା’ର ‘ଅର୍ଘ୍ୟ’ ବିଭାଗରେ ସବିଶେଷ ଉତ୍ତରଣେ ଲାଭ କରିଥିଲା, ଯାହା ପଛରେ ରବୀନ୍ଦ୍ରଙ୍କ କବିତା ବିଶେଷତଃ ‘ଗୀତାଞ୍ଜଳି’ ର ପ୍ରଭାବ ଲକ୍ଷ୍ୟ କରାଯାଏ ।

 

କାଳିଦାସ ରାଧାମୋହନଙ୍କର ପ୍ରିୟ କବି । ଏହି କାଳିଦାସପ୍ରେମ ଅନ୍ତରାଳରେ ରବୀନ୍ଦ୍ରଙ୍କ ପ୍ରେରଣା ବିଦ୍ୟମାନ । ରବୀନ୍ଦ୍ରନାଥ କାଳିଦାସଙ୍କ ମେଘଦୂତ ଓ ଶକୁନ୍ତଳା ଆଦି ସମ୍ପର୍କରେ ମନୋଜ୍ଞ ପ୍ରବନ୍ଧ ଲେଖିଛନ୍ତି । ‘ମେଘଦୂତ’ ସମ୍ପର୍କରେ ଏକାଧିକ କବିତା ମଧ୍ୟ ରଚନା କରିଛନ୍ତି । ରାଧାମୋହନ କେବଳ କାଳିଦାସଙ୍କ ‘ମେଘଦୂତ’ ବା ‘କୁମାର ସମ୍ଭବମ୍‌’ର ଅନନ୍ୟ ଅନୁବାଦ କରିନାହାନ୍ତି, କାଳିଦାସଙ୍କ ଜୀବନକୁ ନେଇ ଏକ ସ୍ଵୟଂସମ୍ପୂର୍ଣ୍ଣ କାବ୍ୟନାଟକ ମଧ୍ୟ ରଚନା କରିଛନ୍ତି । ଏହି କାବ୍ୟନାଟକର ପରିକଳ୍ପନା ପଛରେ ରହିଛି ରବୀନ୍ଦ୍ରନାଥଙ୍କ ‘ବାଲ୍ମିକି ପ୍ରତିଭା’ କାବ୍ୟନାଟକର ସ୍ପଷ୍ଟ ପ୍ରେରଣା । କବି ପ୍ରତିଭାର ଉପାସନା କବିମାନଙ୍କ ପାଇଁ ଏକ ଆକର୍ଷଣୀୟ କଥା । ରବୀନ୍ଦ୍ର ଏଇଥିପାଇଁ ‘ବାଲ୍ମୀକି ପ୍ରତିଭା’ ଲେଖିଥିଲେ । ସେଇ ଆଦର୍ଶରେ ଓଡ଼ିଆରେ କବିଜୀବନ ସମ୍ବଳିତ ଦୁଇଟି ନାଟକ ରଚିତ - ମାୟାଧର ମାନସିଂହଙ୍କ ‘ରାଜ କବି ଉପେନ୍ଦ୍ର’ ଓ ରାଧାମୋହନ ଗଡ଼ନାୟକଙ୍କ ‘କାଳିଦାସ’ । ସୁସମାଲୋଚକ ଚିନ୍ତାମଣି ବେହେରା ଏ ନାଟକତ୍ରୟର ସବିଶେଷ ତୁଳନାତ୍ମକ ସମୀକ୍ଷା କରିଛନ୍ତି । କେତୋଟି ତୁଳନୀୟ ଦୃଷ୍ଟାନ୍ତ ଦେଖାଯାଇପାରେ ।

 

‘ବାଲ୍ମୀକି ପ୍ରତିଭା’ରେ ଲକ୍ଷ୍ମୀ ବାଲ୍ମୀକିଙ୍କୁ କହିଛନ୍ତି-

 

କେନଗୋ ଆପନ ମନେ

ଭ୍ରମିଛ ବନେ ବନେ

ସଲିଲ ଦୁନୟନେ କିସେର ଦୁଃଖେ ?

କମଲା ଦିତେଛି ଆସି

ରତନ ରାଶି ରାଶି

ଫୁଟୁକ ତବେ ହାସି ମଲିନ ମୁଖେ ।

 

ଏହାର ଉତ୍ତରରେ ବାଲ୍ମୀକି କହିଛନ୍ତି –

 

କୋଥାୟ ସେ ଉଷାମୟୀ ପ୍ରତିମା

ତୁମି ତୋ କହ ସେ ଦେବୀ, କମଳାସନା

କର ନା ଆମାରେ ଛଳନା

କି ଏନେ ଛ ଧନମାନ

ତାହା ଯେ ଚାହେ ନା ପ୍ରାଣ

ଦେବୀ ଗୋ ଚାହିନା, ଚାହିନା

ମଣିମୟ ଧୂଳିରାଶି ଚାହିନା

ତାହା ଲୟେ ସୁଖୀ ଯାରା ହୟେ ହୋକ

ଆମି ଦେବୀ ସେ ସୁଖ ଚାହି ନା

ଯାଅ ଲକ୍ଷ୍ମୀ ଅଲକାୟ

ଯାଅ ଲକ୍ଷ୍ମୀ ଅମରାୟ

ଏ ବନେ ଏସୋ ନା ଏସୋ ନା

ଏସୋ ନା ଏ ଦୀନ ଜନ କୁଟୀରେ

ଯେ ବୀଣା ଶୁନେଛି କାନେ

ମନ ପ୍ରାଣ ଆଛେ ଭୋର

ଆମି କିଛୁ ଚାହିନା ଚାହିନା ।

 

ରାଧାମୋହନ ‘କାଳିଦାସ’ ରେ ଅବିକଳ ରବୀନ୍ଦ୍ରଙ୍କ ପରି କହିଛନ୍ତି-

 

“ଦିନକର ନିଶାରାତେ

ଦେଖାଦେଇ ଲକ୍ଷ୍ମୀ

ସ୍ନେହଭରେ କହିଲେ ବନେ

ବତ୍ସ ମୋର

କାହୁଁ ଆସି କାହିଁ ଗଲୁ ଲାଖି ?

ଏତେ ବେଳେ ଭୁଲି ଗଲୁ

ଲକ୍ଷ୍ୟ ରେଖା ତୋର

ଜାଗି ଉଠ ବତ୍ସ ମୋର

ନିଅ ମୋର ଅକୁଣ୍ଠିତ ଦାନ ।’’

 

କିନ୍ତୁ କାଳିଦାସ କହୁଛନ୍ତି -

ତୁମେ ତ ମା ନୁହ ସେହି

ଉଷାମୟୀ ଆଲୋକ ପ୍ରତିମା

ଆଗେ ମାତା କରନା ଛଳନା,

ରତ୍ନପୁରେ ଫେରି ଯାଅ ତବ

ଆସ ନାହିଁ ଏହି ବନ ପଥେ

ମୁଁ ତ କେବେ ଚାହେଁ ନାହିଁ ସୁଖ

ଯେ ବୀଣା ଯେ ଗୀତ ମୁହିଁ

ଶୁଣି ଅଛି କାନେ

ତହିଁ ପ୍ରାଣ ହୋଇଛି ବିଭୋର ।

 

‘ବାଲ୍ମୀକି ପ୍ରତିଭା’ରେ ସରସ୍ୱତୀ କହିଛନ୍ତି-

 

“ଆମି ବୀଣାପାଣି

ଏଇ ନେ ଆମାର ବୀଣା

ଦିନୁ ତୋରେ ଉପହାର

ଯେ ଗାନ ଗାଇତେ ସାଧ

ଧ୍ଵନିନେ ଇହର ତାର ।

 

‘କାଳିଦାସ’ ରେ ସରସ୍ଵତୀ କହିଛନ୍ତି –

 

“ବତ୍ସ ମୋର ଭକ୍ତ ମୋର

ଭୁଲି ନାହୁଁ ମୋତେ

ପ୍ରୀତ ମୁହିଁ ହୋଇଛି ତୋ ପରେ

ବହିଥିଲି ଯେଉଁ ବୀଣା ଏଇ ମୋର କରେ

ଦେଉଅଛି ତୋତେ ଆଜି

ଯୋଗ୍ୟ ଯେଣୁ ତୁହି

ନେଇ ଏହା ବଜାଅ ମଧୁରେ

ମୁଗ୍‌ଧ ହେଉ ନିଖିଳ ଜଗତ

ତୋର ସେଇ ବୀଣାର ଝଙ୍କାରେ ।

 

ଏହି କାବ୍ୟନାଟକରେ ରବୀନ୍ଦ୍ରଙ୍କ ଅନ୍ୟାନ୍ୟ ରଚନାର ପ୍ରଭାବ ମଧ୍ୟ ଅଛି । ଯେପରି ରବୀନ୍ଦ୍ରନାଥ ଗୋଟିଏ ସ୍ଥାନରେ କହୁଛନ୍ତି-

 

ଦୁଜନେ ମିଲି ସଜାୟେ ଡାଲି ବସିନୁ ଏକାସନେ

ନଟରାଜେରେ ପୂଜିନୁ ଏକମନେ

କୁହେଲି ଗେଲ ଆକାଶେ ଆଲୋ

ଦଲ ଯେ ପରକାଶି

ଧୂର୍ଜଟିର ମୁଖେର ପାନେ ପାର୍ବତୀର ହାସି

(ସାଗରିକା)

 

ରାଧାମୋହନ ଲେଖିଛନ୍ତି-

ଶୃଙ୍ଗେ ଶୃଙ୍ଗେ ଦେଖିଲି ହରଷେ

ଉଷା ଉଷସୀର ଛବି ଉଦାର ମଧୁର

ବିଭୂତି ଭୂଷଣ ପ୍ରଭୁ ଧୂର୍ଜଟିର ବକ୍ଷେ

ହେମଗାତ୍ରୀ ହୈମନ୍ତୀ ଯେସନ

 

ରବୀନ୍ଦ୍ରନାଥ ଲେଖିଛନ୍ତି-

ହେ କବୀନ୍ଦ୍ରକାଳିଦାସ, କଳ୍‌ପ କୁଞ୍ଜବନେ

ନିଭୃତେ ବସିୟା ଆଛ ପ୍ରେୟସୀର ସନେ

ଯୌବନର ଯୌବରାଜ୍ୟ ସିଂହାସନ ପରେ

ଛୟ ସେବା ଦାସୀ

ଛୟ ଋତୁ ଫିରେ ଫିରେ ନୃତ୍ୟ କରେ ଆସି

(-ଚାତୁସଂହାର)

 

ରାଧାମୋହନ ‘କାଳିଦାସ’ରେ ଲେଖିଛନ୍ତି ଏହିପରି

 

ଯୌବନର ଯୌବରାଜ୍ୟେ ବସିଥିଲୁ ଦୁହେଁ

ଗତି ଚକ୍ରେ ଷଡ଼ଋତୁ ଆସି

ସେବୁଥିଲେ ସେବାଦାସୀ ସମ

ଗୃହଭୂମି ପରେ ମୋର

ଢାଳୁଥିଲେ ଜୀବନର ସ୍ରୋତ ।

 

କାଳିଦାସ ବହୁ ଆହରଣ ଓ ସ୍ୱୀକରଣ ପରିପୁଷ୍ଟ ଏକ ମନୋଜ୍ଞ କୃତି, କିନ୍ତୁ ଏହା ପଛରେ ମୂଳତଃ ଓ ମୁଖ୍ୟତଃ ରବୀନ୍ଦ୍ରନାଥଙ୍କ ଆଶୀର୍ବାଦ ସ୍ପଷ୍ଟ ।

 

‘କାବ୍ୟନାୟିକା’ର ‘ମାଟି’ କବିତା ରାଧାମୋହନ ଗଡ଼ନାୟକଙ୍କର ଶ୍ରେଷ୍ଠ କବିତା ରୂପେ ସ୍ଵୀକୃତ, ଏହି କବିତାରେ ସୃଷ୍ଟିର ପଞ୍ଚ ଉପାଦାନ- କ୍ଷିତ, ଅପ୍‌, ତେଜ୍‌, ମରୁତ ଓ ବ୍ୟୋମ- ଏହି ପଞ୍ଚମହାଭୂତଙ୍କୁ ଛଅଟି ଚରିତ୍ର ଭାବେ ଉପସ୍ଥାପିତ କରାଯାଇଛି । ଦର୍ଶନଶାସ୍ତ୍ର ସମ୍ମତ ଭାବରେ ଏମାନଙ୍କ ମଧ୍ୟରେ କ୍ଷିତି ବା ମାଟିର ମହତ୍ତ୍ୱ ପ୍ରତିଷ୍ଠା କରାଯାଇଛି । ପଞ୍ଚମହାଭୂତଙ୍କୁ ଏକ ଏକ ଚରିତ୍ର ଭାବରେ ଉପସ୍ଥାପିତ କରିବାର ପରିକଳ୍ପନା କବି ରାଧାମୋହନ ନିଶ୍ଚିତ ଭାବରେ ରବୀନ୍ଦ୍ରଙ୍କ ‘ପଞ୍ଚଭୂତ’ ପ୍ରବନ୍ଧରୁ ଆଭରଣ କରିଛନ୍ତି । ରବୀନ୍ଦ୍ରଙ୍କ ‘ପଞ୍ଚଭୂତ’ ପ୍ରବନ୍ଧରେ ଏ ପଞ୍ଚ ମହାଭୂତ ଏକ ଏକ ଚରିତ୍ର ରୂପେ ଉପସ୍ଥାପିତ ହୋଇଛନ୍ତି । ସେମାନେ ଏକ ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରି ସୌନ୍ଦର୍ଯ୍ୟର ସମ୍ବନ୍ଧଠାରୁ ବୈଜ୍ଞାନିକ କୌତୁହଳ ଆଦି ପ୍ରସଙ୍ଗରେ ନିଜ ନିଜର ମତ ପ୍ରଦାନ କରିଛନ୍ତି । ରବୀନ୍ଦ୍ରଙ୍କ ଲେଖାରେ ଏମାନେ କ୍ଷିତି, ସ୍ରୋତସ୍ୱିନୀ, ଦୀପ୍ତି, ସମୀର ଓ ବ୍ୟୋମ ରୂପେ ପରିଗୃହୀତ । ଏଥିରୁ ତିନିଜଣ ପୁରୁଷ ଓ ଦୁଇଜଣ ନାରୀ । କ୍ଷିତି ବସ୍ତୁବାଦୀ ଓ ଅଚଳ ଅଟଳ ଧାରଣା ସମ୍ପନ୍ନ ପୁରୁଷ । ଶ୍ରୀମତୀ ସ୍ରୋତସ୍ଵିନୀ ଚିରନ୍ତନୀ ନାରୀ ପ୍ରତିମା । ଶ୍ରୀମତୀ ଦୀପ୍ତି ଆଧୁନିକା ମହିଳା । ଶ୍ରୀଯୁକ୍ତ ବ୍ୟୋମ ଆତ୍ମଭୋଳା ସନ୍ନ୍ୟାସୀ । ମାଟି କବିତା ରଚନାବେଳେ ଏହି ପଞ୍ଚମହାଭୂତଙ୍କ ଚରିତ୍ର - ପରିକଳ୍ପନା ଗଡ଼ନାୟକଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିଛି, କିନ୍ତୁ ଗଡ଼ନାୟକଙ୍କ କବିତାରେ ଏକମାତ୍ର ‘ମାଟି’ ହିଁ ନାରୀ ଚରିତ୍ର, ବ୍ୟୋମ, ସୂର୍ଯ୍ୟ, ଚନ୍ଦ୍ର ମେଘ ଓ ପବନ ପୁରୁଷ ରୂପେ ପରିକଳ୍ପିତ । ଗଡ଼ନାୟକଙ୍କ ମାଟି ନମ୍ରତା ଓ ସହିଷ୍ଣୁତାର ପ୍ରତୀକ ଭାବେ ଗୃହୀତ ।

 

ରବୀନ୍ଦ୍ରନାଥ ମର୍ତ୍ତ୍ୟପ୍ରୀତିର କବି । ତାଙ୍କର ‘ସ୍ଵର୍ଗ ହଇତେ ବିଦାୟ’, ‘ବସୁନ୍ଧରା’ ଓ ‘ପୃଥିବୀ’ ଆଦି କବିତାକୁ ଏ ପ୍ରସଙ୍ଗରେ ସ୍ମରଣ କରାଯାଇପାରେ, ‘ମାଟି’ କବିତା ପ୍ରସଙ୍ଗରେ ଏ କବିତାଚୟର ସ୍ମୃତି ପ୍ରାସଙ୍ଗିକ ମନେହୁଏ । ‘ସ୍ଵର୍ଗ ହଇତେ ବିଦାୟ’ରେ ରବୀନ୍ଦ୍ର କହିଛନ୍ତି -

 

ଥାକୋ ସ୍ୱର୍ଗ ହାସ୍ୟମୁଖେ କରୋ ସୁଧା ପାନ

ଦେବଗଣ ! ସ୍ଵର୍ଗ ତୋମାଦେର ସୁଖ ସ୍ଥାନ

ମୋରା ପରବାସୀ ! ମର୍ତ୍ତ୍ୟଭୂମି ସ୍ଵର୍ଗ ନହେ

ସେ ଯେ ମାତୃଭୂମି-ତାଇ ତାର ଚକ୍ଷେ ବହେ

ଅଶ୍ରୁ ଜଳଧାରା, ଯଦି ଦୁ ଦିନେର ପରେ

କେହ ତାରେ ଛେଡ଼େ ଯାୟ ଦୁଦଣ୍ଡେର ପରେ

ସ୍ଵର୍ଗେ ତବ ବହୁତ ଅମୃତ

ମର୍ତ୍ତ୍ୟେ ଥାକ ସୁଖେ ଦୁଃଖେ ଅନନ୍ତ ମିଶ୍ରିତ

ପ୍ରେମଧାରା ଅଶ୍ରୁଜଳେ ଚିରଶ୍ୟାମ କଲ

ଭୂତଳେର ସ୍ୱର୍ଗ ଖଣ୍ଡ ଗୁଲି ।

 

‘ପୃଥିବୀ’ କବିତାରେ ରବୀନ୍ଦ୍ରନାଥ ଲେଖିଛନ୍ତି-

ମହାବୀର୍ଯ୍ୟବତୀ ତୁମି ବୀରଭୋଗ୍ୟା

ବିପରୀତ ତୁମି ଲଳିତ କଠୋର

ମିଶ୍ରିତ ତୁମାର ପ୍ରକୃତି ପୁରୁଷ ନାରୀତେ

ମାନୁଷର ଜୀବନ ଦୋଳାୟିତ କର ତୁମି ଦୁଃସହ ଦ୍ଵଳେ

ଡାନ ହାତେ ପୂର୍ଣ୍ଣ କର ସୁଧା

ବାମହାତେ ଚୂର୍ଣ୍ଣ କର ପାତ୍ର

ତୋମାର ଲୀଳାକ୍ଷେତ୍ର ମୁଖରିତ କର ଅଟ୍ଟବିଦ୍ରୂପେ

 

କିନ୍ତୁ ‘ମାଟି’ କବିତା ପ୍ରସଙ୍ଗରେ ରବୀନ୍ଦ୍ରଙ୍କ ‘ଦେବତାର ଗ୍ରାସ’ କବିତାର ଏହି ପଙ୍‌କ୍ତିଚୟ ଏକାନ୍ତ ସ୍ମରଣୀୟ ।

 

ହେ ମାଟି ହେ ସ୍ନେହମୟୀ, ଅୟି ମୌନ ମୂକ

ଅୟି ସ୍ଥିର ଅୟି ଧ୍ରୁବ ଅୟି ପୁରାତନ

ସର୍ବ ଉପଦ୍ରବ ସହ ଆନନ୍ଦ ଭବନ ।

 

ମୃତ୍ତିକାଭିତ୍ତିକ ଅନ୍ୟ ଏକ ଗଡ଼ନାୟକୀୟ କବିତା ହେଉଛି ‘ଅୟିପୃଥ୍ଵୀ’ ଭାଗବତର କଥାବସ୍ତୁକୁ ନେଇ ଏ କବିତାର ପରିକଳ୍ପନା । ଏଥିରେ ରାଧାମୋହନ ଲେଖିଛନ୍ତି-

 

ତୁମେ ତେବେ ଠିଆ ହେଲ ଧରି ଏକ କାମଧେନୁ ମୂର୍ତ୍ତି

ଶୁଣାଇଲ ସ୍ନେହସିକ୍ତ ଆଶ୍ଵାସ ବଚନ

ହେ ରାଜନ

କର ମୋତେ କର ହେ ଦୋହନ

ମନୁ ହେଲେ ବତ୍ସତରୀ, ଦୋଗ୍‌‌ଧା ହେଲେ ପୃଥୁ

ସ୍ରବିଲା ଦୁଗ୍‌ଧର ଧାର/ଶସ୍ୟର ସମ୍ଭାର

କମ୍ରଶିରୀ ଘେନି ପୁଣି ଉଦ୍ଭାସିଲା ବିବର୍ଣ୍ଠ ସଂସାର

 

ଏ କବିତା ପଢ଼ିବାବେଳେ ରବୀନ୍ଦ୍ରଙ୍କ ‘ବସୁନ୍ଧରା’ କବିତା ସ୍ମରଣୀୟ ହୋଇଉଠେ । ରବୀନ୍ଦ୍ର ଲେଖିଛନ୍ତି –

 

ଦାଣ୍ଡାୟେ ରହିଛ ତୁମି ଶ୍ୟାମ କଳ୍ପଧେନୁ

ତୋମାରେ ସହସ୍ର ଦିକେ କରିଛେ ଦୋହନ

ତରୁ ଲତା ପଶୁପକ୍ଷୀ କତ ଅଗଣନ

ତୃଷିତ ପରାଣୀମତ, ଆନନ୍ଦେର ରସ

କତୋ ରୂପେ ହୟେନ୍ଥେ ବର୍ଷଣ, ଦିଗ୍‌ ଦଶ

ଧ୍ଵନିଛେ କଲ୍ଲୋଳ ଗୀତେ ।

 

‘ମାଟି’ ପରି ଗଡ଼ନାୟକଙ୍କ ‘ମେଘ’ ସମ୍ପର୍କୀୟ କବିତାବଳୀର ପଶ୍ଚାତରେ ରବୀନ୍ଦ୍ର ପ୍ରେରଣା ଅନ୍ୱେଷଣ କରାଯାଇପାରେ । ଗଡ଼ନାୟକଙ୍କ ‘ଆଷାଢ଼ମେଘ’, ‘ତନ୍ମୟୀବର୍ଷା’, ‘ମୁଁ ଦେଖୁଛି ଆଷାଢ଼ର ସ୍ଵପ୍ନ’ ଓ ‘ମୌସୁମୀ’ କବିତା ଏ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ । ରବୀନ୍ଦ୍ରନାଥ ତାଙ୍କର ‘ମେଘଦୂତ’ କବିତାରେ ଲେଖିଛନ୍ତି -

 

କବିବର କବେ କୋନ୍ ବିସ୍ମୃତ ବରଷେ

କୋନ୍ ପୁଣ୍ୟ ଆଷାଢ଼େର ପ୍ରଥମ ଦିବସେ

ଲିଖେଛିଲ ମେଘଦୂତ ମେଘମନ୍ଦ୍ର ଶ୍ଳୋକ

ବିଶ୍ଵେର ବିରହୀ ଯତ ସକଳେର ଶୋକ

ରାଖିଆଛେ ଆପନ ଆଁଧାର ସ୍ତରେ ସ୍ତରେ

ସଘନ ସଙ୍ଗୀତ ମାଝେ ପୁଞ୍ଜୀଭୂତ କରେ ।

 

‘ଆଷାଢ଼ ମେଘ’ରେ ପ୍ରେମ ଓ ପ୍ରକୃତିର ଆଲେଖ୍ୟ ଭିତରେ ରହି କାଳିଦାସଙ୍କ ଏହି ମେଘଦୂତର ଯକ୍ଷର ସ୍ମୃତି । ମେଘଦୂତ ପ୍ରେମର ଏକ ଆର୍କିଟାଇପରେ ପରିଣତ ହୋଇଛି । ରାଧାମୋହନ ଲେଖିଛନ୍ତି-

 

ଯକ୍ଷର କି ଲୋତକ ଧାର

ବକ୍ଷଭରା ବେଦନା ଭାର

ନେଉଚ ଆଜି ଅଳକାପୁରେ ତୁମେ

ଯକ୍ଷବଧୂ କକ୍ଷେ ମିଳି

ଅର୍ପି ପ୍ରିୟ ସଜଳ ଶିରୀ

ବିରହୀ ହିତ ସାଧିବ ବୋଲି ଶୁଭେ

 

‘କୁହୁକିନୀ’ କବିତାରେ ରବୀନ୍ଦ୍ରନାଥ ଲେଖିଛନ୍ତି –

 

ଯେନ କେ ବସିୟା ଆଛେ ବିଶ୍ଵେର ବକ୍ଷେର କାଛେ

ଯେନ କୋନ ସରଳା ସୁନ୍ଦରୀ

ଯେନ ସେହି ରୂପବତୀ ସଙ୍ଗୀତେର ସରସ୍ଵତୀ

ସମ୍ମୋହନ ବୀଣା କରେ ଧରି

 

ରାଧାମୋହନ ତାଙ୍କର ‘ତନ୍ମୟୀବର୍ଷା’ କବିତାର ଏହାର ସ୍ଵର ଓ ଛନ୍ଦକୁ ଧରି ରଖିଛନ୍ତି । ଯେପରି-

 

କିଏ ତୁମେ ପ୍ରେମମୟୀ ନବୀନ ପୀରତି ବହି

କିଏ ତୁମେ ସରଗର ବାଳା ଗୋ

କାହାର ଆବେଶେ ରସି ଆକାଶ ଆସନେ ବସି

ଢାଳିଦିଅ ଦରଦର ଧାରା ଗୋ ।

 

କବି ରବୀନ୍ଦ୍ରନାଥ ‘ବୈଶାଖ’କୁ ସନ୍ନ୍ୟାସୀ ବୋଲି କହିଛନ୍ତି । ରାଧାମୋହନ ତାଙ୍କର ‘ମୁଁ ଦେଖୁଛି ଆଷାଢ଼ର ସ୍ୱପ୍ନ’ରେ ଲେଖିଛନ୍ତି –

 

ମୁଁ ତ ଆଜି ମାଗୁନି ବସନ୍ତର ଏଇ ଉତ୍ସବ

ଏଇ ସୌନ୍ଦର୍ଯ୍ୟ

ଏଇ ସୌରଭ

ବୈଶାଖର ଖର ନିଃଶ୍ଵାସରେ

ଯାହା କାଲି ପୋଡ଼ିଯିବ, ଜଳିଯିବ

ପିନାକୀର ନୟନାଗ୍ନିରେ ରତିକ୍ଲାନ୍ତ କନ୍ଦର୍ପ ପରି

ଭସ୍ମସାତ୍‌ ହୋଇଯିବ ।

 

ରାଧାମୋହନଙ୍କ ‘ମୌସୁମୀ’ କବିତା ଅନ୍ତରାଳରେ ସେହିପରି ରବୀନ୍ଦ୍ରଙ୍କ ‘ବୈଶାଖ’ ଓ ‘ବର୍ଷାମଙ୍ଗଳ’ ଓ ‘ଝଡ଼’ କବିତାର ପ୍ରେରଣା ଲକ୍ଷ୍ୟ କରାଯାଇପାରେ । ‘ମୌସୁମୀ’ରେ ରାଧାମୋହନ ଲେଖିଛନ୍ତି -

 

ନମ୍ର ନୁହଇ କମ୍ର ନୁହଇ ନୁହଇ ଧୀର

ଉଗ୍ର ମୁଁ ଆଜି ବ୍ୟଗ୍ର ମୁଁ ଆଜି ଅଗ୍ରସର

 

ଏହା ସହିତ ରବୀନ୍ଦ୍ରନାଥଙ୍କ ‘ଝଡ଼’ କବିତାର ଏହି ପଙ୍‌କ୍ତି ଦ୍ୱୟଙ୍କୁ ସ୍ମରଣ କରାଯାଇପାରେ-

 

ଚାବନା ପାଶ୍ଚାତେ ମୋରା ମାନିବ ନା ବନ୍ଧନ କ୍ରନ୍ଦନ ଫେରିବନା ଦିକ

ଗଣିବ ନା ଦିନକ୍ଷଣ କରିବନା ବିତର୍କ ବିଚାର ଉଦ୍ଦାମ ପଥିକ ।

 

ସେହିପରି ଗଡ଼ନାୟକ ଏ କବିତାରେ ଲେଖିଛନ୍ତି-

 

ଡରନି ମତେରେ ଡରନି ମତେରେ ମର୍ତ୍ତ୍ୟଜୀବ

ରୁଦ୍ର ସିନା ଏ ମୂର୍ତ୍ତି ମୋହର ମୁହିଁ ତ ଶିବ

 

‘ଉର୍ବଶୀ’ କବିତାରେ ରବୀନ୍ଦ୍ର ଲେଖିଛନ୍ତି –

 

ଡାନ ହାତେ ସୁଧାପାତ୍ର

ବିଷ ଭାଣ୍ଡ ଲୟେ ବାମ କରେ ।

 

ସେହି ‘ବର୍ଷାମଙ୍ଗଳ’ କବିତାରେ ରବୀନ୍ଦ୍ର ଲେଖିଛନ୍ତି-

 

ଓଇ ଆସେ ଓଇ ଅତି ଭୈରବ ହରଷେ

ଜଳସିଞ୍ଚିତ କ୍ଷିତି ସୌରଭ ରଭସେ

ଘନ ଗୌରବେ ନବଯୌବନା ବରଷା

ଶ୍ୟାମ ଗମ୍ଭୀର ସରସା

ଗୁରୁଗର୍ଜନେ ନୀପମଞ୍ଜରୀ ଶିହରେ

ଶିଖୀ ଦମ୍ପତି କେକା କଲ୍ଲୋଳେ ବିହରେ

ଦିଗ୍‌ବଧୂଚିତ ହରଷ

ଘନ ଗୌରବେ ଆସେ ଉନ୍ମାଦ ବରଷା ।

 

ନାରୀ ସମ୍ପର୍କୀୟ କବିତା ଭାବରେ ଗଡ଼ନାୟକଙ୍କ ‘କାବ୍ୟନାୟିକା’ର ‘ପୂର୍ଣ୍ଣିମାସ୍ପର୍ଶ’ କବିତାରେ ରବୀନ୍ଦ୍ରଙ୍କ ‘ମହୁୟା’ କବିତାବଳୀର ପ୍ରେରଣା ଲକ୍ଷ୍ୟ କରାଯାଇପାରେ । ଗଡ଼ନାୟକ ଲେଖିଛନ୍ତି-

 

ତୁମେ ତ ମୋ ପରିଚିତା ଶୈଶବ ସହୀଗୋ

ପଡ଼ୋଶୀ ବାଳିକା ମୋର ଅନୁରାଗମୟୀ ଗୋ

ମଧୁ ଯଉବନେ ଆଜି

ଜୀବନର ବଧୂ ସାଜି

ଆସିଚ ବାସର ବାସେ ନବ ପ୍ରାଣ ବହି ଗୋ

ଅଭିନବ ବନ୍ଧନେ ଯାଅ ଆଜି ମିଶି ଗୋ

ଜ୍ୟେଷ୍ଠର ଆଜି ଶୁଭ ପୂର୍ଣ୍ଣିମା ନିଶି ଗୋ

 

ରବୀନ୍ଦ୍ର ‘ମାନସ ସୁନ୍ଦରୀ’ କବିତାରେ ଲେଖିଛନ୍ତି-

 

ଛିଲେ ଖେଲାର ସଙ୍ଗିନୀ

ଏ ଖନ ରୟେ ଛ ମୋର ମର୍ମେର ଗେହିନୀ

ଜୀବନେର ଅଧିଷ୍ଠାତ୍ରୀ ଦେବୀ ।

 

ଗଡ଼ନାୟକଙ୍କ ‘ପିଙ୍ଗଳାର ଅଭିସାର’ କବିତା ରବୀନ୍ଦ୍ରଙ୍କ ‘ପତିତା’ କବିତା ଦ୍ଵାରା ଅନୁପ୍ରାଣିତ ହୋଇଛି । ଭାଗବତର କଥାବସ୍ତୁକୁ ନେଇ ଏହା ରଚିତ ହୋଇଥିଲେ ମଧ୍ୟ କବିଙ୍କ ପ୍ରତ୍ୟକ୍ଷ ପ୍ରେରଣା ଯେ ରବୀନ୍ଦ୍ରଙ୍କ ‘ପତିତା’ କବିତା ଏହା ଜଣେ ଗବେଷକଙ୍କ ଉକ୍ତିରୁ ଜଣାଯାଏ । (ଡଃ ନିତ୍ୟାନନ୍ଦ ଶତପଥୀ- ସବୁଜରୁ ସାମ୍ପ୍ରତିକ)

 

ରାଧାମୋହନଙ୍କ କବିତାରେ ଅଛି-

 

ସରଗର ମୁହିଁ ଅମର କନ୍ୟା ମୁହିଁ ନାରୀ ମୁହଁ ଦେବୀ

ପୁଣ୍ୟ ମରତେ ପତିତା ସାଜିଲି ଘୃଣ୍ୟ ଜୀବନ ସେବି

ଅମୃତ ପିଇ ଆସିଥିଲି ଏଥି ହାୟରେ କରିଲି କିସ

ସର୍ପିଣୀ ସମ ସୃଷ୍ଟିର ତଳେ ସୃଜିଲି ବିଷମ ବିଷ ।

 

‘ପ୍ରତିତା’ରେ ରବୀନ୍ଦ୍ରନାଥ ଲେଖିଛନ୍ତି- .

 

ଦେବତାରେ ମୋରେ କେଉତ ଚାଏନି

ନିଏ ଗେଲ ସବେ ମାଟିର ଢେଲା ।

ଦୂର ଦୁର୍ଗମ ମନୋ ବନୋବାସେ

ପାଠାଇଲେ ତାରେ କରିୟା ହେଲା ।

 

ଗଡ଼ନାୟକଙ୍କ ‘ଊର୍ମିଳା’ କବିତାର ସୃଷ୍ଟିପ୍ରେରଣା ଯେ ରବୀନ୍ଦ୍ରଙ୍କ ‘କାବ୍ୟେର ଉପେକ୍ଷିତା’ ପ୍ରବନ୍ଧ ଏଥିରେ ସନ୍ଦେହ ନାହିଁ । କାବ୍ୟେର ଉପେକ୍ଷିତା ପ୍ରବନ୍ଧରେ ରବୀନ୍ଦ୍ରନାଥ ଲେଖିଛନ୍ତି- “କବି (ବାଲ୍ମୀକି) ତାଁହାର କଳ୍ପନା ଉତ୍‌ସେର ଯତ କରୁଣାବାରି ସମସ୍ତଇ କେବଳ ଜନକତନୟାର ପୁଣ୍ୟ ଅଭିଷେକ ନିଃଶେଷ କରିୟାଛେନ । କିନ୍ତୁ ଆର-ଏକଟି ଯେ ମ୍ଳାନମୁଖୀ ଏହିକେର ସର୍ବ ସୁଖ-ବଞ୍ଚିତା ରାଜବଧୂ ସୀତାଦେବୀର ଛାୟାତଲେ ଅବଗୁଣ୍ଠିତା ହଇୟା ଦାଁଡାଇୟା ଆଛେନ, କବି କମଣ୍ଡଳୁ ହଇତେ ଏକବିନ୍ଦୁ ଅଭିଷେକ ବାରି ଓ କେନ ତାହାର ଚିରହଦୁଃଖାଭିପ୍ତେ ନମ୍ର ଲଲାଟେ ସିଞ୍ଚିତ ହେଇଲ ନା ? ହାୟ ଅବ୍ୟକ୍ତ ବେଦନା ଦେବୀ ଉର୍ମିଳା, ତୁମି ପ୍ରତ୍ୟୁଷେର ତାରାର ମତୋ ମହାକାବ୍ୟେର ସୁମେରୁ ଶିଖରେ ଏକବାରମାତ୍ର ଉଦିତ ହଇୟାଛିଲେ, ତାର ଘରେ ଅରୁଣାଲୋକେ ଆଉ ତୋମାକେ ଦେଖା ଗେଲନା । କୋଥାୟ ତୋମାର ଉଦୟାଚଳ, କୋଥାୟ ତୋମାର ଅସ୍ତଶିଖରୀ, ତାହା ପ୍ରଶ୍ନ କରିତେଓ ସକଲେ ବିସ୍ମୃତ ହଇଲ ।’’ ଏହି ଦୃଷ୍ଟିଭଙ୍ଗିର ବିସ୍ତୃତି ଭିତରୁ ଯେ ଗଡ଼ନାୟକଙ୍କ ‘ଊର୍ମିଳା’ କବିତା ଜନ୍ମ ପରିଗ୍ରହ କରିଛି- ଏହା ନିର୍ବିବାଦରେ କୁହାଯାଇପାରେ । ରାଧାମୋହନ ଉର୍ମିଳାଙ୍କୁ ଅର୍ଘ୍ୟ ଦେଇ ଲେଖିଛନ୍ତି -

 

ପୀୟୁଷ ସମାନ            ବିଶ୍ୱପାବନ

ପୁଣ୍ୟ ଜୀବନ ତୁମରି

ବିଶ୍ୱଭୁବନ ଧନ୍ୟ ହୁଅଇ

ଅନ୍ତର ତଳେ ସୁମରି

ସାରାଜୀବନ ଗୋ            ତୁମେ ବିରହିଣୀ

ସାରା ଜୀବନ ଗୋ ତୁମେ ପ୍ରଣୟିନୀ

ସାରା ବିଶ୍ୱର ସ୍ମୃତି ଅମ୍ବରେ

ଧ୍ରୁବ ତାରା ତୁମେ ଅମରି ।

 

ଏହି ଚେତନାର ବିସ୍ତୃତିରେ ଗଡ଼ନାୟକ ବହୁ ଉପେକ୍ଷିତ ଚରିତ୍ରଙ୍କୁ ଆଲୋକାୟିତ କରିଛନ୍ତି ।

 

ଗଡ଼ନାୟକଙ୍କ ଦଳିତଚେତନା ସମ୍ବଳିତ କବିତା ‘ଶବରୀ’ ଭାବସତ୍ତା ଦୃଷ୍ଟିରୁ ରବୀନ୍ଦ୍ରଙ୍କ ‘ବ୍ରାହ୍ମଣ’ କବିତା ସହିତ ତୁଳନୀୟ । ‘ବ୍ରାହ୍ମଣ’ କବିତାରେ ଅଛି ସତ୍ୟକାମ ଜାବାଳ ପ୍ରସଙ୍ଗ । ବ୍ରହ୍ମବିଦ୍ୟା ଶିକ୍ଷାରେ ଯେ କେବଳ ବ୍ରାହ୍ମଣର ଅଧିକାର ଅଛି, ଏ ପରମ୍ପରା ଭୁଲ ପ୍ରମାଣିତ ହୋଇଛି-। ଋଷି ଗୌତମ ଗୋତ୍ରହୀନ ସତ୍ୟକାମକୁ ଶିଷ୍ୟ ଭାବେ ଗ୍ରହଣ କରିଛନ୍ତି ।

 

ଉଠିଲା ଗୌତମ ଋଷି ଛାତିୟା ଆସନ

ବାହୁ ମେଲି, ବାଲକେରେ କରି ଆଲିଙ୍ଗନ

କହିଲେନ ଅବ୍ରାହ୍ମଣ କହ ତୁମି ତାତ

ତୁମି ଦ୍ୱିଜୋତ୍ତମ ତୁମି ସତ୍ୟକୁଳ ଜାତ ।

 

ଏକ ସମଧର୍ମୀ ପରିବେଶରେ ମତଙ୍ଗମୁନି ଶବରୀକୁ ମଧ୍ୟ ଶିଷ୍ୟା ଭାବରେ ଗ୍ରହଣ କରି ନେଇଛନ୍ତି । ଗଡ଼ନାୟକଙ୍କ ଭାଷାରେ-

 

“ମରମ ପରଶି ସେଇ ଦୁଇପଦ ଶୁଣି

ଚିତ୍ତ ଗହନେ ଚିନ୍ତିଲେ ମହାମୁନି

ଆଖିର ପଲକେ କି ଭାବେ ହୋଇଲେ ଭୋର

ବୁକୁତଳେ ତାରେ ଉଚ୍ଛ୍ୱାସେ ନେଲେ ତୋଳି

ଆର୍ଯ୍ୟବାଳା ତୁ ଶିଷ୍ୟା ତୁହିଲୋ ମୋର ।”

 

ରାଧାମୋହନଙ୍କ ‘ବିଚିତ୍ରା’ କବିତା ରବୀନ୍ଦ୍ରଙ୍କ ‘ଚିତ୍ରା’ କବିତାର ଅନୁପ୍ରେରଣାରେ ରଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରବୀନ୍ଦ୍ର ଲେଖିଛନ୍ତି-

 

ଜଗତରେ ମାଝେ କତ ବିଚିତ୍ର ତୁମି ହେ

ତୁମି ବିଚିତ୍ର ରୂପିଣୀ

ଅୟୁତ ଆଲୋକେ ଝଲସିଛ ନୀଳ ଗଗନେ

ଆକୁଳ ପୁଲକେ ଉଲସିଛ ଫୁଲ କାନନେ

ଦ୍ୟୁଲୋକେ ଭୂଲୋକେ ବିଲସିଛ ଚଳ ଚରଣେ

ତୁମି ଚଞ୍ଚଳ ଗାମିନୀ ।

 

‘ବିଚିତ୍ରା’ରେ ରାଧାମୋହନ ଲେଖିଛନ୍ତି-

 

ସ୍ୱପ୍ନମୟୀ ହେ ମୋର ସଙ୍ଗିନୀ

ଜୀବନର ଅଭିସାର ପଥେ

ତୁମେ ମୋର ବିଚିତ୍ର ରଙ୍ଗଣୀ

ସାରା ବିଶ୍ୱ ମଗ୍ନ ଯେବେ ତନ୍ଦ୍ରାର ଆବେଶେ

ଧରୀ ଦେଶେ

ତୁମେ ତେବେ ସ୍ୱପ୍ନେ ଆସ

ରଚି ତବ ବିଚିତ୍ର ବିଳାସ ।

 

‘କାବ୍ୟ ନାୟିକା’, ‘ଅର୍ଘ୍ୟ’ ବିଭାଗ ବିଶେଷ ଭାବେ ରବୀନ୍ଦ୍ରାନୁପ୍ରାଣିତ । ଏହାର ପରିକଳ୍ପନା ପଛରେ ରବୀନ୍ଦ୍ରଙ୍କ ବିଶ୍ଵବିଶ୍ରୁତ ସୃଷ୍ଟି ‘ଗୀତାଞ୍ଜଳି’ ହିଁ କ୍ରିୟାଶୀଳ ।

 

‘ଗୀତାଞ୍ଜଳି’ରେ ରବୀନ୍ଦ୍ରନାଥ ଲେଖିଛନ୍ତି-

 

ବିପଦେ ମୋରେ ରକ୍ଷାକର ନ ନହେ ମୋର ପ୍ରାର୍ଥନା

ବିପଦେ ଆମି ନା ଯେନ କରି ଭୟ

ଦୁଃଖ ତାପେ ବ୍ୟଥିତ ଚିତ୍ତେ ନାଇବା ଦିଲେ ସାନ୍ତ୍ୱନା

ଦୁଃଖ ଯେନ କରିତେ ପାରି ଜୟ

ଆମାରେ ତୁମି କରିବେ ତ୍ରାଣ ନ ନିହେ ମୋର ପ୍ରାର୍ଥନା

ତରିତେ ପାରି ଶକତି ଯେନ ରହ

 

‘ଅର୍ଘ୍ୟ’ରେ ରାଧାମୋହନଙ୍କ ସ୍ଵର ଦ୍ରଷ୍ଟବ୍ୟ

 

ହାତ ଯୋଡ଼ି ଆଉ ମାଗିବି ନାହିଁ ମୁଁ ତୁମରି କରୁଣା ପାଇଁ

ଯୋଗ୍ୟ ହେଲେ ମୁଁ ତୁମ ଦାନ ସିନା ଯାଚି ଦେଇ ଯିବ ସାଇଁ

ତୁମରି ଦୁଆରେ ଅବିରତେ କିଆଁ

ଲାଜ ସଂକୋଚେ ହେବି ଭଲା ଠିଆ

ଘୃଣାଭରେ କିଆଁ ଭ୍ରୂକୁଟୀ ରଚିବ ମୋହର ଦୀନ ତା ଚାହିଁ

 

କିମ୍ବା

 

ଅମର ଏ ଜୀବନେ ଅତୁଳ ଏ ଭୁବନେ ମୋହର ନାହିଁ ଅଭିଯୋଗ

ଦୁଃଖ ଅବା ସୁଖ ପ୍ରିୟ ହେ ଆସୁ ଯାହା ସକଳ ମୋତେ ଉପଭୋଗ ।

 

ରବୀନ୍ଦ୍ରନାଥ ତାଙ୍କ ଗୀତାଞ୍ଜଳିର ବିଭିନ୍ନ କବିତାରେ ନରନାରାୟଣ ଚେତନା ପ୍ରକାଶ କରିଛନ୍ତି । ଅପମାନିତ, ଧୂଲାମନ୍ଦିର, ଦୀନେର ସଙ୍ଗୀ ଆଦି କବିତା ଏ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ । ରବୀନ୍ଦ୍ର ଲେଖିଛନ୍ତି -

 

(୧)ଶତେକ ଶତାବ୍ଦୀ ଧରେ ନାମେ ଶିରେ ଅସମାନ ଭାର

ମାନୁଷେର ନାରାୟଣେ ତବୁ ଓ କରନା ନମସ୍କାର

ତବୁ ନତ କରି ଆଁଖି

ଦେଖିବାରେ ଯାଓନା କି

ନେମେଛେ ଧୂଲାର ତଲେ ହୀନ ପତିତେର ଭଗବାନ

ଅପମାନ ହତେ ହବେ ସେଥା ତୋରେ ସବାର ସମାନ (ଅପମାନିତ)

 

(୨)ତିନି ତୋଛେନ୍‌ ଯେଥାୟ ମାଟି ଭେଙ୍ଗେ କରେଛେ ଚାଷା ଚାଷ

ପାଥେର ଭେଙ୍ଗେ କାଟଛେ ଯେଥାୟ ପଥ, ପାଟଛେ ବାରୋମାସ

ରାଖୋରେ ଧ୍ୟାନ ଥାକ୍‌ରେ ଫୁଲେର ଡାଲି

ଛିଁଡୁକ ବସ୍ତ୍ର ଲାଗୁକ୍‌ ଧୂଲା ବାଲି

କର୍ମଯୋଗେ ତାଁର ସାଥେ ଏକ ହୟେ ଧର୍ମ ପଡ଼ୁକ ଝରେ ।

 

(୩)ଭଜନ, ପୂଜନ, ସାଧନ ଆରାଧନ ସମସ୍ତ ଥାକ୍‌ ପଡ଼େ

ରୁଦ୍ଧ ଦ୍ଵାରେ ଦେବାଲୟେରେ କୋଣେ କେନ୍‍ ଆଛିସ୍‌ଓରେ

ଅନ୍ଧକାରେ ଲୁକିୟେ ଆପନ ମନେ

କାହାରେ ତୁଇ ପୂଜିସ୍‌ ସଂକୋପନେ

ନୟନ ମେଲେ ଦେଖ୍‌ ଦେଖି ତୁଇ ଚେୟେ ଦେବତା ନାଇ ଘରେ

 

ଗଡ଼ନାୟକ ଏହିସବୁ ଭାବଧାରା ଦ୍ଵାରା ଅନୁପ୍ରାଣିତ ହୋଇ ଲେଖିଛନ୍ତି-

 

ଲାଂଛିତ ଏ ଯେ ନର ନାରାୟଣ ଦେଉଳ ବାହାରେ ଠିଆ

ଅନ୍ଧ ପୂଜାରି ଦେଉଳ କବାଟ ବନ୍ଦ କରିଚ କିଆଁ

ତରଳାଇ ଦିଅ ପରାଣ ତୁମର ପେଷଣ କରକା ସରି

ବଞ୍ଚିତ ଏ ଯେ ନରନାରାୟଣ ମନ୍ଦିରେ ନିଅ ବରି

 

ଯଥାର୍ଥରେ ‘ଦୀନେର ସଙ୍ଗୀ’ କବିତାରେ ରବୀନ୍ଦ୍ର ଲେଖିଛନ୍ତି –

 

ଯେଥାୟ ଥାକେ ସବାର ଅଧମ ଦୀନେର ହତେ ଦୀନ

ସେଇଖାନେ ଯେ ଚରଣ ତୋମାର ରାଜେ

ସବାର ପିଛେ ସବାର ନୀଚେ ସବ ହାରାଦେର ମାଝେ ।

 

ଏହା ରବୀନ୍ଦ୍ରନାଥଙ୍କ ଈଶ୍ୱରଚେତନାର ନୂତନ ଦୃଷ୍ଟିକୋଣ ଯାହା ଗଡ଼ନାୟକଙ୍କୁ ଅନୁପ୍ରାଣିତ କରିଛି ।

 

ସେହିପରି ରବୀନ୍ଦ୍ରନାଥ ‘ଗୀତାଞ୍ଜଳି’ ରେ ଲେଖିଛନ୍ତି-

 

ଆଜି ଝଡ଼ର ରାତେ ତୋମାର ଅଭିସାର

ପରାଣ ସଖା ବନ୍ଧୁ ହେ ଆମାର

 

ଗଡ଼ନାୟକ ଲେଖିଛନ୍ତି-

ବଜର ବିଜୁଳି ମାରି ଜଳଧର ଡରାଇବ ତୁମେ ଯେତିକି

ଚାତକିନୀ ମୁହିଁ ତବ ପାଦ ତଳେ ଉଡ଼ି ବୁଲୁଥିବି ତେତିକି

ଜୁଆର ଉଠାଇ ଯେତେ ଠେଲିଦେବ ହେ ମୋର ପରାଣ ସିନ୍ଧୁ

ତଟିନୀ ମୁଁ ତେତେ ଚରଣେ ଲୋଟିବି ହଟିବି ନାହିଁ ତ ବିନ୍ଦୁ ।

 

ରବୀନ୍ଦ୍ରଙ୍କ ‘ଭାରତତୀର୍ଥ’ କବିତାର ପ୍ରଭାବ ପଡ଼ିଛି ଗଡ଼ନାୟକଙ୍କ କବିତାରେ । ରବୀନ୍ଦ୍ର ଲେଖିଛନ୍ତି-

 

ଏସୋ ହେ ଆର୍ଯ୍ୟ ଏସୋ ଅନାର୍ଯ୍ୟ ହିନ୍ଦୁ ମୁସଲମାନ୍‌

ଏସୋ ଏସୋ ଆଜ ତୁମି ଇଂରୋଜ ଏସୋ ଏସା ଖ୍ରୀଷ୍ଟାନ୍‌

ଏସୋ ବ୍ରାହ୍ମଣ ଖୁଚି କରି ମନ ଧରୋ ହାତ ସବ୍ୟକାର

ଏସୋ ହେ ପତିତ କର ଅପନିତ ସବୁ ଅପମାନ୍‌ ଭାର

 

ଗଡ଼ନାୟକ ଲେଖିଛନ୍ତି-

ହିନ୍ଦୁ ପୂଜଇ ମନ୍ଦିର କୋଳେ ବସି

ବୌଦ୍ଧ ମାଗଇ ଚରଣେ ତୁମର ହିଂସାର ଉଚ୍ଛେଦ

ଚରଚେ ପ୍ରେମର ସଙ୍ଗୀତ ଗାଇ ଅରଚେ ଖ୍ରୀଷ୍ଟିୟାନ୍‌

ମସ୍‌ଜିଦ୍‌ କୋଳେ ଗମ୍ଭୀର ରୋଳେ ଡାକଇ ମୁସଲମାନ

କାହାର ପୂଜା କି ଅଧିକ ତୁମର ପ୍ରିୟ

କାହାର ପୂଜା କି ଏକାନ୍ତ କମନୀୟ

 

‘ଉର୍ବଶୀ’ ରବୀନ୍ଦ୍ରନାଥଙ୍କ ମହାନ୍‌ କବିତାମାନଙ୍କ ମଧ୍ୟରେ ଅନ୍ୟତମ । ଏ କବିତାର ଅମୃତ ପଦସଞ୍ଚାର କାହାର ବା ମନୋହରଣ ନ କରେ ?

 

ବୃନ୍ତହୀନ ପୁଷ୍ପ ସମ ଆପନାତେ ଆପନି ବିକଶି

କବେ ତୁମି ଫୁଟିଲେ ଉର୍ବଶୀ ।

ଆଦିମ ବସନ୍ତ ପ୍ରାତେ ଉଠେଛିଲେ ମନ୍ଥିତ ସାଗରେ

ଡାନ ହାତେ ସୁଧାପାତ୍ର ବିଷଭାଣ୍ଡ ଲୟେ ବାମ କରେ

ତରଙ୍ଗିତ ମହାସିନ୍ଧୁ ମନ୍ତ୍ର ଶାନ୍ତ ଭୁଜଙ୍ଗେର ମତେ ।

ପଡ଼େଛିଲ ପଦ ପ୍ରାନ୍ତେ ଉଚ୍ଛ୍ୱସିତ ଫଣା ଲକ୍ଷ ଶତ

କରି ଅବନତ

କୁନ୍ଦ ଶୁଭ୍ର ନଗ୍ନକାନ୍ତ ସୁରେନ୍ଦ୍ର ବନ୍ଦିତା

ତୁମି ଅନିନ୍ଦିତା ।

 

ପରେ ବିଷ୍ଣୁ ଦେ ମଧ୍ୟ ‘ଉର୍ବଶୀ ଓ ଆଟେମିସ୍‌’ ନାମକ କବିତା ଲେଖିଥିଲେ । ରାଧାମୋହନ ରବୀନ୍ଦ୍ରଙ୍କ ପ୍ରେରଣାରେ ଏକ ‘ଉର୍ବଶୀ’ କବିତା ଲେଖିଥିବା ପରିଦୃଷ୍ଟ ହୁଏ । ସାମ୍ୟ ଓ ବୈଷମ୍ୟରେ ତୁଳନା କରି ଦେଖିଲେ ଗଡ଼ନାୟକଙ୍କ ‘ଉର୍ବଶୀ’ ହୀନକଳ୍ପ ନୁହେଁ । ରବୀନ୍ଦ୍ର ଓ ବିଷ୍ଣୁଦେବଙ୍କ ଉର୍ବଶୀଠାରୁ ରାଧାମୋହନଙ୍କ ଉର୍ବଶୀ ଅଧିକ ଦୀପ୍ତିମୟୀ ବୋଲି ଗଡ଼ନାୟକ ଗବେଷକ ଡକ୍ଟର ଅଜୟ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି ।

 

ରାଧାମୋହନ କେବଳ ଯେ ରବୀନ୍ଦ୍ରଙ୍କ ବଙ୍ଗଳା କବିତା ଦ୍ୱାରା ପ୍ରଭାବିତ ହୋଇଛନ୍ତି ତାହା ନୁହେଁ ରବିନ୍ଦ୍ରଙ୍କର ଏକ ଇଂରାଜୀ କବିତାର ପ୍ରତ୍ୟକ୍ଷ ପ୍ରଭାବ ମଧ୍ୟ ପରିଦୃଷ୍ଟ ହୁଏ । ରାଧାମୋହନଙ୍କ ‘ରଇଦାସ’ (ଶାମୁକାର ସ୍ଵପ୍ନ) କବିତାଟି ୧୯୪୦ରେ Modern Review ପତ୍ରିକାରେ ପ୍ରକାଶିତ ଏକ ଇଂରାଜୀ କବିତାର ପ୍ରାୟ ଅନୁବାଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ରବୀନ୍ଦ୍ରନାଥ ଲେଖଛନ୍ତି-

 

Master Ramananda was

walking to the temple

after his morning bath

When Raidas bowed himself

down before him

from a distance

 

ରାଧାମୋହନ ଲେଖିଛନ୍ତି -

ସ୍ନାନ ସାରି ଭକ୍ତ ରାମାନନ୍ଦ ସ୍ମିତ ମୁଖ ପ୍ରସନ୍ନ ନୟନ

ଯାଉଥିଲେ ମନ୍ଦିର ପଥରେ ମନ୍ତ୍ର ସ୍ତୁତି କରି ଉଚ୍ଚାରଣ

ପଥ ପ୍ରାନ୍ତେ କିଏ ଆସି ତହିଁ ସମାର୍ଜନୀ ଭୂଇଁ ତଳେ ଥୋଇ

ହୃଦୟର ପ୍ରଣତି ଢାଳିଲା ବିନୟରେ ଅବନତ ହୋଇ

 

‘ରଇଦାସ’ କବିତାଟି ପୂର୍ଣ୍ଣତଃ ରବୀନ୍ଦ୍ର କବିତାର ଅନୁଭୂତି ।

 

ଗଡ଼ନାୟକ କବିତାର ଭାବବୋଧ କେବଳ ରବୀନ୍ଦ୍ରାନୁସାରୀ ନୁହେଁ, ଶିଳ୍ପବୋଧ ଦୃଷ୍ଟିରୁ ମଧ୍ୟ ସେ ରବୀନ୍ଦ୍ରଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଓଡ଼ିଆ ସାହିତ୍ୟରେ ଗଡ଼ନାୟକ ଗାଥାକବିତାର ଯଶସ୍ୱୀ ସ୍ରଷ୍ଟା, ଶ୍ରେଷ୍ଠ ସାଧକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପ୍ରସଙ୍ଗରେ ଡକ୍ଟର ମାୟାଧର ମାନସିଂହ ଲେଖିଛନ୍ତି, ‘‘ଓଡ଼ିଶା ଓ ଭାରତ ଇତିହାସର ବହୁ ଅଜ୍ଞାତ ଘଟଣା, ଗଡ଼ନାୟକଙ୍କ ଲେଖନୀ ପ୍ରସାଦରୁ ପ୍ରେରଣାଦାୟୀ କାବ୍ୟଗୌରବ ପାଇ ପାରିଛନ୍ତି । ସେସବୁ ପଢ଼ିବାବେଳେ ରବୀନ୍ଦ୍ରନାଥଙ୍କ ‘କଥା ଓ କାହାଣୀ’ ବରାବର ମନକୁ ଆସିଯାଇଥାଏ । (ମାନସିଂହ ଗ୍ରନ୍ଥାବଳୀ- ୪ର୍ଥ- ପୃଷ୍ଠା- ୩୨୦ ରବୀନ୍ଦ୍ର କାବ୍ୟଚେତନାର ଏହି ସୀମିତ ପ୍ରବୃତ୍ତିଟିକୁ ଗଡ଼ନାୟକ ବହୁତ ବେଶି ବଢ଼ାଇ ଦେଇଛନ୍ତି ।

 

ଗାଥାକବିତା ପରେ ଅନ୍ୟ ଯେଉଁ ବିଷୟଟି ପାଇଁ ଗଡ଼ନାୟକ ଓଡ଼ିଆ ସାହିତ୍ୟରେ ଯଶସ୍ୱୀ ତାହା ହେଉଛି ତାଙ୍କର ଛନ୍ଦଚେତନା । ସେ ଛନ୍ଦଧୁରନ୍ଧର କବି । ମାନସିଂହଙ୍କ ଭାଷାରେ ‘‘Though no degree holder Gadnayak is surprisingly erudite in Sanskrit, Oriya and Bengali. He is also well acquinted with English. He is now considered the greatest metericist in Oriya Literature.’’ ଗଡ଼ନାୟକଙ୍କ ଛନ୍ଦ ହିଁ ସବିଶେଷ ବିବେଚ୍ୟ । ଏହି ଛନ୍ଦ ସର୍ବ ପ୍ରଥମେ ରବୀନ୍ଦ୍ରନାଥଙ୍କ ‘ମାନସୀ’ କାବ୍ୟଗ୍ରନ୍ଥରେ ସୃଷ୍ଟିଲାଭ କରିଥିଲା । ଓଡ଼ିଶାର ପ୍ରାଚୀନ କବିମାନେ ପ୍ରତ୍ୟେକ ଅକ୍ଷରକୁ ଏକ ମାତ୍ରା ଭାବେ ଗ୍ରହଣ କରି ଦୁଇଟି ଚରଣରେ ଅକ୍ଷର ସାମ୍ୟ ପ୍ରତି ଧ୍ୟାନନିବିଷ୍ଟ ହୋଇ କବିତା ଲେଖିଥିଲେ । ପଦ୍ୟରଚନାର ରୀତି ଥିଲା- ଅକ୍ଷର ଗଣିବ ହସ୍ତରେ ତେବେ ସେ ଲେଖିବ ପତରେ । ଏହା ହେଉଛି ଅକ୍ଷରମାତ୍ରିକ ଛନ୍ଦ । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହାର ପ୍ରଚଳନ ଥିଲା । ସଂସ୍କୃତକୁ ଅନୁସରଣ କରି ପୁଣି ବୈଷ୍ଣବ ପଦାବଳୀର ପ୍ରଭାବରେ ମାତ୍ରାବୃତ୍ତି ଓ ଗୁରୁଲଘୁ ନିୟମାନୁସାରୀ ପଦ୍ୟରଚନା ରୀତି ଅବଶ୍ୟ କେତେକ କବି ଅନୁସରଣ କରୁଥିଲେ । କିନ୍ତୁ ଓଡ଼ିଆ ସାହିତ୍ୟରେ ତାହା ଥିଲା ବ୍ୟତିକ୍ରମ । ଦେବଦୁର୍ଲଭ ଦାସ, ଚାନ୍ଦକବି, ଗୋପାଳକୃଷ୍ଣଙ୍କ ରଚନାରେ ଏହାର ପରିଚୟ ମିଳେ । ବିଂଶଶତାବ୍ଦୀର ପ୍ରଥମ କୋଡ଼ିଏ ବର୍ଷ ଭିତରେ ମଧୁସୂଦନ, ଗଙ୍ଗାଧର, ଗୋପୀନାଥ ନନ୍ଦ, ଲକ୍ଷ୍ମୀକାନ୍ତ, ନନ୍ଦକିଶୋର, ପଦ୍ମ ଚରଣ ପ୍ରମୁଖ କବି ଅକ୍ଷରବୃତ୍ତ ସହିତ ସ୍ଥାନେ ସ୍ଥାନେ ମାତ୍ରା ବୃତ୍ତିର ପ୍ରୟୋଗ ପରୀକ୍ଷା କରିଛନ୍ତି । ଡକ୍ଟର ନଟବର ସାମନ୍ତରାୟ ଲକ୍ଷ୍ମୀକାନ୍ତଙ୍କ ‘ଶାନ୍ତି ଧାମ ବାସୀ’ (୧୯୦୯) କବିତାକୁ ପ୍ରଥମ ମାତ୍ରାବୃତ୍ତଛନ୍ଦର କବିତା ବୋଲି କହିଛନ୍ତି । ମାତ୍ର ରବୀନ୍ଦ୍ର ପ୍ରଭାବରେ ସବୁଜ କବିମାନେ ହିଁ ଏ ଛନ୍ଦ ବ୍ୟାପକ ଭାବେ ପ୍ରୟୋଗ କଲେ । ଏହି ମାତ୍ରାବୃତ୍ତ ଛନ୍ଦ ଯଥାର୍ଥତଃ ଯୁକ୍ତାକ୍ଷରିକ ଛନ୍ଦ, ଯୁକ୍ତାକ୍ଷରକୁ ଏଥିରେ ଦ୍ୱିମାତ୍ରିକ ଭାବେ ଗ୍ରହଣ କରାଯାଏ । ଓଡ଼ିଆ ପରମ୍ପରା ଦୃଷ୍ଟିରୁ ଏହା ସବିଶେଷ ଗ୍ରହଣୀୟ ନ ହେଲେ ହେଁ ଓଡ଼ିଆରେ ସାମ୍ପ୍ରତିକ ସାହିତ୍ୟରେ ଏହା ଏକ ପ୍ରତିଷ୍ଠିତ ଛନ୍ଦ । ରାଧାମୋହନ ଗଡ଼ନାୟକ ଏହି ଛନ୍ଦର ଶ୍ରେଷ୍ଠସାଧକ । ରାଧାମୋହନଙ୍କ ଅନୂଦିତ ମେଘଦୂତରେ ଏହି । ଛନ୍ଦର ବିଚିତ୍ର ଓ ଛବିଳ ପ୍ରୟୋଗ ଅନନ୍ୟ ସାଧାରଣ । ଏହାର ଏକ ଦୃଷ୍ଟାନ୍ତ ଚୂପେ ଏହି ପଦଟିକୁ ନିଆଯାଇପାରେ ।

 

ଲକ୍ଷ୍ୟହରା ସେ ଯକ୍ଷ ଯୁବକ

ବରଷକ ଲାଗି ପ୍ରଭୁର ଶାପେ

ଗତଗୌରବ ହତ ବୈଭବ

ମୁଗ୍‌ଧ ବଧିର ବିରହ ତାପେ

ବାସ କଲା ଆସି ବିରସ ଭରେ

ରାମଗିରି ବନ ଆଶ୍ରମରେ

ଜନକ ସୁତାର ସ୍ନାହାନେ ଯହିଁ ପୁଣ୍ୟଜଳ

ନ ମେରୁ ତରୁର ଛାୟାରେ ସଦା ସ୍ନିଗ୍‌ଧ ଢଳ

(ମେଘଦୂତ)

 

ରବୀନ୍ଦ୍ରଙ୍କ ପ୍ରସିନ୍ଧ ଜନଗଣମନ ‘ଜାତୀୟ ସଂଗୀତର ଗୁରୁଲଘୁ ଛନ୍ଦ ଆଦର୍ଶରେ ଗଡ଼ନାୟକ ତାଙ୍କର ପ୍ରସିଦ୍ଧ ‘ଜୟଗାନ୍ଧି’ କବିତା ଲେଖିଛନ୍ତି-

 

ବଂଚିତ ଲାଞ୍ଛିତ ବିଦଳିତ ମାନବ ଜାତିର ଜାଗୃତି ଲାଗି ।

ବିଶ୍ଵ ଧରାତଳ କରି ଉଦ୍‌ବେଳିତ ବିଦ୍ରୋହୀ ଅଛ ଜାଗି

ପ୍ରାଣେ ପ୍ରାଣେ ଦେଇଚି ମୁକ୍ତି ପିଆସା

ମର୍ମେ ମର୍ମେ ଦେଇଚ ନଳିତ ଆଶା

କଣ୍ଠେ କଣ୍ଠେ ଦେଇଚ ନିର୍ଭୟ ଭାଷା

ଜୟ ଗାନ୍ଧି ଜୟ ଗାନ୍ଧି

ମୋହିତ ଜଗତର ଘେନ ସମାଜର ହୃଦୟର ଲୋହିତ ନାନ୍ଦୀ ।

 

ରାଧାମୋହନ ଥିଲେ ବହୁପାଠୀ ବିଦଗ୍ଧ କବି । ସେ ରବୀନ୍ଦ୍ର ସାହିତ୍ୟର ଗଭୀର ଅନୁଶୀଳନ କରିଥିଲେ । ରବୀନ୍ଦ୍ରଙ୍କୁ ମୁଗ୍‌ଧଭାବେ ଗ୍ରହଣ କରିଥିଲେ, ଏକ ସାରସ୍ଵତ ଉତ୍ତରାଧିକାରୀଭାବେ ସେ ରବୀନ୍ଦ୍ର ସାହିତ୍ୟର ସାର୍ଥକ ଉପଯୋଗ କରିଛନ୍ତି । ରାଧାମୋହନ କିନ୍ତୁ ପ୍ରଭାବ ଅପେକ୍ଷା ମୌଳିକତା ସମ୍ପର୍କରେ ଅଧିକ ସଚେତନ । ତେଣୁ ରବୀନ୍ଦ୍ରଙ୍କୁ ଗ୍ରହଣ କଲାବେଳେ ସେ ଆଦୌ ଆତ୍ମସଚେତନତାକୁ ବିସ୍ମୃତ ହୋଇନାହାନ୍ତି । ସର୍ବତ୍ର ନିଜର ସ୍ଵକୀୟତାକୁ ରକ୍ଷା କରିଛନ୍ତି । ସେଇ ଦୃଷ୍ଟିରୁ ସେ ଆମର ପ୍ରିୟ କବି ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

 

ବରିଷ୍ଠ ପ୍ରାଧ୍ୟାପକ

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ

ଅନୁଗୋଳ,

 

***

 

Unknown

ସ୍ମରଣୀୟ ସାନ୍ନିଧ୍ୟ

ରବୀନ୍ଦ୍ର କୁମାର ପ୍ରହରାଜ

 

ଯେତେଦୂର ମନେପଡ଼େ, ହାଇସ୍କୁଲର ଛାତ୍ରାବସ୍ଥାରେ ମୁଁ କବି ରାଧାମୋହନ ଗଡ଼ନାୟକଙ୍କର କବିତା ପ୍ରଥମେ ପଢ଼ିବାକୁ ପାଇଥିଲି । ଉଭୟ ଭାବ ଓ ଛନ୍ଦ ଥିଲା ଆକର୍ଷଣୀୟ । ‘ସ୍ମରଣିକା’ରେ ସଂକଳିତ ‘ସ୍ମୃତିରଫଳକ’ କବିତାଟିର ଶେଷପଂକ୍ତି ‘ବିଶ୍ୱର କଲ୍ୟାଣ ଆଶେ ମରଣ ଯେ କରଇ ବରଣ/ମର ଏ ମରତ ପଥେ ସେଇ ଏକା ଲଭଇ ଜୀବନ ।’ ମୋର ସ୍ମରଣରେ ସେହିଦିନୁ ରହିଗଲା ଏହାପରେ କଲେଜରେ ପଢ଼ିଲି ‘ମାଟି’ କବିତା । ବିଧାତାଙ୍କ ପ୍ରଶ୍ନ ତୁମର କି ନାହିଁ କିଛି ଭିକ୍ଷା ?’ର ସେହି ଉତ୍ତର ‘ତବ ଇଚ୍ଛା ସେହି ମୋର ଦୀକ୍ଷା’ ଭିତରେ ପ୍ରକଟିତ ସ୍ଵୟଂସଂବେଦ୍ୟ ବିନମ୍ରତା ଓ ଫଳସ୍ୱରୂପ ଲବ୍‌ଧ ଅନନ୍ୟ ଐଶ୍ୱର୍ଯ୍ୟବତ୍ତା ମୋତେ ଆଚ୍ଛନ୍ନ କରିଥିଲା । ଖ୍ରୀଷ୍ଟକଲେଜର ଛାତ୍ର ଥିଲାବେଳେ ଶୁଣିଥିଲି ସେଠାରେ ତାଙ୍କର ଛାତ୍ରତ୍ୱର କଥା । ବୋଧହୁଏ, ୧୯୫୭ ବା ୫୮ର କୌଣସି ଏକ ସାହିତ୍ୟ ସନ୍ଧ୍ୟାରେ କଟକ ଶ୍ରୀରାମଚନ୍ଦ୍ର ଭବନ ହଲ୍‌ରେ ଆଗରେ ସେ ବସିଥିଲାବେଳେ କେହି ଜଣେ ବନ୍ଧୁ ମୋତେ ତାଙ୍କୁ ଚିହ୍ନାଇ ଦେଇଥିଲେ । ଚଷମାପିନ୍ଧା ମୁହିଁଟିର ପଛପଟର ଅବିନ୍ୟସ୍ତ କେଶରାଶି ମାତ୍ର ମୁଁ ଦେଖିଥିଲି । ଏହାପରେ ତାଙ୍କୁ ଚିହ୍ନିବାରେ ମୋର ସେପରି କିଛି ଅସୁବିଧା ହେବାର ପ୍ରାୟ ନ ଥିଲା ।

 

୧୯୬୪ ଜାନୁୟାରୀ ପହିଲାରୁ ରେଭେନ୍‌ସା ସାନ୍ଧ୍ୟ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କଲି । ସେଠାରେ ଅବସ୍ଥାପିତ ଥିଲି ୧୯୭୦ ପର୍ଯ୍ୟନ୍ତ । ସେହି ସମୟାବଧିରେ ଓଡ଼ିଶାର ତତ୍କାଳୀନ ଅନନ୍ୟ କାବ୍ୟ ସାଧକମାନଙ୍କ ସମେତ କବି ଗଡ଼ନାୟକଙ୍କ ଆଚାର ଆଚରଣ ସଂପର୍କରେ କିଛି କିଛି ଶୁଣିବାକୁ ପାଇଲି । ତାଙ୍କର ବହୁପାଠିତା ଓ ବନ୍ଧୁବତ୍ସଳତାଦି ସୁଗୁଣର ବେଶ୍‌ ଚର୍ଚ୍ଚା ହେଉଥିଲା । ସେଦିନ କିଛି ବିଶେଷ ପ୍ରୟୋଜନବଶତଃ ଦିନବେଳା ଆମ ସାଧାରଣ ବିଶ୍ରାମ କକ୍ଷକୁ ପ୍ରବେଶ କଲାମାତ୍ରେ ବାମପଟେ ତାଙ୍କୁ ଅଧ୍ୟାପକ ଗୌରୀକୁମାର ବ୍ରହ୍ମାଙ୍କ ସହ ଉଷ୍ଣ ସାହିତ୍ୟିକ ଆଲୋଚନାରେ ବ୍ୟାପୃତ ଥିବାର ଦେଖିଲି । ଉଭୟଙ୍କୁ ନମ୍ର ପ୍ରଣତି ଜଣାଇଲି । କବି ଗଡ଼ନାୟକ ଆଖି ତରାଟି ମୋତେ ଚାହିଁଲେ ମାତ୍ର । ଆଲୋଚନା ଖଣ୍ଡିତ ହେଲା ନାହିଁ । ଆଜି ମୂଳ ପ୍ରସଙ୍ଗଟିକୁ ଅନୁମାନରେ ଆଣି ଭାବୁଛି ସେତେବେଳେ ସାହିତ୍ୟିକ ମହଲରେ ହଇଚଇ ସୃଷ୍ଟି କରିଥିବା ଡ. କୃଷ୍ଣଚରଣ ବେହେରାଙ୍କର ‘ବେଦି’ ଗଳ୍ପ ନିହିତ ତଥାକଥିତ ଅଶ୍ଳୀଳତାରୁ ଆରମ୍ଭ ହୋଇ ତାହା ଯାଇ ପହଞ୍ଚିଥାଏ ଗଙ୍ଗାଧର ମେହେରଙ୍କ ଏକ କାବ୍ୟାଭିବ୍ୟକ୍ତିରେ । କବି ଗଡ଼ନାୟକ କ୍ଷିପ୍ତ ହୋଇ କହୁଥାଆନ୍ତି, ‘ତାଙ୍କ କ୍ଷେତ୍ରେ କଲେ ରାଜର୍ଷିପ୍ରବର ଅମୋଘ ତେଜଃ କ୍ଷେପଣ’ ଅପ୍‌ସରା ମେନକାଙ୍କ ଗର୍ଭରୁ ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳାଙ୍କ ଜନ୍ମସୂଚିତ । ଏହା କ’ଣ ଶ୍ଳୀଳ-? ବ୍ରହ୍ମା କହିଲେ, ‘ବୁଝିଲେ, ଓଡ଼ିଶାରେ ଯେଉଁ ଅଳ୍ପ କେତେଜଣ ମେହେର ସାହିତ୍ୟର ମର୍ମଜ୍ଞ ସମୀକ୍ଷକ ଅଛନ୍ତି, ମୁଁ ସେମାନଙ୍କ ମଧ୍ୟରେ ଜଣେ, ଏ ସଂପର୍କରେ ମୁଁ ଆଲୋଚନା କରିଛି, ଦେଖିବେ କବି କିନ୍ତୁ ସ୍ଵମତରେ ଥିଲେ ଅଟଳ । ‘ଏହା ଅନ୍ୟ ଭାବରେ ପ୍ରକାଶ କରାଯାଇ ପାରିଥାଆନ୍ତା, ମେହେରଙ୍କୁ କ’ଣ ଶବ୍ଦ ମିଳୁ ନ ଥିଲା ନା ଭାବପ୍ରକାଶନରେ ସେ ଦୁର୍ବଳ ଥିଲେ ? ଏମିତି ସିଧାସଳଖ ଏ କ୍ରିୟାଟିକୁ ପ୍ରକାଶ କରିବା କ’ଣ ସମୀଚୀନ ।’ ଏତିକିବେଳେ ଘଣ୍ଟା ବାଜିବାରୁ ଅଧ୍ୟାପକ ବ୍ରହ୍ମା ‘ମୋର ଏମ୍‌.ଏ. ଷଷ୍ଠବର୍ଷରେ କ୍କାସ୍‌ ଅଛି’ କହି ଉଠିବାରୁ ସେ ବିତର୍କର ସେଇଠି ଅନ୍ତଃ ଘଟିଲା । ମୁଁ ମୋର ବ୍ୟାପାର ଅନୁସରଣ କରି ସେଠାରୁ ଅପସରି ଗଲି । କବିଙ୍କ ସହ ଆଳାପର ସୁଯୋଗ ମିଳିଲା ନାହିଁ ।

 

ମୋର ପତ୍ନୀ ୧୯୭୮ରେ ଅନୁଗୁଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଯାଜପୁରରୁ ବଦଳି ହୋଇ ଯିବା ପରେ ମୁଁ ମଧ୍ୟ ସେଠା ସରକାରୀ ମହାବିଦ୍ୟାଳୟରେ ଯାଇ ଯୋଗଦେଲି ଆମେ ଆଗପଛ ହୋଇ ଅନୁଗୁଳରେ ଅବସ୍ଥାପିତ ହେବାର ଅଳ୍ପଦିନ ପରେ ପତ୍ନୀଙ୍କୁ ଏକ ବିଚିତ୍ରାନୁଷ୍ଠାନ କରିବାକୁ ହେଲା । ପ୍ରଧାନ ଉପଲକ୍ଷ ଥିଲା ଗୋପବନ୍ଧୁ ଶତବାର୍ଷିକ ପାଳନ କରିବା । ତାଙ୍କ ଅନୁରୋଧରେ ମୁଁ ଏକ ସମବେତ ସଂଗୀତ ଲେଖି ତାକୁ ସ୍ଵରାବଦ୍ଧ କଲି ହାର୍ମୋନିୟମ୍‌ ମାଧ୍ୟମରେ । ଗୀତ-ନୃତ୍ୟ-କାବ୍ୟ କ୍ଷେତ୍ରରେ ତତ୍‍କାଳୀନ ଅନୁଗୁଳରେ କେହି ସେପରି ସାହାଯ୍ୟକାରୀ ବୃତ୍ତିଧାରୀ ମିଳୁ ନଥିଲେ । ଜଣେ ଅଦକ୍ଷ, ଗଂଜାସେବୀ ଦୁର୍ବଳକାୟ ବାଦକ ଜୁଟିବାରୁ ତାଙ୍କୁ ଧରି ସମବେତ ସଂଗୀତଟିକୁ କିଶୋରୀଛାତ୍ରୀମାନଙ୍କ ଦ୍ଵାରା ଅଭ୍ୟାସିତ କରାଇ ମୁଁ ପରିବେଷଣ କରାଇଲି । ସଙ୍ଗୀତଟିର ମୁଖଡ଼ାଟି ରବୀନ୍ଦ୍ରନାଥଙ୍କ ଜଣାଶୁଣା ଗୀତିକବିତାରୁ ନେଇ ମୁଁ ଲେଖିଥିଲି, ‘‘ଏଇ ଭାରତରେ ମହାମାନବର ସାଗରତୀରେ/ଏଇ ଭାରତର ଦୀପ୍ତ ଗଗନ ସୀମାର ପାରେ/ଆଲୋକର ଶିଖା ଜଳିଥିଲା ପୁଣି/ ଜଳିଥିଲା ଶତବର୍ଷ ଦଳେ/ସୁପ୍ତଜାତିର ପରାଧୀନତାର ଦୁଃଖ କାଳେ/’’ ଇତ୍ୟାଦି । ସଂପୂର୍ଣ୍ଣ ଗୀତଟି ୧୯୯୦ରେ ପ୍ରକାଶିତ ମୋର ‘ଐକତାନିକା’ ପୁସ୍ତକରେ ସଂକଳିତ ହୋଇଛି ।

 

ସେ ଯାହାହେଉ, ଉତ୍ସବଟିର ପ୍ରଥମ କାର୍ଯ୍ୟକ୍ରମ ଥିଲା ସମବେତ ସଙ୍ଗୀତ । ହାର୍‌ମୋନିୟମ୍‌ ଧରି ମୁଁ ପ୍ରସ୍ତୁତ ପିଲାଏ ଘେରି ବସିଥାନ୍ତି । ଆଗରେ ଦର୍ଶକ ଧାଡ଼ିରେ ଅନୁଗୁଳର ପ୍ରାୟ ସମସ୍ତ ଶିଷ୍ଟ ବିଶିଷ୍ଟ ସୁଧୀବୃନ୍ଦଙ୍କ ଗହଣରେ ବିରାଜମାନ ଥାଆନ୍ତି କବି ଗଡ଼ନାୟକ । ପରଦା ଉଠିବ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସବୁ ଶିକ୍ଷୟିତ୍ରୀ ବିଳମ୍ବନ ଯୋଗୁଁ କ୍ଷୁବ୍‌ଧ ବିବ୍ରତ । ମାତ୍ର ଦେଖା ନ ଥାଏ ସେହି ଅପଟୁ ବାଦ୍ୟକାରଙ୍କର । ୧୫ ମିନିଟ୍‌ ପରେ ସେ ପାଖ ବସ୍‌ଷ୍ଟାଣ୍ଡରୁ ଧରା ହୋଇ ଆସିବାରୁ ମୁଁ ନିହାତି ତରବରିଆ ଭାବରେ ଯଥାସମ୍ଭବ ସଂକ୍ଷିପ୍ତ ସୂଚନା ଡାକବାଜୀରେ ଦେବାକୁ ଯାଇ ନିହାତି ଆବଶ୍ୟକ ସୂଚନାଟି ଦେଇପାରିଲି ନାହିଁ । ପରିବେଷଣ ସୁସ୍ପଷ୍ଟ ଓ ଆଶାନୁରୂପ ପ୍ରାୟ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ମୁଁ କବିଙ୍କ ନିକଟକୁ ଯାଇ ପ୍ରଣତି ନିବେଦନ କଲି । ସେ ମୋର ପରିଚୟ ଆଗରୁ ପାଇଥିଲେ ବୋଲି ମୋର ମନେ ହେଲା । କାରଣ ତାଙ୍କର ପ୍ରଥମ ପ୍ରଶ୍ନ ବେଶ୍‌ ଉଷ୍ମାଜଡ଼ିତ ଓ ଶାଣିତ ଥିଲା ମୋ ପ୍ରତି । ‘‘କୋରସ୍‌ଟିର କିଏ ରଚୟିତା ?’’ ‘‘ଆଜ୍ଞା, ମୁଁ’’ । ‘‘ଘୋଷଣା କଲେ ନାହିଁ କାହିଁକି ?’’ ଏମିତି କ’ଣ ହୁଏ ?’’ ତରବରରେ ଭୁଲିଗଲି ।’’ ‘ଏଇତ ଆପଣମାନଙ୍କ ଦୋଷ’... ମୁଁ ମଥାପାତି ନୀରବ ରହିଲି । ତେବେ ମୋ ଲେଖାଟି କବି ରାଧାମୋହନ ଗଡ଼ନାୟକଙ୍କର ସୁଦୃଷ୍ଟି ଆକର୍ଷଣ କରିଛି ଏତିକିରେ ମୋର ଶ୍ରମ ସାର୍ଥକ ହେବାର ଅନୁଭବଟି ମୋର ଅଭୁଲା ରହିଗଲା ।

 

ଏହାପରେ ଅନୁଗୁଳରେ ଅନୁଷ୍ଠିତ ସଭା- ସମିତିରେ ଉଦ୍‌ବୋଧନ ବା ଭାଷଣ ଦେବାର ପାଳି ମୋ ଉପରେ ଅଜାଡ଼ି ହେବାରେ ଲାଗିଲା । ଅନୁଗୁଳର ଅନ୍ୟ ଜଣେ ପ୍ରମୁଖ ମୁଣ୍ଡିଆଳ ଥିଲେ ଖଦଡ଼ ପରିହିତ, ‘ସମାଜ’ର ମୁଖପାତ୍ର, ସର୍ବୈବ ଶୁକ୍ଳକେଶ ଦୀନବନ୍ଧୁ ତ୍ରିପାଠୀ । ଅନୁଗୁଳ ‘ସଭାଘରେ’ ମୁଁ କବି ଗଡ଼ନାୟକ ଓ ଦୀନବନ୍ଧୁ ବାବୁଙ୍କୁ ଅଗ୍ରାସୀନ ଥିବାର ଦେଖିଥିଲି ଏବଂ ଉଭୟ ଥିଲେ ମୋ ବକ୍ତବ୍ୟର ସୋଚ୍ଚାର ପ୍ରଶଂସକ । ସେଇଠି ଆମର ଅନେକ ସୁଖଦୁଃଖ ହେବା ଚଳୁଥିଲା-। ଏତିକି ଜାଣୁଥିଲି ଯେ କବି ମୋ ପ୍ରତି ସ୍ନେହଶୀଳ ଥିଲେ ।

 

ଶୁଣିଥିଲି, ଜାଣି ନଥିଲି ଯେ କବିଙ୍କର ଥିଲା ମଧ୍ୟ ଏକ ଅଗ୍ନିଶର୍ମା ରୂପ । ଆଜି ମନେ ପଡ଼ୁନାହିଁ । ଭୁଲ୍‌ଟି ରହିଥିଲା କେଉଁଠି ! କିନ୍ତୁ ଏତିକି ମନେ ପଡ଼ୁଛି, ଅନୁଗୁଳ କଲେଜରେ ଏକ ଗୁରୁତ୍ଵସଂପନ୍ନ ଉତ୍ସବକୁ କବିଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା । ଯୋଗାଯୋଗରେ କିଛି ତ୍ରୁଟି ରହିଗଲା, ଯାହା ଫଳରେ ସେ ଅନୁଗୁଳ- ଆବାସରେ ଉପସ୍ଥିତ ଥାଇ କଲେଜକୁ ନ ଆସି ମୋ ପାଖକୁ ‘ପ୍ରହରାଜ ମହାଶୟ’ ସମ୍ବୋଧନ କରି ଚିଠିଟିଏ ପଠାଇଦେଲେ । ମୁଁ ସଙ୍ଗେ ସଙ୍ଗେ ତାଙ୍କ ଆବାସକୁ ଯାଇ ତାଙ୍କୁ ମିନତି ସହ ଯେତେ ଡାକିଲେ ମଧ୍ୟ ରୁକୁଣା ରଥ ବାହୁଡ଼ିଲା ନାହିଁ । ବୁଝିଲି, ସେ ଥିଲେ ଏକାନ୍ତ ସ୍ପର୍ଶକାତର କବିପ୍ରାଣ । ଥରେ ସେ ମନ ଛାଡ଼ିଗଲେ ଆଉ ଯୋଡ଼ି ହେବା ସମ୍ଭବ ନ ଥିଲା । କିନ୍ତୁ ଆଶ୍ୱସ୍ତ ଥିଲି ଯେ ମୋ ପ୍ରତି ତାଙ୍କର ବ୍ୟକ୍ତିଗତ ଶ୍ରଦ୍ଧାକୁ ଏ ପରିସ୍ଥିତି ଊଣା କରିପାରି ନଥିଲା ।

 

ସେହି ଅନୁଗୁଳରେ ଯାବତୀୟ ପାଠ ଓ ପାଠବହିର୍ଭୁତ (ନାଟ୍ୟସଂସଦ, ପତ୍ରିକା ସମ୍ପାଦନ, ଭୋଜନ କେନ୍ଦ୍ର ପରିଚାଳନା ଆଦି) କଲେଜୀୟ ବ୍ୟାପାରରେ ବ୍ୟାପୃତ ଥିବା ଅବସ୍ଥାରେ ମୁଁ ଆରମ୍ଭିଲି ମୋର ପିଏଚ୍‍.ଡି. ଗବେଷଣା । ବିଷୟ - ‘‘ଓଡ଼ିଆ ଗାଥାକାବ୍ୟ ।’’ ଓଡ଼ିଆ ଆଧୁନିକ ଗାଥା- କବିତାର ଅନନ୍ୟ ସୃଜନକାର ରାଧାମୋହନଙ୍କ ଦ୍ୱାରସ୍ଥ ହେବା ମୋର ଥିଲା ଅନ୍ୟତମ ପ୍ରଧାନ କର୍ତ୍ତବ୍ୟ । ସେ ସୃଜନକର୍ମନିରତ ଥିବା ସଙ୍ଗେ ସଙ୍ଗେ ଦିନ ଦିନ ଧରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବିଶେଷତଃ କଟକ ଭୁବନେଶ୍ଵରରେ ସମୟ କଟାଉଥିବାରୁ କେତେ ଥର ଯାଇ ତାଙ୍କ ଦ୍ଵାରରୁ ନିରାଶରେ ଫେରିବା ପରେ ଶେଷରେ ଦିନେ ଭେଟି ପ୍ରୟୋଜନ ନିବେଦିଲି । ମୋର ପ୍ରୟୋଜନ ଥିଲା ଏପରି କିଛି ବହି, ଯାହା ଗାଥା ତତ୍ତ୍ୱ ବୁଝିବାର ମୋତେ ସାହାଯ୍ୟ କରିବ । ସେ ପ୍ରତିଶ୍ରୁତ ହେଲେ ।

 

ତାଙ୍କର ଅନୁଗୁଳ ଆବାସରେ ସେ ବହି ନଥିଲା, ଥିଲା କଲଣ୍ଡାପାଳରେ, ତାଙ୍କ ଗାଆଁରେ-। ପୁଣି କେତେ ଥର ସାକ୍ଷାତ କରିବା ପରେ ଦିନଟିଏ ଧାର୍ଯ୍ୟ ହେଲା । ସେ ଏସ୍‌. ଡ଼ି. ଏ.ଙ୍କଠାରୁ ଜିପ୍‌ଟିଏ ପାଇବା ପରେ ଆମେ ଉତ୍ତୀର୍ଣ୍ଣ ମଧ୍ୟାହ୍ନରେ କଲଣ୍ଡାପାଳ ଯାତ୍ରା କଲୁ । କବିଙ୍କର ଗାଆଁ ଘର ଥିଲା ସାଧାରଣ କଚାଘରଟିଏ । ଭିତର ପଟେ ଥିଲା ଏକ ହଲ୍‌ ଭଳି ଘର । ଘରଟି ଭିତରେ ଥାକ ସମ୍ବଳିତ ବାଉଁଶ ଭାଡ଼ିମାନଙ୍କରେ ଅଲଗା ଅଲଗା ଜାଗାରେ ତଳ ଉପର ହୋଇ ପତ୍ରିକା ଓ ବହିସବୁ ରଖା ଯାଇଥିଲା । ମୁଁ କାହାକୁ ଆଗ ଦେଖିବି, ଠିକଣା କରି ପାରିଲି ନାହିଁ । ତରତର ହୋଇ ଦେଖିଗଲି । ଅଧିକାଂଶ ଥିଲା ପତ୍ରିକା । କିଛି କିଛି ଉପାଦାନ ପାଇ ନୋଟ୍‌ ଖାତାରେ ଟିପିବାକୁ ଲାଗିଲି । ଏମିତି ବ୍ୟସ୍ତତା ଭିତରେ ଥିଲାବେଳେ କବି ନିଜେ ବହିଟିଏ ଆଣି ମୋତେ ବଢ଼ାଇ ଦେଲେ । ପୃଷ୍ଠା ଓଲଟାଇ ଜାଣିଲି, ଅତି ଉପାଦେୟ ରନଟିଏ ସେଇଟି ଥିଲା ମୋ ପାଇଁ । ଏମ୍‌.ଜେ.ସି. ହଡ଼୍‌ଗାର୍ଟଙ୍କ ଲିଖିତ ‘ଦି ବାଲାଡ଼୍‌ସ୍‌’ । ୨/୩ ଘଣ୍ଟା ଉତ୍ତାରୁ ଆମେ ସେଠାରୁ ପ୍ରତ୍ୟାବର୍ତ୍ତନ କଲୁ । କହିବା ବାହୁଲ୍ୟ, ଉକ୍ତ ପୁସ୍ତକଟି ମୋ ନିବନ୍ଧର ଶେଷ ପରିଚ୍ଛେଦ ପ୍ରସ୍ତୁତିରେ ବିଶେଷ ସହାୟକ ହୋଇଥିଲା । ସେଇଟିକୁ ତାଙ୍କୁ ମୁଁ ଫେରାଇ ପାରି ନ ଥିଲି । ସେ ମଧ୍ୟ ସେଥିପାଇଁ କଟାଳ କରି ନ ଥିଲେ । ବହିଟିରେ ନାମ ଲିଖିତ ହୋଇଥିଲା ‘ଜି.ପି. ମହାନ୍ତି’ ଅର୍ଥାତ୍‌ କବି ଗୁରୁପ୍ରସାଦ ମହାନ୍ତି, ତତ୍‌କାଳୀନ ଇଂରାଜୀ ଅଧ୍ୟାପକ । ସେଇ ବହିଟି ଏ ପର୍ଯ୍ୟନ୍ତ ମୋ ପାଖରେ ରହିଛି । ଏହା ୧୯୭୯ର କଥା ।

 

୧୯୮୦ ମେ ଶେଷ ଭାଗରେ ସାକ୍ଷାତ୍‍କାର ଗତ ପରୀକ୍ଷଣ ଅନ୍ତେ ୪, ଜୁନ, ୧୯୮୦ରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ମୋର ପିଏଚ୍‌.ଡି. ପ୍ରାପ୍ତିର ବିଜ୍ଞପ୍ତି ପ୍ରକାଶ ପାଇଲା । କଟକ ଓ ବ୍ରହ୍ମପୁରର ପୁସ୍ତକ ପ୍ରକାଶକ ‘ପୁସ୍ତକ ଭଣ୍ଡାର’ ମୋ ନିବନ୍ଧ ଗ୍ରନ୍ଥଟି ଛପାଇଲେ ୧୯୮୩ରେ । କଟକସ୍ଥ ‘ପୁସ୍ତକ ଭଣ୍ଡାର’ ବହି ଦୋକାନରେ ସେହି ବର୍ଷ ଭେଟ ହେଲା କବିଙ୍କ ସହ । ଏହା ଭିତରେ ୧୯୮୦ରେ ପତ୍ନୀଙ୍କର ପୁରୀ ବଦଳି ହେବାରୁ ମୁଁ ବାଧ୍ୟ ହୋଇ ଅନୁଗୁଳ ଛାଡ଼ି ଆସିବାର ୩ ବର୍ଷ ବିତିଯାଇଥାଏ । କିନ୍ତୁ ମୁଁ ଆସିବା ପରେ ପରେ ଅନୁଗୁଳ କଲେଜରେ ଓଡ଼ିଆ ଉପାଧ୍ୟୁତ୍ତର ଶ୍ରେଣୀ ଆରମ୍ଭ ହୋଇଥିଲା । ମୁଁ ପୁରୀ ଆସି ମହିଳା କଲେଜରେ କାର୍ଯ୍ୟ କରିବାର ଦୁଇବର୍ଷ ପରେ ନିହାତି ଅପ୍ରତ୍ୟାଶିତ ଭାବରେ ମୋର ବଦଳି ହେଲା ପୁଣି ଅନୁଗୁଳ କଲେଜ । ମୋର ପାରିବାରିକ ପରିସ୍ଥିତି ସେଥିପାଇଁ ଆଦୌ ଅନୁକୂଳ ନ ଥିବାରୁ ମୁଁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ସଦାଶୟ ଗଙ୍ଗାଧର ମହାପାତ୍ରଙ୍କୁ ସକରୁଣ ଆବେଦନ କରି ଭୁବନେଶ୍ଵର ବି.ଜେ.ବି. କଲେଜରେ ଅବସ୍ଥାପିତ ହେଲି । ପରେ ଶିକ୍ଷାମନ୍ତ୍ରୀଙ୍କ ସୂତ୍ରରୁ ଯାହା ଜାଣିଲି, ମୋର ପୁନର୍ବାର ଅନୁଗୁଳ ଅବସ୍ଥାପନ ମୂଳରେ ଥିଲେ କବି ଗଡ଼ନାୟକ । ପି.ଜି. ଶ୍ରେଣୀରେ ଅଧ୍ୟାପନା ଲାଗି ମୋର ଯୋଗ୍ୟତା ସମ୍ବନ୍ଧରେ ସେ ଥିଲେ ସ୍ଥିର ନିଶ୍ଚିତ ତେଣୁ ଏକା ଜିଦ୍‌ କରି ସେ ମୋତେ ସେଠାକୁ ପଠାଇବାକୁ ଏକାନ୍ତ ଦୃଢ଼ ବାଚନିକ ଚାପ ପକାଇଥିଲେ ସଚିବାଳୟରେ ।

 

ଏଥର ସାକ୍ଷାତର କଥା ଆଡ଼କୁ ଆସୁଛି । ମୋ ଉପରେ ତାଙ୍କର ଆଖି ପଡ଼ିବା ମାତ୍ରେ ସେ ରାଗତମତମ ହୋଇ କହିଲେ, ‘‘ମୁଁ ତୁମ ଥିସିସ୍‌ ପଢ଼ିଛି । ତୁମେ କ’ଣ ଭାବିଛ, ଆମେ ଭାଷା ବୁଝିପାରିବୁ ନାହିଁ ?’’ ମୁଁ ହତଭମ୍ବ ହୋଇଗଲି । ମୋ ଅପରାଧ କ’ଣ ହଠାତ୍‌ ବୁଝିପାରିଲି ନାହିଁ, କାରଣ କବି କୃତି ବିଷୟରେ ମୁଁ ଯଥାସାଧ୍ୟ ମୂଲ୍ୟାୟନ କରିଥିଲି ବୋଲି ମୋର ଧାରଣା ଅବିଚଳିତ ଥିଲା । ବୁଝିଲି, ମୁଁ ତାଙ୍କ ଦୃଷ୍ଟିରେ ଦୁଇଟି ଅପରାଧ କରିଥିବା ଦୋଷରେ ଦୁଷ୍ଟ ଥିଲି । ପ୍ରଥମ, ମୁଁ ତାଙ୍କର ଗାଥାକୃତିରେ ଥିବା ତଥ୍ୟଗତ କେତେକ ଭ୍ରମ ନିରୂପଣ କରିବା ସଙ୍ଗେ ସଙ୍ଗେ ଅନ୍ତତଃ ଗୋଟିଏ କବିତା ରବୀନ୍ଦ୍ରନାଥଙ୍କ କବିତାର ଅନୁକୃତି ଥିବାର ସପ୍ରମାଣ ଦର୍ଶାଇଥିଲି । ଦ୍ଵିତୀୟତଃ ଗାଥାରଚନାରେ ତାଙ୍କ ତୁଳନାରେ ଗୋଦାବରୀଶ ମିଶ୍ରଙ୍କୁ କବିତାର ରୀତି ଓ ଅନ୍ତଃସତ୍ତା ପରିପ୍ରେକ୍ଷୀରେ ଶ୍ରେଷ୍ଠତର ବିବେଚନା କରିଥିଲି, ଅବଶ୍ୟ ନିତାନ୍ତ ମୃଦୁସ୍ଵରରେ । ତାଙ୍କର ଯଥାପ୍ରାପ୍ୟ ପ୍ରଶଂସାରେ ମୁଁ ଊଣା କରି ନଥିଲି । ମୋର ଏହି ଉକ୍ତିଟିର ସମୀଚୀନତା ଯେ କେହି ଏବେ ସଯକ୍ତ କରିପାରନ୍ତି । ସେଇଟି ଥିଲା ଗବେଷଣାତ୍ମକ ନିବନ୍ଧ । ଏହାପରେ ସେ ମୋ ପ୍ରତି ଆନ୍ତରିକ ଶ୍ରଦ୍ଧା ପୋଷଣ କରି ନ ଥିଲେ ହେଁ ମୋର ଯୋଗ୍ୟତାରେ ନିଃନ୍ଦିଗ୍‌ଧ ଥିବାର ମୁଁ ଅନୁଭବ କରିଥିଲି । ସେଥିପାଇଁ ତାଙ୍କୁ ଉଦ୍ଦିଷ୍ଟ ଅଧ୍ୟାପକ ପଣ୍ଡିତ ଲଡୁକେଶ୍ଵର ଶତପଥୀଙ୍କ ରଚିତ ସେହି ଚତୁଷ୍ପାଦୀ ଶ୍ଳୋକଟି ବାରମ୍ବାର ମୁଁ ସ୍ମରଣ କରିଥାଏ :
 

‘‘ଦୁପେଶୋଧିପ ଯତୋ ରାଧା

ମୋହ ଯେ ବର୍ଡ଼ସେ ସ୍ଵୟମ୍‌

ଯତ୍ର ଚିତ୍ରଂ ତ୍ୱମସି ଯତ୍‌

ଶଙ୍କରୋଦ୍ଧପି ଭୟଙ୍କରମ୍‌ ॥’’

 

୧୯ସି, ଜୟଦୁର୍ଗାନଗର, ଭୁବନେଶ୍ୱର-୬

 

***

 

ଶବ୍ଦଶିଳ୍ପୀ କବି ରାଧାମୋହନ ଗଡ଼ନାୟକ

ଅଜୟ କୁମାର ମିଶ୍ର

 

‘‘ଶବ୍ଦାର୍ଥୌ ସାହିତୌ କାବ୍ୟମ୍‌’’ ଶବ୍ଦ ଓ ଅର୍ଥର ଯୌଥ କାରିଗରୀରେ ଉକୁଟି ଉଠେ କାବ୍ୟର ବିଭା । ମହାକବି କାଳିଦାସଙ୍କ ଭାଷାରେ ‘ବାଗ୍‌ର୍ଥାବିନ୍‌ ସଂପୃକ୍ତୈ । ବାଗ୍‌ର୍ଥା ପ୍ରତିପତୟେ- ବାକ୍‌ ଓ ଅର୍ଥର ସଂପର୍କ ଅତି ନିବିଡ଼ ପାର୍ବତୀ ଓ ପରମେଶ୍ୱରଙ୍କ ଯୁଗ୍ମ ଏକକ-ମୂର୍ତ୍ତି । ବାଣୀର ଭାବନା ଅର୍ଥମୟ ହେଲେ ରୁଚିରତା ଆସେ । ସେଇ ରୁଚିରତା ପାଇଁ କବିଙ୍କର ଅନ୍ତର୍ଦୃଷ୍ଟିଠାରୁ ତାଙ୍କ ଭାବଦୃଷ୍ଟିକୁ ଅର୍ଥପୂର୍ଣ୍ଣ କରିବାକୁ କବିଙ୍କର ଶବ୍ଦ ସଂଯୋଜନା ରୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶବ୍ଦ ଭିତରେ ଅର୍ଥ, ଅର୍ଥ ଅନ୍ତର୍ନିହିତ ଅର୍ଥ-ସବୁକିଛି ବ୍ୟବସ୍ଥିତ । ମାତ୍ର ଶବ୍ଦଶିଳ୍ପୀ ଭାବରେ କବିଙ୍କ ସଂରଚନାରେ ଶବ୍ଦ ଏହାର ଭାବକଳ୍ପକୁ ଅର୍ଥମୟ କରିବାର ଯୋଜନାଟି ସଂପୂର୍ଣ୍ଣ ଭାବରେ କବିଙ୍କ ନିଜସ୍ଵ କଳାକୃତିର ବ୍ୟାପାର । ସବୁଜ ସମକାଳର ଏକକ ଶିଳ୍ପୀଗଣଙ୍କ ମଧ୍ୟରେ କବି ରାଧାମୋହନ ଗଡ଼ନାୟକ ଥିଲେ ସେଇ ଧରଣର ଜଣେ ୟଶସ୍ୱୀ ଶବ୍ଦଶିଳ୍ପୀ, ଯାହାଙ୍କ ରଚନା ସଂଭାରରେ ଶବ୍ଦ ବସାଣର ଯାଦୁକାରୀ ସ୍ପର୍ଶ ଲକ୍ଷ୍ୟ କରାଯାଇଥାଏ ।

 

ସାହିତ୍ୟ ଭାବପ୍ରଧାନ; ଯେମିତି ଦର୍ଶନ ଚିନ୍ତା ପ୍ରଧାନ ଓ ବିଜ୍ଞାନ ସତ୍ୟ ପ୍ରଧାନ । ସାହିତ୍ୟର ଭାବ ପାଇଁ ଉପଯୁକ୍ତ ଭାଷାର ଆବଶ୍ୟକତା ରହିଛି । ଭାଷା ପାଇଁ ପଦଯୋଜନା ହୋଇଥାଏ । ପଦର ସୃଷ୍ଟି ଶବ୍ଦ ଭିତରୁ ହିଁ ସମ୍ଭବ ହୁଏ । କବିତା କ୍ଷେତ୍ରରେ ମୂଳ ଉପାଦାନ ହେଉଛି ଶବ୍ଦ ଯାହା କବିତାର ସୌକୁମାର୍ଯ୍ୟ ରକ୍ଷା କରେ । ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ଅର୍ଥାନ୍ୱିତ ହୁଏ ଏବଂ ଏହାକୁ ପଦ କୁହାଯାଏ । ପୁଷ୍ପ ସହିତ ମହକର ସମ୍ପର୍କ ଅବିଚ୍ଛେଦ୍ୟ, ସେହିଭଳି ଶବ୍ଦ ସହିତ ଅର୍ଥର ସମ୍ପର୍କ ଅବିଚ୍ଛେଦ୍ୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଆଲୋଚକମାନେ ଶବ୍ଦ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ପ୍ରାଚ୍ୟ ସମାଲୋଚକମାନେ ବିଶେଷ କରି ଶବ୍ଦକୁ କାବ୍ୟର ଶରୀର ବୋଲି କହିବା ସହିତ ଶବ୍ଦକୁ ପରଂବ୍ରହ୍ମ ବିଷ୍ଣୁଙ୍କର ଅଂଶ ବୋଲି ମଧ୍ୟ ପ୍ରତିପାଦିତ କରିଛନ୍ତି ।୧।

 

ପ୍ରତ୍ୟେକ କବି ନିଜ ନିଜର କାବ୍ୟ- କବିତାରେ ଶବ୍ଦସମ୍ଭାରକୁ ନେଇ କେତେକ ଚମତ୍କାରିତା ପ୍ରଦର୍ଶନ କରିଥାଆନ୍ତି । ଶବ୍ଦମାନେ କବିଙ୍କର କୋଠ ସମ୍ପତ୍ତି ନୁହନ୍ତି । ଏମାନେ ବରଂ ଭାଷା ଆକାରରେ ସର୍ବସାଧାରଣଙ୍କର । କିନ୍ତୁ କବି ଏଥିରୁ ନିଜର ରୁଚି ମୁତାବକ କେତେକଙ୍କୁ ଗ୍ରହଣ କରି କବିତା ସୃଷ୍ଟି କରିଥାଆନ୍ତି । ଆଚାର୍ଯ୍ୟ କୁନ୍ତକ ଇତ୍ୟାଦି କେତେକ ପ୍ରାଚ୍ୟ ଆଳଙ୍କାରିକ ମନୋହର, ମନୋଜ୍ଞ ଓ ବର୍ଣ୍ଣାଢ଼୍ୟ ଶବ୍ଦ ଯୋଜନାଦି ସମ୍ପର୍କରେ ଦୃଢ଼ ମତପୋଷଣ କରିଛନ୍ତି ।୨। ଜଣେ ସଂସ୍କୃତ କବିଙ୍କ ଭାଷାରେ - ‘ତୟା ବନିତୟା କିଂ ବା/ତୟା କବିତୟା କିଂ/ପଦବିନ୍ୟାସ ମାତ୍ରେଣ/ ଯୟା ନାପହୃତମ୍‌ ମନଃ’ - ଅର୍ଥାତ୍‌ ପଦବିନ୍ୟାସ ମାତ୍ରେ ଯେ ମନକୁ ହରଣ ନ କରେ, ସେ ବନିତା, ବନିତା ନୁହେଁ, କି ସେ କବିତା, କବିତା ନୁହେଁ ।୩। ଆଳଙ୍କାରିକ ବିଶ୍ଵନାଥ କବିରାଜଙ୍କ ଭାଷାରେ - ‘‘ବାକ୍ୟ ରସାତ୍ମକମ୍‌ କାବ୍ୟମ୍‌’’ ଯଦି କାବ୍ୟର ପ୍ରକୃଷ୍ଟତା ସୂଚାଏ, ତେବେ ବାକ୍ୟର ରସତ୍ମକତା ପାଇଁ ପଦଯୋଗୀ ଓ ପଦଯୋଜନା ପାଇଁ ସ୍ଵତନ୍ତ୍ର ଭାଷାଶିଳ୍ପ କୁହାଯାଇପାରେ । ଏଥିପାଇଁ ଶିଳ୍ପୀର ଉପଯୁକ୍ତ ଶବ୍ଦ ସଂଯୋଜନା ନ ରହିଲେ ଶିଳ୍ପର କାରୁକାର୍ଯ୍ୟରେ କୈବଲ୍ୟ ପରିଦୃଷ୍ଟ ହୋଇଥାଏ । ଏଇ ପରିପ୍ରେକ୍ଷୀରେ କବି ରାଧାମୋହନ ଗଡ଼ନାୟକଙ୍କର ଶବ୍ଦ ସଂଯୋଜନା ଓ ଶବ୍ଦ ଚୟନର ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଇପାରେ ।

 

କବି ଗଡ଼ନାୟକଙ୍କର ଶବ୍ଦ ସଂଯୋଜନା ରୀତିର ବୈଶିଷ୍ଟ୍ୟ ତାଙ୍କର ସମସାମୟିକ କବିଙ୍କ ମଧ୍ୟରେ ତାଙ୍କୁ ଚିହ୍ନା ପକାଇ ଦେଇଥାଏ । ତାଙ୍କର ଶବ୍ଦ ସଂଯୋଜନା ରୀତିରେ ସର୍ବତ୍ର ସାଙ୍ଗୀତିକ ମୂର୍ଚ୍ଛନା ଝଂକୃତ । ଗୀତିକବିତା କବିଙ୍କର ମନର ମୂର୍ଚ୍ଛନା । ଗୀତିଧର୍ମିତା ସହିତ ସାଙ୍ଗୀତିକତାର ସଂଯୋଗ ନ ଘଟିଲେ କାବ୍ୟିକ ସୌନ୍ଦର୍ଯ୍ୟ ଫୁଟେ ନାହିଁ । ଭାବର ଉପଯୁକ୍ତ ପ୍ରକାଶ ଭାଷା ମାଧ୍ୟମରେ ସଂଘଟିତ ହୁଏ; ଏବଂ ଭାବପ୍ରକାଶ ପାଇଁ ଶବ୍ଦ ସଂଯୋଜନାର ନିୟତ ଆନୁପାତିକ ଶୃଙ୍ଖଳା ଆବଶ୍ୟକ । କବି ଗଡ଼ନାୟକଙ୍କ କବିତା ଜଗତରେ ଆଦ୍ୟ ପ୍ରାନ୍ତ ଶୃଙ୍ଖଳା ଆବଶ୍ୟକ । କବି ଗଡ଼ନାୟକଙ୍କର କବିତା ଜଗତରେ ଆଦ୍ୟପ୍ରାନ୍ତ ଶୃଙ୍ଖଳା ରକ୍ଷା ହିଁ ଏକ ବୈଶିଷ୍ଟ୍ୟ ।

 

ଏ ଶୃଙ୍ଖଳା ତାଙ୍କର ଶବ୍ଦ ସଂଯୋଜନା କ୍ଷେତ୍ରରେ ବିଶେଷ ଭାବରେ ପରିଦୃଷ୍ଟ । ଏ ସମ୍ପର୍କରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଉକ୍ତି - ‘‘ତାଙ୍କର ନିର୍ଭୁଲ ପଦଗଣନା ଦେଖି ତାଙ୍କୁ କବିଙ୍କ ମଧ୍ୟରେ ଗାଣିତିକ ଏବଂ ଗାଣିତିକଙ୍କ ମଧ୍ୟରେ କବି ବୋଲି କହିବାକୁ ଇଚ୍ଛା ହୁଏ ।’’ ଏ କଥା ବାସ୍ତବରେ ବେଶ୍‌ ଯଥାର୍ଥ ମନେହୁଏ । ଗଡ଼ନାୟକ ଶବ୍ଦ ଯୋଜନାର ବିଚିତ୍ର ବର୍ଣ୍ଣାଭା ଓ ସରସତା ତାଙ୍କ କବିତାରେ ସର୍ବତ୍ର ପରିଦୃଷ୍ଟ । ଶବ୍ଦର ଅସମ୍ଭବ ଭାବଚେତନା ଗଡ଼ନାୟକୀ ଶବ୍ଦଯାଦୁର ସ୍ଵତନ୍ତ୍ର ବିଶେଷତ୍ଵ । ପ୍ରଥମତଃ ଶବ୍ଦ ବସାଣରେ ତାଙ୍କର ଶୃଙ୍ଖଳା ଓ ଭାବାନୁସାରୀ ଶବ୍ଦଚୟନ ତାଙ୍କ କବିତାରେ ସଙ୍ଗୀତର ଝଙ୍କାର ସୃଷ୍ଟି କରିଛି । ଗଡ଼ନାୟକଙ୍କ କବିତାରେ ସବୁକିଛି ମପାଚୂପା, ସୁବିନ୍ୟସ୍ତ ଆଉ ଏଇଥିପାଇଁ ତାଙ୍କ ଶବ୍ଦ ଯୋଜନାରେ ଚମତ୍କାରିତା ପରିଲକ୍ଷିତ ହୋଇଥାଏ ।

 

ଶବ୍ଦ ଚୟନରେ ସାଙ୍ଗୀତିକ ପ୍ରାଣ ପ୍ରବାହ

ଗୀତିଧର୍ମିତା ଓ ଗାନୋପଯୋଗିତା ଗୀତିକବିତାର ସ୍ୱତନ୍ତ୍ର ଲକ୍ଷଣ । ଆଧୁନିକ କବିତାର ଗଦ୍ୟଧର୍ମିତା ହେତୁ କବିତାରୁ ସଙ୍ଗୀତମୟତା ନିର୍ବାସିତ ହୋଇଛି । ମାତ୍ର କବି ଗଡ଼ନାୟକଙ୍କ ମପାଚୂପା କବିତା ରାଜ୍ୟରେ ସଙ୍ଗୀତମୟ ଭାବ ସ୍ପନ୍ଦନ ଏକ ବ୍ୟତିକ୍ରମ । ସଙ୍ଗୀତର ଗାନ ଯୋଗ୍ୟତା ଭଳି ଗଡ଼ନାୟକୀ କବିତାର ଆବୃତ୍ତିଧର୍ମିତା ହେଉଛି ବିଶେଷ ଭୂଷଣ । ଏ କ୍ଷେତ୍ରରେ ଡଃ ସଦାଶିବ ମିଶ୍ରଙ୍କର ମନ୍ତବ୍ୟ ମୂଲ୍ୟବାନ ମନେହୁଏ । ସେ କହନ୍ତି- ‘‘କବି ଗଡ଼ନାୟକଙ୍କର କବିତା ମୁଁ ଯେତେବେଳେ ପଢ଼ିଛି, ଯେତେ ଥର ପଢ଼ିଛି, ଉପଭୋଗ କରିଛି ଯେପରି ସବୁବେଳେ ନୂତନ । ସେ କବିତା ରସାଳ, ଜୀବନ, ସେଥିରେ ଗଭୀର ଆତ୍ମସଂଯୋଗ ଅଛି । ତାଙ୍କର ଗୀତିକବିତା ଆବୃତ୍ତି କରିବାରେ ମୁଁ ପରମ ଆନନ୍ଦ ଲାଭ କରିଛି । ନଈ ପାଣି ପରି କୁଳୁକୁଳୁ ବହି ଚାଲିଥିବ, କେଉଁଠାରେ ଅଟକିଯିବ ନାହିଁ ତାଙ୍କର ଛନ୍ଦ ସାବଲୀଳ ଓ ଶବ୍ଦ ଅନାବିଳ’’ ।୫। ସୁତରାଂ ଏଇ ସାବଲୀଳତା ହେଉଛି ତାଙ୍କର ବିଶେଷତ୍ୱ ଯାହା ତାଙ୍କ କବିତାକୁ ପଦ୍ୟଧର୍ମୀ ଓ ଗୀତଧର୍ମୀ କରିଛି । ତାଙ୍କ କବିତା ଗୀତ ନୁହେଁ, ଅଥଚ ଏଥିରେ ରହିଛି ଗାନଧର୍ମିତା, ଯାହା କେବଳ ତାଙ୍କର ଉପଯୁକ୍ତ ଶବ୍ଦଚୟନ ଓ ଶବ୍ଦଯୋଜନାର ଶୈଳ୍ପିକ ରୂପାୟନରୁ ସମ୍ଭବ ହୋଇପାରିଛି ।

 

ଗଡ଼ନାୟକୀ କବିତା ସଙ୍ଗୀତ ନୁହେଁ ଅଥଚ ଏହା ମଧ୍ୟରୁ ସାଙ୍ଗୀତିକ ମୂର୍ଚ୍ଛନାର ନିଃସରଣ ଘଟେ । ତାଙ୍କ କବିତାରେ ଶବ୍ଦଶିଳ୍ପର ଅଦ୍ଭୁତ ତଥା ବିଚିତ୍ର ଚାତୁର୍ଯ୍ୟ ପରିଦୃଷ୍ଟ । ‘‘ଫରାସୀ କବି (PAUL VERLAIN)ଙ୍କ ଭାଷାରେ ଗଡ଼ନାୟକଙ୍କୁ କୁହାଯାଇପାରେ-‘‘H paints with words.’’ ବାସ୍ତବରେ ଗଡ଼ନାୟକ ହେଉଛନ୍ତି ଜଣେ ସୁଦକ୍ଷ ଚିତ୍ରକର ।୬। ଜଣେ ଶବ୍ଦଶିଳ୍ପୀ ଭାବରେ ତାଙ୍କ କବିତାରେ ସଙ୍ଗୀତର ରଜୁତା ଧ୍ଵନିତ । ଏହା ତାଙ୍କ କବିତାର ବିଲକ୍ଷଣ ନ ହୋଇ ବରଂ ପାଠକ ଓ କାବ୍ୟମୋଦୀଙ୍କ ହୃଦୟରେ ତାକୁ ବେଶ୍‌ ଅଭିଷିକ୍ତ କରିପାରିଛି । ଭାବକୁ ବୋଧଗମ୍ୟ କରିବାକୁ ଶବ୍ଦର ଦାୟିତ୍ୱ ଯେତିକି, ଶବ୍ଦ ସ୍ଵରର ଦାୟିତ୍ୱ ମଧ୍ୟ ସେତିକି । ତାଙ୍କ କବିତାର ଗଦ୍ୟଧର୍ମିତାରେ ମଧ୍ୟ ଏଇ ସ୍ଵରର ପ୍ରାଧାନ୍ୟ ଉପଲବ୍‌ଧ ହୋଇଥାଏ । କବି ପ୍ରଥମେ ଅନ୍ତରରେ ଏଇ ସ୍ଵର ଉପଲବ୍‌ଧି କରେ । ତେଣୁ କବିଙ୍କୁ ମଧ୍ୟ ଜଣେ ଯନ୍ତ୍ରଶିଳ୍ପୀ ରୂପେ ଗ୍ରହଣ କରାଯାଇପାରେ । ଅନ୍ତରରେ ସଙ୍ଗୀତ ଉପଲବ୍‍ଧି ନ କଲେ ତା’ର ବାହ୍ୟ ପ୍ରକାଶ ଅସମ୍ଭବ ମନେହୁଏ । କବି ଗଡ଼ନାୟକଙ୍କ ଅନ୍ତରର ଭାବସ୍ପନ୍ଦନ ସଙ୍ଗୀତମୟ ଶବ୍ଦରୂପରେ ତାଙ୍କ କବିତାମାନଙ୍କରେ ପ୍ରବେଶ କରିଥିବାର ଲକ୍ଷ୍ୟ କରାଯାଏ । ଏଇ ପରିପ୍ରେକ୍ଷୀରେ ତାଙ୍କର ଶବ୍ଦଯୋଜନାର ବିଚିତ୍ରତା ଓ ବିଭିନ୍ନତାକୁ ବିଚାର କରାଯାଇପାରେ ।

 

ସଂସ୍କୃତାୟିତ ଭାଷାର ପ୍ରୟୋଗ :

କବି ଗଡ଼ନାୟକଙ୍କର ସଂସ୍କୃତ ଭାଷାରେ ପ୍ରଗାଢ଼ ପ୍ରବେଶ ତାଙ୍କର ‘ମେଘଦୂତ’ ଅନୁବାଦ ଓ ‘କୁମାର ସମ୍ଭବ’ର ନାଟ୍ୟରୂପ ‘କୁମାର ସମ୍ଭବ’ରୁ ପ୍ରମାଣିତ । ଏହାଛଡ଼ା ସଂସ୍କୃତ ଭାଷା ପ୍ରତି ତାଙ୍କର ମମତା ଓ ଏଥିରେ ପ୍ରଗାଢ଼ ଅନୁପ୍ରବେଶ ତାଙ୍କର ଛନ୍ଦ ଧୂରୀଣତା ଓ ଶବ୍ଦଶିଳ୍ପୀତ୍ଵର ପ୍ରଧାନ କାରଣ । ସଂସ୍କୃତ ଆଳଂକାରିକମାନେ ଗୁଣାଭିବ୍ୟଞ୍ଜନ ଶବ୍ଦାର୍ଥ କାବ୍ୟର ଉତ୍କର୍ଷବିଧାନ କରେ ବୋଲି ମତବ୍ୟକ୍ତ କରିଛନ୍ତି ।୭। କବି ଗଡ଼ନାୟକ ତାଙ୍କ କବିତାରେ ଓଜଃ ଓ ମାଧୁର୍ଯ୍ୟ ଗୁଣକୁ ପ୍ରାଧାନ୍ୟ ଦେଇଛନ୍ତି । ପୁନଶ୍ଚ ଉପଯକ୍ତ ଶବ୍ଦ ପାଇଁ ସେ ସଂସ୍କୃତ ସାହିତ୍ୟର ବାଣୀଭଣ୍ଡାରରୁ ବହୁ ଶବ୍ଦ କେବଳ ଆହରଣ କରିନାହାନ୍ତି, ତାକୁ ବିଚିତ୍ର ଭାବରେ ପ୍ରୟୋଗ ମଧ୍ୟ କରିଛନ୍ତି । ପ୍ରଥମେ ତାଙ୍କର କବିତାରେ ବହୁ ପ୍ରଯୁକ୍ତ ଶବ୍ଦକୁ ଲକ୍ଷ୍ୟ କରାଯାଇପାରେ । ତାଙ୍କର ସମଗ୍ର ମୌଳିକ କବିତାଗୁଡ଼ିକରେ-ମୃଦୁ, ଅଳି, ମୁଗ୍‌ଧ, ମୁଦିର, ମେଦୁର, ନିଖିଳ, ଦିବସଯାମୀ, ବିଶ୍ଵଜୀବନ, ବୁକେ, ପିଆସୀ, ମଉନ, ରଭସେ, ଧ୍ୱାନ୍ତ, ଅଭିସାର, ଅଭିଯାନ, ହିଆ, ଅସରା, ଆସାର, ଦୟିତ, ବେଦନା, ପେଲବ, ଅୟି, ଭରସେ, ଚିକୁର, ନିଚୋଳ, ଉଲ୍ଲୋଳ, ମମ, ତବ, ଉନ୍ମନ, ନବୀନ, ନବ, ନଗନ, ଗୁପତ, ଶଷ୍ଠ, ଗେହ୍ୱ, ଫେନାଇ, ଫେନିଳ, ଆସବ, ମଦିର, ମଧୁ, ସାଧୁ, ସଦନ, ଉଷା, ଉଷସୀ, ଉତଳା, ଉଛୁଳା, ଉଚ୍ଛନ୍ନ, ଉତ୍‌ଥଳ, ମରମୀ, ମରମ, ସରମ, ଅଙ୍ଗନ, ପୁରୁଷ ପୁରୁଷ, ପୃଥ୍‌, ପୃଥ୍ୱୀ, ସ୍ପନ୍ଦନ, ସନ୍ଦ, ଛଇଳ, ଶୋଣିତ, ଶୋଣିମ, ରଭସେ, ଆତୁର, ତନୁ, ଅତନୁ, ପଲକ, ପୁଲକ, ତୂର୍ଣ୍ଣ, ପୁରତେ, ପ୍ରୀତି, ପ୍ରେୟସୀ, ପରଶୀ, ଈଷାଣ, ବିଷାଣ, ବୀଥି, ବୀଥିକା, ଅତୁଳ, ଅନ୍ତିକେ, ଅବଦାତ, ଅଙ୍ଗନ, ଅୟନ, ଅକୂଳ, ଅଯତନ, ଆହବେ, ଆଧାର, ମଞ୍ଜୁ, ମଞ୍ଜୁଳ, ସଂଭ୍ରମ, ଗଉରବ, ବଇଭବ, ବିପୁଳ, ଉଷତ, ହନ୍ତାରକ, ଡୁବି, ନିଥର, ନୀରବ, ନର୍ମ, ଫୁଲ, ଉଥଳେ, ଉପଚାର, ଜୀବନ ହରଷ, ମୁହାଁସ, ବିଚକିତ, ଉନମୁଖ, ଉଚ୍ଛଳ, ବେଦନା, ଜ୍ୱର, ସୁହାଗ, ଦୀପ୍ତ ଓ ନିପାତନ ଇତ୍ୟାଦି ଅନେକ ଶବ୍ଦ ବହୁଳ ଭାବରେ ପ୍ରଯୁକ୍ତ ।

 

ତାଙ୍କର ଏହି ଶବ୍ଦମାନଙ୍କ ପ୍ରତି ଦୃଷ୍ଟି ଦେଲେ ଯେ କେହି ସଚେତନ ପାଠକ ନିର୍ବିଚାରରେ କହିବ ଯେ ଏଥିରୁ ଅଧିକାଂଶ ଶବ୍ଦ ଶୁଦ୍ଧ ସଂସ୍କୃତରୁ ଗୃହୀତ । ଏହାଛଡ଼ା ତାଙ୍କ କବିତାରେ ଶୁଦ୍ଧ ସଂସ୍କୃତ ଶବ୍ଦମାନଙ୍କର ବହୁଳତା ପରିଦୃଷ୍ଟ ହୁଏ । ସେଗୁଡ଼ିକ ହେଲେ- ଅନମ୍ବର, ଅନାଘ୍ରତ, ଅଟବୀ, ଅନ୍ତିକେ, ଅବଦାତ୍ରୀ, ଅୟନ, ଅନ୍ନ, ଅର୍ବାଚୀନ, ଆସ୍ୟେ, ଆଶୁ, ଆୟତନ, ଇଚ୍ଛାଚାରୀ, ଶ୍ରେୟସୀ, ବିବସ୍ଵାନ, ଘନଞ୍ଜୟ, କୃଷି, ମୁଦିର, ରଭସ, ଦିଶି, ଭାବ୍ୟ, ବର୍ମ, ବଲ୍ଲୀ, ବଲ୍ଲରୀ, ପୂଷଣ, ପରିରମ୍ଭଣ, ରୁତ, ଧ୍ୱାନ, ଯାବତ୍‌, ମୁଞ୍ଚ, ତ୍ରୈର୍ଯ୍ୟତ୍ରିକ, ଦିକ୍‍, ହର୍ମ୍ୟ, ବଞ୍ଚକ, ଶୀକର, ସୂପ, ବ୍ୟଞ୍ଜନ, ଯୂଥ, ଭୂତଳ, ସଟା, ସ୍ଵସ୍ତି, ବାବଦୂକ, ବୁଭୁକ୍ଷା, ବତ୍ସତରୀ, ସବିତୃ, ମୁହୁର୍ମୁହୁ, ଶୀଳ, ସୌଷମ୍ୟ, ଉପାନହ, ସଦ୍ମ, କୀର୍ଣ୍ଣ ଭାସ୍ଵାନ୍‌, ଦିଗ୍‌କକୁଭ, ବିବସ୍ଵାନ, ବୈଶ୍ୱାନର, ଶ୍ଲାଘ୍ୟ, ବାକ୍‍, ବଳିବର୍ବ୍ଦ, ଦର୍ଭ, ଚାବର, ଉଟଜ, ଉଦୀଚୀ, ରିରଂସା, ମଥିତ, ନିୟୋଗ, ଦୁର୍ଦ୍ଧର୍ଷ, ଦୁର୍ଦ୍ଧର, କୃଷ୍ଟି ଓ ପ୍ରବାହିନୀ ଇତ୍ୟାଦି ଅନେକ ଶବ୍ଦ । ସଂସ୍କୃତ ଭାଷାର ଲାଳିତ୍ୟ ଏଇ ଶବ୍ଦଗୁଡ଼ିକରୁ ସୁସ୍ପଷ୍ଟ ।

 

ବୈଦେଶିକ ଶବ୍ଦର କବିତ୍ୱପୂର୍ଣ୍ଣ କାରିଗରୀ :

କେବଳ ଶୁଦ୍ଧ ସଂସ୍କୃତ ଶବ୍ଦରେ ତାଙ୍କ କବିତା ବିଭୂଷିତା ନୁହେଁ, ଏଥିରେ ଅଛି ବହୁ ବୈଦେଶିକ ଶବ୍ଦମାନଙ୍କର ସୁନ୍ଦର ସମବାୟ । ଭାରତ ତଥା ଓଡ଼ିଶାର ଦୀର୍ଘଦିନର ଇଂରାଜୀ ଶାସନ ଓ ତଜ୍ଜନିତ ପ୍ରଭାବ ଓଡ଼ିଆ ସାହିତ୍ୟକୁ ବହୁଭାବରେ ପ୍ରଭାବିତ କରିଛି । ଏହା ସହିତ ଇଂରେଜୀ ଭାଷାର ବହୁ ଶବ୍ଦ ଓଡ଼ିଆ ଭାଷାରେ ପ୍ରବେଶ କରିଛି । ଗଡ଼ନାୟକ ସେଥିରୁ ମୁକ୍ତ ନୁହିଁନ୍ତି-। ଓଏସିସ୍‌, କାରାଭାନ୍‌, ଇଥର, ମୁସ୍‌ଲିମ୍‌, ଡିଗ୍ରୀ, କଣ୍ଟ୍ରାକ୍ଟର, ମେସିନ, ଇକୋ ଇତ୍ୟାଦି ବହୁ ଇଂରାଜୀ ଶବ୍ଦ ତାଙ୍କ କବିତାରେ ଦେଖିବାକୁ ମିଳେ । ପୁନଶ୍ଚ ଷ୍ଟେସନ, ମିନିଟ୍‌, ସର୍କସ, କଂଗ୍ରେସ, ଫଟୋ ଇତ୍ୟାଦି ବହୁ ପ୍ରଚଳିତ ଇଂରେଜ ଶବ୍ଦ ସହିତ କେତେକ ଇଂରେଜ ଶବ୍ଦର ଦେଶୀ ରୂପାନ୍ତର ଇଷ୍ଟେସନ୍‌, ଇସ୍କୁଲ, ଜିଆଲ, ସିଲଟ, ଇତ୍ୟାଦି ବିଭିନ୍ନ ଶବ୍ଦ ସେ ପ୍ରୟୋଗ କରିଛନ୍ତି । ସେହିପରି ତୁକାଇ, ଝିଙ୍ଗାସ, ରକମ, ପରତେ ଇତ୍ୟାଦି ବହୁ ବଙ୍ଗଳା ଶବ୍ଦ ତାଙ୍କ କବିତାରେ ଦେଖାଯାଏ । ମସ୍‌ଜିଦ୍‌, ତରୁଆଲ, ଫୌଜ, ହୁକୁମ, ବେଗମ୍‌, ଖିଆଲ, ବାଦଶାହା, ସୁଲତାନ, ବିବି, ଜହାଁପନା, ବାଦଶା, ଜନ୍‌, ମଦିରା, ଜହର, ସାକୀ, ପିଆଲା ଇତ୍ୟାଦି ବହୁ ଯାବନିକ ଶବ୍ଦ ସେ ପ୍ରୟୋଗ କରିଛନ୍ତି ଏସବୁ ତୁଳନାରେ ବହୁ ହିନ୍ଦୀ ଶବ୍ଦ ଯଥା- କିତାବ, ନକଳ, ଅକଲ, ନବିସ୍‌, ଆବାଜ୍‌, ଭାଗେୟା, ପରବାନା, ମହାତ୍ମାଜୀ, ମଞ୍ଜୁର, ପିଆରୀ, ଇନ୍‌କିଲାବ, ଇସାରା, ନଉକର, ହୁକୁମ୍‌, ତାକତ୍‌, ହାୱା, ରୋଟି ଓ କିନାରେ ଇତ୍ୟାଦି ତାଙ୍କ କବିତାରେ ପ୍ରଯୁକ୍ତ । ଯେଉଁଠି ଯେଉଁ ପ୍ରକାରର ଭାବ ପାଇଁ ଯେଉଁ ପ୍ରକାର ସ୍ଵରମୂର୍ଚ୍ଛନା ସୃଷ୍ଟି କରିବାକୁ ପଡ଼ିଛି, ସେଇ ମୁତାବକ ଶବ୍ଦ, ଯାବନିକ ବି ହେଉ ବା ଅନ୍ୟ କେଉଁ ଭାଷାର ଶବ୍ଦ ହେଉ କବି ଆବଶ୍ୟକ ଅନୁସାରେ ଗ୍ରହଣ କରିଥିବା ଜଣାଯାଏ ।

 

ଖାଣ୍ଟି ସୁନାରେ ଅଳଙ୍କାର ତିଆରି କରାଯାଏ ନାହିଁ । ଏଥିରେ ସୁନାଠାରୁ ବହୁ ନିକୃଷ୍ଟ ଧାତବ ଖାଦ ଦିଆଯାଏ । ସେଇପରି ଶୁଦ୍ଧ ସଂସ୍କୃତ ଓ ସାଧୁଭାଷା ପ୍ରୟୋଗରେ କେବଳ ପରିପୁଷ୍ଟ କବିତା ସାର୍ବଜନୀନ ହରାଏ । ତେଣୁ ବହୁ ଦେଶଜ ଓ ଗ୍ରାମୀଣ କଥିତ ଭାଷାମାନଙ୍କର ଆବଶ୍ୟକ ପଡ଼େ । କବି ଗଡ଼ନାୟକଙ୍କ ସୃଷ୍ଟିରେ ସଂସ୍କୃତ ପଦ ସଂରଚନା ସହିତ ବହୁ ଗ୍ରାମ୍ୟ ଭାଷାର ସଂଯୋଗ ଘଟିଛି । ବାଆ, ଓଳାଇ, ମଉନ, ଖାରାଖାରା, ଅସରା, ତବଦ, ଗୁପତ, ଠାଇଁ, ତଇଲା, ମଉଚ୍ଛବ, ଛେକଇ, କେଳେଇ, ହାଲିଆ, ପିଲାଏ, ପୋଲାଖିଆ, ଝଅଟ, ପୁଟୁଳା, ଉପାସିଆ, ଭଉତ, ସଁପି, ଖିନତାଇ, ଉଛୁର, ଅଣାଅ, ଉଜାଡ଼, ଖଳା, କଳେଇ, ପିଠଉ, ଝୋଟି, ହରଘଡ଼ି, ଖାସା, ବିଚାରଣା, ପଲାସୁଥିଲା, ରାହା, ଇଲେ, ଉଛୁଣି, ପ୍ରଘଟ, ତିଆର, ମୁହାଁସ, ମସୁଧା, ଠାଆପିଢ଼ା, ଦିଅଁ, ତଗଡ଼ା, କତିକି, ତିରିଲା, ଭଅଲ, ନାଇଚ ମେଳାପ ଓ ପିଅର ଇତ୍ୟାଦି ବହୁ ପ୍ରଚଳିତ ଶବ୍ଦକୁ କବିତାରେ ସଂଯୋଗ କରି ତାହାର ଅର୍ଥ ପ୍ରାଞ୍ଜଳତା ସହିତ କବିତାକୁ ସେ ସ୍ଵବାଦ୍ୟ ମଧ୍ୟ କରିପାରିଛନ୍ତି । ଏସବୁ ଗ୍ରାମ୍ୟ ଶବ୍ଦ ସଂଯୋଜନ ଦ୍ଵାରା ତାଙ୍କ କବିତା ସୁନ୍ଦରୀ ବରଂ ଧୂଳି ଧୂସରିତ ଧରଣୀ ସହିତ ସାମିଲ ହୋଇଛି ଓ ନିଚ୍ଛକ ପଲ୍ଲୀଜବନର ସୁସ୍ଥ ସରଳ ରୂପ ଲାଭ କରିବା ସହିତ ନିଟୋଳ ସୌନ୍ଦର୍ଯ୍ୟ ପ୍ରକାଶ କରିଛି ।

 

ଶାବ୍ଦିକ ନୂତନତା ଓ ନବପ୍ରୟୋଗର ସାଫଲ୍ୟ :

ଯେ କୌଣସି ଲେଖକ ପ୍ରାଚୀନ ଶବ୍ଦପୁଞ୍ଜକୁ ନେଇ ତା’ର ସାହିତ୍ୟ ସୃଷ୍ଟି କରିଥାଆନ୍ତି ଓ ଏହା ସହିତ ମଧ୍ୟ ଶବ୍ଦଭଣ୍ଡାରରୁ କେତେକ ନୂତନ ଶବ୍ଦ ସଂଗ୍ରହ କରି ସଂଯୋଜନା କରିଥାଆନ୍ତି । ପୁଣି ପ୍ରକୃଷ୍ଠ ପ୍ରତିଭା କ୍ଷେତ୍ରରେ ନୂତନ ରୂପ ବୈଚିତ୍ର୍ୟ ପାଇଁ ପ୍ରାଚୀନ ଶବ୍ଦକୁ ନୂଆ ରୂପରେ ପ୍ରୟୋଗ କରିବା ସମ୍ଭବ ହୁଏ । ଏଇଠି କବି ଜୀବନର ସାର୍ଥକତା କେତେକାଂଶରେ ନିର୍ଭର କରେ । ନବ ନବ ଉନ୍ମେଷ ପ୍ରତିଭାର ଲକ୍ଷଣ । କବି ଗଡ଼ନାୟକଙ୍କ ଶବ୍ଦ ସଂଯୋଜନା ରୀତିରେ ଏଇ ସତ୍ୟ ପ୍ରତିଫଳିତ । କବି ଶବ୍ଦ ସଂଯୋଜନା କରିବାରେ ନୂତନ ଶବ୍ଦ ସୃଷ୍ଟି କରିଛନ୍ତି । ବୈଜ୍ଞାନିକ ଯେଭଳି ଏ ସୃଷ୍ଟି ସଞ୍ଚିତ ଉପାଦାନରେ ଉପାଦାନ ମିଶାଇ ନୂଆ ପଦାର୍ଥ ସୃଷ୍ଟି କରନ୍ତି, କବି ସେଇଭଳି ନୂଆ ଚିନ୍ତା ସହିତ ନୂତନ ରୂପଚେତନା ଓ ଶବ୍ଦ ପ୍ରୟୋଗର ସାଫଲ୍ୟ ପ୍ରଦର୍ଶନ କରନ୍ତି । ଆଲୋଚ୍ୟ ବିଭାଗୀକରଣ ଅନୁଯାୟୀ ଏ କ୍ଷେତ୍ରରେ କବିଗଡ଼ନାୟକଙ୍କର ଶବ୍ଦ ସଂଯୋଜନାର ପ୍ରାୟୋଗିକ ବିଶ୍ଳେଷଣ କରାଯାଇପାରେ ।

 

ଉପସର୍ଗ ପ୍ରୟୋଗ :

ଶବ୍ଦ ପୂର୍ବରୁ ଉପସର୍ଗ ପ୍ରୟୋଗ ବ୍ୟାକରଣ ନିୟମ ସମ୍ମତ । ଉପସର୍ଗ ପ୍ରୟୋଗ କରିବା ଦ୍ୱାରା କେତେକ ଶବ୍ଦର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ଭାବରେ ପରିବର୍ତ୍ତିତ ହୋଇଥାଏ । ଯଥା- ‘ହାର’ ଶବ୍ଦରେ ଆ+ହାର=ଆହାର, ପ୍ର+ହାର=ପ୍ରହାର, ବି+ହାର= ବିହାର, ଉପ+ହାର= ଉପହାର ଇତ୍ୟାଦି ‘ହାର’ ଶବ୍ଦର ବିଭିନ୍ନ ଅର୍ଥ ପ୍ରକାଶ କରେ । କବି ଗଡ଼ନାୟକଙ୍କ ଶବ୍ଦ ସଂଯୋଜନାରେ ଉପସର୍ଗ ବ୍ୟବହାରର ବିଚିତ୍ରତା ଦେଖାଯାଏ, ଯାହା ତାଙ୍କ ଶବ୍ଦର ମାଧୁର୍ଯ୍ୟ ପ୍ରକାଶ କରେ । ବିଶେଷ କରି ସେ ବି, ନି, ସମ୍‌ ଓ ପ୍ର ଉପସର୍ଗର ବିଚିତ୍ର ପ୍ରୟୋଗ କରିଛନ୍ତି । ଯଥା- ‘ବି’ ଉପସର୍ଗ ଯୋଗରେ ବିଦୂର, ବିହତ, ବିତାନ, ବିବଶ, ବିଚକିତ, ବିମଉନ, ବିମଳିନ ଓ ବିଶୁଷ୍କ ଇତ୍ୟାଦି ବହୁ ଶୁଦ୍ଧ ସଂସ୍କୃତ ଶବ୍ଦ ଓ ଏଗୁଡ଼ିକର ଅର୍ଥଗତ ଚମତ୍କାରିତା ସୃଷ୍ଟି କରିଛନ୍ତି । ‘ବି’ ଉପସର୍ଗ ଏଠାରେ ବିଶେଷ ଅର୍ଥରେ ପ୍ରଯୁକ୍ତ । ଏହାଛଡ଼ା ତାଙ୍କର ବିଲୋକି, ବିଥରି, ବିସୋରି, ବିହସି, ବିରଚି ଇତ୍ୟାଦି ବହୁ କ୍ରିୟା ସହିତ ଉପସର୍ଗର ସଂଯୋଗ ମଧ୍ୟ ଘଟିଛି । ସେହିପରି ‘ନି’ ଉପସର୍ଗ ପ୍ରୟୋଗରେ ନିରୁଦ୍ଧ, ନିମଳିନ, ନିଥର, ନିଘନ, ନିତଳ ଓ ନିସୀମ ଇତ୍ୟାଦି ବହୁ ଶବ୍ଦର ଅର୍ଥଗତ ଗୁରୁତ୍ଵ ପ୍ରକାଶ କରିଥାନ୍ତି, ଯାହା ବିଶେଷ ଅର୍ଥଦ୍ୟୋତନା ସୃଷ୍ଟି କରେ । ତଳ ସହିତ ନି+ତଳ=ନିତଳ=ନିଃଶେଷ ତଳ, ଅର୍ଥାତ୍‌ ନିମ୍ନତମ ଭାବ ବୁଝାଏ । ପ୍ରକୃଷ୍ଟ ଅର୍ଥରେ ସେହିପରି ପ୍ର+ଜ୍ଞାନୀ=ପ୍ରଜ୍ଞାନୀ, ଜ୍ଞାନମାତ୍ରାର ଆଧିକ୍ୟ ତଥା ପ୍ରକୃଷ୍ଟତା ସୂଚାଏ । ସେହିଭଳି ପ୍ରଜ୍ଜାଳି=ସମ୍ପୂର୍ଣ୍ଣ ଭାବରେ ଦଗ୍‌ଧ କରିବାକୁ ବୁଝାଏ । ତେଣୁ ତାଙ୍କର ଏଇ ଉପସର୍ଗଯୁକ୍ତ ଶବ୍ଦ ଯେ କେବଳ ଅର୍ଥର ଦ୍ୟୋତନା ସୃଷ୍ଟି କରିନାହିଁ, ବରଂ ଅଧିକତର ଭାବରେ ଅନୁପ୍ରାସ ସୃଷ୍ଟି କରିଛି । ଯଥା- ‘‘ଡୁବିବି ଏଥର/ସମୁଦ୍ରର ନିଥର ନୀଗରେ/ସମୁଦ୍ରର ନିତଳ ନୀଳରେ’’ । ଏଠାରେ ‘ନିତଳ’ ଶବ୍ଦଟି ‘ତଳ’ ପୂର୍ବରୁ ‘ନି’ ଉପସର୍ଗ ସଂଯୋଗରେ ଗଠିତ । ସମୁଦ୍ରର ତଳହୀନ ନୀଳକୁ ବା ସମୁଦ୍ର ନୀଳିମାର ଅସୀମତାକୁ ବୁଝାଇବା ସହିତ ‘ନୀଳ’, ପୂର୍ବରୁ ‘ନିତଳ’ ପ୍ରୟୋଗ ମଧ୍ୟ ଅନୁପ୍ରାସ ସୃଷ୍ଟି କରୁଛି, ଯାହାର ଉଚ୍ଚାରଣଗତ ସାଙ୍ଗୀତିକତା ଅଛି । ତାଙ୍କ କବିତାରେ ଅନେକତ୍ର ଏହି ଧାରା ପରିଦୃଷ୍ଟ ।

 

ସଂସ୍କୃତରୁ ଓଡ଼ିଆ ପ୍ରୟୋଗ :

କବି ସଂସ୍ଫୃତରୁ କେତେକ ଶୁଦ୍ଧ ଶବ୍ଦ ଆହରଣ କରି ତାହାର ପରିବର୍ତ୍ତନ କରାଇ ଓଡ଼ିଆ ରୂପ ସୃଷ୍ଟି କରିଛନ୍ତି । ଏହାଦ୍ଵାରା ଶବ୍ଦଗୁଡ଼ିକର ଲାଳିତ୍ୟ ପ୍ରକଟିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଯଥା-

 

ମୂଳ ସଂସ୍କୃତ ଶବ୍ଦ

ଓଡ଼ିଆରେ କବିଙ୍କ ପ୍ରୟୋଗ

ଶ୍ରେୟସ୍‌

ଶ୍ରେୟସୀ

ପିପାସା

ପିଆସୀ

ଉରସ୍‌

ଉରସେ

ଛବିଳ

ଛଇଳ

ଶିରସ୍‌

ଶିରସେ

ନଭସ୍‌

ନଭସେ

ରଭସ୍‌

ରଭସେ

ଛାନ୍ଦସ୍‌

ଛାନ୍ଦସୀ

କ୍ରନ୍ଦ (ଧାତୁ)

କ୍ରନ୍ଦସୀ

ଭା (ଧାତୁ)

ଭାତିବ

ନୁ (ଧାତୁ)

ନର୍ତ୍ତି

 

ପୁନଶ୍ଚ ସଂସ୍କୃତରୁ କେତେକ ଶବ୍ଦ ଗ୍ରହଣି କରି ଶବ୍ଦ ସଂକ୍ଷେପଣ ପାଇଁ ତାକୁ ମଧ୍ୟ କବି ପ୍ରୟୋଗ କରିଛନ୍ତି । ଏହାର କେତେକ ଦୃଷ୍ଟାନ୍ତ ଦେଖାଯାଇପାରେ । ଯଥା-

 

ଗଡ଼ନାୟକଙ୍କ ଶବ୍ଦ

ଓଡ଼ିଆ ଅର୍ଥ

ସୃଜିବି

ସୃଷ୍ଟି କରିବି ।

ଉତ୍ତୋଳିଲେ

ଉତ୍ତୋଳନ କଲେ ।

ଆହରଇ

ଆହରଣ କରଇ ।

ଉତ୍କର୍ଣ୍ଣେ

ଉତ୍କଣ୍ଠିତ ଭାବେ କାନଡେରି

ଭାତିବ

ଶୋଭା ପ୍ରକାଶ ପାଇବ

ଉତ୍ତରିଲେ

ଉତ୍ତର ଦେଲେ ।

ସଂଭାଷିଲେ

ସମ୍ଭାଷଣ ଜଣାଇଲେ

ସମ୍ବରି

ସମ୍ବରଣ କରି

ସନ୍ଧାନିବି

ସନ୍ଧାନ କରିବି/ ଅନ୍ୱେଷଣ କରିବି

ସଂସ୍ପରଶି

ସଂସ୍ପର୍ଶରେ ଆସି ସମ୍ୟକ୍‌ ସ୍ପର୍ଶକରି ।

ଲକ୍ଷିତ

ଲକ୍ଷ୍ୟ କରାଯାଇଥିବା ।

 

ଶବ୍ଦ ସଂକ୍ଷେପଣରେ ବିଶେଷ୍ୟର କ୍ରିୟାରୂପ ଓ ନାମଧାତୁ :

କବି କେବଳ ସଂସ୍କୃତ ଶବ୍ଦକୁ ସଂକ୍ଷିପ୍ତ କରିନାହାନ୍ତି, ଅପରନ୍ତୁ ଓଡ଼ିଆରେ ପ୍ରଚଳିତ ବିଶେଷ୍ୟଗୁଡ଼ିକର କ୍ରିୟାରୂପ ପ୍ରଦର୍ଶନ କରି ଶବ୍ଦ ସଂକ୍ଷିପ୍ତତା ସୃଷ୍ଟି କରିଛନ୍ତି । ଉଦାହରଣତଃ-

 

ବିଶେଷ୍ୟ

କବିଙ୍କର କ୍ରିୟାରୂପ

ଶିଶିର

ଶିଶିରିତ

ଶିଶିର

ଶିଶିରି (ଶୀତେଇ )

ତିମିର

ତିମିରିତ

କୋରକ

କୋରକିତ

ଦୂର

ଦୂରିବାର (ଦୂର କରିବାର)

ଶାସନ

ଶାସି ( ଶାସନ କରି) ।

ଇଚ୍ଛା

ଇଚ୍ଛିବ

ହରଷ

ହରଷାଇ

ଅର୍ଚ୍ଚନ

ଅର୍ଜି

ସଜାଗ

ସଜାଗି

ଗଉରବ

ଗଉରବି

ଫେନ

ଫେନାଇ

ଶାଣ

ଶାଣି

ଲତା

ଲତାଇପଡ଼ (ଲଟେଇବା ଅର୍ଥରେ)

ଲୋଭ

ଲୋଭାଇଲେ

ଉତ୍ତର

ଉତ୍ତରିଲେ

କୁସୁମ

କୁସୁମି

ପୀଡ଼ା

ପୀଡ଼ି

 

ଛନ୍ଦପାତ ପାଇଁ ଶବ୍ଦ ସଂକ୍ଷିପ୍ତୀକରଣ :

କବିଙ୍କର ଶବ୍ଦ ସଂକ୍ଷେପଣ ରୀତି ଛନ୍ଦପାତ ପାଇଁ ବିଶେଷ ଭାବରେ ଉଦ୍ଦିଷ୍ଟ; ଯାହା ଅନେକାଂଶରେ ସଙ୍ଗୀତଧର୍ମୀ ହୋଇଛି । କେତେକ ଶବ୍ଦକୁ ଆବଶ୍ୟକସ୍ଥଳେ ଯଥାସମ୍ଭବ ସଂକ୍ଷିପ୍ତ କରାଇବା ସହିତ ଏହାର ଛନ୍ଦ ଉପଯୋଗିତା ମଧ୍ୟ କବି ସୃଷ୍ଟି କରିଛନ୍ତି । ଉଦାହରଣସ୍ଵରୂପ ଏଠାରେ କେତେକ ଶବ୍ଦର ଦୃଷ୍ଟାନ୍ତ ଦିଆଯାଇପାରେ-

 

କବିଙ୍କ ପ୍ରଯୁକ୍ତ ସଂକ୍ଷେପଣ

ଅର୍ଥ

ଶୋଣିମ

ସଂସ୍କୃତ ଶ୍ରୋଣିମନ୍‍ ଶବ୍ଦରୁ ଓଡ଼ିଆ ପଦ୍ୟରୂପ

ଗାଆଣୀ

ଗାନ

ଦରଶ

ଦରଶନ

ଶୋଣ

ଶୋଣିତ

ଯାମୀ

ଯାମୀନି

ସମାଧା

ସମାଧାନ

ସାର୍ଥ

ସାର୍ଥକ

ଚତୁର୍ଦ୍ଦିକ୍

ଚତୁର୍ଦ୍ଦିଗ

ଶୁଭାଶୀସ୍‌

ଶୁଭାଶୀଷ

ରଂ ମହଲ

ରଙ୍ଗମହଲ

ଏକଶ୍‌

ଏକଶହ

ପ୍ରାଣମତାଣୀ

ପ୍ରାଣମତାଣିଆ

କଥାଣୀ

କାହାଣୀ

 

ଉପରୋକ୍ତ ଶବ୍ଦକୁ ସମୀକ୍ଷା କଲେ ଜଣାଯାଏ ଯେ ଏଗୁଡ଼ିକ ସବୁ ନବପ୍ରଯୁକ୍ତ ଶବ୍ଦ ହେଲେ ମଧ୍ୟ ଏଗୁଡ଼ିକରୁ କେତେକ, ଯଥା- ଗାଆଣୀ, ମତାଣୀ, କଥାଣୀ, ଯାମୀ, ଏକଶ୍‌, ସାର୍ଥ, ସମାଧା ଇତ୍ୟାଦି ଶବ୍ଦଙ୍କର ସ୍ଵତନ୍ତ୍ର ଅର୍ଥ କିଛି ନାହିଁ । କବି ଏସବୁର ପ୍ରାୟୋଗିକ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି କେବଳ ଯତିପାତ କରିବାକୁ । ଏହା ପୁଣି ଶ୍ରୁତିମଧୁର ହୋଇପାରିଛି ।

 

ନିରର୍ଥକ ଧ୍ଵନିମାତ୍ରିକ ଶବ୍ଦ :

କବିଙ୍କର କେତେକ ଶବ୍ଦ ଅର୍ଥହୀନ ହେଲେ ମଧ୍ୟ ଧ୍ୱନି ଦୃଷ୍ଟିରୁ ସେଗୁଡ଼ିକର ଆବଶ୍ୟକତା ଥିବା ଅନୁଭୂତ ହୁଏ । ବୋଧହୁଏ କବିଙ୍କର ଏଇଧରଣର ଶବ୍ଦ ଯୋଜନା ତାଙ୍କର କବିତାକୁ ସଙ୍ଗୀତମୁଖର କରିବାରେ ସାହାଯ୍ୟ କରିଅଛି । ଯଥା- ଦିନ୍‌ଦିନ୍‌, ବଂବଂ, ଗୁଡୁମ୍‌ଗୁଡ଼ୁମ୍‌, ସନ୍‌ସନ୍‌ସନ୍‌, ଝନ୍‌ଝନ୍‌ ଇତ୍ୟାଦି କେତେକ ଶବ୍ଦଙ୍କର ଆକ୍ଷରିକ ଅର୍ଥ କିଛି ନାହିଁ; କିନ୍ତୁ ଏଇ ଶବ୍ଦ ଦ୍ଵାରା କେତେକ ଅବସ୍ଥାର ସ୍ଵତନ୍ତ୍ର ପରିଚୟ ଏଗୁଡ଼ିକରୁ ମିଳିଥାଏ । ଯଥା-

 

ବଂବଂ ହର ଆଲ୍ଲା ଦିନ୍‌ଦିନ୍‌ କଳକଲ୍ଲୋଳ ଉଠିଲା ମାତି ।

ଭାଗେୟା ଜେନ୍ଦା ପତାକା ସାଥିରେ ଚନ୍ଦ୍ର କେତନ ଭିଡ଼ିଲା ଛାତି ।୦୮।

 

ଭାରତର ସ୍ଵାଧୀନତା ଆନ୍ଦୋଳନରେ ହିନ୍ଦୁ ଓ ମୁସଲମାନ ଏକତ୍ର ହୋଇ ଇଂରେଜ ଶାସନ ବିରୁଦ୍ଧରେ ଯୁଦ୍ଧ କରୁଥିବାବେଳେ ହିନ୍ଦୁମାନଙ୍କର ରଣହୁଙ୍କାର ‘ବଂବଂ’ ସହିତ ‘ହର’ର ସଂଯୋଗ ହେବାରୁ ସ୍ପଷ୍ଟ ହୋଇଅଛି । ପୁନଶ୍ଚ ମୁସଲମାନମାନଙ୍କର ରଣହୁଙ୍କାର ତାଙ୍କର ଇଷ୍ଟ ଆଲ୍ଲାଙ୍କୁ ସ୍ମରଣ କରାଇଛି ‘ଦିନ୍‌ଦିନ୍‌’ର ପ୍ରୟୋଗ କରାଇ କବି ଏହା ସୃଷ୍ଟି କରିଛନ୍ତି । ପ୍ରକୃତରେ ‘ବଂବଂ’ ସହିତ ‘ହର’ର ସଂଯୋଗ ଓ ଆଲ୍ଲା ସହିତ ଦିନ୍‌ଦିନ୍‌ର ସଂଯୋଗ ହେତୁ ଉଭୟ ଜାତିର ରଣହୁଙ୍କାର ସ୍ପଷ୍ଟ ହୋଇଅଛି । ସେଇପରି ଯୁଦ୍ଧରେ ଗୁଳି ଶବ୍ଦରୁ ‘ଗୁଡ଼ୁମ୍‌ ଗୁଡୁମ୍‌', ଅସିର ଝଙ୍କାରକୁ ‘ଝନ୍‌ଝନ’ ଏବଂ ଶର ସନ୍ଧାନକୁ ‘ସନ୍‌ସନ୍‌’ ବୋଲି କବି ସୂଚେଇଛନ୍ତି । ଯଥା-

 

ଗୁଡୁମ୍‌ ଗୁଡୁମ୍‌ ଫୁଟିଲା କମାଣ ଉଠିଲା ଅମିତ କଣ୍ଠସ୍ଵର

ଅସି ଝନ୍‌ ଝନ୍‌ ଧନୁଟଙ୍କାର ସଦ୍‌ସନ୍‌ସନ୍‌ ଚାଲିଲା ଶର ।୦୯ ।

 

ପ୍ରଯୁକ୍ତ ଶବ୍ଦଗୁଡ଼ିକର ନିର୍ଦ୍ଦିଷ୍ଟ ଅର୍ଥ ନ ଥିଲେ ମଧ୍ୟ ସେଗୁଡ଼ିକ ଧ୍ଵନିମାତ୍ରିକ । ସୁତରାଂ ଏଇ ଶବ୍ଦ ଧ୍ଵନି ମାଧ୍ୟମରେ କେବଳ ଯେ ଅର୍ଥ ପ୍ରତୀତି ସରଳ ହେଉ ନାହିଁ, ବରଂ ଛାନ୍ଦର ମାଧୁର୍ଯ୍ୟ ସହିତ ସାଙ୍ଗୀତିକ ମୂର୍ଚ୍ଛନା ମଧ୍ୟ ସୃଷ୍ଟି ହେଉଅଛି ।

 

ନିଜସ୍ୱ ଅର୍ଥହୀନ ଶବ୍ଦ :

ପ୍ରଚଳିତ ଶବ୍ଦମାନଙ୍କର ଯୋଗ୍ୟତା ଦୃଷ୍ଟିରୁ ସ୍ଵାଧୀନ ଅର୍ଥବୋଧକତା ସର୍ବପ୍ରଥମ ଲକ୍ଷଣ । କିନ୍ତୁ ଅନେକାର୍ଥବୋଧକ କେତେକ ଶବ୍ଦ ଥିଲେ ମଧ୍ୟ ପ୍ରୟୋଗ ଦୃଷ୍ଟିରୁ ଅର୍ଥର ପରିବର୍ତ୍ତନ ଆସିଥାଏ-। ପୁନଶ୍ଚ ସ୍ଵାଧୀନ ଅର୍ଥ ନ ଥାଇ ଅନେକ ଭାବଗତ ଅର୍ଥ ପ୍ରକାଶ କରୁଥିବା ଶବ୍ଦ ରହିଛି । କବି ଗଡ଼ନାୟକ କେତେକ ଶବ୍ଦକୁ ଅପଭ୍ରଂଶ କରାଇ ନୂତନ ଶବ୍ଦ ସୃଷ୍ଟି କରିଛନ୍ତି । ଯଥା- ବାୟୁକୁ ବାଏ, ଓହଲାଇବାକୁ । ଓଳାଇ, ସଭିଏଁକୁ ‘ସବିଏ’ ଇତ୍ୟାଦି । ରଚନା କରିବା ଅର୍ଥରେ, ରଚିତ ଅର୍ଥରେ ‘ରଚା’ ଶବ୍ଦର ପ୍ରୟୋଗ । ବଡ଼ ଅଦ୍ଭୁତ ମନେହୁଏ । ଅନୁପ୍ରାସଗତ ଶୃଙ୍ଖଳା ରକ୍ଷା କରିବାକୁ ଇଚ୍ଛାକରି କବି ଏହିଭଳି ଶବ୍ଦ ସବୁ ପ୍ରୟୋଗ କରିଛନ୍ତି । ଯଥା- ‘ମରମର ମମ-ମର୍ମର- ରଚା କକ୍ଷେ’ । ଏଠାରେ ମରମରେ ମର୍ମର ରଚନା କରୁଥିବା କକ୍ଷକୁ ‘ରଚା’ ବୁଝାଉଅଛି ଓ ଏହା ସହିତ ସଙ୍ଗୀତର ମଧୁ ମୂର୍ଚ୍ଛନା ସୃଷ୍ଟି କରୁଛି । ‘ରଚା’ ସ୍ଥାନରେ ‘ରଚିତ’ ଅଥବା ‘ରଚନା କରୁଥିବା’ ଇତ୍ୟାଦି ଶବ୍ଦର ପ୍ରୟୋଗ କରାଯାଇଥିଲେ ତାହା ଏଭଳି କର୍ଣ୍ଣ ରସାୟନ ହୋଇପାରି ନ ଥାନ୍ତା । ପୁନଶ୍ଚ ‘ବିଷ’କୁ ଭରସା ଅର୍ଥରେ କବି ପ୍ରୟୋଗ କରିଛନ୍ତି ଯାହା ଅର୍ଥ ଦୃଷ୍ଟିରୁ ଭ୍ରମ ମନେହୁଏ । ଯଥା- ‘‘ବରଷା ହେଲାନି ସଇଲା ଜାଣି ଏ ଆମର ବିଷ’’ ଏଠାରେ ‘ବିଷ’କୁ ଭରସା ଅର୍ଥରେ ପ୍ରୟୋଗ କରାଯାଇଛି । ପୁନଶ୍ଚ ପୂର୍ବରୁ ଆଲୋଚିତ ‘ବାଏ’ ବାଦ୍ୟ ବଜାଇବା ଅର୍ଥରେ ଗୃହୀତ । ‘ଓଳାଇ’ ଘର ଓଳାଇବା, ବାଡ଼ି ଓଳାଇବା ଅର୍ଥରେ ବ୍ୟବହୃତ ହୁଏ, ମାତ୍ର କବି ଛନ୍ଦପାତ ପାଇଁ ‘ଓହଳାଇ’ ସ୍ଥାନରେ ‘ଓଳାଇ’ ବ୍ୟବହାର କରିଛନ୍ତି । ଯଥା- ‘ବାଆଁ ହାତ ଦେଇ ଧରିଅଛି ଏକ କଳସୀ ସିଏ/ଡାହାଣ ହାତରେ ଓଳାଇ ଧରିଚି ଆହୁରିଟିଏ’ । ୧୧।

 

ଅବସ୍ଥା ଭେଦରେ ଲିଙ୍ଗାନ୍ତର ପ୍ରୟୋଗ :

କବି ଛନ୍ଦପାତ ଦ୍ୱାରା ସାଙ୍ଗୀତିକ ମୂର୍ଚ୍ଛନା ସୃଷ୍ଟି କରିବା ପାଇଁ କେତେକ କ୍ଷେତ୍ରରେ ଅବସ୍ଥା ଭେଦ ନେଇ ଲିଙ୍ଗାନ୍ତର ସୃଷ୍ଟି କରିଛନ୍ତି । ଯଥା-ଝଳି-ଝଳିତା ସରସ ସରସା ।୧୨। ‘ବିବଶ’ରୁ ‘ବିବଶା’, ବିଷମ’ରୁ ‘ବିଷମା’, ‘ହରଷ’ରୁ ‘ହରଷା’ ଓ ‘ଆର୍ତ୍ତ’ରୁ ‘ଆର୍ତ୍ତ’ ଇତ୍ୟାଦି ଅନେକ ସ୍ତ୍ରୀଲିଙ୍ଗାନ୍ତ ଶବ୍ଦ ପ୍ରଯୋଗ କରିଛନ୍ତି । ଏହାଦ୍ୱାରା ପଦ ଯୋଜନାର ଗୁଣ ଲାଳିତ୍ୟପୂର୍ଣ୍ତ ହୋଇପାରିଛି ।

 

ଏକାର୍ଥ ଶବ୍ଦର ଗୁରୁତ୍ଵ :

ଗଡ଼ନାୟକଙ୍କ ଶବ୍ଦ ଗୁରୁତ୍ୱ ଏକ ସ୍ଵତନ୍ତ୍ର ବିଭାବ । ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦର ଅର୍ଥକୁ ଅଧିକ ପ୍ରାଞ୍ଜଳ ଓ ଅଧିକ ଶକ୍ତିଶାଳୀ କରିବା ପାଇଁ ସମଧରଣର ଦୁଇ ବା ତତୋଦ୍ଧଧିକ ଶବ୍ଦ ପ୍ରୟୋଗ କରିଛନ୍ତି । ଯଥା- ମୌନତାକୁ ଗୁରୁତ୍ଵ ଦେବାକୁ ଯାଇ ସେ ପ୍ରୟୋଗ କରିଛନ୍ତି ‘ନୀରବେ ମଉନେ’ । ‘ମୁଗ୍‌ଧ ବିଭୋର’ କହି ବିଭୋରତାର କାରଣ ମୁଗ୍ଧ ବୋଲି ସୂଚେଇଛନ୍ତି । ‘କାନ୍ତି’ ଶବ୍ଦର ଆପେକ୍ଷିକ ଅର୍ଥ ଶାରୀରିକ ସୌନ୍ଦର୍ଯ୍ୟ । ଏହା ପୂର୍ବରୁ ‘ତନୁ’ ସଂଯୋଗ କରାଯାଇ ‘ତନୁ-କାନ୍ତି’ ପ୍ରୟୋଗ କରିଥିବାରୁ ଏହା ଶରୀରର କମନୀୟତାକୁ ସ୍ପଷ୍ଟ କରିଥାଏ । ପୁଣି ‘ଧୀରେ ମୃଦୁମନ୍ଦେ’ ଯଦିଓ ସମଧରଣର ଶବ୍ଦ ତଥାପି କବି ତାହାକୁ ଏକତ୍ର ପ୍ରୟୋଗ କରିଛନ୍ତି ।୧୩। ସେହିଭଳି ‘ହସ ହରଷରେ ଭରିମନ’ ମଧ୍ୟ ସମଧରଣର ପ୍ରୟୋଗ । ‘ଶୁଭ ମଙ୍ଗଳ’, ‘ବିସ୍ମୟେ ଚକିତ’ ଓ ‘ଆଖିରେ ଶୋକର ଲୁହ’ ।୧୪। ଇତ୍ୟାଦି ଶବ୍ଦମାନଙ୍କର ଏକତ୍ର ସମାବେଶ ମଧ୍ୟ ଯଥାକ୍ରମେ ଶୁଭଦାୟକ ମାଙ୍ଗଲ୍ୟ, ବିସ୍ମୟ ହେତୁରୁ ଚକିତାବସ୍ଥା ଓ ଦୁଃଖର ଅଶ୍ରୁମୁଞ୍ଚନ ବା ଲୋତକସିକ୍ତ ଶୋକ ଇତ୍ୟାଦିକୁ ବୁଝାଉଥିବାରୁ ନିର୍ଦ୍ଦିଷ୍ଟ ଶବ୍ଦମାନଙ୍କର । ସମାବେଶ ଶବ୍ଦର ଅର୍ଥଗୌରବ ପ୍ରଖ୍ୟାପକ ବୋଲି ଧାରଣା ହୁଏ । ଏହାଦ୍ଵାରା ଶବ୍ଦମାନଙ୍କର ଅର୍ଥବୋଧ ବରଂ ବଳିଷ୍ଠ ଓ ଆବେଦନ ଅଧିକତର ହୋଇଛି । ‘ଲୁହ’ ଅଶ୍ରୁକୁ ବୁଝାଏ । ବେଳେବେଳେ ଅତି ଆନନ୍ଦରୁ ଆଖିରେ ଦେଖାଯାଉଥିବା ଅଶ୍ରୁଳୁ ଆନନ୍ଦାଶ୍ରୁ କୁହାଯାଏ । ମାତ୍ର ‘ଆଖିରେ ଶୋକର ଲୁହ’ କୁହାଯାଇଥିବାରୁ ଏ କ୍ଷେତ୍ରରେ ଲୁହର କାରଣ ଶୋକ ବୋଲି ବୁଝାଯାଏ । କିନ୍ତୁ କବିଙ୍କର ‘ଧୀରେ ମୃଦୁମନ୍ଦେ’ ଶବ୍ଦ ଯୋଜନା କ୍ଷେତ୍ରରେ ପ୍ରକୃତ ଅର୍ଥ ଜଣା ପଡ଼େ ନାହିଁ କାରଣ ଏଗୁଡ଼ିକ ସମପର୍ଯ୍ୟାୟର ଶବ୍ଦ । ତେଣୁ ଅର୍ଥ ଗୌରବ ପ୍ରଖ୍ୟାପନ ଓ ଶବ୍ଦର ଗୁରୁତ୍ଵ ବୃଦ୍ଧି କରିବା ପାଇଁ ଏଭଳି ଶବ୍ଦମାନଙ୍କର ଏକତ୍ରୀବସ୍ଥାନ କରାଯାଇଛି ।

 

ପ୍ରୟୋଗ ସ୍ୱାତନ୍ତ୍ର୍ୟ :

ଗୋଟିଏ ପ୍ରକାର ପରିବାରୁ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା କୁଶଳୀ ପାଚକ ଉପରେ ନିର୍ଭର କରେ । ସେମିତି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦରୁ ପ୍ରୟୋଗର ଚମତ୍କାରିତା ହେତୁ ଭିନ୍ନ ଭିନ୍ନ ଅର୍ଥ ଆସେ । ଶବ୍ଦକୁଶଳୀ କବି ଗଡ଼ନାୟକ ସେହିଭଳି ଶବ୍ଦ ପ୍ରୟୋଗଗତ ଚମତ୍କାରିତା ସୃଷ୍ଟି କରିଥିବା ଜଣାଯାଏ । ଉଦାହରଣ ସ୍ଵରୂପ କେତେକ ଶବ୍ଦରୁ ତାଙ୍କର ପ୍ରାୟୋଗିକ ଚମତ୍କାରିତା ଅନୁମାନ କରାଯାଇପାରେ । ଯଥା- ନୀଳିମ, ତୂର୍ଣ୍ଣିମା- (ତୂର୍ଣ୍ଣ), ବିଷାଣ-ଏହା ବାଦ୍ୟ ଅର୍ଥରେ ପ୍ରଯୁକ୍ତ ।୧୫। ଶପ୍ତ ଅଭିଶପ୍ତ, ‘ହତଭାଗିନୀର ଭାବଗ୍ରାହୀ’ - ସ୍ଵାମୀ ଅର୍ଥରେ । ୧୬। ଡୁବନ୍ତ-ବୁଡ଼ିଥିବା, କାବ୍ୟତାରା, ଅବାଚୀର ତାରା-ଶୁକ୍ରତାରା, ତରଣି ସୂର୍ଯ୍ୟ, ଅଂଶଧର, ବେଗବନ୍ତ, ଅର୍ଥୀ, ପ୍ରତ୍ୟର୍ଥୀ, ସ୍ତୂପାୟିତ, ସ୍ତନୀଭୂତ, ଚାରୁବାକ୍‌, ବକ୍ରବାକ୍, ଚିତ୍ତଗହନେ, ଅଞ୍ଜନାଭ- (କଳା), ଗୀତର ବୀଚି- (ସଙ୍ଗୀତ ଲହରୀ), କମ୍ପ୍ର-କମ୍ପିତ, ଭଉଁରିଲା (ଭମିଲା), ଡୋଳାପ୍ରତିମା (ନୟନ ପ୍ରତିମା) ଇଚ୍ଛାଚାରୀ, ମରମଚାରୀ, ଚିତ୍ତପରଶି, ମରମପରଶି, ନୀରଧି (ଜଳଧି), ବନ୍ୟେ (ବନ୍ୟଠାରେ) ଗୁଣ୍ଠନ (ଅବଗୁଣ୍ଠନ) ଉଲଙ୍ଗ ଉଲଗ୍ନ-ମନ୍ମଥବାଦିନୀ, ଗଗନଭୂମେ, ଚିତ୍ତଭୂମେ, ଧରଣୀଭୂମେ ଇତ୍ୟାଦି ଅନେକ ଶବ୍ଦ ତାଙ୍କର ପ୍ରାୟୋଗିକ ସଫଳତା ପ୍ରକାଶ କରନ୍ତି । ‘ଭୂମେ’ ଶବ୍ଦକୁ ସେ ଗଗନ, ଚିତ୍ତ ଓ ଧରଣୀ ସହିତ ଯୋଗକରି ଏହାର ସ୍ଥାନାଧିକରଣ ସମ୍ପର୍କ ପ୍ରକାଶ କରିଛନ୍ତି । ସେହିପରି ‘ଅନମ୍ବର’ ମୁକ୍ତ ଆକାଶର ପ୍ରକାଶକ । ‘ବାକ୍‌’ ସହିତ ‘ଚାରୁ’ ଓ ‘ବକ୍ର’ର ସଂଯୋଗ ଘଟାଇ ସେ ବକ୍ରବାକ୍ ଓ ଚାରୁବାକ୍‌ ଶବ୍ଦ ସୃଷ୍ଟି କରିଛନ୍ତି । ‘ଚାପ’ ଶବ୍ଦକୁ ସେ ‘ଦାଗ’ ଅର୍ଥରେ ବ୍ୟବହାର କରିଛନ୍ତି ।୧୭। ମୋଟ ଉପରେ କହିବାକୁ ଗଲେ ପାଚକକୁ ନେଇ ପାକ ସ୍ଵତନ୍ତ୍ର ହୋଇଥାଏ । ସେଇ ପାକ ସରଞ୍ଜାମ ଅନ୍ୟ ପାଚକ ଦ୍ଵାରା ଭିନ୍ନ ଆକାର ଧାରଣ କରିଥାଏ ସେହିଭଳି କବି ପ୍ରଚଳିତ ଶବ୍ଦକୁ ନେଇ ଭିନ୍ନ ଭିନ୍ନ ପ୍ରୟୋଗ ଦ୍ଵାରା ବିଭିନ୍ନ ଅର୍ଥ ପ୍ରତୀତି ଆଣିଛନ୍ତି, ଯାହା ଅଯଥାର୍ଥ ନ ହୋଇ ବରଂ ଶ୍ରେୟସ୍କର ହୋଇପାରିଛି ।

 

ଶବ୍ଦ ସୃଜନରେ ନବୀନତା :

ରଙ୍ଗକାର ରଙ୍ଗ ତୂଳୀରେ ରଙ୍ଗର ବର୍ଣ୍ଣାଳି ସୃଷ୍ଟି କରେ । ଗୋଟିଏ ରଙ୍ଗ ସହିତ ଅନ୍ୟରଙ୍ଗର ସଂଯୋଗ ଘଟାଇ ସେ ନୂଆ ରଙ୍ଗ ସୃଷ୍ଟି କରେ । କବି ସେମିତି ଶବ୍ଦକୁ ଶବ୍ଦ ସହିତ ଯୋଗକରି ନୂତନତ୍ୱ ଆଣେ । ନୂତନ ରଙ୍ଗ ସଂଯୋଜନା ଶିଳ୍ପୀର ରୁଚିବୋଧ ଉପରେ ନିର୍ଭର କରେ; ମାତ୍ର ନୂତନ ଶବ୍ଦ କବିର ରୁଚି ଓ ସଂଯୋଗ କ୍ଷମତା ଉପରେ ନିର୍ଭର କରେ । ଏଇ ସତ୍ୟ କବି ଗଡ଼ନାୟକଙ୍କ ଶବ୍ଦ ସଂଯୋଜନାର ଚମତ୍କାରିତାରୁ ଉପଲବ୍‌ଧି କରାଯାଏ । ଶବ୍ଦକୁ ନୂତନ ଭାବରେ ବସାଇ ଯେମିତି କବି ପ୍ରୟୋଗ କୁଶଳତା ପ୍ରଦର୍ଶନ କରିଛନ୍ତି, ସେମିତି ମଧ୍ୟ ଶବ୍ଦ ସୃଜନରେ ନୂତନତା ଆଣିବାରେ କ୍ଷମ ହୋଇଛନ୍ତି । ଦୃଷ୍ଟାନ୍ତ ସ୍ଵରୂପ ଏଠାରେ କେତେକ ନବଶବ୍ଦର ତାଲିକା ଦିଆଯାଇପାରେ । ଯଥା-

 

କବିଙ୍କ ପ୍ରଯୁକ୍ତ ଶବ୍ଦ

ଅର୍ଥ

ବର୍ତ୍ତୀ

ବତୀ

ମନମତ

ମନମୁତାବକ/ମନମାଫିକ

ଅକଳନା ମୂଲ

ଅକଳ୍ପନୀୟ ଦାମ୍‌

ଅସମା (ନସମା)-      

ଅତୁଳନୀୟା

ନୀରଧି

ସମୁଦ୍ର

ଅବିଦୂରେ

ବିଶେଷ ଦୂରରେ ନୁହେଁ/ନିକଟରେ

ଅଭୀକ

ନିର୍ଭୀକ

ଅଗ୍ରଯାୟୀ

ଅଗ୍ରଗାମୀ

ବୀର୍ଯ୍ୟଶୁଳ୍‌କା-ବୀର୍ଯ୍ୟଗ୍ରହଣକ୍ଷମା

ବୀର୍ଯ୍ୟ ଗ୍ରହଣ ଉପଯୁକ୍ତା

ସୁରଭାଇ

ସୁରଭିତ କରି

କାମ୍ୟତର-

ଅପେକ୍ଷାକୃତ ଅଧିକ କାମ୍ୟ- ( କାମ୍ୟ+ତରପ୍‌)

କଳ୍ପଜୀବୀ-

ଦୀର୍ଘଜୀବୀ

ଘନଞ୍ଜୟ-

(ଧନଞ୍ଜୟ ଭଳି) ଘନକୁ ଜୟକରେ ଯେ

କଣ୍ଠତନ୍ତ୍ରୀ-

(ହୃଦୟତନ୍ତ୍ରୀ ଭଳି)

ଅନ୍ଧତାମସେ-

ଘୋର ଅନ୍ଧକାରରେ

ମୃତ୍ୟୁଭୁକ୍‌-

ମୃତ୍ୟୁଭୋକ୍ତା

ଡୁବନ୍ତ-

ବୁଡ଼ିଯାଉଥିବା

ନିସୀମ-

ଅସୀମ

ଶଙ୍କିଳ-

ଶଙ୍କାଯୁକ୍ତ (‘ପଙ୍କିଳ’ ଭଳି)

ହର୍ଷରୁତ-

ହର୍ଷଧ୍ଵନି

ବହ୍ନିକ-

(ବହ୍ନି+ଇକ) ବହ୍ଣି ସମ୍ବନ୍ଧୀୟ - ବହ୍ନିଳ

ବିପର୍ଯ୍ୟାସ-

ବିପର୍ଯ୍ୟୟ

କୂଳକଂଷା-

(ଅଭ୍ରକଂଷା ଭଳି)

ଯୁଯୁଧାନ-

ଯୁଦ୍ଧ କରୁଥିବା ଯୋଦ୍ଧା

ସମବ୍ୟର୍ଥୀ-

ସମଦୁଃଖୀ

ବୀତବନ୍ଧୁ-

(ବୀତଶୋକ; ବୀତସ୍ପୃହ ଭଳି) ବନ୍ଧୁହରା ।

ଭୂମିବିତ୍‌-

(ଶିକ୍ଷାବିତ ଭଳି) ଭୂମିକୁ ଜାଣେ ଯେ

ମଙ୍ଗଳବାଦୀ-

ମଙ୍ଗଳକାମୀ

ଫେନାଇ-

ଫେଣଯୁକ୍ତ

କୁମାରିକା-

କୁମାରୀ

କୈଶୋରିକା-

କିଶୋରୀ

ରହସ୍ୟିକା-

ରହସ୍ୟମୟୀ

ନିପୁଣିକା-

ନିପୁଣା/ପ୍ରବୀଣା

ପ୍ରାନ୍ତିକ-

ପ୍ରାନ୍ତବାସୀ/ ତୀରବାସୀ

ଅନୁପାୟ-

ନିରୁପାୟ

ଜନାନ୍ତର-

ଲୋକାନ୍ତର

ବକୁଳିତ-

(ମୁକୁଳିତ ଭଳି) ବଉଳିଥିବା, ବଉଳ ଧରିଥିବା

ଅଟ୍ଟରୋଳ-

ଅଟ୍ଟହାସର ଶବ୍ଦ

ଉଦ୍‌ବସ୍ତୁ-

ବାସ୍ତୁହରା/ଗୃହହରା

ନିପାତନ-

(ସଂସ୍କୃତ ନିପାତନ ଶବ୍ଦରୁ) ବ୍ୟତିକ୍ରମ

ଦୋଆବ-

ଦୁଇଆପ-ଦୁଇନଦୀର ମଧ୍ୟବର୍ତ୍ତୀ ସ୍ଥାନ (ପଞ୍ଜାବଭଳି )

 

ଏଇ ଶବ୍ଦଗୁଡ଼ିକର ସୃଜନ ଏବଂ ଏଗୁଡ଼ିକର ପ୍ରୟୋଗ ସାଫଲ୍ୟ କବିଙ୍କୁ ଜଣେ ଶବ୍ଦ-ଶିଳ୍ପୀ ବା ଶବ୍ଦ- ଚିତ୍ରକରରେ ପରିଣତ କରିଛି । ତାଙ୍କର ପ୍ରୟୋଗରେ ନୂତନତା ସହିତ ସଫଳତା ସମ୍ଭବ ହୋଇଛି । କେତେକ ସ୍ଥଳେ ସ୍ୱାଧୀନ ଶବ୍ଦ ସୃଜନ ଦୋଷଦୃଷ୍ଟ ହେଲେ ମଧ୍ୟ ପ୍ରୟୋଗର ସଫଳତା ଏଇ ଦୋଷକୁ ଗୁଣରେ ପରିଣତ କରିଛି । ଉଦାହରଣତଃ- ‘କଳଙ୍କବତୀ’ ଶବ୍ଦକୁ ନିଆଯାଇପାରେ । କଳଙ୍କବତୀ ଶବ୍ଦଟି କଳଙ୍କ+ବତୁପ୍‌ (ସ୍ତ୍ରୀ-ଈ)=କଳଙ୍କବତୀ ହୋଇଛି । ସଂସ୍କୃତରେ ଅଭିଳାଷ ଓ ଇଚ୍ଛା ଅର୍ଥରେ ‘ବତୁପ୍‌’ ପ୍ରତ୍ୟୟ କରାଯାଏ । ମାତ୍ର କଳଙ୍କଯୁକ୍ତା ହେବା ପାଇଁ କେହି ଇଚ୍ଛା କରନ୍ତି ନାହିଁ । ସୁତରାଂ କଳଙ୍କ ସହିତ ବତୁପ୍‌ର ପ୍ରତ୍ୟୟ ହୋଇ ସୃଷ୍ଟି ହୋଇଥିବା ‘କଳଙ୍କବତୀ’ ଉପଯୁକ୍ତ ଶବ୍ଦ ନୁହେଁ । କିନ୍ତୁ କବି ଏହାକୁ ଅତି ସଫଳତାର ସହିତ ପ୍ରୟୋଗ କରିଛନ୍ତି ‘ନୀଳ ମାଷ୍ଟରାଣୀ’ କବିତାରେ । ବାଲ୍ୟବିଧବା ବ୍ରାହ୍ମଣୀ ନୀଳର ଧୁରୁବ ଧୋବା ପ୍ରତି ଆକର୍ଷଣ ତାକୁ କଳଙ୍କିତ କରିଛି । ଦେହର ଦାହ ପାଇଁ ନୀଳ ସ୍ଵତଃପ୍ରବୃତ୍ତ ଭାବରେ ଧୁରୁବକୁ ଆଦରି ନେଇଛି ।୧୮। ମାତ୍ର କେତେକ କ୍ଷେତ୍ରରେ ଯୋଗ୍ୟତାବିରହ ଦୋଷ ପରିଲକ୍ଷିତ ହୁଏ । ଯଥା- ‘ଅକୂଳମରୁ’ ‘କୂଳ’ ଶବ୍ଦ ‘ମରୁ’ ସହିତ ସଂଯୁକ୍ତ ହୋଇଥିବାରୁ ଏଇ ଦୋଷ ସଂଘଟିତ ହୋଇଛି । ‘ଅକୂଳମରୁ’ କୂଳ ନ ଥିବା ମରୁଭୂମିକୁ ବୁଝାଉଥିବାରୁ ଏହା ଅଯଥାର୍ଥ ମନେହୁଏ । ଭୂମିଠାରେ ସୀମା ଓ ସରହଦ ପ୍ରୟୋଗ କରାଯାଉଥିବା ସ୍ଥଳେ କବି କୂଳ ପ୍ରୟୋଗ କରିଛନ୍ତି ! ପୁନଶ୍ଚ ‘ମୃତ୍ୟୁଭୁକ୍‌’ ।୧୯। ଶବ୍ଦକୁ କବି ‘ମୃତ୍ୟୁପାଇଁ ଅପେକ୍ଷା କରିଥିବା ଲୋକ’ ବା ‘ମୃତ୍ୟୁ ଅପେକ୍ଷାକାରୀ’ ଅର୍ଥରେ ପ୍ରୟୋଗ କରିଛନ୍ତି, ଯାହା ଅଯଥାର୍ଥ ମନେହୁଏ । ‘ଭୁକ୍‌’ ଶବ୍ଦ ବହୁ ପ୍ରାଚୀନ ସଂସ୍ଫୃତରେ ପ୍ରଯୁକ୍ତ ଭୁଜ୍‌+କ୍ୱିପ୍‌=ଭୁକ୍‌, ହିତଭୁକ୍, ‘ମିତଭୁକ୍‌ ଓ ୠତଭୁକ୍‌’ ଏଇଭଳି ପ୍ରଯୁକ୍ତ ଶବ୍ଦ, ଯାହାର ଅର୍ଥ ହେଉଛି ଯେ ହିତକର, ମିତ ଓ ସାତ୍ତ୍ୱିକ ଭୋଜନ କରେ । କିନ୍ତୁ କବି ‘ମୃତ୍ୟୁଭୁକ୍‌’ ଶବ୍ଦକୁ ସେହି ଅର୍ଥରେ ବ୍ୟବହାର କରିନାହାନ୍ତି । ପୁନଶ୍ଚ ଏଇ ‘ଭୁକ୍‌’ ଯୋଗେ କବି ‘ସର୍ବଭୁକ୍‌’ ଶବ୍ଦ ସୃଷ୍ଟି କରିଛନ୍ତି ଯାହାର ଅର୍ଥ ହେଉଛି ସର୍ବଗ୍ରାସୀ । ଏହା ସଂସ୍କୃତ ଭାଷାର ‘ହିତଭୁକ୍‌’ର ପର୍ଯ୍ୟାୟଭୁକ୍ତ, ଯାହା ବିଶେଷଭାବେ ‘ଭୋକ୍ତା’କୁ ବୁଝାଏ । କେତେକ ସ୍ଥଳରେ ଯତିପାତ ଏବଂ ଉପଧା ମିଳନ ପାଇଁ ଶ୍ରୁତି ସୁଖଦ ଶବ୍ଦ ପ୍ରୟୋଗ ଧାଇଁ ଏକ ଦୋଷ ଦେଖାଯାଏ । ଯଥା- ‘ଗାଆଁ ବିଲବନେ ବରଷାର ମେଘ ମହ୍ଲାର/ସରସୀ ସରସେ ଫୁଲ୍ଲ କମଳ କହ୍ଲାର ।’ ଏଠାରେ ‘କହ୍ଲାର’ ଶବ୍ଦ ମହ୍ଲାର ସହିତ ଯତିକ୍ରମ ରକ୍ଷା ପାଇଁ ପ୍ରଯୁକ୍ତ । ଏହା ମଧ୍ୟ ଫୁଲ୍ଲ ସହିତ ଆନୁପ୍ରାସିକ ଶୃଙ୍ଖଳା ରକ୍ଷାକରି ଧ୍ଵନି ମାଧୁର୍ଯ୍ୟ ସୃଷ୍ଟି କରୁଛି । କିନ୍ତୁ ଅର୍ଥ ଦୃଷ୍ଟିରୁ ଏହା ଭ୍ରମାତ୍ମକ ମନେ ହେଉଛି । ଫୁଲ୍ଲ-ଫୁଟିଥିବା ଓ କହ୍ଲାର-କଢ଼ । ଫୁଟିଥିବା କମଳ କଢ଼ କହିଲେ ଏଠାରେ, ସଙ୍ଗତି ରକ୍ଷା ହୋଇପାରୁ ନାହିଁ । ଅତଏବ କବି ଏଠାରେ ସଙ୍ଗୀତ ଧ୍ଵନି ଆବଶ୍ୟକତା ଦୃଷ୍ଟିରୁ ସଙ୍ଗତିକୁ ବାଦ ଦେଇଥିବା ଜଣାପଡ଼େ । ସଙ୍ଗୀତ ଧ୍ଵନିର ଚମତ୍କାରିତା ତୁଳନାରେ ଏଇଭଳି ଅସଙ୍ଗତି ବିଶେଷ ଲକ୍ଷଣୀୟ ନୁହେଁ । ପୁଣି କୁମାରିକା, ନିପୁଣିକା, ରହସ୍ୟିକା ଇତ୍ୟାଦି ଶବ୍ଦ ସୃଜନ କ୍ଷେତ୍ରରେ ଛନ୍ଦପାତ ନିୟମ ପ୍ରତି ଧ୍ୟାନ ଦିଆଯାଇଛି । ଅତି ସାବଧାନତାର ସହିତ ତାଙ୍କର ଉପରୋକ୍ତ ଶବ୍ଦମାନଙ୍କ ପ୍ରତି ଦୃଷ୍ଟି ଦେଲେ ସ୍ଵତଃ ଜଣାପଡ଼େ ଯେ, କବି ଅର୍ଥଗତ ଚମତ୍କାରିତା ପ୍ରକାଶ କରିବା ପାଇଁ ଯେତିକି ନୁହେଁ, ବରଂ ସଙ୍ଗୀତର ସ୍ଵର ସୃଷ୍ଟି ଓ ଛନ୍ଦ, ଯତି ନିୟମର ଶୃଙ୍ଖଳାରକ୍ଷା କରିବା ପାଇଁ ଅଧିକ ଯତ୍ନ କରିଛନ୍ତି । ତେଣୁ କବିଙ୍କର ଶବ୍ଦ ସୃଜନ କ୍ଷେତ୍ରରେ ସଙ୍ଗୀତର ସ୍ଵର ଅନୁରଣିତ । ତାଙ୍କର ଶବ୍ଦ ସୃଜନରେ ରସ ସଞ୍ଚାର ସମ୍ଭବ ହୋଇଛି ଓ ମୂକକୁ ତାଙ୍କ ଶବ୍ଦ ସଙ୍ଗୀତମୁଖର କଲାଭଳି ବୋଧ ହେଉଛି ।

 

ବିଶେଷଣଯୁକ୍ତ ଶବ୍ଦ :

ସଙ୍ଗୀତ ମୂର୍ଚ୍ଛନା ସୃଷ୍ଟି କରିବା ପାଇଁ କବି ଅନେକତ୍ର ଶବ୍ଦ ସହିତ ବିଶେଷ ବିଶେଷଣର ପ୍ରୟୋଗ କରିଥିବା ଲକ୍ଷ୍ୟ କରାଯାଏ । ତାଙ୍କର ବିଶେଷଣଯୁକ୍ତ ଶବ୍ଦ ସର୍ବତ୍ର ଧ୍ଵନି ମାଧୁର୍ଯ୍ୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଶ୍ରୁତି ସୁଖକର ହୋଇଛି । ତାଙ୍କ ବିଶେଷଣ ଗୁଡ଼ିକରେ ବିଶେଷ୍ୟ ପଦର ଉଚ୍ଚାରଣ କ୍ରମ ପରିଲକ୍ଷିତ । ବର୍ଣ୍ଣଗତ ଶୃଙ୍ଖଳା ସହିତ ବିଶେଷଣଗୁଡ଼ିକ ବିଶେଷ୍ୟ ପୂର୍ବରୁ ବସିଥିବାରୁ ତାହା ମଧ୍ୟ କର୍ଣ୍ଣ ରସାୟନ ହୋଇଅଛି । କେତୋଟି ଉଦାହରଣରୁ ତାହା ଜଣାପଡ଼େ । ଯଥା ପ୍ରମତ୍ତ ମୁଦିର ଅପଥପ୍ରୀତି, ପେଲବଛବି, ସାନ୍ଦ୍ର ମୁଦିର, ସାନ୍ଦ୍ର ଅନ୍ଧକାର, ବିଦେହର ଦାହ, ମୃଦୁ ମୃଣାଳ, ଧୃତିଭରାଗିର, ଆସାର ବାରି, ଆଷାଢ଼ ଆସାର, ମଞ୍ଜୀର ଶିଞ୍ଜନ, ଶାଦ୍‌ବଳତଳ୍ପିତ, ଦୃସ୍ତପତାକା, ପ୍ରୀତିବିଥିକା, ଜୈତ୍ରକେତୁ, ହିରଣହାସ, ସଭ୍ୟତାଭାନୁ, ଆଗ୍ନେୟଜିଜ୍ଞାସା ଓ ସ୍ତୂପାୟିତ ସଞ୍ଚୟ ଇତ୍ୟାଦି ବିଶେଷଣ ବହୁଳ ପଦମାନଙ୍କରେ ପ୍ରାୟତଃ ଆନୁପ୍ରାସିକ ଶୃଙ୍ଖଳା ରକ୍ଷା କରାଯାଇଥବାରୁ ଏଗୁଡ଼ିକର ଧ୍ୱନି ମାଧୁର୍ଯ୍ୟ ସଂରକ୍ଷିତ ହୋଇଛି ।

 

ଏହାଛଡ଼ା ତାଙ୍କ ରଚନାରେ ବହୁଳ ବିଶେଷଣ ଯୁକ୍ତ ଶବ୍ଦ ଯଥା- ଉଚ୍ଛନ୍ନ ହସ, ଧାରାବରଷା, ଆର୍ତ୍ତ ଆକିଞ୍ଚନ, ଆର୍ତ୍ତବ ଆହ୍ୱାନ, ବେଦନାପ୍ରାସ, ସ୍ମେରମୁଖ, ନିଥରବନୀ, ଅସଂବୃତଲୀଳା, ମିଳିତ ଆରବ, ଅକୂଳସିନ୍ଧୁ, ଉଚ୍ଛଳ ବଣିକ, ତଗଡ଼ାଜୁଆନ, ଗୀତରବୀଚି, ତୁମୁଳ କରକା, ଅଞ୍ଜନ କଳା, ମୁଗ୍‌ଧ ବିଭୋର, କମ୍ପ୍ରଅଧର, ଅନ୍ଧତାମସ, ଚାରୁଉତ୍ପଳବର୍ଣ୍ଣା ଓ ବିକଚ ଲାଜ ଇତ୍ୟାଦି ଅନେକ ଶବ୍ଦ ପରିଦୃଷ୍ଟ ହୁଏ । ଏଗୁଡ଼ିକ ବିଶେଷଣ ବହୁଳ ହେଲେ ମଧ୍ୟ ବିଶେଷ୍ୟଗୁଡ଼ିକର ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟତାକୁ ବୁଝାଉଥବାରୁ ଏପରି ଶବ୍ଦ ଯୋଜନାକୁ ଉତ୍କୃଷ୍ଟ ବୋଲି କୁହାଯାଇପାରେ ।

 

ଦୁଇଶବ୍ଦ ବିଶିଷ୍ଟ ପଦଯୋଜନା ଭିନ୍ନ କବିଙ୍କର ଅଧିକାଂଶ ବାକ୍ୟରେ ଏଇ ଧରଣର ଶବ୍ଦ ପ୍ରୟୋଗ ଦେଖିବାକୁ ମିଳେ । ଯଥା :-

 

ତଡ଼ିତ-କନକ ହାସ୍ୟଜଡ଼ିତ ଉତଳା ବର୍ଷାଧାରା,

ରଞ୍ଜିତ ହିମଭିଜା ଶ୍ୟାମ ଘାସତଳପ,

ନନ୍ଦନ ବାସିନୀ ଅମର୍ତ୍ତ୍ୟ ସୁନ୍ଦରୀ,

ପୁଷ୍ପବୀଥିର ଚିତ୍ତ ଉତ୍ତଳା ଗନ୍ଧ,

ଉଷାସନ୍ଧ୍ୟାର ଚିତ୍ତ ପରଶୀ ମୂର୍ତ୍ତି,

 

ରମ୍ୟ ରୁଚିର ହର୍ମ୍ୟ,

ସୁର ନନ୍ଦିନୀ ଉଷାରୁପସୀର ଉଜ୍ଜଳ ହେମରେଖା;

ନିବାତନିଥର ପ୍ରଦୀପ ଶିଖା,

ପୀଡ଼ିତ ସ୍ନାୟୁର ଘର୍ମ,

ଶୋଣିତ ଅରୁଣ ବ୍ୟଥା,

ଲୀଳାବତୀ ମହାଶ୍ରେତା ରାତି,

 

କାମନାର କାନ୍ତ ଅନ୍ତରାଳ,

ନୀଳ ସୁନ୍ଦର ଶଇଳ ପୁଞ୍ଜ,

ହାସ୍ୟ ଧଉତ ଓଠ,

ଫୁଲ ସ୍ତବକିନୀ ରୂପଲତା,

 

ଏହିଭଳି ଶବ୍ଦ ସଂଯୋଜନା ଦ୍ୱାରା ଗଡ଼ନାୟକ ଶବ୍ଦ ଶିଳ୍ପର ବିଶେଷଣ ବହୁଲତା ଓ ଧ୍ଵନି ମାଧୁର୍ଯ୍ୟ ପ୍ରକାଶିତ ।

 

‘ରୀତି’ ଓ ‘ଗୁଣ’ ଦୃଷ୍ଟିରୁ ଗଡ଼ନାୟକଙ୍କ ଶବ୍ଦ ଯୋଜନା :

ସଂସ୍କୃତ ସାହିତ୍ୟରୁ କବି ବହୁ ଶବ୍ଦ ଗ୍ରହଣ କରିଛନ୍ତି ଓ ଓଡ଼ିଆ ଶବ୍ଦକୁ ସେ ସଂସ୍କୃତ ନିକଟବର୍ତ୍ତୀ କରି ପ୍ରୟୋଗ କରିଛନ୍ତି । ତେଣୁ ତାଙ୍କ ଶବ୍ଦ ଯୋଜନାକୁ ସଂସ୍କୃତ ଆଳଙ୍କାରିକ ପ୍ରବର୍ତ୍ତିତ ରୀତି ଓ ଗୁଣ କେତେଦୂର ଆଚ୍ଛନ୍ନ କରିଛି ତାହା ବିଶ୍ଳେଷଣ କରିବା ଯଥାର୍ଥ ମନେହୁଏ । କୌଣସି ବିଶେଷ ବର୍ଣ୍ଣନାକୁ ରୂପ ଦେବାପାଇଁ ବିଶେଷ ଶବ୍ଦମାନଙ୍କର ଆବଶ୍ୟକତା ପଡ଼େ । ପ୍ରକାଶଭଙ୍ଗୀ ଉପରେ ରଚନାର ଚମତ୍କାରିତା ସର୍ବଦା ନିର୍ଭରଶୀଳ । ଏଇ ପ୍ରକାଶ କଳାକୁ ସଂସ୍କୃତ ସାହିତ୍ୟରେ ‘ରୀତି’ ବୋଲି କୁହାଯାଏ । ସଂସ୍କୃତ ଆଳଙ୍କାରିକ ଆଚାର୍ଯ୍ୟ ବାମନଙ୍କ ମତରେ ରୀତି ହେଉଛି କାବ୍ୟର ଆତ୍ମା ।୨୧ । ସାହିତ୍ୟ ଦର୍ପଣକାର ବିଶିଷ୍ଟ ଆଳଙ୍କାରିକ ବିଶ୍ଵନାଥ କବିରାଜ, ପଦମାନଙ୍କର ଯଥୋପଯୁକ୍ତ ପ୍ରୟୋଗକୁ ରୀତି ବୋଲି ଗ୍ରହଣ କରିଛନ୍ତି ଓ ଏହାକୁ ଚାରିଭାଗରେ ବିଭକ୍ତ କରିଛନ୍ତି ।୨୨। ମନୁଷ୍ୟ ଶରୀରରେ ଅବୟବମାନଙ୍କର କ୍ରମ ସଜ୍ଜୀକରଣର ଯଥାର୍ଥତା ଭଳି କାବ୍ୟ ଶରୀରରେ ପଦ ସମୂହର ଉପଯୁକ୍ତ ସଂଯୋଜନାକୁ ‘ରୀତି’ କୁହାଯାଏ । ସଂସ୍କୃତ ଆଳଙ୍କାରିକମାନଙ୍କ ଦ୍ଵାରା ବିଶେଷ କରି ବୈଦର୍ଭା, ଗୌଡ଼ୀ, ପାଞ୍ଚାଳୀ ଓ ଲାଟୀ ଇତ୍ୟାଦି ଚାରିଗୋଟି ରୀତିର ପ୍ରାଧାନ ଦିଆଯାଇଛି । ଅଧିକାଂଶ ଆଳଙ୍କାରିକ ରୀତିକୁ କାବ୍ୟର ଆତ୍ମା ବୋଲି ସ୍ଵୀକାର କରିଛନ୍ତି । ମାତ୍ର ସାହିତ୍ୟିକ କ୍ରମବିର୍ତ୍ତନରେ ଏହା ବର୍ତ୍ତମାନ କବି ସ୍ଵଭାବକୁ ହିଁ ବୁଝାଇଥାଏ ।

 

ପୁନଶ୍ଚ ମନୁଷ୍ୟର ଶାରୀରିକ ସୌନ୍ଦର୍ଯ୍ୟ ଦ୍ୱାରା ପୂର୍ଣ୍ଣାଙ୍ଗ ମଣିଷର ସ୍ଥିର ଚିତ୍ର ମିଳେ ନାହିଁ । ଗୁଣ ହିଁ ମନୁଷ୍ୟର ଭୂଷଣ । ଦୟା, କ୍ଷମା, ତ୍ୟାଗ, ତିତିକ୍ଷାଦି ଗୁଣ ମଣିଷର ଭୂଷଣ ହେଲାଭଳି ମାଧୁର୍ଯ୍ୟ, ଓଜ, ପ୍ରସାଦାଦି କାବ୍ୟପୁରୁଷର ଉତ୍ତମ ଗୁଣ । ସଂସ୍କୃତ ଆଳଙ୍କାରିକମାନେ ଗୁଣକୁ ପ୍ରାଧାନ୍ୟ ଦେଇଛନ୍ତି । ରସ ଇତ୍ୟାଦିର ସ୍ଥିରତା ଏବଂ ସାକ୍ଷାତ୍‌ ସମ୍ବନ୍ଧରେ ଉତ୍କର୍ଷ ବିଧାୟକ ଧର୍ମ ହେଉଛି ଗୁଣ ।୨୩। ତେଣୁ ଉପଯୁକ୍ତ ରସ ସଞ୍ଚାର ପାଇଁ ଉପଯୁକ୍ତ ଶବ୍ଦ ପ୍ରୟୋଗର ଆବଶ୍ୟକତା ରହିଛି ବୋଲି ବିଶ୍ଵନାଥ କବିରାଜ ସ୍ଵୀକାର କରିଛନ୍ତି ।୨୪। ଗୁଣକୁ କେତେକ ଆଳଙ୍କାରିକ ଶବ୍ଦଗୁଣ ଓ ଅର୍ଥଗୁଣ ଭେଦରେ ଦୁଇଭାଗରେ ବିଭକ୍ତ କରନ୍ତି । ରୀତି ସର୍ବଦା ଗୁଣାଶ୍ରିତ । ଶବ୍ଦଗୁଣ ଉପରେ ରୀତି ନିର୍ଭର କରିଥାଏ । ତେଣୁ ଶବ୍ଦଯୋଜନା କ୍ଷେତ୍ରରେ ରସସଞ୍ଚାର ପାଇଁ ରୀତି ଓ ଗୁଣର ଆବଶ୍ୟକତା ଯଥେଷ୍ଟ । ଏଇ ପରିପ୍ରେକ୍ଷୀରେ ଗଡ଼ନାୟକୀ ଶବ୍ଦ ପ୍ରୟୋଗର ରୀତି ଓ ଗୁଣ ବିଚାର କରାଯାଇପାରେ ।

 

ମାଧୁର୍ଯ୍ୟ - ଚିତ୍ତ ଦ୍ରବିଭୂତାବସ୍ଥାଜନିତ ଆହ୍ଲାଦ ଜାତ ହେଲେ ସେ କ୍ଷେତ୍ରରେ ମାଧୁର୍ଯ୍ୟ ଗୁଣ ହୁଏ ।୨୫। ଶୃଙ୍ଗାର, କରୁଣ, ଶାନ୍ତ ପ୍ରଭୃତି ରସସଞ୍ଚାର ସହିତ ଏଥିରେ ପ୍ରାୟ ଅନ ସମାସଯୁକ୍ତ ଶବ୍ଦ ପ୍ରଯୁକ୍ତ ହୁଏ । କବିଙ୍କର କବିତାରେ ଏଇଧରଣର ପଦଯୋଜନା ଅଳ୍ପ ନୁହେଁ-ତାଙ୍କର ‘କବି ହେବା ପାଇଁ ବାସନା ମୋର’ କବିତା ଏହାର ଉଜ୍ୱଳ ଦୃଷ୍ଟାନ୍ତ ।୨୬।

 

ଓଜ- ପଦଯୋଜନାରୁ ଚିତ୍ତର ବିସ୍ତୃତି ଭାବ ଦୀପ୍ତ ହେଲେ ତାକୁ ଓଜଗୁଣ କୁହଯାଏ ।୨୭। ଦୀର୍ଘ ସମାସଯୁକ୍ତ ଶବ୍ଦ, ଯୁକ୍ତାକ୍ଷର, ‘ଟ’ ବର୍ଗର ବର୍ଣ୍ଣ ସଂଯୋଗ ଏହାର ଅନ୍ୟତମ ବୈଶିଷ୍ଟ୍ୟ-। ଗଡ଼ନାୟକଙ୍କର ‘ରମ୍ୟରୁଚିର ହର୍ମ୍ୟ, ସ୍ଵର୍ଣ୍ଣ ଗଉର ବର୍ଣ୍ଣସାର/କର୍ଣ୍ଣ ଭୂଷଣ କର୍ଣ୍ଣିକାର/ନମ୍ର ନୁହଇ କମ୍ର ନୁହଇ ନୁହେଁ ମୁଁ ଧୀର/ଉଗ୍ର ମୁଁ ଆଜି ବ୍ୟଗ୍ର ମୁଁ ଆଜି ଅଗ୍ରସର’ ଇତ୍ୟାଦି ଅନେକ ପଦରେ ଏଇ ଓଜଗୁଣ ରହିଛି ।

 

ପ୍ରସାଦ- ଶୁଷ୍କ ଇନ୍ଧନରେ ଅଗ୍ନିର ବ୍ୟାପକତା ତୁଲ୍ୟ ଯେଉଁ ଗୁଣ ହଠାତ୍‍ ଚିତ୍ତକୁ ଆକର୍ଷଣ କରେ ତାକୁ ପ୍ରସାଦଗୁଣ କୁହାଯାଏ ।୨୮। ଗଡ଼ନାୟକୀ ଶବ୍ଦ ସଂଯୋଜନାରେ ପ୍ରାୟ ଏଇ ଗୁଣ ଅନେକତ୍ର ପରିଦୃଷ୍ଟ । ସମସ୍ତ ପ୍ରକାର ରସ ସଞ୍ଚାର ଏଇ ଗୁଣ ଦ୍ୱାରା ସମ୍ଭବ ହୋଇଥାଏ ।

 

ସାହିତ୍ୟର ଏଇ ଗୁଣଗୁଡ଼ିକ ରୀତିର ଅନ୍ତର୍ଭୁକ୍ତ । ତେଣୁ ରୀତିକୁ ବିଶେଷ ପ୍ରାଧାନ୍ୟ ପ୍ରଦାନ କରାଯାଇ, ଗଡ଼ନାୟକୀ ଶବ୍ଦ ଯୋଜନା ରୀତି କେତେଦୂର ରୀତିସିଦ୍ଧ ଆଲୋଚନା କରାଯାଇପାରେ । ମୁଖ୍ୟତଃ ଗଡ଼ନାୟକଙ୍କ ଶବ୍ଦ ସଂଯୋଜନା ରୀତି ବୈଦର୍ଭୀ, ଗୌଡ଼ୀ ଓ ପାଞ୍ଚାଳୀ ଭେଦରେ ତ୍ରିଧା ବିଭକ୍ତ ।

 

ବୈଦର୍ଭୀ- ମାଧୁର୍ଯ୍ୟ ଗୁଣ ବ୍ୟଞ୍ଜକ ଅଳ୍ପ ସମାସଯୁକ୍ତ ଶବ୍ଦ ସଂଯୋଜନା କୋମଳ ଓ ଲଳିତ ପଦ ସଂସ୍ଥାପିତ ହୋଇଥିବା ରଚନାକୁ ବୈଦର୍ଭୀ ରୀତି କୁହାଯାଏ ।୨୯। କବିଙ୍କର ଅଧିକାଂଶ ଶବ୍ଦରେ କୋମଳତା ଏବଂ ତରଳତା (Lucidity) ଥିବାରୁ, ତାଙ୍କ ରଚନାରେ ଅନେକତ୍ର ଏଇ ରୀତି ଅନୁସୃତ ହୋଇଥିବା ଲକ୍ଷ୍ୟ କରାଯାଏ । ‘କାବ୍ୟନାୟିକା’ର ‘ବିଦ୍ରୋହୀ ବସନ୍ତ’ ଓ ‘ପଶୁ ପକ୍ଷୀର କାବ୍ୟ’ର ‘ପ୍ରଥମ କବିତା’ ଏଇ ରୀତିର ଶ୍ରେଷ୍ଠ ନିଦର୍ଶନ । ଏହା ବ୍ୟତୀତ ନିମ୍ନୋକ୍ତ ପଙ୍‌କ୍ତିମାନଙ୍କରୁ ତାଙ୍କର ବୈଦର୍ଭୀ ରୀତିର ପରିଚୟ ମିଳେ । ଯଥା-

 

(କ)

ନେଳିଆ ଭଅଁର ମୋହରି ପ୍ରିୟାର ଚରଣ କମଳ ଦାସ,

(ଖ)

ନୀଳ-ବାସ-ଖୋଲା ପ୍ରିୟା-ତନୁ ଆଭା ନୟନେ ଦେଖିଛି ବୋଲି,

(ଗ)

ପିଆସୀର ଆଶା ବଢ଼ାଇ ଦେଉଛି ମରୀଚିକା ମାୟା ଖୋଲି,

(ଘ)

ପରାଚୀର ଉଷା ଦେଖିଅଛି ପୁଣି ସହୀର ଗୋଲାପୀ ସାଜ,

(ଙ)

ଫଗୁଣର ତେଣୁ ଫଗୁ ମଉଚ୍ଛବେ ମୋ ବୁକୁଁ ରକତ ଝରେ,

(ଚ)

ପଲ୍ଲବ ଓଢ଼ଣା ତୋଳି ଅନାଇଲା କୁସୁମ ତରୁଣୀ,

(ଛ)

ଚାରୁ ଚନ୍ଦ୍ରିକା ଶୁକ୍ଳ ଦୁକୂଳ ଦେହୀ,

(ଜ)

ଜୀବନ କୁଞ୍ଜେ ତନୁ ଅତନୁର ମଦିର ପ୍ରଣୟ-ପୂର୍ଣ୍ଣିମା,

(ଝ)

କଜ୍ଜଳ ନିଭ ନିଶାର ନିକଷତଳେ,

(ଞ)

ଲୋଟିପଡ଼ି ତା’ର ନଗନ ଜଘନ ବକ୍ଷପରେ,

(ଟ)

ତମାଳ ତାଳୀର କାନନିକା ଛାଡ଼ି ବଳାକା ରାଶି,

 

ଏହିଭଳି ଅନେକ ପଂକ୍ତିକୁ ଉଦ୍ଧାର କରାଯାଇପାରେ । କବିଙ୍କର ଏଇ ରୀତିର ଅନ୍ୟତମ ବିଶେଷତ୍ୱ ସଂସ୍କୃତ ନିକଟବର୍ତ୍ତୀ ଓଡ଼ିଆ ଶବ୍ଦର ପ୍ରୟୋଗ ଓ ପ୍ରାୟ ବହୁ ସଂସ୍କୃତ ଶବ୍ଦ ସହିତ ଖୁବୁ କମ୍‌ ସଂଖ୍ୟକ ଓଡ଼ିଆ ଶବ୍ଦର ମିଶ୍ରଣ ଘଟାଇ, ଶବ୍ଦ ପ୍ରୟୋଗରେ ଯଥାସମ୍ଭବ ଲାଳିତ୍ୟ ରକ୍ଷାକରି ତାକୁ ଜୟଦେବଙ୍କ ‘ଗୀତଗୋବିନ୍ଦ’ ତୁଲ୍ୟ କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ ତାଙ୍କର ଏଇ ଗୁଣ ସମନ୍ୱିତ ଅନେକ କବିତା ଭିତରୁ ‘ପ୍ରଥମ କବିତା’ରୁ ଏକ ଉଦ୍ଧୃତି ପ୍ରଦାନ କରାଯାଇପାରେ । ଯଥା-

 

ଚଟୁଳ ଚାଟୁର ରାଗିଣୀ ଶୁଣାଇ ସୁତାନେ

ମତ୍ତ ମଧୁପ ପୁଷ୍ପ ବୁକୁର ବିତାନେ

କେଳି ବିରଚଇ ହରଷେ ।

ମଧୁ-ମନ୍ଥନ- ଗନ୍ଧ/ମରୁତ ମନ୍ଦ ମନ୍ଦ

ଉଦ୍‌ବେଳ ବୁକେ ଦିଶି ଦିଶୁ ବୁଲି ପରଶେ ।

‘ପ୍ରଥମ କବିତା’ - (ଗଡ଼ନାୟକ ଗ୍ରନ୍ଥାବଳୀ-ପୃ ୫୦୫)

 

ଉଦ୍ଧୃତ ପଦଟିରେ ରେଖାଙ୍କିତ ପାଞ୍ଚଗୋଟି ପଦଭିନ୍ନ ଅବଶିଷ୍ଟ ପଦ ସଂସ୍କୃତ । ରେଖାଙ୍କିତ ପଦ ମଧ୍ୟରେ ‘ଶୁଣାଇ’, ‘ବିରଚଇ’, ‘ବୁଲି’ ପୂର୍ଣ୍ଣ ଓଡ଼ିଆ ଏବଂ ‘ଚାଟୁର’, ‘ବୁକୁର’ ଶବ୍ଦ ଦ୍ୱୟରେ ‘ର’ ବିୟୋଗ କରାଗଲେ ତାହା ମଧ୍ୟ ସଂସ୍କୃତ ହୋଇଥାଆନ୍ତା । ତେଣୁ କବିଙ୍କର ଶବ୍ଦ ଯୋଜନା ଅନେକ କ୍ଷେତ୍ରରେ ସଂସ୍କୃତାନୁସାରି ବୋଲି ନିଃସନ୍ଦେହରେ କୁହାଯାଇପାରେ । ପୁନଶ୍ଚ କବିଙ୍କର ‘ରଣସିଂ’ କବିତାରୁ ଅନ୍ୟ ଏକ ଦୃଷ୍ଟାନ୍ତ ନିଆଯାଇପାରେ । ଯଥା-

 

ସମର ପ୍ରାଙ୍ଗଣେ ପ୍ରଳୟ ସଂଭୂତା

ଦ୍ୱନ୍ଦରତ ସତେ ଦ୍ୱନ୍ଦ ଅମ୍ବୁଦ

ଅଶନି ସମନାଦ, ତଡ଼ିତ ସମରେଖା

ଆସାର ସମଭରେ ରକ୍ତ ବିଭୀଷିକା ।

-‘ରଣସିଂ’ - (ଗଡ଼ନାୟକ ଗ୍ରନ୍ଥାବଳୀ ପୃ. ୫୪୪)

 

ହଠାତ୍‌ କୌଣସି ପାଠକ ଉଦ୍ଧୃତ ପଦଟି ପାଠକରେ ତାହା ଓଡ଼ିଆ କି ସଂସ୍କୃତ ଭ୍ରମରେ ପଡ଼ିବ । ରେଖାଙ୍କିତ ‘ସତେ’ ଓ ‘ଭରେ’ ଶବ୍ଦ ଦ୍ୱୟ ନ ଥିଲେ ଏହାକୁ ସଂସ୍କୃତ ପଦଯୋଜନା କହିବାରେ ଦ୍ୱିଧା ନ ଥାନ୍ତା ।

 

ଗୌଡ଼ୀ- ଓଜଗୁଣ ବ୍ୟଞ୍ଜକ କଠିନ ବର୍ଣ୍ଣ ତଥା କଠିନ ଯୁକ୍ତାକ୍ଷର ପ୍ରଯୁକ୍ତ ଓ ସମାସବହୁଳ ରୀତିକୁ ଗୌଡ଼ୀ ରୀତି କୁହାଯାଏ ।୩୦। ଏଥିରେ ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣନା ଭିତରେ, ବୀଭତ୍ସ ଏବଂ ରୌଦ୍ର ଆଦି ରସ ରୂପାୟିତ ହୋଇଥାଏ । ଗଡ଼ନାୟକୀ ଶୈଳୀରେ ଏଇ ରୀତିର ସଫଳତା ପରିଦୃଷ୍ଟ । କବିଙ୍କର ଶବ୍ଦସଂଯୋଜନାର ଅନ୍ୟତମ ବଳିଷ୍ଠ ବୈଶିଷ୍ଟ୍ୟ ହେଉଛି ଜଟିଳ ଯୁକ୍ତାକ୍ଷର ବର୍ଣ୍ଣମାନଙ୍କର ସମାବେଶ । ଏଇ ରୀତିରେ ତାଙ୍କର ‘ଉଦ୍ଦାମସିଂ’, ‘ଅମୃତ ଲୁଣ୍ଠନ’, ‘ଆଉରଙ୍ଗଜେବ ପ୍ରତି ଶିବାଜୀ’, ‘ଗୁର୍ଖା ସିପାହୀ’, ‘ତାମାଦୋରା’, ‘ତୁମେ ଆପେ ଉଠ ଜାଗି’, ‘ପ୍ରଭାବତୀର ଅଭିଯାନ’ ‘ବିଦୁଳା’, ‘ବୀରରାଣୀ ଶୁକଦେଈ’, ‘ଚାଖିଖୁଣ୍ଟିଆ’, ‘ରଣସିଂହ’ ଓ ‘ସୈନିକ ନାରୀ’ ଇତ୍ୟାଦି କବିତା ରସୋତ୍ତୀର୍ଣ୍ଣତା ଲାଭ କରିଛି । କେତୋଟି ଉଦାହରଣରୁ ତାଙ୍କର ଗୌଡ଼ୀ ରୀତିର ପରିଚୟ ମିଳେ । ଯଥା-

 

(କ)

ନମ୍ର ନୁହଇ କମ୍ର ନୁହଇ ନୁହେଁ ମୁଁ ଧୀର

 

ଉଗ୍ର ମୁଁ ଆଜି ବ୍ୟଗ୍ର ମୁଁ ଆଜି ଅଗ୍ରସର ।

(ଖ)

ନାନ୍‌କିନ୍‌ ପରେ ଆଜି ବ୍ୟୋମ କମ୍ପ ବୋମା ବିସ୍ଫୋରଣ

(ଗ)

ଜଳବର୍ଷିତ ହଳକର୍ଷିତ ଜମିର ସୁରଭି ବାସ ।

(ଘ)

‘ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ’

 

ପ୍ରଭୃତି ଅନେକ ପଂକ୍ତିରୁ ତାଙ୍କ ଗୌଡ଼ୀ ରୀତ ସ୍ପଷ୍ଟ ହୁଏ । ‘ଉଦ୍ଦାମସିଂ’ କବିତାରେ ତାଙ୍କର ଗୌଡ଼ୀ ରୀତିର ସଫଳ ପ୍ରୟୋଗ କେତେକାଂଶରେ ବ୍ୟାହତ ହେଲାଭଳି ମନେହୁଏ । କାରଣ ଏଥିରେ ଉଦ୍ଦାମ ସିଂର ବୀରତ୍ୱ ବ୍ୟଞ୍ଜକ କାର୍ଯ୍ୟକଳାପ ଭାଷାଦ୍ୱାରା ସଠିକ୍‌ ରୂପାୟନ କରାଯାଇ ପାରିନାହିଁ । ଗୋଦାବରୀଶଙ୍କ ‘ଉଠ କଙ୍କାଳ’ କବିତା ଉଦ୍‌ବୋଧନମୂଳକ ଭାଷାରେ ଯଥାର୍ଥ ହୋଇ ଉଠିଥିବାବେଳେ, ଉଦ୍ଦାମ ସିଂର ଚରିତ୍ର କବିତା ପ୍ରଯୁକ୍ତ ଭାଷାରେ ଉପଯୁକ୍ତ ହୋଇପାରିନାହିଁ ।

 

ପାଞ୍ଚାଳୀ- ପାଞ୍ଚାଳୀ ରୀତିରେ ବୈଦର୍ଭୀ ଓ ଗୌଡ଼ୀ ରୀତିର ମିଶ୍ରିତ ପ୍ରଭାବ ପରିଦୃଷ୍ଟ । ଏହାଛଡ଼ା ବୈଦର୍ଭୀ ଓ ଗୌଡ଼ୀରେ ପ୍ରଯୁକ୍ତ ବର୍ଣ୍ଣ ବ୍ୟତୀତ ଅନ୍ୟ ସମସ୍ତ ବର୍ଣ୍ଣର ପ୍ରୟୋଗ ସହିତ ସମାସ ବହୁଳତା ଏଇ ରୀତିର ଅନ୍ୟତମ ଲକ୍ଷଣ ।୩୧। ଗଡ଼ନାୟକଙ୍କର ମୁଷ୍ଟିମେୟ କେତେଗୋଟି ରଚନାକୁ ବାଦ୍‍ଦେଲେ ଅବଶିଷ୍ଟ କବିତାମାନଙ୍କରେ ପ୍ରଯୁକ୍ତ ଶବ୍ଦପୁଞ୍ଜ ଏଇ ରୀତି ଦ୍ୱାର ସିଦ୍ଧିପ୍ରାପ୍ତ । ଗଡ଼ନାୟକଙ୍କ ବିପୁଳ ରଚନାରୁ ନିମ୍ନୋଦ୍ଧୃତ କେତେକ ପଂକ୍ତିରୁ ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯାଇପାରେ । ଯଥା-

 

(କ)

ତଡ଼ିତ୍ କନକ-ହାସ୍ୟ-ଜଡ଼ିତ ଉତ୍ତଳା ବର୍ଷା ଧାରା,

(ଖ)

ସୁର ନନ୍ଦିନୀ ଉଷା ରୂପସୀର ଉଜ୍ଜ୍ୱଳ ହେମରେଖା,

(ଗ)

ଶୀକର ଶୀତଳ ଶାନ୍ତ ସମୀର ପ୍ରୀତି ଉପଚାର ପରି,

(ଘ)

ରୂପ-ରସ-ଗନ୍ଧ ସ୍ପର୍ଶ-ସ୍ୱର-ଶିରୀ ଛନ୍ଦା-

 

ଉଦ୍ଧୃତ ପଂକ୍ତିମାନଙ୍କରୁ ଜଣାଯାଏ ଗଡ଼ନାୟକ ଆଲୋଚିତ ଅନ୍ୟନ୍ୟ ରୀତି ଅପେକ୍ଷା ପାଞ୍ଚାଳୀ ରୀତିକୁ ବିଶେଷ ଭାବରେ ଗ୍ରହଣ କରିଛନ୍ତି । କାରଣ ସଂସ୍କୃତ ସାହିତ୍ୟ ପାଇଁ ଏଇ ରୀତି ଉଦ୍ଦିଷ୍ଟ ଥିବାବେଳେ କବି ଶୁଦ୍ଧ ବୈଦର୍ଭୀ ଓ ଗୌଡ଼ୀ ଯେମିତି ଗ୍ରହଣ କରିଛନ୍ତି, ତା’ଠାରୁ ଅଧିକତର ଭାବରେ ପାଞ୍ଚାଳୀ ରୀତି ଅନୁସରଣ କରିଛନ୍ତି । ସୁତରାଂ ରୀତି ଓ ଗୁଣ ଭିତରେ ତାଙ୍କର ଶବ୍ଦ ଯୋଜନା କେବଳ ଯଥାର୍ଥ ହୋଇନାହିଁ, ବରଂ ଧ୍ଵନି ମାଧୁର୍ଯ୍ୟ ସୃଷ୍ଟି କରିବା ସହିତ ବେଶ୍‌ ସଙ୍ଗୀତ ଉପଯୋଗୀ ହୋଇପାରିଛି ।

 

ଅନୁପ୍ରାସିକ ଶୃଙ୍ଖଳା :

ଶବ୍ଦ ଯାଦୁକର କବି ଗଡ଼ନାୟକ ରୀତିଯୁଗୀୟ କବିମାନଙ୍କ ଭଳି ଶବ୍ଦର ବୃଥା ଆଡ଼ମ୍ବର ଦେଖାଇ ନାହାନ୍ତି । ଅନୁପ୍ରାସ, ଯମକ, ଶ୍ଲେଷ ଇତ୍ୟାଦି ଶବ୍ଦାବଳୀର ପ୍ରୟୋଗ କରି ତାଙ୍କ କାବ୍ୟନାୟିକାକୁ ଭାରାକ୍ରାନ୍ତ ନ କରି ବରଂ ଶବ୍ଦ ଶୃଙ୍ଖଳା ସୃଷ୍ଟି କରିଛନ୍ତି । ଶବ୍ଦର ଉଚ୍ଚାରଣରୁ ସୃଷ୍ଟି ହୋଇଥିବା ବିଭିନ୍ନ ଧ୍ଵନି କର୍ଣ୍ଣ ରସାମୃତ ହୋଇଥାଏ ଓ କବିତା କ୍ଷେତ୍ରରେ ଗୀତିଧର୍ମିତା ଆଣିଥାଏ । ତେଣୁ ଅତି ସାବଧାନତାର ସହିତ କବି ଗଡ଼ନାୟକ ତାଙ୍କର ସମଗ୍ର କାବ୍ୟଜଗତକୁ ଅନୁପ୍ରାସ ବହୁଳ ରଚନାରେ ପୂର୍ଣ୍ଣ କରିଅଛନ୍ତି । ଅନୁପ୍ରାସଯୁକ୍ତ ଶବ୍ଦ ପ୍ରୟୋଗ ମଧ୍ୟ ତାଙ୍କ ଗଦ୍ୟ କବିତାଗୁଡ଼ିକୁ ଅଧିକ ଭାବରେ ସଙ୍ଗୀତାତ୍ମକ କରି ଗଢ଼ିତୋଳିଛି । ଶବ୍ଦ ଶୃଙ୍ଖଳା ଓ ଶବ୍ଦସୌନ୍ଦର୍ଯ୍ୟ ଦୃଷ୍ଟିରୁ ଅନୁପ୍ରାସ ପ୍ରଥମ ଶବ୍ଦାଳଙ୍କାର ହୋଇଥିବାରୁ କବି ଏହାର ବହୁଳ ପ୍ରୟୋଗ କରି କବିତାଗୁଡ଼ିକରେ ଧ୍ଵନିମୁଖରତା ଓ ସାଙ୍ଗୀତିକ ଅନୁସରଣ ସୃଷ୍ଟି କରିଛନ୍ତି । ପଦ ବା ବାକ୍ୟ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣଯୁକ୍ତ ବା ବିଯୁକ୍ତ ଭାବରେ ପୁନଃ ପୁନଃ ଧ୍ଵନିତ ହେଲେ ଅନୁପ୍ରାସ ଅଳଙ୍କାର ହୁଏ । ସ୍ଵର ଧ୍ଵନିର ବୈଷମ୍ୟ ଥାଇ ବ୍ୟଞ୍ଜନର ସମତା ଥିଲେ ମଧ୍ୟ ଅନୁପ୍ରାସ ହୋଇଥାଏ । ଆଲୋଚ୍ୟ ଲକ୍ଷଣଯୁକ୍ତ ଆନୁପ୍ରାସିକ ଶୃଙ୍ଖଳାକ୍ରମ କବିଙ୍କର ନିମ୍ନୋଦ୍ଧୃତ କେତେକ ପଂକ୍ତିରୁ ସହଜରେ ଜଣାଯାଏ । ଯଥା-

 

କ)

ପଲ୍ଲବି-ତରୁ-ବଲ୍ଲରୀ ଘେରା ପଲ୍ଲୀ ଧରିଛି ରମ୍ୟବେଶ,

ଖ)

ଜଳ ବର୍ଷିତ ହଳ କର୍ଷିତ ଜମିର ସୁରଭି ବାସ,

ଗ)

ସ୍ଵର୍ଣ୍ଣ ଗଉର ବର୍ଣ୍ଣସାର/କର୍ଣ୍ଣ ଭୂଷଣ କର୍ଣ୍ଣିକାର,

ଘ)

ମରମର ମମ ମର୍ମର ରଚା କକ୍ଷେ,

ଙ)

ଜୀବନ କୁଞ୍ଜେ ତନୁ ଅତନୁର ମଦିର ପ୍ରଣୟ ପୂର୍ଣ୍ଣିମା,

ଚ)

ଗଗନେ ଭବନେ ପବନେ ପବନେ ରସର ହାସର ଅମ୍ବୁଧି/

ଜୀବନେ ଜୀବନେ ବିପୁଳ ତାହାର ପୂର୍ତ୍ତି,

ଛ)

ଶୀକର-ଶୀତଳ ଶାନ୍ତ ସମୀର ପ୍ରୀତି-ଉପଚାର ପରି,

ଜ)

ସୁର ନନ୍ଦିନୀ ଉଷା ରୂପସୀ,

ଝ)

ଶ୍ରାନ୍ତି ନାଶିନୀ ନିଶି,

ଞ୍ଜ)

ନାଗିନୀ ପରାଏ ଅଗ୍ନି ରସନା ଉଠିଲା ଗଗନ-ମୁଖେ,

ଟ)

ନମ୍ର ନୁହଇ କମ୍ର ନୁହଇ ନୁହେ ମୁଁ ଧୀର, ଉଗ୍ର ମୁଁ ଆଜି ବ୍ୟଗ୍ର ମୁଁ ଆଜି ଅଗ୍ରସର,

ଠ)

ପ୍ରଣୟର ପୋହଳା ଦେଉଳ,

ଡ)

ପ୍ରୀତି ଗଦ ଗଦ ଛନ୍ଦେ,

ଢ)

ତରାଟ ପୁଷ୍ପର ଚାରୁ ତାରାୟିତ ଦୃଶ୍ୟ,

ଣ)

ବ୍ୟାପ୍ତ ଜଳଧି ମୁଗ୍‌ଧ ବୀଚି ବୀଥ,

 

ଗଡ଼ନାୟକ କେବଳ ଗୀତି କବି ନୁହନ୍ତି, ସେ ମଧ୍ୟ ଅନେକ ଗଦ୍ୟ କବିତା ସୃଷ୍ଟି କରିଛନ୍ତି । ମାତ୍ର ତାଙ୍କର ଗଦ୍ୟ କବିତାଗୁଡ଼ିକର ସବିଶେଷ ଲକ୍ଷଣ ଗୀତିଧର୍ମିତା, ଯାହା ସହଜରେ ତାଙ୍କୁ ସମସାମୟିକ କବିମାନଙ୍କଠାରୁ ପୃଥକ୍‌ କରିଦିଏ । କବିଙ୍କର ଅନୁପ୍ରାସିକ ଶବ୍ଦ ଶୃଙ୍ଖଳା ଦ୍ଵାରା ଏହା ସମ୍ଭବ ହୋଇଛି । ‘ସୂର୍ଯ୍ୟ ଓ ଅନ୍ଧକାର’ ତାଙ୍କର ଗଦ୍ୟ କବିତାର ଏକ ମନୋଜ୍ଞ ସଙ୍କଳନ ଯେଉଁଥିରେ ଗଦ୍ୟଧର୍ମୀ ପଦଗୁଡ଼ିକୁ ଆବୃତ୍ତି କଲେ ଏଥିରେ ଥାବା ଅନୁପ୍ରାସଯୁକ୍ତ ଶବ୍ଦ ଯୋଜନାର ପଦ୍ୟଧର୍ମିତା ବାରି ହୋଇପଡ଼େ । ଦୃଷ୍ଟାନ୍ତ ସ୍ଵରୂପ ଏଇ କାବ୍ୟଗ୍ରନ୍ଥରୁ କେତେକ ପଦ ନିଆଯାଇପାରେ । ଯଥା-

 

କ)

ଲୀଳାବତୀ ମହାଶ୍ଵେତା ରାତି-(ସୂର୍ଯ୍ୟ ଓ ଅନ୍ଧକାର-ପୃ-୫)

ଖ)

ତମାଳ-ତାଳୀ-ବନ-ରାଜି-ନୀଳା-(ପୃ.୧୪ )

ଗ)

ନୀଥର ନୀର/ନିତଳ ନୀଳ-(ପୃ- ୧୪)

ଘ)

ଦଳ ଦଳ ଦଳନର ବିଚିତ୍ର କନ୍ଦଳ-(ପୃ- ୧୮)

ଙ)

ବିଦେହର ଦାହ-(ପୃ-୩୨)

ଚ)

କାମନାର କାନ୍ତ ଅନ୍ତରାଳେ-(ପୃ- ୩୩)

ଛ)

ଶାସନର ଶୁଭଦ ଶଭ୍ରାଲୋକ-(ପୃ- ୬୨)

 

କବିଙ୍କର ଏଇ ଅନୁପ୍ରାସଯୁକ୍ତ ଶବ୍ଦ ଯୋଜନା ହେତୁ ତାଙ୍କର କଥା କବିତା ବା ଗଦ୍ୟ କବିତାଗୁଡ଼ିକର ସ୍ଵତନ୍ତ୍ର ଧ୍ୱନ୍ୟାତ୍ମକ ରୂପ ପ୍ରଦର୍ଶିତ । ପ୍ରକୃତରେ ଗଦ୍ୟ କବିତା ଓ ଗୀତି କବିତାର ରୂପଗତ ପାର୍ଥକ୍ୟ ରହିଛି । ମାତ୍ର ପ୍ରଦତ୍ତ ପଦମାନ ଆବୃତ୍ତି କଲେ ସେଗୁଡ଼ିକରେ ପ୍ରଯୁକ୍ତ ଥିବା ଅନୁପ୍ରାସ ଶବ୍ଦାଳଙ୍କାର ଏମାନଙ୍କ ଅଭିନ୍ନତାର ଭ୍ରମ ସୃଷ୍ଟି କରିଥାଏ । ପୁନଶ୍ଚ ଯୁକ୍ତାକ୍ଷରରେ ଅନୁପ୍ରାସ ସୃଷ୍ଟି ହୋଇଥିବାରୁ ଏଗୁଡ଼ିକର ସାଙ୍ଗୀତିକ ମର୍ଯ୍ୟାଦା ସୁସ୍ପଷ୍ଟ । ସୁତରାଂ ଯୁକ୍ତାକ୍ଷର ପ୍ରୟୋଗ ଓ ଅନୁପ୍ରାସ ଶୃଙ୍ଖଳା ରକ୍ଷା ହେତୁ ତାଙ୍କର ଶବ୍ଦ ଯୋଜନାରେ ସାଙ୍ଗୀତିକ ପ୍ରବାହ ସୃଷ୍ଟି ହୋଇଅଛି ।

 

ଶବ୍ଦ ବ୍ୟଞ୍ଜନା ଓ ଗଡ଼ନାୟକୀ ଶବ୍ଦ ଯୋଜନା :

ପ୍ରାଚୀନ ଆଳଙ୍କାରିକମାନେ ଶବ୍ଦ ଓ ଅର୍ଥର ଚମତ୍କାର ସହାବସ୍ଥାନକୁ ଉତ୍ତମ କାବ୍ୟଲକ୍ଷଣ ବୋଲି ମନ୍ତବ୍ୟ ପ୍ରକାଶ କରିଛନ୍ତି । ସେମାନେ ଶବ୍ଦଶକ୍ତିର ପ୍ରାଧାନ୍ୟ ସ୍ଵୀକାର କରିବା ସହିତ ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ଇତ୍ୟାଦି ଭେଦରେ ଏହାକୁ ପୃଥକ୍‌ କରିଛନ୍ତି । ବାଚ୍ୟାର୍ଥ, ଲକ୍ଷ୍ୟାର୍ଥ ଓ ବ୍ୟଙ୍ଗାର୍ଥ ଭେଦରୂପେ ଶବ୍ଦଶକ୍ତିର ତ୍ରିବିଧ ବିଭାଜନ ପ୍ରକ୍ରିୟା ପ୍ରାଚ୍ୟ ସମୀକ୍ଷକଙ୍କ ଦ୍ଵାରା ସ୍ଵୀକୃତ ।୩୨। କିନ୍ତୁ ଅଭିଧା ଓ ଲକ୍ଷଣାଠାରୁ ବ୍ୟଞ୍ଜନାର ଶ୍ରେଷ୍ଠତ୍ୱ ସମସ୍ତେ ସ୍ଵୀକାର କରିଛନ୍ତି, ଯାହା ଅଭିଧା ଓ ଲକ୍ଷଣାରେ ଅପ୍ରକାଶ୍ୟ । ତାହା ବ୍ୟଞ୍ଜନା ଦ୍ଵାରା ପରିପୃଷ୍ଟ ହୋଇଥାଏ । ଶବ୍ଦ ଶକ୍ତିର ଏଇ ବ୍ୟଞ୍ଜନାକୁ ଶାବ୍ଦୀ ଓ ଆର୍ଥୀ ଭେଦରେ ଦ୍ୱିଧା ବିଭକ୍ତ କରାଯାଇଛି । ଆର୍ଥୀ ବ୍ୟଞ୍ଜନା ଶାବ୍ଦୀ ବ୍ୟଞ୍ଜନା ଉପରେ ସର୍ବଦା ନିର୍ଭରଶୀଳ । ଶବ୍ଦ ଯୋଜନାର ଚମତ୍କାରିତା ଦ୍ୱାରା ଯେଉଁ ବ୍ୟଞ୍ଜନା ସୃଷ୍ଟି ହୁଏ ତାହାକୁ ଶାବ୍ଦୀ ବ୍ୟଞ୍ଜନା କୁହାଯାଏ । ଶବ୍ଦ ପ୍ରୟୋଗର ଉପଯୁକ୍ତ ଶୃଙ୍ଖଳା ସଂରକ୍ଷିତ ନ ହେଲେ ବ୍ୟଞ୍ଜନା ସୃଷ୍ଟି ଅସମ୍ଭବ । କାବ୍ୟିକ ଚମତ୍କାରିତାରେ ଧନ୍ୟମାନ ଅର୍ଥ ସଂପ୍ରକାଶ ଓ ଏଥିରେ ବ୍ୟଞ୍ଜନା ସୃଷ୍ଟି ଶବ୍ଦ ପ୍ରୟୋଗ ଉପରେ ସମ୍ପୂର୍ଣ୍ଣଭାବେ ନିର୍ଭର କରେ ।

 

କବି ଗଡ଼ନାୟକଙ୍କର ଅନେକ କବିତା ବ୍ୟଞ୍ଜନଧମୀ । ଏଥିରେ ପ୍ରତ୍ୟକ୍ଷ ବାଚ୍ୟ ଓ ଲକ୍ଷ୍ୟ ଅପେକ୍ଷା ବ୍ୟଙ୍ଗର ପ୍ରାଧାନ୍ୟ ସଂରକ୍ଷିତ । ଦୃଷ୍ଟାନ୍ତ ସ୍ୱରୂପ ତାଙ୍କର ‘ଅୟିପୃଥ୍ଵୀ’ କବିତାଚୁ କିୟଦଂଶ ଉଦ୍ଧାର କରାଯାଇପାରେ । ଯଥା-

 

ଅୟିପୃଥ୍ଵୀ, ଆଉଥରେ କାମଧେନୁ ହୁଅ ଆଜି ତୁମେ

ବୁଭୁକ୍ଷାର ଦହନେ କି ହରାଇବୁ ପ୍ରାଣ

ଆମେ ସବୁ ମନୁର ସନ୍ତାନ,

ତୁମର ଏ ସ୍ନେହାଞ୍ଚିତ ଭୂମେ ?

ଅୟିପୃଥ୍ଵୀ, ଆଉଥରେ କାମଧେନୁ ହୁଅ ଆଜି ତୁମେ ।୩୩।

 

ଉଦ୍ଧୃତିଟିରୁ କାମଧେନୁ ଶବ୍ଦକୁ ବିଚାର କରାଯାଇପାରେ । ‘କାମଧେନୁ’ର ବ୍ୟଞ୍ଜନା ସମଗ୍ର ପଦଟିକୁ ଆଚ୍ଛନ୍ନ କରିଛି । ‘ଅୟିପୃଥ୍ଵୀ’ ଏଇ ସମ୍ବୋଧନ ଦ୍ୱାରା ପୃଥବୀକୁ ଆଉଥରେ କାମଧେନୁ ସାଜିବାକୁ ସମ୍ବୋଧନ କରାଯାଇଛି । ପଂକ୍ତିଟିରେ ‘କାମଧେନୁ’ ଯେଉଁ ଅର୍ଥର ବ୍ୟଞ୍ଜନା ଆଣୁଛି ତାହାର ଫଳଶ୍ରୁତି ମନୁସନ୍ତାନମାନଙ୍କର ବୁଭୁକ୍ଷାର ଦହନ ଉପରେ ନିର୍ଭର କରୁଛି । ତେଣୁ ‘କାମଧେନୁ ଏକମାତ୍ର ଶବ୍ଦ ଯାହା ଅର୍ଥ ସଂପ୍ରକାଶ ପାଇଁ ଅନ୍ୟାନ୍ୟ ପ୍ରତିବେଶୀ ଶବ୍ଦମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛି । ପୁନଶ୍ଚ ପୃଥିବୀର ସ୍ନେହାଞ୍ଚିତ ଭୂମିରେ ବିଚରଣ କରୁଥିବା ମନୁର ସନ୍ତାନମାନେ, ପୃଥିବୀକୁ କାମଧେନୁ ସଜାଇ ଉପଯୁକ୍ତ ଖାଦ୍ୟ ଯୋଗାଣ ପାଇଁ ଅନୁରୋଧ କରିବାଟା ମଧ୍ୟ ଅଧିକ ନିର୍ଭରଶୀଳ । ତେଣୁ କବିଙ୍କର ଏଇ ବ୍ୟଞ୍ଜନା ପ୍ରୟୋଗ ଦ୍ଵାରା ଅର୍ଥଗତ ଚମତ୍କାରିତା ଆସୁଛି । ପଦ୍ୟ ପଙ୍‌କ୍ତିପ୍ରାପ୍ତ ବ୍ୟଞ୍ଜନାତ୍ମକ ଲକ୍ଷଣର ଏକକତାକୁ କେବଳ ଏକ ଶବ୍ଦ ସତ୍ତା ‘କାମଧେନୁ’ଠାରୁ କଳ୍ପନା କରିହେବ । ସୁତରାଂ ପଦ୍ୟଟିର ଭାଷାରେ ସ୍ଫୁରିତ ବ୍ୟଞ୍ଜନା ସମଗ୍ର କବିତାକୁ ପରିବ୍ୟାପ୍ତ ହୋଇଛି । ସମଗ୍ର କବିତାର ଅଙ୍ଗସ୍ଥିତି ବ୍ୟଞ୍ଜନାତ୍ମକ । ଏଭଳି ଶବ୍ଦ ସଂଯୋଜନାର ଗୋଟିଏ ଗୋଟିଏ ଶବ୍ଦକୁ ବାଦଦେଲେ କବିତା ହୁଏ ବିକଳାଙ୍ଗ । ତେଣୁ କବିଙ୍କର ଶବ୍ଦ ବ୍ୟଞ୍ଜନାର ପ୍ରୟୋଗ ସାଫଲ୍ୟ ସ୍ଵୀକାରଯୋଗ୍ୟ ।

 

କବିତା, ଗୀତିକବିତା, ଗାଥା କବିତା ବ୍ୟତୀତ ଗଡ଼ନାୟକ ଅନେକ ସୁନ୍ଦର ସୁନ୍ଦର ଗୀତ ମଧ୍ୟ ରଚନା କରିଛନ୍ତି ।୩୪। ‘କାବ୍ୟନାୟିକା’ ସଙ୍କଳନର ‘ଅର୍ଘ୍ୟ’ ବିଭାଗର ସମସ୍ତ ରଚନା ଗୀତ । ସାଂଗୀତିକତା ଦୃଷ୍ଟିରୁ ସେଗୁଡ଼ିକ ଗାନଯୋଗ୍ୟ ମଧ୍ୟ । ତନ୍ମଧ୍ୟରୁ ଯେ କୌଣସି କଚିତାକୁ ଆବୃତ୍ତି କଲେ ତହିଁରୁ ସ୍ଵର ଅନୁରଣିତ ହୁଏ । ତାଙ୍କର ଉପଯୁକ୍ତ ଶବ୍ଦ ଯୋଜନା ଦ୍ଵାରା ଏହା ସମ୍ଭବ ହୋଇଛି-। ଆଧୁନିକ କବିତାର ଗଦ୍ୟଧର୍ମିତା ଯଦିଓ ଗଡ଼ନାୟକଙ୍କଠାରେ ପରିଦୃଷ୍ଟ ତଥାପି ଏହାର ସ୍ୱାତନ୍ତ୍ର୍ୟ ସ୍ଵୀକାର୍ଯ୍ୟ । ପଦ୍ୟ ଓ କବିତା ଭିତରେ ଥିବା ପାର୍ଥକ୍ୟର ଏକ ସୁନ୍ଦର ସେତୁ ହେଉଛି ଗଡ଼ନାୟକୀ କବିତା । କବିତାରେ ପଦ୍ୟର ଲାଳିତ୍ୟ ହରାଇବାର ସମ୍ଭାବନା ଅଛି, ହେଲେ ଗଡ଼ନାୟକଙ୍କର କବିତାରେ ଏ ସତ୍ୟ ସ୍ଵୀକାରଯୋଗ୍ୟ ନୁହେଁ । ଶବ୍ଦର ଯାଦୁକରୀ ସ୍ପର୍ଶ ଦ୍ଵାରା ତାଙ୍କ କବିତାର ପ୍ରତିଟି ଛତ୍ରରେ ସଙ୍ଗୀତର ମୂର୍ଚ୍ଛନା ଶ୍ରୁତି ମାଧୁର୍ଯ୍ୟ ସୃଷ୍ଟିକରେ । ମୋଟ ଉପରେ ଗଡ଼ନାୟକୀ ଶବ୍ଦଯୋଜନା ଛନ୍ଦପାତ ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ସେ ଅନେକତ୍ର ଶବ୍ଦ ସଂକ୍ଷିପ୍ତତା, ଶବ୍ଦ ପ୍ରସାରଣ, ଶବ୍ଦସଂଯୋଗର ନୂତନତା, ସଂସ୍କୃତ ଭାଷାର ପ୍ରୟୋଗ, କେତେକ ସ୍ଥଳେ ବ୍ୟଞ୍ଜନାମୟ ଶବ୍ଦ ସୃଷ୍ଟି, ଶବ୍ଦରେ ଆନୁପ୍ରାସିକ ଶୃଙ୍ଖଳା, ସବିଶେଷ ବିଶେଷଣ ଯୋଗ, ସମାସ ପ୍ରୟୋଗ ଇତ୍ୟାଦି କେତେକ ପ୍ରକ୍ରିୟାକୁ ଗ୍ରହଣ କରିଛନ୍ତି । ରୀତିସିଦ୍ଧତା ତାଙ୍କ ଶବ୍ଦ ସଂଯୋଜନାର ହେତୁ, କିନ୍ତୁ ରୀତିଯୁଗୀୟ କ୍ଲିଷ୍ଟତା ପରିବର୍ତ୍ତେ ସରଳତା ଏହାର ଭୂଷଣ । ପୁଣି ଗୀତିଧର୍ମୀ ଶବ୍ଦଯୋଜନା, ଶବ୍ଦ କ୍ଷେତ୍ରରେ ସଂଳାପ ମୁଖରତା ଦ୍ଵାରା ତାଙ୍କ ଶବ୍ଦରାଶି ଧ୍ଵନି ମାତ୍ରିକ, ସୁତରାଂ ସଙ୍ଗୀତ ମୁଖର ।

 

କବିଙ୍କର ଶବ୍ଦ ଯୋଜନା ରୀତିରେ ତାରଲ୍ୟ ଓ କାଠିନ୍ୟ ଲକ୍ଷ୍ୟକରି କୁହାଯାଇପାରେ, ଏହା Mighter than sword and milder than the flower. ପୁଷ୍ପର କୋମଳତା ସହିତ ଅସ୍ତ୍ରର କାଠିନ୍ୟ ତାଙ୍କ ଶବ୍ଦପୁଞ୍ଜର ବୈଶିଷ୍ଟ୍ୟ । ଏ କ୍ଷେତ୍ରରେ ନୀଳମାଧବ ପାଣିଗ୍ରାହୀଙ୍କ ମନ୍ତବ୍ୟ ଉଦ୍ଧାର କରି କୁହାଯାଇପାରେ ଯେ- ‘‘ଗଡ଼ନାୟକଙ୍କ ବାଣୀ ଅତି ବିଚିତ୍ର, ତାର ସମ୍ଭାର ବିପୁଳ, ପରିସର ବିରାଟ, ଗଭୀରତା ଅଥଳ । ସେ ବାଣୀର ଠାଣି ନାଟକୀୟ, ନାଟ୍ୟରେ ଯେପରି ସଂଳାପ, ଗୀତ, ବାଦ୍ୟ ଓ ନୃତ୍ୟର ସମାବେଶ, ଗଡ଼ନାୟକ ବାଣୀରେ ବି ସେହିଭଳି ସଂଳାପ, ଧ୍ଵନି, ଛନ୍ଦ ଓ ଦୋଳନର ପ୍ରତ୍ୟେକ ବିଭବ ବିଦ୍ୟମାନ । ବେଦବାଣୀ ବତ୍‌ ତାହା କାହିଁ ଉଦାତ୍ତ, କାହିଁ ଅନୁଦାତ୍ତ ଓ କାହିଁ ବା ସ୍ଵରିତ । ତାହା ଯେପରି ମନ୍ଦ୍ର ଗମ୍ଭୀର ସେହିପରି ଲଳିତ । ତହିଁରେ ବିପ୍ଳବର ଦୀପକ, ପ୍ରାବୃଟର ମେଘମହାର, ଧ୍ରୁପଦୀୟ ମନ୍ଦ୍ରୋଦ୍ଧତ ଶୈଳୀରେ ଯେପରି ଫ୍ରୁଟେ ପ୍ରେମ, ଅନୁନୟ, ବାତ୍ସଲ୍ୟ, କରୁଣାର ତିଳକକାମୋଦ, ରାଗ ଠୁଁରୀରେ ତରଳ ଓ ଲଳିତ ଶୈଳୀରେ ସେଇ ପରିଛୁଟେ, ସେଇପରି ଅନାୟାସରେ ବିଳସିତ ହୁଏ ।୩୫। ଶବ୍ଦଶିଳ୍ପୀ, ଶବ୍ଦଯାଦୁକର, ଶବ୍ଦ ଚିତ୍ରକର କବି ଗଡ଼ନାକୟଙ୍କର ସ୍ୱାତନ୍ତ୍ର୍ୟ ତାଙ୍କର ଶବ୍ଦ ସଂଯୋଜନାରୁ ସ୍ଵତଃ ଜଣାଯାଏ । ଗଡ଼ନାୟକ କବି ଭାବରେ ଜଣେ ଅସମ୍ଭବ ଶବ୍ଦଶିଳ୍ପୀ/ଏକଥା ତାଙ୍କର ପ୍ରତ୍ୟେକ ପାଠକ ହୃଦୟଙ୍ଗମ କରିବେ ।

 

 

ପାଦଟୀକା

୧.

‘କାବ୍ୟସ୍ୟ ଶବ୍ଦାର୍ଥୌ ଶରୀରମ୍‌’

 

‘କାବ୍ୟାଳାପାଂଶ୍ଚ ଯେ କେଚିଦ୍‌ ଗୀତ କାନ୍ୟଖିଳାନିଚ

 

ଶବ୍ଦ ମୂର୍ତ୍ତିଧର ସ୍ୟୈତେ ବିଷ୍କୋରଂଶା ମହାତ୍ମନଃ ।’

 

‘ସାହିତ୍ୟ ଦର୍ପଣ’ - (ବିଶ୍ୱନାଥ କବିରାଜ) - ଅନୁବାଦ : ପଣ୍ଡିତ ନାରାୟଣ ମହାପାତ୍ର-ଓଡ଼ିଶା ସାହିତ୍ୟ

 

ଏକାଡେମୀ-(୧୯୭୫) ପୃ- ୧୫, ୬ ।

୨.

ମନୋଜ୍ଞ ଫଳକୋଲ୍ଲେଖ ବର୍ଣ୍ଣଚ୍ଛାୟା ଶ୍ରିୟଃ ପୃଥକ୍‌

 

ଚିତ୍ରସ୍ୟୈବ ମନୋହାର କର୍ତ୍ତୁଃ କିମପି କୌଶଳମ୍‌।

 

ଆଚାର୍ଯ୍ୟ କୁନ୍ତକ- ବକ୍ରୋକ୍ତି ଜୀବିତମ୍‌- ୩/୪ ।

୩.

ନୀଳକଣ୍ଠ ଦାସ- ଓଡ଼ିଆ ଭାଷା ଓ ସାହିତ୍ୟ- ନିଉ ଷ୍ଟୁଡ଼େଣ୍ଟ ଷ୍ଟୋର୍ସ, କଟକ । ଦ୍ୱି-ସଂ- ୧୯୫୮ - ପୃ ୭୬ରୁ ଶ୍ଳୋକଟି ଉଦ୍ଧୃତ ।

୪.

ସଚ୍ଚିଦାନନ୍ଦ ରାଉତରାୟ-କବି ରାଧାମୋହନ ଗଡ଼ନାୟକ (ଏକ ଚିହଙ୍ଗ ଦୃଷ୍ଟି) ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ ପୃ- ୮୪ ।

୫.

ଡଃ ସଦାଶିବ ମିଶ୍ର- ‘ଗଡ଼ନାୟକଙ୍କ ସମ୍ପର୍କରେ’ -ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ -ପୃ-୯ ।

୬.

ଅଧ୍ୟାପକ ବନମାଳୀ ମିଶ୍ର-ଓଡ଼ିଆ ଗାଥାକବିତା ଓ ଗଡ଼ନାୟକ-ଗଡ଼ନାୟକ ପରିକ୍ରମା-ପୃ- ୪୬ ।

୭.

‘ଗୁଣାଭିବ୍ୟଞ୍ଜକ ଶବ୍ଦାର୍ଥ ବତ୍ତ୍ୱସ୍ୟାପି କାବ୍ୟେ ଉତ୍କର୍ଷ ମାତ୍ରାଧାୟକତ୍ୱଂ’ ସାହିତ୍ୟ ଦର୍ପଣ-(ବିଶ୍ଵନାଥ କବିରାଜ) ଅନୁବାଦ-ନାରାୟଣ ମହାପାତ୍ର-ଓଡ଼ିଶା ସାହିତ୍ୟ ଏକାଡେମୀ -(୧୯୭୫) ପୃ- ୧୪ ।

୮.

ଚାଖିଖୁଣ୍ଟିଆ-ଉତ୍କଳିକା-ଗଡ଼ନାୟକ ଗ୍ରନ୍ଥାବଳୀ - ପୃ- ୩୨୯ ।

୯.

ଦୁର୍ଗାବତୀ-ଦୀପଶିଖା-ତତ୍ରୈବ-ପୃ- ୯୬୭ ।

୧୦.

ବିମୁଗ୍ଧ ଯଯାତି- କାବ୍ୟନାୟିକା-ତତ୍ରୈବ-ପୃ- ୨୨୧ ।

୧୧.

ସତକଥା-ତତ୍ରୈବ-ପୃ- ୧୩୩ ।

୧୨.

(କ) ଦିବା ରଜନୀର ମଧ୍ୟେ ସନ୍ଧ୍ୟା ଯେସନେ ଝଳିତା -

 

ଲଳିତା-ତତ୍ରୈବ-ପୃ- ୨୧୯ ।

 

(ଖ) ସୁନ୍ଦରୀ ସରସା ଗୋ/ତନ୍ମୟୀ ବରଷାଗୋ-

 

ତନ୍ମୟୀ ବର୍ଷା-ତତ୍ରୈବ-ପୃ- ୧୭୨ ।

୧୩.

‘ଘାଟେ ଘାଟେ ଲାଗିଥିଲା କଟକରେ ସ୍ନାନଲୀଳା ଧୀରେ ମୃଦୁମନ୍ଦେ ।’ ‘ସ୍ମୃତିର ଫଳକ’ - ସ୍ମରଣିକା-ଗଡ଼ନାୟକ ଗ୍ରନ୍ଥାବଳୀ-ପୃ- ୩୬୮ ।

୧୪.

(କ) ‘ବିସ୍ମୟେ ଚକିତ ହୋଇ ସ୍ନେହମୟୀ ଶୁଣି ସମାଚାର’

 

ମାଂସର ବିଳାପ-ଗାନ୍ଧୀଗାଥା ପୃ- ୧୦ ।

 

(ଖ) ‘ଆଖିରେ ଶୋକର ଲୁହ, ହୃଦୟରେ ବେଦନାର ଜୂଇ’

 

‘ହେମଲତା ମାନସିଂହ’ - ସୂର୍ଯ୍ୟ ଓ ଅନ୍ଧକାର-ପୃ- ୪୮ ।

 

(ଗ) ‘ଶୁଭମଙ୍ଗଳ ଉତ୍ସବେ ଆଜି କହ ଏକି ହେଲା ଯାଦବବୀର’

 

‘ଶାମୁକାରସ୍ୱପ୍ନ’-ବାଲ୍ମୀକି-ଗଡ଼ନାୟକ ଗ୍ରନ୍ଥାବଳୀ-ପୃ- ୭୧୭ ।

୧୫.

ଶତ୍ରୁର ତେବେ ବିଜୟ ବିଷାଣ ଉଠୁଥିବ ସିନା ବାଜି/

 

ଅଥବା-ଈଶାନ ମେଘେ ବିଷାଣ ବାଜେ ମନ୍ଦ୍ରଘୋଷେ/

 

କାବ୍ୟନାୟିକା-ଗଡ଼ନାୟକ ଗ୍ରନ୍ଥାବଳୀ-ପୃ- ୨୩୨ ଓ ୨୪୭ । ‘ବିଷାଣ’- ପଶୁରଶୃଙ୍ଗ, ଶୂକରର ଦନ୍ତ ହାତୀର ଦାନ୍ତ ସରଳ ଓଡ଼ିଆ ଅଭିଧାନ-ସଂ : ପଣତ କୁଳମଣି ଦାଶ-(୧୯୮୨) ପୃ-୪୯୪ ।

୧୬.

ତପତ ବୁକୁରେ ଆଉଜାଇ ନେଲେ ହତଭାଗିନୀର ଭାବଗ୍ରାହୀ/ଉତ୍କଳିକା-ଗଡ଼ନାୟକ ଗ୍ରନ୍ଥାବଳୀ - ପୃ-୩୩୫ ।

୧୭.

ଦନ୍ତ ଆଘାତର କୃଷ୍ଣ ଚାପ ହେଲା କେମିତି ? ବିବିଖାନୁନ୍‌ ଓ ଶିଳ୍ପୀ-‘ଧୂସର ଭୂମିକା’ - ତତୈବ-ପୃ- ୬୦୫ ।

୧୮.

ଏ ପାଖରେ ଉଭା ତିନିଗୋଟି ପିଲା ସେ ପାଖରେ ପ୍ରିୟ ଧୂରୁବଧୋବା ସମାଜରେ ତୁମେ କଳଙ୍କବତୀ ନୂଆ ଗଉରବେ ପାଉଚ ଶୋଭା । - ନୀଳମାଷ୍ଟରାଣୀ-ସୂର୍ଯ୍ୟ ଓ ଅନ୍ଧକାର-ପୃ ୩୫ ।

୧୯.

‘ଗୁଳିମୁଖେ ତହିଁ ଭୁକ୍ତ ହୋଇଲେ କେତୋଟି ମୃତ୍ୟୁଭୁକ୍‌ଗୁର୍ଖାସିପାହୀ- ‘ସ୍ମରଣିକା’ - ଗଡ଼ନାୟକ ଗ୍ରନ୍ଥାବଳୀ-ପୃ- ୩୬୭ ।

୨୦.

ପଲ୍ଲୀକବି- ‘କାବ୍ୟନାୟିକା’-ତତ୍ରୈବ-ପୃ- ୧୪୭ ।

୨୧.

‘ରୀତି ରାତ୍ମା କାବ୍ୟସ୍ୟ’- କାବ୍ୟାଳଂକାର-ବାମନାଚାର୍ଯ୍ୟ ।

୨୨.

ପଦ ସଂଘଟନା ରୀତି ରଙ୍ଗସଂସ୍ଥା ବିଶେଷବତ୍‌

 

ଉପକର୍ତ୍ତ୍ରୀ ରସାଦିନାଂ ସାପୁନଃସ୍ୟାଚ୍ଚତୁର୍ବିଧା ।

 

ବିଶ୍ଵନାଥ କବିରାଜ-ସାହିତ୍ୟଦର୍ପଣ- ୯/୧ ।

୨୩.

‘ରସ ସ୍ୟାଙ୍ଗିତ୍ୱ ମାପ୍ତସ୍ୟ ଧର୍ମାଃ ଶୌର୍ଯ୍ୟାଦୟ ଯଥା- ଗୁଣାଃ ।’ ତତ୍ରୈବ-୮/୧ ।

୨୪.

‘ଗୁଣାଭି ବ୍ୟଞ୍ଜକାଃ ଶବ୍ଦା ରସସ୍ୟୋତ୍‌କର୍ଷକାଃ’ ତତ୍ରୈବ- ୧/୧୯ ।

୨୫.

‘ଚିତ୍ତଦ୍ରବୀ ଭାବମୟୋହ୍ଲୋଦୋ ମାଧୁର୍ଯ୍ୟମୁଚ୍ୟତେ ।’ ତତ୍ରୈବ-୮/୪ ।

୨୬.

ଠୁଳାଏ କୁସୁମ ବୁକୁର ରସ/ଜୋଚ୍ଛନା ରାତିର ଉଚ୍ଛନ ହସ/

 

ଚୋରା ଚଇତର ଭରା ହରଷ/ଧାରାବରଷାର ସରସା ଦାନ ।

 

ତରୁଣୀର ଲାଜ ଲାଜ ଚାହାଁଣି/ଗୁପତ ହିଆର ରୂପ କାହାଣୀ/

 

କୁହୁ- କଳ-କେଳା-ରସ-ଗାଆଣୀ/ଅଧୀର ନଦୀର ମଦିରତାନ ।

 

‘କବି ହେବା ପାଇଁ ବାସନା ମୋର’ ଗଡ଼ନାୟକ ଗ୍ରନ୍ଥାବଳୀ-ପୃ- ୧୨୪ ।

୨୭.

‘ଓଜଶ୍ଚିତ୍ତସ୍ୟ ବିସ୍ତର ରୂପମ୍‌ ଦୀପ୍ତତ ମୁଚ୍ୟେତ’ । ସାହିତ୍ୟ ଦର୍ପଣ-୮/୭ ।

୨୮.

‘ଚିତ୍ତଂ ବ୍ୟାପ୍ନୋତି ଯଃ କ୍ଷିପ୍ରଂ ଶୁଷ୍କେନ୍ଧନ ମିବାନଳଃ ସପ୍ରସାଦ’ । ତତ୍ରୈବ-୮/୧୦ ।

୨୯.

ମାଧୁର୍ଯ୍ୟ ବ୍ୟଞ୍ଜକୈ ବର୍ଣ୍ଣୈ ରଚନା ଲଳିତାତ୍ମିକା ।

 

ଅବୃତ୍ତିରଳ୍ପବୃତ୍ତିର୍ବା ବୈଦର୍ଭୀ ରୀତି ରିଷ୍ୟତେ ॥ ତତ୍ରୈବ-୯/୨ ।

୩୦.

ଓଜଃ ପ୍ରକାଶକୈ ର୍ବର୍ଣ୍ଣୈର୍ବନ୍ଧ, ଆଡ଼ମ୍ବରପୁନଃ ସମାସବହୁଳାଗୌଡ଼ୀ । ସାହିତ୍ୟଦର୍ପଣ- ୯/୪ ।

୩୧.

ବଣ୍ଣୈଃଶେଷୈଃ ପୁନର୍ଦ୍ୱୟୋଃ

ସମସ୍ତ ପଞ୍ଚଷପଦୋ ବନ୍ଧଃ ପଞ୍ଚାଳିକାମତା । ତତ୍ରୈବ-୯/୫

୩୨.

କ) ବାଚ୍ୟୋର୍ଥୋଭିଧୟା ବାଧ୍ୟୋ ଲକ୍ଷ୍ୟେ । ଲକ୍ଷଣୟାମତଃ,

 

ବ୍ୟଙ୍ଗ୍ୟୋ ବ୍ୟଞ୍ଜନୟା ତାଃ ସ୍ୟୁସ୍ତିସ୍ରଃ ଶବ୍ଦସ୍ୟ ଶକ୍ତୟ । ସାହିତ୍ୟ ଦର୍ପଣ- ୨/୫ ।

 

ଖ) ସ୍ୟାଦ୍‌ ବାଚକୋ ଲାକ୍ଷଣିକଃ ଶବ୍ଦୋଦ୍ଧତ୍ର ବ୍ୟଞ୍ଜକ ସ୍ତ୍ରିଧା ।

 

କାବ୍ୟ ପ୍ରକାଶ ଓଡ଼ିଶା ସାହିତ୍ୟ ଏକାଡେମୀ- ପୃ- ୬୧୦ ।

୩୩.

ଅୟିପୃଥ୍ୱୀ-ଧୂସର ଭୂମିକା, ଗଡ଼ନାୟକ ଗ୍ରନ୍ଥାବଳୀ-ପୃ- ୬୧୦ ।

୩୪.

କବି ଗଡ଼ନାୟକ କେବଳ କାବ୍ୟରେ ଅସାଧାରଣ ସିଦ୍ଧିର ଅଧିକାରୀ ବୋଲି ସମସ୍ତଙ୍କର ଧାରଣା, ମାତ୍ର ସେ ଅନେକ ସୁନ୍ଦର ‘ଗୀତ’ ମଧ୍ୟ ରଚନା କରିଛନ୍ତି । +++ ସେଇମାନଙ୍କୁ ସ୍ଵର ଦେଇ ବୋଲାଗଲେ ସୁନାରେ ସୌରଭର ସଂଯୋଗ ପରି ଲାଗେ । ନୀଳମାଧବ ପାଣିଗ୍ରାହୀ- ‘ଗଡ଼ନାୟକଙ୍କ ଗୀତ ଓ ଛନ୍ଦ’ - ଗଡ଼ନାୟକ ପରିକ୍ରମା-ପୃ- ୧୨୫।

୩୫.

ଶ୍ରୀ ନୀଳମାଧବ ପାଣିଗ୍ରାହୀ- ‘ଗଡ଼ନାୟକଙ୍କ ବାଣୀବିଳାସ’ ଗଡ଼ନାୟକ ଅଭିନନ୍ଦନ ଗ୍ରନ୍ଥ - ପୃ-୬୯ ଓ ୭୦।

 

***